Kulamani Sarangi

Classics

4  

Kulamani Sarangi

Classics

ମୋତେ ମୁକ୍ତି ଦିଅ ପଦ୍ମନୟନ

ମୋତେ ମୁକ୍ତି ଦିଅ ପଦ୍ମନୟନ

5 mins
239



ପିତାମହ ଭୀଷ୍ମଙ୍କ ଶଙ୍ଖନାଦ ସହିତ ଆରମ୍ଭ ହୋଇଗଲା ଯୁଗାନ୍ତକାରୀ ମହାଭାରତ ସଂଗ୍ରାମ।ପାଣ୍ଡବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ ରଚନା କରିଥିଲେ ସୁଦୃଢ ବ୍ୟୁ଼ହ। ସେହି ବ୍ୟୁହ ମଧ୍ୟରେ ନିଜ ନିଜର ସ୍ଥାନ ଅଧିକାର କରି ରହିଥିଲେ ରଥି ମହାରଥୀ ଏବଂ ଶୂରବୀରଗଣ।


ପାଣ୍ଡବଙ୍କ ପକ୍ଷରେ ଥିବା ବୀରମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଯାଦବ ବୀର ସାତ୍ୟକି, ମହାରଥୀ ଧୃଷ୍ଟକେତୁ(ଶିଶୁପାଳଙ୍କ ପୁତ୍ର), ମତ୍ସ୍ୟ-ରାଜ ବିରାଟ, ଯାଦବ ବୀର ଚେକିତାନ, କାଶୀ ନରେଶ, ପାଞ୍ଚାଳ ନରେଶ ଦ୍ରୁପଦ,ପୁରୁଜୀତ ଏବଂ କୁନ୍ତଭୋଜ(କୁନ୍ତୀଙ୍କର ଦୁଇ ଭାଇ), ଶୈବ ନରେଶ, ପାଞ୍ଚାଳର ଦୁଇ ପ୍ରମୁଖ ବୀର ଯୁଧାମନ଼୍ୟୁ ଓ ଉତ୍ତମୌଜା,କୃଷ୍ଣାଙ୍କର ପାଞ୍ଚ ବୀର ପୁତ୍ର ଏବଂ ମହାପ୍ରତାପୀ ବୀର ଅଭିମନ୍ୟୁ।


କୌରବ ପକ୍ଷର ପ୍ରମୁଖ ବୀର ମାନଙ୍କ ମଧ୍ୟରେ ଥିଲେ ଭୀଷ୍ମ, ଦ୍ରୋଣ କର୍ଣ୍ଣ,କୃପାଚାର୍ଯ୍ୟ,ଅଶ୍ଵତ୍ଥାମା,ବିକର୍ଣ୍ଣ,ସୋମଦତ୍ତ,ଭୂରିଶ୍ରବା  ଶଲ୍ୟ ଇତ୍ୟାଦି। ସୈନ୍ୟ ସଂଖ୍ୟା କୌରବ ମାନଙ୍କର ଅଧିକ ଥିଲେ ମଧ୍ୟ ମାନସିକ ସ୍ତରରେ ସେମାନଙ୍କ ମଧ୍ୟରେ ବିଭେଦ ରହିଥିଲା। କର୍ଣ୍ଣଙ୍କର ଉପସ୍ଥିତିର କିଛି ମୂଲ୍ୟ ନଥିଲା,କାରଣ ଯୁଦ୍ଧ ପୂର୍ବରୁ ଭୀଷ୍ମଙ୍କ ସହିତ ତାଙ୍କର ମନୋମାଳିନ୍ୟ ଯୋଗୁଁ, ପିତାମହ ସେନାପତି ରହିଥିବା ପର୍ଯ୍ୟନ୍ତ ଯୁଦ୍ଧରେ ସେ ଅସ୍ତ୍ର ଧାରଣ ନ'କରିବାପାଇଁ ପଣ ନେଇଥିଲେ। 


ଭୀଷ୍ମ ଖୋଲା ଖୋଲି କହିଦେଇଥିଲେ ଯେ ଯୁଦ୍ଧରେ ସେ ଅନ୍ୟ ସୈନ୍ୟମାନଙ୍କୁ ନିହତ କରିବେ କିନ୍ତୁ ପାଣ୍ଡୁ ପାଞ୍ଚଭାଇଙ୍କ ଜୀବନ ନେଇ ପାରିବେ ନାହିଁ। ଦ୍ରୋଣାଚାର୍ଯ୍ୟଙ୍କର ପାଣ୍ଡୁପୁତ୍ର ମାନେ ଅତ୍ୟନ୍ତ ପ୍ରିୟ ଥିବାରୁ ରଣକ୍ଷେତ୍ରରେ ତାଙ୍କର ପ୍ରତିବଦ୍ଧତା ଉପରେ ସର୍ବଦା ପ୍ରଶ୍ନ ଚିହ୍ନ ଲାଗି ରହିଥିଲା।


ଅପର ପକ୍ଷରେ ପାଣ୍ଡବ ବାହିନୀ ସମ୍ପୂର୍ଣ୍ଣ ଏକତା ଏବଂ ପ୍ରତିବଦ୍ଧତା ସହିତ ରଣକ୍ଷେତ୍ରରେ ଅବତରଣ କରିଥିଲେ।ଦ୍ରୁପଦ,ଧୃଷ୍ଟଦ୍ୟୁମ୍ନ,ଶିଖଣ୍ଡୀ, ବିରାଟ,ଭୀମ, ଅର୍ଜୁନ ଆଦି କ୍ଷତ୍ରିମାନଙ୍କର ବ୍ୟକ୍ତିଗତ ଶତ୍ରୁତା ଥିଲା, କୌରବ ପକ୍ଷରେ ଥିବା ଅନେକ ବୀରଙ୍କ ସହିତ। ବ୍ୟକ୍ତିଗତ ପ୍ରତିବଦ୍ଧତା ଯେତେବେଳେ ସାମୁହିକ ପ୍ରତିବଦ୍ଧତାରେ ପରିଣତ ହୁଏ ସେତେବେଳେ ଲକ୍ଷ ସାଧନ କରିବା ସହଜ ହୋଇଥାଏ; ମହାଭାରତ ଯୁଦ୍ଧରୁ ଏହି ମହାନ ଶିକ୍ଷା ସର୍ବାଦୌ ପ୍ରାପ୍ତ ହୁଏ।


ଏହି ସମୟରେ ଯୁଦ୍ଧ ଆରମ୍ଭ ଘୋଷଣା କରି ପିତାମହ ଭୀଷ୍ମ ଶଙ୍ଖ ବଜାଇ ସିଂହ ନାଦ କଲେ।ତା ସଙ୍ଗେ ସଙ୍ଗେ ଢୋଲ,ଭେରୀ,ମୃଦଙ୍ଗ ଏବଂ ଶିଙ୍ଗା'ର ଭୟଙ୍କର ନାଦରେ ରଣକ୍ଷେତ୍ର ପ୍ରକମ୍ପିତ ହୋଇ ଗଲା।ମାଧବଙ୍କ ପାଞ୍ଚଜନ୍ୟ ଶଙ୍ଖ ଧ୍ବନିରେ ଅପୂର୍ବ ଶିହରଣ ଖେଳିଗଲା ଉପସ୍ଥିତ ସମସ୍ତ ଯୋଦ୍ଧା ମାନଙ୍କ ମନରେ। ଭୀମସେନ ପୌଣ୍ଡ୍ର ନାମକ ବିଶେଷ ଶଙ୍ଖ ବାଦନ କରି ଗଗନ ପବନ ପ୍ରକମ୍ପିତ କରିଦେଲେ। ଅର୍ଜୁନଙ୍କ ଦେବଦତ୍ତ ଶଙ୍ଖ ନିନାଦିତ ହୋଇ ଶତ୍ରୁ ମନରେ ଭୟ ସୃଷ୍ଟି କଲା। ଯୁଧିଷ୍ଠିର 'ଅନନ୍ତ ବିଜୟ' ନାମକ ଶଙ୍ଖ ବାଦନ କଲେ।ନକୁଳ ଓ ସହଦେବ ଯଥାକ୍ରମେ 'ସୁଘୋଷ' ଏବଂ 'ମଣିପୁଷ୍ପକ' ନାମକ ଶଙ୍ଖ ବାଦନ କରି ଯୁଦ୍ଧରେ ନିଜର ସ୍ଥିତି ଘୋଷଣା କଲେ।


ପିତାମହଙ୍କ ସୁଚାରୁରୂପେ ପରିଚାଳିତ କୁରୁ ସେନା ପ୍ରବଳ ଆକ୍ରମଣ କରିଦେଲେ ପାଣ୍ଡବ ବାହିନୀ ଉପରେ। ଭୀଷ୍ମଙ୍କର ଭୟଙ୍କର ରୂପ ଦେଖିବା ପାଇଁ ଆକାଶରେ ଦେବତା ମାନେ ଏକତ୍ରିତ ହୋଇ ରହିଥାନ୍ତି।ପକ୍ବକେଶ, ଶ୍ୱେତବସ୍ତ୍ର ପରିହିତ ବିଶାଳ ଶରୀର,ଆଜାନୁ ଲମ୍ବିତ ଭୁଜ,ଦେହରେ ସାଞ୍ଜୁ ସହିତ ନାନାବିଧ ଅସ୍ତ୍ରଶସ୍ତ୍ର;ଅଭିଶପ୍ତ ଅଷ୍ଟମ ବସୁ ପିତାମହଙ୍କର ରୂପ ଚକ୍ଷୁ ପବିତ୍ରକାରୀ ଥିଲା।


ରଣକ୍ଷେତ୍ର ପିତାମହଙ୍କ ବାଣରେ ଆଚ୍ଛାଦିତ ହୋଇଗଲା।ମନେହେଲା ସତେ ଯେପରି ଗୋଟିଏ ଦିନରେ କୁରୁକ୍ଷେତ୍ର ଯୁଦ୍ଧ ଶେଷ ହୋଇଯିବ।ପାଣ୍ଡବ ପକ୍ଷରେ ଶତ ଶତ ଶବର ସ୍ତୁପ ସୃଷ୍ଟି ହୋଇଗଲା।ଶଲ୍ୟ ମଧ୍ୟ ଭୟଙ୍କର ଯୁଦ୍ଧରେ ପାଣ୍ଡବ ପକ୍ଷର ଅପୂରଣୀୟ କ୍ଷତି ସାଧନ କଲେ।ଏ ଦୃଶ୍ୟ ଅର୍ଜୁନ ପୁତ୍ର ଅଭିମନ୍ୟୁ ପାଇଁ ଅସହ୍ୟ ଥିଲା। ପିତା ମହଙ୍କ ସହିତ ଘୋର ରଣରେ ମାତିଗଲା ଅଭିମନ୍ୟୁ।ସେ ଗୋଟିଏ ତୀରରେ ପିତାମହଙ୍କ ପଦସ୍ପର୍ଶ କରି ଦ୍ବିତୀୟ ତୀରରେ ତାଙ୍କ ରଥର ଧ୍ଵଜ ଧରାଶାୟୀ କଲା। ଚଉଦ ବର୍ଷ ବୟସର ଯୁବକର ଅଦ୍ଭୁତ ରଣ କୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ ପିତାମହ;ଚକ୍ଷୁରୁ ଝରି ଗଲା ଆନ୍ଦାଶ୍ରୁ.,ଭାବିଲେ.. ବାଃ ! କୁରୁ-କୁଳର ଗର୍ବ ମୋ ଅଣନାତି ! ଆଜି ମୋ ମସ୍ତକ ତୁ ଗର୍ବରେ ଉନ୍ନତ କରିଦେଲୁ,ଧନ୍ୟ ତୋର ପିତାମାତା !"


ଅନିଚ୍ଛା ସତ୍ତ୍ବେ ବାଧ୍ୟହୋଇ ଭୀଷ୍ମ ଅଭିମନ୍ୟୁ ସହିତ ଭୀଷଣ ସଂଗ୍ରାମରେ ଵିଜଡିତ ହୋଇ ଗଲେ।ପିତାମହଙ୍କ ସହିତ ଯୁଦ୍ଧରେ ଅଭିମନ୍ୟୁ ଶ୍ରାନ୍ତ କ୍ଳାନ୍ତ ହୋଇଗଲ।। ସହାୟତା ପାଇଁ ଯୋଗଦେଲେ ଭୀମ, ବିରାଟ ଏବଂ ଧୃଷ୍ଟଦ୍ବୁମ୍ନ। 


କ୍ରମେ ଯୁଦ୍ଧରେ ପାଣ୍ଡବ ବାହିନୀ ଉପରେ କୌରବଶକ୍ତିର ଆକ୍ରମଣ ପ୍ରବଳ ହୋଇ ଉଠିଲା। ବିରାଟଙ୍କ ପୁତ୍ର ଉତ୍ତରଙ୍କ ପାଇଁ ଏହା ଅସହ୍ୟ ଥିଲା।ଶଲ୍ୟଙ୍କ ସହିତ ଘୋର ରଣରେ ମାତିଗଲେ ଉତ୍ତର।ଦୁଇଟି ବାଣ କ୍ଷେପଣ କରି ଉତ୍ତର,ଶଲ୍ୟଙ୍କର ସାରଥୀକୁ ବଧ କଲେ ଏବଂ ଶଲ୍ୟଙ୍କ ରଥ ଧ୍ବଂସ କଲେ। ମତ୍ସ୍ୟ ରାଜକୁମାଙ୍କର ଅଦ୍ଭୁତ ରଣ କୌଶଳ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ମଦ୍ରରାଜ ଶଲ୍ୟ...ଏ କଣ ସେହି ଉତ୍ତର ,ଯେ ଗୋଧନ ହରଣ ସଂଗ୍ରାମ ସମୟରେ ବିଶାଳ କୌରବ ବାହିନୀକୁ ଦେଖି ଭୟରେ ରଣକ୍ଷେତ୍ର ତ୍ୟାଗ କରି ପଳାୟନ କରିଥିଲେ !!ଶଲ୍ୟ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଉତ୍ତରଙ୍କ ଉପରକୁ ଏକ ବର୍ଚ୍ଛା କ୍ଷେପଣ କଲେ। ତାହା ଭୀଷଣ ଗତିରେ ଯାଇ ଉତ୍ତରଙ୍କ ବକ୍ଷ ଭେଦକଲା।ବୀର ଗତି ପ୍ରାପ୍ତ ହେଲେ ମତ୍ସ୍ୟ ରାଜପୁତ୍ର।


ଅନୁଜ ଉତ୍ତରଙ୍କ ବୀରଗତି ପ୍ରାପ୍ତି ଦେଖି ଦୁଃଖରେ ମ୍ରିୟମାଣ ଜ୍ୟେଷ୍ଠ ମତ୍ସ୍ୟ ରାଜକୁମାର ଶ୍ବେତ ଉନ୍ମତ୍ତ ହସ୍ତୀ ଭଳି ଯୁଦ୍ଧରେ ମାତି ଗଲେ ଏବଂ ଅନେକ ସୈନ୍ୟ ନିହତ କଲେ।ପିତାମହ ଭୀଷ୍ମଙ୍କ ପାଇଁ ଏହା ଅସହ୍ୟ ଥିଲା।ଏକ ଅଭେଦ୍ୟ ବାଣ ପ୍ରୟୋଗ କରି ସେ ରାଜକୁମାର ଶ୍ବେତଙ୍କୁ ଧରାଶାୟୀ କଲେ।


ବିରାଟଙ୍କ ଦୁଇ ପୁତ୍ରଙ୍କ ମୃତ୍ୟୁ ପରେ ସଫଳତାର ପ୍ରେରଣାରେ ଉଦ୍ବୁଦ୍ଧ କୌରବ ବାହିନୀ ପାଣ୍ଡବଙ୍କ ଉପରେ ପ୍ରବଳ ଆକ୍ରମଣ କରିଦେଲେ।ପ୍ରଥମ ଦିନର ଏହି ଯୁଦ୍ଧରେ ପାଣ୍ଡବ ପକ୍ଷର ଘୋର କ୍ଷତି ଘଟିଲା। ସୂର୍ଯ୍ୟାସ୍ତ ପରେ ଶିବିରକୁ ମହା ଆନନ୍ଦ ମନରେ ଫେରିଲେ କୌରବ ବାହିନୀ।ଦୁଇ ମହାବୀରଙ୍କୁ ହରାଇ ମ୍ରିୟମାଣ ପାଣ୍ଡବଙ୍କ ଶିବିରରେ ଦୁଃଖର ଲହରୀ ଖେଳିଗଲା।ପାଣ୍ଡବମାନେ ଆତ୍ମ ଚିନ୍ତନ ଆରମ୍ଭ କରିଦେଲେ।


 ଶ୍ରୀକୃଷ୍ଣ କହିଲେ...ପ୍ରଥମ ବିଫଳତାରେ ଯେ ଭାଙ୍ଗିପଡେ ସଫଳତା ତା ଠାରୁ ଦୂରେଇ ଯାଏ।ବିଫଳତା ସଫଳତାର ଚାବିକାଠି।ପ୍ରଥମ ଦିନର ଭୁଲ୍ ସୁଧାରି ନୂତନ ଉଦ୍ଦିପନା ସହିତ ଆମେ ପରିବର୍ତ୍ତିତ ରଣ କୌଶଳ ନେଇ ଆଗେଇ ଯିବା ଉଚିତ୍।ଦୁଇ ମହାବୀରଙ୍କ ବୀରଗତି ପାଇଁ ଏହା ଶୋକ କରିବା ସମୟ‌ ନୁହେଁ; ବରଂ ସେମାନଙ୍କ ଅବଦାନର ମୂଳଦୁଆ ଉପରେ ବିଜୟ ସୌଧ ନିର୍ମାଣ କଲେ ସେମାନଙ୍କ ଆତ୍ମା ସଦ୍ଗତି ପ୍ରାପ୍ତ ହେବେ।"


ଶ୍ରୀକୃଷ୍ଣଙ୍କ ଉଦବୋଧନ ନୂତନ ପ୍ରାଣସଞ୍ଚାର କଲା ପାଣ୍ଡବଙ୍କ ମନରେ।ନୂତନ ରଣ କୌଶଳ ସହିତ ନୂତନ ଉଦ୍ଦିପନାରେ ଦ୍ବିତୀୟ ଦିନର ଯୁଦ୍ଧକୁ ଲମ୍ଫ ଦେଲେ ପାଣ୍ଡବ ବାହିନୀ।

ଦ୍ବିତୀୟ ଦିନ ଯୁଦ୍ଧ ଥିଲା ଅତି ଭୟଙ୍କର।ଭୀଷ୍ମଙ୍କ ସହିତ ଘୋର ଯୁଦ୍ଧରେ ମାତି ଗଲେ ତୃତୀୟ ପାଣ୍ଡବ ଅର୍ଜୁନ।ପିତାମହଙ୍କୁ ଯୁଦ୍ଧରେ ସାରାଦିନ ବାନ୍ଧି ରଖିଲେ ପାର୍ଥ। ଫଳରେ ଭୀଷ୍ମ ଅନ୍ୟ ଶତ୍ରୁସୈନ୍ୟଙ୍କୁ ନିପାତ କରିବାର ଅବସର ପାଇଲେ ନାହିଁ।ଏହା ଥିଲା ପାଣ୍ଡବ ମାନଙ୍କର ନୁତନ ରଣ କୌଶଳର ଏକ ଅଂଶ।ଦ୍ରୋଣଙ୍କୁ ମଧ୍ୟ ଯୁଦ୍ଧରେ ବାନ୍ଧି ରଖିଲେ ଦ୍ରୁପଦ ଏବଂ ଧୃଷ୍ଟଦ୍ୟୁମ୍ନ।


ବିଜୁଳି ବେଗରେ ଧନଞ୍ଜୟଙ୍କ ନନ୍ଦିଘୋଷ ଯୁଦ୍ଧ କ୍ଷେତ୍ରରେ ଘୁରିବୁଲୁଥାଏ,ସତେ ଯେପରି ଏହା ଶ୍ରୀକୃଷ୍ଣଙ୍କ ହାତର ଖେଳନା। ଅର୍ଜୁନଙ୍କ ବାଣରେ ଆଚ୍ଛାଦିତ ନଭ ମଣ୍ଡଳ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ ...ପାର୍ଥ ! ପିତାମହ ପାଣ୍ଡବ ବାହିନୀର ଘୋର କ୍ଷୟକ୍ଷତି କରୁଛନ୍ତି, ତାଙ୍କର ବିନାଶ ନହେଲେ ଆମେ ଯୁଦ୍ଧରେ ଜୟଯୁକ୍ତ ହେବା ଅସମ୍ଭବ।"


ଶ୍ରୀକୃଷ୍ଣଙ୍କ ମୁହଁରୁ କଥା ଶେଷହେବା ପୂର୍ବରୁ ଭୀଷ୍ମଙ୍କର ଏକ ତୀର ପାର୍ଥସାରଥୀଙ୍କ ବକ୍ଷ ଭେଦକଲା। ଶ୍ରୀକୃଷ୍ଣଙ୍କ ସୁନ୍ଦର ଶରୀରରୁ ରକ୍ତ ଝରି ଆହୁରି ସୁନ୍ଦର ଦେଖାଗଲେ କେଶବ;ସତେ ଯେମିତି ହରିତ ପଳାସ ବୃକ୍ଷରେ ରକ୍ତ କୁସୁମ ପୂର୍ଣ୍ଣ ହୋଇଗଲା। ଅର୍ଜୁନଙ୍କ ନେତ୍ରରୁ ଝରିଗଲା ଅଶ୍ରୁ। ଶ୍ରୀକୃଷ୍ଣଙ୍କ ସୁନ୍ଦର ରୂପ ଦେଖି ହତସ୍ତମ୍ଭ ଭୀଷ୍ମ କରପତ୍ର ଯୋଡ଼ି କହିଲେ..ହେ ମାଧବ !ଦୋଷ କ୍ଷମାକର ପ୍ରଭୁ।"


ଅର୍ଜୁନଙ୍କ କ୍ରୋଧର ସୀମା ରହିଲା ନାହିଁ।ଘୋର ରଣରେ କୌରବ ବାହିନୀକୁ ଧ୍ବସ୍ତବିଧ୍ବସ୍ତ କରିଦେଲେ ଧନଞ୍ଜୟ।

ଦ୍ବିତୀୟ ଦିନର ଯୁଦ୍ଧରେ କୌରବ ବାହିନୀର ଅକଳନୀୟ କ୍ଷତି ସାଧିତ ହେଲା। ତୃତୀୟ ଦିନର ଯୁଦ୍ଧରେ କୌରବ ବାହିନୀ ନକାରାତ୍ମକ ଚିନ୍ତା ନେଇ ରଣକ୍ଷେତ୍ରରେ ଉପନିତ ହେଲେ। ପୂର୍ବଦିନର ଅସଫଳତା ଯୋଗୁଁ କ୍ରୋଧରେ ଅଜ୍ଞାନ ଦୁର୍ଯ୍ୟୋଧନ ପିତାମହଙ୍କୁ କହିଲେ.. ଆପଣଙ୍କ ପାଣ୍ଡବ ପ୍ରୀତି ଆମକୁ ଯୁଦ୍ଧରେ ଜୟଯୁକ୍ତ ହେବାକୁ ଦେବନାହିଁ ପିତାମହ ! ଆପଣ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଉପରେ ଭରସା କରି ମୁଁ ଏ ଯୁଦ୍ଧରେ ପଦାର୍ପଣ କରିଛି।ଆପଣ ମୁକ୍ତ ହୃଦୟରେ କହିଦିଅନ୍ତୁ ଯେ ଆପଣ ମୋତେ ଜୟଯୁକ୍ତ କରାଇବେ ନାହିଁ।"


ଏକ ଶୁଷ୍କ ହସ ହସି ଭୀଷ୍ମ କହିଲେ ..ପୁତ୍ର ଦୁର୍ଯ୍ୟୋଧନ ! ମୁଁ ପ୍ରଥମରୁ କହିଛି ,ଏ ଯୁଦ୍ଧ ଜୟ କରିବା ଏତେ ସହଜ ନୁହେଁ। ଯେଉଁଠାରେ ଭୀମ, ଅର୍ଜୁନଙ୍କ ଭଳି ବୀର ରହିଛନ୍ତି ଏବଂ ଯାହାର ସହାୟକ ସ୍ବୟଂ ବାସୁଦେବ,ତାଙ୍କୁ ତୁମେ ପରାସ୍ତ କରିବା କଣ ଏତେ ସହଜ ପୁତ୍ର !! ମୋର ଲକ୍ଷେ ବାରଣ ସତ୍ତ୍ୱେ ତୁମେ ଯୁଦ୍ଧକୁ ଲମ୍ଫ ଦେଇଛ। ମୁଁ କଣ କରିପାରିବି? ମୁଁ ବୃଦ୍ଧ ହେଲିଣି ପୁତ୍ର!କୁରୁ ସିଂହାସନ ରକ୍ଷା କରିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରୁଛି।"


ଦୁର୍ଯ୍ୟୋଧନ କଥାରେ ଆହତ ଭୀଷ୍ମ ପ୍ରଳୟଙ୍କରୀ ଯୁଦ୍ଧରେ ମଜ୍ଜିଗଲେ,ସତେ ଯେପରି ତାହା ଥିଲା ଯୁଦ୍ଧର ଶେଷ ଦିନ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚାହିଁ କହିଲେ ..ଏ ତୁମେ କଣ କରୁଛ ପାର୍ଥ ! ଜଣାଯାଏ ଆମ ଆଖି ଆଗରେ ଆଜି ପାଣ୍ଡବ ବାହିନୀ ଭୀଷ୍ମଙ୍କ ହାତରେ ଧ୍ବଂସ ପାଇଯିବେ।


ବାରମ୍ବାର ଭୀଷ୍ମଙ୍କ ବାଣରେ ରକ୍ତରଞ୍ଜିତ ହେଲେ ଧନଞ୍ଜୟ ଏବଂ ହୃଷିକେଶ।ଘୋର କ୍ରୋଧରେ କମ୍ପିତ ହେଲା କୃଷ୍ଣଙ୍କ କଳେବର। ନନ୍ଦିଘୋଷରୁ ଅବତରଣ କଲେ ମଧୁସୂଦନ।ହାତରେ ଘୋର ଘର୍ଘର ନାଦରେ ଘୂର୍ଣିତ ହେଲେ ସୁଦର୍ଶନ ଚକ୍ର।ଭୀଷ୍ମଙ୍କୁ ବଧ କରିବା ପାଇଁ ଆଗେଇ ଯାଉଥିଲେ ଶ୍ରୀହରି।ରଥରୁ ଓହ୍ଲାଇ ଯୋଡହସ୍ତରେ ଅର୍ଜୁନ କହିଲେ..ଏ କଣ କରୁଛ କେଶବ !ଅସ୍ତ୍ର ନଧରିବା ପଣ କଣ ଭୁଲିଗଲ ମାଧବ !!"


ଅସ୍ତ୍ର ତ୍ୟାଗ କରି ଯୋଡ ହସ୍ତରେ ଦଣ୍ଡାୟମାନ ଭୀଷ୍ମ। କହିଲେ..ଧନ୍ୟ ହେଲି ମଧୁସୂଦନ !ଏ ରୂପ ଦେଖି ଧନ୍ୟ ହେଲି।ଅସ୍ତ୍ର ପ୍ରହାର କରି ଏ ବୃଦ୍ଧକୁ ଦୁଃଖରୁ ମୁକ୍ତିଦିଅ କେଶବ।ତୁମ ହସ୍ତରେ ପ୍ରାଣତ୍ୟାଗ କରିବା ସୌଭାଗ୍ୟ ମୋତେ ଦିଅ ପଦ୍ମନୟନ !



Rate this content
Log in

Similar oriya story from Classics