STORYMIRROR

Golak Bihari Sahoo

Children

3  

Golak Bihari Sahoo

Children

ନିଜେ ନିଜକୁ ପଚାର

ନିଜେ ନିଜକୁ ପଚାର

3 mins
14.8K


ନିଜେ ନିଜକୁ ପଚାର

          ଦନେଇ ମାଷ୍ଟ୍ରେ ଖନେଇ ଖନେଇ ଗାଁ ଦାଣ୍ଡ ମଝିରେ ବନେଇଚୁନେଇ ନୀତିବାକ୍ୟ କହି ଗାଁ ଲୋକଙ୍କୁ ମନଉ ଥିବାବେଳେ, ତାଙ୍କ ପୁଅ ବନା, ସନାମା ବାଡିରେ ପଶି ଅନାବନା ଶାଗପତର ସାଙ୍ଗରେ ପନିପରିବା ଗଣ୍ଡେ କନା ଖଣ୍ଡକରେ ଗୁଡାଇ ଗାଁ ଦାଣ୍ଡରେ ଏପାଖ ସେପାଖ ଅନାଇ ଅନାଇ ଘରେ ପହଞ୍ଚିଯାଏ । ବନା ମା' ଦନେଇ ମାଷ୍ଟ୍ରଙ୍କ ସ୍ତ୍ରୀ ପୁନେଇଁ, ଡାକ ନାମ ପୁନି, ପନିକି ପକାଇ ପରିବାକୁ କାଟିକୁଟି ରୋଷେଇ କରି ପାଞ୍ଚ ତରକାରୀ ଛ' ଭଜା ଦନେଇ ମାଷ୍ଟ୍ରଙ୍କ ପାଇଁ ଯୋଗାଡ କରନ୍ତି । ତା'ପରେ ସାନପୁଅ ସୁନାକୁ ନାନାବାୟା ଗୀତ ଶୁଣାଇ ପଲଙ୍କରେ ଶୋଇ ଘୁଙ୍ଗୁଡ଼ି ଛାଡନ୍ତି। 

          ଦିନକର କଥା । ଅପନା ନାନୀଙ୍କର ବାରିବାଇଗଣ ପୋଡାରେ ମନହେବାରୁ ଦିନ ଦ୍ଵିପ୍ରହରରେ ସନାମା ବାଡିରେ ପଶି ଷଣ୍ଢ ଅଡାଉ ଅଡାଉ କେତେବେଳେ କେଜାଣି ନିଜ କାନି ପଣତରେ ଦୁଇ ଚାରୋଟି କଶି ବାଇଗଣ ଖୋସି ସୁନାପିଲାଙ୍କ ରକମ ଖସି ଆସିଲାବେଳେ ବନା ସାମ୍ନାରେ ଧରା ପଡିଗଲେ । ଅପନା ନାନୀକୁ ସନାମା ଆଗରେ ଧରାପକାଇ ନିଜର ସାଧୁତାପ୍ରମାଣ କରିବାପାଇଁ ବନା ସନାମାକୁ ଡାକିଆଣି ଅପନା ନାନୀକୁ ବକା ଖୁଆଇଲା । 'କଣ୍ଟକେନୈବ କଣ୍ଟକଂ' ନୀତିରେ ଗୋଟିଏ ଚୋର ଦ୍ଵାରା ଅନ୍ୟଚୋର ଧରାପଡିଗଲା । କିନ୍ତୁ ବନାକୁ ଲୋକେ ସନ୍ଦେହ କରନ୍ତି । ସେ ତ ଜଣେ ପୁରୁଣା ଓସ୍ତାଦ ଚୋର । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ସନାମା ବନାକୁ ଦେଖେଇ ହୋଇ କୋଡିଏ କି ଦୁଇକୋଡି ଅଭିଶାପ ବର୍ଷଣ କରେ, କଟାସମ୍ପା କରେ । ଅପନା ନାନୀ ତ କଣ୍ଟାବାଡରେ ଲୁଗାଛାଟି କଜିଆ କରିବାରେ ଧୂରନ୍ଧର । ସେ ବା କାହିଁକି ଛାଡିବ । ପଣତ କାନିକୁ ଅଣ୍ଟାରେ ବେଷ୍ଟନୀ କରି ବନା ଉପରକୁ ଝାମ୍ପିପଡି ଭୂଇଁ ରାମ୍ପୁଡିଲେ ଲଢେଇ କରିବାକୁ । ପଣେ ଦୁଇପଣ ଲୋକବାକ ଜମା ହୋଇଗଲେ ଲଢେଇ ଦେଖିବାକୁ ବିନା ଟିକଟରେ । ଆଗପଛ ଝୁଲୁଝୁଲୁ ବନାର କଛାରୁ ଦୁଇ ଚାରିଟା ପିଜୁଳି ତଳେ ପଡିବାରୁ ଲୋକେ ବାଉଲି ହୋଇ ସାଉଂଲି ଆଣି ଦେଖିଜାଣିଲେ ଏ ଧନିସାହୁ ବାଡିର ପିଜୁଳି । ଧନିସାହୁ ବୁଢା ତା'ର ଦୋକାନରେ ଏ ସୁଆଦିଆ ପିଜୁଳି ବିକେ । ପାଞ୍ଚଟାକୁ ଟଙ୍କେ ହିସାବରେ । ଧନିସାହୁ ପୁଅ ଭିକା ଦଉଡି ଆସି ବନାକୁ ଟାଙ୍କେ ଛେଚି କହିଲା-"ଆବେ ଶଲା, ତୁ ଆମ ବାରିରୁ ସବୁଦିନ ପିଜୁଳି ଚୋରି କରୁ ?" ଗାଁ ଦାଣ୍ଡରେ ନ୍ଯାୟ ନିଶାବ ବସିଲା । ଦନେଇ ମାଷ୍ଟ୍ରେ ଗାଁର ଜଣେ ମୁଖିଆ ଲୋକ । ଆସାମୀ ନିଜର ପୁଅ ବନା ଓ ଘଣ୍ଟ ବି ନିଜ ହାତରେ । ପାଞ୍ଚ ପଚିଶରେ ଜଣାଶୁଣା ନ୍ୟାୟବନ୍ତ ଦନେଇ ମାଷ୍ଟ୍ରେ ପୁତ୍ରର ଚୌର୍ଜ୍ୟବୃତ୍ତିରେ ବ୍ୟଥିତ ହୋଇ ବୁହେ ସକେଇସକେଇ ଧକେଇ ହେଲେ । ତା'ପରେ ଗାଁ ଭାଗବତ ଘରର ମରାମତି ପାଇଁ ପଚିଶ ଟଙ୍କା ଜୋରିମାନା ଦେଇ ବନାକୁ ଅର୍ଦ୍ଧଚନ୍ଦ୍ର ଦେଲେ ପୁଞ୍ଜେ କି ପାଞ୍ଚଟା । ଘରେ ଆସି ପୁଅକୁ ମନେଇ ନୀତିବାକ୍ୟ କହିଲେ ଖନେଇ ଖନେଇ ବଡପାଟି କରି ଯେପରି ସାଇପଡୋଶୀ ସଭିଏଁଙ୍କୁ ଜଣାହେବ, ଦନେଇ ମାଷ୍ଟ୍ରେ ପୁଅକୁ ମନଉଛନ୍ତି ଭଲ ମଣିଷ ହେବାକୁ । ସନାମା ବାଡିରୁ ବନା ଦ୍ବାରା ଆନୀତ ବାଇଗଣ ଭରତା ସାଙ୍ଗରେ ଦନେଇ ମାଷ୍ଟ୍ରଙ୍କ ଦ୍ବାରା ସ୍କୁଲଘରୁ ଆନୀତ ସୋଇଆବିନ୍ ତେଲରେ ଭଜା ଯାଇଥିବା କଟକୀ ପୋଟଲକୁ ପରିବେଷଣ କରି ପୁନି ଡାକିଲେ ବାପ ଓ ପୁଅ ଦୁଇଜଣକୁ ଭୋଜନ କରିବା ପାଇଁ । ବାପ ଓ ପୁଅ ଦୁଇ ଜଣ ବସି ଖାଇବା ସମୟରେ ବନା ବିଚାରା ନିଜର ପିଠି ଆଉଂସି ମାଡ ଜନିତ ଆବୁ କେତେଟାକୁ ଆବିଷ୍କାର କରୁକରୁ ମନେ ପକାଉଥିଲା, ବାପା କେମିତି ରାତିରେ ସ୍କୁଲଘର ତାଲା ଖୋଲି ସୋଇଆବିନ୍ ତେଲଟିଣକୁ ନେଇ ଆସନ୍ତି ଘରକୁ । ନେଇଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ ବୋଲି ଦନେଇ ମାଷ୍ଟ୍ରେ ବନାକୁ କେବେ କେଜାଣି ଗପ ଶୁଣାଉଥିଲେ । ବନା ଭାବୁଥିଲା, ସେ ବୋଧେ ନେଇଆଣି ଥୋଇ ନପାରିବାରୁ ଧରାପଡି ପିଠିରେ ଗୁବା ମାଡ ଖାଇ ବାବା ନାମ ପାଶୋରି ପକାଇଲା । ବାଲସୁଲଭ ଚପଳତା ନେଇ ବନା ଦନେଇ ମାଷ୍ଟ୍ରଙ୍କୁ କହିଲା- "ବାପା, ମୁଁ ଚୋରିକଲି ବୋଲି ମୋତେ ଦଣ୍ଡ ଦେଇ ପାଷାଣ୍ଡ ବୋଲି ଗାଲି ଦେଲ । ଆପଣତ ସୋଇଆବିନ୍ ତେଲ ସ୍କୁଲ ଘରୁ ନେଇଆସନ୍ତି । ସେଥିପାଇଁ ଆପଣଙ୍କ ବାପା ଆଜି ଥିଲେ ଆପଣଙ୍କୁ ନିଶ୍ଚେ ଶାସ୍ତି ବିଧାନ କରି ଅଧୀନରେ ରଖିଥାନ୍ତେ ।" ଦନେଇ ମାଷ୍ଟ୍ରେ ପୁତ୍ରର ବାଲସୁଲଭ ଉପଦେଶ ଶୁଣି ଲଜ୍ଜିତ ହୋଇ ବୁଦ୍ଧି ହଜାଇ ଅଣ୍ଡାଳି ହେଲେ ନିଜ ବିବେକକୁ ଭଣ୍ଡାଭଣ୍ଡି କରିବାକୁ ।

          ଆତ୍ମନୀରିକ୍ଷଣ ମଣିଷର ବଡଗୁଣ । ନିଜର ଦୁର୍ଗୁଣକୁ ଧ୍ୟାନ ନଦେଇ ଅନ୍ୟକୁ ନୀତିବାକ୍ୟ ଶୁଣାଇ ଭଲମଣିଷ କରିବାର ଚେଷ୍ଟା ବ୍ୟର୍ଥ ଓ ହାସ୍ୟାସ୍ପଦ । ଉତ୍ତମ ପରିବେଶ ସୃଷ୍ଟି କରିବାକୁ ହେଲେ ନିଜେ ନିଜକୁ ପଚାରିବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । 

 

==ଗୋଲକ ବିହାରୀ ସାହୁ ==

 

 

 

 

  


Rate this content
Log in

Similar oriya story from Children