ମୁକ୍ତି
ମୁକ୍ତି
ରାତି କେତେ ହେବ କେଜାଣି, ଦୁଆର ବାଡେଇବା ଶବ୍ଦରେ ଅନ୍ତରାର ନିଦ ଭାଙ୍ଗିଗଲା। କିଏ ଜଣେ ଜୋର ଜୋର ଦୁଆର ବାଡେଇ ଲାଗି ଥାଏ। ହଁ ଆସୁଛି, କହି ଶାଲଟା ଦେହରେ ପକାଇ ଦୁଆର ଖୋଲି ଦେଲା ସେ।
ହଟାତ ତାକୁ ଠେଲି ଦେଇ ଭିତରକୁ ପଶିଗଲା ଝିଅଟିଏ। ଆଉ ବିକଳ ହୋଇକହିଲା ଦୁଆର ବନ୍ଦ କରିଦିଅ ନ ହେଲେ ସେମାନେ ମୋତେ ମାରି ଦେବେ।
"କିଏ .........ତମକୁ ମାରି ଦେବ ।" ଦୁଆର ବନ୍ଦ କରୁ କରୁ ଅନ୍ତରା ପଚାରିଲା।
ସେଇ ମାନେ ଯିଏ ମୋତେ ଘର ଭିତରେ ବନ୍ଦ କରି ରଖିଥିଲେ।
ଅନ୍ତରା ଦେଖିଲା ଝିଅଟି ଅତି ଦୁର୍ବଳ ଦେଖିବାକୁ ,ହେଲେ ଵି ସୁନ୍ଦର ଚେହେରା। ବୟସ ପ୍ରାୟ ସତର କି ଅଠର ହେବ। ଭୟରେ ଥରି ଥରି ଠିକ୍ ରେ କଥା କହି ପାରୁ ନ ଥାଏ,ସେ ତାକୁ ପାଣି ଆଣି ପିଇବାକୁ ଦେଲା। ପାଣି ପିଇ ସାରି ଝିଅଟି ବସିପଡ଼ିଲା ସୋଫା ଉପରେ । ତା ପାଖରେ ବସି ତାକୁ ସାନ୍ତ୍ୱନା ଦେଇ ଅନ୍ତରା କହିଲା।
ବ୍ୟସ୍ତ ହୁଅନା ,ଏଠାକୁ କେହି ଆସି ପାରିବେନି। କୁହ ତମକୁ ସେମାନେ କଣ ପାଇଁ ମାରି ବାକୁ ଚାହୁଁଛନ୍ତି।
ତା 'ପରେ ଝିଅଟି କହିଲା,ମୋ ନାଁ ମାନି,ଏଇ ବସ୍ତିରେ ଆମ ଘର। ଘରେ କେବଳ ମୋ ମା ଅଛି ,ବାପା ମରି ଯାଇଛନ୍ତି। ଥରେ ମୋ ଦାଦା କେତେ ଜଣ ଲୋକଙ୍କୁ ନେଇ ଆମ ଘରକୁ ଆସି ଥିଲେ ଆଉ ମା'କୁ କହିଲେ,ତୁମ ଝିଅପାଇଁ ପ୍ରସ୍ତାବ ଆଣିଛି ବାହାଘର କରି ଦିଅ। ସେମାନେ କିଛିମାଗୁ ନାହାନ୍ତି। ,ଝିଅଟି ସୁନ୍ଦର ଦେଖି ରାଜିହୋଇଛନ୍ତି।
ମା'ଖୁସି ହୋଇଗଲା,ତା ପରେ ମନ୍ଦିର କୁ ନେଇ ମୋର ବାହାଘର କରିଦେଲେ। ବାହାଘର ପରଦିନ ମୋତେ ନେଇ ଗୋଟିଏ ଘରେ ରଖିଲେ ସେଠି ଆଉକେହି ନ ଥାଆନ୍ତି। ଯେଉଁ ଲୋକସହିତ ମୋର ବାହାଘର ହୋଇଥିଲା ପ୍ରଥମଦିନରାତିରେ ସିଏ ଆସିଥିଲା ,ଦିନ ସାରା ମୁଁ ସେଠାରେ ଏକା ଏକା ଥାଏ, ତା ପର ଦିନ ଆଉ ଜଣେ ଲୋକ । ମୁଁ ତାକୁ ଦେଖି ପ୍ରତିବାଦ କଲି।
ସିଏ ମୋତେ ଧମକ ଦେଇ କହିଲା ପାଟି ଚୁପ୍ କରି ରହ ସେମିତି ହେଲେ ତୋତେ ଆମେ ମାରି ଦବୁ। ଏମିତି ପ୍ରତି ଦିନ ଅଲଗା ଅଲଗା ଲୋକ ଆସୁଥାନ୍ତି, ମୋ ସହିତ ରାତି ଵିତେଇ ଚାଲି ଯାଆନ୍ତି । ମା କୁ ଦେଖିବାକୁ ଭାରି ଇଚ୍ଛା ହେଉଥାଏ।
ଦାଦା ଆଉ ସେଇ ଦିନ ଠାରୁ ମୋ ପାଖକୁ ଆସି ନ ଥାନ୍ତି। ଦିନେ ରାତିରେ ବାହାରେ କିଏ କଥା ହଉ ଥିବାର ଶୁଭିଲା । ମୁଁ ଭଲ କିରି ଶୁଣିବାକୁ ଯେତେ ବେଳେ କାନେଇଲି ,ମୋତେ ଦାଦାଙ୍କ ପାଟି ଶୁଭିଲା।
" ଆରେ ଝିଅଟାକୁ ନେଇ ଦୂରକୁ ଚାଲି ଯିବା ପାଇଁ ମୁଁ ପରା କହିଥିଲି। ତମେ ଏତେ ଦିନ ଏଠାରେ ରଖିଛ, ତା ମା ଜାଣିଲେ କିମ୍ବା ଆଉ କାହା ନଜରକୁ ଆସିଲେ ତମେ ସବୁ ବୁଝିବ। ମୁଁ ତୁମକୁ ବିକିଛି ବୋଲି କେହି ଯେମିତି ନଜାଣନ୍ତି।"
ସେଇ ଦିନ ମୁଁ ଜାଣିଲି ମୋ ଦାଦା ମୋତେ ବିକି ଦେଇଛି । ସେବେଠାରୁ ଚେଷ୍ଟା କରୁଥିଲି ,ଯୋଗକୁ ଦିନେ ସୁଯୋଗ ପାଇ ଖସି ଆସିଲି ।
ମୁଁ ବସ୍ତି ରେ ପହଞ୍ଚିଲା ବେଳକୁ ସେମାନେ ସେଠାରେ ପହଞ୍ଚି ମା କୁ ଧମକ ଦେଇଛନ୍ତି, ମୁଁ ଯଦି କାହାକୁ କିଛି କହିବି ତେବେ ସେମାନେ ମୋତେ ମାରି ଦେବେ। ମୁଁ ଆଜିପୁଣି ଲୁଚି ଲୁଚି ମା ପାଖକୁ ଯାଇଥିଲି । ଦାଦା କେମିତି ଜାଣି ଦେଲା। ସେମାନଙ୍କୁ ଖବର ଦେଇ ମୋତେ ଧରିବାକୁ ଚେଷ୍ଟା କଲା। ସେଠାରୁ ମୁଁ ବହୁ କଷ୍ଟ ରେ ଖସି ପଳେଇ ଆସିଲି।
ମା ମୋତେ ବାରମ୍ବାର କହିଥିଲା ତମ ପାଖକୁ ଆସିବା ପାଇଁ ତେଣୁ ମୁଁ ଏଠାକୁ ଆସିଛି।
ମୋତେ ତୁମେ ସାହାର୍ଯ୍ୟ କର ଦିଦି। ନ ହେଲେ ମୁଁ ମରିଯିବି।
ଝିଅଟିର କଥା ଶୁଣିସାରିବା ବେଳକୁ ଅନ୍ତରା ଦେହର ରକ୍ତ ଟକ୍ ମକ୍ ହଉଥାଏ। ଠିକ୍ ଏମିତି କିଛି ଘଟି ଥିଲା ତା ଜୀବନରେ।
ସିଏ କିନ୍ତୁ ଭାଙ୍ଗି ପଡ଼ି ନ ଥିଲା।
ଟିକେ ବି ଲୁହ ଗଡ଼ି ନ ଥିଲା ତା ଆଖିରୁ.......
"ବୁଝେଇ ଥିଲା ଝିଅଟିକୁ କାନ୍ଦେନା ,କାନ୍ଦିଲେ ସେମାନେ ତତେ ଆହୁରି ଡ଼ରେଇବେ।" ଖୁସି ହେବେ ତୋ ଲୁହ ଦେଖି,ଲୁହକୁ ସମ୍ଭାଳି ରଖ, ତାକୁ ତୋର ବଳ କର। କାନ୍ଦିଲେ ହାରିଯିବୁ ନିଜକୁ ଦୃଢ କରିନେ ।"
ମୋ ଜୀବନ ରେ ଯେଉଁ ଝଡ଼ ବୋହି ଯାଇଛି ତାକୁ ସାମ୍ନା କରି ମୁଁ ଯେମିତି ବଞ୍ଚିଛି, ଶୁଣିଲେ ତୁ ଆଶ୍ଚର୍ଯ୍ୟ ହୋଇ ଯିବୁ। ଦେଖ୍ ମୁଁ ନିଜକୁ କେମିତିସମ୍ଭାଳି ଶକ୍ତ ଭାବରେ ଠିଆ ହେଇଛି।
ଅନ୍ତରା ମନର ସେଇ କ୍ଷତ କୁ ଯେମିତି କିଏ କୋରି ପକେଇଲା, ଇଚ୍ଛା ନ ଥାଇ,ମଧ୍ୟ ଆଉ ଥରେ ସେଇ ଘଟଣା ଗୁଡ଼ିକ ଆଖି ଆଗରେ ଜଳ ଜଳ ହୋଇ ଦିଶି ଗଲା।
ତାର ଏ ଦୁନିଆରେ ନିଜର ବୋଲି କେହି ଜଣେ ନାହିଁ। ମାନି ର ତ ମା ଅଛି,ଯାହାକୁ ଭରସା କରି କଥା ପଦେ କହିପାରିବ ।
ତାର ତ 'ମା' ସମ୍ପର୍କ ପ୍ରତି ପ୍ରବଳ ଘୃଣା ଆସି ଯାଇଥିଲା, ଯେଉଁ ଦିନ ମା ଆତ୍ମହତ୍ୟା କରି ସବୁ ଦିନ ପାଇଁ ତାକୁ ଛାଡ଼ି ଚାଲିଗଲା, ଆଉ ତାକୁ ଏଇ ନର୍କ ରେ ବଞ୍ଚିବା ପାଇଁ ବାଧ୍ୟ କରିଦେଇ ଗଲା।
ବାପା ଙ୍କର ଅଲଗା ଜଣେସ୍ତ୍ରୀ ସହିତ ସମ୍ପର୍କ ରହିଛି ବୋଲି, ଜାଣିବା ପରେ ମା ଆତ୍ମହତ୍ୟା କରି ଦେଲା। ତା ପରେ ବାପା ସେଇ ସ୍ତ୍ରୀଲୋକକୁ ଘରକୁ ନେଇଆସିଲେ।
ସେତେ ବେଳେ ମୋ କଥା କେହିଜଣେ ମଧ୍ୟ
ଭାବିଲେନି।.ନା... ମା,' ନା... ବାପା..।
ମା ଥରେ ଯଦି ଭାବିଥାନ୍ତା, ମୁଁ କେମିତି ରହିବି ତେବେ ସିଏ ଆତ୍ମହତ୍ୟା କରି ମୋତେ ସାବତ ମା ପାଖରେ ଛାଡ଼ି ପଳାଇ ଯାଇ ନଥାନ୍ତା।
ବାପା ନୂଆ ମାକୁ ଆଣିବା ପରେ ଭୁଲି ଯାଇଥିଲେ ତାଙ୍କର ଗୋଟେ ଝିଅ ଅଛି ବୋଲି ନୂଆ ମା ଆସିବା ବେଳକୁ ମୁଁ ଛୋଟଥିଲି,
ତଥାପି ଘରର ପ୍ରାୟ କାମକରୁଥିଲି। କିଛି ଭୁଲ ହେଲେ ମାଡ଼ ଗାଳି ଖାଇ ଚୁପ୍ ରହୁଥିଲି।
ଆମ ଘର କହିବାକୁ ମୋର ସାହସ ନଥିଲା। କିନ୍ତୁ ନୁଆ ମା'ର ଭାଇ ଭଉଣୀ ସମସ୍ତେ ଆସି ଆରାମରେ ଆମ ଘରେ ରହୁ ଥିଲେ। ଘରେ ଅନବରତ କାମ କରିକରି ମୁଁ ପାଠ ପଢାଅଧାରୁ ଛାଡ଼ିଲି। ବାପା କେବେ ମୋ ପାଇଁକିଛି କହିବାର ମୁଁ ଶୁଣିନି।
ମୋର ଧୀରେ ଧୀରେ ବାହା ହେବା ବୟସ ହେଇ ଗଲା।
ନୂଆ ମା ଆସିବା ପରେ ବନ୍ଧୁବାନ୍ଧବ କେହି ଆମ ଘରକୁ ଆସନ୍ତି ନାହିଁ କିମ୍ବା ଆମ ଘର କଥାରେ ମୁଣ୍ଡ ପୁରାନ୍ତି ନାହିଁ ,ତଥାପି ଜଣେ କିଏ ମୋର ବାହାଘର ପ୍ରସ୍ତାବ ଆଣି ବାପାଙ୍କୁ ଦେଇ ଥିଲେ ବାପା ଙ୍କର ଇଚ୍ଛା ଥିଲା କି ନଥିଲା ମୁଁ ଜାଣିନି, ହଁ କହିଥିଲେ।
କିନ୍ତୁ କଣ ହେଲା କେଜାଣି ହଟାତ ଅନ୍ୟ ଜଣେ ଯୁବକ ସହିତ ମୋର ବିବାହ କରେଇ ଦିଆଗଲା ସିଏ କିଏ ,କଣ ମୁଁ କିଛି ଜାଣି ମଧ୍ୟପାରିଲି ନାହିଁ ,କି ଶାଶୁଘରକୁ ଯାଇନାହିଁ
ମୁଁ ସେଇ ଘରେ ରହିଥାଏ ,ପୂର୍ବ ଭଳି ଘର କାମ କରେ, ରାତିରେ ମୋତେ ସେ ଲୋକସହିତ ରହିବାକୁ ବାଧ୍ୟ କରାଯାଏ। ପ୍ରତି ରାତିରେ ମୁଁ ଧର୍ଷିତା ହୁଏ। ନୀରବ ରହିବା ପାଇଁ ମୋତେ ନିଶାଶକ୍ତ କରାଯାଏ। ପ୍ରତି ଦିନ ମରେ, ବାରମ୍ବାର ମରି ପୁଣି ବଞ୍ଚିରହେ ଆଉ ଥରେ ଧର୍ଷିତା ହେବାକୁ।
ତା ପରେ ମୋର ଏମିତି ଅବସ୍ଥା ହେଲା ମୁଁ ଦିନରେ ମଧ୍ୟ ନିଶାଶକ୍ତ ହୋଇ ରହିବାକୁ ଚାହିଁଲି
କାହିଁକିନା ରାତିର ସେ କଷ୍ଟ ଦିନରେ ଭୁଳିବା ପାଇଁ ଚାହୁଁଥିଲି .
ଫରକ ଏତିକି ଥିଲା ସେମାନେ ରାତିରେ ମୋତେ ବାଧ୍ୟ କରୁଥିଲେ, ଦିନରେ ମୁଁ ମୋ ଇଚ୍ଛାରେ ପିଉଥିଲି। ବେଳେ ବେଳେ ନିଶା ରେ ହସୁଥିଲି,କେତେବେଳେକାନ୍ଦୁଥିଲି ,କେତେବେଳେ ବାପାଙ୍କୁ ଗାଳି ଦେଉଥିଲି ତ କେତେବେଳେ ଭଗବାନଙ୍କୁ।
"
ମା ' ନାମକ ଶବ୍ଦ ପ୍ରତି ମୋର ଘୃଣା ଆସି ଯାଇଥିଲା।
ଗୋଟେଦିନ ରାତିରେ ମୋ ଶୋଇବା ଘରେ ନୁଆ ମା'ର ଭାଇ ଆସି ଶୋଇଲା। ସେଦିନ ରାତିରେ ମୋ ଶରୀର ତାର ଭୋଗ୍ୟହୋଇଗଲା।
ଆଉ ସେଦିନ ଶରୀର ସହିତ ମୋ ଆତ୍ମା ମଧ୍ୟ ଯନ୍ତ୍ରଣା ରେ ଜର୍ଜରିତ ହୋଇ ଗଲା।
ତା ପରେ ଆଉ ଜଣେ ଭାଇ ,ସେଦିନ ମୁଁ ପ୍ରତିରୋଧ କଲି। ବାପା ଙ୍କ ପାଖରେ ଠିଆ ହୋଇ ତାଙ୍କୁ ଧିକ୍କାର କରି କହିଲି। ନୁଆ ମା କୁ ମନ ଇଚ୍ଛା ଗାଳି ଦେଲି, ତାର ପ୍ରତିଫଳ ସ୍ୱରୂପ ମୋତେ ନିର୍ଧୁମ୍ ପିଟିଲେ ସମସ୍ତ ଙ୍କ ଆଗରେ ଉଲଗ୍ନକରି ସେଇ ନିଷ୍ଠୁର ଲୋକ ଗୁଡା ଗରମ ଲୁହା ପାତିଆ ଚେଙ୍କ ଦେଲେ। ରାତି ସାରା ଯନ୍ତ୍ରଣା ପାଇପାଇ ମୋ ମନକୁମନ ଭାବିଲି, ଥରେ ମୁହଁ ଖୋଲି କହିଛି ମାନେ, ଏ ବିଦ୍ରୋହ ଆରମ୍ଭ ହୋଇଛି ଆଉ ଏହାକୁ ମୁଁ ଶେଷ କରିବି। ତେଣିକି ଯାହା ହଉଛି ହେଇ ଯାଉ।
ଆଉ ତା'ପରେ ସକାଳର ସୂର୍ଯ୍ୟ କିରଣରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା । ସେ ଚାଲିଥିଲା ଏକମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତାରେ ଆଉ ତା'ଘର ଦେଇ ଫେରିବନି । ଛାଡ ହୋ..ସେ ସଂସ୍କୃତି ଓ ପରମ୍ପରାର କଥା, ଯାହା ନିଜ ଘର ଝିଅ ବୋହୂଙ୍କ ଦେହକୁ ସୁରକ୍ଷା ଦେଇପାରେନି । ସେ ଭୂଲି ସାରିଥିଲା ସିନ୍ଦୂରର ମାହତ୍ମ୍ୟ, ଲକ୍ଷ୍ମୀ ପୁରାଣର ଗାଥା, ଆଈମା ର ରଜା ରାଣୀ କଥା । ତା'ପାଖରେ ଦୁଇଟି କାମ ବାକି ଥିଲା । ପ୍ରଥମଟି ଲଣ୍ଡା ହେବା ଓ ଦ୍ୱତୀୟଟି କ୍ୟାରାଟି ଶିଖିବା ।
ସକାଳ ସୁଦ୍ଧା ସିଏ ବସି ଯାଇଥିଲା ଟ୍ରେନରେ । ସେ ଟ୍ରେନ କୁଆଡେ ଯିବ ସିଏ ଜାଣିନ ଥିଲା। ଟ୍ରେନ ଯେଉଁଠି ରହିଵ ସେଇଟା ହିଁ ହେବ ତାର ଗନ୍ତବ୍ୟ ସ୍ଥଳ।
ଏମିତି ଭାବି ବସିଛି ଦୁଇଜଣ ବୟସ୍କା ସ୍ତ୍ରୀ ଲୋକ ତା ପାଖ ରେ ଆସି ବସିଲେ। କିଛି ସମୟ ବସିବା ପରେ ସେମାନେ ତାକୁ କୁଆଡେ ଯାଉଛୁ ବୋଲି ପଚାରିଲେ ,କଣ ଉତ୍ତର ଦେବ ଭାବୁଛି ଏଇ ସମୟରେ ଜଣଙ୍କର ଦେହ ଖରାପ ଲାଗିଲା ଅନ୍ୟ ଜଣେ ବ୍ୟସ୍ତ ହେଇପଡ଼ିବା ଦେଖି ଅନ୍ତରା ତାକୁ ଧରାଧରି କରି ବସେଇ ଗୋଡ ହାତ ଆଉଁସି ଦେଇ ସେବା କରି ପକେଇଲା।
ଟିକେ ଭଲ ଲାଗିଲା ପରେ ସେମାନେ ତାକୁଧନ୍ୟବାଦ ଦେଇଥିଲେ ,ଆଉ କୁଆଡେ ଯାଉଛ ବୋଲି ପୁଣି ପଚାରିଲେ।
ସେତେ ବେଳକୁ ଅନ୍ତରା ସେମାନଙ୍କ ସହିତ ମିଶି ଯାଇଥାଏ। ତେଣୁ ନିଜର ସବୁ ଦୁଃଖ ତାଙ୍କୁ କହିଲା ସେମାନେ ତା କଥା ଶୁଣି ଆଶ୍ୱାସନା ଦେଇ ତାଙ୍କ ସହିତ ଯିବା ପାଇଁ ବୁଝାଇଲେ, ନ ହେଲେ ଏକା ଏକା ଆହୁରି ଅନେକ ଥର ତାକୁ ନିର୍ଯ୍ୟାତିତ କରଯିବ। ଏ ଦୁନିଆଁ କେବେ ଗୋଟିଏ ଏକଲା ଝିଅକୁ ସ୍ୱଚ୍ଛନ୍ଦ ରେ ବଞ୍ଚିବାକୁ ଦେବନାହିଁ।
ସେଇ ଦିନଠାରୁ ତାଙ୍କ ଘରେ ସେ ଜଣେ ପରିବାରର ସଦସ୍ୟ ହୋଇ ଗଲା। ଘର ଛାଡିବା ଦିନ ଠାରୁ ଗଣି ଗଣି ଦଶଦିନ ଦିନ ଲଣ୍ଡା ହୋଇ ବାପା ପାଇଁ ଶ୍ରାଦ୍ଧ ଦେଲା।
ପୁଣି ଏକ ନୁଆ ଜୀବନର ଅୟମାରମ୍ଭ କରି ନିଜ ଅସ୍ତିତ୍ବ କୁ ଉପଲବ୍ଧି କରିବାକୁ ଚେଷ୍ଟା କରି ଚାଲିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ସିଏ ଆଉ ପଛକୁ ଚାହିଁନି । କ୍ୟାରାଟି ଶିଖି ନିଜକୁ ରକ୍ଷା କରିବା ସହିତ ଗୋଟିଏ ଟ୍ରେନିଂ ସେଣ୍ଟର ଖୋଲିଛି। ଯେଉଁଠି ଝିଅମାନଙ୍କୁ ଦେୟମୁକ୍ତ ଭାବରେ ଶିକ୍ଷା ଦେବା ସହିତ ଯେଉଁ ଠାରେ ମହିଳା ମାନେ ନିର୍ଯ୍ୟାତିତା ହେଉଛନ୍ତି ସେମାନଙ୍କୁ ସାହାର୍ଯ୍ୟ କରି ସମାଜର ବ୍ୟଭିଚାରୀ ପୁରୁଷର କାମନା ବାସନା ର ଶିକାର ନିରୀହା ସ୍ତ୍ରୀମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଲଢେଇ କରିବାକୁ ତିଆରି କରୁଛି।
ତାର ଏଇ ଲକ୍ଷ୍ୟକୁ ପୂରଣ କରି ତା ହାତ ଧରି ଦୁନିଆଁ ରେ ଠିଆ ହେବା ପାଇଁ ପ୍ରେରିତ କରିଥିଲେ ସେଇ ଦୁଇ ଜଣ ଯାହାକୁ ଭରସା କରି ସେ ଟ୍ରେନ ରୁ ଓଲ୍ଳାଇ ତାଙ୍କ ସହିତ ଘରକୁ ଯାଇଥିଲା। ଏବେ ପୁଣି ମାନି ପାଇଁ ଲଢେଇ କରିବାକୁ ପଡ଼ିବ ତାକୁ।
ସ୍ୱନାମଧନ୍ୟା ଗାଳ୍ପିକା ଚିନ୍ମୟୀ ବାରିକଙ୍କ ଗଳ୍ପାଂଶ କୁ ନେଇ ମୁଁ ଏଇ ଗଳ୍ପ ଟି ରଚନା କରିଛି।ବେଳେ ବେଳେ ଆମ ସମାଜ ରେ ଏମିତି କିଛି ଘଟଣା ସାମ୍ନା କୁ ଆସି ଥାଏ,ନିଜ ଘରେ ମଧ୍ୟ ମହିଳା ଟିଏ ସୁରକ୍ଷିତ ଭାବେ ରହି ପାରେନା।ଏଇ ଗଳ୍ପାଂଶ ଟିରେ ସେମିତି କିଛି ଆଭାସ ମିଳିଥିବାରୁ କିଛି ଟା ସତ୍ୟ ଓ କିଛି କାଳ୍ପନିକ କଥା କୁ ନେଇ ମୁଁ ଏଇ ଗଳ୍ପ ଟି ଲେଖିବାକୁ ଚେଷ୍ଟା କରିଛି
ଧନ୍ୟବାଦ।