Satyabati Swain

Romance Tragedy

4  

Satyabati Swain

Romance Tragedy

ନୀଳ ହ୍ରଦ

ନୀଳ ହ୍ରଦ

5 mins
6



ପ୍ରେମ କଲେ ଅପବିତ୍ର ହୁଅନ୍ତି କି !


ପ୍ରେମ ଅନ୍ଧ ! କିଏ ଏପରି ବିଭ୍ରାନ୍ତିକର ଉକ୍ତି ଲେଖି ଦେଇ ଯାଇଛନ୍ତି ଯେ। ପ୍ରେମ ତ ମୁଠେ ଆଲୁଅ । ପ୍ରେମ ଅମୃତ।ଜୀବନ ଗଢେ ।ଦୁଷ୍ଟ ,ବାଳୁଙ୍ଗାଙ୍କୁ ଶାନ୍ତ ଶିଷ୍ଟ କରେ। ଅବାଟକୁ ଯାଉଥିବା ମଣିଷ ପାଦର ଜଞ୍ଜିର ପ୍ରେମ ହୋଇ ବାଟକୁ ଫେରେଇ ଆଣିବା ସାମର୍ଥ୍ୟ ରଖେ। ପ୍ରେମ ସୃଷ୍ଟି କରେ, ଗଢେ । ଏଇ ମଣିଷ ମାନେ ହିଁ ପ୍ରେମକୁ ଅନ୍ଧ,ପ୍ରେମ ଅମାନିଆ ଘୋଡା ବୋଲି କହିଥାନ୍ତି।କିନ୍ତୁ କେହି କହିବେ କି ବିନା ପ୍ରେମରେ କେହି ବଞ୍ଚିଛନ୍ତି ?


   ମୋ ପାଇଁ ଘରେ ଉଣେଇଶ ଅନେଶ୍ୱତ ମହାବାତ୍ୟା । ପ୍ରଥା ପରମ୍ପରା ବିରୋଧୀ କାର୍ଯ୍ୟ କୁଆଡେ ମୁଁ କରିବାକୁ ବସିଛି। କାହିଁ କେଉଁ ଆବାହନ କାଳରୁ ଚାଲିଆସୁଥିବା ବିଧି ବିଧାନକୁ ଅମାନ୍ୟ କରିବାକୁ ଯାଉଛି। ସମାଜ ମୋ ଚିନ୍ତାଧାରାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ମୋ ନିଷ୍ପତ୍ତି ଏକ ଅକ୍ଷମଣୀୟ ଅପରାଧ ଓ ଏହା ଘୋର ବିପଦ ଡାକି ଆଣି ପାରେ ବୋଲି ଶୁଣାଇ ଦେଲେଣି ମୋର ଆତ୍ମୀୟ।

     ସମସ୍ତେ କହୁଥିଲେ ପୁଣ୍ୟା ପରି ଝିଅ ଶେଷରେ ଏମିତି କଲା !! ଅତି ଶିକ୍ଷିତର ଫଳ ଭୋଗିବେ ହିମାଦ୍ରୀ ନନା।ସବୁ ଅତି ମହା ବିଷମ। ହିମାଦ୍ରୀ ନନା ଝିଅର କୌଣସି କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ନାହିଁ। ସ୍ୱାଧୀନତା ଦେଇ ଖୋଲା ଛାଡିଦେଲେ ତ ଭୋଗନ୍ତୁ ଏବେ । ସଂସାର ଛଡା କଥା ହେବ ତାଙ୍କ ଘରେ। ଲୋକହସା ହୁଅନ୍ତୁ।

     ମୁଁ କିନ୍ତୁ ବୁଝି ପାରୁ ନଥିଲି କଣ ଏମିତି କଲି ! କାଲି ଯେଉଁମାନେ ବିଚକ୍ଷଣ ବୁଦ୍ଧିମତୀ , ସର୍ବ ଗୁଣ ସମ୍ପୂର୍ଣ୍ଣା ଝିଅ ବୋଲି ପ୍ରଶଂସା ଅଜାଡି ପକାଉଥିଲେ ସେହିମାନେ ଛିଃ ଛିଃ ରେ ପୋତି ପକାଉଛନ୍ତି ! 


ମୋ ପରି ଝିଅ ଅର୍ଥ କଣ ? 


     ଭଲପଢେ ,ଖେଳେ ,ସ୍ମାର୍ଟ ଓ ଜୁଡୋ କରାଟରେ ଇଣ୍ତରଷ୍ଟେଟ ଚମ୍ପିୟାନ ବୋଲି ମୋ ଭିତରେ କଣ ଫିଲିଙ୍ଗସ୍ ଶୁନ୍ୟ ! ସାଧାରଣ ଝିଅଙ୍କ ପରି ମୋର ମନ କି ହୃଦୟଟିଏ ନାହିଁ ? ମୋତେ ପ୍ରେମ କରିବା ମନା କି ? ପ୍ରେମ ତ ସେମିତି କେଉଁ ରୂପରେ ,କେଉଁ ମୋଡ଼ରେ କେମିତି ଆସି କାଳିଶି ପରି ଗ୍ରାସେ କିଏ କହିବ ?

      ପ୍ରେମ ଗୋଟେ ଶେଷହିଁନ ଆଶାର ଆତୁରତା । ଅସରନ୍ତି ଅବ୍ୟକ୍ତ ଓ ଆବେଗର ନାଁ ।କୁହୁଳୁଥିବା ହୃଦୟର ଏକ ନୀଳହ୍ରଦ ଏବଂ ଅସରନ୍ତି କଥା କାହାଣୀର ଗ୍ରନ୍ଥ ।ପ୍ରେମ ଦିବ୍ୟ, ଚିରନ୍ତନ ସତ୍ୟ , ସୁନ୍ଦର ଏବଂ ଚମତ୍କାର ଅନୁଭବର ଚେନାଏ ଆକାଶ | ଏହା ଏକ ଫାଶ ଓ ତୀକ୍ଷ୍ଣ ପଞ୍ଝା ! ତା ତୀକ୍ଷ୍ଣ ଦାନ୍ତ ଓ ନଖରୁ କିଏ ବର୍ତ୍ତୀଛି ? ମୋ ବିଚକ୍ଷଣ ମୁଣ୍ଡ କଣ ଠିକ୍ ହିସାବ ରଖି ପାରିଲା ପ୍ରେମର ହାନି ଲାଭ ?ହାନିଲାଭ ହିସାବ ରଖିଲେ ଏହାକୁ କଣ ପ୍ରେମ କୁହାଯିବ ? ବରଂ ଏହାର ନାମ ମୂଲଚାଲ କରି କିଣୁଥିବା ଚିଜ ହୋଇ ସଉଦା ବୋଲାଇବ ।ଜିଇଁବି ମୁଁ ତ ନିଜ ବାଗରେ କାହିଁକି ନୁହେଁ ? କିଏ ଅଟକେଇବ ମୋତେ ? ଏ ଆଖି ନଥିବା ଅନ୍ଧ ସମାଜର ସବୁ ନୀତି ନିୟମ ମାନିବାକୁ ମୁଁ ବାଧ୍ୟ ନୁହେଁ। ଯେଉଁ ନୀତି ନିୟମ ମଣିଷର ଆତ୍ମାକୁ ମାରିଦିଏ ସେପରି ସ୍ୱାର୍ଥ ନିହିତ ନୀତିକୁ କାହିଁକି ମାନିବି ଯେ ?

     ସେମିତି କହନି ପୁଣ୍ୟା । ଆମେ ମଣିଷ ସାମାଜିକ ପ୍ରାଣୀ । ବିଧି ବିଧାନ ଆମକୁ ଶୃଙ୍ଖଳିତ କରେ। ସମାଜ ଗଠନ ଦିଗରେ ସାହାଯ୍ୟ କରେ । ବିଧି ବିଧାନ ଅଛି ବୋଲି ତ ଜୀବନ ସୁନ୍ଦର । ସମ୍ପର୍କ ମଧୁର।ପ୍ରଥା ପରମ୍ପରା ପାଇଁ ଦି ଧାଡ଼ି ମନ୍ତ୍ର ପାଠ, ସାତ ବଚନ ଗୋଟେ ଗଇଁଠାଲ ବାନ୍ଧି ଦେଉଛି ଦୁଇଟି ଜୀବନକୁ ଆଜୀବନ ଗୋଟିଏ ସୁତାରେ। ହୁଣ୍ଡି ଲୋ ଟିକେ ବିଶ୍ବାସର ନାଁ ଭଗବାନ।ଟିପେ ସମ୍ମାନର ନାଁ ପୂଜ୍ୟ, ପ୍ରଣମ୍ୟ। ଏସବୁ ପାଇଁ ଆମ ଜୀବନ ଓ ଜୀଇଁବା ସ୍ୱର୍ଗ।

    ଓଃ ଧନ୍ୟା ! ଉପଦେଶ ଦେବା ତୋର ଗୋଟେ ରୋଗ ହୋଇ ଗଲାଣି । ସବୁବେଳେ ଆମେ ଗୋଟିଏ ଶଗଡ଼ ଗୁଳାରେ ଚାଲୁଥିବା ? କିଛିଟା ନୂଆ କରିବା କଣ ଭୁଲ୍ ?

   

   ନୂଆଟି ତୋଠାରୁ ଆରମ୍ଭ ହେଉ ଏହା ତୋତେ କିଏ କହିଥିଲା ପୁଣ୍ୟା ?

      

  ଯେ କେହି ପ୍ରଥମ କରି ଆରମ୍ଭ କରିଥାନ୍ତା ତ ଏମିତି ବିରୋଧାଭାସର ସମ୍ମୁଖୀନ ହୋଇଥାନ୍ତା । ହେଲା ଏବେ ମୋଠାରୁ ଆରମ୍ଭ।ମନ୍ଦ କଣ ?

 

ତୋତେ କେଉଁଥିରେ କିଏ ପାରିଲେଣି ନା ମୁଁ ପାରିବି ?


ଜାଣିଛୁ ଯଦି କାହିଁକି ଖିଚ୍ ଖିଚ୍ ହେଉଛୁ ମୋ ସହ ?


   ମୋତେ ଭାରି ଭୟ ଲାଗୁଛି ଲୋ ପୁଣ୍ୟା। ନନା କେମିତିଆ କ୍ରୋଧି ! କଣ ନାଇଁ କଣ କରିଦେବେ। ତୋତେ ଜୀବନରୁ ମାରି ଦେଇ ପାରନ୍ତି । ତୁ ତୋ ନିଷ୍ପତ୍ତି ବଦଳେଇ ଦେ ।

    ତୁ ଆଉ ଏତେ ଡରନି ତ ? ନନା ମାରିବେ ତ ମାରନ୍ତୁ । ଏତେ ଯାଏ ସୁନା ଝିଅ ଥିଲି ହେଲା ଏବେ ଖରାପ ଝିଅ ହୋଇ ଯିବି। ମୋ ନିଷ୍ପତ୍ତିକୁ ସ୍ୱୀକୃତି ନ ଦେଲେ ଘର ଲୋକଙ୍କୁ ଛାଡି ମୋ କାମରେ ଆଗେଇ ଯିବି । କିନ୍ତୁ ଏତେ ବାଟ ଆଗକୁ ଆସି ଆଉ ଫେରିବା ମୋ ଦେଇ ଅସମ୍ଭବ ।

    

  ଭଲ କରି ଭାବି ନେ ପୁଣ୍ୟା । ଗୋଟେ ଗୋଟେ ନିଷ୍ପତ୍ତି ଜୀବନର ରୂପ ରଙ୍ଗ ସମ୍ପୂର୍ଣ୍ଣ ଓଲଟାଇ ଦିଏ। ପଛରେ ପସ୍ତେଇଲେ ଆଉ କିଛି ନ ଥାଏ। ଅନୁତାପ କରିବା ସାର୍ ହୁଏ ।

    

  ତୋ ପରି ପାଣି ହଗୁରୀ ମୁଁ ନା କଣ ? ତୁ କଣ ଜାଣିନୁ ପିଲାଦିନୁ ମୁଁ ଯେଉଁ ଜିଦି ଧରେ ସେଇଟା ପୂରଣ କରେ ବୋଲି ? ପିଲାଦିନୁ ସ୍ପଷ୍ଟୋକ୍ତି ଓ ଦୁଃସାହସିକ କାମ କରିବାରେ ମୁଁ ଧୁରିଣ ! ଏଣୁ ମୋତେ ଏତେ ବୁଝାନା। ଯଦି ପାରିବୁ ଘର ଲୋକଙ୍କୁ ବୁଝା ,ନନା ଓ ମାଆକୁ ବୁଝା ।ବୁଝା ସେ ମାଙ୍କଡ ବଦ୍ରିକୁ। ସାନଭାଇ ହୋଇ ମୋ ଉପରେ ହୁକୁମ ଚଳେଇବ କହୁଛି।

      

  ମାଙ୍କଡ଼ା ପଥରଟାକୁ ଘସି ମାଜି ଶାଳଗ୍ରାମ କରି ସାରିଲା ପରେ ତାକୁ ମୋ ହୃଦୟ ମନ୍ଦିରରେ ସ୍ଥାପନା ନ କରି ଫିଙ୍ଗି କେମିତି ଦେବି ?

       

  ଶେଷରେ ଯାହାକୁ ପ୍ରେମ କରୁଛି ସମସ୍ତଙ୍କ ସହ ଶତ୍ରୁତା କରି ସେ ବି ମାଗଣାଟାରେ ଆସି ଉପଦେଶ ଅଜାଡି ପକେଇ କହିଲା, " ତୁ ଘର କଥା ମାନି ଯା ପୁଣ୍ୟା। ମୁଁ ଜଣେ ଦଳିତ ଶ୍ରେଣୀର ପିଲା, ପୁଣି ତୋ ଠାରୁ ବୟସରେ ସାନ । ଅନେକ ଖରାପ ରେକର୍ଡ ମୋ ନାଁ ରେ ଅଛି ତ ତୋ ଘର ଲୋକେ ମୋତେ ତୁ ବାହା ହେବାକୁ କେମିତି ରାଜି ହୁଅନ୍ତେ ! "

    ତୋ ଉପଦେଶ ମୁଁ ମାଗୁଛି କି ? ଘର ଲୋକଙ୍କ ଆଶୀର୍ବାଦ ବିନା ମୁଁ ତୋତେ ବାହା ହୋଇ ଯିବି ଏ ଧାରଣା ମନକୁ ଆଦୋୖ ଆଣେନା ରୁଦ୍ର। ସମସ୍ତଙ୍କ ଆଶୀର୍ବାଦ ନେଇ ତୋତେ ବାହା ହେବି ନ ହେଲେ ନାହିଁ।

    

   ସତକୁ ସତ ଘର ଲୋକେ ସ୍ୱୀକୃତି ଦେଲେ ନାହିଁ। ମୁଁ ଅବିବାହିତ ରହିଗଲି। ରୁଦ୍ର କିନ୍ତୁ ମୋତେ ଛାଡ଼ି ଘର ସଂସାର କଲା। ମୋର ଜବ୍ ହୋଇଗଲା ବାଙ୍ଗାଲୋରରେ। ରୁଦ୍ର ସହ ଆଉ ଦେଖା ହୋଇନି ସେଦିନୁ କି କୌଣସି ସମ୍ପର୍କ ରଖିନି ତା ସଂସାରରେ ଝଡ଼ ସୃଷ୍ଟି ହେବ ବୋଲି।ଦୀର୍ଘ କୋଡ଼ିଏ ବର୍ଷ ପରେ ବାଙ୍ଗାଲୋର ଜଗନ୍ନାଥ ମନ୍ଦିରରେ ରୁଦ୍ର ସହ ହଠାତ ଦେଖା ହୋଇଗଲା।

    

  ରୁଦ୍ର ଯଦିଅ ମୋତେ ଠିକ୍ ଚିହ୍ନି ପାରିଲା ମୁଁ କିନ୍ତୁ ତାକୁ ଦେଖା ଦେବାକୁ ଚାହୁଁ ନ ଥିଲି ତ ରାସ୍ତା ବଦଳାଇ ଶୀଘ୍ର ପଳେଇ ଆସିଲା ବେଳକୁ ରୁଦ୍ର ପଛରୁ ମୋ ହାତ ଧରି ନେଇ କହିଲା, କେତେ ଆଉ ଲୁଚିବୁ ପୁଣ୍ୟା ? କାହିଁକି ସାରା ଜୀବନ ଏକା ରହିଗଲୁ ? ମୁଁ ତ ପୁଣି ତୋତେ ଭୁଲି ସଂସାର କଲି ?

      ପ୍ରେମର ସଂଜ୍ଞା ତୋତେ ମାଲୁମ ନାହିଁ ବୋଲି ତୁ ଏ ପ୍ରଶ୍ନ କରୁଛୁ କି ରୁଦ୍ର ?

   

  ମାନେ ତୁ ଏବେ ବି ମୋତେ ପ୍ରେମ କରୁ ! ଭୁଲିନୁ ସେଦିନ ଗୁଡାକ ପୁଣ୍ୟା !!

     

  ହଁ ପ୍ରେମ କରେ। ପ୍ରେମ କରିବାକୁ ମୋତେ କଣ କାହାର ଅନୁମତି ନେବାକୁ ପଡିବ ? ପ୍ରେମ ଦେହ କି ଭୋଗ ନୁହେଁ।ପ୍ରେମ ଦିବ୍ୟ ଅନୁଭବର କଥା।ପ୍ରେମ ଦେହ ଲୋଡିଲେ ସେଠି ସେକ୍ସର ପରିପୂର୍ତ୍ତି ଆସିଯାଏ। ପ୍ରେମ ବିଦେହ ହୋଇଗଲେ ଦିବ୍ୟ ସ୍ତରକୁ ଚାଲିଯାଏ। ମୁଁ ପ୍ରେମକୁ ପ୍ରେମ କରେ। ଦେଖ୍ ଅନୁଶୋଚନା ନାହିଁ,ଆସକ୍ତି ନାହିଁ କିନ୍ତୁ ପ୍ରେମ ପୂର୍ଣ୍ଣ ଏ ପୁଣ୍ୟା। ଖୁବ୍ ଖୁସିରେ ଅଛି। ତୁ ଭଲରେ ଥା ,ଖୁସିରେ ଥା ସୁସ୍ଥ ଥା ରୁଦ୍ର। ହଉ ଆସୁଛି। ହୁଏତ ପୁଣି କେବେ ଦେଖା ହୋଇ ପାରେ ଭିଡରେ କେବେ କେମିତି।

    

  ଏକମୁହାଁ ହୋଇ ଦ୍ରୁତପାଦରେ ରୁଦ୍ର ଆଗରୁ ଚାଲିଆସିଲି। ପ୍ରେମର ନୀଳହ୍ରଦରେ ବୁଡି ଯାଉଥିଲି ସମ୍ପୂର୍ଣ୍ଣ।ଆଖିର ସମୁଦ୍ର କିନ୍ତୁ ଛୁଇଁ ସାରିଥିଲା ମୋ ଛାତି।


Rate this content
Log in

Similar oriya story from Romance