The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Parameswar Ojha

Drama Tragedy

2  

Parameswar Ojha

Drama Tragedy

ନିରୁପାୟ

ନିରୁପାୟ

8 mins
537



 ବାପା ଆଖି ବୁଜିବା ପରେ , ବାର ବର୍ଷ ବୟସ ରୁ ପଢା ଛାଡ଼ିଥିଲେ ଘନଶ୍ୟାମ ।

ଘର ର ଗରିବି ପଣ ତାକୁ ବାଧ୍ୟ କରିଥିଲା ରାଜ୍ୟ ବାହାରେ ଯାଇ କାମ କରିବାକୁ ।

ସୁରଟ ସୁତା ମିଲ୍ ରେ ଦେଢ଼ ବର୍ଷ କାମ କରି ବହୁତ କଷ୍ଟ ରେ ସଞ୍ଚି ସଞ୍ଚି ରଖିଥିବା ଟଙ୍କା ରେ ଏକମାତ୍ର ଭଉଣୀ ରିଲି ର ବାହାଘର କରିଥିଲା ।

ବଡ ଭାଇ ରାଧାଶ୍ୟାମ ଗୋଟେ ପଟିଆ ହେଇଗଲେ ଭଉଣୀ ବାହାଘର ବେଳକୁ କହିଲେ - ବାପା ତ ତା ନାଁ ରେ ଉପର ମୁଣ୍ଡ ବିଲ କରିଦେଲେ , ଯେତେ କହିଲେ ମୋତେ ଦେଲେନି । ଏବେ ଭଉଣୀ ବାହାଘର ସିଏ କରୁ । ମୋର କ'ଣ ଯାଉଛି ?

ବୋଉ ପଚାରିଲା - " ଆରେ ରାଧୁ , ତୁ ବଡ଼ ଭାଇଟି ? ସାନ ମାନଙ୍କୁ ବୁଝେଇ ବାଝେଇ ତୁ ଆଗକୁ ନେବା କଥା । ହେଲେ ତୁ ? ନଅଟା ନୁହେଁ କି ଛଅଟା ନୁହେଁ ଗୋଟିଏ ବୋଲି ଭଉଣୀ ତା ବେଳକୁ ତୁ ମୁହଁ ମୋଡି ଦେଉଛୁ ? ହଇରେ ରାଧୁ ?

ରାଧାଶ୍ୟାମ କହିଲା ବୋଉକୁ - " ଦାୟିତ୍ଵ ଆଉ ଖର୍ଚ୍ଚ ବେଳକୁ ବଡ ପୁଅ । ଆଉ ଜମି ଭାଗ ବାଣ୍ଟ ବେଳକୁ....? ସୁନା , ଗେହ୍ଲା ପୁଅ ସାନ ଭାଗରେ ଆଉ ରୁପା , ମୋ ଭାଗରେ କାଇଁ ବାପାଙ୍କୁ ଆଉ ତୋତେ ସେ ଏକେଲା ପୋଷୁଥିଲା କି ? ଆଜି ପର୍ଯ୍ୟନ୍ତ ।

ବୋଉ ହାଁ ଟା କରି ଚାହିଁ ରହିଥିଲେ ବଡ ପୁଅ ରାଧାଶ୍ୟାମ କୁ । କ'ଣ ଉତ୍ତର ଦେବେ କିଛି ବୁଝି ପାରୁନଥିଲେ ।

ଭଲରେ ମନ୍ଦରେ ଭଉଣୀ ବାହାଘର ସରିଲା । ତାପରେ ଘନଶ୍ୟାମ ବଡ ଭାଇ ଠାରୁ ଭିନ୍ନ ହୋଇଗଲା । ଯୋଉ ଭାଇ ଭଉଣୀ କୁ ଚାହିଁଲାନି ସେ ଭାଇ ତାର ବିପଦ ଆପଦ ବେଳେ କ'ଣ ବା ସାହା ଭରଷା ହେବ ?

 ଘନକୁ ଯେତେବେଳେ ୨୫ ବର୍ଷ , ସେତେବେଳେ ସେ ରାଜି ରୁଜା ରେ ବାହାଘର ହୋଇଥିଲା ଗାଁ ଠୁ ଟିକେ ଦୂର ଅଳସୀପୁର ଗାଁର ଲକ୍ଷ୍ମୀ ସହିତ । ଗୋଟିଏ ବୋଲି ଝିଅ ଗରିବ ପରିବାର କିଛି ଦେଇନଥିଲା । ଖାଲି ଯାହା ଲକ୍ଷ୍ମୀ କୁ ଘରକୁ ଆଣିଥିଲେ ଘନ ।

ବଡ ଭାଇ ଭଉଣୀ କୁ ତ ଚାହିଁ ନଥିଲା ହେଲେ ଶେଷରେ କୃତଘ୍ନ ସାଜି ମା କୁ ବି ପଚାରିଲାନି । ଘନ ପାଖରେ ତା ମା ରହିଲା ।

ବାହାଘର ପରେ ଘନର ଆଉ ଇଛା ହେଲାନି ସ୍ତ୍ରୀ କୁ ଛାଡି ଦୂରରେ ରହିବାକୁ । ଭାବିଲା ଚାଷ ସମ୍ଭାଳିବ ଘରେ ରହିବ । ଦୁଇ ତିନି ବର୍ଷ ଦେଖିଲା କିଛି ଲାଭ ନାହିଁ । ବହୁତ କ୍ଷତି । ବର୍ଷ ଶେଷକୁ ବଞ୍ଚିଲା ଡାଲି ଚାଉଳ ଗଣ୍ଡାକ ଖାଇବା ପାଇଁ । ଆଉ କୋଉ କୋଉ ବର୍ଷ ଠିଆଁ ମରୁଡି । ଏଥର ଚାଷ ରୁ ମନ ହଟିଗଲା । ବିଲ ଭାଗ କୁ ଲଗେଇ ଦେଇ ସେ ଗୋଟିଏ ଧାନ ମଣ୍ଡିରେ ରହି ଧାନ ବସ୍ତା ବୋହିଲା ଗାଡିରୁ । ଦିନକୁ ଚାରି ଶହ । କିଛି ଖରାପ ନୁହଁ ଏତେ ଭଲ ବି ନୁହଁ , ଗଧ ଖଟଣି ।

ୟା ଭିତରେ ଘନଶ୍ୟାମ ର ତିନୋଟି ଝିଅ ହୋଇ ସାରିଲେଣି । ତିନୋଟି ପିଲାଙ୍କୁ ଖାଦ୍ୟ କପଡା ଶିକ୍ଷା ଦେଇ ଟିକେ ଡାଗର କଲା ବେଳକୁ ପୁଣି ସାନ ଝିଅର ଜନ୍ମ । ଘନ ର ଆଶା ଥିଲା ସାନ ଛୁଆ ଟା ବୋଧେ ପୁଅ ହେବ , କିନ୍ତୁ ହେଲାନି ।

ଘନ ର ଆଉ ଆଣ୍ଟ ପାଇଲାନି ଏ ତେଲ ଲୁଣ ଶାଗ ପଖାଳ ସଂସାର ରେ । ସେତିକି ରେ ରୋକିଲା । ନିଜକୁ ମିଶେଇ ୫ ଟା ମଣିଷ କୁ ପୋଷିବାକୁ ତା ହାଲତ୍ ଖରାପ ହୋଇଗଲା ଆଉ ପୁଅ ଲୋଭ ରଖିବ କୋଉ ସୁଖରେ ?

୮୫ କିଲୋ ର ମଣିଷ ଟା ୫ ଟା ମଣିଷ ଙ୍କ ପାଇଁ ସରି ସରି କେତେବେଳେ ଯେ ୫୫ କିଲୋ ହୋଇଗଲା ସେ ନିଜେ ବି ଜାଣି ପାରିଲାନି । ସମସ୍ତ ଙ୍କୁ ତ ଦେଖୁ ଦେଖୁ ଅଣ୍ଟା ସଳଖି ବାକୁ ବେଳ ନାହିଁ ନିଜକୁ ବା ଦେଖିବ କେତେବେଳେ ?


ବଡ ଝିଅ ସୁଦିପା କୁ ୨୧ ଡେଇଁଲାଣି । ଏ ବର୍ଷ ଘନଶ୍ୟାମ ଲାଗିଛି ଯେମିତି ହେଲେ ବାହାଘର କରିଦେବ । ବାହାଘର ପାଇଁ ଟାଣି ଓଟାରି କିଛି ପଇସା ରଖିଛି । ଯାହାବି ହେଲେ ଝିଅ ବିଦା କରିବାକୁ ପଡ଼ିବ ନାଁ ?

ଘନଶ୍ୟାମ ବହୁତ ଖୁସି ଥିଲେ ସେଦିନ ।

ଯାଇହେଉ ଚାରି ଚାରି ଟା ପ୍ରସ୍ତାବ ଭାଙ୍ଗିବା ପରେ ଏବେ ଯାଇ ଗୋଟିଏ ପ୍ରସ୍ତାବ ରେ ପୁଅ ପକ୍ଷ ରାଜି ହୋଇଛନ୍ତି ।

ଝିଅକୁ ପସନ୍ଦ କରିଛନ୍ତି । ଖୁବ୍ ଶିଘ୍ର ମତ ଜଣାଇବେ ବୋଲି କହିଛନ୍ତି ଯାଇଛନ୍ତି । 

ଘନଶ୍ୟାମ ଗ୍ରାମଦେବତୀ ପାଖରେ ନାଲି ଶାଢ଼ୀ ଅରୁଆ ଖେଚେଡ଼ି ଯାଚିଦେଲା । ଯାହା ହେଉ ମାଆ ତାର ଏତେଦିନ ପରେ ଡାକ ଶୁଣିଛନ୍ତି ।

ପହରିଦିନ ସେମାନେ ଭଦ୍ରଲୋକ ସହ ଆସି ଘରେ ପହଞ୍ଚିଲେ । ପୁଅର ଭାଇ ବାପ ତା ଦାଦା । ଘନଶ୍ୟାମ ବଜାରକୁ ଯାଇ ଛେନାପୋଡ଼ , ମିକ୍ସର , ବିସ୍କୁଟ , ତେଲଭାଜି , ସିଗାରେଟ୍ ପାନ ସାଧାମସଲା ଏ ସବୁ ଜିନିଷ ଆଣି ଯୋଗାଡି ଥିଲା । ପାଖ ମଧୁ ସାହୁ ଦୋକାନ ରୁ ରିମାକୁ ପଠେଇ ବଡ ଥଣ୍ଡା ଗୋଟେ ଘିନି ଆଣିଲା । ପଞ୍ଚୁ ବୋଉ ଠୁ କ୍ଷୀର ଚାରି ପାଆ ନେଇ ଆସିଥିଲା ଚା' କରିବାକୁ ।

ସେମାନେ ଆସୁ ଆସୁ ପାଣି ଢାଳ ବଢ଼େଇ ଦେଲା ଗୋଡ଼ ଧୋଇବାକୁ । ଥଣ୍ଡା ଚାହା ଜଳଖିଆ ପରେ ଝିଅକୁ ଡକାଗଲା । ସୁଦିପା ରଙ୍ଗ ନୂଆଉ ଘରେ ସଜପଟା ହୋଇ ବସିଥିଲା ।

 ଘନଶ୍ୟାମ ଗାଁ ରୁ ମୁରବୀ ଶ୍ରେଣୀ ର ଦୁଇ ଜଣ କୁ ଡାକିଥିଲା । ମୁରଲୀ ମାଷ୍ଟ୍ରେ ଆଉ ରଘୁ ଅଜା କୁ ।

ସୁଦିପା ଆସି ହାତ ଯୋଡ଼ି ପ୍ରଥମେ ପ୍ରଣାମ କଲା । ପୁଅର ବାପ କହିଲେ - ବସ୍ ମାଆ ' ।

ସୁଦିପା ବସିଲା ଚେୟାର ରେ ମୁହଁ ତଳକୁ କରି ।

ପଚାରିଲେ ପୁଅର ଦାଦା - ' ଭଲ ନାଁ କ'ଣ ?

ସୁଦିପା ଧିର ସ୍ବରରେ ଉତ୍ତର ଦେଲା - ' ସୌଭାଗ୍ୟବତୀ '

 

- - ' ଆରେ ବାଃ ଭଲ ନାଁ ଟିଏ । ଆଉ କୋଉ ଯାଏଁ ପଢିଲ ? '

-- ' ଗ୍ରାଜୁଏସନ ଶେଷ କରିଛି '

- ' ଆଉ କ'ଣ ସବୁ ଶିଖିଛ ମାଆ ଘରକରଣା ? '

--" ଆଜ୍ଞା ଟ୍ରେଲରିଂ ଶିଖିଛି '

ପୁଅର ବାପ ଟ୍ରେଲର ମେସିନ୍ ଆଉ କପଡା ପଟା ଦେଖି ପଚାରିଲେ - ' ଓଃ ଝିଅ ମାନଙ୍କ ଡ୍ରେସ୍ ସବୁ ତିଆରି କରୁଛ ତେବେ ?'

- ' ଆଜ୍ଞା '

ଘନଶ୍ୟାମ କହିଲେ -' ଘରେ ଖାଲିଟାରେ ବସିବ କାଇଁ ଶିଖିଲା ।'

ପୁଅର ବାପ ପୁଣି କହିଲେ

- ' ମାଆରେ , ତିନିପୁଅ ମୋର , ଝିଅ ବାହା ହୋଇ ସାରିଛି । ମୋ ବଡ଼ ପୁଅ ଆଉ ତୋ ଦୁଇ ଦିଅର ଙ୍କ ଅଳି ଅଝଟ ସହି ସମ୍ଭାଳି ଚଳି ପାରିଲେ ହେଲା ।

ସୁଦିପା ଟିକେ ଚାଲାକି ହୋଇ ଉତ୍ତର ଦେଲା - ' ଆପଣଙ୍କ ଆଶୀର୍ବାଦ ରହିଲେ ସବୁ ସମ୍ଭବ ହେବ ।'

ପୁଅର ବାପା ଙ୍କ ମୁହଁ ପ୍ରଶନ୍ନ ଦେଖାଗଲା । ପୁଣି ପଚାରିଲେ - ' ତମର କିଛି ଯଦି କହିବାର ଅଛି କୁହ ଭୟ ସଂକୋଚ କରନି ।

- ' ନାଇଁ ଆଜ୍ଞା କିଛି ନାଇଁ '

ପୁଅର ବାପ ସୁଦିପା ହାତକୁ ପାଁସ ଟଙ୍କା ବଢେଇ ଦେଇ କହିଲେ - ନେ ମା '

ସୁଦିପା ନେଉନଥିଲା , ଘନଶ୍ୟାମ ଠାରିକି ଝିଅକୁ କହିଲେ - ' ନେ ମା ମନା କରନ୍ତିନି । ସୁଦିପା ନେଲା ।

- " ହଉ ମାଆ ଏଥର ଯାଅ ।"

ସୁଦିପା ପୁଣି ଚାଲିଗଲା ରଙ୍ଗ ନୁଆଉ ଘରକୁ ସାନ ଭଉଣୀ ରିମା ସାଙ୍ଗରେ ।

ପୁଅ ର ବାପା ଏଥର କହିଲେ - ' ଝିଅ ପସନ୍ଦ ଆସିଛି ଆମର ।

- ' ଏମାନେ ସବୁ ? '

ଘନଶ୍ୟାମ ଠାରିଲେ ଦୁଇ ଝିଅଙ୍କୁ , ସିମା ମଧୁଲିତା ଆସି ପ୍ରଣାମ କଲେ ।

ଘନଶ୍ୟାମ କହିଲା - ଏ ଦୁଇ ଝିଅ , ଆଉ ଜଣେ ବଡ଼ ଝିଅ ସହିତ ଯେ ଗଲା ସେ '

- ' କୋଉଥିରେ ସବୁ ପଢୁଛନ୍ତି ? '

- " ବଡ ତଳେ ଯେ ସେ ଦି' ବର୍ଷ ହେଲା କଲେଜ ଯାଉଛି ।

ଏ ସିମା ଏ ବର୍ଷ ମେଟ୍ରିକ ପରୀକ୍ଷା ଦେଇଛି ଆଉ ସାନ ଟା ଅଷ୍ଟମ ରେ ପଢୁଛି । "

- " ଭଲ କଥା , ଠିକ୍ ଅଛି ଭାଇ ଆମେ ଘରେ କଥା ହୋଇ ଜଣାଇବୁ । "

ଘନଶ୍ୟାମ ଖୁସି ହେଲା । ହସ ହସ ମୁହଁରେ ବିଦାୟ ଦେଲା , ଗଲା ବେଳେ ପୁଣି ଚାହା ପାନ ସିଗାରେଟ୍‌ ଯାଚିଲା

। ଚାହା କେହି ପିଇଲେନି ପାନ ସିଗାରେଟ୍ ନେଇ ଗଲେ ।

ଦିନ ଗଡୁଥାଏ ଘନଶ୍ୟାମ ସେମାନଙ୍କ ଫୋନ୍ କୁ ଅପେକ୍ଷା କରିଥାଏ । ସେପଟରୁ ଫୋନ୍ ଆସିନି ଚାରିଦିନ ହୋଇଗଲା ଘନଶ୍ୟାମ ଚିନ୍ତିତ ।

ଭଦ୍ରଲୋକି କୁ ଫୋନ୍ ପରେ ଫୋନ୍ କରି ପଚାରୁଛନ୍ତି

- ' କ'ଣ ହେଲା ଏ ପର୍ଯ୍ୟନ୍ତ କିଛି ଉତ୍ତର ଆସିଲାନି ଯେ ? '

ଭଦ୍ରଲୋକି ର ପ୍ରତିଥର ଗୋଟିଏ ଉତ୍ତର - ' ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କଥା କହିନାହାନ୍ତି ସମୟ ମାଗିଛନ୍ତି ।

- " ଆଉ କେତେ ଦିନ ଯେ ?

ଘନଶ୍ୟାମ ନିରାଶ ହେଲେ ।

ପନ୍ଦର ଦିନ ପରେ ଭଦ୍ରଲୋକି କହିଲା - ' ଆରେ ଘନ ଭାଇ , ସେମାନେ କହୁଛନ୍ତି ଖାଲି ଝିଅ ଚାରିଟା , ପୁଅ ଟେ ନାହିଁ ଯଦି ପୁଅ ଗୋଟେ ଥାଆନ୍ତା ତେବେ ସେ ବାହାଘର କରିଥାନ୍ତେ । ତାଙ୍କ ର ଘର ଦ୍ବାର ପରିବେଶ ଠିଁ କିଛି କଥା ନାହିଁ ।

କ'ଣ କରିବା କହୁନା ଘନ ଭାଇ ଏ ଅଜବ ଲୋକକୁ ? '

ଘନଶ୍ୟାମ ମୁଣ୍ଡ ରେ ବଜ୍ର ପଡ଼ିଲା , ତାଙ୍କ ର ପୁଅ ନାହିଁ ବୋଲି ତାଙ୍କ ପୁଅ ବାହା ଦେବେନି । ଏ କି କଥା , ଆମ ପୁଅ ଥିଲେ କ'ଣ ତାଙ୍କ ଘର ସମ୍ଭାଳି ଥାଆନ୍ତା ନା ଭେଣେଇ କି ମୁଣ୍ଡେଇ ବୁଲି ଥାଆନ୍ତା । ଅଜବ ଲୋକ ।

ସୁଲୋଚନା ମୁହଁ କୁ ଚାହିଁ କହିଲେ - " ଆମ ଭାଗ୍ୟ ତ ଖରାପ ଆମେ ଚାରି ଚାରି ଟା ଝିଅ ର ବାପ ମା ଯେତେବେଳେ ହୋଇଛୁ "

ସୁଦିପା ର ମନ ଭାଙ୍ଗି ଗଲାଣି ସେମାନଙ୍କ ସାମ୍ନାରେ ବାରମ୍ବାର ସାକ୍ଷାତକାର ରେ ବସି ବସି ।

ତାକୁ ଲାଗୁଛି ଯେମିତି ହାଟ ମଝିରେ ପରିବା ମୂଲଚାଲ ହେଲା ପରି ତାର ଏଠି ଥରକୁ ଥର ମୂଲଚାଲ ହେଉଛି ।

ଗ୍ରାହକ ଯେମିତି ଭଲ ମନ୍ଦ ପଚାରି ଭଲକି ପରଖି ପରିବା ନିଏ । କ'ଣ ପୋକରା ନୁହେଁ ତ ? ସଜ ତାଜା ପରିବା ତ ?

ଏତେ କ'ଣ କହୁଛନ୍ତି ଆଉ ଟିକେ ଦର କମାନ୍ତୁ । କୋଡ଼ିଏ କ'ଣ ପନ୍ଦର ନେଉ ନାହାନ୍ତି ?


କିନ୍ତୁ ଏଠି ଫରକ୍ ଏତିକି ପରିବା କିଣିବା ଲୋକେ ପଇସା ଦେଇ ପରିବା ନିଏ ଆଉ ଏଠି ଝିଅକୁ ଦେଖୁଥିବା ବାପ କୁ ପଇସା ଦେଇ ସନ୍ତୁଷ୍ଟ କରିବାକୁ ପଡେ । ସୁଦିପା କୁ ଲାଗେ ଯେମିତି ଏଇ ଯୌତୁକ ଟଙ୍କା କୁ ହିଁ ସେମାନେ ଚାହିଁ ବସିଛନ୍ତି , ନହେଲେ ନ ଚଳେ । ଏଇ ଟଙ୍କା ନଦେଲେ ଯେମିତି ତାଙ୍କ ର ବାହାଘର ଅଟକି ଯିବ । ଭୋଜି ଡେକୋରେସନ ଖର୍ଚ୍ଚ ଏଇଥିରୁ ହିଁ ସେମାନେ ଉଠେଇବେ ।

 ସୁଦିପା ମନେମନେ ବହୁତ ଚିଡିଯାଏ ସେମାନଙ୍କୁ ଦେଖି ଇଛା ହୁଏ ମୁଣ୍ଡ ତଳକୁ ନକରି ସିଧା ଯାଇ ବସନ୍ତା ସେମାନଙ୍କ ସାମ୍ନାରେ । ସିଧା ମୁହଁ କୁ ଚାହିଁ ପଚାରନ୍ତା


- ' ମୋ ବାପା ଙ୍କ ସାମର୍ଥ୍ୟ ଅଛି କୋଡ଼ିଏ ହଜାର ଟଙ୍କା ଆଉ ପୁଅ କୁ ଚେନ୍ ମୁଦି , ଆଉ ସର୍ବନିମ୍ନ ଆସବାବ ସାମଗ୍ରୀ। ୟା ବ୍ୟତୀତ ଆଉ ଅଧିକ କିଛି ଦେଇ ପାରିବେନି ସେ । ଯଦି ରାଜି ତେବେ କଥା ଆଗକୁ ବଢାନ୍ତୁ ନହେଲେ ଚା ଜଳଖିଆ ଖାଇ ଚୁପଚାପ୍ ଯାଆନ୍ତୁ , ମିଛ ପ୍ରତିଶ୍ରୁତି ଛଳନା ପୂର୍ଣ୍ଣ କଥା କହିବା କିଛି ଆବଶ୍ୟକ ନାହିଁ । ତୁମ ମାନଙ୍କ ପରି ବହୁତ ଅଭିନେତା ଦେଖି ସାରିଲୁଣି ଆମେ ।

କିଛି ଦିନ ପୂର୍ବର କଥା ସେଦିନ ତା ବୋଉ ସାଙ୍ଗରେ ସୁଦିପା ଝଗଡ଼ା କରିଦେଇଥିଲା କିଛି କଥାକୁ ନେଇ ତା ମୁଣ୍ଡ ଟିକେ ଗରମ ଥିଲା ।

ଆଉ ଜଣେ ପୁଅର ବାପ ଫୋନ୍ କରିଥିଲେ ଘନଶ୍ୟାମ କଥା ହେଉଥିଲେ ।

ସେପଟରୁ - " ସମୁଦୀ ପଇସା ପତ୍ର କଥା କ'ଣ ଟିକେ କରୁନାହାନ୍ତି । ଆଜିକା ଯା ବେଳ କାଳ ଛାଡ଼ନ୍ତୁ ଖୋଲି କହିଦେଉଛି , ଆମକୁ ଷାଠିଏ ହଜାର ଟଙ୍କା ଆଉ ପୁଅକୁ ଚେନ୍ ମୁଦି ଦେଇ ଦିଅ ଆଉ ଆସବାବ ତ ଯାହା ଦେବା କଥା ଦେବ ଆମର ଏତିକି କଥା ଆଉ  କିଛି କଥା ନାହିଁ ।

ଜବାବ୍ ଦେଲେ କଥା ଆଗକୁ ବଢ଼ାଇବା ।

ଘନଶ୍ୟାମ ନେହୁରା ହେଲା - ' ଆସବାବ ଚେନ୍ ମୁଦି କଥା ଠିକ୍ ଅଛି ,ହେଲେ  ସମୁଦୀ କୋଡ଼ିଏ ହଜାର ରୁ ଆଉ ଅଧିକ ମୁଁ ପାରିବିନି । ପୁଣି ମୋତେ ଗାଁ ଭୋଜି ଦେବାକୁ ପଡ଼ିବ ନାଁ ନାହିଁ ? ଆମ ଜାଗାରେ ରହି ଆମ ପରିସ୍ଥିତି କୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ସମୁଦି । ଆପଣଙ୍କ ଝିଅ ଯଦି ହୋଇଥାନ୍ତା ତେବେ କ'ଣ ଏମିତି ....... ।

ସେପଟର ନରମ କଣ୍ଠ ସ୍ବର ସାଙ୍ଗେ ସାଙ୍ଗେ କଠୋର ହୋଇଗଲା - ' ହଉ ରଖୁଛି , ଆପଣ ଅନ୍ୟ ଯାଗା ଦେଖନ୍ତୁ । ଯଦି ଷାଠିଏ ସ୍ଥିର ହୁଏ ତେବେ ଫୋନ୍ କରିବ ନହେଲେ ଆପଣଙ୍କ ରାସ୍ତା ଆପଣ ଦେଖନ୍ତୁ '


ଘନଶ୍ୟାମ କୁ କଲ୍ ଟି କାଟିବାକୁ ପଡିଲାନି ସେପଟୁ କଟି ଯାଇଥିଲା ।  ସୁଦିପା ର ଇଛା ହେଉଥିଲା କଲ୍ ଟି କଟିବା

ପୂର୍ବରୁ ବାପାଙ୍କ ହାତରୁ ଫୋନ୍ ଟି ଛଡେଇ ନେଇ ଏତକ ଝାଡି ଦେବାକୁ

-' ଷାଠିଏ ନୁହେଁ ଅଶି ହଜାର ଦେବୁ ଆଉ ଯାହା ଯାହା କହିବେ ସବୁ ଦେବୁ । ଆଛା କହିଲେ ଆପଣ ଆମକୁ କ'ଣ ଦେବେ ? କିଛି ଦେବେନି ? ଓହୋ ଆପଣ ତେବେ ଏତେ ଅଭାବି ସଂସାର? ଆମ ଟଙ୍କା ନନେଲେ ବୋଧେ ଆପଣଙ୍କ ବାହାଘର ଅଟକିଯିବ ? ଗୋଟେ ଗରିବ ବାପା ଚାରି ଚାରିଟା ଝିଅକୁ କେମିତି ବଢେଇ ମଣିଷ କରିଛି , କେମିତି ପରିସ୍ଥିତି ରେ ଟଙ୍କା ଯୋଗାଡୁଛି ବାହାଘର ପାଇଁ , ସେଗୁଡା କିଛି ବୁଝିବା ଦରକାର ନାହିଁ ଆପଣଙ୍କ ର । ଆପଣଙ୍କ ର ଖାଲି ଟଙ୍କା ହିଁ ଦରକାର । ମୋର ବାହା ହେବାର ଆବଶ୍ୟକ ନାହିଁ ଆପଣଙ୍କ ପରି ଅର୍ଥ ଲୋଭୀ ପରିବାର ରେ । "

ଭାବିଲା ପୁଣି ଫୋନ୍ କରି କହିବ ସେ ଲୋକଟା କୁ ହେଲେ ପାରିଲାନି , ଖାଲି ବାପା ଙ୍କ ମୁହଁ କୁ ଚାହିଁ ଅତି କଷ୍ଟ ରେ ନିଜକୁ ନିୟନ୍ତ୍ରଣ ରେ ରଖିଥିଲା ଦାନ୍ତ କାମୁଡି ।

ତଥାପି ଫୋନ୍ କାଟିବା ପରେ ବହୁତ ସାରା ଗର ଗର ହେଲା ସେମାନଙ୍କ ଉପରେ ।

ଘନଶ୍ୟାମ ବୁଝାଇଲେ ଝିଅକୁ - ' ଆରେ ମା' ସେମାନେ ପରା ପୁଅ ଘର । ଚାପୁଡାଏ ମାରିଲେ ବି ଆମେ ସହିଯିବା କଥା । ଆମେ ବା ଝିଅ ଘର , ସେମାନଙ୍କୁ ସନ୍ତୁଷ୍ଟ କରି ଯେନତେନ ପ୍ରକାରେ ରାଜି କରାଇବା ଆମ କର୍ତ୍ତବ୍ୟ ।

ସୁଦିପା ବାପା ଙ୍କ କଥାର କ'ଣ ଉତ୍ତର ଦେବ କିଛି ବୁଝି ପାରୁନଥିଲା । ଭାବିଲା , ଗରିବ ଘରେ ଝିଅ ଜନ୍ମ ହେବା ଯେମିତି ଗୋଟେ ଅଭିଶାପ ।

ରାତିରେ ଶୋଇଲା ବେଳେ ଭାବୁଥିଲା ଏଇ ତିନି ସାନ ଭଉଣୀ ଙ୍କ ମୁହଁ କୁ ଚାହିଁ ସେ ସଂପର୍କ ର ପ୍ରେମ କୁ ଏଡାଇ ଦେଇଥିଲା ‌ । ନହେଲେ ସେ ଏତେ ବେଳକୁ ଗୋଟେ ଛୁଆ ମୁହଁ ରୁ ମାମା ଡାକ ସୁଣି ସାରନ୍ତାଣି ।

ରାଗ ଆସୁଥିଲା ବାପା ଙ୍କ ଉପରେ ।

ଏ କଣ ଜାଣିନଥିଲେ ଗରିବ ପରିବାର । କ'ଣ ଦରକାର ଥିଲା ଚାରି ଚାରିଟା ଝିଅ ଜନ୍ମ କରିବା ? ସେତେବେଳେ କ'ଣ ଚିନ୍ତା ନଥିଲା ତାଙ୍କୁ ମଣିଷ କରି ପୁଣି ପର ଘରକୁ ବିଦା କରିବାକୁ ପଡିବ ବୋଲି ?

ଘନଶ୍ୟାମ ଭାବୁଥିଲେ ସବୁ ଏଠି ଟଙ୍କା ପାଖରେ କଥା ଅଟକୁଛି । ଆଉ କୋଉଠୁ ବା ଧାର କରଜ କରିବେ ? ସବୁ ଆଡ଼େ ଏବେ ତ ହାତ ଉଧାରି ।

ସୁଦିପା ଆଖି ଛଳ ଛଳ କରି ଭାବୁଛି , ତା ବାପା ବୋଧେ କୋଉ ଜନ୍ମ ରେ କୋଉ ପାପ କରିଥିଲେ କେଜାଣି ଏ ଜନ୍ମରେ ତାଙ୍କୁ ଏ ଦଣ୍ଡ ମିଳୁଛି ।


Rate this content
Log in

Similar oriya story from Drama