ABhimanyu Panda

Inspirational Drama

2.5  

ABhimanyu Panda

Inspirational Drama

ନିଶବ୍ଦ

ନିଶବ୍ଦ

9 mins
727



ମୋ ମୁଣ୍ଡକୁ ତାଙ୍କ କୋଳରେ ରଖି ଧିରେ ଧିରେ ଆଉଁସି ଦେଇ କଁଅଳ କଁଅଳ ସ୍ୱରରେ କଣ ସବୁ କହିଯାଉଥାନ୍ତି ମୋରି ବିଷୟରେ । କାନରେ ପଡ଼ୁଥିଲେ ବି ଶବ୍ଦକୁ ଧ୍ୟାନ ନଦେଇ ଖାଲି ଶବ୍ଦର ସ୍ପର୍ଶକୁ ଅନୁଭବ କରିବାକୁ ଚେଷ୍ଟା କରୁଥିଲି ମୋ ନିଜ ଭିତରେ । ଶବ୍ଦର ସ୍ପର୍ଶ ସବୁଠୁ ନିଆରା । ପ୍ରାୟ ସମସ୍ତ ନାରୀ ଶବ୍ଦର ସ୍ପର୍ଶକୁ ପାଇବାକୁ ବ୍ୟାକୁଳିତ ମୁଁ ବି ସେମାନଙ୍କ ମଧ୍ୟରୁ ଜଣେ ବାଦ ପଡ଼ନ୍ତି ବା କେମିତି । ଆରେ ଆଜି ବେଶି ଥକି ପଡ଼ିଛ କି ? ପୂର୍ଣ୍ଣିମା ରାତିର କୁମୁଦ ପରି ମୁହଁରେ ଏ ଅମାବାସ୍ୟାର ଅନ୍ଧକାର କେମିତି ପ୍ରବେଶିଲା ! ତାଙ୍କ ହାତକୁ ଟାଣିଆଣି ଜୋରରେ ଚାପି ଧରିଲି ମୋ ଛାତିରେ ମନ ଭିତରେ ସମୟକୁ ଅନୁରୋଧ କଲି ତାର ଗତି ମନ୍ଥର କରିବାକୁ । ତାଙ୍କର ସେ ଗରମ ହାତ ଛୁଆଁରେ ମୋ ମନ ଓ ଶରୀରର ଶୀତଳତାରେ ଭରି ଦେଉଥିଲା ଉଷ୍ଣତା । ମୋର ଅସଜଡ଼ା କଳାମେଘି କେଶକୁ ସଜାଡ଼ି ହାତରେ ଧରି  ଆରେ କିଛି କହୁନ ଯେ  ତମେ ଜାଣିଛ ନା ତମର ଏଇ ଗହବା କଳା ରଙ୍ଗର କେଶ ମତେ ପାଗଳ କରେ ବୋଲି ! ମୋ ମଥାରେ ଅନୁଭବ କଲି ତାଙ୍କ ନରମ ଗରମ ଓଠର ସ୍ପର୍ଶ  ଦେଇଦେଲେ ଗୋଟେ ଚୁମ୍ବନ । ଶିହରଣ ଖେଳିଗଲା ସାରା ଦେହରେ ମୋର, ନାଚି ଉଠିଲା ମୋ ଭିତରଟା । କିଛି ନକହି ନିଜକୁ ତାଙ୍କ କୋଳରେ ପୂର୍ଣ୍ଣ ଆବଦ୍ଧ କରିବାକୁ ଚେଷ୍ଟା କଲି । ସାଉଁଳେଇ ଗଲି ତାଙ୍କ କୋଳକୁ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର କରିବାକୁ ଚେଷ୍ଟା କରୁଥିଲି । ଶୁଣୁଛ ସବୁ ସ୍ତ୍ରୀ ମାନଙ୍କର ତାଙ୍କ ସ୍ୱାମୀ ମାନଙ୍କ ପ୍ରତି ଅଭିଯୋଗ  କି ସେମାନେ ତାଙ୍କୁ ସମୟ ଦିଅନ୍ତିନି ହେଲେ ମୋ ପାଇଁ ଅଲଗା  ତମର ସାନିଧ୍ୟ ପାଇବାକୁ ମତେ ଅପେକ୍ଷା କରିବାକୁ ପଡ଼ୁଛି ! କାମ ଉପରେ କାମ, ସବୁବେଳେ ଖାଲି କାମ ମୋ କଥା ପୁରାପୁରି ପାଶୋରି ଦେଇଛ ମନରୁ । ଦେଖୁନ ତମେ ପସନ୍ଦ କରୁଥିବା ବର୍ଷା କେମିତି ଈର୍ଷା କରୁଛି ଆମ ଉପରେ ଛାଡ଼ିବା ତ ଦୂରର କଥା କମିବାର ବି ନାଁ ଧରୁନି । କଣ ଶପଥ କରିଛ କିଛି କହିବନି ବୋଲି ନା କଣ ? ମାନୁଛି ପଚିଶ ବର୍ଷ ଭିତରେ ତମେ ମୋର ଏ ରୂପ କେବେ ଦେଖିନ ହେଲେ ମୋ ହୃଦୟରେ ପରା ତମର ରାଜୁତି । ଦେଖୁନ ଦେଖ କହିକି ମୋ ହାତ ଟାଣିନେଲେ ସେ । ହଠାତ କିଛି ଗୋଟେ ଶବ୍ଦ ହେଲା ଜୋରରେ ମୋ ହାତ ବାଜି ମୁଣ୍ଡ ଉପରେ ଥିବା ବାସନ ପଡିବାର ଶବ୍ଦରେ ମୋ ନିଦ ଭାଙ୍ଗିଗଲା । 


         ଆଶ୍ଚର୍ଯ୍ୟ ହେଇ ଚାହିଁଲି ଚାରିଆଡ଼େ । କାହିଁ କେହି ତ ନାହାଁନ୍ତି ! ବାହାରେ କଳାହାଣ୍ଡିଆ ମେଘକୁ ପବନ । ଦିନରେ ବି ଘର ଭିତରେ ପଶରିଛି ଅନ୍ଧକାର । ରହି ରହି ପବନ ସହ ଆସୁଥିବା ବର୍ଷା ଛିଟା ମୋ ସ୍ୱପ୍ନକୁ ଉପହାସ କରି ଭିଜେଇ ଯାଉଥାଏ ମୋର ଶୁଷ୍କ ମନକୁ । ମୁଁ ବି ବର୍ଷାକୁ ସହଜରେ ଛାଡ଼ିବାକୁ ବିଲକୁଲ ପ୍ରସ୍ତୁତ ନଥିଲି । ତାର ଜଳଧାରା ସହ ମୋ ସ୍ୱପ୍ନର କୋହ ସାଙ୍ଗରେ ହାର/ଜିତ ର ବାଜି ଲଗେଇଦେଲି । ସେ ବର୍ଷା ମୋର ଅତି ପରିଚିତ ଆଉ ପ୍ରିୟ । ବହୁତ କଥା ହୁଏ ମୋ କଥାରେ ଫୁଲେଇ ହେଇ ଜୋରରେ ବର୍ଷେ କିନ୍ତୁ କେବେ ଜିତି ପାରିନି ମୋ ପାଖରୁ । କେବେକେବେ ଅନୁରୋଧ କରେ ମତେ ହାରିବାକୁ । ହେଲେ ମୁଁ ଯେତେବେଳେ ମୋର ୨୫ ବର୍ଷର ସାଇତା ସ୍ୱପ୍ନ ସବୁ ଖୋଲା ଆଖିରେ ଦେଖେ  ଭୁଲିଯାଏ ମୋ ପ୍ରିୟବାନ୍ଧବୀକୁ ଦେଇଥିବା ପ୍ରତିଶୃତି । ସେ ଟିକେ ରାଗେ ମୁଁ ମନାଏ ସେ ପୁଣି ଆସିବାକୁ କହି ଫେରିଯାଏ । ଆଜିବି ଆମ ପ୍ରତିଯୋଗୀତାର ପୁନରାବୃତ୍ତି ସେ ଜିତିବାକୁ ବହୁତ ଚେଷ୍ଟା କଲା ।ସାଙ୍ଗରେ ପବନ ବିଜୁଳି ସମସ୍ତଙ୍କୁ ଆଣିଥିଲା । ହେଲେ ତାର ସମସ୍ତ ଚେଷ୍ଟା ବିଫଳ ହେଇ ଯାଇଥିଲା ମୋ ଅସମ୍ପୂର୍ଣ୍ଣ ସ୍ବପ୍ନ ମୋର ଅଧା ରହିଯାଇଥିବା ଆଶା ଆକାଂକ୍ଷା ପାଖରେ । ଅଭିମାନିନୀ ବର୍ଷା ନିଜ ଅଭିମାନ ଛାଡ଼ି ହାର ମାନିଯାଇଥିଲା । ମତେ ସାନ୍ତ୍ୱନା ଦବାକୁ ନିଜେ ଚାଲି ଯାଇ ଚକ୍ ଚକ୍ କଅଁଳ ଖରା କୁ ପଠେଇଥିଲା । ବାହାରେ ବର୍ଷା ପାଣିରେ ହୀରା ପରି ଚମକୁଥିବା ସୂର୍ଯ୍ୟ କିରଣ କୁ ଚାହିଁ ପାରୁନଥିଲି ମୁଁ । ଝଡ଼ି ପଡ଼ିଥିବା ଶୁଖିଲା ପତ୍ରଟିଏ ମୁଁ ମଧ୍ୟାହ୍ନର ଚଇତି ସୂର୍ଯ୍ୟ ସହ ଆଖି ମିଶେଇବାର ସାମର୍ଥ୍ୟ  କେଉଁଠୁ ପାଇଥାନ୍ତି ଯେ । ଆହୁରି ମଉଳି ଯାଉଥିଲି । ମନେ ପଡ଼ିଯାଉଛି ଅତୀତ ।


          ଦିଜଣ ବଡ଼ ଭଉଣୀ ଆଉ ଜଣେ ବଡ଼ଭାଇ, ମୁଁ ଅତି ଅଲିଅଳି ସମସ୍ତଙ୍କ ଠାରୁ ସାନ । ବାପାଙ୍କ ଆଖିର ତାରା ବଡ଼ ନାନୀର ବାହାଘର ସମୟରେ ମତେ ଆଠ ବର୍ଷ । ବଡ଼ନାନୀ ଜଣେ ଶିକ୍ଷୟତ୍ରୀ ।ବଡ଼ ନାନୀର ବାହାଘର ସମୟରେ ସାନ ନାନୀ ଆଉ ମୋର ଗୋଟିଏ ବୋଲି ଭାଇ ସହରରେ ରହି ପାଠ ପଢୁଥାନ୍ତି । ଘରେ ବାପାଙ୍କ ପାଖରେ ମୁଁ ଏକା । ଜଣେ ଆଦର୍ଶ ଶିକ୍ଷକ ଆଉ ଜଣେ ଦୟାଶୀଳ ଜମିଦାର ଭାବରେ ସେ ଖଣ୍ଡମଣ୍ଡଳରେ ମୋ ବାପାଙ୍କର ସୁନାମ । ଅନ୍ୟ ଭାଇଭଉଣୀଙ୍କ ଅପେକ୍ଷା ମୁଁ ବାପାଙ୍କର ବେଶି ଗେହ୍ଲା ଥିଲି । ବାପା ତାଙ୍କର ସବୁ କାମରେ ମତେ ଖୋଜନ୍ତି । ତାଙ୍କ ମୁହଁରେ ସବୁବେଳେ ଖାଲି ତପୁ..... ତପୁ .....ମୋ ନାଁ ତପସ୍ୱିନୀ  ସମସ୍ତେ ଶ୍ରଦ୍ଧାରେ ତପୁ ବୋଲି ଡାକନ୍ତି । ସାନ ନାନୀ ପଢ଼ାପରେ ବ୍ୟାଙ୍କରେ ଚାକିରୀ କଲା । ଉପଯୁକ୍ତ ପାତ୍ରରେ ବାପା ତାଙ୍କ ବାହାଘର କରେଇଦେଲେ  । ଭାଇ ବି ମୋର ଉଚ୍ଚପଦସ୍ଥ ଚାକିରୀ ପରେ ପରେ ବାହା ହେଇ ସୁନାନାକି ଭାଉଜ ଟିଏ ଆଣିଥିଲେ ସେ ବି ବାପାଙ୍କ ପସନ୍ଦର । ମୁଁ ପାଠପଢ଼ା ପରେ ସେତେଟା ଭଲ ନଥିଲେବି କେବେ ଫେଲ ହେଇନି । ପଢ଼ାପରେ ଚାକିରୀ ମିଳିଥିଲେ ବି ମୁଁ ନିଜ ଇଚ୍ଛାରେ ପ୍ରତ୍ୟାଖ୍ୟାନ କରିଥିଲି । ବାପା ମୋ ଚାକିରୀ ନ କରିବାରେ ଅସନ୍ତୁଷ୍ଟ ଥିଲେ । କିଛିଦିନ ରାଗିଲା ପରେ ସବୁ ଭୁଲିଯାଇ ମୋ ବାହାଘର ଖୋଜି  ମତେ ବହାଦେଇଥିଲେ । ଯଥେଷ୍ଟ ଯୌତୁକ ବି ଦେଇଥିଲେ । ମୋ ସ୍ୱାମୀ ବି ଉଚ୍ଚ ଶିକ୍ଷିତ ଆଉ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ । 


     କୁଆଁରୀ ମନରେ ଆଖି ଭର୍ତ୍ତି ସ୍ୱପ୍ନ ନେଇ ନିଜକୁ ସଜେଇ  ବାସର ରାତିରେ ମଥାରେ ମଖମଲି ଓଢଣୀ ଟାଣି ସ୍ୱାମୀଙ୍କ ଅପେକ୍ଷାରେ କେତେବେଳେ ରାତିପାହି ସକାଳ ହେଇଯାଇଥିଲା,ହେଲେ ମୋ ସ୍ୱାମୀଙ୍କର ଦେଖା ନଥିଲା । କେତେ କଣ ଭାବିଥିଲି  କେତେ ସ୍ୱପ୍ନ ଦେଖିଥିଲି ଏ ଖୋଲା ଆଖିରେ ସବୁ ସ୍ୱପ୍ନ ମତେ ଉପହାସ କରି ଦୂରକୁ ଦୂରକୁ ଚାଲି ଯାଉଛନ୍ତି  ଶୁନ୍ୟ ଦିଗବଳୟରେ ମରିଚିକା ପ୍ରାୟ ମିଳେଇ ଯାଉଥାନ୍ତି । ମୋ ମନରେ ପୁଣି ମୋତେ ଛୁଇଁ ଦେଇ ବିଜୁଳି ବେଗରେ ଅଫେରନ୍ତ ଦୂରକୁ ପଳଉଥାନ୍ତି । ସକାଳୁ ଗୁରୁ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ  ନୂଆ ଜୀବନ ଆରମ୍ଭରେ ମନକୁ ସଜାଡ଼ି ନେଇଥିଲି । ପରିବାରରେ ସମସ୍ତେ ଥାନ୍ତି ହେଲେ ମୋ ସ୍ୱାମୀ ନଥାନ୍ତି !! ଚାରିଦିନରେ ପରିଚିତା ପଡ଼ିଶା ଘରର ଝିଅଟିକୁ ଡାକି ମୋ ସ୍ୱାମୀଙ୍କ ବିଷୟରେ ପଚାରିଲି ।ସେ ପନ୍ଦର ଦିନ ଲାଗି କିଛି ଜରୁରୀ କାମରେ ଯାଇଛନ୍ତି ବୋଲି ସେ ଝିଅଟି ପାଖରୁ ଶୁଣି ମନକୁ ସ୍ଥିର କରି ଗୃହସ୍ଥୀରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଥାଏ । ଗୋଟିଏ ମାସ ପରେ ମୋ ସ୍ୱାମୀ ଫେରିଲେ  । ମୋ ପାଦ ତଳେ ଲାଗୁ ନଥାଏ । ଘରେ ସମସ୍ତେ ଅନୁଭବ କରିପାରୁଥାନ୍ତି ମୋ ମନର ତରଙ୍ଗାୟିତ ଭାବନାକୁ । ରାତିରେ ସବୁ କାମ ସାରି ସ୍ୱାମୀଙ୍କ ପ୍ରଥମ ପରସ ପାଇବା ଲାଳସାରେ ଶୋଇବା ଘରକୁ ଆସି ତାଙ୍କ ପାଦ ତଳକୁ ବସିପଡ଼ିଲି । ବହୁତ ସମୟ ପରେ ତାଙ୍କ ଠାରୁ କିଛି ପ୍ରତିକ୍ରିୟା ପାଇନଥିଲି । ନିଜ ମନର ଉଦବେଗକୁ ସମ୍ଭାଳି ନପାରି ଥର ଥର ହାତରେ ତାଙ୍କ ପାଦକୁ ଛୁଇଁ ମୋଡ଼ି ଦବା ଅଭିନୟ କଲି । ଏକ ଶକ୍ତ ଗୋଇଠା ମୁଁ ତଳେ ପଡ଼ି ଚିତ୍କାର କଲି  ବାପାଙ୍କ ଅଲିଅଳୀ ଫୁଲ ପରି ବଢ଼ିଥିବା ଝିଅ ମୁଁ । ବିଶ୍ୱାସ କରିପାରୁନଥିଲି ନିଜର ଦୁର୍ଦ୍ଦଶା ଉପରେ । ଯେତେ ବଡ଼ ପାଟିରେ କାନ୍ଦୁଥିଲେ ବି କେହି ମୋ ଆଖିର ଲୁହ ପୋଛିବାକୁ ନଥିଲେ । ସେ ତ ଆରମ୍ଭ ମାତ୍ର ମୋ ପ୍ରତି ହବାକୁ ଥିବା ଅତ୍ୟାଚାରର ଏହା କେବଳ ଏକ ନମୁନା ମାତ୍ର ।  


        ଆରମ୍ଭ ହେଇଗଲା ଅତ୍ୟାଚାର ମାଡ଼, ଗାଳି, ମିଛ ଅଭିଯୋଗ ମାନ । ବାହାଘରର ଚାରିମାସ ଭିତରେ ଜୀବନ୍ତ ପାହାଡ଼ରୁ ଖସି ଆସି ଥିବା ପଥର ପ୍ରାୟ ହେଇଯାଇଥିଲି ମୁଁ । ଯିଏ ଅନୁଭବ ଶୁନ୍ୟ । ଯିଏ ନିଜ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରର କାରଣ ବି ଖୋଜି ପାଉନଥିଲା । ପଡ଼ିଶା ଘରର ସେ ଝିଅଟି ମୋ ଦୁଃଖ ନସହିପାରି ମତେ ଆମ ଘରକୁ ଚାଲିଯିବାକୁ କହିଲା । ବିବାହ ପୂର୍ବରୁ ମୋ ସ୍ୱାମୀଙ୍କର ଅନ୍ୟ ଏକ ସ୍ତ୍ରୀ ସହ ସମ୍ପର୍କ ଥିବା କଥା ବି ମତେ ଜଣେଇ ଦେଇଥିଲା । ମୁଁ ମୋ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ବାପାଙ୍କୁ ଜଣେଇବାକୁ ଚାହିଁନଥିଲି । ଭାବୁଥିଲି ବାପା ଏ ସବୁ ସହି ପାରିବେନି । ଦିନେ ରାତିରେ ଗରମ ପାଣି ଆଣିବାକୁ ଡେରି ହବାରୁ ମୋ ସ୍ୱାମୀଙ୍କର ରାଗ ପଞ୍ଚମକୁ ଉଠିଯାଇଥିଲା । ତାଙ୍କ ଗର୍ଜନରେ ମୋ ମନ ବ୍ୟାକୁଳିତ ହେଉଥିଲା  ଦେହରେ ଆଉ ଶକ୍ତି ନଥିଲା  ହାତରେ କବାଟରେ ଦିଆ ବାଡ଼ି ଧରି ବାହାରି ଆସିଲେ । ଦୁର୍ବଳା ମୁଁ ହାତ ଯୋଡ଼ି କାନ୍ଦି କାନ୍ଦି ମୁଁ ନକରିଥିବା ଦୋଷର କ୍ଷମା ମାଗିଲି । ରାକ୍ଷସ କବଳିତ ସ୍ୱାମୀ ମନରେ ମୋର କାକୁତି ମିନତୀର କିଛି ପ୍ରଭାବ ପଡିନଥିଲା । ଜୋର ଜୋରରେ ଦୁଇ ଚାରି ପାହାର ବାଡ଼େଇବାପରେ ମୁଁ ସଂଜ୍ଞା ହୀନ ହେଇଯାଇଥିଲି । ଆଖି ଖୋଲିଲାରୁ ନିଜକୁ ଘର ବାହାରେ ଆବିଷ୍କାର କରିଥିଲି । ଭୟ ଆହୁରି ବଢ଼ି ଯାଇଥିଲା । କେତେ ନେହୁରା ହେଲି ମତେ ମାରିଦିଅ ପଛେ ମତେ ଭିତରକୁ ଆସିବାକୁ ଦିଅ । ସେ କବାଟ ଖୋଲି ନଥିଲେ । ମୁଁ ବାଧ୍ୟହେଇ ସକାଳୁ ସକାଳୁ ଆମ ଘରକୁ (ବାପଘର) ଚାଲି ଆସିଲି । ଆମ ଘରେ ମତେ ଏମିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ !! ବୋଉ ମୋର ମୋ ଦେହରେ ମାଡ଼ର ଦାଗ ଦେଖି ବେହୋସ ହେଇଯାଇଥିଲା। ସବୁ ଶୁଣିଲାପରେ ବାପା ମୋର କାନ୍ଧ ଗାମୁଛାରେ ମୁହଁ ଲୁଚେଇ କାନ୍ଦି ଥିଲେ ଯାହା ମୁଁ କେବେବି ବାପାଙ୍କ ଆଖିରେ ଦେଖିନଥିଲି ।


       ଆରମ୍ଭ ହେଇଗଲା ଆଇନ କାନୁନର ଖେଳ । ମହିଳା କମିଶନ କେତେ ବେପାର ସେ । ନିଜ ଚାକିରୀ ଆଉ ବଦନାମୀ ଭୟରେ ମୋ ସ୍ୱାମୀ ମତେ ନବାକୁ ଆସିଲେ ଆମ ଘରକୁ  ତାଙ୍କ ମିଠା ମିଠା କଥାରେ, ମୁଁ ମୋ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାରକୁ ଭୁଲି ଯାଇଥିଲି । ପୁଣି ରଙ୍ଗୀନ ସ୍ୱପ୍ନ ଦେଖିଥିଲି ତାଙ୍କ ସହ । ଆମଘରେ ସମସ୍ତେ ମନା କରିବା ସତ୍ତ୍ୱେ ମୁଁ ତାଙ୍କ ସାଙ୍ଗରେ ଚାଲିଆସିଥିଲି,  କିଛି ନୂଆ ଆଶା ନେଇ । ମୋ ସ୍ୱାମୀ ମଦ ପିଅନ୍ତି ।ମୋର ସ୍ୱପ୍ନର ରାଇଜକୁ ଫେରିବାର କିଛିଦିନ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଲା । ସ୍ୱାମୀଙ୍କ ପ୍ରେମ ଛୁଆଁରେ ମୋ ମନ ଭିତରର ମରୁଭୂମିରେ ଶୁଷ୍କ ଧୁସରିଆ ଦୁବ ଘାସ ମାନେ ଧିରେ ଧିରେ ରଙ୍ଗ ପରିବର୍ତ୍ତନ କରୁଥାନ୍ତି । ଏ ଭିତରେ ମୋ ନଣନ୍ଦଙ୍କର ବାହାଘର ହେଇଗଲା । ତାଙ୍କ ସ୍ୱାମୀଙ୍କ ଅପାରଗତା ଆଉ ମୋ ଶାଶୁଙ୍କର ଅତ୍ୟଧିକ ଝିଅପ୍ରୀତି ମୋ ନଣନ୍ଦଙ୍କୁ ନିଜ ବାପଘରେ ବାନ୍ଧି ରଖିଥିଲା । ମୁଁ ଗର୍ଭବତୀ ହେଲି । ବହୁତ ଖୁସି ଘରେ ସମସ୍ତେ ଖୁସି । ମାତୃତ୍ୱ ଲାଭର ଉନ୍ମାଦନାରେ ମୋ ଖୁସି ଢେର ବଢ଼ି ଯାଇଥିଲା । 


      କିଛି ଦିନ ପରେ ଡାକ୍ତରୀ ପରୀକ୍ଷାରେ ମୁଁ ଓ ମୋର ପରିବାରରେ ସମସ୍ତେ ଜାଣି ପାରିଲେଯେ ମୁଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଛି । ଡାକ୍ତରୀ ପରୀକ୍ଷାରୁ ଜାଣିଲା ପରେ  ମୋ ମନ କେବଳ ସେଇ ପରୀ ପାଖରେ । କଳ୍ପନାରେ ତାକୁ ମୋର ଛାତିରେ ଭରି ଥିବା ମମତା ସରୋବରର ଅମୃତ ପିଆଇ ଭିଜି ଯାଉଥିଲି ପରମ ଆନନ୍ଦରେ । କିନ୍ତୁ ଘରେ ପହଞ୍ଚିଲା ପରେ ପୁଣି ଥରେ ଆରମ୍ଭ ହେଇଯାଇଥିଲା ଅତ୍ୟାଚାରର ତାଣ୍ଡବ ଲୀଳା । ଏଥର କିନ୍ତୁ ମୋ ସ୍ୱାମୀ ଏକା ନଥିଲେ । ପୂର୍ବରୁ ନୀରବ ରହୁଥିବା ମୋର ଶାଶୁ ଆଉ ନଣନ୍ଦ ବି ଯୋଗ ଦେଇଥିଲେ ସ୍ୱାମୀଙ୍କ ସହ । ଜମିଦାର ଘର ଝିଅ କେବେକେବେ ଉପାସ ରହିଯାଏ ୩/୪ଦିନ । ମୋ ଗର୍ଭସ୍ଥ ପିଲାକୁ ବଞ୍ଚେଇବା ଲାଗି କେବେକେବେ ଲୁଚେଇ ଖାଇଛି ତ କେବେକେବେ ପଡ଼ିଶା ଘରୁ ମାଗି ଖାଇଛି । ଝିଅ ଜନ୍ମବେଳରେ ମତେ ଡାକ୍ତରଖାନା ନେଇନଥିଲେ ଘର ଲୋକ । ବାପା ଭାଇଙ୍କ କଥା ନମାନି ସ୍ୱାମୀଙ୍କ ସାଙ୍ଗରେ ଆସିଥିବାରୁ ସେମାନଙ୍କର ବି ଅଭିଯୋଗ  । ଜୀବନ ମରଣ ସମସ୍ୟା ଭିତରେ କୁନି ପରୀଟିକୁ ମୋ ହାତକୁ ଟେକି ଦେଇଥିଲେ ଆମ ଘରେ କାମ କରୁଥିବା ଜଣେ ବୟସ୍କା ମହିଳା । 

  

        ମୋର ସବୁ ଦୁଃଖକୁ ଭାଗ୍ୟର ବିଡ଼ମ୍ବନା ଭାବି କେବଳ ମୋ ଝିଅର ମୁହଁକୁ ଚାହିଁ ବଞ୍ଚି ରହିବାକୁ ନିଷ୍ପତ୍ତି ନେଲି । ଏ ଭିତରେ ମୋ ନଣନ୍ଦବି ରାଜକୁମାର ଭଳି ଗୋଟେ ପୁଅର ମା ହେଲେ । ତାଙ୍କ ପୁଅ ଜନ୍ମପରେ ମୋର ପ୍ରତ୍ୟେକଟି ଦିନ ଗୋଟିଏ ଗୋଟିଏ ବର୍ଷ ଲାଗେ । ସବୁଦିନ ଆକ୍ଷେପ ମାଡ଼ ଗାଳି ଭୋକ ଉପାସ ସବୁକିଛି । ନିଜକୁ ପ୍ରଶ୍ନ କରେ ଯିଏ ଝିଅକୁ ଜୀବନଠୁ ଅଧିକ ଭଲ ପାଉଥିବା ମୋର ଶାଶୁମା ମୋର ଝିଅଟିଏ ଜନ୍ମରେ ଖୁସି ନୁହନ୍ତି କାହିଁକି ? ମୋର ଶିକ୍ଷିତ ସ୍ୱାମୀ ଏକଥା କେମିତି ନ ବୁଝନ୍ତି ଯେ ଝିଅଟିଏ ଜନ୍ମରେ ନାରୀର ନୁହେଁ  କେବଳ ଶହେ ପ୍ରତିଶତ ପୁରୁଷ ସାମର୍ଥ୍ୟ ଭିତ୍ତିକ । ଝିଅ ଜନ୍ମ କରି ଯଦି ମୁଁ ଭୁଲ କରିଛି ମତେ ଦଣ୍ଡ ଦିଅ । ନିଷ୍ପାପ ଶିଶୁକୁ ଅବହେଳିତ କରିବାଟା କେତେଦୂର ଯଥାର୍ଥ । ଗୋଟେ ପଶୁ ନିଜର ସଦ୍ୟଜାତ ଛୁଆମାନଙ୍କ ସୁରକ୍ଷାରେ ଯେମିତି ହିଂସ୍ର ହେଇ ଉଠେ ମୁଁ ବି ଠିକ ସେମିତି ଆକ୍ରମକ ହେଇଯାଇଥିଲି ମୋ କୁନି ପରୀର ଲାଳନ ପାଳନରେ । ନିଜ ପ୍ରତି ହେଉଥିବା ଅତ୍ୟାଚାରରେ କେବେ ମୁହଁ ନ ଖୋଲିଥିବା ମଣିଷ ନିଜ ପିଲାର ସୁରକ୍ଷା ଆଉ ଅଧିକାର ଲାଗି ବିଦ୍ରୋହୀ ହେଇ ସାରିଥିଲା । ଘର ଲୋକଙ୍କ ବିନା ସାହାଯ୍ୟ ସହଯୋଗରେ  ବିନା ଟିୟୁସନରେ ଆମ ମା ' ଝିଅ ଉଭୟଙ୍କ ଚେଷ୍ଟାରେ ମୋ ଝିଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହେଇଥିଲା । ମୋ ବାପାଙ୍କୁ ମୁଁ ମନେ ମନେ ଧନ୍ୟବାଦ ଦେଉଥିଲି । ଗୋଟେ ଝିଅକୁ ଶିକ୍ଷିତ କରିବାର ତାଙ୍କର ଜିଦକୁ ନମନ କରୁଥିଲି ମନେ ମନେ । ଝିଅର ଏତେବଡ଼ ସଫଳତା ପରେ ମଧ୍ୟ ଆମ ଘର ଲୋକ ତାର ଉଚ୍ଚ ଶିକ୍ଷାକୁ ବିରୋଧ କରିଥିଲେ  । ବାପାଙ୍କୁ ଚିଠି ଲେଖି ଝିଅର ସଫଳତା ବିଷୟରେ ଜଣାଇ ତାର ଭବିଷ୍ୟତର ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ ମାଗିଲି । ତମେ ମତେ ଘରେ ରଖି ଯାହାସବୁ କରିଥାନ୍ତ, ସେସବୁ ମୋ ଝିଅ ଲାଗି ତାର ଉଚ୍ଚ ଶିକ୍ଷାରେ ସାହାଯ୍ୟ କର । ନନା ପଢଉଥିବା କଲେଜରେ ମୋ ଝିଅର ଆଡମିସନ କରେଇ ଝିଅକୁ ନିଜ ଘରେ ରଖି ତାର ସମସ୍ତ ଦାୟିତ୍ୱ ନେଲେ । 


       ଝିଅ ବି ମୋର ବଡ଼ ହେଲାଣି ଘର ପରିବାର ହାବ ଭାବ ଓ ନିଜ ଘରେ ନିର୍ଦୋଷ ପ୍ରତି ହେଉଥିବା ଅତ୍ୟାଚାରକୁ ହୃଦୟଙ୍ଗମ କରିପାରୁଥିଲେ ବି ପ୍ରତିବାଦ କରିବାକୁ ଅସମର୍ଥ ଥିଲା । ବେଳେବେଳେ ସାମ୍ନାରେ ପଡ଼ିଲେ ନୀରବ ରହି ମୋ ଆଖିରୁ ଲୁହ ପୋଛି ଦିଏ । ପଢ଼ିବାକୁ ଗଲାବେଳେ କହିକି ଯାଇଛି ବୋଉ, ମୁଁ ଯାଉଛି  ଫେରିବାବେଳେ ତୋ ଦୁଃଖର ମୂଲ ବଦଳରେ ଫେରେଇ ଆଣିବି ତୋ ମୁହଁର ହସ ।


      ଏମିତି ଭାବୁ ଭାବୁ ବହୁତ ସମୟ ବିତିଗଲାଣି ଆହୁରି ଅନେକ କାମ ଅଛି । ଏ ବୟସରେ ପାହାର ସହିବାର ସାମର୍ଥ୍ୟ କମିଗଲାଣି । ବେଳ ରତରତିଆ ସୂର୍ଯ୍ୟଙ୍କୁ ଚାହିଁ ଘରେ ବାକିଥିବା ପାଇଟି କଥା ଭାବୁ ଭାବୁ ନଜର ପଡ଼ିଥିଲା ଦୂରରୁ ଚାଲି ଚାଲି ଆସୁଥିବା ନିଜ ପ୍ରତିଛବି ଉପରେ । ତାଙ୍କ ସୁନା ଝିଅ ଉଜ୍ଜ୍ଵଳିଆ ହସ ହସ ମୁହଁରେ ପାଖେଇ ଆସୁଛି । ଆଖି ଭରିଗଲା ମା' ତାଙ୍କ ପରୀକୁ ଦେଖି ଈର୍ଷା କରୁଛନ୍ତି । ଏତେ ଦୁଃଖ ଭିତରେ ତାରି ମୁହଁକୁ ଚାହିଁ ସବୁ ଭୁଲିଛି । ଲୁହଭରା ଆଖି ଅବରୁଦ୍ଧ କଣ୍ଠ  ମୁଖ ମଣ୍ଡଳରେ ମନ୍ଦ ମନ୍ଦ ହସରେ ଅସ୍ତ ବେଳର ଢାଉଆ ରଙ୍ଗର ସୂର୍ଯ୍ୟ କିରଣର ମିଶ୍ରଣ, ତାଙ୍କ ଚେହେରାରେ ଆଗାମୀ ସୁଖଦ ଭବିଷ୍ୟତକୁ ପ୍ରସ୍ଫୁଟିତ କରୁଥିଲା ।


       ଝିଅ ପାଖେଇ ଆସି ନିଜ ମା' ର ହାତ ଧରି ବସେଇ ଦେଇ  ତାଙ୍କ କୋଳରେ ମୁଣ୍ଡରଖି ମା' ହାତକୁ ଖବର କାଗଜ ବଢ଼େଇ ଦେଲା । ଆରେ କଣ କହୁନୁ ଏ ଖବରକାଗଜ କଣ ଦଉଛୁ ? ତୋ ବାପା କଣ ତତେ ପାଠ ପଢ଼େଇନି ନିଜେ ପଢ଼େ , କୋହଭରା ସ୍ୱରରେ ଏତିକି କହି ମା' କୋଳରେ ମୁହଁ ମାଡ଼ି କଇଁ କଇଁ କାନ୍ଦିବାକୁ ଲାଗିଲା ପରୀ । ଉତ୍ସୁକତା ବଶତଃ ମା' ଖବରକାଗଜ ଲେଉଟାଇ ତାଙ୍କ ପରୀ ସମ୍ବନ୍ଧୀୟ ଖବର ପଢ଼ିବା ମାତ୍ରେ ଭାବବିହ୍ଵଳ ହେଇ ପଡ଼ିଥିଲେ । ତାଙ୍କର ସ୍ୱପ୍ନ ପୁରଣ ହେଇଛି ଯେ  ପ୍ରଥମ ଚେଷ୍ଟାରେ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାରେ ପୁରା ଦେଶରେ ତୃତୀୟ ସ୍ଥାନରେ ଅଛି । ସେ ସମୟରେ ମା' ଝିଅ ଦୁହିଁଙ୍କର ମନୋଦଶା ସ୍ବୟଂ ଈଶ୍ୱର ବି ବୁଝିବାକୁ ଅସମର୍ଥ । ଜଣଙ୍କର କୋଳରେ ସାଧନାର ସୁନାମୀ ତ  ଜଣଙ୍କ ମୁଣ୍ଡରେ ସମର୍ପଣର ଗଙ୍ଗା ନିଜ ନିଜ ଭାବନା ବ୍ୟକ୍ତରେ ବ୍ୟସ୍ତ । ଶବ୍ଦର ଆବଶ୍ୟକତା ନାହିଁ ସେଠି । ଶବ୍ଦ ନିଜକୁ ବ୍ୟକ୍ତ କରିବାକୁ ନିଶବ୍ଦର ସାହାଯ୍ୟ ନେଇଛି । ସେ ନିଶବ୍ଦର କୋଳାହଳକୁ କେବଳ ମା'ଝିଅ ଦୁହେଁ ଅନୁଭବ କରୁଥିଲେ । ତୃତୀୟର ପ୍ରଶ୍ନ ଉଠୁନି ସେ ବଳୟରେ ।

      


Rate this content
Log in

Similar oriya story from Inspirational