Priyadarshini Mishra

Drama

3  

Priyadarshini Mishra

Drama

ମୁଖା

ମୁଖା

3 mins
189



  "ଆଜିକାଲି ସମସ୍ତେ ଗୋଟିଏ ଗୋଟିଏ ମୁଖା ପିନ୍ଧି ବୁଲୁଛନ୍ତି । କାହା ମନ ଭିତରେ କଣ ଅଛି କିଏ ଜାଣିଛି । କଥାରେ ଅଛି ନର ମାୟା ନାରାୟଣ ଙ୍କୁ ମଧ୍ୟ ଜଣାନଥାଏ । ଆମେସବୁ ତ ମଣିଷ । ତୁ ଆଦୌ ବ୍ୟସ୍ତ ନ ହୋଇ ଈଶ୍ୱରଙ୍କ ଉପରେ ଭରଷା ରଖେ । ଦେଖିବୁ ସବୁ ଠିକ ହୋଇଯିବ" । ଏମିତି ଅନେକ କଥା କହି ହରିବାବୁ ପୁଅକୁ ବୁଝାଉଥା'ନ୍ତି । ହରିବାବୁଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁଥା'ନ୍ତି । ତାଙ୍କ ପୁଅ ମୁନା କେବଳ ନୀରବରେ ଲୁହ ଗଡେଇ ଚାଲିଥାଏ । ବନ୍ଧୁବାନ୍ଧବ ସମସ୍ତେ ହରିବାବୁଙ୍କ ଘରେ ଘଟିଯାଇଥିବା ଘଟଣାକୁ ନେଇ ଯେତିକି ମର୍ମାହତ ଦୁଃଖିତ ନଥିଲେ ତା'ଠାରୁ ଅଧିକ ଆଶ୍ଚର୍ଯ୍ୟ ହେଉଥିଲେ । ସତରେ ଦୁନିଆରେ କଣ ନ ଘଟୁଛି!ନହେଲେ ହରିବାବୁଙ୍କ ଘରେ ଏଭଳି ଘଟଣା ଘଟିଥାନ୍ତା କି?

   ଜଣେ ଶାନ୍ତ, ଅମାୟିକ,ଭଦ୍ରବ୍ୟକ୍ତି ଭାବେ ହରିବାବୁ ବେଶ ଜଣାଶୁଣା । ପରିବାର କହିଲେ ତାଙ୍କ ସ୍ତ୍ରୀ ଏକମାତ୍ର ପୁଅ ମୁନା ବୋହୁ ରାଧିକା ଓ ନାତୁଣୀ ଶ୍ରୀ । ପୁଅ ମୁନା ଦେଖିବାକୁ ରାଜକୁମାର ଭଳି । ଭାରତୀୟ ଷ୍ଟେଟବ୍ୟାଙ୍କରେ ମ୍ୟାନେଜର । ହରିବାବୁ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଧନ ସମ୍ପତ୍ତିର ଅଭାବ ନାହିଁ । ହରିବାବୁଙ୍କ ସ୍ତ୍ରୀ ମଧ୍ୟ ଅତ୍ୟନ୍ତ ଧର୍ମପରାୟଣା, ଶାନ୍ତ ଓ ସରଳ ମଣିଷ । ତେଣୁ ମୁନା ପାଇଁ ବିବାହ ପ୍ରସ୍ତାବ ଅଭାବ ନଥିଲା । ତେବେ ରାଧିକାର ମନଲୋଭା ରୂପ ଓ ଗୁଣରେ ବିମୋହିତ ହୋଇଯାଇଥିବା ହରିବାବୁ ଓ ତାଙ୍କ ପରିବାର ରାଧିକାକୁ ଘରର ବୋହୁ କରି ଆଣିବା ପାଇଁ ସ୍ଥିର କଲେ । ରାଧିକାର ବାପା ପରିବା ବିକ୍ରି କରି ପରିବାର ଚଳାନ୍ତି । ତେଣୁ ଝିଅ ବାହାଘରେ ଖର୍ଚ୍ଚ କରିବା ପାଇଁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ସେତେବେଳେ ହରିବାବୁ ଏସବୁ କଥାକୁ ତାଙ୍କର ସରଳତା ବୋଲି ଭାବିଥିଲେ । ଏବେ ସେ ଠିକ ବୁଝିପାରିଛନ୍ତି ରାଧିକାର ବାପାଙ୍କର ମନୋବୃତ୍ତି ହିଁ ସେହିପରି ଥିଲା । ନହେଲେ ଦୁନିଆରେ ଏମିତି କୋଉ ବାପା ଅଛନ୍ତି ଯିଏ ଝିଅ ବିଦା ବେଳେ ଝିଅକୁ ଶାଢ଼ୀ ଖଣ୍ଡେ ମଧ୍ୟ ଦେବାକୁ କୁଣ୍ଠାବୋଧ କରେ । ଝିଆ ପାଇଁ କିଛି କରିବାକୁ ତାଙ୍କର ଇଚ୍ଛା ନଥିଲା । ସେ ଯାହା ହେଉ ବାହାଘର ପରେ ଏମିତି ଅନେକ ଛୋଟବଡ଼ ଘଟଣା ଘଟିଗଲା ଯାହା ଦ୍ୱାରା ରାଧିକାର ବାପାଙ୍କର ସରଳତାର ମୁଖାଟି ଖସିପିଡ଼ିଥିଲା । ବାହାଘରେ ସବୁ ଖର୍ଚ୍ଚ କରି ରାଧିକାକୁ ବୋହୁ କରି ଘରକୁ ଆଣିଥିଲେ, ସେ ଘରଟିକୁ ଖୁସି, ସୁଖ, ଶାନ୍ତିରେ ଭରିଦେଵ । କିନ୍ତୁ ଧୀରେଧୀରେ ରାଧିକାର ଭଦ୍ରମୁଖା ମଧ୍ୟ ଖସିବାକୁ ଲାଗିଲା । ବାହାଘର ପରେ ରାଧିକା ବାପଘର ସହ କୌଣସି ସମ୍ପର୍କ ନଥିଲା କହିଲେ ଚଳେ । ଯେଉଁ ରାଧିକାର ସୁବ୍ୟବହାର ଦିନେ ସମସ୍ତଙ୍କୁ ମୁଗ୍ଧ କରିଥିଲା ତା'ର ସମ୍ପୂର୍ଣ୍ଣ ବଦଳିଯାଇଥିବା ରୂପ ଦେଖିବାକୁ ମିଳିଥିଲା । ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ ଥିଲା ସେ । ଏକଦମ ଏକଜିଦିଆ । ତ'ର କାହା ପ୍ରତି ସମ୍ମାନ, ଶ୍ରଦ୍ଧା, ସ୍ନେହଭାବ ନଥିଲା । ଘରଟିକୁ ନର୍କରେ ପରିଣତ କରିଦେଇଥିଲା । ହରିବାବୁ ନିଜ ସ୍ତ୍ରୀ ଓ ପୁଅ ମୁହଁକୁ ଚାହିଁ ଚୁପ ରହୁଥିଲେ । ନାତୁଣୀ ଶ୍ରୀର ଜନ୍ମ ପରେ ରାଧିକା ବଦଳିଯିବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ସେପରି କିଛି ହୋଇନଥିଲା । ବରଂ ରାଧିକା କୁନିଝିଅକୁ ଶାଶୁଙ୍କ ପାଖରେ ଛାଡି ଅଧିକାଂଶ ସମୟ ଘର ବାହାରେ ରହିବାକୁ ଲାଗିଲା । ମୁନା ତା' ବ୍ୟବହାରରେ ଅତିଷ୍ଠ ହୋଇ ତା'କୁ କିଛି କହୁ ନଥିଲା । ଶାଶୁ ଶ୍ୱଶୁରଙ୍କ କଥା ସେ ଶୁଣୁନଥିଲା । ହରିବାବୁ ଓ ତାଙ୍କ ସ୍ତ୍ରୀ ଏହିପରି ଅନେକ ମାନସିକ ନିର୍ଯ୍ୟାତନା ସହି ମଧ୍ୟ ଚୁପ ରହୁଥିଲେ କେବଳ ନାତୁଣୀ ଶ୍ରୀ ପାଇଁ । 

   ଏତେସରି କରିସାରିବା ପରେ ରାଧିକା ଅଭଦ୍ରାମିର ସବୁ ସୀମା ଟପିଯାଇ ଏକ ଚିଠି ଛାଡି ଶ୍ରୀକୁ ନେଇ ଚାଲିଗଲା । ଚିଠିରେ ଲେଖାଥିଲା ତା' ଦୀର୍ଘଦିନର ପ୍ରେମିକ ସହ ସେ ରହିବାକୁ ଚାହେଁ । ତେଣୁ ଝିଅକୁ ନେଇ ସେ ଘର ଛାଡ଼ିଯାଉଛି । ତା' ଜୀବନରେ ହରିବାବୁ କିମ୍ବା ତାଙ୍କ ପରିବାର କୌଣସି ହସ୍ତକ୍ଷେପ ନ କରିବାକୁ ସେ ଧମକ ଦେଇଥିଲା । ତଥାପି ଶ୍ରୀ କଥା ଚିନ୍ତା କରି ମୁନା ରାଧିକା ପାଖକୁ ଯାଇଥିଲା ଓ ତା'କୁ ଫେରିଆସିବା ପାଇଁ ଅନୁରୋଧ କରିଥିଲା । ରାଧିକାର ଉତ୍ତର ଥିଲା, "ମୋ ଜୀବନ ମୁଁ ଯେମିତି ଚାହିଁବି ଯାହା ସଙ୍ଗେ ଚାହିଁବି ବଞ୍ଚିବି । ମୋ ଝିଅ ମୋ ସାଙ୍ଗରେ ରହିବ । ତୁମେ ଏକୁଟିଆ ଫେରିଯାଅ ।" ସେଠାରୁ ଫେରିବା ପରେ ମୁନା ଆଖିରୁ ଲୁହ ଶୁଖୁନି । ନିଜ ପୁଅର ଏପରି ଅବସ୍ଥା ଦେଖି ହରିବାବୁଙ୍କ ସ୍ତ୍ରୀ ମଧ୍ୟ କାନ୍ଦୁଛନ୍ତି । ହରିବାବୁ ଦୁହିଁଙ୍କୁ ବୋଧ ଦେଇ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି । ନିଜ କଷ୍ଟକୁ ଚପେଇରଖି ପୁଅକୁ ବଝାଉଛନ୍ତି । ହେଲେ ତାଙ୍କ ମନ ମସ୍ତିଷ୍କରେ କେବଳ ଗୋଟିଏ କଥା ଚାଲିଥିଲା, "ମଣିଷ ଭଦ୍ର ମୁଖା ତଳେ ନିଜର କଦର୍ଯ୍ୟରୁ କଦର୍ଯ୍ୟ ଚେହେରାକୁ ଲୁଚେଇପାରେ, ଅନ୍ୟକୁ ଠକିପାରେ"। ଭଗବାନ କରନ୍ତେ,ଏମିତି କିଛି ଉଦ୍ଭାବନ ହୋଇପାରନ୍ତା ଯାହା ମଣିଷ ମନକୁ ସଠିକ ପଢିପାରନ୍ତା ଓ ସମସ୍ତେ ମୁଖା ତଳର ମଣିଷଟିକୁ ଦେଖିପାରନ୍ତେ!!!!



Rate this content
Log in

Similar oriya story from Drama