ମୋହନି
ମୋହନି
ବାପା ମୋ ସାଙ୍ଗ କହୁଥିଲା କାଲି ଆମ ଗାଁ ମୁଣ୍ଡରେ ଦୋଳ ମେଳଣ ଲାଗିବ। ଆମେ ବି ଯିବା ଦେଖିବା। ମୋ କଥା ରଖିବ ନା। ପିଲାଳିଆ ପଣରେ କହୁଥିଲା ମୋହନି।
ତା'କଥା ନ ସରୁଣୁ କମଳା ବାହାରି ପଡି କହିଲା। ନାଇଁରେ ଧନ,ବହୁତ ଗହଳି ହେବ। ବହୁତ ଲୋକ ଆସିବେ ଆମେ ଯିବାନି। ମୋ ସୁନା ଝିଅ ଟା ପରା। ହେଇଟି ବୋଉ ତୁ ସବୁବେଳେ ମୋ କଥା ରଖୁନୁ। ସବୁଥରକ କିଛି ନା କିଛି ବାହାନା କରିକି ମନା କରୁଛୁ।
ଓହଃ ! ତୁମେ ମା ଝିଅ ଦୁଇ ଜଣ ଚୁପ୍ ହେବ କି? ଚିଡି ଚିଡା ହୋଇ କହିଲା ଧନୁ ମୁଣ୍ଡା।
କମଳା ଯଦି ମୋହନି କହୁଛି ଯିବାକୁ ଅସୁବିଧା କୋଉଠି। କୁନି ଝିଅଟା ତା'ର ସବୁ ସାଙ୍ଗ ମାନେ ଯାଉଛନ୍ତି। କେତେ କଣ କିଣି ଆଣୁଛନ୍ତି। ସେଠିକି ଯାଇ ବେଲୁନ୍ କି ପେଁ କାଳି ଗୋଟେ କିଣି ଦେଲେ ଖୁସି ହୋଇ ଯିବ।
ଧନୁର କଥା ସରିଛି କି ନାହିଁ କମଳା କହିଲା ହେଉ ତେବେ ଯିବା ଆମେ। ମୋର ଅସୁବିଧା କାହିଁକି ହେବ?
ପର ଦିନ ବଡ଼ ସରାଗରେ ତା'ର ଚିକି ମିକିଆ ଫୁଲ ପଡିଥିବା ଫ୍ରକ୍ ଖଣ୍ଡେ ପିନ୍ଧି ବାହାରିଲା ମୋହନି। ଚାରି କି ପାଞ୍ଚ ହେବ ବୟସ। ଭାରି ଖୁସିରେ ଡାକ ଛାଡିଲା ବୋଉ ବାପା ଆସ ଯିବା। ପ୍ରଥମ ଥର ଯାତ ଦେଖି ଯାଉଛି। ଗୋଟେ ଓଳି ଖାଇଲେ ଆର ଓଳି ଓପାସ। କିନ୍ତୁ ମନରେ ବହୁତ ଧନୀ। ଧନୁ ଆଉ କମଳା ବି ବାହାରିଲେ ଝିଅକୁ ନେଇ। ପାଖରେ ଶହେ କି ଦେଢ଼ ଶହ ଟଙ୍କା ଅଛି। ସେଥିରେ ବା କଣ ହେବ। କହିଲା ଧନୁ। ତୁମେ ଚିନ୍ତା କରନା ଆମେ ମୋହନୀ ପାଇଁ ଗୋଟେ କିଛି କିଣି ନେଲେ ସେ ଖୁସି ହୋଇଯିବ।
ବଡ଼ ସରାଗରେ ଯାତ ବୁଲା ଚାଲିଲା। ମୋହନୀ ସେ ରଙ୍ଗରଙ୍ଗିଆ କାଗଜ ଆଉ ଜରିର ଚଷମା କିଣିଲା। ବାପା ଦେଖିଲ କେମିତି ହେଇଛି। ଖୁସିରେ ପଚାରିଲା ମୋହନୀ। ତା'ସହିତ ଲାଇଟି ଜଳୁଥିବା ଖେଳନା।
ହଠାତ୍ ଏ ଖୁସିରେ କାହା ନଜର ଲାଗିଗଲା। ମୋହନୀ ସେ ଗହଳ ଭିତରେ କୁଆଡେ ଅନ୍ତର୍ଧ୍ୟାନ ହୋଇଗଲା। କେତେ ଖୋଜିଲେ ବାପା ମା ଦୁଇଜଣ। ରାତି ଗଲା ସକାଳ ହୋଇଗଲା। ହେଲେ ଝିଅର ଦେଖା ଦର୍ଶନ ନାହିଁ। ଦୁଇଦିନ ଗଲା ପାଟିରେ ପାଣି ବି ଟିକେ ମାରି ନାହାନ୍ତି ଦୁହେଁ। ଶେଷରେ ଏକ ମୁହାଁ ହୋଇ ଗଲେ ପୋଲିସ୍ ପାଖକୁ।
ଦୁଇ ଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମ ସ୍ଵାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହୋଇ ଗଲୁଣି। ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲ୍ଓ୍ଵେ ଷ୍ଟେସନ୍ ଯାଏଁ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ୍ ଦେଇନୁ। କିନ୍ତୁ ବାବୁ ଝିଅର ଖବର ମିଳୁନି। ସାଙ୍ଗସାଥୀ କେହି ବି କିଛି କହି ପାରୁ ନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ୍। କାନ୍ଦି କାନ୍ଦି ଧନୁମୁଣ୍ଡା ପୋଲିସ୍ ବାବୁକୁ ଗୁହାରୀ କରୁଥିଲା।
ହେଲେ ସେ ଖାକି ପୋଷାକରେ ଆଚ୍ଛାଦିତ ହୋଇଥିବା କଠୋର ନିର୍ଦ୍ଦୟ ହୃଦୟ କୁଆଡେ ବୁଝିବ। ଯିଏ ପଇସା ଛଡା ଆଉ କିଛି ଜାଣିନି।
ହେଇ ଶୁଣୁ ଯଦି ହଜାରେ ଟଙ୍କା ଦେବୁ ତାହାଲେ ମୁଁ କେସ୍ ଫାଇଲ୍ କରିବି। ନହେଲେ ନାହିଁ। କଡା ଗଳାରେ କହିଲେ ଥାନାର ବଡ଼ ବାବୁ।
ଆମେ ଗରୀବ ଲୋକ ହଜୁର୍ ଦୟା କର ଯାହା ଖଟି କରି ଆଣୁଛୁ ପେଟକୁ ନିଅଣ୍ଟ। କାକୁତି ମିନତି ହୋଇ କମଳା କହିଲା।
ଏଠାରୁ ଚାଲି ଯାଅ ତୁମ ଝିଅ ମିଳିବନି। କହିଲି ପରା ଯାଅ। ଅଯଥାରେ ସମୟ ନଷ୍ଟ କରନି। ବଡ଼ ବାବୁ ଏତିକି କହି ତଡି ଦେବାକୁ ଲାଗିଲେ।
କାନରୁ କାନ ପେଣ୍ଡି ଦୁଇଟି ବାହାର କଲା କମଳା। ସେଇତକ ସନ୍ତକ ତା ବୋଉ ତା' ବାହା ଘର ବେଳେ ଦେଇଥିଲା ଆଉ କହିଥିଲା ଯେତେ ଅଭାବ ହେଲେ ବି ତା'କୁ ବିକିବୁନି। ହେଲେ ଏଠି ଝିଅ ଠାରୁ ବଡ଼ ଆଉ କିଛି ନୁହେଁ। ନିଅ ବାବୁ ଏ ସୁନା ପେଣ୍ଡି ରଖ ଆଉ ମୋ ଝିଅକୁ ଖୋଜିଆଣ।
ଏତିକି କଥା ସରିଛି କି ନାହିଁ । ହଠାତ୍ ମୋହନୀ ପହଞ୍ଚିଲା ଏକ ଯୁବତୀ ସହ। ମୋ୍ହନୀକୁ ଦେଖି କୁଣ୍ଢେଇ ପକେଇଲା ତା ବୋଉ। ଆରେ ମା'କୁଆଡେ ଯାଇଥିଲୁ। ତୁ ଠିକ୍ ଅଛୁ ତ?
ମାଉସୀ ଆଜି ଆପଣଙ୍କ ଝିଅ ସକାଶେ ମୋ ମାଆ ଠିକ୍ ଅଛି। ମୋ ମାଆ ଅନ୍ଧୁଣୀ। ସେ ସେଇ ଯାତକୁ ଯାଇଥିଲା ଆମ ସହ । ଗହଳି ଭିତରେ ସେ ହଜିଗଲା। କୁଆଡେ ଯିବ ଜାଣି ପାରୁ ନଥିଲା। ତୁମ ଝିଅ ମୋ ମାଆର କହିବା ଅନୁସାରେ ତା'କୁ ଆଣି ଆମ ଘରେ ଛାଡି ଦେଲା। ଆଉ ବିଚାରି ଘରର ଠିକଣା ଠିକ୍ ଭାବେ କହି ପାରୁ ନଥିଲା। ମୁଁ ଆସିଥିଲି ଏ ଥାନାକୁ ତା'କୁ ନେଇ। ଯାହା ହେଉ ତୁମେ ମିଳିଗଲ। ଏତେ କୁନି ଝିଅଟେ ସିନା ଆମକୁ ବଡ଼ ସାହାଯ୍ୟ କଲା।
ଧନୁ ମୁଣ୍ଡା ଝିଅର ବୁଦ୍ଧି ପାଇଁ ମନେ ମନେ ଖୁସି ହେଉଥିଲା ଆଉ ଝିଅ ମିଳିଯିବା ଖୁସିରେ ଠାକୁରଙ୍କୁ ଧନ୍ୟବାଦ ଦେଉଥିଲା।
ବି:ଦ୍ର ବିସ୍ମିତା ସାହୁଙ୍କ ଗଳ୍ପାଂଶକୁ ନେଇ ଏକ ଛୋଟ ପ୍ରଚେଷ୍ଟା।