ନୀଳ ଚଷମା
ନୀଳ ଚଷମା
ସବୁ ଦିନ ଏମିତି କଲେଜ ଯିବା ଆସିବା ବେଳେ ଗେଟ ପାଖରେ ପାଞ୍ଚ ମିନିଟ ଅଟକି ଯିବା ନିହାତି ଅଭ୍ୟାସଟି ପାଲଟି ଯାଇଥିଲା ରୋହିତର I କେଜାଣି କେମିତି ବର୍ଷା, ଶୀତ, ଖରା, କୌଣସି ଋତୁର ଫରକ ପଡି ନଥିଲା ତାହାର ଏହି ଦୈନନ୍ଦିନ କାର୍ଯ୍ୟକ୍ରମରେ I ହଁ, ପାଗର ଫରକ ନିଶ୍ଚୟ ପଡେ ତାହାର ପରିଧାନ ଉପରେ I କେବେ ସାଦା ଚପଲ ତ ଆଉ କେବେ ଚକଚକ ପୋଲିଶ ହୋଇଥିବା ଜୋତା ଆଉ କେବେ ପୁଣି କାନଭାସ୍ ଜୋତା, ପାଗକୁ ଦେଖିକି ବଦଳୁଥିଲା I କିନ୍ତୁ ସେହି ଗୋଟିଏ ଜିନ୍ସ ପେଣ୍ଟ୍ , ହାଲୁକା ପାଉଁଶିଆ ରଙ୍ଗର, ଅଧା ଫେଡ଼ ହେଇ ସାରିଛି (ଆରମ୍ଭରୁ ନା ବ୍ୟବହାର ଯୋଗୁଁ ଜଣା ନାହିଁ) I ଆଉ ସେହିଟି ସାର୍ଟ; ଫିକା ରଙ୍ଗର, କେବେ ଧଳା, କେବେ ଗୋଲାପୀ, କେବେ ନାରଙ୍ଗୀ କେବେ ପୁଣି ହଳଦିଆ ବେଳେ ପ୍ଲେନ ଗୋଟିଏ ରଙ୍ଗର ବିନା କୋଲାର ବାଲା I କିନ୍ତୁ କାହିଁକି କେଜାଣି ନୀଳ କେବେ ପିନ୍ଧେ ନାହିଁ ! କାରଣଟି ଅତ୍ୟନ୍ତ ଇଣ୍ଟେରଷ୍ଟିଙ୍ଗ ଓ ଭିନ୍ନ, ସେ ଭଲ ପାଏ ନୀଳ ରଙ୍ଗର ଚଷମା ପିନ୍ଧିବାକୁ I "ଚଷମାଟି ଅନ୍ୟ ସବୁ ପୋଷାକ ପତ୍ର ଠାରୁ ଭିନ୍ନ ହେବା ଦରକାର, ଅଲଗା ଲାଗିବା ଦରକାର", ଏହା ଥିଲା ତାହାର ଯୁକ୍ତି I ଅଜବ ଷ୍ଟାଇଲର କଂସେପ୍ଟ ରୋହିତର ! କେବଳ କଲେଜକୁ ଆସିଲା ବେଳେ ହିଁ ପିନ୍ଧେ ସେହି ଚଷମାକୁ I ଅନ୍ୟ ସମୟରେ ଘରେ ହେଉ ବା ବାହାରେ ହେଉ ସାଦା ଚଷମା ପିନ୍ଧେ ଦରକାର ପଡିଲେ, ନଚେତ ନାହିଁ I ବହୁତ କମ ପାୱାର ଅଛି କିନ୍ତୁ ସାବଧାନତା ଦୃଷ୍ଟିରୁ ଚକ୍ଷୁ ଡାକ୍ତର ପିନ୍ଧିବା ପାଇଁ କହିଛନ୍ତି, ଖାସ କରି ପଢିଲା ବେଳକୁ I ତେଣୁ ନୀଳ ରଙ୍ଗର ଟିଣ୍ଟ ଦିଆ ହଳେ ଆଉ ସାଦା ହଳେ ତିଆରି କରେଇଥିଲା ରୋହିତ I ଘରେ ଚଷମାର ମୂଲ୍ୟ ଯୋଗୁଁ ହୋଇଥିବା ପ୍ରତିବାଦକୁ ଖାତିର ନ କରି ନୀଳ ଚଷମାଟି କିଣିଥିଲା I
"ଜାଣିଛୁ ଏଥିରେ ଆକାଶକୁ ଚାହିଁଲେ ତାହାର ରଙ୍ଗ ଗୋଟିଏ ଅନ୍ୟ ରକମ ହେଇ ଯାଏ, ମୁଁ ଦୋକାନରେ ପରୀକ୍ଷା କଲା ବେଳେ ଅନୁଭବ କରିଥିଲି I ବିଜ୍ଞାନ କେତେ ଆଗକୁ ଗଲାଣି କହିଲୁ! ଯାହା ଦେଖିବାକୁ ସାମାନ୍ୟ ତାକୁ ସୁନ୍ଦର କରି ଉପସ୍ଥାପନା କରିବାରେ କୌଣସି ଅସୁବିଧା ନାହିଁ ଆଜିର ଯୁଗରେ", ରୋହିତ କହିଥିଲା ଯେଉଁ ଦିନ ଚଷମା ପିନ୍ଧି ପ୍ରଥମ ଥର କଲେଜ ଆସିଥିଲା I
"ଆଛା, ଏମିତି କଥା, ଭଲ ତୋତେ ଏବେ ସବୁ ବ୍ଲୁ ବ୍ଲୁ ଦିଶିବ I ଓଉଠୁଁ କାଉ ପର୍ଯ୍ୟନ୍ତ ସବୁ କିଛି, " ମୁଁ ହସିକି କହିଥିଲି I
"କିନ୍ତୁ ତୋତେ ତ ବ୍ଲୁ ପସନ୍ଦ ନୁହଁ ସେଥି ପାଇଁ ଏହି ପାଉଁଶିଆ ରଙ୍ଗର ଜିନ୍ସ ପିନ୍ଧି ପିନ୍ଧି ସମସ୍ତଙ୍କୁ ବୋର କରି ସାରିଲୁଣି", ମୁଁ ପୁଣି କହିଲି I
"ନ ମ ସେଇଟା ହେବ ମୋ ଲାଇଫ ପାର୍ଟନର ଡ୍ରେସର ରଙ୍ଗ. ସେ ଜିନ୍ସ ପିନ୍ଧୁ କି ଶାଢ଼ୀ ପିନ୍ଧୁ କି ସ୍କର୍ଟ ପିନ୍ଧୁ କି ସଲ୍ ୱାର ପିନ୍ଧୁ. ବ୍ଲୁ ଆଣ୍ଡ ବ୍ଲୁ ,ଆଇ ଲଭ ୟୁ", ରୋହିତ କହିଥିଲା I
"ହଉ ହେଲା ତୋ ନୀଳବର୍ଣ୍ଣିକୁ ଦେଖିବି ଦିନେ ନ ଦିନେ", ମୁଁ କହିଲି I
"ଦେଖୁଛୁ ତ " ରହିତ କହିଥିଲା I
"ମାନେ," ମୁଁ ବୁଝି ପାରୁନି," ମୁଁ କହିଥିଲି I
"ବୁଝିବୁ ବେଳେବେଳେ ସମୟ ଆସିଲେ. ବ୍ୟସ୍ତ କାହିଁକି ହେଉଛୁ?" ହସିକି ଚାଲି ଯାଇଥିଲା ରୋହିତ I
ଅବଶ୍ୟ ଧୀରେ ଧୀରେ ବହୁତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରଙ୍ଗର ଚଷମା ସବୁ ପିନ୍ଧିବାକୁ ଲାଗିଲେ, ଅଧିକାଂଶ ଗାଡି ମୋଟର ଚଲାଉଥିବା କାରଣରୁ I ତଥାପି ପ୍ରଥମ କରି ଟ୍ରେଣ୍ଡ ଷ୍ଟାର୍ଟ କରିଥିବାର ଶ୍ରେୟ ରୋହିତକୁ ହିଁ ଯାଏ I କେତେ ଜ’ଣ ଷ୍ଟୁଡେଣ୍ଟ ତାକୁ ଡାକନ୍ତ ଆଇଡ ବୟ" ବୋଲି ବି ଡାକିବାକୁ ଲାଗିଥିଲେ ମଝିରେ ଥରେ ଅଧେ I ପାଠ୍ୟକ୍ରମ ଓ ପରୀକ୍ଷା ଭିତରେ ଧୀରେ ଧୀରେ ଚଷମା ଓ ରୋହିତ ଦୁହେଁ ସଭିଙ୍କର ଦୃଷ୍ଟିରୁ ଦୁରେଇ ଯାଇଥିଲେ I କେବଳ ଫେରିଲା ବେଳେ ଓ ଆସିଲା ବେଳେ ତାହାର ସେ ପାଞ୍ଚ ମିନିଟର ଉପସ୍ଥିତି ସମୟରେ ଯାହା ତାହାର ଚଷମାଟା ଆଖିରେ ପଡେ, ତାହା ମଧ୍ୟ ତାହାର ଠିଆ ହେବା ଢଙ୍ଗ ଯୋଗୁଁ I
ମହାବିଦ୍ୟାଳୟ ଗେଟ ସାମ୍ନାରେ ପାହାଡ ଆଉ ସିଏ ଠିଆ ହେଇଥିବା ସ୍ଥାନରୁ ଦେଖିଲେ ଲାଗେ ଯେମିତି ସିଏ ଠିକ ସେ ପାହାଡକୁ ଚାହିଁଛି I ମହାବିଦ୍ୟାଳୟର ରାସ୍ତା ମଧ୍ୟ ଠିକ ପାହାଡ଼ ପର୍ଯ୍ୟନ୍ତ ଲମ୍ବିଛିI ମହାବିଦ୍ୟାଳୟକୁ ଆସୁଥିବା ଓ ମହାବିଦ୍ୟାଳୟରୁ ଫେରୁଥିବା ଲୋକ ମାନେ ଯେମିତି ପାହାଡ଼ରୁ ବାହାରି ଆସନ୍ତି ଓ ପାହାଡ ଭିତରକୁ ଫେରି ଯାଆନ୍ତି. ସେହି ପାହାଡ ଆଡକୁ ଚାହିଁ ରହି ଥାଏ ରୋହିତ ପ୍ରତିଦିନ I ଆମ୍ବ ବଉଳର ସୁଗନ୍ଧ ଭରା ପବନ ହେଉ, କିମ୍ବା ପାଚିଲା ଆମ୍ବର ସ୍ଵାଦ ହେଉ, ଗେଟ ପାଖରେ ଥିବା ଗଛଟିରେ ବଦଳୁଥିବା ପାଗର ତାହା ଉପରେ କୌଣସି ପ୍ରଭାବ ପକେଇ ନଥାଏ. ସିଏ ଶୀଘ୍ର ଆସି ଯାଏ ଅନ୍ୟ ମାନଙ୍କଠାରୁ କିନ୍ତୁ ଶେଷରେ କ୍ଲାସରେ ପ୍ରବେଶ କରେ. ବାହାରିଲା ବେଳକୁ ପୁଣି ସର୍ବ ପ୍ରଥମେ ବାହାରେ ଏବଂ ସମସ୍ତେ ଚାଲି ଗଲା ପରେ ଗେଟରୁ ବାହାରି ଯାଏ I
ଥରେ ଦି’ ଥର ପଚାରିଛି ତାହାକୁ ନୀଳ ଚଷମା ବନେଇବାର କାରଣ I ଏଡେ଼ଇ ଦେଇଛି ପ୍ରତ୍ୟେକ ଥର ସିଏ କିଛି ଗୋଟାଏ ବାହାନା କରିକି I ଏମିତି ତ ଅନେକ କିଛି ଗୋପନୀୟ କଥା ମୋତେ କହିଥାଏ ଆତ୍ମୀୟତାର ସହିତ, କିନ୍ତୁ ଏ ଚଷମାର ରହସ୍ୟଟି କେବେ ଜଣେଇ ନାହିଁ I ଥରେ ଅଧେ ତାହା ଘରେ ଏମିତି ମଜାରେ ମାଉସୀଙ୍କ ସହ କଥାବାର୍ତ୍ତା କଲା ବେଳେ ଦୁହେଁ ମିଶି ତାକୁ ଜେରା କରିଛୁ, କିନ୍ତୁ ସିଏ ନଛୋଡ଼ବନ୍ଦ I କହିବନି ମାନେ କହିବନି I ମୁଁ ମଧ୍ୟ କିଛି ସମୟ ପରେ ଆଉ ଗୁରୁତ୍ଵ ଦେଲିନି, ଯଦିଓ ଅନ୍ୟ ସାଙ୍ଗ ସାଥି ମାନେ ତାହାର ଅତି ଅନ୍ତରଙ୍ଗ ହୋଇଥିବାରୁ ମୋତେ ଅନେକ ସମୟ ପଚରା ଉଚରା କରିଛନ୍ତି I
ଥରେ ଅକସ୍ମାତ କିନ୍ତୁ ହସି ଉଠିଥିଲା ରୋହିତ ସେ ଚଷମା ପିନ୍ଧକି. ପଚାରିଲାରୁ ଧରେଇ ଦେଇଥିଲା
ତାହାର ଚଷମାଟା. ସାମ୍ନାରେ ଯାଉଥିବା ଧଳା ଗାଈଟିକି ଦେଖି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି କିଛି
ସମୟ ପାଇଁ……. I ତା ପରେ ହସି ଉଠିଥିଲି ଆଉ କହିଥିଲି I
"ଏଥର ନୀଳ ବର୍ଣ୍ଣ ଗାଈ" କାହାଣୀଟିଏ ଲେଖିଦେ ତୁ ... I.ଏହି ଯାତ୍ରା ରକମର ଚଷମା କିଣିଛୁ? ଏ ସବୁ ପିଲା
ଦିନେ ରଥଯାତ୍ରା ପିନ୍ଧା ହେଉଥିଲା. ଏଥି ପାଇଁ ଏତେ ପଇସା ଦେଇଛୁ?"
"ତୁ ଯାହା ଭାବୁଛୁ ଭାବେ ମୋର କିଛି କହିବାର ନାହିଁ". I ତାହା ପରେ ସେ ବିଷୟରେ ଆଉ କେବେ ଚର୍ଚ୍ଚା ହୋଇ ନଥିଲା I
ପୋଷ୍ଟ ଗ୍ରାଜୁଏସନର ଦୁଇ ବର୍ଷ କେତେ ଶୀଘ୍ର ଚାଲି ଯାଏ କଳ୍ପନା ମଧ୍ୟ କରି ହୁଏନା. ଛାତ୍ର ଜୀବନର ଏକ ପ୍ରକାର ଶେଷ ସୋପାନ କହିଲେ ଚଳେ I ଆଜି ଫେର ୱେଲ ପାଇଁ ଟିକେ ଡେରି ହେଇ ଯାଇଛି I ମନରେ ଖୁସି ଯେତେ ଦୁଃଖ ସେତେ. ସାଙ୍ଗ ସାଥୀଙ୍କ ସହ ନିଶ୍ଚିତ ରୂପରେ କିଛିଟା ଅଦୃଶ୍ୟ ଶକ୍ତି ବାନ୍ଧି ରଖିଛି ଯାହାକୁ ଭୁଲିଯିବା ଅସମ୍ଭବ I କିନ୍ତୁ ଜୀବନ ଆଉ କର୍ତ୍ତବ୍ୟ ପଥରେ ଆଗେଇବାକୁ ପଡିବ I ଗେଟ ଆଡକୁ ମାଡି ଗଲି ମୁଁ. ଏଠି ରୋହିତକୁ ଅପେକ୍ଷା କରିବି I ନିଶ୍ଚୟ ଆସିବ ଏଠାକୁ... କହିଛି ତ ମୋତେ ଘରେ ଛାଡି ଦେବ ବୋଲି I
ଗେଟ ସାମନାରେ ଠିଆ ହେଲା ବେଳେ ଦେଖା ହେଲା ମାଳତୀ ସହିତ ବହୁତ ପରିଶ୍ରମୀ ଝିଅଟିଏ. ..ଦେଖିବାକୁ ସାଧାରଣ ହେଲେ ମଧ୍ୟ ତାହାର କଥାବାର୍ତ୍ତା ଏବଂ ଚାଲି ଚଳନ ଯୋଗୁଁ ବହୁତ ଆକର୍ଷଣୀୟ ଲାଗେ I ମୁଁ ଅନେକ ସମୟ ତା’ ସହ କଥା ହୁଏ ଭଲ ଜମେତା’ ସହ ମୋର ଗପ ସପ I
" ବହୁତ ବହୁତ ଅଭିନନ୍ଦନ ତମେ ଏତେ ସବୁ ସ୍ଵର୍ଣ୍ଣ ପଦକ ପାଇବ ଆଗାମୀ କସନ କଂଭୋକେସନରେ I ମୋତେ ତ ଭାରି ଇର୍ଷା ଲାଗୁଛି ତୁମର ସଫଳତାରେ", ମୁଁ କହିଲି I
"ଧନ୍ୟବାଦ! ସଫଳତା ପଛରେ ବି ଅନେକ ଦୁଃଖ ରହି ଥାଏ ବେଳେବେଳେ ସେହି ଦୁଃଖ ଆଉ ଯନ୍ତ୍ରଣା ହିଁ ସେଥିରେ ସାହାଯ୍ୟ କରିଥାଏ", ମାଳତୀ କହିଲା I
"ସରି!! ମୁଁ ଜାଣେ ତୁମ ଅତୀତର ଦୁର୍ଘଟଣା ସେଥି ପାଇଁ ତ ଆହୁରି ନିଜକୁ ନିକୃଷ୍ଟ ମନେ କରୁଛି", ମୁଁ କହିଲି I
" ଛାଡ଼ ସେ କଥା I ମୁଁ ଖରାପ ଭାବିନି ସୁଖ ଦୁଃଖ ଜୀବନରେ ଏମିତି ଚାଲି ଥାଏ I କିଏ ଜାଣିଥିଲା ମୋର ବାହାଘର ପର ଦିନ ଏମିତି ହଠାତ କାଳ ବୈଶାଖୀରେ ଗାଁ ଉଜୁଡିଯିବା ଆଉ ତାଙ୍କର ମୃତ୍ୟୁ ହୋଇଯିବ. ନ ହେଲେ ତ ମୁଁ ଏବେ ନିଜର ଘର ସଂସାର କରି ସେମିତି ସ୍ନାତକରେ ହିଁ ଥାଆନ୍ତି Iଏମିତି ଧଳା ଶାଢୀଟିଏ ପିନ୍ଧି ଜୀବନ ସଂଗ୍ରାମରେ ପୁନଃ ଝାସ ଦେଇ ନଥାନ୍ତି I ହଁ ତୁମ ପାଇଁ ସରପ୍ରାଇଜ଼ଟିଏ ଅଛି I ଘରକୁ ଆସିଲେ ଜାଣିବ " ଉତ୍ତର ଦେଲା ମାଳତୀ I
"କ’ଣ କହୁନ", ମୁଁ କହିଲି I
" ଏତେ ଦୂର ମୁଁ ଯାଇ ପାରିବିନି. ଏବେ ପାଠୁଆ ବେକାର ତାଲିକାରେ ନାଆ ଲେଖିଛି ପରା I ଏଥର ଗାଡ଼ିରେ ତେଲ ପାଇଁ ଆଉ ବାପାଙ୍କୁ ପଇସା ମାଗି ହବନି କି ତମ ଘର ଯାଏଁ ଚାଲିକି ଯାଇ ହବନି I ଯୋଉ ତୋ ରହୁଛ ମଫସଲରେ " I
"ତାହା ହେଲେ ରୋହିତକୁ ପଚାର," ମାଳତୀ ଚାଲି ଗଲା ମୁରୁକି ହସଟିଏ ହସି I
ଯାହା ଧୀରେ ଧୀରେ ମାଳତୀ ଚାଲି ଯାଉଥାଏ ଘର ଆଡକୁ. ସୂର୍ଯ୍ୟାସ୍ତର ରଙ୍ଗଟି ଅକସ୍ମାତ ତାହାର ଦେହରେ ଲାଳିମା ବୋଳି ଦେଲା. ସତେ ଯେମିତି ପାରିଟିଏ ଆକାଶକୁ ଉଡି ଉଡି ଯାଉଛି. ଧୀରେ ଧୀରେ,ମୁକ୍ତ ମେଘ ଭଳି. ଅନେକ ଥର କହିଛି ତାକୁ, " ମୋର ଯଦି ଚାକିରୀଟିଏ ଥାଆନ୍ତା ମୁଁ ନିଶ୍ଚୟ ତୁମକୁ ପ୍ରପୋଜ କରି ଥାଆନ୍ତି I ତୁମ ବାପା ରାଜି ହେଇ ଥାଆନ୍ତେ କି?
"ବାପା ତ କେବେ ମନା କରି ନାହାନ୍ତ I. ଏବେ ବି କେତେ ଜ’ଣ ଦେଖିବାକୁ ଆସୁଛନ୍ତି କିନ୍ତୁ ସମୟ ନ ଥିଲା ତେଣୁ ମୁଁ ମଧ୍ୟ ଜଗି ଥିଲି I ଏବେ ଧୀରେ ଧୀରେ ଘରେ ସମସ୍ତେ ଏକ ରକମ ରାଜି ମଧ୍ୟ I ଭଲ ପ୍ରସ୍ତାବଟିଏ ଆସିଲେ ବାହା କରିଦେବେ." I
"ଖାଲି ରୋହିତ ଯଦି ଏହାର ଗୁଣ ଜାଣି ଥାଆନ୍ତ I ମୂର୍ଖଟା ଗୋଟିଏ ଜାତିର ଦୁହେଁ ରୋହିତ ଘରେ ତାହାର ବାହାଘର ପାଇଁ ଗତ ବର୍ଷରୁ ଚାପି ପକେଇଲେଣି ବ୍ୟବସାୟୀ ଲୋକ ଚାକିରୀ ଖୋଜିବାର ଲୋଡ଼ା ନାହିଁ ଗୋଟିଏ ବୋଲି ପୁଅ ବାପା ମା’ ଆଗରୁ କହିଛନ୍ତି ଯାହାକୁ ବାହା ହେଉଛୁ ହେ କିନ୍ତୁ ବାହା ହବୁ ଶୀଘ୍ର ସ୍ଥାନୀୟ ଝିଅ ହେଲେ ଭଲ ଏଠାକାର ଚାଲି ଚାଲାଣ ଶୀଘ୍ର ଶିଖିଯିବ I ମା’ ଆଉ ସବୁ କିଛି ଏକା ସମ୍ଭାଳି ପାରୁନି କେଜାଣି କ’ଣ ଭାବୁଛି ରୋହିତ ପାଠ ପଢି ମଧ୍ୟ ପୁରୁଣା ଚିନ୍ତା ଧାରା ଯାଇନି ବୋଧହୁଏ" ମନେମନେ ଭାବିଲି ମୁଁ I
ପିଠିରେ କାହାର ଥାପୁଡ଼ା ଖାଇ ଫେରି ଚାହିଁଲା ବେଳକୁ ରୋହିତ ଠିଆ ହେଇଛି I
"କିରେ କ’ଣ ଭାବୁଛୁ?", ପଚାରିଲା ରୋହିତ I
"କିଛି ନୁହଁ ମା’ ମୁଁ ଭାବୁଛି, ଯଦି ବାହା ହେବି ମୋ ଲାଇଫ ପାର୍ଟନର ଏହି ସୂର୍ଯ୍ୟାସ୍ତ ରଙ୍ଗର ପୋଷାକ ପିନ୍ଧିବି ନା ଗୋଲାପୀ, ନା ନାରଙ୍ଗୀ, ନା ହଳଦିଆ ଏକ ରକମ ମିଶାଅ ମିଶି," ମୁଁ ଜବାବ ଦେଲି I
"ଓ କେ ବ୍ରୋ..... ଶୀଘ୍ର ଚାକିରୀ ଖଣ୍ଡେ ପାଇଯା’ ଭଗବାନ ପାଖରେ ଏତିକି ପ୍ରାର୍ଥନା ଚାଲ ତୋତେ ଘରେ ଛାଡି ଆସିବି I ବାପାଙ୍କୁ ନେଇକି ଯିବାକୁ ପଡିବ ପୁଣି ତା ପରେ." I
"କୁଆଡେ", ମୁଁ ପଚାରିଲି I
"କାଲି ଘରକୁ ଆ’, ବୋଉ ଡାକିଛି ବୋଉ ସବୁ କହିବ." I
"କିରେ ଲୁଚାଉଛୁ କ’ଣ? ସେ ମାଳତୀ ମଧ୍ୟ ଏମିତି କିଛି ଗୋଟେ କହିକି ଗଲା?"ମୁଁ କହିଲି I
"ଆରେ ହେ, ହଁ ମାଳତୀ ଗଲା କୁଆଡେ?"
ରୋହିତ ପଚାରିଲା ମୁଣ୍ଡରେ ହାତ ମାରୁମାରୁ I
"ସିଏ ତ ଚାଲି ଗଲାଣି ଦଶ ମିନିଟ ହେଲାଣି ", ମୁଁ ପୁଣି ଜବାବ ଦେଲି I
"ଧେତ୍ ଆଜି ପ୍ରଥମ ଥର ପାଇଁ ମିସ ହେଲା ହଉ ଯାଇ ଯାଇ ଯିବ କୁଆଡେ. ଏଣିକି ଆଉ ଦରକାର ପଡ଼ିବନି
ଏମିତିରେ ବି" I
"କ’ଣ ଦରକାର ପଡ଼ିବନି?" ମୁଁ ପଚାରିଲି I
"ଏଇଟା, ପାୱାର ନଥିଲେ ତୋତେ ଉପହାର ଦେଇ ଥାଆନ୍ତି, ଗାଡି ଷ୍ଟାର୍ଟ କରୁକରୁ ରୋହିତ କହିଲା, ପଛରେ ବସୁବସୁ ମୁଁ ତା ହାତରେ ଧରିଥିବା ଚଷମାଟାକୁ ଛୁଇଁଲି I
ନୀଳ କାଚର ଚଷମାଟି କାହିଁକି କେଜାଣି ଶୀତଳ ଲାଗୁଥିଲା I
ଆକାଶରୁ ଗୋଲାପୀ ରଙ୍ଗ ଉଭେଇବାକୁ ଲାଗିଥିଲା I ମୁଁ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲି ଆଗାମୀ ସଂଗ୍ରାମ ପାଇଁ ଜୀବନର ବଢୁଥିବା ଅନ୍ଧାର ସହିତ I
"ତୋ ପାଖେ ରଖିଥା. କହୁକହୁ ତା ପକେଟରେ ଚଷମା ରଖିଦେଲି" I
"ବାପା ରାଜି ମୋ ପ୍ରସ୍ତାବରେ. ଜାଣେ ତୁ ବି ଖୁସି ହେବୁ" ପଛକୁ ଚାହିଁ କହିଲା ରୋହିତ.
"କୋଉ କଥା?", ମୁଁ ପଚାରିଲି I
"ମୋ ବାହାଘର କଥା", ରୋହିତ ଉତ୍ତର ଦେଲା, " ମୁଁ ରାଜି ସମସ୍ତେ ଖୁସି" I
"ଓଃ ଏଥି ପାଇଁ " ମୋ କଥା ନ ସରୁଣୁ ରୋହିତ କହିଲା I
"ବୁଝିଗଲୁ ତାହା ହେଲେ?"
"ହଁ", ମୁଁ କହିଲି I
" ମୁଁ ତୋ ପାଇଁ ବହୁତ ଖୁସି ତୋହର ସବୁ ଖୁସିରେ ମୋର ଖୁସି" I
ଆଖି ବୁଝିକି ବସିଥିଲି ମୁଁ. ମାଳତୀର ମୁହଁଟି ଭାସି ଆସିଲା. କାହିଁକି କେଜାଣି ମାଳତୀର
ହସଟି ଟିକେ ଟିକେ ଆପଣାର ଆଉ ଟିକେ ଟିକେ ପର ଲାଗିବାରେ ଲାଗିଥିଲା…….I