ମୁଁ ବି ସରପଞ୍ଚ ହେବି
ମୁଁ ବି ସରପଞ୍ଚ ହେବି
ପଞ୍ଚାୟତ ନିର୍ବାଚନ ସମୟ
ଚାରିଆଡେ ପରିବେଶ ନିର୍ବାଚନ ମୁଖର। ପ୍ରଚାର, ପ୍ରତିଶ୍ରୁତି, ପରାମର୍ଶ, ପରିଣାମ ର ଚର୍ଚ୍ଚା ପ୍ରତି ଗଳିକନ୍ଦିରେ ଚାଲୁଥାଏ।ଚାରିଆଡେ ପୋଷ୍ଟର, ବ୍ୟାନର, ନିର୍ବାଚନ ଗୀତ, ସଭାର କୋଳାହଳ। ଆକାଶ କଇଁଆ, ଘୋଡାର ଶିଙ୍ଗ, ସମୁଦ୍ରରେ ନିଆଁ, ରାତିରେ ଭାସ୍କର, ଅମବାସ୍ୟାରେ ବି ଜହ୍ନ ଦେଖିହେବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳୁଥିଲା।
ଏ ସମୟରେ ଆମ ଗାଁ ରାଜନୀତି ବି ସରଗରମ ହୋଇସାରିଥିଲା। ନିଜ ମୌଳିକ ଅଧିକାର ସାବ୍ୟସ୍ତ କରିବା ଓ ଗାଆଁ ବୁଲିଯିବା ପାଇଁ ପାଞ୍ଚ ଦିନ ଛୁଟି ନେଇ ମୁଁ ଗାଆଁକୁ ଫେରିଲି। ଗାଆଁକୁ ଫେରି ଜାଣିବାକୁ ପାଇଲି ରାଜ୍ୟ ନିର୍ବାଚନ ସଂରକ୍ଷଣ ତାଲିକା ଅନୁସାରେ ଆମ ପଞ୍ଚାୟତ ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଅଛି। ଆଉ ସବୁଠୁ ଆଶ୍ଚର୍ଯ୍ୟ ର କଥା ସରପଞ୍ଚ ପଦବୀ ପାଇଁ ମୋ ପିଲାଦିନର ସାଙ୍ଗ ହରି ପାର୍ଥିପତ୍ର ଦାଖଲ କରିଛି। ହରି ପୁଣି ସରପଞ୍ଚ ?
ହରି ମୋ ପିଲାଦିନର ସାଙ୍ଗ । ଜଣେ ଶାନ୍ତ ଓ ସରଳ ସ୍ୱାଭାବର ପିଲା। ପିଲାଟି ଦିନରୁ ବାପାଙ୍କୁ ହରାଇଲା ପରେ ସେ ତ ବିଦ୍ୟାଳୟ କେବେ ଯାଇନାହିଁ କି ଦି ଅକ୍ଷର ଶିଖିନାହିଁ।ସବୁବେଳେ ବିଲରେ ଖଟେ ଓ ଗାଆଁରେ କୌଳିକ ବୃତ୍ତି କରି ନିଜ ପରିବାରର ପେଟ ପୋଷେ। ମୁଁ ବି ବେଳେବେଳେ କିଛି ସାହାର୍ଯ୍ୟ କରିଦିଏ। ସେ ଏତିକିରେ ଖୁସି।ନିଜ ଦୁନିଆରେ ନିଜେ ହଜି ରହୁଥାଏ। ଦୁନିଆରେ କଣ ଚାଲିଛି କିଛି ଜାଣେନି। ମୂର୍ଖ ତ କହିବି ନାହିଁ ଖାଲି ସଂସାରର କେବଳ ଗୋଟିଏ ପାର୍ଶ୍ୱ ସେ ଦେଖିଛି ଅନ୍ୟ ଭାଗ ପ୍ରତି ସମ୍ପୂର୍ଣ୍ଣ ଅନିଭିଜ୍ଞ। ତାକୁ ଏ ବୁଦ୍ଧି କିଏ ଶିଖେଇଲା କେଜାଣି?
ଗାଁକୁ ଫେରିବା ଦିନ ସନ୍ଧ୍ୟାରେ ହିଁ ମୁଁ ତାକୁ ଭେଟିବା ପାଇଁ ତା ଘର ଆଡ଼େ ବାହାରି ପଡ଼ିଲି। ଟିଣ ପଢିଥିବା ତିନି ବଖରା ଘର। ତା ପିଲା ତିନିଟା ମୋତେ ମୁଣ୍ଡିଆ ମାରି ବାହାରକୁ ଖେଳିବାକୁ ଚାଲିଗଲେ। ହରି ଘରେ ନଥାଏ। ପ୍ରଚାର ପାଇଁ ଯାଇଥିଲା ବୋଧେ। ମୁଁ ଭାଉଜଙ୍କ ସହ ଭଲ ମନ୍ଦ କଥା ହେଉଥିବା ସମୟରେ ସେ ପହଞ୍ଚିଲା। ଦେଖୁ ଦେଖୁ ଦୁହେଁ ପରସ୍ପରକୁ କୋଳେଇ ନେଲୁ ଓ କିଛି ବ୍ୟକ୍ତିଗତ କଥାବାର୍ତ୍ତା ପରେ ମୁଁ ତାକୁ ପଚାରିଲି
" ହରି ତୋତେ ଏ ବୁଦ୍ଧି କିଏ ଦେଲା।"
ହରି - " ଆମ ସରପଞ୍ଚ ଆଜ୍ଞା। ସେ ପରା କହିଛନ୍ତି ମୁଁ ଯଦି ସରପଞ୍ଚ ଭୋଟରେ ଠିଆ ହୁଏ ଆଉ ଜିତେ ତେବେ ସେ ମୋ ପାଇଁ ଗୋଟିଏ ଇନ୍ଦିରା ଆବାସ କରେଇଦେବେ। ମୋତେ ସବୁଦିନ ମାଟିକାମକୁ ଡାକିବେ। ମୋ ପାଇଁ ସାଇକେଲଟିଏ କିଣି ଦେଇଛନ୍ତି। ଆହୁରି ମୋ ପିଲାମାନଙ୍କୁ ବଡ଼ ସ୍କୁଲରେ ପଢେଇବେ। ଆହୁରି କେତେ କଣ ? "
ମୁଁ ତାକୁ ପଚାରିଲି "ସେ ସବୁ କରେଇଦେବେ ? ତୁ ଜାଣିଛୁ ଗୋଟିଏ ସରପଞ୍ଚ ହାତରେ କଣ କଣ କ୍ଷମତା ରହେ।"
ହରି - (ବିରକ୍ତ ହୋଇ) " ସେ ସବୁ ତୁ ମତେ ପଚାର ନା। ସେ ସବୁ ସରପଞ୍ଚ ବାବୁ ବୁଝିବେ। ମୋତେ ଖାଲି ମଝିରେ ମଝିରେ ପଞ୍ଚାୟତ କୁ ଯାଇ ଟିପଚିହ୍ନ ଦେବାକୁ ପଡିବ। ମୋ କାମ ପରା ଏତିକି। "
ମୁଁ - "ଓହୋ ! ତୋତେ ଏ ପାଠ ପଢା ହୋଇଛି ନାହିଁ।"
ଏତିକି ବେଳକୁ କେହିଜଣେ ବାହାରୁ ଡାକିଲା- "ଏ ହରିଆ ଭାଇ ସରପଞ୍ଚ ବାବୁ ଡାକୁଛନ୍ତି ଶୀଘ୍ର ଆ ମିଟିଙ୍ଗ ହବ।"
ହରି - " ଯାଉଛି , ଯାଉଛି।"
ହରିର ସ୍ତ୍ରୀ - " ଅରେ ଖାଇ ଦେଇ ଯାଅ।"
ହରି - " ଏ ବାସି ପଖାଳ ମୁଁ ଖାଇବି ? ସେପଟେ ମଦ ମାଂସ ଭାସୁଛି । ଇଏ କହିଲା ଖାଇକି ଯାଅ। ରଖ, ମୁଁ ଚାଲିଲି। "
ଏତିକି କହି ସେ ଚାଲିଗଲା। ମୁଁ ବସି ତାର ଏ ପରିବର୍ତ୍ତନ ଓ ଅଜ୍ଞାନତାକୁ ଅନ୍ତରରେ ସମାଲୋଚନା କରୁଥାଏ। ଆସିଲା ବେଳଠୁ କାହିଁ ସାନ ଭାଇ ନରି ଓ ତା ସ୍ତ୍ରୀ ଦେଖା ଯାଉନଥିଲେ। ଭାଉଜ କାରଣ ପଚାରି ଜାଣିଲି ଯେ ହରି ବିରୋଧରେ ନରି ବିପରୀତ ପାର୍ଟିରୁ ସରପଞ୍ଚ ପାର୍ଥି ଭାବେ ଠିଆ ହୋଇଛି। ଆଉ ଏବେ ସେ ଅଲଗା ରହୁଛି।ମୁଁ ମନେ ମନେ ଭାବୁଥାଏ ତାକୁ ମଧ୍ୟ ବଧେ କିଛି ଏହିପରି ପାଠ ପଢା ହୋଇଥିବ ଆଉ। କେଜାଣି ନିର୍ବାଚନ ପରେ ଏମାନଙ୍କ ଅବସ୍ଥା କଣ ହେବ। ମୁଁ ସବୁ ବୁଝିପାରୁଥିଲି କିନ୍ତୁ କିଛି କରିବା ପାଇଁ ବିଳମ୍ବ ହୋଇସାରିଥିଲା। ଭାଉଜଙ୍କୁ ନମସ୍କାର କରି ମୁଁ ଘରକୁ ଫେରିଲି।
ବାଟରେ ପୂର୍ବତନ ସରପଞ୍ଚ ବାବୁଙ୍କ ସହ ମୋର ଦେଖା ହୋଇଗଲା। ସେ ମୋତେ କହିଲେ - "ଯଦି ଆମ ପଞ୍ଚାୟତ କୁ ଶୋଷଣ ଓ ଦୁର୍ନୀତି ମୁକ୍ତ କରିବାର ଅଛି ତେବେ ତୁମ ସାଙ୍ଗ ହରିଆକୁ ଭୋଟ ନିଶ୍ଚୟ ଦେବ।"ବଦଳରେ ମୁଁ ପଚାରିଲି - "ଆଜ୍ଞା ଆପଣ ତ ପୂର୍ବ ଥରର ସରପଞ୍ଚ ଥିଲେ ନା? ତା ମାନେ କଣ ଆପଣ ଦୁର୍ନୀତି ଓ ଶୋଷଣ କରୁଥିଲେ।
ସେ ଆସୁରିକ ହସି ହସି କହିଲେ - " ତମର ତ ସେ ମଜାଳିଆ କଥା କହିବା ପ୍ରବୃତ୍ତି ଗଲା ନାହିଁ " ଓ ଚାଲିଗଲେ।
ଏଣେ ମୁଁ ସେ ଆସୁରିକ ହସର ପଛରେ ଲୁଚିଥିବା ଲୋଭି,ଛଳ,ମନ୍ଦ ଉଦ୍ଧେଶ୍ୟ ଓ କୂଟନୀତି ପ୍ରବଣତା ଗୁଣ ଗୁଡିକୁ ଦେଖୁଥିଲି ଓ ଭାବୁଥିଲି
"ପାନ ଗୁଆ ଖଇର ଗୁଆ କାତି
ଭଲ ବ୍ୟବସାୟ ରାଜନୀତି।
ନେତା ଲାଗି ପେଣ୍ଡାଲ ଜନ ଛାତି
ଭଲ ବ୍ୟବସାୟ ରାଜନୀତି।
ଶତ୍ରୁ ସାଜେ ଭାଇ ସାଙ୍ଗସାଥି
ଭଲ ବ୍ୟବସାୟ ରାଜନୀତି।
କୁଜି ନେତା ପେଟ ନ ହୁଏ ଶାନ୍ତି
ଭଲ ବ୍ୟବସାୟ ରାଜନୀତି।
ଶୋଷଣ ସାଙ୍ଗକୁ ପ୍ରିୟାପ୍ରୀତି
ଭଲ ବ୍ୟବସାୟ ରାଜନୀତି।"
