ମୂକ୍ତ ବିହଙ୍ଗ (ଭାଗ -ଷୋହଳ )....
ମୂକ୍ତ ବିହଙ୍ଗ (ଭାଗ -ଷୋହଳ )....
ସକାଳୁ ଉଠି ଅବିନାଶ ନିଜର ନିତ୍ୟକର୍ମ ସାରି ନିଜକୁ ପ୍ରସ୍ତୁତ କରିନେଲେ |ସୁଜାତା ଅବିନାଶ ଓ ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବାରେ ଲାଗିଲେ |ବିକାଶ ବାବୁ ନିଜର ନିତ୍ୟକର୍ମ ସାରି ଗାଁ ରୁ ଡ଼ାକିଥିବା ତାଙ୍କର ଦୁଇଜଣ ଚାଷୀଙ୍କ ସହିତ ବସି ସବୁ କାମ ବୁଝାଇବାରେ ଲାଗିଲେ |ସେତିକିବେଳେ ଆରକ୍ଷୀ ଆନନ୍ଦ ବାବୁଙ୍କ ଫୋନ ଅଵିନାଶଙ୍କୁ ଆସିଲା |ଅବିନାଶ ଫୋନ ଉଠାଇଲେ ଓ ତାଙ୍କୁ ଆନନ୍ଦ ବାବୁ କହିଲେ, "ଆଜ୍ଞା ମୁଁ ଏବେ ଖବର ପାଇଲି ଯେ ସେହି ଜଳ ଯୋଗାଣ କେନ୍ଦ୍ର ପାଖରେ କିଛି ଗୁଣ୍ଡା ଶ୍ରେଣୀର ଲୋକ ପହଞ୍ଚି ଗଲେଣି |ତେଣୁ ମୋ ମତରେ ଆପଣ ସମସ୍ତେ ସିଧା ଜିଲ୍ଲାପାଳ ଙ୍କ ଅଫିସ ଆସି ଯାଆନ୍ତୁ |ଏଠାରୁ ମୁଁ ଆପଣଙ୍କ ଶାଶୁ ଓ ଶ୍ୱଶୁର ଙ୍କ ପଠାଇବାର ବ୍ୟବସ୍ଥା କରିଦେବି ଏବଂ ଆମେ ସମସ୍ତେ କିଛି ବିଚାର ବିମର୍ଶ କରି ଅଧିକ ସୁରକ୍ଷା କର୍ମୀ ଙ୍କ ସହିତ ସେଠାକୁ ଯିବା | "ଆନନ୍ଦ ବାବୁଙ୍କ ଠାରୁ ଏହି କଥା ଶୁଣି ଅବିନାଶ କିଛି ସମୟ ଚିନ୍ତା କଲେ ଓ କହିଲେ, "ଠିକ ଅଛି, ମୁଁ ତାହା ହିଁ କରିବି |ଆପଣ ଜିଲ୍ଲାପାଳ ଙ୍କୁ ଅନ୍ୟ ମାନଙ୍କୁ ଜଣାଇ ଦିଅନ୍ତୁ |ମୁଁ ସେଠାରେ ଦିନ ଦଶଟା ସମୟରେ ପହଞ୍ଚି ଯିବି |" ଆନନ୍ଦ ବାବୁ ଅଵିନାଶଙ୍କ କଥାରେ ହଁ ଭରିଲେ ଓ ଫୋନ ଉଭୟ ରଖିଦେଲେ | ସଙ୍ଗେ ସଙ୍ଗେ ଅବିନାଶ ବାବୁ ସମୀର ଙ୍କୁ ଫୋନ କରି କହିଲେ, "ଭାଇ ଟିକେ ଜରୁରୀ କଥା ହେବାର ଥିଲା, ସେଥିପାଇଁ ଏବେ ଫୋନ କରିଲି |ଏବେ ସମୟ ସକାଳ ଆଠଟା ବାଜିଛି | ମୋର ଆଜିର କାର୍ଯ୍ୟକ୍ରମ ରେ ଟିକେ ପରିବର୍ତ୍ତନ କରିବାକୁ ପଡିଲା | ମୋତେ ସିଧା ଏବେ ଜିଲାପାଳ ଙ୍କ ଅଫିସ ଯିବାକୁ ହେବ |ପ୍ରାୟ ଦିନ ବାରଟା ପର୍ଯ୍ୟନ୍ତ ବା ଆହୁରି କିଛି ସମୟ ସେଠାରେ ମୋତେ ରହିବାକୁ ହେବ | ଯଦି ଆପଣଙ୍କ ସହଯୋଗୀ ମୋତେ ଦିନ ଏଗାରଟା ସୁଦ୍ଧା ସେହି ପ୍ରମାଣ ଜିଲାପାଳ ଙ୍କ ଅଫିସ ରେ ଦେଇ ପାରନ୍ତେ, ତେବେ ବହୁତ ଭଲ ହୁଅନ୍ତା | ଆପଣ ତାଙ୍କ ସହିତ ଯୋଗାଯୋଗ କରି ମତେ ଟିକେ ଜଣାନ୍ତୁ |" ସମୀର ବାବୁ ଅଵିନାଶଙ୍କ କଥା ବୁଝି ପାରିଲେ ଓ ତାଙ୍କ କଥାରେ ହଁ ଭରି ନିଜର ସହଯୋଗୀକୁ ଫୋନ କଲେ | ଦୁଇ ତିନି ଥର ଫୋନ କରିବା ପରେ ତାଙ୍କ ସହଯୋଗୀ ଫୋନ ଉଠାଇଲେ | ସମୀର ବାବୁ ତାଙ୍କୁ ସବୁ ବୁଝାଇ କହିଲେ ଓ ଶେଷରେ ଠିକ ହେଲା ଯେ ଏଗାରଟା ଭିତରେ ତାଙ୍କ ପାଖରେ ଥିବା ପ୍ରମାଣ ସେ ଅଵିନାଶଙ୍କୁ ଜିଲ୍ଲାପାଳ ଙ୍କ ଅଫିସ ରେ ଦେବେ | ସେତେବେଳକୁ ସମୟ ଦିନ ୯ ଟା ବାଜି ସାରିଥିଲା | ଅବିନାଶ ଗାଁ ରୁ ବିକାଶ ବାବୁ ଓ ସୁଜାତାଙ୍କୁ ନେଇ ବାହାରିବାର ପ୍ରସ୍ତୁତିରେ ଥିଲେ | ବିକାଶ ବାବୁ, ଅବିନାଶ ଓ ତାଙ୍କ ଗାଡି ଚାଳକ ମିଶି ସବୁ ଜିନିଷ ଗାଡ଼ିରେ ରଖୁଥିଲେ | ଶେଷ ଥର ପାଇଁ ସୁଜାତା ଦେବି ଘର ର ସବୁ ତାଲା କୁ ଭଲ ଭାବରେ ଟାଣି ଦେଖି ଆଖି ଛଳ ଛଳ କରି ଘରୁ ବାହାରି ଆସି ଗାଡ଼ିରେ ବସିଲେ | ପାଖ ପଡୋଶୀ ଙ୍କୁ ନମସ୍କାର କରି ବିକାଶ ବାବୁ ବି ଆସି ଗାଡ଼ିରେ ବସିଲେ |ଅବିନାଶ ଆଗରୁ ଗାଡ଼ିରେ ବସି ସାରିଥିଲେ | ଏବେ ଚାଳକ ଗାଡି କୁ ଜିଲ୍ଲାପାଳ ଅଫିସ ଅଭିମୁଖେ ଚଳାଇବା ଆରମ୍ଭ କରିଦେଲେ |
ଅବିନାଶ ବାବୁ ଟିକେ ଚିନ୍ତିତ ଥିଲେ |ସେ ସମୀର ବାବୁଙ୍କ ଉତ୍ତର କୁ ଅପେକ୍ଷା କରି ଚିନ୍ତା କରି ଟିକେ ବ୍ୟସ୍ତ ହେଉଥିଲେ, ସେତିକି ବେଳେ ସମୀର ବାବୁଙ୍କ ଫୋନ ଆସିଲା |ସେ ଫୋନ କରି ଅବିନାଶ ବାବୁଙ୍କୁ କହିଲେ, " ମୋର ସହଯୋଗୀ ଏଗାରଟା ଭିତରେ ସବୁ ପ୍ରମାଣ ନେଇ ଜିଲ୍ଲାପାଳ ଙ୍କ ଅଫିସ ରେ ତୁମକୁ ଦେଇଦେବ | ମୁଁ ତାକୁ ତୁମର ଫୋନ ନମ୍ବର ଦେଇଛି, ସେଠାରେ ପହଞ୍ଚି ସେ ତୁମକୁ ଫୋନ କରିବ ଓ ସବୁ କିଛି ତୁମକୁ ହସ୍ତାନ୍ତର କରିବ | ବ୍ୟସ୍ତ ହେବାର କିଛି ନାହିଁ | ମୋତେ ସେ କହୁଥିଲା ଯେ ଆଜି ମନ୍ତ୍ରୀ ବିକ୍ରମ ର କିଛି ଗୁଣ୍ଡା ସେହି ଜଳଯୋଗାଣ କେନ୍ଦ୍ର ରେ ପହଞ୍ଚି ଗଣ୍ଡଗୋଳ କରିବାର ସମ୍ଭାବନା ଅଛି | ଆଉ ବୋଧହୁଏ ଆଜି ସେଠାରୁ ଅଲେଖ ବାବୁ, ମାନସ, ଠିକା କାମ କରିଥିବା ମିସ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଲୁଚି ପଳାଇଯିବାର ଯୋଜନାରେ ଅଛନ୍ତି | ସେଥିପାଇଁ ବିକ୍ରମର ସହଯୋଗୀ ଗୁଣ୍ଡାମାନେ ତାଙ୍କୁ ସାହାଯ୍ୟ କରିବେ | ଏହି ଖବର ମୋତେ ମୋର ସହଯୋଗୀ ଦେଇଛି |ତୁମେ ସେହି ହିସାବରେ ସବୁ ସତର୍କତା ଓ ସାବଧାନୀ ର ବ୍ୟବସ୍ଥା କରିବ | ଏବେ ବୋଧେ ତୁମେ ରାସ୍ତାରେ ଅଛ | ସବୁ ପ୍ରମାଣ ପାଇବା ପରେ ମୋତେ ଜଣାଇବ |ଏବେ ରଖୁଛି |"ଏତିକି କହି ସମୀର ବାବୁ ଫୋନ ରଖିଦେଲେ | ଅବିନାଶ ଟିକେ ଆଶ୍ୱସ୍ତ ହେଲେ, ତଥାପି ଗଣ୍ଡଗୋଳ ର ଆଶଙ୍କା ତାଙ୍କୁ ଟିକେ ବିବ୍ରତ କରୁଥିଲା | ଅବିନାଶ ଙ୍କ ମୁହଁ କୁ ଦେଖି ବିକାଶ ବାବୁ କହିଲେ, "କିଛି ଅସୁବିଧା ହେଲା କି ଅବିନାଶ ? ମୁଁ ବୁଝି ପାରୁଛି ଏହା ଏକ ଜଟିଳ ସମସ୍ୟା |ହେଲେ ଟିକେ ଧୀର ସ୍ଥିର ହୋଇ ସବୁ ପ୍ରକାରର ପ୍ରସ୍ତୁତି ସହିତ ତୁମକୁ କାମ କରିବାକୁ ହେବ | ଆମ ଗାଁ ପାଖ ହରିଜନ ବସ୍ତିରେ ମାନସ ଆଉ ବିକ୍ରମ ର ସହକର୍ମୀ ସବୁବେଳେ ଆଡ୍ଡା କରନ୍ତି, କାରଣ ସେଠାକୁ ସହଜରେ କେହି ପ୍ରବେଶ କରି ପାରିବେ ନାହିଁ |ଯେତେ ପ୍ରକାର ର ଅନୈତିକ କାର୍ଯ୍ୟ ସେହି ବସ୍ତିର କିଛି ବେକାର ଯୁବକଙ୍କୁ ନେଇ ସେମାନେ କରନ୍ତି | ସେମାନେ ସବୁ ବହୁତ ଅଭଦ୍ର ଓ ପ୍ରାୟ ଗୁଣ୍ଡା ଶ୍ରେଣୀର ଲୋକ | ତୁମେ ସାବଧାନ ହୋଇ ଥିବ |" ବିକାଶ ବାବୁଙ୍କ କଥା ଶୁଣି ତାଙ୍କୁ ଚିନ୍ତା ମୂକ୍ତ କରିବା ପାଇଁ ଅବିନାଶ କହିଲେ, "ବାପା, ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ | ଆମ ସୁରକ୍ଷା କର୍ମୀ ଓ ପୋଲିସ ଏହି ସବୁ ପରିସ୍ଥିତି କୁ ସମ୍ଭାଳିବାର ଅଭ୍ୟସ୍ତ | ଆପଣ ଓ ମା ଆଗ ଏହି ଜାଗାରୁ ସୁରକ୍ଷିତ ହୋଇ ବାହାରି ଯାଆନ୍ତୁ, ତାପରେ ସବୁ କିଛି କେମିତି ଆୟତ୍ତ କରିବାକୁ ହେବ ଆମେ ସମସ୍ତେ ମିଶି କରିନେବୁ |" ଏତିକି ସବୁ କଥା ଭିତରେ ଅଵିନାଶଙ୍କ ଗାଡି ଆସି ଜିଲ୍ଲାପାଳ ଙ୍କ ଅଫିସ ପାଖରେ ପହଞ୍ଚି ଗଲା | ସେଠାରେ ଆନନ୍ଦ ବାବୁ ଙ୍କୁ ଦେଖି ଅବିନାଶ ଗାଡ଼ିରୁ ଓହ୍ଲାଇ ଯିବାକୁ ବାହାରିବା ସମୟରେ, ଆନନ୍ଦ ବାବୁ ଗୋଟିଏ ପୋଲିସ ଗାଡି ସହିତ ପହଞ୍ଚି ଗଲେ ଓ କହିଲେ, "ଆଜ୍ଞା ଏହି ଗାଡ଼ିରେ ପୋଲିସ ସୁରକ୍ଷା ସହିତ ଏବେ ମଉସା ଓ ମାଉସୀ ଙ୍କୁ ପଠାଇ ଦେବା |" ଏତିକି କହି ଆନନ୍ଦ ବାବୁ ଉଭୟ ବିକାଶ ବାବୁ ଓ ସୁଜାତା ଦେବି ଙ୍କୁ ନମସ୍କାର କଲେ ଓ ତାଙ୍କ ଜିନିଷ ସବୁ ସେହି ପୋଲିସ ଗାଡ଼ିରେ ରଖିଦେଲେ |ଶେଷରେ ବିକାଶ ବାବୁ ଓ ସୁଜାତା ଦେବୀଙ୍କୁ ସେହି ଗାଡ଼ିରେ ବସାଇ ସେଠାରୁ ବିଦା କରିଦେଲେ | ସେମାନେ ଯିବା ପରେ ଅବିନାଶ ଟିକେ ଚିନ୍ତା ମୂକ୍ତ ହୋଇ ମମତା ଙ୍କୁ ଫୋନ କଲେ |
ମମତା ସକାଳୁ ଉଠି ନିତ୍ୟକର୍ମ ସାରି ଆକାଶ ଓ ଆରତୀ ଙ୍କୁ ଖାଇବାକୁ ଦେଇ ପ୍ରସ୍ତୁତ ହେଉଥିଲେ ଅନାଥ ଆଶ୍ରମ ଯିବା ପାଇଁ | ଆଜି ଦଶମ ପରୀକ୍ଷାର ଶେଷ ଦିନ | ତାପରେ ସଙ୍ଗୀତା କୁ ସେ ଫୋନ କରି କହିଥିଲା ଅନାଥ ଆଶ୍ରମ ର ପିଲାଙ୍କୁ ପଢ଼ାଇବା ବିଷୟରେ | ଆଜି ସଙ୍ଗୀତା ବି ସେହି ଆଶ୍ରମ କୁ ଆସିବ | ତେଣୁ ତାକୁ ଟିକେ ଶୀଘ୍ର ସେଠାରେ ପହଞ୍ଚିବାକୁ ହେବ |ସେଥିପାଇଁ ମମତା ପ୍ରସ୍ତୁତ ହୋଇ ବାହାରୁଥିଲେ, ସେତିକିବେଳେ ଅବିନାଶ ଙ୍କ ଫୋନ ଆସିବାରୁ ଉଠାଇଲେ |ଅବିନାଶ ତାଙ୍କୁ କହିଲେ, "ମମତା ଏବେ ବାପା ଓ ମା ଏଠାରୁ ବାହାରି ଗଲେ |ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ଘରେ ପହଞ୍ଚିବେ |ସେମାନେ ଗୋଟିଏ ପୋଲିସ ଗାଡ଼ିରେ ସୁରକ୍ଷା ସହିତ ଯାଉଛନ୍ତି | ସେମାନେ ଘରେ ପହଞ୍ଚିବା ପରେ ମୋତେ ଜଣାଇବ | ଏଠାରେ ଟିକେ ଜଟିଳ ପରିସ୍ଥିତି, ତେଣୁ ତୁମେ ବି ସାବଧାନ ରେ ଥିବ | ଆଜିଠାରୁ ଆମ ଘର ର ସୁରକ୍ଷା ଟିକେ ବଢାଇ ଦିଆ ଯାଉଛି | ଏବେ ତୁମ ସହିତ ଗାଡ଼ିରେ ସୁରକ୍ଷା କର୍ମୀ ବି ଯିବେ | ଏବେ ଠାରୁ ଆକାଶ ଓ ଆରତୀ ଙ୍କୁ ସୁରକ୍ଷା କର୍ମୀ ମାନେ ନେବା ଆଣିବା କରିବେ |ଏଥିପାଇଁ କିଛି ଭୟ କରିବାର ନାହିଁ |ତୁମେ ଫୋନ କରି ଆକାଶ କୁ କହିଦିଅ କି ଆଜି ଫେରିବା ବେଳେ ସେମାନେ ଦୁଇଜଣ ଆମ ସୁରକ୍ଷା କର୍ମୀ ଙ୍କ ସହିତ ହିଁ ଆସିବେ |ଏବେ ତୁମେ ତୁମ କାମରେ ଯାଅ |ମୁଁ ଫୋନ ରଖୁଛି |"ଏତିକି କହି ଅବିନାଶ ଫୋନ ରଖିଦେଲେ | ମମତା କିଛି କହିବା ଆଗରୁ ସେ ଫୋନ କାଟିଦେଲେ |ମମତା ବୁଝି ପାରୁଥିଲେ ଯେ ନିଶ୍ଚୟ ଅବିନାଶ ବହୁତ ଜଟିଳ ପରିସ୍ଥିତି କୁ ସମ୍ଭାଳିବାର ବ୍ୟବସ୍ତା ରେ ଅଛନ୍ତି | ମମତାଙ୍କୁ ତାଙ୍କ ଅବୀନାହଁ ଙ୍କ କାର୍ଯ୍ୟ ଦକ୍ଷତା ବିଷୟରେ ସବୁ ଜଣା | ସେ ତାଙ୍କ ସ୍ୱାମୀ ଅବିନାଶ ଙ୍କୁ ନେଇ ସବୁବେଳେ ନିଜକୁ ଧନ୍ୟ ମନେ କରୁଥିଲେ | ତାଙ୍କୁ ଖୁସି ଲାଗୁଥିଲା ଯେ ତାଙ୍କର ବାପା ଓ ମା ଆଜି ସେହି ଗଣ୍ଡଗୋଳିଆ ଜାଗାରୁ ବାହାରି ପଳାଇ ଆସିଛନ୍ତି | ତାଙ୍କ ମନରେ ଥିବା ବିଭିନ୍ନ ଦୁଶ୍ଚିନ୍ତା ଏବେ ସବୁ ମୂକ୍ତ ବିହଙ୍ଗ ପରି ଉଡି ଚାଲିଗଲା |
ମମତା ଏବେ ତର ତର ହୋଇ ଘରୁ ବାହାରି ଗଲେ |ଗାଡି ପାଖରେ ଦେଖିଲେ ଦୁଇଜଣ ସୁରକ୍ଷା କର୍ମୀ ତାଙ୍କୁ ଅପେକ୍ଷା କରି ଠିଆ ହୋଇଛନ୍ତି | ମମତା ବୁଝି ପାରିଲେ ଏବେ ତାଙ୍କୁ ଅବିନାଶ ଯାହା କହିଥିଲେ | ମମତାଙ୍କୁ ଦେଖି ସେମାନେ ନମସ୍କାର କଲେ ଓ ତାଙ୍କ ସହିତ ସବୁବେଳେ ରହିବା ପାଇଁ ସେମାନଙ୍କୁ ଆଦେଶ ମିଳିଛି ବୋଲି କହିଲେ |ମମତା ତାଙ୍କ କଥା ମାନି ଗାଡ଼ିରେ ବସିଲେ ଓ ସେମାନେ ବି ସାଙ୍ଗରେ ରହିଲେ | ସେ ସିଧା ଅନାଥ ଆଶ୍ରମ ଯାଇ ପହଞ୍ଚିଲେ |ସେଠାରେ ଦେଖିଲେ ତାଙ୍କ ସାଙ୍ଗ ସଙ୍ଗୀତା ବି ଆସି ପହଞ୍ଚି ଯାଇଛି |ତାକୁ ସେ କୁଣ୍ଢାଇ ପକାଇଲେ ଓ ଉଭୟ ମିଶି ଭିତରକୁ ଗଲେ | ଅରୁଣ, ଅନିତା ଓ ଅନ୍ୟ ପିଲା ମାନଙ୍କୁ ତାଙ୍କର ଶେଷ ପରୀକ୍ଷା ପାଇଁ ଶୁଭ କାମନା ଦେଇ ବିଦା କଲେ | ମମତା ଓ ସଙ୍ଗୀତା ଉଭୟ ମିଶି ଆଶ୍ରମର ପରିଚାଳକ ବିନୟ ବାବୁଙ୍କୁ ଭେଟିଲେ | ମମତା ତାଙ୍କୁ କହିଲେ, "ଆଜି ଠାରୁ ମୁଁ ଓ ସଙ୍ଗୀତା ଏହି ଆଶ୍ରମ ର ପିଲାଙ୍କୁ ପଢାଇବୁ |ମୁଁ ଏକା ପଢାଉଥିଲି, ଏବେ ସଙ୍ଗୀତା ବି ମୋ ସହିତ ମିଶି ପଢାଇବ |" ବିନୟ ବାବୁ ବହୁତ ଖୁସି ହୋଇଗଲେ | ମମତା ସଙ୍ଗୀତା କୁ କହିଲେ, "ଆଜି ମୁଁ ଏଠାରୁ ଶୀଘ୍ର ପଢାଇ, ମୋ ଚିତ୍ରକଳା ବିଦ୍ୟାଳୟ ହୋଇ ଘରକୁ ଯାଇ ବାରଟା ସୁଦ୍ଧା ପହଞ୍ଚିବାକୁ ହେବ | ବାପା ଓ ମା ଆସି ପହଞ୍ଚିବେ |ତୁ ଏଠାରୁ ପିଲା ମାନଙ୍କୁ ପଢାଇ ମୋ ଘରକୁ ଆସିଯିବୁ, ସେଠାରେ ସବୁ ବୁଝାଇ କହିବି |" ଏତିକି କହି ମମତା ତାଙ୍କ ପାଠ ପଢ଼ାଇବା କାମରେ ଲାଗିଗଲେ | ସେଠାରୁ ଗୋଟିଏ ଘଣ୍ଟା ପରେ ସଙ୍ଗୀତା କୁ କହି ସେ ନିଜ ବିଦ୍ୟାଳୟ କୁ ବାହାରି ଗଲେ | ବିଦ୍ୟାଳୟରେ କିଛି ସମୟ ରହି ମମତା ନିଜ ଘରକୁ ବାହାରି ଗଲେ | କିନ୍ତୁ ସଙ୍ଗୀତା ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଥାଏ ମମତାର ବ୍ୟସ୍ତତା କୁ ଦେଖି |ତାପରେ ମଉସା ଓ ମାଉସୀ ଙ୍କ ହଠାତ ଆସିବା ବି ତାକୁ ଆଶ୍ଚର୍ଯ୍ୟ ଲାଗୁଥାଏ | ସେ ଆଶ୍ରମ ରେ ପିଲାମାନଙ୍କୁ ପଢ଼ାଇବା ପରେ ବାହାରି ଗଲା ମମତାର ଘରକୁ | ସେଠାରେ ପହଞ୍ଚି ସେ ତାର ସବୁ ପ୍ରଶ୍ନର ଉତ୍ତର ପାଇ ମନରୁ ସବୁ ଚିନ୍ତା କୁ ମୂକ୍ତ କରିବ |
