Upendra Mahala

Drama Inspirational Children

4  

Upendra Mahala

Drama Inspirational Children

ନାଲି ଜରି ଚଷମାର ଦୁଃଖ

ନାଲି ଜରି ଚଷମାର ଦୁଃଖ

6 mins
283




ଦିନଥିଲା ମେଳା ମହୋତ୍ସବରେ ପିଲାଙ୍କ ଲାଗି ନାଲି ନେଳି ରଂଗର ଜରି ଚଷମା ମିଳୁଥିଲା। ଫେରିବାଲା ବିକୁଥିଲେ। ଆଜିକାଲି ମିଳୁଛି ନାନା ରଂଗର ପ୍ଲାଷ୍ଟିକ ଚଷମା। ଜରି ଚଷମା ଥଲା ନିଆରା, ଶସ୍ତା ଆଉ ଅ।କର୍ଷଣୀୟ। ପିଲାଙ୍କ ଆଖିରେ କୁହୁକ ଲଗାଏ ରଂଗ।

ଥରେ ଜେଜେମା, ଜେଜେବାପା ଓ ସାହି ଲୋକଙ୍କ ସହ ଭଦ୍ରକର ପ୍ରସିଦ୍ଧ ଚରମ୍ପା କାଳୀପୂଜା ଦେଖିବାକୁ ଯାଇଥିଲି। ମେଳା ବୁଲିବା ବେଳେ ହଳେ ନାଲି ଜରି ଚଷମା, କେତୋଟି ବେଲୁନ ଓ ବମ୍ବେଇ ଲଡୁ କିଣିଥିଲି। ମେଳା ବୁଲି ଘରକୁ ଫେରି ନ ପାରି ରାତିରେ 'ହନୁମାନ ହାଟ' ଚାଳିଅ।ରେ ଶୋଇପଡିଲୁ। ଭୋର ସମୟରୁ ଉଠି ସମସ୍ତେ ଚାଲିଚାଲି ନଅ କି.ମି. ଦୂର ଗାଁକୁ ଫେରିଲୁ। ମେଳାରୁ କିଣିଥିବା ନାଲି ଜରି ଚଷମା ପିନ୍ଧି , ହାତରେ ବେଲୁନ ଧରି ମୁଁ ଖୁସିରେ ଡେଇଁ ଡେଇଁ ବାଟ ଚାଲୁଥାଏ। ମାଟିରୁ ଆକାଶଯାଏ ଗାଁଗଣ୍ଡା, ଗଛବୃଚ୍ଛ ଓ ବାଟଚଲା ମଣିଷଙ୍କ ଚେହେରା ବେଶ୍ ରଂଗିନ ଦିଶୁଥାଏ। 

ଜରି ଚଷମାର ଗଢଣ ନିଆରା। ଏହାର ଆକୃତି ମହାତ୍ମା ଗାନ୍ଧୀ ପିନ୍ଧୁଥିବା ଗୋଲ ଚଷମା ଭଳି। ମୋଟା କାଗଜକୁ ଅଠାରେ ଯୋଡି ଦୁଇଟି ଗୋଲ ସିଲିଣ୍ଡର ବନାଇ ଗୋଟିଏ ପଟ ମୁହଁରେ ପତଳା ନାଲି ଜରି ଅଠାରେ ଲଗା ଯାଇଥାଏ। ନାକ ଅଗରେ ନାଖିବା ଭଳି ଲାଗିଥାଏ ବଙ୍କା କାଗଜ ଖଣ୍ଡେ। କାନରେ ପିନ୍ଧିବା ଲାଗି ସୂତା ଭଳି ଦୁଇଟି ସରୁ ଇଲାଷ୍ଟିକ ରବର।

ସାହି ଲୋକେ ଆସି ଗାଁ ଛକରେ ପହଞ୍ଚିବା ମାତ୍ରେ ସାଂଗମାନଙ୍କୁ ଅ।ଗ ଚଷମା ଦେଖାଇବାକୁ ଘର ଅ।ଡକୁ ଧାଇଁଲି। ସେତେବେଳେ ବାଡି ପୋଖରୀରୁ ଗାଧୋଇ ସାରି ପଡିଶା ଘର ପିଇସିଙ୍କ ଝିଅ ଅହଲ୍ୟା ଖଣ୍ଡେ ନାଲି ଗାମୁଛାକୁ ଶାଢି ଭଳି ପିନ୍ଧି ଅଣ୍ଟାରେ ପାଣିଭର୍ତ୍ତି କଂସା ନୋଟା ଜାକି ଘରକୁ ଫେରୁଥିଲା। ମୋ ନାଲି ଚଷମା ଦେଖି କୁରୁଳି ଉଠି କହିଲା "ଭାଇ ବହୁତ ଭଲ ହୋଇଛି । ମୋତେ ଦେଖାଅନା।" ଏତକ କହୁ କହୁ ଖୁସିରେ ଆଙ୍ଗୁଳିରେ ଚଷମାକୁ ଛୁଇଁ ଦେବା ବେଳେ ଦୁଇଟିଯାକ ଜରି କଣା ହୋଇଗଲା। ଚଷମା ହାଲ ଦେଖି କାନ୍ଦି ପକାଇଲି। ରାଗରେ ତା ଚୁଟି ଟାଣି ଦେହ ସାରା ଆମ୍ପୁଡି ପକାଇଲି। ସେ କାନ୍ଦିକାନ୍ଦି ଘରକୁ ଗଲା।

ମୁଁ ମନ ଦୁଖରେ ଘରକୁ ଯାଇ ଶୋଇବା ଘର ଭିତରପଟୁ କବାଟ ବନ୍ଦ କରି ରହିଲି। ଅହଲ୍ୟାର ବିକଳ ଅ।ଖି ଲୁହ ମୋତେ ବିଚଳିତ କରୁଥିଲା। ନିର୍ମାୟା ଅ।ଖି ଲୁହରେ ଏମିତି କି ମାୟା ଥାଏ କେଜାଣି ! ଯେଉଁ ଲୁହରେ ହୃଦୟକୁ ଦେଖିହୁଏ, ଅନ୍ୟର  ଅ।ତ୍ମାକୁ ଚିହ୍ନିହୁଏ। 

ପଶ୍ଚାତାପର ଲୁହ ମୋ ଅ।ଖିରୁ ଝରି ଅ।ସୁଥିଲା !!

ଆମ ସାହିରେ ଘରଜ୍ବାଇଁ ହୋଇ ରହୁଥିବା ଅହଲ୍ୟାର ବାପା ତା' ଲହୁଲୁହାଣ ଅବସ୍ଥା ଦେଖି ରାଗରେ ତମତମ। ତାକୁ ସାଥିରେ ଆଣି ମୋ ବାପାଙ୍କ ଆଗରେ ଫେରାଦ ହେଲେ। ଅହଲ୍ୟା କିପରି ଖଣ୍ଡିଅ।ଖାବରା ହୋଇଛି ଦେଖାଇଲେ।

ବାପା ଚିଡି ଉଠି ମୋ ଉପରେ ପାଟିକଲେ। ମୁଁ ଡରେ ଧାନ ରଖାଯାଉଥିବା ଏକ ଖାଲି ଡୋଲି ଭିତରେ ଲୁଚିପଡିଲି। କେହି ଖୋଜି ପାଇଲେନି। ବାପା କହିଲେ, " ସେ ଆସୁ ତାକୁ ଦେଖିବି ।" ଅହଲ୍ୟା ଓ ତା' ବାପା ଫେରିଗଲେ। ଢେର ସମୟ ବିତିଗଲା। ଭୋକ ଲାଗିବାରୁ ଡୋଲିରୁ ବାହାରି ବୋଉ ପାଖକୁ ଚାଲିଗଲି।

ଅହଲ୍ୟା ଘରକୁ ନ ଯିବାକୁ ବାପା ତାଗିଦ କରିଥିଲେ। ଦୁଇଦିନ ଯାଏ ଘରୁ ବାହାରିଲିନି କି ସାଂଗଙ୍କ ସହ ଖେଳିବାକୁ ଗଲିନି। ପରଦିନ ଚୁପଚାପ ସ୍କୁଲ ଗଲି। ସେଠି ଅହଲ୍ୟା ସହ ଭେଟ ହେଲା, କଥା ହେଲିନି। ଘରକୁ ଫେରି ଖାଇ ସାରି ଗାଁ ଦାଣ୍ଡକୁ ଖେଳିବାକୁ ବାହାରି ଗଲି। ଅନ୍ୟ ସାଂଗ ଆସି ମିଶିଲେ। ଅହଲ୍ୟା ଆସି "ଭାଇ ରାଗିଛୁ କି" ପଚାରି ଉତ୍ତରକୁ ଅପେକ୍ଷା ନ କରି ମୋ ସହ  ଖେଳିଲା। ମୁଁ ତା' ନିରୀହ ଅ।ଖିକୁ ଚାହିଁ ସମ୍ମୋହିତ ହେ।ଇଗଲି। ପକେଟରେ ରଖିଥିବା ଦୁଇଟି ନାଲିନେଳି ଗୋଲି ଚୁଚୁମାରୁ ଗୋଟିଏ ତା' ହାତକୁ ବଢାଇଦେଲି। ଖୁସିରେ "ମୋ ଭାଇ" ବୋଲି କହି ହାତକୁ ଜାବୁଡି  ଧରି ତା ଗାଲରେ ନେସି ପକାଇଲା।

ଆମେ ଦୁହେଁ ଥିଲୁ ପିଲା ଦିନର ଖେଳସାଥୀ। ଅହଲ୍ୟା ବର୍ଷେ କି ଦୁଇବର୍ଷ ସାନ ହେବ। ବୟସ ସାତ କି ଆଠ। କେହି କାହାକୁ ନ ଦେଖିଲେ ରହି ପାରୁନା।

ସପ୍ତମ ଶ୍ରେଣୀ ପାସ୍ ପରେ ଅହଲ୍ୟାର ପାଠପଢା ବନ୍ଦ  ହୋଇଗଲା। ଅ।ଗକୁ ବଢିବାର ସ୍ବପ୍ନ ସେତିକିରେ ଅଟକିଗଲା। କିଛି ବର୍ଷ ପରେ ଦୂର ଗାଁରେ ତା' ବାହାଘର ହୋଇଗଲା।


ମୁଁ ହାଇସ୍କଲରେ ପଢୁଥିବା ବେଳେ ମୋ ବାପା ଗାଁରେ "ମା' ବାସୁଳେଇ ଅପେରା" ନାମକ ଯାତ୍ରାପାର୍ଟି ଆରମ୍ଭ କରିଥିଲେ। ଅହଲ୍ୟାର ବାପା ସେଥିରେ ପାର୍ଶ୍ବ ଚରିତ୍ର ଭାବେ ଅଭିନୟ କରୁଥିଲେ। ଥରେ ଗାଁରେ ଯାତ୍ରା ମଞ୍ଚସ୍ଥ ହେଲା। ଭଦ୍ରକର ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଓ ନାଟ୍ୟକାର ଉମାକାନ୍ତ ବେହେରାଙ୍କ ନାଟକ ଅଭିନୀତ ହେଲା। ଅହଲ୍ୟା ବି ବସି ଯାତ୍ରା ଦେଖିଥିଲା। ନାଟକ ମଝିରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଦଣ୍ଡନୃତ୍ୟ ପରିବେଷଣ କରାଗଲା। ସଂଗୀତ ଓ କଳାକାରଙ୍କ ନୃତ୍ୟ ମୋ ମନ ମୋହି ନେଲା।

ନାଲି ଜରି ଚଷମା ରଂଗଠୁଁ ବଳି ମାୟା ଲଗାଉଥିଲା ମୁକ୍ତ
ଯାତ୍ରାମଞ୍ଚ। ଅ।ଖି ସମ୍ମୋହିତ ହୋଇ ଯାଉଥିଲା। ନାଚଗୀତରେ ଦର୍ଶକ ଝୁମୁଥିଲେ। ଚରିତ୍ରଙ୍କ ହସରେ ହସୁଥିଲେ ଓ କାନ୍ଦରେ
ଅ।ଖିରୁ ଲୁହ ପୋଛୁଥିଲେ।

ଆଗରୁ ପଣା ସଂକ୍ରାନ୍ତି ବେଳେ ଗାଁରେ ପାଟୁଆ ନାଚ ହେଉଥିଲା। ଢୋଲିଆ, ମହୁରିଆ ବାଜା ବଜାଇବା ବେଳେ ଜଣେ ଗୀତ ବୋଲୁଥିଲେ। ମୁଖ୍ୟ ପାଟୁଆ କଳାଶାଢି ପିନ୍ଧି ନାରୀ ବେଶରେ ସାହି ସାହି ବୁଲି ନାଚୁଥିଲେ। ଏହି ନାଚଗୀତକୁ ନୂଆ ରୂପ ଦେଇ ଦଣ୍ଡନୃତ୍ୟ ଭଳି ଯାତ୍ରାମଞ୍ଚରେ ପରିବେଷଣ କରାଯାଇ ପାରିବ କି ଚିନ୍ତାକରି ମୁଁ ଗୀତଟିଏ ଲେଖିଲି। ବାପାଙ୍କୁ କିଛି ନ କହି ଯାତ୍ରାପାର୍ଟିର ନାରାୟଣ ମାଷ୍ଟ୍ରେଙ୍କୁ ଦେଖିବା ସକାଶେ  ବଢାଇଦେଲି।

ସେସମୟରେ ଗାଁର ଯୁବଗୋଷ୍ଠୀ ମଶି ଯୁବକ ସଂଘ ଗଢିଲେ। ମୁଁ ଜଣେ କର୍ମକର୍ତ୍ତା ମନୋନୀତ ହେଲି। ସଂଘ ପକ୍ଷରୁ ତ୍ରୈମାସିକ ସାହିତ୍ୟ ପତ୍ରିକା ବାହାର କରିବାକୁ ନିଷ୍ପତ୍ତି ନିଅ।ଗଲା। ନାଁ ରଖାଗଲା "ଗାଁ କନିଅର।" ମୋ ବାଲ୍ୟବନ୍ଧୁ କବି ହୃଷୀକେଶ ମଲ୍ଲିକ ସବୁ ଦାୟିତ୍ବ ବୁଝୁଥିଲେ। ଶରତକୁମାର ପତି ଓ ଅନ୍ୟ କେତେଜଣ ସହଯୋଗ କରୁଥିଲେ। ମୁଁ ଥିଲି ପତ୍ରିକାର ମୁଖ୍ୟ ସମ୍ପାଦକ। ମୁଖବନ୍ଧ ଲେଖିଥିଲେ ବିଶିଷ୍ଟ କବୟିତ୍ରୀ ପ୍ରତିଭା ଶତପଥୀ। ପ୍ରଥମ ସଂଖ୍ୟାରେ ମୋର ଗୋଟିଏ ପ୍ରଥମ ଆଧୁନିକ କବିତା ଓ କ୍ଷୂଦ୍ରଗଳ୍ପ ପ୍ରକାଶ ପାଇଥିଲା ।

ଥରେ ବନ୍ଧୁ ହୃଷୀକେଶ ମଲ୍ଲିକ ଓ ମୁଁ  ଭଦ୍ରକରୁ ସନ୍ଧ୍ୟାରେ ବାହାରି ରାତି ନଅଟା ବେଳେ ଗାଁରେ ପହଞ୍ଚିଲୁ। ଗାଁ ଛକରେ ଦେଖିଲୁ ମେଳଣ ପଡିଆରେ ପେଟ୍ରୋମାକ୍ସ ଲାଇଟ ଜଳୁଛି। ମାଇକରେ ପ୍ରଚାର ଚାଲିଛି ଅ।ଜିର ନାଟକ "ଛତ୍ରପତି ଶିବାଜୀ।" ଚରମ୍ପା ବଜାରର ହୋଟେଲରୁ ଖାଇ ଆସିଥିବାରୁ ଯାତ୍ରା ଦେଖିବାକୁ ଗଲୁ। ଆମେ ଥିଲୁ ପାଠୁଅ। ପିଲା। ଆୟୋଜକମାନେ ସମ୍ମାନର ସହ ଦୁଇଟି ଚେୟାର ଆଣି ଦେଲେ। ବସିଲୁ। ନାଟକ ଆରମ୍ଭ ବେଳକୁ ପଡିଆ ଲୋକାରଣ୍ୟ ହୋଇ ସାରିଥିଲା। ସେତେବେଳେ ଯାତ୍ରା ଥିଲା ମନୋରଞ୍ଜନର ଏକମାତ୍ର ମୁଖ୍ୟ ମାଧ୍ୟମ।

ନାଟକ ମଝିରେ ଡୁଏଟ ଓ ନାଚଗୀତ ପରିବେଷଣକୁ ଦର୍ଶକମାନେ ଟାକି ବସିଥାନ୍ତି। ହଠାତ୍ ମାଇକରେ ଘୋଷଣା କରାଗଲା , "ଆଜି
ଅ।ପଣଙ୍କ ମନୋରଞ୍ଜନ ଲାଗି ପାରମ୍ପରିକ ଲୋକକଳା 'ପାଟୁଅ। ନାଚ" ପରିବେଷଣ କରୁଛୁ। ଗୀତ ରଚନା କରିଛନ୍ତି ଉପେନ୍ଦ୍ର
ମହଲା ।" ଏସମ୍ପର୍କରେ ଆଗୁଅ। ସୂଚନା ପାଇ ନ ଥିବାରୁ ଚମକି ଉଠିଲି। ବନ୍ଧୁ ହୃଷୀକେଶ ବାବୁ କହିଲେ, "ତୁ ଯାତ୍ରା ଲାଗି ଲେଖାଲେଖି କଲୁଣି କି ? ଅଭିନନ୍ଦନ।" ମୁଁ ଧନ୍ୟବାଦ ଜଣାଇ ନୀରବ ରହିଲି।

ପାଟୁଆ ନୃତ୍ୟ କିଭଳି ମଞ୍ଚସ୍ଥ ହେବ ଦେଖିବାକୁ ଉତ୍ସୁକତାର ସହ
ଚାହି ରହିଲି। ପାରମ୍ପରିକ ଡ୍ରେସ ପିନ୍ଧି ନାରୀବେଶୀ ମୁଖ୍ୟ ପାଟୁଅ। ଓ ଛଅ ନୃତ୍ୟାଙ୍ଗନା ମଞ୍ଚକୁ ଆସିଲେ। ସେତେବେଳେ କେହି ଝିଅ ଯାତ୍ରାରେ ଅଭିନୟ କରୁ ନ ଥଲେ। ପୁଅମାନେ ଝିଅ ବେଶ ହେଉଥଲେ। ବନ୍ଦନାରୁ ଅ।ରମ୍ଭ ହୋଇଥିଲା ପାଟୁଆ ନୃତ୍ୟ। ମୁଖୁଡା ଥିଲା - " ପ୍ରଥମେ ବନ୍ଦିଲି ଦେବୀ ବାସୁଳେଇ, ଦ୍ବିତୀୟେ ବାଲୁଙ୍କେଶ୍ବର ......।"

ନୃତ୍ୟଗୀତର ସଂଯୋଜନା ଦର୍ଶକଙ୍କ ମନ ଛୁଇଁଥିଲା। ଯାତ୍ରା ଭାଂଗିବା ପରେ ବହୁ ଦର୍ଶକ ମୋତେ ଶୁଭେଚ୍ଛା ଜଣାଇଲେ। ଯାତ୍ରାମଞ୍ଚର ମାୟା ମୋତେ ସାରସ୍ବତ ଜଗତ ଆଡକୁ କ୍ରମେ ଟାଣି ନେଇଥିଲା। ବାପଘରକୁ ବୁଲି ଆସି ଯାତ୍ରା ଦେଖୁଥିବା ଅହଲ୍ୟା "ପାଟୁଅ। ନାଚ ଭଲ ଲାଗିଲା" ବୋଲି କହିଲା ।

ଅ।ଗରୁ ଅ।ମ ସାହିରେ ଅଷ୍ଟ ପ୍ରହରୀ ହେଲେ ପିଲାମାନେ ରାଧାକୃଷ୍ଣ ବେଶ ହେଉଥିଲେ । ଅହଲ୍ୟା ନିଜେ ରାଧା ହୋଇ ନାଚୁଥିଲା। କଳାପ୍ରତି ତା' ମନରେ ଏକ ଭିନ୍ନ ଅ।କର୍ଷଣ ଭରି ରହିଥିଲା।

ଅହଲ୍ୟାର ବାହାଘର ପରେ ଅନୁରୋଧ କାଟି ନ ପାରି ଥରେ ତା' ଶାଶୁଘରକୁ ଯାଇ ବୁଲି ଆସିଥିଲି। ସେ ଭଲରେ ଓ ଖୁସିରେ ଥିବା ଦେଖି ଫେରିଥିଲି।

ପରେ ସେ ଚାରିଟି ଝିଅ ଓ ପୁଅଙ୍କ ଜନନୀ ହେବା ଶୁଣିଥିଲି। କିଛି ବର୍ଷ ଅନ୍ତେ ପକ୍ଷାଘାତରେ ଅ।କ୍ରାନ୍ତ ହୋଇ ତାଙ୍କ ସ୍ବାମୀ ପ୍ରାଣ ହରାଇଲେ। ଅସହାୟ ହୋଇଗଲା ଅହଲ୍ୟା। ମୁଣ୍ଡ ଉପରେ ଲଦି ପଡିଲା ସଂସାରର ବୋଝ। ଦୁଇ ଝିଅ ଅଧାରୁ ପାଠ ଛାଡି ପେଟ ପୋଷିବାକୁ ଯାତ୍ରାପାର୍ଟିରେ ଯୋଗ ଦେଲେ। ପିଲାଦିନୁ କଳାକୁ ଅ।ଦର କରୁଥିବା ଅହଲ୍ୟା ସେମାନଙ୍କୁ ଅନୁମତି ଦେଇଥିଲା। ଅବଶ୍ୟ ସେତେବେଳକୁ ଝିଅମାନେ ସଂସାର ରଂଗମଞ୍ଚ ଛାଡି ଯାତ୍ରାମଞ୍ଚ ଉପରକୁ ଓହ୍ଲାଇ ଅ।ସି ସାରିଥିଲେ। ଗରିବ ଘର ଝିଅମାନେ ପେଟ ପୋଷିବାକୁ ଅଭିନୟ କଳାକୁ ବୃତ୍ତି ଭାବେ ଅ।ଦରି ନେଇଥିଲେ।

ଭୁବନେଶ୍ବରରେ ସାମ୍ବାଦିକତା ବୃତ୍ତିଗତ ବ୍ୟସ୍ତତା ଯୋଗୁ ଅନେକ ବର୍ଷ ଧରି ଯାତ୍ରା ନାଟକ ଦେଖିପାରି ନ ଥିଲି। ଥରେ ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ମିଶି ନୂଅ। ଶୈଳୀରେ ମଞ୍ଚସ୍ଥ ଯାତ୍ରା ନାଟକର ରିଭ୍ୟୁ କରିବା ଲକ୍ଷ୍ୟରେ ଖଣ୍ଡଗିରି ମେଳାରେ ଅପେରା ଦେଖି ଯାଇଥିଲୁ। ଚାକଚକ୍ୟପୂର୍ଣ୍ଣ ସାଜସଜ୍ଜା, ଟିକେଟ କାଉଣ୍ଟର, ହୀରୋ ହୀରେଇନଙ୍କ ମାଳମାଳ ପୋଷ୍ଟର ଆଖି ଝଲସାଉଥିଲା। ଦୁଇଟି ପ୍ୟାଣ୍ଡେଲ। ନାଲିନେଳି ଆଦି ରଂଗର ଫୋକସ ଲାଇଟର ଝଲକରେ ନାଟକ ଆରମ୍ଭ ହେଲା। ଫିଲ୍ମ ଢଂଗରେ ସଂଳାପ, ଅଭିନୟ, ନାଚଗୀତ ଅ।କର୍ଷଣ ସୃଷ୍ଟି କରୁଥିଲା। ବିଗତ ଦିନର ମୁକ୍ତମଞ୍ଚ ଯାତ୍ରାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଓ ଫେଶନ ଥିଲା। ହିରୋଇନ ଭାବେ ଚଷମା ପିନ୍ଧି ଅଭିନୟ କରୁଥିବା ଝିଅଟି ଉପରେ ଆଖି ପଡିଲା। କିଶୋରୀ ବେଳର ଅହଲ୍ୟା ଭଳି ଭାରି ସରଳ ଦିଶୁଥିଲା ତା ମୁହଁ !!

ଯାତ୍ରା ସରିବା ପରେ ଗ୍ରୀନରୁମ ପାଖକୁ ଯାଇ କର୍ମକର୍ତ୍ତାଙ୍କୁ ନିଜ ପରିଚୟ ଦେଇ ହିରୋଇନଙ୍କୁ ଭେଟିବାକୁ ଚାହିଁଲି। କିଛି ମସୟପରେ ଝିଅଟି ଆସିଲା। କୌଣସି ସଙ୍କୋଚ ନ କରି ପଚାରିଲି " ତୁମେ ଅହଲ୍ୟାଙ୍କ ଝିଅକି?" ବିସ୍ମୟରେ ଅ।ଖିରୁ ଚଷମା ଖୋଲି ଦଣ୍ଡେ ଚାହିଁଲା ଝିଅଟି। କହିଲା-"ହଁ, ହଁ ଅଙ୍କଲ ମୁଁ ଜାଣି ପାରୁଛି ?" ମୋତେ ପ୍ରାୟ ଦେଖି ନ ଥିବା ଝିଅଟି ମୋ ଡାକ ନାଁ କହିବାରୁ ଅ।ଶ୍ଚର୍ଯ୍ୟ ହୋଇଗଲି। ଝିଅଟି ପାଦଛୁଇଁ ଜୁହାର ହେଇ କହିଲା " ବୋଉଠାରୁ ସବୁ ଶୁଣିଛି। ତୁମେ ଭୁବନେଶ୍ବରରେ ରହୁଥିବା ଜାଣିଛି। ପିଲାଦିନ ଯାତ୍ରାପାର୍ଟି ଓ ଜରିଚଷମା କଥା ଶୁଣିଛି।"

ପଚାରିଲି, " ଅହଲ୍ୟା କିପରି ଅଛି ?"  ଝିଅଟିର ଉତ୍ତର ମେ।ତେ ମର୍ମାହତ କରିଦେଲା। କହିଲା, " ଏବେ ସେ ଜୀବନ୍ତ
ପାଷାଣୀଟିଏ। ବାପାଙ୍କ ମୃତ୍ୟୁ ପରେ ବହୁତ ଭାଂଗିପଡିଛି।
ଆମେ ଦୁଇ ଭଉଣୀ ଦୁଇଟି ଅପେରାରେ ଅଭିନୟ କରୁଛି। ଯାହା ରୋଜଗାର କରୁଛୁ ଘରକୁ କିଛି ପଠାଉଛୁ। ବୋଉ କଷ୍ଟେମଷ୍ଟେ ଚଳୁଛି। ଏଠି ମନର ଦୁଃଖକୁ ଚାପି ମଞ୍ଚରେ ହସି ଅଭିନୟ
କରିବାକୁ ପଡୁଛି।"

ଝିଅଟିର ଅ।ଖି ଛଳଛଳ ହୋଇଗଲା। ଅ।ଉ କିଛି କହି ପାରିଲାନି।

ତା'ଠାରୁ ଜୀବନ ସଂଘର୍ଷର କାହାଣୀ ଶୁଣି ଅଧିକ କିଛି ପଚାରିକୁ ସାହସ ଜୁଟାଇ ପାରିଲିନି। ସେକେଣ୍ଡ ଶୋ' ଲାଗି ସେ ତରବର ଥିଲା। ଅଳ୍ପ ସମୟ କଥା କହି ବିଦାୟ ନେବା ବେଳେ କହିଲା " ଗାଁକୁ ଗଲେ ଆମ ଘରକୁ ଯିବେ।"

ଆସିବା ବେଳେ କହଲି , ' ମା' ଭଲରେ ଥାଆ । ତୋ ଅଭିନୟ କଳା ଦେଖି ମୁଗ୍ଧ ହୋଇଛି। ଠାକୁରେ ତୋର ମଙ୍ଗଳ କରନ୍ତୁ।"

ଫେରି ଆସିଲି ରଂଗମଞ୍ଚର ରଂଗିନ ମାୟାଜଗତ ଛାଡି ବାସ୍ତବ ଦୁନିଆକୁ। ନାଲି ଜରି ଚଷମାର କାହାଣୀ ଓ 'ଜୀବନ୍ତ ପାଷାଣୀ ଅହଲ୍ୟା'ର କରୁଣ ଛବି ମନକୁ ଆଲୋଡିତ କରୁଥିଲା। ସମୟର ତାଡନାରେ ହଜିଯାଉଥିବା 'ମଧୁର ସମ୍ପର୍କ'ର ସ୍ମୃତି ଓ ରଂଗିନ ମଞ୍ଚ ପଛର କାହାଣୀ ଆଖିକୁ ଓଦା କରୁଥିଲା।

*******



Rate this content
Log in

Similar oriya story from Drama