ମୂକ୍ତ ବିହଙ୍ଗ (ଅଷ୍ଟମ ଭାଗ )
ମୂକ୍ତ ବିହଙ୍ଗ (ଅଷ୍ଟମ ଭାଗ )
ମମତା ଆଜି ବହୁତ ଖୁସି |ସେ ଦେଖୁଛି ଯେ ସମସ୍ତେ ନିଜର ମନରେ ଦବି ହୋଇ ରହିଥିବା ସ୍ବପ୍ନ କୁ ପୂରଣ କରି ତାକୁ ସେହି ମନର ବନ୍ଧନରୁ ମୂକ୍ତ କରି ମୂକ୍ତ ବିହଙ୍ଗ ପରି ଉଡିବାର ସୁଯୋଗ ର ଅପେକ୍ଷାରେ ଅଛନ୍ତି | ସେହି ସ୍ବପ୍ନ ଗୁଡିକୁ ପୂରଣ କରି ମୂକ୍ତ କରିବାର କୌଣସି ବୟସ ର ସୀମା ନ ଥାଏ, କେବଳ ସମୟ ଓ ସୁଯୋଗ ର ଠିକ ଉପଯୋଗ କରି ପାରିଲେ, ସବୁ ମୂକ୍ତ ବିହଙ୍ଗ ହୋଇ ଉଡିବାରେ ଲାଗନ୍ତି | ତା ନିଜ ଜୀବନରେ ସେହି ସବୁ ହେଉଛି | ସେ କେବେ ବି ଭାବି ନଥିଲା ତାର ଅଧୁରା ସ୍ବପ୍ନ ସବୁ ପୂରଣ ହେଇଯିବ, କିନ୍ତୁ ସବୁ କିଛି ହେଇଗଲା ଓ ଆଗକୁ ହେବାକୁ ଯାଉଛି |ସେହି ସବୁ କୁ ନେଇ ସିଏ ଏବେ ଯାଏ ସାତଟି ସୁନ୍ଦର ଅଲଗା ଅଲଗା ଚିତ୍ର ଆଙ୍କି ସାରିଛି |ଏବେ ସେଥିରେ କିଛି କିଛି ରଙ୍ଗ ଦେଇ ରଙ୍ଗାଇବାକୁ ବାକି ଅଛି ଓ ତାର ଅଷ୍ଟମ ଚିତ୍ର କୁ ବି ପୁରା କରିବାକୁ ଅଛି | ଏବେ ସେ ସକାଳ ହେବାର ଜାଣି ପାରି ନିଦରୁ ଉଠି ପଡିଲା ଓ ଭାବନାରୁ ନିଜକୁ ମୂକ୍ତ କଲା | ମମତା ସବୁ କାମ ଆଜି ଶୀଘ୍ର ଶୀଘ୍ର ସାରିବାକୁ ଲାଗିଲା, କାରଣ ଅବିନାଶ କହିଛନ୍ତି ଦିନ ଏଗାରଟା ବେଳେ ବାପା ବିକାଶ ବାବୁଙ୍କ ସହିତ ରେଜେଷ୍ଟ୍ରି ଅଫିସ କୁ ଯାଇ ଘର ଓ ଜମି ବାଡ଼ି ର ସବୁ କାମ ସାରିବାକୁ |ଆକାଶ ଓ ଆରତୀ ବି ନିଜ କାମ ସାରି ଏବେ ନିଜ ନିଜ ବିଦ୍ୟାଳୟ କୁ ଯିବେ| ଏବେ ଆକାଶ ଓ ଆରତୀ ଙ୍କର ବାର୍ଷିକ ପରୀକ୍ଷା ବି ପାଖ ହେଇ ଆସିଲାଣି |ବିକାଶ ବାବୁ ବି ସବୁ କାଗଜ ପତ୍ର କୁ ଏକାଠି କରିବାରେ ଲାଗିଛନ୍ତି |ଅବିନାଶ ତାଙ୍କ କୋଠରୀ ଭିତରେ ବସି ସକାଳୁ ଉଠି କିଛି ଲେଖିବାରେ ଲାଗିଛନ୍ତି |ସେ କଣ ଲେଖୁଛନ୍ତି କେହି ଜାଣନ୍ତି ନାହିଁ |ମମତା ହିସାବରେ ଅବିନାଶ ତାଙ୍କ ଅଫିସ ର କିଛି କାମ କରୁଛନ୍ତି | କିନ୍ତୁ ବେଳେ ବେଳେ ମମତା ଆଶ୍ଚର୍ଯ୍ୟ ହୁଏ, ଯେତେବେଳେ ରାତି ଅଧାରୁ ଉଠି ଅବିନାଶ କିଛି ଲେଖା ଲେଖି ରେ ଲାଗନ୍ତି | ତାଙ୍କ ପଢା ଟେବୁଲ ଉପରେ ରଖିଥିବା ଖାତା ରେ କଣ ସବୁ ଲେଖନ୍ତି |ମମତା କେବେ ପଚାରି ନାହିଁ କି ତାକୁ ଦେଖିବାକୁ ସାହସ କରି ନାହିଁ, କାରଣ ମମତା କେବେ କାହାର ନିଜସ୍ୱ ସ୍ୱାଧୀନତା କୁ ଭଙ୍ଗ କରିବାକୁ ଚାହେଁ ନାହିଁ |ଆଉ ସେ ଜାଣିଛି ଯେ ଯଦି କିଛି ଅବିନାଶ ଙ୍କୁ ମମତାକୁ ଜଣାଇବାକୁ ହୁଏ, ତେବେ ସେ ନିଜେ ସବୁ କହି ଦିଅନ୍ତି | ସମୟ ସକାଳ ୯ ଟା ବାଯିବାର ଦେଖି ମମତା ଅବିନାଶ ଙ୍କୁ ସମୟ ଜଣାଇ ଦେଲା ଓ ଗୋଟିଏ କପ ଚାହା ରଖିଦେଇ କହିଲା ଶୀଘ୍ର ନିତ୍ୟକର୍ମ ସାରିବାକୁ |ଅବିନାଶ ବି ବୁଝି ପାରିଲେ | ସେ ଚାହା ପିଉ ପିଉ ମମତା କୁ କହିଲେ, " ସତରେ ମମତା, ଏହି ଦୁନିଆଟା କେତେ ବିଚିତ୍ର |ବେଳେ ବେଳେ ଆମକୁ ନିଜ ଠାରୁ ନିଜକୁ ଦୁରେଇ ଦିଏ ତ କେବେ ପୁଣି ପାଖକୁ ଟାଣି ଆଣେ |ମୋର କହିବାର ଅର୍ଥ ହେଲା ପରିସ୍ଥିତି ଆଉ ସମୟ ଚକ୍ରରେ ପଡି ଆମେ ସମସ୍ତେ ଆମ ନିଜର କିଛି କିଛି ସ୍ୱପ୍ନକୁ ଜାଣି ଜାଣି ଦବାଇ ରଖୁ ମନ ଭିତରେ ବନ୍ଦୀ କରି, ଆଉ ପୁଣି ସମୟ ସେହି ସ୍ବପ୍ନ ଗୁଡିକ ଆମ ପାଖକୁ ନେଇ ଆସି କହେ ତାକୁ ପୁରା କରି ବନ୍ଧନ ମୁକ୍ତ କରି ମୂକ୍ତ ବିହଙ୍ଗ ପରି ଉଡିବାକୁ ଦେବାକୁ |"ଏତକ କହି ଅବିନାଶ ଉଠି ଗଲେ ନିଜର ସବୁ ନିତ୍ୟକର୍ମ ସାରିବାକୁ |ମମତା କିନ୍ତୁ ଅବିନାଶ ଙ୍କ ଏହି ଭାବ ପୁର୍ଣ କଥା ଶୁଣି ଭାବିବାକୁ ଲାଗିଲା ବୋଧେ ଅବିନାଶ ବି ନିଜର କିଛି ଅଧୁରା ସ୍ବପ୍ନ କୁ ପୁରା କରିବାରେ ଲାଗିଛନ୍ତି |ସେ ମନେ ମନେ ବହୁତ ଖୁସି ହେଇଗଲା |
ସବୁ କାମ ସାରି ମମତା ସମସ୍ତଙ୍କୁ ଖାଇବାକୁ ଦେଲା ଓ ନିଜେ ବି ଖାଇଲା |ତାପରେ ପିଲାମାନେ ବିଦ୍ୟାଳୟ କୁ ବାହାରି ଗଲେ |ବିକାଶ ବାବୁ, ଅବିନାଶ ଓ ମମତା ବି ବାହାରିଲେ ରେଜିଷ୍ଟ୍ରି ଅଫିସକୁ |ଗଲାବେଳେ ସଙ୍ଗୀତା ଫୋନ କରି କହିଲା ମମତା କୁ କି ଆଜି ସନ୍ଧ୍ୟାରେ ସେ ସମୀର ଓ ଶରତ ସହିତ ତା ଘରକୁ ଆସିବ |ମମତା ଏ ବିଷୟରେ ଅବିନାଶ ଙ୍କୁ ଜଣାଇ ଦେଲା |ସେମାନେ ରେଜିଷ୍ଟ୍ରି ଅଫିସ ଯିବା ସମୟରେ ମମତା ନିଜ ଚିତ୍ରକଳା ବିଦ୍ୟାଳୟ ଯାଇ ଅରୁଣ ଓ ଅନିତା କୁ ବୁଝାଇ କହିଲା ଅନ୍ୟ ମାନଙ୍କୁ କଣ ଶିଖାଇବାକୁ ହେବ |ତାପରେ ସେମାନେ ସେଠାରୁ ବାହାରି ଚାଲିଲେ ରେଜିଷ୍ଟ୍ରି ଅଫିସ | ସେଠାରେ ଆଇନ ହିସାବରେ ଯାହା ସବୁ କରିବାର କଥା ସବୁ କରାଗଲା ଓ ସେ ସବୁ କରୁ କରୁ ସମୟ ଦିନ ଚାରିଟା ବାଜିଗଲା |ସମସ୍ତଙ୍କୁ ନେଇ ଅବିନାଶ ଘରକୁ ଆସି ଛାଡ଼ିଦେଇ ମମତା କୁ କହିଲେ, "ମୁଁ କିଛି ଜରୁରୀ କାମ ସାରି ସନ୍ଧ୍ୟା ସାତଟା ସମୟରେ ଆସିବି |ହଁ ତୁମେ ସଙ୍ଗୀତା କୁ କହିଦିଅ ଯେ ସେମାନେ ଆଜି ରାତିର ଖାଇବା ଆମ ସାଙ୍ଗରେ ଖାଇବେ |"ଏତିକି କହି ଅବିନାଶ ବାହାରି ଚାଲିଗଲେ |ବିକାଶ ବାବୁ ଚାହା ପିଇ ମମତାକୁ କହି ଅନାଥ ଆଶ୍ରମ କୁ ଗଲେ |ମମତା ଗୋଟିଏ ଘଣ୍ଟା ବସି ଅରୁଣ ଓ ଅନିତା କୁ ପାଠ ପଢ଼ାଇଲା |ତାପରେ ସନ୍ଧ୍ୟା ୬ ଟା ବେଳେ ଟିକେ ନିଜ ଚିତ୍ର ଗୁଡିକରେ କିଛି କିଛି ରଙ୍ଗ ଦେଇ ସେ ଦ୍ୱାର ଘଣ୍ଟି ବାଯିବାର ଶୁଣିଲା | ମମତା ଦ୍ୱାର ଖୋଲି ଦେଖିଲା ଆକାଶ ଓ ଆରତୀ ଆସି ଯାଇଛନ୍ତି |ତେଣୁ ତରବର ହୋଇ ନିଜ ପିଲାଙ୍କ ଖାଇବା ବ୍ୟବସ୍ଥା କଲା |ତା ପିଲାଙ୍କୁ ଖୁଆଇ ସେ ନିଜେ ଟିକେ ଗାଧୋଇ ପଡିଲା କାରଣ ତାକୁ ଆଜି ଦିନ ସାରା ଏପଟ ସେପଟ ହୋଇ ଟିକେ କ୍ଲାନ୍ତ ଲାଗୁଥିଲା |ସେତକି ବେଳେ ଦ୍ୱାର ଘଣ୍ଟି ପୁଣି ବାଜିବାରୁ ମମତା ଖୋଲିଲା ଓ ଦେଖିଲା ତାର ବାନ୍ଧବୀ ସଙ୍ଗୀତା ସହିତ ତାର ସ୍ୱାମୀ ସମୀର ବାବୁ ଓ ପୁଅ ଶରତ ଙ୍କୁ |ସେ ତାଙ୍କୁ ସ୍ୱାଗତ କରି ଘର ଭିତରକୁ ନେଇଗଲା | ଆକାଶ ଓ ଆରତୀ ଙ୍କୁ ଡାକି ତାଙ୍କ ସହିତ ମିଶାଇଲା |ସେମାନେ ଶରତ ଙ୍କୁ ସାଙ୍ଗରେ ନେଇ ତାଙ୍କ ପଢିବା ଘରକୁ ଚାଲିଗଲେ |ମମତା ବସି କିଛି କଥା ହେଉଥିବା ବେଳେ ଅବିନାଶ ଆସିଗଲେ |ଅବିନାଶ ବହୁତ ଖୁସି ହୋଇ ସମୀର ବାବୁଙ୍କୁ ନମସ୍କାର କଲେ ଓ କୁଣ୍ଢାଇ ପକାଇଲେ |ସମୀର ବି ବହୁତ ଭାବ ବିହ୍ଵଳ ହେଇଗଲେ ଅବିନାଶ ଙ୍କୁ ଦେଖି |ସେମାନଙ୍କର ସବୁ ପୁରୁଣା ସ୍ମୃତି ତାଜା ହେଇ ଯାଉଥିଲା |ସେତିକି ବେଳେ ବିକାଶ ବାବୁ ଆସିଲେ, ତାଙ୍କୁ ସଙ୍ଗୀତା ଓ ସମୀର ନମସ୍କାର କଲେ |ବିକାଶ ବାବୁ ସଙ୍ଗୀତା କୁ ବହୁତ ଦିନ ପରେ ଦେଖି ଖୁସି ହେଇ ଗଲେ ଓ ତା ପୁଅ କଥା ପଚାରିଲେ |ସେତିକି ବେଳେ ଶରତ ଆସି ବିକାଶ ବାବୁ ଓ ଅବିନାଶ ଙ୍କୁ ପ୍ରଣାମ କଲା |ବିକାଶ ବାବୁ ଶରତ କୁ ନେଇ ଆକାଶ ଓ ଆରତୀ ପାଖକୁ ଗଲେ | ମମତା ଉଠିକରି ଗଲା ଚାହା ଜଳଖିଆ କରିବାକୁ |ସଙ୍ଗୀତା ବି ତା ସାଙ୍ଗରେ ଗଲା |ଦୁହେଁ ମିଶି ଚାହା ଜଳଖିଆ ପ୍ରସ୍ତୁତ କଲେ ଓ ରାତ୍ରି ଭୋଜନ ର ଆୟୋଜନ ବି କଲେ |ତାହାରି ଭିତରେ ମମତା ଓ ସଙ୍ଗୀତା ମନେ ମନେ ଭାବୁଥିଲେ, ଯେମିତି ସମସ୍ତ ଙ୍କ ବନ୍ଦୀ ହେଇ ରହିଥିବା ସ୍ବପ୍ନ, ଇଚ୍ଛା ସବୁ ଛଟ ପଟ ହେଉଛନ୍ତି ମୁକ୍ତ ବିହଙ୍ଗ ପରି ମୂକ୍ତ ହୋଇ ଉଡିବାକୁ |
