Baman Chandra Dixit

Drama Others

2.5  

Baman Chandra Dixit

Drama Others

ନିର୍ମମ ନିଦାଘ

ନିର୍ମମ ନିଦାଘ

3 mins
434


ଟେବୁଲ ଉପରେ ଥୁଆ ହୋଇ ଥାଏ ମୋର ପ୍ରିୟ ସବୁଜ ରଙ୍ଗର ଡକ୍ଟର ପେନ-ଦେଖୁଥାଏ ମୋ ଆଡ଼କୁ। ତୀର୍ଯ୍ୟକ ଦୃଷ୍ଟି ତାର ଧସେଇ ପସି ଯାଉଥାଏ ବର୍ତ୍ତମାନର ଆଭରଣ ଭେଦି ଅତୀତର ଇଲାକା ଭିତରକୁ। ଏପ୍ରିଲ ମାସ ର ଗରମ ବିନ୍ଦୁ ବିନ୍ଦୁ ହୋଇ ଝରି ପଡୁଥାଏ କପାଳରୁ , କାଖ ତଳୁ, ପିଠି ଶିରା ଦେଇ । ଅଧା ଭିଜା ଗେଞ୍ଜି ରେ ମିଶି ଯାଉଥାନ୍ତି କିଛି, ଗରମ ପବନ ବି ବେଳେ ବେଳେ ଥଣ୍ଡା ଥଣ୍ଡା ଲାଗୁଥାଏ, ଚହଲେଇ ଦେଉଥାଏ ଛାତି ଭିତରର ଆବେଗ ଭରା ମନଟାକୁ, ଉଦ୍ବେଳିତ ହୋଇ ଯାଉଥାଏ ଅନ୍ତରାତ୍ମା । ଛାତି ଭିତରର ପବନ ସବୁ ଅଚାନକ ସକ୍ରିୟ ହେଲାପରି ଲାଗୁଥାଏ,ବୋଧ ହେଉଥିଲା ପବନ ସମସ୍ତ ଏକା ସାଙ୍ଗରେ ମୁକ୍ତି ଖୋଜୁଛନ୍ତି ଅବା,ବାହାରି ଯିବା ପାଇଁ ଚାହୁଁଛନ୍ତି ଖାଲି କରି ଫୁସଫୁସକୁ ଏକ ଦୀର୍ଘ ଶ୍ବାସ ହୋଇ । ଯେଉଁଥିରେ ଶବ୍ଦ ଶୁନ୍ୟ,କରୁନ୍ୟତା ହୀନ କୋହ ମାନଙ୍କର ଜଡ଼ିଭୁତ ଉପସ୍ଥିତି ମାତ୍ର,ଏବଂ ଭିଡି ନେଉଥାଏ ମୋତେ ପଛକୁ ପଛକୁ ବହୁ...ତ ପଛକୁ, ଆହୁରି ପଛକୁ ।

ସେଦିନ ବି ଏହି ଏପ୍ରିଲ ମାସର ଲହ ଲହ ଜଳନ୍ତା ସୂର୍ଯ୍ୟ,ଡହ ଡହ ଗରମ ପବନ ଫିଙ୍ଗୁ ଥିଲା ଦେହ ମୁହଁ ଉପରକୁ । ୧୯୭୯ମସିହା ଏପ୍ରିଲ ୧୧ ତାରିଖ, ମୋର ମ୍ୟାଟ୍ରିକ୍ୟୁଲେଶନ ପରୀକ୍ଷାର ଠିକ ୧୧ ଦିନ ପୂର୍ବର ତାରିଖ ଲେଖି ଗଲା ମୋ ଜୀବନ ପୃଷ୍ଠାରେ ଏକ ଅବିସ୍ମରଣୀୟ ଅଧ୍ୟାୟ।

ଏକ ବହୁତ ଦୟନୀୟ ପରିସ୍ଥିତି ଯେଉଁଠି କେହି ନଥିଲେ ଶୁଣିବାକୁ ମାତ୍ର ଶୁଣେଇବାକୁ ଥିଲା ବହୁତ କିଛି,କହିବାକୁ ଚାହୁଁଥିଲେ ଅନ୍ତିମ ଶବ୍ଦ ମାନେ, ଅସ୍ପଷ୍ଟ ଆର୍ତ୍ତ ଚିତ୍କାର ଅନେକ,ନିଃଶବ୍ଦ ପ୍ରାୟ ଲୀନ ହୋଇ ଯାଉଥିଲେ ଗରମ ଝାଂଜି ପବନର ସଁ...ସଁ.... ଶବ୍ଦ ଭିତରେ । ମରଣାପନ୍ନ ପ୍ରାଣ ବାୟୁ ନାସା ରନ୍ଧ୍ର ଛୁଇଁ ଫେରି ଯାଉଥିଲେ।ଅତ୍ୟନ୍ତ କଷ୍ଟଦାୟକ ସେ ଅନୁଭୂତି, ନିଃଶ୍ବାସ ନେବା ବି ଅତ୍ୟନ୍ତ ପିଡ଼ାଦାୟୀ! ଉଃ.. କି ଯନ୍ତ୍ରଣା,କି ବେଦନା ସେ ! ଚିନ୍ତା କଲେ ଆଜିବି ଛାତି ଫାଟି ଗଲା ପରି ଲାଗୁଛି।ନୀୟତି ର ନିର୍ଦ୍ଧାରିତ ମୁହୂର୍ତ୍ତ ସେ,କ୍ରୁର ପ୍ରହାର ତାର କ୍ରମଶଃ ଅସହ୍ୟ ହେଉଥାଏ । ଅନ୍ତିମ ଶ୍ବାସ କୁ ଚାପି ଧରି ଆତ୍ମୀୟ ସ୍ଵଜନ ନିଜ ପତ୍ନୀ ପୁତ୍ର ପରିବାରକୁ ଶେଷ ଥର ଦେଖିବାର ଅଦମ୍ୟ ଇଚ୍ଛା ନେଇ ରିକ୍ସାରେ ଅର୍ଦ୍ଧ ମୃତ ଏକ ଶରୀର ଆଗେଇ ଚାଲିଥାଏ ସାଳନ୍ଦୀ ନଈ ବନ୍ଧରେ ଭଦ୍ରଖରୁ ଓଲଙ୍ଗ ପାର କରି ଦୈସିଂ ମୌଜା ଆଡକୁ।ପ୍ରଚଣ୍ଡ ଇଚ୍ଛାଶକ୍ତି ରାସ୍ତା ଅଟକେଇ ଠିଆ ହୋଇଥାଏ ଅବଶ୍ୟମ୍ଭାବି ଆସନ୍ନ ମୃତ୍ୟୁର । ମୋ ବାପା...ଅସୁସ୍ଥ ବାପା ମୋର, ଭଦ୍ରଖରୁ   ଡାକ୍ତର ଦେଖେଇ ଫେରୁଥାନ୍ତି । ପ୍ରଚଣ୍ଡ ଖରା ସାଙ୍ଗକୁ ଝାଂଜି ପବନ ଦାଉ ସାଧିଲା । ଡକ୍ଟର ଅମରଙ୍କର ହାଇ ପାୱାର ମେଡ଼ିସିନର ରିଏକ୍ସନ ବି ହୋଇ ପାରେ, ତଥାପି ସେ ଆଗେଇ ଚାଲିଥାନ୍ତି ମୃତ୍ୟୁ ପଥ ର ଅନ୍ତିମ ପାହୁଣ୍ଡ ପର୍ଯ୍ୟନ୍ତ।ଦଇବ ର ବିଡମ୍ବନା ! ରିକ୍ସାର ଟାୟାର ପଂଚର ହୋଇ ଗଲା।ରିକ୍ସା ଟାଣି ଟାଣି ବିଚରା ରିକ୍ସା ଵାଲା ଅଧାମରା । ହଠାତ ତାର ନଜର ପଡିଲା ଅର୍ଦ୍ଧ ମୃତ ଅବା ଅର୍ଦ୍ଧ ଜୀବିତ ସେ ଅସହାୟ ଶରୀର ଉପରେ । ସେତେବେଳକୁ ଚଢ଼େୟା ଗାଁ ଆସି ଯାଇଥାଏ । ମୋ ସାନ ନାନୀର ଘର ସେଇଠି।ନଈ ବନ୍ଧରୁ ଡାକିଲେ ଶୁଭିବ।ଅଣ ନିଶ୍ବାସୀଆ ହୋଇ ଧାଇଁଲା ରିକ୍ସାବାଲା,ନାନୀ କୁ ଖବର ଦେଲା ସେ ବାପାଙ୍କ ଅବସ୍ଥା ବିଷୟରେ ।କାନ୍ଦି କାନ୍ଦି ଦୌଡୁଥାଏ ନାନୀ । ରିକ୍ସାରେ ବାପାଙ୍କର ଅବସ୍ଥା ଦେଖି ହୋସ ଉଡ଼ି ଗଲା ତାର।ପାଣି ପିଆଇବାର ଚେଷ୍ଟା ବିଫଳ ପ୍ରାୟ।ଜଡ଼ିଭୁତ ତୁଣ୍ଡ ଅନେକ କିଛି କହିବାକୁ ଚାହୁଁଥାଏ,ଅପଲକ ଆଖି ଦିଟା ଦେଖୁଥାନ୍ତି କେବଳ ।ଜକେଇ ଆସୁଥିବା ଲୁହ ବି ଗଡ଼ି ପାରୁନଥାଏ।ସାମାନ୍ୟ ସ୍ପନ୍ଦନ ଅନୁଭୂତ ହେଉଥାଏ ହାତ ଆଙ୍ଗୁଳି ମାନଙ୍କରେ,ହୃଦୟର ଗତି ସ୍ଥିର ପ୍ରାୟ।କାନ୍ଦ ବୋବାଳି ଭିତରେ ଆମ ଗାଁ ରେ ପହଞ୍ଚିଲା ମୋ ବାପାଙ୍କର ମୃତପ୍ରାୟ ଶରୀର।

ହୃଦୟ ବିଦାରକ ସେ ଦୃଶ୍ୟ ଘୁରି ବୁଲୁଥାନ୍ତି ମୋ ଆଖି ସାମ୍ନାରେ,ମନ ଗହନରେ ଏବଂ ସ୍ପନ୍ଦିତ ହେଉ ଥାଏ ମୋ ଶ୍ବାସ ରନ୍ଧ୍ର ଦେଇ ଘନ ଘନ।ଗେଞ୍ଜିଟା ପୁରା ଭିଜି ଯାଇଥାଏ, ଦେହକୁ ଜାବୁଡି ଧରିଥାଏ ମୋର ,ସାନ୍ତ୍ୱନା ଦେଉଥିଲା ଅବା କେହି ପରମ ଆତ୍ମୀୟ ପରି । ମେଞ୍ଚେ ଗରମ ପବନ ଖୋଲା ଝରକା ଦେଇ ପଶି ଆସିଲା ଭିତରକୁ, ଚହଲେଇ ଦେଇଗଲା ମୋ ସାରା ଶରୀରକୁ ଏବଂ କନ୍ଦେଇ ଦେଲା ମୋ ମନକୁ ଏତେ ଦିନ ବିତିଗଲା ପରେ ବି।କାନ ରେ ଶତ ସହଶ୍ର ହାତୁଡି ର ପ୍ରହାର ପ୍ରାୟ ଶବ୍ଦାୟମାନ ହେଉଥାଏ ସେ ବୁକୁଫଟା ଚିତ୍କାର ମୋ ମା'ର।  ସେଦିନର ସେ ନିର୍ମମ ନିଦାଘ ଦି'ପହରରେବି ଏହି ସବୁଜ ଡକ୍ଟର କଲମଟା ମୋ ହାତର ତିନି ଆଙ୍ଗୁଳି ମଝିରେ ଚିପି ହୋଇ ଲୁହ ଝରାଉ ଥିଲା ମୋ ବାପାଙ୍କର ମଲା ଆଖିର ଅଧାଝରା ଲୁହ ପରି।


Rate this content
Log in

Similar oriya story from Drama