STORYMIRROR

Lokanath Rath

Drama Tragedy

4  

Lokanath Rath

Drama Tragedy

ନୀରବତା କିଛି କହୁଛି

ନୀରବତା କିଛି କହୁଛି

6 mins
206


ଅଶୋକ ସ୍ୱାଇଁ ପେଷାରେ ଜଣେ ସରକାରୀ କର୍ମଚାରୀ । ନିଜ ପତ୍ନୀ ନମିତା, ପୁଅ ରଞ୍ଜନ ଓ ଝିଅ ପ୍ରଣତି ସହିତ ଖୁସିରେ ଜୀବନ କାଟୁଥିଲେ । ଅଶୋକ ବଡ଼ ଖୁସିବାସିଆ ବ୍ୟକ୍ତି । ସେ ସବୁବେଳେ କୁହନ୍ତି ଜୀବନ କୁ ଯେତେ ସରଳ ଭାବରେ ନେଇ ବଞ୍ଚିବ, ଜୀବନ ସେତିକି ସୁନ୍ଦର ହେବ । ତାଙ୍କ ସାଙ୍ଗମାନଙ୍କ ସହିତ ସବୁଦିନ ନିଶ୍ଚୟ ଘଣ୍ଟେ ଦୁଇ ଘଣ୍ଟା ଏକାଠି ବସି ସେ ସମୟ କୁ ବହୁତ ଭଲ ଭାବରେ ବିତାନ୍ତି ।


ସାଙ୍ଗ କହିଲେ ତାଙ୍କର ପିଲାଦିନର ସାଙ୍ଗ ଦିଲୀପ, ରମେଶ ଓ ପ୍ରତାପ । ସେମାନେ ସମସ୍ତେ ଭି ନିଜ ନିଜର ଅଫିସ କାମ ସାରି ଘରେ ପହଞ୍ଚି ଠିକ ସମୟରେ ଆସି ଖଟିରେ ପହଞ୍ଚି ଯାଆନ୍ତି । ସେମାନଙ୍କର ଖଟି ସେଇ ବାବୁଲା ପାନ ଦୋକାନ ରେ, ଯେଉଁଠି ପାଠ ପଢିଲା ବେଳୁ ଏକାଠି ବସୁଥିଲେ । ପାନ ଖାଇବା ଟା ବି ସେଇ ବାବୁଲା ଦୋକାନରୁ ଆରମ୍ଭ ହେଇଛି । କହିବାକୁ ଗଲେ ପ୍ରାୟ ଚାଳିଶ ବର୍ଷ ହେବ ସେହି ବାବୁଲା ଦୋକାନ ରେ ଖଟି । ଏବେ ଅଶୋକ ଓ ତାଙ୍କ ସାଙ୍ଗମାନଙ୍କୁ ପ୍ରାୟ ପଂଚାବନ ପାଖା ପାଖି ବୟସ ହେବ । ସବୁ ସାଙ୍ଗ ମାନଙ୍କର ପୁଅ ଝିଅ ବାହା ହେଇ ସାରିଲେଣି । ଅଶୋକ ଟିକେ ଡେରିରେ ବାହା ହେଇଥିଲେ । ଏବେ ତାଙ୍କ ପୁଅ ରଞ୍ଜନ ଡାକ୍ତରୀ ପାଠ ର ଶେଷ ବର୍ଷରେ । ଝିଅ ପ୍ରଣତି ର ବାହାଘର ଠିକ କରିଛନ୍ତି । ପ୍ରଣତି ଜଣେ ଯନ୍ତ୍ରୀ ଓ ତା ବାହାଘର ବି ଜଣେ ଯନ୍ତ୍ରୀ ସାଙ୍ଗରେ ହେଉଛି । ବାହାଘର ପରେ ପ୍ରଣତି ବାଙ୍ଗାଲୁର ଚାଲିଯିବ । ଜ୍ୱାଇଁ ରାକେଶ ସେଇଠି କାର୍ଯ୍ୟରତ ।  


ପ୍ରଣତି ର ବାହାଘର ବଡ଼ ଧୁମ ଧାମ ରେ ଅଶୋକ କଲେ । ସବୁ ସାଙ୍ଗମାନେ ବି ବହୁତ କାମ ରେ ତାଙ୍କୁ ସାହାଯ୍ୟ କରିଛନ୍ତି । ପ୍ରଣତି ବାହାହେଇ ବିଦା ହେଲାବେଳେ ଅଶୋକ ମୋଟେ କାନ୍ଦି ନ ଥିଲେ । ସେ ହସି ହସି ତାଙ୍କ ଝିଅକୁ ବିଦା କରିଥିଲେ । ଅନ୍ୟମାନଙ୍କୁ କହିଥିଲେ, " ଆରେ କାନ୍ଦୁଛ କାହିଁକି ?ମୋ ଝିଅ ଏକ ନୂଆ ଦାଇତ୍ୱ ନେଇଛି । ହସି ହସି ତାର ସାହାଯ୍ୟ କର । ମୁଁ ଆଜି ଖୁସି ଯେ ମୋ ଝିଅ ସେ ଦାଇତ୍ୱ କୁ ଠିକ ଭାବରେ ତୁଲାଇବ । ତେଣୁ ତାକୁ ସାହସ ଦିଅ, କାନ୍ଦ ନାହିଁ । " ସମସ୍ତେ ଅଶୋକଙ୍କ କଥା ଜାଣନ୍ତି । କେହି ବୁଝି ପାରିଲେ ନାହିଁ ସେ କଣ କହୁଛନ୍ତି । କେବଳ ତାଙ୍କ ପତ୍ନୀ ନମିତା ଓ ତାଙ୍କ ସାଙ୍ଗମାନେ ତାଙ୍କ କହିବା କଥା ବୁଝି ପାରୁଥିଲେ ।


ପ୍ରଣତି ର ବାହାଘର ସରିବା ପରେ ଅଶୋକ ତାଙ୍କ ସାଙ୍ଗମାନଙ୍କୁ ଖଟିରେ ଭେଟନ୍ତି । ଦିଲୀପ ମନ ଦୁଃଖ କରି କହେ ତାର ଏକମାତ୍ର ପୁଅ ବାହାଘର ପରେ ବୋହୂକୁ ନେଇ ଦିଲ୍ଲୀ ରେ ରହୁଛି । ପାଞ୍ଚ ଛଅ ମାସରେ ମନହେଲେ ଟିକେ କଥା ହେଉଛି । ତା ବାହାଘର କୁ ଦୁଇ ବର୍ଷ ହେଇଗଲାଣି ଥରେ ବି ସେ ଆସିନି କି ତାଙ୍କୁ ଯିବାକୁ ଡାକି ନାହିଁ । ରମେଶ ଦିଲୀପ ର କଥା ଶୁଣି କହେ ତାର ଦୁଇ ପୁଅ ଏବେ ବିଦେଶରେ । ଖାଲି ବେଳେ ବେଳେ କଥା ହୁଅନ୍ତି । ଆଜିକୁ ଚାରି ବର୍ଷ ହେଇ ଗଲାଣି ଉଭୟ ବାହା ହେଇ ସ୍ତ୍ରୀ କୁ ନେଇ ଗଲେ, ହେଲେ ଏ ବୃଦ୍ଧ ଅବସ୍ଥା ରେ ସାହା ହେବାକୁ ତାଙ୍କର କେହି ନାହିଁ । ପ୍ରତାପ ଟିକେ ମନ ଦୁଃଖ କରି କହେ ମୋର ଗୋଟିଏ ବୋଲି ପୁଅ ବାହାଘର ପରେ କଲିକତା ରେ ରହୁଛି । ଆଜିକୁ ତିନ ବର୍ଷ ହେଲାଣି ମାତ୍ର ଥରେ ସେ ଆସିଥିଲା ତା ପୁଅର ଏକୋଇଶା ପୂଜା କରି ଯାଇଛି ଯେ ଆଉ ଦେଖା ଦର୍ଶନ ନାହିଁ । ଖାଲି ମନକୁ ମାରି ଉଭୟ ବସିଛନ୍ତି ।


ଏତକ ସବୁ ଶୁଣି ଅଶୋକ କୁହନ୍ତି, " ତୁମେ ସବୁ ଶୁଣ । ପ୍ରଥମ ଭୁଲ ଆମ ନାମଙ୍କର, ଆମେ ଠିକ ସଂସ୍କାର ଦେଇନେ ବୋଧେ । ଯଦି ସେମାନେ ତାଙ୍କ ପରିବାର ସହ ଖୁସିରେ ଅଛନ୍ତି ତେବେ ରୁହନ୍ତୁ । ଏତିକି ଧନ୍ୟବାଦ ଦିଅ ଯେ ସେମାନେ ତାଙ୍କ ନିଜ ଇଚ୍ଛା ରେ ଯୋଗାଡ଼ କରି ବାହା ହେଇ ନାହାନ୍ତି, ତୁମକୁ ସେ ବାପର କର୍ତ୍ତବ୍ୟ କରିବାକୁ ଦେଇଛନ୍ତି । ଆଉ କିଏ ପଚାରୁ ବା ନାହିଁ, ଆମେ ସବୁ ତ ଏକାଠି ଅଛେ ନା, ଜଣେ ଅନ୍ୟ ଜଣକୁ ସାହା ହେବା ପାଇଁ । "ଏତିକି କହି ଅଶୋକ ହସି ଦିଅନ୍ତି ଓ ସବୁ ସାଙ୍ଗ ମାନଙ୍କୁ ଟିକେ ହସାଇ ଦିଅନ୍ତି । ଏମିତି ଦିନ ଗୁଡାକ ଭଲରେ କଟିଗଲା । ଦେଖୁ ଦେଖୁ ଦୁଇ ବର୍ଷ ହେଇଗଲା । ଦିନେ ଅଶୋକ ଖଟିରେ କହିଲେ, "ଶୁଣ, ମୁଁ କିଛିଦିନ ପାଇଁ ଟିକେ ବାଙ୍ଗାଲୁର ଯିବି ନମିତା କୁ ନେଇ ପ୍ରଣତି ପାଖରେ ଛାଡି ଆସିବି । ସାଙ୍ଗରେ ସମୁଦୁଣୀ ବି ଯିବେ । ତାର ପିଲା ପିଲି ହେବାର ଅଛି । ମୁଁ ଏବେ ଅଜା ହେଇଯିବି । " ଏତିକି କହି ବହୁତ ଖୁସିରେ ଅଶୋକ ହସି ହସି ସମସ୍ତଙ୍କୁ ଚାହା ଓ ପାନ ଖୁଆଇଲେ । ଅଶୋକ ନମିତା ଓ ସମୁଦୁଣୀ ଙ୍କୁ ନେଇ ବାଙ୍ଗାଲୁର ରେ ପହଞ୍ଚି ବାର ପାଞ୍ଚ ଦିନ ପରେ ପ୍ରଣତି ର ଗୋଟିଏ ଝିଅ ଜନ୍ମ ହେଲା । ଏହି ଖବର ଅଶୋକ ଫୋନ କରି ସାଙ୍ଗମାନଙ୍କୁ ଜଣାଇଦେଲେ । ବହୁତ ଖୁସିରେ ସେଦିନ ଡାକ୍ତରଖାନା ରେ ସେ ମିଠା ବାଣ୍ଟିଥିଲେ । ସେଠାରେ ନାତୁଣୀ ର ଏକୋଇଶିଆ କାମ ସାରି ନମିତା କୁ ଧରି ସେ ଫେରିଲେ ।


ବହୁତ ଖୁସିରେ ସାଙ୍ଗ ମାନଙ୍କୁ ଗୋଟିଏ ଛୋଟ ଭୋଜି ବି ଦେଲେ । କିଛି ଦିନ ପରେ ରଞ୍ଜନ ଡାକ୍ତରୀ କ୍ଷେତ୍ର ରେ ସ୍ନାତକୋତ୍ତର ପଢିବାକୁ ଚଣ୍ଡୀଗଡ଼ ଗଲା । ନମିତା ଓ ସେ ବିଲକୁଲ ଏକା ହେଇଗଲେ । ଅଶୋକଙ୍କର ସାଙ୍ଗମାନେ ବଡ଼ ପ୍ରଶଂସା କରି କୁହନ୍ତି, "ଯାହା ହେଉ ବୁଝିଲୁ ଅଶୋକ, ଆମ ରଞ୍ଜନ ଗୋଟିଏ ବଡ଼ ଡାକ୍ତର ହେବ । ଆମେ ସବୁ ବୁଢା ହେଇ ଆସିଲେଣି, ସେ ଟିକେ ଭଲ ଭାବରେ ଆମ ଚିକିତ୍ସା କରିବ । ଆମ ସମସ୍ତଙ୍କ ପିଲା ମାନଙ୍କ ଭିତରେ ରଞ୍ଜନ ଭଲ ପଢିଲା ଓ ସେ ଖୁବ ସଂସ୍କାରି ବି । ତୁ ବଡ଼ ଭାଗ୍ୟବାନ । " ଏତକ ଶୁଣି ଅଶୋକ ବହୁତ ଖୁସି ହେଇ ଯାଆନ୍ତି । ରଞ୍ଜନ ପ୍ରାୟ ନମିତା ସାଙ୍ଗରେ କଥା ହୁଏ । ଦେଖୁ ଦେଖୁ ଦୁଇ ବର୍ଷ ହେଇଗଲା । ତା ପାଠ ପଢା ସରିଗଲା ଓ ସେଠାରେ ସେ ଚାକିରୀ କଲା ।  


ଦିନେ ରଞ୍ଜନ ଫୋନ କରି ନମିତା କୁ ବଡ଼ ବିବ୍ରତ ହୋଇ କହିଲା, ""ବୋଉ ତୁ ଟିକେ ବାପାଙ୍କୁ ବୁଝାଇ ଦେବୁ । ମୁଁ ମୁଁ ଏଇଠି ଯାହାକୁ ଭଲ ପାଉଥିଲି, ସେ ବି ଡାକ୍ତର ତା ସହିତ ରେଜିଷ୍ଟ୍ରି ବାହାଘର କରିଛି । ଏଠାକାର ଲୋକେ ଯାହା ଚାହାନ୍ତି ମୋତେ କରିବାକୁ ହେଲା । ବାପା ଯଦି ରାଗିବେନି ତୁ କହିଲେ ମୁଁ ତୋ ବୋହୁ ଆରତୀ କୁ ନେଇ ଆସିବି ତୁମ ଆଶୀର୍ବାଦ ନେବାକୁ । " ଏତକ ରଞ୍ଜନ ଠାରୁ ଶୁଣି ନମିତା କାନ୍ଦିବାରେ ଲାଗିଲେ ଓ ଫୋନ ରଖିଦେଲେ । ସେ ଜାଣିଛନ୍ତି ଅଶୋକ ଙ୍କୁ । କେମିତି ତାଙ୍କୁ କହିବେ ଭାବି ଭାବି ବଡ଼ ବିବ୍ରତ ହେଇଗଲେ । ସନ୍ଧ୍ୟା ସମୟରେ ଅଶୋକ ଘରକୁ ଆସିଲେ । ସେଦିନ ନମିତା ତାଙ୍କୁ ସିଧା ଚାହିଁ ପାରୁ ନଥିଲେ । ନିଜକୁ ପ୍ରସ୍ତୁତ କରୁଥିଲେ ଅଶୋକ ଙ୍କୁ କହିବାକୁ । ଅଶୋକ ନାମୀତଙ୍କୁ ଦେଖି ପଚାରିଲେ, "ଆରେ ତୁମର ଆଜି କଣ ହେଇଛି ?କଣ ଦେହ ଭଲ ନାହିଁ ?ରଞ୍ଜନ ଫୋନ କରିଥିଲା, ସେ କେମିତି ଅଛି ?କେବେ ଆସିବ ?ଆସିଲେ ମୁଁ ଝିଅ ଦେଖିବା ଆରମ୍ଭ କରିଛି, ତା ପାଇଁ ଡାକ୍ତରୀ ଝିଅ ହିଁ ଦେଖୁଛି । ସେ ଆସିଲେ ଖାଲି ତାରିଖ ଠିକ କରିବା । "ଏତକ ଶୁଣି ନମିତା ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । କାନ୍ଦି କାନ୍ଦି କହିଲେ, " ସେ ବାହା ହେଇ ସାରିଛି । ମୋତେ ଆଜି କହିଲା । ତୁମେ କହିଲେ ସେ ବୋହୂକୁ ନେଇ ଆସିବ ।


" ଏତକ ଶୁଣି ଅଶୋକଙ୍କ ହାତରୁ ଚାହା କପ ଟା ଖସି ପଡିଲା । ନମିତା ଦୌଡ଼ି ଆସିଲେ । ଅଶୋକ ନମିତା ଆଖିରୁ ଲୁହ ପୋଛିଦେଇ ନିଜ ଶୋଉବା ଘର ଭିତରକୁ ଚାଲିଗଲେ । ତା ପରଠାରୁ ଉଭୟ ନମିତା ଓ ଅଶୋକ ବିଲକୁଲ ନୀରବ ହୋଇଗଲେ । କେହି କାହାକୁ କିଛି କହୁ ନ ଥାଆନ୍ତି କି ଚାହୁଁ ନ ଥାଆନ୍ତି । ଯେମିତି ଉଭୟ କିଛି ବଡ଼ ଭୁଲ କରିଛନ୍ତି । ଏମିତି ଦୁଇ ଦିନ ବିତିଗଲା ଅଶୋକ ଅଫିସବି ଗଲେ ନାହିଁ କି ଘରୁ ବାହାରିଲେ ନାହିଁ । ନମିତା ବି ଚୁପ ଚାପ ରହିଥାନ୍ତି । ସେ ଘରେ ଲାଗୁଥାଏ ଯେମିତି ତାଙ୍କ ଦୁଇ ଜଣଙ୍କ ନୀରବତା କିଛି କହୁଛି । କିନ୍ତୁ ବୁଝିବାକୁ କି ଜାଣିବାକୁ କେହି ନାହିଁ । ପ୍ରଣତି ବି ଦୁଇଥର ଫୋନ କରିଛି ଉଭୟ ନମିତା ଓ ଅଶୋକ ଫୋନ କୁ ଉଠାଇ ନାହାନ୍ତି । ଏଣେ ଖଟିରେ ଦିଲୀପ, ରାଜେଶ ଓ ପ୍ରତାପ ଅଶୋକ କୁ ନ ଦେଖି ଫୋନ କଲେ, କିନ୍ତୁ ଅଶୋକ କିଛି ଜବାବ ଦେଲେ ନାହିଁ । ନମିତା ଦେଖିଲେ ଅଶୋକ ସେଇ ଘରୁ ନ ବାହାରିଲେ ବୋଧେ ପାଗଳ ହେଇଯିବେ । କଣ କରିବେ କିଛି ବୁଦ୍ଧି ଜୁଟିଲା ନାହିଁ ।


ସେ ସନ୍ଧ୍ୟା ସମୟ ରେ ଅଶୋକ ଙ୍କୁ ଚାହା ଦେଇ ବାହାରିଗଲେ ଅଶୋକଙ୍କର ଖଟିକୁ । ସେଠାରେ ନମିତା କୁ ଦେଖି ସମସ୍ତେ ଡରି ଗଲେ ଓ ଆଶ୍ଚର୍ଯ୍ୟ ହେଲେ । ଦୌଡିକରି ତିନିଜଣ ଯାକ ନମିତା ପାଖକୁ ଗଲେ ଓ ପଚାରିଲେ, "ଭାଉଜ ଅଶୋକ ର କଣ ହେଇଛି ?ସେ ଆମ ଫୋନ ଉଠାଉ ନାହିଁ । ଖଟି କୁ ବି ଆସୁ ନାହିଁ । "ନମିତା କାନ୍ଦି କାନ୍ଦି ସବୁ କହି ଗଲେ । ତାଙ୍କ ଠାରୁ ସବୁ ଶୁଣି ସାଙ୍ଗମାନେ କହିଲେ, "ଆମେମାନେ କେଡେ ବୋକା । ତାର ନୀରବତା କିଛି କହୁଛି ଆଉ ଆମେ ବୁଝି ପାରୁନେ । ଧିକ ଆମ ସାଙ୍ଗ ହେବା । " ତାପରେ ଦିଲୀପ କହିଲା, "ତୁମେ ଯାଅ ଭାଉଜ ଆମେ ଟିକେ ପରେ ସମସ୍ତେ ଆସିବୁ । " ନମିତା ସେଠାରୁ ଚାଲିଗଲେ । ଘରେ ପହଞ୍ଚି ସେ ଦେଖିଲେ ଅଶୋକ ତାଙ୍କ ଘରେ ସେମିତି ଚୌକିରେ ବସିଛନ୍ତି । କିଛି ସମୟ ପରେ ତାଙ୍କ ସାଙ୍ଗମାନେ ଆସିଲେ । ନମିତା ଯାଇ ଅଶୋକଙ୍କ ଘର ଦୁଆର ପାଖରେ କହିଲେ, " ହେଇଟି, ତୁମ ବନ୍ଧୁମାନେ ଆସିଲେଣି । ସେଠାରୁ ଉଠ । "ସେତିକି ବେଳେ ଦିଲୀପ, ରାଜେଶ ଓ ପ୍ରତାପ ଏକା ସାଙ୍ଗରେ ସେ ଘର ଭିତରେ ପଶି କହିଲେ, "ତୁ ଗୋଟେ ଭଲ ଲୋକ । ତିନି ଦିନ ହେଇଗଲାଣି ଖଟିକୁ ଆସୁନୁ କି ଫୋନ ଉଠାଉ ନାହୁଁ । ଆସେ ଚାଲ ଯିବା ଖଟିକୁ । ଆରେ ଆମେ କଣ ତୋର କେହି ନୁହଁ ?ଚାଲ ଚାଲ ଯିବା । "ଏତକ କହି ଦିଲୀପ ଅଶୋକ ର ହାତ ଧରି ଟାଣିଲେ ଓ ଦେଖିଲେ ଅଶୋକ ଟଳି ପଡିଲା । ସମସ୍ତେ ଡରିଗଲେ । ତୁରନ୍ତ ଆମ୍ବୁଲାନସ ଡାକି ଅଶୋକ କୁ ନେଇ ଡାକ୍ତରଖାନା ଚାଲିଗଲେ । ନମିତା ବି ସାଙ୍ଗରେ ଗଲେ । ସେଠାରେ ଡାକ୍ତର କହିଲେ ଅଶୋକ କୁ ହୃଦ ଘାତ ହେଇଛି । ତିନି ଦିନ ପରେ ଜଣା ପଡିବ ପ୍ରକୃତ ଅବସ୍ଥା ।  


ଏତକ ଶୁଣି ପ୍ରତାପ କାନ୍ଦି କାନ୍ଦି କହିଲା, "ଆମ ସମସ୍ତଙ୍କୁ ବୁଝାଇଲାବାଲା ଏବେ ପୁରା ଚୁପ । "ରାଜେଶ କହିଲା ""ସବୁବେଳେ ବକ ବକ କରୁଥିବା ଲୋକଟା ର ନୀରବତା କିଛି କହୁଛି ଆଉ ଆମେ ବୁଝିବାକୁ ଦବରୀ କରିଦେଲୁ । "ସମସ୍ତେ ସେଠାରେ ନୀରବ ରେ ଭଗବାନଙ୍କୁ ଡାକୁଥିଲେ, ସମସ୍ତଙ୍କର ସେ ନୀରବତା କିଛି କହୁଛି, " ପ୍ରଭୁ ଅଶୋକ କୁ ଭଲ କରିଦିଅ । ଆମକୁ କ୍ଷମା କରିଦିଅ । "



Rate this content
Log in

Similar oriya story from Drama