ନୀଳ ଲଫାପା
ନୀଳ ଲଫାପା
ସେଦିନ ନୀଳ ଲଫାପାଟିଏ ଅରୁଣା ନାମରେ ଆସିଥିଲା ବାପାଙ୍କ କ୍ୟାରାଫରେ ତ ବାପା ଡାକବକ୍ସ ଭିତରୁ ସରକାରୀ ଓ ବେସରକାରୀ ଚିଠିସବୁ ଭିତରୁ ନୀଳ ଲଫାପାଟିକୁ ଅଲଗା କରି ରଖି ବାପା ଅଫିସ ଯିବା ପରେ ଅରୁଣା ଉଠେଇ ନେଇ ଦେଖିଥିଲେ ଲଫାପାଟିରେ ତାଙ୍କରି ନାମ ଓ ଠିକଣା ଲେଖା ଥିଲା.ହେଲେ କିନ୍ତୁ ଖୋଲିବାକୁ ସାହାସ ନଥିଲା. ସେ ଚାହୁଁନଥିଲେ ବାପାଙ୍କ ବିଶ୍ୱାସକୁ ଅବିଶ୍ୱାସରେ ବଦଳେଇ ଦେବାକୁ.ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଲେଖିଥିବା ଡ୍ରାମାଟିକୁ ବାପା ପଢ଼ିସାରି ଯେବେ ପଚାରିଥିଲେ ଏଇଟା କିଏ ଲେଖିଛି ତ ଅରୁଣା ଥର ଥର କଣ୍ଠରେ କହିଥିଲେ ମୁଁ ଲେଖିନି ବାପା ମୋର ଜଣେ ସାଙ୍ଗ ଲେଖିଛି. ତୁ କାହିଁକି ରଖିଛୁ ତୋ ପାଖରେ ବାପାଙ୍କ ପ୍ରଶ୍ନରେ ସେଦିନ ଅରୁଣା ସତ କହିଥିଲେ କି ଆମ କ୍ଲାସର ସମସ୍ତ ଝିଅ ମିଶି ଏହି ଡ୍ରାମାଟିକୁ କରିବାର ଯୋଜନା କରିଥିବାରୁ ମୁଁ ମୋ ସଂଳାପ ଲେଖି ମନେରଖିବା ପାଇଁ ମାଗି ଆଣିଛି. ବାପାଙ୍କର ସେଦିନ କଡା ନିର୍ଦ୍ଦେଶ ଥିଲା ଫେରେଇଦେ ସାଙ୍ଗକୁ ତା ଲେଖା ଆଉ ତୁ ମିଶିନା ସେଥିରେ. ବାପା ଏସବୁ କହିବା ଭିତରେ ଅରୁଣା କେତେଯେ ଠାକୁର ଠାକୁରାଣୀଙ୍କୁ ଜାଚଜ୍ଞା କରିପକେଇଥିଲେ କି ମାଆ ଲୋ ଚଣ୍ଡୀ ମାଆ ବାପା ମୋ ଅକ୍ଷର ଚିହ୍ନି ନପାରନ୍ତୁ. ସତକୁ ସତ ସେଯାଏଁ କଥା ଯାଇନଥିଲା କିନ୍ତୁ ନାଟକଟିକୁ ପାଣି ବାଲ୍ଟିରେ ବୁଡ଼ାଇ ସେଇଦିନ ତାକୁ ଜୀବନ୍ତ ସମାଧି ଦେବା କଥା ଏଯାଏଁ ଭୁଲିନାହାଁନ୍ତି ଅରୁଣା. ଚଣ୍ଡୀମାଆ ପାଖରେ ଦୀପ ବସାଇ ଭୋଗ ଦେଲା ବେଳେ କିନ୍ତୁ ଅରୁଣା କହିଥିଲେ ବାପାଙ୍କୁ ମିଛ କହିଥିବାରୁ ମତେ କ୍ଷମା କରିଦେବ ମାଆ. ଜୀବନରେ ଆଉ ଏମିତି ପରିସ୍ଥିତି ନଆସୁ ଆଉ କେଵେ ମାଆ ମୋ ଜୀଵରେ.
ପୁଣି ଆଜିର ଏ ନୀଳଲଫାପା କିଏ ଦେଲା ତାଙ୍କ ନାମରେ? ସେହି ନବମ ଶ୍ରେଣୀରେ ପଢ଼ୁଥିବା ଓ ତାଙ୍କ ସଙ୍ଗେ ନମ୍ବର ରଖିବାରେ ରୀତିମତ ପ୍ରତିଯୋଗିତା କରୁଥିବା ନଳିନୀ ଦାସ ଓ ଦୁଃଶାସନ ପ୍ରଧାନ ଭିତରୁ କେହି ନୁହେଁ ତ!ସେ ଦୁହେଁ ହୋଇଥିଲେ ଚଳିଯିବ କାରଣ ସେ ଦୁହିଁଙ୍କୁ ବାପା ଜାଣନ୍ତି. ପରୀକ୍ଷା ପରେ ପରେ ମାର୍କସିଟ ଦିଆଯିବା ପୂର୍ବରୁ ବାପା ପହଞ୍ଚିଯାଆନ୍ତି ସ୍କୁଲରେ. ହେଡମାଷ୍ଟର ସାର ତାଙ୍କର ସାଙ୍ଗ ତ ମାଗିଆଣନ୍ତି ସବୁ ବିଷୟରେ ରଖିଥିବା ନମ୍ବର ଖାଲି ଅରୁଣାଙ୍କର ନୁହେଁ ବରଂ ତା ସହିତ ନଳିନୀ ଓ ଦୁଃଶାସନର. ଫାଷ୍ଟ ପୋଜିସନରେ ଥିବା ନଳିନୀକୁ କୋଉ କୋଉ ସବଜେକ୍ଟରେ ଅରୁଣାଙ୍କୁ କାଟିବାକୁ ପଡିବ କହି ସେକେଣ୍ଡରୁ କେମିତି ଫାଷ୍ଟ ହେବ ତାଙ୍କ ଝିଅ ସେଥିପ୍ରତି ନିଜେ ସଜାଗ ରହି ଦୁଃଶାସନପ୍ରତି ମଧ୍ୟ କୋଉ କୋଉ ବିଷୟରେ ଦୃଷ୍ଟି ରଖି ଆଗେଇବାକୁ ପଡିବ ତାର ତାଳିକା କରୁଥାନ୍ତି ବାପା. ତା ପରେ ପରେ କଲେଜରେ ପଢିଲା ବେଳେ ନଳିନୀ କେମିତି ଅରୁଣାଙ୍କୁ କମନ ରୁମରୁ ଡକାଇ ତା କମର୍ସର ପୁଅମାନଙ୍କୁ ଚିହ୍ନାଏ ଯେ ଅରୁଣା ମୋ ସ୍କୁଲମେଟ ସେକଥା ସେ ବାପାଙ୍କୁ କହିସାରିଛନ୍ତି ଓ ବାପା ବୁଝାଇଦେଇଛନ୍ତି କଳା ଓ ପ୍ରତିଭାଧାରୀ ଛାତ୍ରୀଙ୍କୁ ସାଙ୍ଗ ବୋଲି ଜଣାଇବାରେ ପୁଅ ମାନଙ୍କ ଅନ୍ତରାତ୍ମାକୁ ଶାନ୍ତି ମିଳେ ତେଣୁ ମୋ ଝିଅ ଭଲ ଗୀତ ଗାଏ ବୋଲି ନଳିନୀର ଏହା ଏକ ପ୍ରୟାସ ମାତ୍ର କହି ବାପା ବୁଝାଇ ଦେଇଥିଲେ. ଦୁଃଶାସନ ମଧ୍ୟ ନୀଳଲଫାପାଟିଏ ଦେଇଥିଲା କଲେଜ ଠିକଣାରେ ଯେ ସାଙ୍ଗମାନେ ହଇଚଇ ମଚାଇଥିଲେ. ସୁଚିତ୍ରା ତ ତା ଗାଲକୁ ଚିପି ଦେଇ କହିଥିଲା ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି ନାହିଁ!ଆଉ ସେ ଗୌରୀ କଣ କମ କି!କଟାକ୍ଷ କରି କହିଥିଲା ସବୁ ସୁନ୍ଦରୀ ଝିଅମାନଙ୍କର ଜଣେ କେହି ଥାଆନ୍ତି ତ ଚିଠିଟିକୁ ସେହି ଗୌରୀ ଓ ସୁଚିତ୍ରା ଦୁହିଁଙ୍କୁ ପଢିବାକୁ ଦେଇଥିଲେ ଅରୁଣା. ଚିଠିରେ ଦୁଃଶାସନ ଜଣେଇ ଦେବାକୁ ଚାହିଁଥିଲା ସେ ରେଭେନ୍ସା ଟପର ହୋଇଛି ବୋଲି. ବାପା ଏସବୁ ଶୁଣି ହସି ହସି ଗଡିଯାଇ କହିଥିଲେ ତୋ ସହ ସ୍କୁଲ ଜୀବନରେ ଟପି ନପାରି ତା ମନରେ ଥିବା ଆତ୍ମଗ୍ଲାନି ଆଜି ତା ବିଜୟ ର କିଛି ଅଂଶ ତତେ ନଦେଲେ ତା ଅନ୍ତରାତ୍ମକୁ ଶାନ୍ତି ମିଳିବ!ବାପାଙ୍କର ଏତେ ସବୁ ଦର୍ଶନ ନବୁଝି ଅରୁଣା ଯେ ନିଷ୍କଳଙ୍କ ଏକଥା ହୁଏତ ବାପାଙ୍କୁ ଜଣେଇ ନିଜ ଅନ୍ତରାତ୍ମାକୁ ଶାନ୍ତି ଓ ସୁକୁନୁ ବା ତୃପ୍ତି ପହଞ୍ଚାଉଥିଲେ ବୋଲି ନିଜେ ବୁଝି ପାରିନଥିବା ଅରୁଣା ଆଜି ତାଙ୍କ ନାମରେ ଆସିଥିବା ଏ ନୀଳ ଲଫାପା ଦେଖି ଏତେ ଭୟଭୀତ ଥିଲେ ଯାହା ଭାଷାରେ ପ୍ରକାଶ କରିବା ଅସମ୍ଭବ.
ଅଫିସରୁ ଫେରି ବାପା ତାକୁ ଡକେଇ ପଠେଇଲେ ବୈଠକଖାନାକୁ. ଆଜି ଅରୁଣା ବାପାଙ୍କ ପସନ୍ଦର ଚୂଡ଼ା ଉପମା ଓ ମଟର ତରକାରୀ ଦେଇଥିଲେ. ଏବେ ଚା କପ ଟି ନେଇ ବଢ଼େଇ ଦେବାରୁ ବାପା କହିଥିଲେ ବସ ମାଆ. ଗୋଟେ କଥା ତତେ ପଚାରିବି. ଅରୁଣାଙ୍କ ହାତ ଗୋଡ଼ ଥରୁଥିଲା. ସାରା ଶରୀରରୁ ଝାଳ ନିଗିଡି ପଡୁଥିଲା.ବାପା ନିଶ୍ଚୟ ନୀଳ ଲଫାପା ଖୋଲି ପଢ଼ିଛନ୍ତି ଓ ପ୍ରେରକକୁ ଚିହ୍ନି ପାରିଛନ୍ତି. କିଏ ହୋଇପାରେ ସେ, କେମିତି କିପରି ତାଙ୍କ ଠିକଣା ଜାଣିଲା ସେ!ବାପା କହୁଥିଲେ ବିଖ୍ୟାତ ଜୋତିର୍ବିଦ ସୁଷମା ପରିଜାଙ୍କୁ ତୁ କେମିତି ଜାଣିଲୁ ଝିଅ? ସେ ତୋ ପେନ ଫ୍ରେଣ୍ଡସିପ ଆକସେପ୍ଟ କରି ତୋ ଚିଠିର ଉତ୍ତର ଦେବା ସହ ତୋ ବାହାଘରକୁ ତାଙ୍କୁ ଡାକିବାକୁ ଅନୁରୋଧ କରିଛନ୍ତି. ଏଇ ନେ ତୋ ଚିଠି. ହଁ ଆସିଥିବା ସବୁ ପ୍ରସ୍ତାବ ଭିତରୁ ଡାକ୍ତର ଦୀନେଶ ସଙ୍ଗେ ତୋ ବାହାଘର ଠିକ କରିବାକୁ ଯାଉଛି. କାରଣ ଏ ନୀଳ ଲଫାପା ଆଜି ମୋ ଆଖି ଖୋଲି ଦେଇଛି. ମୋ ଝିଅର ଜୋତଷ ବିଦ୍ୟା ପ୍ରତି ଆଗ୍ରହ ଥିବା ସଙ୍ଗେ ଭାବୀ ଜ୍ୱାଇଁ ଦୀନେଶ ଡାକ୍ତର ହେଲେ ମଧ୍ୟ ତାଙ୍କର ମଧ୍ୟ ଜୋତିଷ ବିଦ୍ୟାରେ ପାରଙ୍ଗମତା ଅଛି ଜାଣି ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଇଛି ନିମନ୍ତ୍ରଣ କରିଦେ ସୁଷମା ପରିଜାଙ୍କୁ. ସେଦିନ ଅରୁଣାଙ୍କ ପାଟିରୁ ଗୋଟେ ବି ଶବ୍ଦ ସ୍ପୁରିନଥିଲା ବାପାଙ୍କ ଆଗରେ.
