ମୁଖା ତଳ ମୁହଁ
ମୁଖା ତଳ ମୁହଁ
ମୁଁ ଅସହ୍ୟ ପୀଡାରେ ଛଟପଟ ହେଉଥିଲି।
ମୋର ଅବସ୍ଥା ଦେଖି ପାଞ୍ଚ ବର୍ଷର ପୁଅ ବିଭୁ,ତା' ବାବାଙ୍କୁ ଯାଇଁ ମାମା ର ଦେହ ଖରାପ ବିଷୟରେ କହିବାକୁ ଲାଗିଲା।ସୁବ୍ରତ କ୍ରିକେଟ ମ୍ୟାଚ ଦେଖୁଥିଲେ। ସେ ଶୁଣି ବି ଅଶୁଣା ହୋଇ ସେମିତି ଖେଳ ଦେଖିବାରେ ମଗ୍ନ ରହିଲେ। କେତେ ସମୟ ସେମିତି ଠିଆ ହୋଇ ରହିଲା ପୁଅ। ଶେଷକୁ ଝିଅ ଲୁଚିକରି ତାକୁ ସେଠାରୁ ଫେରି ଆସିବାକୁ ଇଙ୍ଗିତ କଲା। ବିଭୁ ମୁହଁ ଶୁଖେଇ ଫେରିଲା।ଆମ କଥାବାର୍ତ୍ତା ଶୁଣି କେତେ ସମୟ ପରେ, ବ୍ରେକ ସମୟରେ ସେ ଉଠି ଆସିଲେ ଟିଭି ସାମ୍ନାରୁ।
-"ଓଃ.... ମରିଯାଉଛି ଯେମିତି...! ସେ ସୁଆଙ୍ଗ ଗୁଡା ଦେଖାନା। କାମ ଦାମ ବନ୍ଦକରି ଶୋଇପଡିବାକୁ ଇଛା ଯଦି ଶୁଅ।ହେଲା !
ଶଳା ପେଖନା ବାହାର କରୁଛି ଗୋଟେ।" ସୁବ୍ରତ ଙ୍କ ଚିତ୍କାରରେ ଧଡପଡ ହୋଇ ଉଠି ବସିଲି। ରାତି ପାଇଁ ରୋଷେଇ କାମ ସାରିବାକୁ ତ ହେବ !
ପେଟରେ ଅସହ୍ୟ ଯନ୍ତ୍ରଣା l କାଲି ସାବିତ୍ରୀ ବ୍ରତ ପାଇଁ ଉପବାସ ରଖିଥିଲି। ପେଟରେ ଗ୍ୟାସ ହୋଇଯାଇଛି ଭାବି ପାଣ୍ଟ୍ରାପାଜୋଲ କ୍ୟାପସୁଲଟିଏ ବି ଖାଇ ସାରିଥିଲି।ତଥାପି ଯନ୍ତ୍ରଣା କମୁ ନଥିଲା। କଷ୍ଟ ସହି ହେଉନଥାଏ।ଅଜଣାତରେ ଆଖିରୁ ଲୁହ ଦୁଇଟୋପା ଖସି ପଡିଲା।
ମୋ ଅଜାଣତରେ ପୁଅ ଆଉଥରେ ତା ବାବାଙ୍କ ପାଖକୁ ଯାଇ ସାରିଥିଲା।ବାଜେ କଥା କହି ତାଙ୍କୁ ଡିଷ୍ଟର୍ବ କରୁଛି ବୋଲି ଖୁବ୍ ଉତ୍ତେଜିତ ହୋଇ ପଡିଲେ ବୋଧହୁଏ ସେ ! ନଚେତ୍ ପୁଅ ଗାଲରେ ଚାପୁଡାଟିଏ ବସେଇ ନଥାନ୍ତେ। ସେଠୁ ଚୁପଚାପ୍ ଫେରିଆସି ପୁଅ ବେଡ଼ରୁମରେ କାନ୍ଦୁଛି ବୋଲି ମୁଁ ଜାଣିଲି।ତା ପାଖରେ ମୁଁ ପହଞ୍ଚିବା ଆଗରୁ ଝିଅ ତା ପାଖରେ ପହଞ୍ଚି ଯାଇଥିଲା।
-" ବିଭୁ ! କାନ୍ଦୁଛୁ କାହିଁକି? ବାବା ମାରିଲେ କାନ୍ଦନ୍ତି ନାହିଁ ପରା।
ଭାଇକୁ ବୁଝେଇବାକୁ ଚେଷ୍ଟା କରୁଥିଲା ବିଥି।
-" ହଁ...! ତୁ ମିଛ କହୁଚୁ...।ମାମା ମାରିଲେ କାନ୍ଦନ୍ତି ନାହିଁ।" କାନ୍ଦ ବନ୍ଦ କରି କହିଲା ପୁଅ।
ମୁଁ ଦୁହିଁଙ୍କୁ ଜାବୁଡ଼ି ଧରିଲି। କେଜାଣି କାହିଁକି କ୍ଷଣିକ ପାଇଁ ମୋ କଷ୍ଟ କୁଆଡେ ଉଭେଇ ଯାଇଥିଲା। ତଥାପି ମୋ ଆଖରୁ ଲୁହ ଧାର ବହି ଯାଉଥିଲା।
-" ଛୁଆ ଡରୁଛନ୍ତି । ବୁଝିଲୁ ।ଡ୍ରାମା କରନି । ନିଜକୁ ଟିକେ କଣ୍ଟ୍ରୋଲ କରିବା ଶିଖ l ବୁଢ଼ୀଟେ ହେଲୁଣି।ଶଃ.. ତୋ ବୋପାକୁ ଫୋନ କରି କହ ଆସି ନେଇ ଯିବ l ଢୁକେଇ ଦେଇଛି ଆଣି ମାଗଣା ମାଗଣା l ମରିବୁନି କି ରହ ।ସେତେବେଳେ ଜାଣିବୁ । ମୋଫତରେ ଚାରିବେଳା ଠୁଙ୍କି ଆହୁରି ମୋର ଖର୍ଚ୍ଚ କରିବାରେ ଇଛା।ଡାକ ତୋ ବିକିଳିଆ ବୋପାକୁ।" ପୁଣି ଥରେ ସୁବ୍ରତ ଟିଭି ସାମ୍ନାରୁ ଉଠିଆସି ବିରକ୍ତ ପ୍ରକାଶ କରିଥିଲେ।
ପେଟ ମାରିବା କଷ୍ଟ ଯେତିକି ହେଉନଥିଲା ଏସବୁ କଥାର ଆଘାତ ତାଠୁଁ ଅଧିକ ଯନ୍ତ୍ରଣା ଦାୟକ ମନେ ହେଉଥିଲା l ପୁଅ କାନ୍ଦି କାନ୍ଦି ମୋତେ ଜାବୁଡି ଧରିଥାଏ l ବାବା କ୍ରିକେଟ ଖେଳ ଦେଖିବାକୁ କେମିତି ତାକୁ ଡାକୁଛନ୍ତି ଭାବି ସେ ଆଶ୍ଚର୍ଯ୍ୟ ହେଉଥିଲା ବୋଧେ। ଏପଟେ ମାମା କାନ୍ଦୁଚି, କଷ୍ଟପାଉଛି ! ଝିଅ ସବୁ ବୁଝି ଚୁପଚାପ ଥାଏ । ମୁହଁ ଶୁଖେଇ ଝରକା ଦେଇ ବାହାରକୁ ଚାହୁଁଥିଲା ଆଉ ଅପେକ୍ଷା କରୁଥିଲା ଝଡ଼ ଥମିବାକୁ..! ତଥାପି ସୁବ୍ରତଙ୍କ ଗର୍ଜନ କମୁନଥିଲା।
ରାକ୍ଷସ ନା କଣ ଇଏ ! ସବୁତକ ରାଗ ଏତିକିବେଳେ ସୁଝାଇ ଦେବେ ନା କ'ଣ ? ସବୁବେଳେ ତ ଦୋଷ ଦେଇ ଆସିଛନ୍ତି l ଆଜି କଉ ବଡ଼କଥା କି?
ସେ ଜାଣିବାକୁ ଥରେ ଚେଷ୍ଟା ବି କରି ନାହାନ୍ତି କ'ଣ ହେଉଛି ବୋଲି। ଘଣ୍ଟା ଘଣ୍ଟା ଧରି କ୍ରିକେଟ ଦେଖୁଥିଲେ ସେମିତି। ଥରେ ଆସି ମୁହଁ ଚାହିଁଲେ କି ପଚାରିଲେ ମହାଭାରତ ଅଶୁଦ୍ଧ ହୋଇଯିବ ଯେମିତି! ହେଲେ ମୁଁ ଭୁଲି ଯାଇଥିଲି ଇୟେ ସେଇ ଲୋକ ଯିଏ ମୋର ପ୍ରେଗନେନସି ସମୟରେ ବାନ୍ତି ହେବା ଦେଖି ପାଟି ତୁଣ୍ଡ ଆରମ୍ଭ କରି ଦେଇଥିଲେ ।
- "ଏମିତି ରଡି କରି ବାନ୍ତି କରନି ।ସମସ୍ତଙ୍କୁ ଜଣେଇବାକୁ ଇଛା ତ ବାପଘରକୁ ପଳା।" ସ୍ତ୍ରୀର ଭେଳିକି ଦେଖି , ମୁହଁ ମୋଡ଼ି ହେଇଯାଉଥିଲା ଯେମିତି ! ପୁଣି ଆଗକୁ ହସ୍ପିଟାଲରେ ଖର୍ଚ୍ଚ ପଡିବ ବୋଲି କେତେ ଅସହ୍ୟ ତାଙ୍କ କଥା !
ଝିଅ କୁ କହି ସାଙ୍ଗ ଡାକ୍ତର ଦୀପାଠୁ ପରାମର୍ଶ ନେଲି। ଆଣ୍ଟିସ୍ପାଜମୋଟିକ ଟାବଲେଟ୍ ଖାଇଲି। କିଛି ସମୟ ପରେ ଟିକିଏ ଆରାମ ଲାଗିଲା।
ସାମାନ୍ୟ ଥଣ୍ଡା ହେଲେ ବି ମୁହଁ ଶୁଖେଇ ଦେଉଥିବା ବାପାଙ୍କ କଥା ମନେ ପଡୁଥିଲା l ହାତରେ ଖୁଆଇ ନ ଦେଲା ଯାଏ ନିଜେ ପାଟିକୁ ଭାତ ନେଉ ନଥିଲା ବୋଉ l ଆଜି ସେ ଘରକୁ ଫେରିଯିବାର ରାସ୍ତା ବନ୍ଦ ହୋଇ ଯାଇଛି ପ୍ରାୟ ! ବୋଉ ତ ନାହିଁ। ବାପା ଖୁବ୍ ହିନସ୍ତାରେ ଚଳୁଛନ୍ତି ଯାହା। କାହାକୁ କହିବି ଦୁଃଖ ଏବେ ?
ଅପେକ୍ଷାକୃତ ଉଣା ରଙ୍ଗ ଓ ରୂପର ପୁଅ ପାଇଁ ଶାଶୁ ଶ୍ୱଶୁର ଖୋଜୁଥିଲେ ସୁନ୍ଦର ବୋହୂ। ତାଙ୍କୁ ମିଳିଗଲା। ବିନା ଯୌତୁକ ଓ ରୋଜଗାରିଆ ପାତ୍ର ଖୋଜୁଥିବା ବାପାଙ୍କୁ ମିଳିଗଲା ଉପଯୁକ୍ତ ଜୋଇଁ। ସେ ବି ଖୁସି। ମୁଁ ସମସ୍ତଙ୍କୁ ଖୁସି ଦେଖିବାକୁ ଚାହୁଁଥିବା ରକ୍ତମାଂସଧାରୀ କଣ୍ଢେଇ ଟିଏ ପରା !
ମନରେ ଶ୍ରଦ୍ଧା ନଥିଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସମ୍ପୂର୍ଣ୍ଣ ମିଛ।ଦୁନିଆର କପଟତା ପୂର୍ଣ୍ଣ କଳଙ୍କମୟ ଇତିହାସର ବହି ଛପା ହୋଇ ରହିଯାଏ ,ଯାହାର ପ୍ରତିଟି ଫର୍ଦ୍ଦ ଘୃଣା, ଅଭିଯୋଗରେ ଭରା ଥାଏ l ଉପରେ କେବଳ ହସର ମଲାଟ ମଡ଼ାହୋଇଥାଏ।ବାସ୍ l ଏମିତି ବଞ୍ଚିଲେ ଯାଇ ଦୁନିଆକୁ ସୁନ୍ଦର l ବାପା କହନ୍ତି ଯାହା ଦୁନିଆକୁ ସୁନ୍ଦର ତାହା ହିଁ କର ।
ଫୋନ୍ ରିଂ ହେଉଛି। ସୁବ୍ରତ ଅଫିସ ବାହାରି ଗଲେ ଯାଇ ଫୋନ୍ କରନ୍ତି ବାପା। ସିଏ ହିଁ ହୋଇଥିବେ। ପ୍ରକୃତରେ ସୁବ୍ରତ ଙ୍କ ଉପସ୍ଥିତିରେ ବାପାଙ୍କ ସହିତ କଥା ହେବାକୁ ଡର ମାଡେ ମୋତେ। ସେଥିପାଇଁ ସକାଳ ଦଶଟା ଭିତରେ ବ୍ୟସ୍ତ ଥିବାର ଆଳ ଦେଖାଏ।
ଫୋନ୍ ରିସିଭ୍ କଲି ତ ଶୁଭିଲା -" କେମିତି ଅଛୁରେ ମା !" ଇଛା ହେଉଥିଲା ରଡି ଛାଡି କାନ୍ଦି ବାପା ଙ୍କୁ ଦୁଃଖ କଷ୍ଟ କଥା ସବୁ ଜଣେଇବାକୁ,ଯେମିତି ପିଲାବେଳେ କ'ଣ ଟିକେ ହେଲେ କାନ୍ଦି ଫଟଉଥିଲି। ଛାତିରୁ କୋହ ଉଠୁଥିଲା। କ୍ଷଣିକରେ ପ୍ରକୃତିସ୍ଥ ହେଲି। ନିଜକୁ ଦୃଢ଼ କଲି।
-" ତୁମ କଥା କୁହ ବାପା। ମୁଁ ତ ଖୁବ୍ ଭଲରେ ଅଛି। ତୁମେ ପଠେଇଥିବା ଶାଢୀ କାଲି ସାବିତ୍ରୀ ରେ ପିନ୍ଧିଥିଲି। ଶାଢୀ ଖୁବ୍ ସୁନ୍ଦର ଦିଶୁଛି ବୋଲି ପିଲାମାନେ ଆଉ ତୁମ ଜୋଇଁ କହିଲେ।"
ବାପା ଫୋନ୍ ରଖିବା ପରେ ନିଜ ମୁହଁରୁ ଖୁସିର ମୁଖାଟିକୁ ଖୋଲି ଝର ଝର ହୋଇ କାନ୍ଦିବାକୁ ଲାଗିଲି। ମୁଁ ଜାଣେ ମନ ଇଛା କାନ୍ଦି ସାରିଲେ ଯାଇଁ ମୋତେ ଟିକେ ଭଲ ଲାଗିବ...!
