STORYMIRROR

Gargi Mishra

Drama Romance Fantasy

4  

Gargi Mishra

Drama Romance Fantasy

ମୋନାଲିସା

ମୋନାଲିସା

5 mins
313


ମୁଁ ନିଜକୁ କଳାକାର ବୋଲି କେବେ ମନେକରେନାହିଁ l କାରଣ ଏ ସଂସାରରେ ସବୁକିଛି ଘଟେ ଜଣଙ୍କ ଇଙ୍ଗିତରେ l ଚିତ୍ର କରିପାରିବାର କ୍ଷମତାବି ସମସ୍ତଙ୍କ ଭିତରେ ନଥାଏ l ଚିତ୍ରଟିଏ ଅଙ୍କିଲାବେଳେ ଚିତ୍ରକରର ମନକୁ କିଏ ହୁଏତ ପରିଚାଳିତ କରେ l ଆହୁରି ମନରେ ପ୍ରଶ୍ନ ଉଠେ ଗୋଟିଏ ବିଷୟବସ୍ତୁକୁ ନେଇ ଆମେ ଗୋଟିଏ ଚିତ୍ର ଆଙ୍କିଦେଲା ବେଳେ ଆଉ ଜଣେ ଆଉଗୋଟିଏ ଚିତ୍ର ଆଙ୍କିଥାନ୍ତି କିପରି??ଏସବୁ ବୁଝିବା ବଡ଼ ବିଚିତ୍ର l କିନ୍ତୁ ମୁଁ ବୁଝି ପାରିଥିଲି ଏ ଜଗତ ଏକ ପରିବ୍ୟାପ୍ତ ଚିତ୍ର ଏବଂ ଏପରି ନିଖୁଣ ଚିତ୍ର ଅଙ୍କିବା ଆମ ମନୁଷ୍ୟ ହାତରେ ସମ୍ଭବପର ନୁହେଁ l

ମୁଁ ଚିତ୍ରକରିବାକୁ ଭଲପାଏ l ବାସ ଆଙ୍କିଚାଲେ କିଛି କିଛି ବୁଝିଥିବା ସୃଷ୍ଟିର ରହସ୍ୟ l ମୋନାଲିସା ମୋର ଶ୍ରେଷ୍ଠକୃତି l 


 ଏକ ଚିତ୍ରକଳା ପ୍ରଦର୍ଶନୀ ବେଳେ ମୋର ଦେଖା ହୋଇଥିଲା ମୋର ସେତେବେଳର ପ୍ରେମିକା ଏବଂ ଏବେକାର ପତ୍ନୀ ଅରିତାଙ୍କ ସହ ll


କେଜାଣି ପ୍ରଥମ ଦେଖାରେ କେମିତି ଚିହ୍ନା ଚିହ୍ନା ଲାଗୁଥିଲେ ସେ ମୋତେ l ଏତେ ଚିତ୍ରକର ମାନଙ୍କ ମଧ୍ୟରୁ ସେ ମୋତେ ଚିହ୍ନଟକରି ମୋ ପ୍ରତିଭା ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଆଉ ମୁଁ ତାଙ୍କ ଆକର୍ଶଣୀୟ ରୂପ ରଙ୍ଗ ଦେଖି ବିଶ୍ଵନିୟନ୍ତାଙ୍କ କାରିଗରୀର ମନେମନେ ପ୍ରଶଂସା କରୁଥିଲି l


ଏସବୁ ତାଙ୍କୁ କହିବାକୁ ମାନସିକ ସ୍ତରରେ ମୁଁ ପ୍ରସ୍ତୁତ ନଥିଲି l ହେଲେ ସେ ପଢି ପାରିଥିଲେ ମୋ ମନର ଭାଷା ଓ ଆଖିରେ ଅଦେଖା ବ୍ୟାକୁଳତା l 


ସେଥର ମୋତେ କେନ୍ଦ୍ର ଚିତ୍ରକଳା ପରିଷଦ ତରଫରୁ ଯୁବ-ଚିତ୍ରକର ମାନଙ୍କ ଭିତରେ ଶ୍ରେଷ୍ଠ ବିବେଚନା କରି ସମ୍ମାନିତ କରାଗଲା l ତା'ପରେ ମୁଁ ଜାଣି ପାରିଲି ଅରିତାଙ୍କ ପ୍ରଶଂସା ଅଯଥାରେ ନଥିଲା l ମୋ ଭିତରେ ଆତ୍ମବିଶ୍ୱାସ ଅଙ୍କୁରିତ ହେଲା l କାମକୁ ନେଇ ଅପୂର୍ଵ ସ୍ପୃହା ଆସିଲା l ପୁରସ୍କାର ପାଇବାଠାରୁ ବେଶୀ ଆନନ୍ଦ, ଅରିତାଙ୍କ ଆଖିରେ ଫୁଟି ଉଠୁଥିବା ମୋ କଳା ପାଇଁ ସମ୍ନାନରେ ଥିଲା l କଷି କଷି ଆମ୍ବ ପରି ମୋ ଇଚ୍ଛାର ବଉଳ ମାନେ ଫଳବତୀ ହୋଇ ଉଠିଲେ l 


ପ୍ରାୟ ଦୁଇ ସପ୍ତାହ ବ୍ୟାପି ଚାଲିଥିବା ବେଳାଭୂମି ମହୋତ୍ସବ ସରି ସରି ଆସୁଥିଲା ଆଉ ଆମ ଦୁହିଁଙ୍କ ବ୍ୟାକୁଳତା ବଢ଼ି ଉନ୍ମାଦନାର ରୂପ ନେଉଥିଲା l ଅରିତା ମୋ ଜୀବନରେ ଆସିଥିବା ପ୍ରଥମ ଆଉ ହୁଏତ ଶେଷ ରୋମାଞ୍ଚ l ତାଙ୍କ ଥିବାବେଳେ ମୁଁ ଅତ୍ୟନ୍ତ ଖୁସିର ଅନୁଭୂତି କରୁଥିଲି ଆଉ ନଥିବା ବେଳେ ଅକୁହା ବେଦନା l ମୋ ମନ ଭିତରେ ପ୍ରତ୍ୟେକଟି ଚିନ୍ତା ତାଙ୍କୁ କେନ୍ଦ୍ରିତ କରି ଯେତେବେଳେ ଅଙ୍କିବାରେ ସଫଳତା ସ୍ୱାଭାବିକ l ମାତ୍ର ଦିନ କେଇଟା ଭିତରେ ଆମଭିତରେ ଏକ ଗଭୀର ବନ୍ଧୁତ୍ୱ ଗଢିଉଠିଥାଏ l


ଅରିତା ହଠାତ ଦିନେ ମୋତେ ପଚାରିଦେଲେ, ବିବାହ ବିଷୟରେ ଆଉ ମୁଁ ଥିଲି ନିରୁପାୟ l ମୁଁ କହିଥିଲି ତାଙ୍କୁ ମୁଁ କେବଳ ନିଜର ବାନ୍ଧବୀ ବୋଲି ଭାବେ ଓ ବିବାହ ବିଷୟରେ ଭାବିନି ବୋଲି l


ମୋ ଛାତିର ବାଁ ପଟେ ନିଜ ବାମ ହାତ ରଖି କ୍ଷିପ୍ରରୁ କ୍ଷିପ୍ରତର ହେଉଥିବା ହୃଦଗତିକୁ ମାପି ମୋତେ ଚାହିଁ ରହିଲେ l ହୃଦୟରୁ ସୃଷ୍ଟ ସମ୍ପର୍କର ଏ ଏକ ଖରାପ ଦିଗ l କିଛି ଲୁଚାଇବା ସମ୍ଭବ ହୁଏନା l ମିଛ କହିବା ପ୍ରାୟ ସମ୍ଭବ ହୁଏନା l କିଛି କହିପାରିଲିନି l 


ସେ ସନ୍ଧ୍ୟାରେ ମୋତେ ସାଗର କୁଳକୁ ମୋ ହାତଧରି ଟାଣି ଟାଣି ନେଇ ଅରିତା କହିଲେ,


- ଏ ଲହଡିକୁ ଦେଖ ସୁଧୀର l ଧାଇଁ ଆସି ବେଳାଭୁଇଁକୁ ସ୍ପର୍ଶକରିଦେଇ ପୁଣି ଲୁଚିଯାଏ l ହେଲେ କଣ ଅଧିକ ସମୟ ରହିପାରେ ? ଏକମୁହାଁ ହୋଇ ପୁଣି ଫେରି ଆସିଥାଏ l ଏହାକୁ କଣ କହନ୍ତି ଜାଣ? ଏକ ଅହେତୁକ ଆକର୍ଷଣ l ଏ ସମ୍ପର୍କ ମିଛନୁହେଁ ଯେ ହାତଛାଡି ସବୁଦିନପାଇଁ ଚାଲିଯାଇ ପାରିବ ଢେଉ ତା ବେଳାଭୂମିକୁ l ଆମେ ସେମିତି ଏକ ସମ୍ପର୍କରେ ଅଛେ l ତୁମେ ମୋତେ ଛାଡି ରହି ପାରିବନାହିଁ l କିନ୍ତୁ ଢେଉ ଆଉ ବେଳାଭୂମି ନୁହେଁ, ଆମେ ତ ମଣିଷ l ଏ ଛୁପାଛୁପି ଛାଡି ଆମେ କଣ ପରସ୍ପର ହାତଧରି ଚାଲି ପାରନ୍ତେନି ? ଏଥିରେ ପ୍ରତିବନ୍ଧକ କଣ ଶୁଣେ?


ମୁଁ ମୁଣ୍ଡ ଆଉଁସି ବୁଝାଏ,


- ସତକଣ ଶୁଣିବ ଅରିତା ...?? ପ୍ରତିବନ୍ଧକ ନୁହେଁ ପ୍ରତିଶୃତି l ମୋ ବାପାଙ୍କ ପ୍ରତି ମୋର ମୌନ ପ୍ରତିଶୃତି ପାଇଁ ମୁଁ ବିବାହ ନ କରିବାକୁ ନିଷ୍ପତ୍ତି ନେଇଛି l 


ବାପା ମୋର ଆଦର୍ଶ l ମୋତେ ଜନ୍ମ କରି ଜୀବନ ଦେଇଥିବାରୁ ଓ ହାତ ଧରି କଳା ଶିଖାଇ ଜୀବିକା ନିର୍ବାହ କରିବାର ପନ୍ଥା ଶିଖାଇ ଥିବାରୁ ମୁଁ ଚିରଋଣୀ l ମୋର ବୋଉ ଇହଧାମ ତ୍ୟାଗ କରିବାର ପାଞ୍ଚ ବର୍ଷ ହୋଇ ଗଲାଣି l ଆମେ ଚାରୋଟିଭାଇ ଭଉଣୀ ତାଙ୍କ ହାତଛାଡି ଚାଲିଗଲେଣି l ସେମାନେ ସମସ୍ତେ ପିଲାଛୁଆ, କର୍ତ୍ତବ୍ୟ ଓ କାମର ବାହାନା ନେଇ ନିଜ ଜୀବନ ଜଞ୍ଜାଳରେ ବ୍ୟସ୍ତ l 


ଆମେ ବାପା ପୁଅ ଦୁହେଁ ଏକ ଛୋଟିଆଘରେ ରହୁ , ଦିନସାରା ମୁଁ ମୋ ଚିତ୍ର ଆଙ୍କି ବିକ୍ରୀକରେ l ବାପା କଣ ଟିକେ ପଖାଳ, ଲଙ୍କା, ପିଆଜ, ବେଶୀହେଲେ ଶାଗ, ତୁଣ ଆଦି ରାନ୍ଧି ରଖିଥାନ୍ତି l ସାଙ୍ଗ ହୋଇ ଖାଇ ଯାଇ ତାଇ ସମୟ କାଟିଦେଉ l ଚିତ୍ରଅଙ୍କିବାରେ ଆୟ ବହୁତ କମ ଯାହା ତାଙ୍କ ଚିକିତ୍ସା ଓ ଘରଖର୍ଚ୍ଚ ପାଇଁ ନିଅଣ୍ଟ l ମୁଁ ଜଣେମାତ୍ର ତାଙ୍କ ସାହା ଭରସା l ରୋଗୀଣା, ବୃଦ୍ଧ ବାପା ଓ ତୁମକୁ ନେଇ ଖୁସିର ସଂସାରଟିଏ ଗଢିବାପାଇଁ ମୁଁ ଅସମର୍ଥ l 


ଫେଁ କରି ହସି ଦେଇଥିଲେ ଅରିତା l କହିଲେ,


-ଜଣଙ୍କ ଜାଗାରେ ଆମ ଦୁଇଜଣ ବାପାଙ୍କୁ ଆପଣେଇ ନେଇ ସୁରୁଖୁରୁରେ ସଂସାର ଚଳେଇ ପାରିବା l ମୋର କୌଣସି ଆପତ୍ତିନାହିଁ l ମୁଁ ଏକ ବେସରକାରୀ ସ୍କୁଲରେ ଚାକିରୀ ପାଇଛି l ମୋ ସ୍କୁଲକାମ ସାରି ସନ୍ଧ୍ୟାରେ ଆସିଯିବି ଆଉ ତୁମ ମାନଙ୍କକଥାବୁଝିବି l


ମୁଁ ପଚାରିଲି, 

- ହଁ କିନ୍ତୁ କେତେଦିନ? ପିଲା ପିଲି ହେଲାପରେ ତୁମେବି ମୋ ଭଉଣୀ ଓ ଭାଉଜ ମାନଙ୍କପରି ସେମାନଙ୍କୁ ନେଇ ବ୍ୟସ୍ତ ହୋଇଯିବ l ମୁଁ ଏତିକି କହିବି, ଆମେ ଆମ ଦାମ୍ପତ୍ୟ ଜୀବନ ଆମ ହିସାବରେ କାଟିବା l ମୁଁ ପିଲା ଜନ୍ମକରି ମୋ ବାପାଙ୍କୁ ଅବହେଳା କରିପାରିବିନି l ହୁଏତ ଏହାକୁ ମୋର ପିଲାଳିଆମୀ କହିପାର l କିନ୍ତୁ ମୋର ଏତିକି ମାତ୍ର ସର୍ତ୍ତ l ରାଜି?


-ହଁ ହଁ ରାଜି ରାଜି l


ଖୁସିରେ ରାଜି ହୋଇଗଲେ ଅରିତା l 


ହୁଏତ ସେତେବେଳେ ଆମେ ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଥିଲୁ , ମୋର ଯେ କୌଣସି ସର୍ତ୍ତରେ ରାଜି ହୋଇଯାଇଥାନ୍ତେ ଅରିତା l ଆମେ ଦୁହେଁ ଘରେ କହି ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲୁ l ଏ ଭିତରେ ବାର ବର୍ଷ କଟି ଗଲାଣି l ଅରିତା ଆସିବା ପରେ ମୋର କାର୍ଯ୍ୟଦକ୍ଷତା ଖୁବବଢ଼ିଥିଲା l ବାକି ଜୀବନ ସୁରୁଖୁରୁରେ ଚାଲିବା ପରି ବେଶ କିଛି ଟଙ୍କା ବ୍ୟାଙ୍କରେ ସଞ୍ଚୟ କରିରଖିଥିଲି l ବାପାଙ୍କ ସେବା ଶୁଶ୍ରୁଷା କରି ତାଙ୍କୁ ଆରୋଗ୍ୟ କରିଥିଲେ ମୋ ସ୍ତ୍ରୀ l ତାଙ୍କ ପ୍ରତି କଥା ମୁଁ ଓ ଅରିତା ଅକ୍ଷରେ ଅକ୍ଷରେ ପାଳୁ କେବଳ ନାତି ନାତୁଣୀର ଅନୁରୋଧକୁ ଛାଡି l ଶ୍ୱଶୁର ବୋହୁ ବାପ ଝିଅ ଠୁଁ ବଳି l ଅରିତାଙ୍କୁ ବାପା କିଛି କହିଲେ ସେ କହନ୍ତି, 


- ଆପଣ ମୋ ପୁଅ ନୁହେଁକି? 


ଆସିଲା ରଥଯାତ୍ରା l ବାପା ଛୁଆଙ୍କପରି ଜିଦକଲେ ରଥରେ ତିନି ଠାକୁର ଦର୍ଶନ କରିବେ ବୋଲି l ତାଙ୍କୁ ନେଇଗଲି ପୁରୁଷୋତ୍ତମ କ୍ଷେତ୍ର l ଭିଡ଼ କାଟି ତିନି ଠାକୁର ଦର୍ଶନ କଲାବେଳେ ଭାବବିହ୍ଵଳ ହୋଇ ଉଠିଲେ ବାପା l ଆଖିରୁ ତାଙ୍କର ଧାର ଧାର ଲୁହ ଗଡିଚାଲିଥାଏ l ଦିନସାରା ରଥଯାତ୍ରା ଦେଖି ଘରକୁ ଆସିବା ପାଇଁ କହିଲାଠୁଁ ମୋତେ ସିଧା ମନା କରିଦେଲେ l ଛୁଆଙ୍କପରି ବଡ଼ଦାଣ୍ଡରେ ବସି ରହିଲେ l ମୋତେ କହିଲେ,


ସୁଧୀର, ତୁ ମୋତେ ମୋ ନାତି ନାତୁଣୀ ଦେଖିବା ସ୍ବପ୍ନ ପୁରା କରିବାକୁ ପ୍ରତିଶୃତି ଦେଲେ ଯାଇ ମୁଁ ଘରକୁ ଫେରିବି l ମୋ ବୋହୁକୁ କିଏ

ଆଣ୍ଠୁକୁଡି, କି ବାଞ୍ଝ କହିଲେ ମୋ ଛାତିଫାଟିଯାଏ l ମୁଁ ଜାଣିଛି ତୁ କିଛି ନିଷ୍ପତ୍ତି ନିଶ୍ଚୟ ନେଇଛୁ ଯାହା ଫଳରେ ମୋ ବୋହୁ ଆଦୌ ପିଲା ପିଲି ଜନ୍ମ କରିବା ସପକ୍ଷରେ ନୁହେଁ l ମୋତେ ତୁମେ ମାନେ ଗଲା ବାରବର୍ଷ ହେଲା ଅଜାଣତରେ ବହୁତ ଦୁଃଖଦେଇଛ l ଆଉ ସେ ଘରକୁ ମୁଁ ଯିବି ନାହିଁ... ଯଦି ତୁ ରାଜି ନ ହେଉ l ଆଜି ଠାକୁରଙ୍କୁ ସାକ୍ଷୀରଖି ଶପଥ କରି କହ ମୋତେ ମୋ ଜେଜେ ହେବାର ସୌଭାଗ୍ୟରୁ ବଞ୍ଚିତ କରିବୁନି l 


ବାପାଙ୍କୁ ରାସ୍ତାକଡ଼ରେ ଏମିତି ମୁହଁଫୁଲାଇ ଶୋଇବା ଆଉ କଇଁ କଇଁ ହୋଇ ଲୁହଗଡ଼ାଇବା ଦେଖି ମୁଁ ବି କାନ୍ଦି ପକାଇଲି l ଅବୋଧ ଶିଶୁକୁ ଗେଲକରି ନେଇଆସିଲା ପରି ଘରକୁ ବହୁତ କଷ୍ଟରେ ଆଣିଆସିଲି l


ଅରିତାଙ୍କୁ ଏସବୁ କହିଲା ପରେ ସେ କହିଲେ ,


-ମୋତେ କିଏ କିଛି କହିଲେ ମୋର ସତରେ କିଛି ଫରକପଡ଼େନି l ମୁଁ ମୋ ଛୋଟ ସଂସାରରେ ବହୁତ ଖୁସିରେଅଛି l ସେବାକୁ ପରମ ଧର୍ମ ଆଉ ତପସ୍ୟା ଭାବେ ଗ୍ରହଣ କରିସାରିବାପରେ ତାକୁ ଭାଙ୍ଗିବା ଅସମ୍ଭବ l ଚିତ୍ରଟିଏ ଥରେ ଆଙ୍କିଲା ପରେ ତାକୁ ଲିଭାଇ ଆଉଥରେ ଅନ୍ୟପ୍ରକାର ଅଙ୍କିବା ଏ ବୟସରେ ଆଉ ସମ୍ଭବନୁହେଁ l


ମୁଁ ତାଙ୍କୁ ସ୍ନେହରେ ଆଉଜାଇ ନେଇ କହିଲି,


-ଚେଷ୍ଟା କଲେ ସବୁ ସମ୍ଭବ l ଜାଣିଛି ପ୍ରଖ୍ୟାତ ଚିତ୍ରକର ଲିଓନାଡୋ- ଦା -ଭିନସିଙ୍କ ବିଶ୍ୱପ୍ରସିଦ୍ଧ ମୋନାଲିସା ପୂର୍ଣ୍ଣ ହେବାକୁ ଦୀର୍ଘ ଷୋହଳ ବର୍ଷ ଲାଗିଥିଲା l କେଉଁ ସମୟରେ ତାଙ୍କ ମସ୍ତିଷ୍କରେ କେଉଁ ପ୍ରକାର ଚିନ୍ତାଟିଏ ଉଙ୍କି ମାରିଥିବ, ତାକୁ ନେଇ ସେ ସମୟରେ ସେ କିଛି ଆଙ୍କିଥିବେ l ପରେ ସମୟ ସହ ତାଙ୍କ ମନ ବଦଳି ଥିବ l ସେ ସମୟର ମନର ସ୍ଥିତି ସହ ସମନ୍ତରାଳ ଭାବେ ପୁଣିଥରେ ଲିଭାଇ ସେ ଆଙ୍କି ଥିବେ ଅନ୍ୟ ଏକ ଚିତ୍ର l ପରସ୍ତ ପରସ୍ତରେ ତାଙ୍କ ବଦଳୁଥିବା ମନୋଭାବର ସ୍ମୃତି ଥିବ l ପୂର୍ଵ ଅଙ୍କିଥିବା ଚିତ୍ରଠୁଁ ଅଧିକ ଭଲ କରି କରି ଶେଷରେ ମୋନାଲିସାକୁ ପାଇଥିବେ ନା? ଏ ପ୍ରତିଶୃତି ଆମକୁ ଆବଦ୍ଧ କରି ନ ରଖୁ l ବାପାଙ୍କର ଖୁସି ନଥିବା ପ୍ରତିଶୃତିର ମୂଲ୍ୟ କଣ?


ସମ୍ମତି ସୂଚକ ଏକ ହସ ହସି ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିଥିଲେ ଅରିତା l ଏବର୍ଷ ରଥଯାତ୍ରାରେ ମୁଁ, ମୋ ସ୍ତ୍ରୀ ଅରିତା ଏବଂ ବାପାଙ୍କ କୋଳରେ ନମ ନମ କରୁଛି ଆମ ଆଠମାସର ଝିଅ ମୋନାଲିସା l


Rate this content
Log in

Similar oriya story from Drama