ମ୍ୟାଲେରିଆ
ମ୍ୟାଲେରିଆ


୧ମ ଦୃଶ୍ୟ-:
(ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛ ଭାରତ ସ୍ଲୋଗାନ ଦେଇ ଦେଇ ଗ୍ରାମ ପରିକ୍ରମା କରୁଥାନ୍ତି)
ଗରିବ: କଣ, ତୁଚ୍ଛାଟାରେ ସ୍ୱଚ୍ଛ ଭାରତ ସ୍ୱଚ୍ଛ ଭାରତ ଲଗେଇଛନ୍ତି ଏଇ ପିଲାମାନେ! ମଣିଷ ଖାଇବାକୁ ମୁଠାଏ ପାଇବା କଷ୍ଟକର ହେଇପଡୁଛି, ଆଉ ଏମାନେ ଅଳିଆ ସଫା କରିବା କଥା କହୁଛନ୍ତି।
ମଥୁରା: ଏ ପିଲାମାନେ; ଏଠି ଅଳିଆ ପୋଡନି, ଘରକୁ ଧୂଆଁ ଆସୁଛି।
ଗରିବ: ପାଠ ପଢା ଛାଡି, ଏଇସବୁ ଅଳିଆ ଆବର୍ଜନା ସଫା କଲେ, ଖାଲ ଖମା ପୋତିଲେ କଣ ମିଳିବ ତମକୁ? (ପିଲାମାନେ ଗରିବର କଥା ଶୁଣିପାରନ୍ତିନି। ସେମାନେ ଅଳିଆ ସବୁ ଗୋଟିଏ ଜାଗାରେ ପୋଡି ଦେଇ ଚାଲିଯାଆନ୍ତି)
(ଶୁକ୍ରୁର ଆଗମନ)
ଶୁକ୍ରୁ: କଣ ହେଲା ଭାଇନା? କାଇଁ ପାଟି କରୁଛ?
ଗରିବ: ଦେଖୁଛୁ ତ? ତୁ ପଢ଼ାପିଲା, ଟିକିଏ ଭାବ, ଏମାନେ ସବୁ ପାଠ ଛାଡି ଏଇ ରାସ୍ତା ଘାଟର ଅଳିଆ ସଫା କରିବୁଲୁଛନ୍ତି। ଏଇଟା ସମୟ ନଷ୍ଟ ନୁହେଁ ତ ଆଉ କଣ?
ଶୁକ୍ରୁ: ନାଇଁ ଭାଇନା, ତମେ ବୁଝି ପାରୁନ। ଏମାନେ ଯାହା କରୁଛନ୍ତି ଠିକ କରୁଛନ୍ତି। ଏମାନଙ୍କଠୁ ଆମେ ଶିଖିବା କଥା।
ଗରିବ: ଏଇ କାଲିର ଛୁଆମାନେ କଣ ଶିଖେଇବେ ଆମକୁ?
ଶୁକ୍ରୁ: ବହୁତ କିଛି ଶିଖିବାର ଅଛି। ଏଇ ଯୋଉ ତମ ଘର ଚାରିପଟେ ଖାଲ-ଖମା ଭରିରହିଛି, ପାଣି ଜମି ରହିଛି, ଅଳିଆ ଆବର୍ଜନା ଭରିରହିଛି, ଏଥିରେ ହିଁ ବିଭିନ୍ନ ରୋଗ ଜୀବାଣୁ ବାସ କରନ୍ତି ଓ ଆମେ ରୋଗାକ୍ରାନ୍ତ ହୋଇଥାଉଁ। ବିଭିନ୍ନ ପ୍ରକାରର ମଶା, ମାଛି, ରୋଗର ବାହକ ଆମକୁ ରୁଗ୍ଣ କରିଥାନ୍ତି, ଆମ ଖାଦ୍ୟ ପଦାର୍ଥକୁ ଦୂଷିତ କରିଥାନ୍ତି ଏବଂ ଆମେ ନାନା ରୋଗରେ ପଡ଼ିଥାଉଁ। ରାସ୍ତା କଡରେ, ପୋଖରୀ ହୁଡ଼ାରେ ଆଦି ଖୋଲା ସ୍ଥାନ ମାନଙ୍କରେ ଆମେ ଯୋଉ ମଳତ୍ୟାଗ କରୁଛୁ, ସେଇ ମଳରେ ବସୁଥିବା ମାଛି ଗୁଡିକ ଉଡି ଆସି ଆମ ଖାଦ୍ୟ ପଦାର୍ଥକୁ ଦୂଷିତ କରନ୍ତି ଓ ଆମେ ହଇଜା, ଡାଇରିଆ ଆଦି ରୋଗରେ ପଡ଼ିଥାଉଁ।
ଗରିବ: ଏସବୁ ଭାଗ୍ୟର କଥାରେ ଭାଇ। ରୋଗ ହେବାର ଥିଲେ ନିଶ୍ଚୟ ହେବ, ମରିବାର ଥିଲେ ନିଶ୍ଚୟ ମରିବା। କପାଳ ଲିଖନକୁ କେହି ବଦଳେଇ ପାରିବେନି। ଯେତେ ଯାହା କର କିଛି ଲାଭ ନାଇଁ।
ଶୁକ୍ରୁ: ହଁ ଯେ ଭାଇନା, ମରିବାର ତ ଅଛି ମରିବା, ଯେବେ ବି ମରିବା; କିନ୍ତୁ ଏକଥା ବି ମନେ ରଖିବା ଯେ ଜାଗ୍ରତ ରହିଲେ ଯମ ଦଣ୍ଡିବନି ଯଦିବା ମରଣ ଧ୍ରୁବ।
୨ୟ ଦୃଶ୍ୟ-:
(ଘର ଅଗଣାରେ ମାଳତୀ ଛାତି ପିଟି ପିଟି କାନ୍ଦୁଥାଏ)
ମାଳତୀ: ହେ ଦଇବ, ତୁ ଏ କଣ କରୁଛୁ? କୋଉ ପାପ କଲି ଯେ ମତେ ଏଡେ ସଜା ଦଉଛୁ? ମୋର ଏକୋଇରବଳା ବିଶିକେଶନକୁ କାଇଁ ଏତେ କଲବଲ କରୁଛୁ?
ଗରିବ: କଣ ହେଇଛି ମୋ ପୁଅର? କଣ ହେଇଛି?
ମାଳତୀ: ଏଇ ଦେଖ, ଜ୍ବରରେ କେମିତି ଖଇ ଫୁଟୁଛି। ଆଜି ଛାଡିବ କାଲି ଛାଡିବ ଭାବି ଭାବି ଆଜିକୁ ଚାରି ପାଞ୍ଚ ଦିନ ହେଲାଣି। ଦିନେ ଛାଡି ଦିନେ ଜ୍ୱର ଲାଗି ରହିଛି।
ଗରିବ: କାଲି ତ ଠିକ ଥିଲା, ଜ୍ୱର ଛାଡିଯାଇଥିଲା; ଆଜି ପୁଣି କେମିତି ଜ୍ୱର ହେଲା?
ମାଳତୀ: ଆରେ ସେଇ କଥା ତ କହୁଛି; ଦିନେ ଛାଡି ଦିନେ ଜ୍ୱର ହେଉଛି। ମୋ ପୁଅକୁ କାହାର ଆଖି ପଡିଛି, କିଏ କିଛି ଗୁଣି ଗାରେଡି କରିଦେଇଛି।
ଗରିବ: ହଁ, ସେମିତି ହେଇଥିବ; ନହେଲେ ହଠାତ କେମିତି ଏତେ ଜୋରରେ ତା ଦେହ ଥରିବ। ମୁଁ ଯାଉଛି ଗୁଣିଆ ବୁଢା ପାଖକୁ।
୩ୟ ଦୃଶ୍ୟ-:
(ଗରିବ ତରବରରେ ଗୁଣିଆ ବୁଢା ଘରକୁ ଗଲାବେଳେ ବାଟରେ)
ଶୁକ୍ରୁ: ଭାଇନା, କୁଆଡେ ଚାଲିଲ ଏତେ ତରବରରେ?
ଗରିବ: ଗୁଣିଆ ବୁଢା ପାଖକୁ ଯାଉଛିରେ ଭାଇ। ମୋ ପୁଅର ଦେହ ଭଲ ନାହିଁ। ଅବସ୍ଥା ପୂରା ସାଂଘାତିକ।
ଶୁକ୍ରୁ: କଣ ହେଇଛି କି ପୁଅର?
ଗରିବ: କଣ ଆଉ କହିବିରେ ଭାଇ, ଭୀଷଣ ଜ୍ୱର; ଦିନେ ଛାଡି ଦିନେ ହଉଛି, ଛାଡିବାର ନାଁ ନେଉନି।
ଶୁକ୍ରୁ: ଆରେ ଭାଇନା ତମେ ବି ନା, ଆଉ କେବେ ବୁଦ୍ଧି ପାଇବ! ଛାଡି ଛାଡି ହେଉଛି ତ? ଏଇଟା ମ୍ୟାଲେରିଆ ଜ୍ୱର। ପାଳି କରି ହୁଏ ବୋଲି ୟାକୁ ପାଳି ଜ୍ୱର ବି କହନ୍ତି। ଡାକ୍ତରଖାନା ଯାଅ, ଗୁଣି ଗାରେଡିରେ ମ୍ୟାଲେରିଆ ଛାଡେନି।
ଗରିବ: ଆଙ୍ଗନୱାଡି ଦିଦି ବଟିକା ଦି ଟା ଦେଇଥିଲେ କିଛି କାମ ଦେଲାନି ଜାଣିଛୁ! ଖାଲି ସେତିକି ବୋଲି ଭାବୁଛୁ କି? ଆରେ ଏଇଟା ମେରେଲିଆ କି ଫେରେଲିଆ ନୁହଁ। କେମିତି ହେଉଛି ଜାଣିଛୁ! ଦେହଟା ପୁରା କମ୍ପିବାରେ ଲାଗିଛି। ଯେତେ କପଡା ଢାଙ୍କି ହେଲେ ବି ଦେହ ଜୋରରେ ଥରୁଛି। ମଝିରେ ମଝିରେ କଣ କଣ କହି ବାଉଳି ହେଉଛି, କିଛି ବୁଝି ହେଉନି।
ଶୁକ୍ରୁ: ଓହୋ ଭାଇନା, କହିଲି ପରା ଏଇସବୁ ମ୍ୟାଲେରିଆର ହିଁ ଲକ୍ଷଣ। ଡାକ୍ତରଖାନାରେ ମାଗଣାରେ ଔଷଧ ମିଳୁଛି। ପୂରା କୋର୍ସ ଖାଇବାକୁ ପଡିବ। ଏଇ ଜ୍ବରରେ ରକ୍ତର ହିମୋଗ୍ଲୋବିନ କମିଯାଏ। ଅବହେଳା କଲେ ପରେ ଅସୁବିଧା ହେବ।
ଗରିବ: ମୁଁ କଣ କରିବି ବୁଝି ପାରୁନି। ତୁ ତ ପଢ଼ା ପିଲା ତୁ କହ କଣ କରିବି?
ଶୁକ୍ରୁ: ଚାଲ ଘରକୁ ଚାଲ। ପୁଅକୁ ଡାକ୍ତରଖାନାକୁ ନେବା। ମୁଁ ବି ଯିବି ତମ ସାଙ୍ଗରେ।
ଗରିବ: ହଉ ଚାଲ, ବେଗି ଯିବା।
ଶୁକ୍ରୁ: ଚିନ୍ତା କରନି ଭାଇନା, ଡାକ୍ତରଖାନା ନେଲେ ପୁଅ ପୂରା ଠିକ ହେଇଯିବ।
(ଘରକୁ ଗଲାବେଳେ ବାଟରେ)
ଗରିବ: ଏ ଭାଇ ଶୁକ୍ରୁ, ଏ ମେରେଲିଆ ଗୋଟେ କଣ ଭିନ୍ନ କିସମର ଜ୍ୱର କି? ତୁ ତ ସବୁ ଜାଣିଛୁ, ମତେ ଟିକେ ବୁଝେଇବୁ?
ଶୁକ୍ରୁ: ନିଶ୍ଚୟ ବୁଝେଇବି; କାଲି ଗ୍ରାମ ପରିକ୍ରମା କଲାବେଳେ ପିଲାମାନେ ଗୀତଟିଏ ଗାଉଥିଲେ ଶୁଣିଲ କି ନାଇଁ?
ଗରିବ: ନା ଶୁଣିନି
ଶୁକ୍ରୁ: ତମେ ସିନା ଶୁଣିଲନି କିନ୍ତୁ ମୁଁ ସବୁ ଶୁଣିଲି। ସେଇ ଗୀତରେ ସେମାନେ ଏଇ ମ୍ୟାଲେରିଆ ବିଷୟରେ ହିଁ କହୁଥିଲେ।
ଗରିବ: କୋଉ ଗୀତ; ମନେ ରଖିଛୁ କି?
ଶୁକ୍ରୁ: ଶୁଣ ଗାଇ ଦଉଛି
ଗରିବ: ହଁ, ଗାଆ ରେ ଭାଇ ଗାଆ
ଶୁକ୍ରୁ:
ଛୋଟ କେବେ ଭାବିବୁନି
ମଶାକୁ ରେ ବାୟା
କାମୁଡ଼ି ଦେବ ଥରେ ଯଦି
ହେବ ମେଲେରିଆରେ ହେବ ମେଲେରିଆ ।।୦।।
ଟେଢା ମେଢା ଗୋଡଟା ତାର
ଛିଟିକି ଛିଟିକି ଚାଲେ
ଡେଣା ଝାଡି ଝାଡି ତାର
ଫୁଉର୍ ଫୁଉର୍ ଉଡେ
ମୁନିଆଁ ମୁନିଆଁ ଶୁଣ୍ଢଟା ତାର (୨ଥର)
ଫୁଲେଇ ଦେବ କାୟାରେ...
ହେବ ମେଲେରିଆ..............................।।୧।।
ମାଈ ଏନୋଫିଲିସ ଠାରୁ
ଦୁରେଇ ରହି ତୁ ଥିବୁ
ରାତିବେଳେ ଭାଇ ତୁହି
ମଶାରୀ ଟାଣି ଶୋଇବୁ
କାମୁଡି ଦେବ ଥରେ ଯଦି ସିଏ (୨ଥର)
ଉଡେଇ ଦେବ ହିଆରେ
ହେବ ମେଲେରିଆ..............................।।୨।।
ଗରିବ: ଓହୋ, ଏମିତି ହେଇଥାଏ ତାହେଲେ ଏହି ଜ୍ୱର ଟା
ଶୁକ୍ରୁ: ହଁ, ଏମିତି ହେଇଥାଏ; ମଶାରୀ ଟାଣିକି ଯଦି ଶୋଇବା ତେବେ ଯାଇ ଏଇ ମାଈ ଏନୋଫିଲିସ ମଶା ଠାରୁ ରକ୍ଷା ପାଇବା।
ଗରିବ: ଏଇ ମଶାକୁ ରୋକିବାର କିଛି ଉପାୟ ନାହିଁ କି?
ଶୁକ୍ରୁ: ଅଛି, ନିଶ୍ଚୟ ଅଛି; ଆମ ପରିବେଶକୁ ଯଦି ଆମେ ସଫାସୁତୁରା ରଖିବା, ଘର ଆଖ ପାଖରେ ଥିବା ଖାଲ ଖମା ପୋତିଦେବା, ଘର ଚାରିପାଖରେ ଥିବା ଅନାବନା ଗଛ ସବୁ ଉପାଡ଼ିଦେବା, ଅଳିଆ ଆବର୍ଜନା ସବୁ ସଫାକରିବା ତେବେ ମଶା ମାଛି ଆଦି ରୋଗଜୀବାଣୁ ଗୁଡିକର ବାହକ ମାନେ ମରିଯିବେ ଓ ଆମେ ରୋଗ ଦାଉରୁ ରକ୍ଷା ପାଇବା।
ଗରିବ: ସେଦିନ ତାହେଲେ ସ୍କୁଲ ପିଲାମାନେ ଏଇ କଥା ବୁଝାଉଥିଲେ।
ଶୁକ୍ରୁ: ଏବେ ବୁଝିଲ?
ଗରିବ: ହଉରେ ଭାଇ ଭଲ କଥା ସବୁ କହିଲୁ, ମୋ ମନକୁ ପାଇଲା।
ଶୁକ୍ରୁ: ଜାଣିଛ ଭାଇନା, ଏମିତି ବି କିଛି ବିକଶିତ ଦେଶ ଅଛି ଯୋଉଠି ଏଇ ମ୍ୟାଲେରିଆ ରୋଗର ନାଁ ଗନ୍ଧ ନାହିଁ। ଆଉ କିଛି ଏମିତି ବି ଦେଶ ଅଛି ଯୋଉଠି ଲୋକେ ସଚେତନ ହୋଇ ତାଙ୍କ ଦେଶକୁ ଏଇ ମ୍ୟାଲେରିଆ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିପାରିଛନ୍ତି। ଆମେ ଯଦି ଚାହିଁବା, ତେବେ ଆମ ଦେଶ ବି ମ୍ୟାଲେରିଆ ମୁକ୍ତ ହୋଇ ପାରିବ।