Sriman Bapu

Drama Tragedy Inspirational

4.2  

Sriman Bapu

Drama Tragedy Inspirational

ମୁକ୍ତି

ମୁକ୍ତି

11 mins
12K



ହରିପୁର ଗାଁର ପରିଆ(ପରମାନନ୍ଦ) ଆଉ ଭାରିଜା ରଜନୀର ବିବାହର ବହୁ ବର୍ଷ ଯାଏ କିଛି ସନ୍ତାନ ସନ୍ତତି ନଥିବାରୁ ପାଖ ଗାଁର ଜଣେ ସମ୍ପର୍କୀୟଙ୍କ ଠାରୁ ଗୋପାଳକୁ ପୋଷ୍ୟପୁତ୍ର କରି ଆଣିଥିଲେ । ପରିଆକୁ ଯେବେ ଷାଠିଏ ଆଉ ରଜନୀକୁ ବାଉନ ବର୍ଷ ହୋଇଥିଲା ସେବେ ପୁଅ ଭଗିଆକୁ (ଭଗବାନ)ଜନ୍ମ ଦେଇ ପ୍ରମାଣିତ କରିଦେଲେ ସେମାନେ ଅଣପୁରୁଷା କି ବାଞ୍ଝ ନୁହେଁ । ଭଗିଆକୁ ଯେବେ ସାତ ବର୍ଷ ହୋଇଥିଲା ବାପାଙ୍କର ଦେହାନ୍ତ ହୁଏ । ରଜନୀକୁ ଲାଗିଲା ସେ ବି ଆଉ ବେଶିଦିନ ବଞ୍ଚିବନି ତେଣୁ ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ପରେ ସତର ବର୍ଷର ପୋଷ୍ୟପୁତ୍ର ଗୋପାଳକୁ ପାଖ ଗାଁର ହରି ସାହୁଙ୍କର  ଚଉଦ ବର୍ଷର ବଡ଼ ଝିଅ ଚମ୍ପା ସହ ବାହାଦେଲା । 

ଗୋପାଳ ଆଉ ଚମ୍ପା ଠାରୁ ଜନ୍ମ ନେଲା ହରିଆ(ହରିହର) । ରଜନୀ ନାତି ମୁହଁ ଚାହିଁ ନିଜ ବାରବର୍ଷର ପୁଅ ଭଗିଆକୁ ପୁଅ ବୋହୁଙ୍କୁ ସମର୍ପି ଆଖିବୁଜିଲା । ତା'ର ଶେଷ ଇଚ୍ଛା ଥିଲା ନିଜ ଗର୍ଭରୁ ଜନ୍ମିତ ପୁଅ ଭଗିଆର ବାହାଘର ଦେଖିଥାନ୍ତା ହେଲେ  ତା'ର ଦୁର୍ଭାଗ୍ୟକୁ ତାହା ସମ୍ଭବ ହେଲାନି ।

ଭଗିଆକୁ ଯେବେ ସତର ବର୍ଷ ହୋଇଥିଲା ଭାଇ ଗୋପାଳର କେଉଁ ଏକ ଅଜଣା ଜ୍ବରରେ ପ୍ରାଣ ଗଲା । ବିଧବା ଭାଉଜ ଚମ୍ପା ଆଉ ପୁତୁରା ହରିଆର ଭରଣ ପୋଷଣ ଦାୟିତ୍ଵ ପଡ଼ିଲା ତାଙ୍କ ମୁଣ୍ଡରେ । ଅନିଚ୍ଛା ସତ୍ତ୍ବେ ସମ୍ପର୍କୀୟଙ୍କ ଚାପରେ ପଡ଼ି ବିଧବା ଭାଉଜ ଚମ୍ପାର ହାତ ଧରିଲେ ଆଉ ପୁତୁରା ହରିଆକୁ ପୁଅ କଲେ । ଅନିଚ୍ଛାର କାରଣ ନଥିଲା କି ସେ ବିଧବା ବିବାହ ବିରୋଧୀ ଥିଲେ ବଂର ସେ ଭାଉଜଙ୍କୁ ଜମା ପସନ୍ଦ କରୁନଥିଲେ । ମୂଖ୍ୟ କାରଣ ଗୁଡ଼ିକ ଭିତରୁ ଥିଲା ତାଙ୍କର ସ୍ନେହ ଆଦରହୀନ ରୁକ୍ଷ ବ୍ୟବହାର । ଏହା ସହ ବାରତୀର୍ଥ ଆଚାର ବିଚାର କିଛି ନ ମାନି ବର୍ଷକ ବାରମାସ ଜାକ ନିସଂଙ୍କୋଚରେ ମାଛ ଶୁଖୁଆ ଭକ୍ଷଣ କରିବା ଆଉ ଆଳସ୍ୟ ଯୋଗୁଁ ଘରଦ୍ୱାର ପୋଷାକପତ୍ର ସଫାସୁତୁରା ନ କରିବା ଭଳି ଅଲକ୍ଷଣୀ କାର୍ଯ୍ୟକଳାପ ।

ହେଲେ କ'ଣ କରିବେ ? ସରଳ ନିଷ୍କପଟ ଲୋକଟିଏ ସେ ଥିଲେ ଆଉ କାହାରିକୁ ନାଁ କହିବା ଶିଖି ନଥିଲେ । ସମ୍ପର୍କୀୟଙ୍କ ଉପଦେଶ ମାନି ମୂଖ୍ୟତଃ ହରିଆଟା କଥା ଚିନ୍ତାକରି ଶେଷରେ ରାଜି ହୋଇଥିଲେ । 

ପରିବାରର ଛୋଟ ତେଲପେଡା ବ୍ୟବସାୟ ପୁରୁଷ ପୁରୁଷ ଧରି ଗୁଜୁରାଣର ଏକମାତ୍ର ପନ୍ଥା ଥିଲା । କଲିକତିଆ ଟିଣ ତେଲ ଘରେ ଘରେ ପଶିବାରୁ ଘଣା ସବୁ ଧିରେ ଧିରେ ବନ୍ଦ ହେଲା । କୁଳବୃତ୍ତି ବୁଡ଼ିବାରୁ ଅଳ୍ପିକିଆ ଜମିରେ ଚାଷ ସମୟରେ ଚାଷ ଅନ୍ୟ ସମୟରେ କଲିକତା ଯାଇ ମୂଲ ଲାଗି ପରିବାରର ଭରଣପୋଷଣ କରୁଥିଲେ । 

ଭଗିଆ ଆଉ ଚମ୍ପା ଠୁଁ ଚାରିଟି ଛୁଆ ଜନ୍ମ ହୋଇଥିଲେ ଗୋଟିଏ ଝିଅ ଆଉ ତିନିଟି ପୁଅ । ହଇଜାରେ ଦୁଇ ବଡ଼ପୁଅଙ୍କର ଅତି ଅଳପ ବୟସରେ ଜୀବନ ଯାଇଥିଲା । ବାକି ରହିଥିଲେ ହରିଆକୁ ଲଗାଇ ତିନିଟି ଛୁଆ , ବଡ଼ଝିଅ କୁସୁମ ଆଉ ସାନପୁଅ କାଶିଆ (କାଶିନାଥ ) । ଦୁଇ ଭିନ୍ନ ଭିନ୍ନ ବାପାଙ୍କଠାରୁ ଜନ୍ମ ହୋଇଥିଲେ ବି ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ସୁଦୃଢ଼ ଆଉ ଅଭିନ୍ନ । 

ହରିଆ ଛୋଟ ବେଳୁ ନିଜ ସାନଭାଇ ଆଉ ଭଉଣୀଙ୍କ ଉପରେ ଢ଼ାଳିଦେଇଥିଲା ଅମାପ ଆଦର ଆଉ ଭଲପାଇବା । ସାନଭାଇ ଆଉ ଭଉଣୀ ଦୁଇଟା ବି ହରିଆଭାଇକୁ ଖୁବ୍ ମାନୁଥିଲେ । ସାହି ପଡ଼ିଶାରେ କିଛି ଇର୍ଷାଳୁ ଆଉ କୁଟୀଳ ଲୋକ ଯେତେ ଫୁସୁଲାଫୁସିଲି କରି ସଂପର୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କଲେ ବି ତିଳେ ମାତ୍ର ସଫଳ ହୋଇପାରି ନ ଥିଲେ ।

ବାପାଙ୍କ ମରିବାର ଦୁଇବର୍ଷ ପରେ ଯେବେ ହରିଆ ଚତୁର୍ଥ ଶ୍ରେଣୀରେ ପଢୁଥିଲା ଦେହରେ କୁଷ୍ଠ ରୋଗର ଲକ୍ଷଣ ଦେଖାଗଲା ! ବାପା ମରିବାର ଦୁଃଖ ସେ ବିଶେଷ ଅନୁଭବ କରିପାରି ନଥିଲା , ତା' ପାଦରେ ହାତରେ  କ'ଣ ସବୁ ଯେ ହେଇଯାଉଛି ସେ ସେବେ ବୁଝିପାରି ନଥିଲା । ହଠାତ୍ ତା'ଜୀବନରେ ସବୁ କିଛି ଓଲଟ୍ ପାଲଟ୍ ହୋଇଗଲା । ସ୍କୁଲ୍ ସାଙ୍ଗସାଥୀ , ଖେଳକୁଦ ସବୁ ତା'ଠାରୁ ଛଡ଼ାଇ ନିଆଗଲା ଆଉ ସମସ୍ତଙ୍କ ଦୁଆର ତା' ପାଇଁ ବନ୍ଦ ହୋଇଗଲା । ତାକୁ ପରିବାରର ସଦସ୍ୟଙ୍କ ଠୁଁ ବି ଅଲଗା ହୋଇ ରହିବାକୁ ହେଲା । ସମସ୍ତେ କହିଲେ ୟାକୁ ଗାଁରୁ ବାହାର କର ନହେଲେ ନିଆଁପାଣି ଅଟକ ହେବ ହେଲେ ଭଗିଆ ନିଆଁପାଣି ଅଟକକୁ ଖାତିରି ନକରି ପୁତୁରାକୁ କୋଳେଇ ନେଲା । ଏଇଥି ପାଇଁ ତ ଅନିଚ୍ଛା ସତ୍ତ୍ବେ ବି ବିଧବା ଭାଉଜର ହାତ ଧରିଥିଲା ।

୧୯୫୦ ଦଶନ୍ଧିରେ M.D.T ଔଷଧ ନଥିଲା , କୁଷ୍ଠ ରୋଗ ଆଉ ରୋଗୀଙ୍କ ପାଇଁ ଏକମାତ୍ର ପନ୍ଥା ସାମାଜିକ ବାସନ୍ଦ ଥିଲା । ପ୍ରତିଷେଧକ କହିଲେ ଗାଁ ଗହଳିରେ ଲୋକେ ବୈଦ୍ଯର ଚେରମୂଳି , ବାବା ଆଉ ଇଶ୍ୱରଙ୍କ କୃପାର ଭରଷାରେ ରହୁଥିଲେ । କୁଷ୍ଠ ରୋଗକୁ ଇହଜନ୍ମ ଆଉ ପୂର୍ବଜନ୍ମର କୁକର୍ମ , ପାପ ଆଉ ଅଭିଶାପର ଫଳ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ଥିଲା । ଏବେ ବି ଅନେକ ଲୋକଙ୍କର ସମାନ ବିଶ୍ୱାସ ଅଛି ।

ନୃସିଂହବାବା ସେ ସମୟରେ  ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ଥିଲେ ଯିଏ କି କୁଷ୍ଠ ରୋଗୀଙ୍କୁ ତାଙ୍କର ଚମତ୍କାରୀ ଜଡ଼ା ତେଲ ଦ୍ୱାରା ଆରୋଗ୍ୟ ଲାଭ କରାଉଥିଲେ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ଥିଲା । ନୃସିଂହବାବାଙ୍କୁ ଡ଼ାକିବାରୁ ସେ ନିଜେ ହରିଆକୁ ଦେଖିବାକୁ ଆସିଗଲେ । ତାଙ୍କ ଭିତରେ ଟିକିଏ ହେଲେ ବି ରୋଗୀ କି ରୋଗ ପ୍ରତି ଘୃଣା ଭାବ ନଥିଲା । 

ବାବା ଜଡ଼ା ତେଲ ମଗାଇଲେ , ତାକୁ ଗରମ କରି ସେଥିରେ ଆଉ କିଛି ଚେରମୂଳି ମିଶାଇ ହରିଆର ହାତ ଆଉ ପାଦରେ ବଡ଼ ଶ୍ରଦ୍ଧାର ସହ ପ୍ରଲେପ ଦେଲେ । ‌ହରିଆକୁ ସାତ୍ତ୍ୱିକ ଆହାର ଖାଇବା ସହ ଇଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ ରଖିବାର ଉପଦେଶ ଦେଇ ଚାଲିଗଲେ । ନୃସିଂହବାବାଙ୍କ ବ୍ୟକ୍ତିତ୍ୱ ହରିଆ ମନରେ ବିରାଟ ପ୍ରଭାବ ପକାଇଥିଲା । ସେ ବାବାଙ୍କ ଉପଦେଶ ସେଇ ବୟସରେ ଅକ୍ଷରେ ଅକ୍ଷରେ ପାଳନ କଲା । ତାକୁ ସାହାସ ଦେଉଥିଲେ ଆଉ ସହଯୋଗ କରୁଥିଲେ ଭଗିଆଦାଦୀ ଯିଏ କି ଏବେ ତା'ର ବାପା । ହେଲେ ସେ ଦାଦୀ ହିଁ ଡାକୁଥିଲା ଆଉ ଭଗିଆଙ୍କୁ ସେହି ଡ଼ାକ ହିଁ ଭଲ ଲାଗୁଥିଲା ।

ଇଶ୍ୱରଙ୍କ କୃପାରୁ କି ବାବାଙ୍କ ମହିମାରୁ ଜଣାନାହିଁ ହରିଆର ରୋଗ ଆଉ ବିଶେଷ ବଢ଼ିଲା ନାହିଁ । ଡାହାଣ ହାତ ପାପୁଲି ଆଉ ପାଦର ଆଙ୍ଗୁଳିରୁ ଅଧିକାଂଶ ସେ ହରାଇଥିଲା କିନ୍ତୁ ବାମ ହାତ ଆଉ ଡାହାଣ ପାଦ ସମ୍ପୂର୍ଣ୍ଣ ଭଲ ହୋଇଗଲା ଆଉ କାର୍ଯ୍ୟକ୍ଷମ ହୋଇ ରହିଲା । ଧିରେ ଧିରେ ସେ ନିଜ ଜୀବନକୁ ଆଦରି ନେଲା । ସାହି ପଡ଼ିଶାର ଅଧିକାଂଶ ଲୋକ ବି ତାକୁ ଆଦରି ନେଇଥିଲେ ତା'ର ସଦାସର୍ବଦା ହସ ହସ ମୁହଁ ଆଉ ସୁବିଧା ଅସୁବିଧା ବେଳେ ସବୁବେଳେ ଆଗେଇ ଆସି ଠିଆ ହେବାର ଗୁଣ ପାଇଁ । ସାନଭଉଣୀ କୁସୁମ ଆଉ ଭାଇ କାଶିଆଙ୍କ ଜନ୍ମ ପରେ ଜୀବନ ଅପେକ୍ଷାକୃତ ଭାବେ ପୂର୍ବ ଅପେକ୍ଷା ସହଜ ସୁନ୍ଦର ହୋଇଯାଇଥିଲା । ହେଲେ ବାକି ପିଲା ଆଉ ଲୋକଙ୍କ ଭଳି ସେ ସାଙ୍ଗରେ ବସି ଖାଇବା , ଶୋଇବା , ମେଳା ମଉଛବ କି ବିବାହ ଭୋଜିକୁ ଯିବା ସମ୍ଭବ ନ ଥିଲା ।  

ନିଃସଙ୍ଗତା ହରିଆ ଜୀବନର ଏକମାତ୍ର ଚିରସାଥୀ ହୋଇ ର‌ହିଥିଲା ‌। ନିଃସଙ୍ଗତାକୁ ଭୁଲାଇବା ପାଇଁ ସେ କାମ କରେ , ହାଡ଼ ଭଙ୍ଗା ଶ୍ରମ କରେ । ଗୋଟିଏ ପାପୁଲି ଆଉ ପାଦ ଠିକ୍ ଭାବେ ବୋଲ ମାନୁ ନଥିଲେ ବି ସେଇଥିରେ ସେ ହଳ କରେ , ରୁଆ ପୋତା , ଅମଳ କରେ ଆଉ ବାଡ଼ିରେ ବାରମାସ ଯାକ ଶାଗ ପନିପରିବା ଅଜାଡ଼ି ହୋଇ ରହେ । ସନ୍ଧ୍ୟାରେ ଭାଗବତ ଟୁଙ୍ଗୀରେ ବସି ହରିନାମ ଶୁଣେ । ତଥାପି କାହିଁକି କେଜାଣି ରାତିରେ ତାକୁ କେବେ ବି ଭଲ ନିଦ ହୁଏନି । ଶୋଇ ଶୋଇ ଭାଗବତର ତା'ର ଅତିପ୍ରିୟ ପଦମାନଙ୍କ ମଧ୍ୟରୁ ଅନ୍ୟତମ ଏକ ପଦ ମନେ ପକାଏ ,


 ହରି ଚରଣେ ଯାର ଶ୍ରଦ୍ଧା ।

        ତାକୁ ନ ଲାଗେ ଭବ ବାଧା ।।


ହରିଆର ବିବାହ କରିବାର ଇଚ୍ଛା ଥିଲା କି ନା ଜଣା ନାହିଁ । ତାକୁ କିଏ କାହିଁକି ସେ ବିଷୟରେ ପଚାରିବ ନା ତାକୁ କିଏ  ଝିଅ ଦେବ ? ତା ବୟସରେ ସମସ୍ତେ ବାହା ହୋଇ ସଂସାର କଲେଣି କେବେଠୁ । ଆଗ ସାନଭଉଣୀ କେତକୀର ଆଉ ପରେ ସାନଭାଇ କାଶିଆର । ଦୁଇ ଜଣଙ୍କ ବାହାଘରରେ ପ୍ରଥମ ସମସ୍ୟା ହେଲା ହରିଆ । ଏଇମିତିକା ଘରୁ କିଏ ଝିଅ ନେବ ନା କିଏ ଝିଅ ଦେବାକୁ ରାଜି ହେବ ? ଲୋକେ ତ ମୁହେଁ ମୁହେଁ କହି ଦିଅନ୍ତି କି ହରିଆ ପାଇଁ ଏ ଘରେ ସମସ୍ତେ ଓଥରା ରହିବେ । 

ହରିଆ ଏ କଥା ସବୁ ଶୁଣି ଭାଙ୍ଗି ପଡେ ଆଉ ଚିନ୍ତା କରେ କି ତା'ର ଘର ଛାଡ଼ି ଚାଲି ଯିବାଟା ସମସ୍ତଙ୍କ ପାଇଁ ମଙ୍ଗଳ ହେବ । ଭଗିଆ ତା'ର ମନ କଥା ବୁଝିପାରି ତାକୁ ସାହାସ ଦିଏ ପୁଣି ଜନ୍ମମାଟିର ଆକର୍ଷଣ  , ଘରର ଆଉ ସାନଭାଇ ଭଉଣୀଙ୍କ ବିବାହ ତାଙ୍କ ପିଲାଛୁଆଙ୍କୁ ଦେଖିବାର ଲୋଭ ତାକୁ ମାଡ଼ି ବସେ । ସେ ଯାହା ହେଉ ବଡ଼ କଷ୍ଟମଷ୍ଟେ  ହରିଆର ସତ୍ୟତାକୁ ଯଥା ସମ୍ଭବ  ଘୋଡ଼େଇ ଆଗେ ସାନ ଭଉଣୀ କେତକୀର ଆଉ ପରେ ସାନ ଭାଇ କାଶିଆର ବାହାଘର ହୋଇଗଲା । ହରିଆ ପରଦା ପଛରେ ରହି ସବୁ ବନ୍ଦୋବସ୍ତ କରିଥିଲା , ଦୂରରୁ ଥାଇ ସାନଭଉଣୀକୁ ସେ ବିଦାୟ ଦେଇଥିଲା । ତାହା ଆଖିର ଲୁହକୁ କାହା ନଜରରେ ପଡ଼ିବାକୁ ସେ ଦେଇ ନଥିଲା । 

ହରିଆର ଆଶୀର୍ବାଦ ନେବା ପାଇଁ କାଶିଆର ସ୍ତ୍ରୀ କାବେରୀ ଯେବେ ସ୍ୱାମୀଙ୍କ ସହ ହରିଆର ରହିବା ଘର ପାଖକୁ ଆସି ଦେଖିଲା , ଘରଟି ମୁଖ୍ୟ ଘର ଠାରୁ ସ୍ୱତନ୍ତ୍ର ଅଛି । ତାକୁ କେମିତି କେମିତି ଲାଗିଥିଲା ଆଉ କେତେ ପ୍ରଶ୍ନ ତା' ମନକୁ ଆନ୍ଦୋଳିତ କରିଥିଲା । ଯେବେ ମୁଣ୍ଡ ନୁଆଇଁ ଦୂରରୁ ଜୁହାର ହେଲା ସେବେ ତା'ର ଆଖି ହରିଆର ବାମ ପଦରେ ପଡ଼ିଗଲା , ସେ ଘୃଣା ଆଉ ରାଗରେ ଥରି ଉଠିଥିଲା ! କାରଣ ବିବାହ ପୂର୍ବରୁ ତାକୁ ଏ ବିଷୟରେ କେହି କିଛି ବି କହି ନ ଥିଲେ । ହେଲେ ହରିଆ ଯେଉଁ ଭଳି ଭାବରେ ଆଶିର୍ବାଦ ଦେଲା କି ଅଇସୁଲକ୍ଷଣୀ ହୋଇଥା ମା ! ଯାହା ହେଉ ଏତେ ଦିନ ପରେ ଏ ଘରେ ମା ଲକ୍ଷ୍ମୀଙ୍କର ପାଦ ପଡ଼ିଲା । କାବେରୀ ଶୁଣିବା ପରେ ତା'ର ରାଗ ଘୃଣା କୁଆଡ଼େ ଯେ ସବୁ ଉଭେଇ ଗଲା ! ସେ ମନେ ମନେ ନିଜକୁ ଧିକ୍କାରିଲା , ଛିଃ ଛିଃ ! ଏଭଳି ଜଣେ ଦେବତା ଭଳି ମଣିଷଟା ବିଷୟରେ ମୁଁ କ'ଣ ସବୁ ଭାବୁଥିଲି ?  


ଗୋଟିଏ ପରେ ଗୋଟିଏ କାଶିଆର ତିନିଟି ପୁଅ ହେଲେ । କାଶିଆର ଶାଢ଼ୀ ବେପାର , ବୁଲି ବୁଲି ହାଟ କରେ ତେଣୁ ସକାଳୁ ଯାଇ ରାତିକି ଫେରୁଥିଲା । ଶାଶୁ ଘର ପିଣ୍ଢାରେ  ବସି ରହିବା ଛଡ଼ା କୁଟା ଖଣ୍ଡକ ଦୁଇ ଖଣ୍ଡ କରେ ନାହିଁ । ପିଲା ଲୋକଟା ଏକା ଏକା କେତେ ଖଟିବ ? ହରିଆ ତେଣୁ ବିଲବାଡ଼ି କଥା ସବୁ ବୁଝାବୁଝି କରିବା ସହ ଛୁଆଙ୍କ ଦେଖାଶୁଣା ବି କରୁଥିଲା । ବଡ଼ପୁଅ ଦଶିଆଟା ତାକୁ ବା ଡାକୁଥିଲା ତେଣୁ ତାଠୁ ଶିଖି ବାକି ଛୁଆ ସବୁ ବି ତାକୁ ବା ବା ଡାକିଲେ । ଏହି ଡାକରେ ତା ପେଟ ପୂରିଯାଉଥିଲା । ଦିନମାନ ପିଲାମାନଙ୍କ ଭଲମନ୍ଦ ସେ ଚିନ୍ତା ବୁଝୁଥିଲା , ତାଙ୍କ ସହ ଖେଳୁଥିଲା ଆଉ କେତେ ଗପ ଶୁଣାଉଥିଲା । କେତକୀକୁ ଦଶିଆର ଜନ୍ମ ପରେ ଦଶିଆମା ବୋଲି ସେ ଡାକୁଥିଲା ।


ଏଇ ଭିତରେ ଭଗିଆ ବୁଢ଼ାର ପଞ୍ଚାବନ ଛପନ ବର୍ଷରେ ଅଜଣା କାଶ ଆଉ ଜ୍ବରରେ ପୀଡିତ ହୋଇ ପ୍ରାଣ ଗଲା । ହରିଆ ଜୀବନରେ ମାଆ ଯିବା ପରେ ଏଇଟି ସବୁଠୁ ବଡ଼ କ୍ଷତି ଥିଲା । ଜନ୍ମ କଲା ବାପାର ଚେହେରା ବି ତା'ର ଠିକ୍ ସେ ମନେ ନାହିଁ । ଏହି ଭଗିଆଦାଦୀ ନ ଥିଲେ ସେ କ'ଣ ଆଜିଯାଏଁ ବଞ୍ଚିଥାନ୍ତା ? ଯଦି ବି ବଞ୍ଚିଥାନ୍ତା ତେବେ ଆଉ କେଉଁଠି ନିଜ ପରିବାର ଠୁଁ ବହୁ ଦୂରରେ ରହି ଭିକ ମାଗି । କେବଳ ଦାଦୀ ପାଇଁ ସେ ଆଜି ସମ୍ମାନର ଜୀବନ ବଞ୍ଚିପାରୁଛି । ବାପା ମଲା ପରେ ସେ କେବେ ବି ଅନାଥ ବୋଧ କରି ନ ଥିଲା ହେଲେ ଦାଦୀ ମଲା ପରେ ସେ ପ୍ରକୃତରେ ଯେ ଅନାଥ ହେବା କ'ଣ ତାହା ଅନୁଭବ କଲା । 

କାଶିଆର ପରେ ଆହୁରି ଦୁଇଟି ପୁଅ ଆଉ ଗୋଟିଏ ଝିଅ ଜନ୍ମ ହେଲେ । ଛଅଟି ପୁତୁରା ଝିଆରୀଙ୍କୁ ସେ ନିଜର ପ୍ରାଣ ଠାରୁ ବି ଅଧିକ ଭଲ ପାଉଥିଲା । ସେ ଆଗ ଅପେକ୍ଷା ଆହୁରି ଅଧିକ ଖଟୁଥିଲା ଆଉ ଛୁଆଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ‌ ଦେଖୁଥିଲା । ତା' ସହଯୋଗ ଯୋଗୁଁ କାଶିଆ ନିର୍ବିଘ୍ନରେ ବେପାରରେ ମନ ଦେଇ ପାରୁଥିଲା । ଘରର ଆର୍ଥିକ ଅବସ୍ଥା ଧିରେ ଧିରେ ସୁଦୃଢ ହେଉଥିଲା । ସାହିପଡ଼ିଶାର କିଛି କିଛି ଈର୍ଷାଳୁ ହରିଆକୁ ପଚାରନ୍ତି , ଆରେ ହରିଆ ! ତୁ କାହିଁକି ଏତେ ମରିପଡ଼ି ଖଟୁଛୁ କିରେ , ତୋର କିଏ ଖାଉଛି ? ହରିଆ ହସି ହସି ଭାଗବତର ବାଣୀ ଶୁଣାଇ ଦିଏ ,


ଯାବତ ଦେହେ ପ୍ରାଣ ଥିବ ।

ତାବତ ସନ୍ତୋଷ ବଞ୍ଚିବ ।। 

 

ଆଉ ମୋର ସନ୍ତୋଷ ଏହି ଖଟିବାରେ ଅଛି , ମୋ ପୁତୁରା ପାଇଁ ମୋ ଝିଆରୀ ପାଇଁ ।  


ଏତେ ଖଟଣୀ  ଆଉ ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ଯେବେ ସେ ଟିକିଏ ନିର୍ଜନତା ପାଏ ସେବେ ଅନୁଭବ କରେ , ଯେମିତି ଦେହ ଭିତରେ ଥିବା ଏକ ରହସ୍ୟମୟ ଗୁମ୍ଫା ଭିତରକୁ ତାକୁ କିଏ ଝିଙ୍କି ନେଉଛି । ଏଭଳି ଅନୁଭବ ପରେ ଧିରେ ଧିରେ ତା'ର ଡ଼ରଭୟ ଆଉ କିଛି ରହେ ନାହିଁ । ରାତିରେ ସେ ଏକା ଏକା ମଶାଣି ପାଖରେ ଥିବା ଧାନ ବିଲରେ ପଲା ମାରି (tent) ଜଗିରହେ ।  କାଶିଆ ମନା କରିବା ସତ୍ତ୍ୱେ ଜଗିବା ବାହାନାରେ , ସେ ସେଇ ରହସ୍ୟମୟ ଅନୁଭବକୁ ଭେଟିବା ପାଇଁ ଯାଏ ‌।  

ତୋଫା ଜହ୍ନ ରାତିରେ ବିସ୍ତୀର୍ଣ୍ଣ ଧାନ ବିଲକୁ ଦେଖି ତାକୁ ଲାଗେ ସବୁ କେମିତି ଏ ଜହ୍ନ କିରଣରେ ତରଳି ତରଳି ଯାଉଛି । ତା'ର ଦେହ ଯାହାକୁ ସେ ଆଜି ଯାଏଁ ଆଦରି ପାରୁ ନଥିଲା , ଯାହାକୁ ଏ ସମାଜ ଘୃଣା କରେ ସେହି ଦେହର ନଶ୍ୱରତାକୁ , ଅନିତ୍ଯତାକୁ ଦେଖି ମୁରୁକି ହସେ  । ହେ ! ଏଇ ଦେହକୁ ନେଇ ଏତେ ଦୁଃଖ , ଏତେ ଯାତନା ? ଏ ତ ଏବେ ଅଛି ଆଉ କାଲି ନାହିଁ । ଆଗରୁ ସେ ଟିକିଏ ଅଧୈର୍ଯ୍ଯ ପ୍ରକୃତିର ଥିଲା , ଚିଡ଼ିଚିଡ଼ା ଥିଲା , ଖାଇବା ଟିକିଏ ବିଳମ୍ବ ହେଲେ ଦଶିଆ ମାଆ ଉପରେ ରାଗୁଥିଲା । ବିଡ଼ି କଠାଏ ନ ପିଇଲେ ରହିପାରୁ ନଥିଲା । ହେଲେ ଯେବେ ଠୁଁ ତା'ର ସେ ରହସ୍ୟମୟ ଅନୁଭବ ହେଲାଣି ସବୁ କିଛି କେମିତି ଓଲଟ ପାଲଟ ହେଇ ଯାଇଛି ତା' ଭିତରେ ।

ତା'ର ଖୁସି ଆଉ ଆତ୍ମସନ୍ତୋଷ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି ! ସାହିପଡ଼ିଶାର ଲୋକେ ଏବେ ତାକୁ ଟିକିଏ ଦେଖିବା ପାଇଁ , ଦୁଇ ପଦ ତା'ର କଥା ଶୁଣିବା ପାଇଁ ଝୁରି ହୁଅନ୍ତି । ସେ ହାଟକୁ ଗଲା ବେଳେ ସାହିଟା ଯାକ ଘରେ ପଚାରି ପଚାରି ଯିବ , ହେ ଚଗଲାମା , ସେ ବିକଳାମା କାହାର କ'ଣ ହାଟରୁ ଦରକାର ଅଛି ଯଦି କୁହ । ହାଟରୁ ଫେରିଲା ବେଳେ ତାକୁ ଯିଏ ଦେଖିବ ଭାବିବ ହରିଆ ପୂରା ହାଟଟିକୁ ଉଠେଇ ଆଣିଛି ହାତରେ କାନ୍ଧରେ ଆଉ ମୁଣ୍ଡରେ ଲଦି । ଯେଝା ଯେଝା ଘରେ ଜିନିଷ ଲୋକଙ୍କୁ ଦେଇ ହସି ହସି ଘରକୁ ଫେରେ ।  

ହରିଆକୁ ସେତେବେଳେ ବାଉନ କି ତେପନ ବର୍ଷ ହେବ , ଧାନକଟା ଆଉ ଅମଳ ସରିବା ପରେ ଦିନେ ସେ ପୁରୀ ବାହାରିଲା । ଏମିତି ଆଗରୁ ତ ସେ କେତେ ଥର ଯାଇଛି , କାଶିଆ ଯେତେ କହି ପଇସା ଯାଚିଲେ ବି ସେ ନିଏନି । ତା' ପାଖରେ ଥିବା ଅଳ୍ପ ସଞ୍ଚିତ ପଇସାକୁ ଅଣ୍ଟିରେ ଖୋସି ବାହାରି ପଡ଼େ । ସାଥିରେ ଥାଏ ଦୁଇଖଣ୍ଡ ଗାମୁଛା , ଖଣ୍ଡେ ଅଣ୍ଟାରେ ଆଉ ଖଣ୍ଡେ ଦେହରେ ଏହା ସହ ବାଉଁଶ ଠେଙ୍ଗାଟିଏ । ପ୍ରାୟତଃ ଦୁଇ ତିନିଦିନ ରହି ଘରକୁ ଫେରିଆସେ । ହେଲେ ସେଥରକ କ'ଣ ହେଲା କେଜାଣି ଚାରି ପାଞ୍ଚ ଛଅ ଏମିତି କରି ଦଶଦିନ ବିତିଗଲା ହରିଆର ଦେଖା ନାହିଁ ! କାଶିଆ ବ୍ୟସ୍ତ ହୋଇ ଖୋଜା ଖୋଜି କଲା , ଘରେ ସମସ୍ତେ ଚିନ୍ତିତ ! ଛୁଆ ଗୁଡ଼ାକ ବା ବା ! ହୋଇ ଠିକ୍ ସେ ଖିଆପିଆ କଲେନାହିଁ । ହରିଆ ଗଲା କୁଆଡେ ? 

କିଏ କହିଲା ବାଟରେ କେଉଁଠି ଦୁର୍ଘଟଣାଗ୍ରସ୍ତ ହୋଇ କେବେଠୁ ମରିହଜି ଗଲାଣି ତ , କିଏ କହିଲା ନୃସିଂହବାବା ସହ ହିମାଳୟ ପଳେଇ ଗଲା ଆଉ କିଏ କହିଲା ପୁରୀରେ ଏବେ କାଳେ ସେ ଭିକମାଗି ଦିନ କାଟୁଛି । ଲୋକେ କୁହାକୁହି ହେଲେ କି କାଶିଆ ଆଉ କାଶିଆ ବୋହୂଟା କାଳେ ତାକୁ ବହୁତ ଖଟାଇଲେ ପୁଣି ଖାଇବା ପିଇବାରେ ହଇରାଣ କଲେ ତେଣୁ ସେ ରାଗିକି ଘର ଛାଡ଼ି କୁଆଡ଼େ ପଳେଇ ଯାଇଛି । କାଶିଆ ବ୍ୟସ୍ତ ହୋଇ କାମଧନ୍ଦା ସବୁ ଛାଡି଼ ପୁରୀ ଯାଇ ଭାଇକୁ ବହେ ଖୋଜିଲା ହେଲେ ଶେଷରେ ନ ପାଇ ମୁଣ୍ଡ ତଳକୁ ଝୁଲାଇ ଫେରି ଆସିଲା ।

ପନ୍ଦର ଦିନ ପରେ ଦିନେ ସକାଳେ ବିଲ ପଟୁ ଚାଲି ଚାଲି ହରିଆର ଫେରିବାର ଦେଖାଗଲା । ଯେତେ ଯିଏ ପଚାରିଲେ ବି କାହାରିକୁ କିଛି ସେ କହିଲା ନାହିଁ  ।  ସେ ଏତେ ଦିନ କୁଆଡେ ଯାଇଥିଲା , କେଉଁଠି ଥିଲା ? ସବୁ ପ୍ରଶ୍ନର ଉତ୍ତର ଗୋଟିଏ ମୃଦୁହାସ୍ୟ ସହ ନୀରବତା  । ଦଶିଆ ମାଆ ଆଖିରେ ଲୁହ ଆଉ  ଛୁଆ ଗୁଡ଼ିକ ତାକୁ ଦେଖିବା କ୍ଷଣି ବା ବା  କହି ଯାଇ କୁଣ୍ଡାଇ ପକେଇଲେ । କାଶିଆ ରାଗିକି ଭାଇକୁ ଭୀଷଣ ଗାଳି ଦେଲା , ତା' ପରେ ଆଖିର ଲୁହ ଲୁଚାଇବା ପାଇଁ ଘର ଭିତରକୁ ପଳେଇ ଗଲା । ହରିଆ ଶେଷରେ କହିଲା , ଦଶିଆ ମା ! ପନ୍ଦର ଦିନ ମୋ ବିନା ରହିପାରୁନ ମୁଁ କ'ଣ ସବୁଦିନ ତୁମ ସହ ରହି ପାରିବି ? ଦୃଢ଼ ହୁଅ !

ପୁରୀରୁ ଫେରିବା ପରେ ଦିନେ କାହାରିକୁ କିଛି ନ କହି ହରିଆ ତା' ନାଁରେ ଥିବା ଜମିବାଡ଼ି ସବୁ କାଶିଆ ନାମରେ କରିଦେଇ ଆସିଲା , କେହି କିଛି ଜାଣିଲେ ନାହିଁ । ସେବେ ଠାରୁ ସେ ଖୁବ୍ କମ୍ କଥା କୁହେ , ଭାଗବତ ମନଧ୍ଯାନ ଦେଇ ଶୁଣେ । 

ଚୈତ୍ର ମାସରେ ଗାଁରେ ପ୍ରସିଦ୍ଧ ଠାକୁରାଣୀ ମେଳା ହୁଏ  । ଗାଁ ଯାକ ସମସ୍ତଙ୍କ ଘରେ ବନ୍ଧୁବାନ୍ଧବ ଭର୍ତ୍ତି । ଦିନେ ସନ୍ଧ୍ୟାରେ ଭାଗବତ ଟୁଙ୍ଗିରୁ ଫେରିଆସି କହିଲା , ଦଶିଆ ମାଆ ଟିକିଏ ଶୁଣିଲ ! କାବେରୀ‌ ରୋଷେଇ କରୁଥିଲା ବାହିରି ଆସି ମୁଣ୍ଡରେ ଲୁଗା ଦେଇ ପଚାରିଲା ନନା କ'ଣ ହେଲା କି ? ନା ଲୋ ମା ! କିଛି ନୁହେଁ  । ଆଜି ଟିକିଏ ଜଲ୍ଦି ରୋଷେଇବାସ ସାରି ଛୁଆଙ୍କୁ ଖାଇବାକୁ ଦେଇ ଖାଇନିଅ । ଦେଖ୍ ତ ! ଏ କାଶିଆଟାର ସବୁବେଳେ ଡେରି  । ସେ ବି ଆଜି ସହଳ ଆସିଯିବ ଯେ ବ୍ୟସ୍ତ ହୁଅନି । ତୁମେ ଏବେ ଯାଅ ଜଲ୍ଦି ରୋଷେଇ ସାରିଦିଅ ।

କାବେରୀ ହରିଆ କଥାରୁ କିଛି ବୁଝି ପାରିଲା ନାହିଁ । କହିଲା , ନନା ! କ'ଣ ସବୁ କହୁଚ ମୁଁ କିଛି ବୁଝି ପାରୁନି । ସମୟ ଛଅଟା ବାଜିଛି ସବୁ ଦିନ ତ ନଅଟାରେ ଖାଅ , ଆଜି ଏତେ ତର ତର କାହିଁକି ? ହରିଆ ଧିର କଣ୍ଠରେ କହିଲା , ଦଶିଆମା ! ମୋ ସମୟ ସରି ଆସିଲାଣି । ତୁମେ ଜମା ବ୍ୟସ୍ତ ହୁଅନି , ଏବେ ଆହୁରି କିଛି ସମୟ ବାକି ଅଛି । ଯାଅ  ତ ! ସିଘ୍ର ରୋଷେଇ ସାରି ଛୁଆଙ୍କୁ ଆଗ ଖାଇବାକୁ ଦିଅ । ଏହି ସମୟରେ କାଶିଆ ହାଟରୁ ଆସି ପହଁଚିଲା , କାବେରୀ କାନ୍ଦି କାନ୍ଦି ଦୌଡ଼ି ଗଲା ସ୍ୱାମୀଙ୍କ ପାଖକୁ । ହେଇଟି ଶୁଣିଲ ! ନନା ସବୁ ଇଆଡ଼ୁ ସିଆଡ଼ୁ  କ'ଣ ଗପୁଛନ୍ତି !


ହରିଆ ଯାଇ ନିଜ ବିଛଣା ଭଲ ଭାବେ ପାରି ଦେଇ ଧିରେ ସୁସ୍ଥେ ଗଡି ପଡ଼ିଲା । ତତକ୍ଷଣାତ୍ ପରିବାରର ସବୁ ସଦସ୍ୟ ରୁଣ୍ଡ ହୋଇଗଲେ , ସାହି ପଡ଼ିଶାର ଲୋକ ବି ଆସି ଜମା ହୋଇଗଲେ । ହରିଆ କହିଲା , ଓଃ ! କି ଭାଗ୍ୟ ମୋର ,ଏତେ ଲୋକ ! ହଉ ଆଉ ବିଳମ୍ବ କାହିଁକି ? ନିର୍ମାଲ୍ୟ ପାଣି ଆଣ । 

କାଶିଆ ଭାବିଲା ଭାଇଟା ନାଟକ କରୁଛି , ଦିନେ ଏମିତି ସାମାନ୍ୟ ଜ୍ୱର ଝାଡ଼ା ହୋଇ ବିଛଣାରେ ପଡ଼ିଯାଇ କହିଲା , ମୋ ସମୟ କାଳ ଆସିଗଲା ମୁଁ ଆଉ ବଞ୍ଚିବିନି ! ତା' ପରଦିନ ସକାଳୁ ପଖାଳ ଖାଇ ବିଲକୁ ବାହାରିଥିଲା ‌। ହେଲେ ସ୍ତ୍ରୀ ଲୋକ ତ ସରଳ ବିଶ୍ୱାସୀ ସାଙ୍ଗେ ସାଙ୍ଗେ ଧାଇଁ ଯାଇ ନିର୍ମାଲ୍ୟ ପାଣି ଆଣିଲେ । ସମସ୍ତେ ଚାମଚେ ଚାମଚେ ଦେଲେ । ଶେଷରେ ହରିଆ କାଶିଆକୁ ଡ଼କାଇ ପଠାଇଲା , ହରିଆ ଆସିବାରୁ ପାଖକୁ ଡାକି ଧୀର କରି କହିଲା , କାଶିଆରେ ! ଭାଇ ମୁଁହରେ ପାଣି ଟିକିଏ ଦେବୁନି ? କାଶିଆ ଆଖିରେ ଲୁହ ଜକେଇ ଆସିଲା । କହିଲା , ନନା ! ଏମିତି କାହିଁକି ହେଉଛୁ ଯେ ତୋର କ'ଣ ହେଇଛି ? ଏପଟେ ସ୍ତ୍ରୀ ଲୋକଙ୍କ ଆଖିରେ ଲୁହ , କେତକୀ ଅସମ୍ଭାଳ ! ମାର କାନ୍ଦ ଦେଖି ସାନ ଛୁଆ ଗୁଡ଼ାକ ରଡ଼ି ଛାଡ଼ିଲେ । ବଡ଼ ପୁଅ ଦଶିଆଟା ମାମୁଁ ଘରେ ରହି ପଢ଼ୁଥିଲା ତା'ର କ'ଣ ମନ ହେଲା କେଜାଣି ସେଦିନ କଲେଜ ନ ଯାଇ ଘରକୁ ପଳାଇ ଆସିଥିଲା । 

ହରିଆ କାଶିଆକୁ ତା'ର ମୁହଁ ପାଖରେ କାନ ଡେରିବା ପାଇଁ ଇଙ୍ଗିତ କଲା , ସେ ଆଉ ଭଲ ଭାବେ ପୂର୍ବ ଭଳି କଥା ହୋଇ ପାରୁ ନ ଥିଲା । ହାତ ଠାରି କହିଲା , ଟିଣ ବାକ୍ସରେ ଜମିର କାଗଜ ପତ୍ର ସବୁ ଅଛି । ପିଲାଙ୍କ ଯତ୍ନ ନେବୁ ପାଠଶାଠ ପଢେଇ ମଣିଷ କରେଇବୁ । ଶେଷରେ ଚମ୍ପାବୁଢ଼ୀ ଆସି ପୁଅ ମୁହଁରେ ପାଣି ଦେଲା , କାନ୍ଦି କାନ୍ଦି ଅଥୟ ହେବାରୁ ବୁଢ଼ୀକୁ ବାହାରକୁ ନେଇଗଲେ । ହରିଆ କହିଲା , ହେଇ ମୋ ବାପା ଆସିଲେଣି ମୋତେ ନେବାପାଇଁ , ହେଇ ମୋ ଦାଦୀ ଆସି ଅପେକ୍ଷା କଲେଣି ମୁଁ ଯାଏଁ ।


ହରିଆ ଆଖି ବନ୍ଦ କରି ଭଗବାନଙ୍କୁ ସ୍ମରଣ କଲା ତା' ପରେ ଦେଖିଲା କି  ତା' ଦେହ ସେଇମିତି ବିଛଣାରେ  ପଡ଼ିରହିଛି ଏକଦମ୍ ସ୍ଥିର ଅବିଚଳ ହୋଇ । ତା'ର ପ୍ରିୟଜନ ସବୁ କାନ୍ଦୁଛନ୍ତି । ଦାଦୀ କହିଲା , ହରିଆରେ ! ତୋ ସମୟ ସରିଛି ! ବାପା କହିଲେ , ଆସ ଯିବା ! ତୁ ମୁକ୍ତି ଲଭିଛୁ ।  


Rate this content
Log in

Similar oriya story from Drama