ମୋହ
ମୋହ
ଯେତେବେଳେ ସମ୍ବାଦ ଆଖି ଖୋଲିଲେ ସେ ସେତେବେଳେ ଡାକ୍ତରଖାନା ବେଡ୍ ଉପରେ ଥିଲେ ଆଉ ତାଙ୍କ ଆଖି ସାମ୍ନାରେ ଥିଲେ ସମ୍ପାଦନା । ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମ୍ବାଦ ଏଭଳି ପରିସ୍ଥିତିରେ ସେ ସମ୍ପାଦନାକୁ ସାମ୍ନା କରିବେ ବୋଲି । କେବେ ବି କଳ୍ପନା କରିନଥିଲେ ।
ସେ ସମ୍ପାଦନା ଆଖି ସହ ଆଖି ମିଶେଇ ପାରୁନଥିଲେ , ସମ୍ବାଦ ସେତେବେଳେ ଅନୁତାପର ଅନଳରେ ଜଳୁଥିଲେ । ସମ୍ପାଦନା ସମ୍ବାଦ ହାତ ଉପରେ ହାତ ରଖିଲେ । କହିଲେ କ'ଣ ଅଧିକ ପିଇ ଦେଇଥିଲ ନା ଗାଡିର ବେଗ ଅଧିକ ଥିଲା ?
ସମ୍ବାଦ କିଛି କହିନଥିଲେ ଖାଲି ଆଶ୍ଚର୍ଯ୍ୟ ହୋଇ ସମ୍ପାଦନା ମୁହଁକୁ ଚାହିଁ ରହିଥିଲେ । ସତରେ ସମ୍ପାଦନା ତା ହାତକୁ ଧରି ବସିଛନ୍ତି ନା ଆଉ କିଏ ?
ସମ୍ବାଦ ସମ୍ପାଦନା ହାତକୁ ପାପୁଲି ନିଜ ପାପୁଲିରେ ମୁଠେଇ ଧରିଲେ । ଧିମା ସ୍ବରରେ କହିଲେ - ' ମୋତେ କ୍ଷମା କରିଦିଅ ସାମ୍ନା । ତମ ସହ ମୁଁ ବହୁତ ଅନ୍ୟାୟ କରିଛି ।
- ' ଛାଡ ସେ ସବୁ ଉଠ ନର୍ସ ଆସିଲେଣି ମେଡ଼ିସିନ ଖାଇନବ ।
ଦୁଇ ମାସ ବିତିଗଲା ମେଡିକାଲରେ ସମ୍ବାଦ ଟିକେ ସତେଜ ଅନୁଭବ କଲେ । ସବୁଦିନ ସକାଳ ସଂଧ୍ୟା ସମ୍ପାଦନା ମେଡିକାଲରେ ବିତାଉଥିଲେ କେବଳ ଅଫିସ୍ ସମୟ ବ୍ୟତୀତ ।
ଦିନେ ସାହସ ସଞ୍ଚୟ କରି ସମ୍ବାଦ ପଚାରିଲେ - ' ସାମ୍ନା ତମେ ସବୁଦିନ ପାଇଁ ମୋ ପାଖରେ ରହିବାକୁ ଆସିଛ ନା କେବଳ ସୁସ୍ଥ ହେବା ଯାଏଁ ? '
ସମ୍ପାଦନା କହିଲେ - ' ତୁମକୁ କ'ଣ ଲାଗୁଛି ?
ସମ୍ବାଦ କିଛି ବି ଉତ୍ତର ଦେଇନଥିଲେ ଚୁପ୍ ରହି ଭାବୁଥିଲେ କେବଳ । ଯୋଉ ସ୍ତ୍ରୀ କୁ ତା ଅଫିସ୍ ଲୋକଙ୍କ ସାମ୍ନାରେ ଅପଦସ୍ତ କରିଥିଲେ । ନିଶାର ବେଲ୍ଟ ଖୋଲି ରାତି ସାରା ପିଟିଥିଲେ । ଯୋଉ ସ୍ତ୍ରୀ କୁ ଛାଡି ରାତି ରାତି ସେ ବାହାରେ ରହିଛନ୍ତି । ଯାହା ସହ ସଂପର୍କ ଥାଇ ବି ନାମକୁ ମାତ୍ର ରଖିଛନ୍ତି , ଯାହା ସଂସ୍ପର୍ଶରେ ଆସିବାକୁ ତାକୁ ବିରକ୍ତିକର ଲାଗୁଥିଲା । ବର୍ଷେ କାଳ ସ୍ତ୍ରୀ ନାମକ ଚରିତ୍ର ଟିକୁ ତା ହୃଦୟରୁ ଅଲଗା କରି ଦେଇଥିଲେ । ଆଜି ସେଇ ସ୍ତ୍ରୀ ତା ପାଖରେ । ତାଙ୍କ ଅସୁବିଧା ବେଳେ ତାଙ୍କର ଅନ୍ତରଙ୍ଗ କେହି ତାଙ୍କ ପାଖରେ ନିତ୍ୟାନ୍ତ ଆବଶ୍ୟକ ସ୍ଥଳେ ।
କିନ୍ତୁ ସେ ଯାହାକୁ ତାର ସବୁକିଛି ଭାବୁଥିଲେ ନିଜର ମୂଲ୍ୟବାନ ସମୟ ଯାହା ପାଖେ ସମର୍ପି ଦେଇଥିଲେ ସେ ଆଜି ତାଙ୍କ ପାଇଁ ନିରୁର୍ଦ୍ଧିଷ୍ଟ । ତାଙ୍କ ଭଲ ବେଳେ ଯେ ପାଖେ ପାଖେ ଥିଲା ଆଜି ମନ୍ଦ ବେଳେ ସେ ତାଙ୍କ ପାଖେ ନାହିଁ । ଯାହାର ପ୍ରତ୍ୟେକ ଅସୁବିଧା ଅଭାବରେ ସେ ଯାହାକୁ ସାହାଯ୍ୟର ହାତ ବଢ଼େଇ ଦେଉଥିଲେ ଆକଣ୍ଠ , ସ୍ନେହ , ପ୍ରେମ , ଭଲ ପାଇବା ଅଜାଡ଼ି ହେଉଥିଲେ । ଆଗ ପଛ ନ ଭାବି ହାତ ଟେକି ଖର୍ଚ୍ଚ କରୁଥିଲେ । ପ୍ରେମର ସବୁ ମୂଲ୍ୟବାନ ସମ୍ପତ୍ତି ତାଙ୍କ ପାଇଁ ସାଇତି ପୁଣି ତାଙ୍କ ପାଇଁ ଖର୍ଚ୍ଚ କରିଥିଲେ ।
ଯେ ତାଙ୍କ ପାଇଁ ପ୍ରେମିକା ଠାରୁ ଅଧିକ ଥିଲା , ତାର ପାଖେ ପାଖେ ରହି ତାଙ୍କର ପ୍ରତ୍ୟେକ ହିସାବ ରଖୁଥିଲା ସେ କେମିତି ଜାଣି ପାରିଲାନି ଏତେ ବଡ଼ ଦୁର୍ଘଟଣା ଖବର ।
ସତରେ ଯେତେବେଳେ ନିଜର ଖରାପ ସମୟ ଆସେ ସେତେବେଳେ ଜଣା ପଡ଼ିଯାଏ କିଏ ପର ଆଉ କିଏ ଆପଣାର ।
ସମ୍ପାଦନା ଯେତେବେଳେ ସାତ ଦିପ ଆଠ କଳସକୁ ସାକ୍ଷୀ ରଖି ସମ୍ବାଦଙ୍କ ହାତ ଧରିଥିଲେ । ଭାବିଥିଲେ ସେ ଦୁନିଆଁର ସବୁଠୁ ବଡ଼ ଭାଗ୍ୟବତୀ ଯିଏ ସମ୍ବାଦ ପରି ସ୍ବାମୀ ଟିଏ ପାଇଛନ୍ତି । ପ୍ରତ୍ୟେକ ସକାଳ ଉଭୟଙ୍କ ଭଲପାଇବାରେ ଆରମ୍ଭ ହୋଇ ରାତି ପ୍ରେମରେ ଶେଷ ହେଉଥିଲା ।
ସବୁକିଛି ଠିକ୍ ଚାଲିଥିଲା , କିନ୍ତୁ ଦିନେ ଗୋଟିଏ ଫୋନ୍ କଲ୍ ତାଙ୍କ ସଜଡ଼ା ଜୀବନକୁ ଗୋଟା ସୁଦ୍ଧା ବିଗାଡି ଦେଇଥିଲା ।
ମଧ୍ୟାହ୍ନ ଦୁଇଟା ସମୟ ସେଦିନ ସମ୍ବାଦ ଅଫିସ୍ ଯାଇନଥିଲେ । ପ୍ରବଳ ମୁଣ୍ଡ ବିନ୍ଧା ଯୋଗୁ ସେଦିନ ଛୁଟିରେ ଥିଲେ । ସେ ପ୍ରାୟତଃ ସମ୍ବାଦର କଲ୍ ରିସିଭ୍ କରେନ୍ତିନି ସମ୍ବାଦ ମନା କରିଛନ୍ତି ଆଗରୁ । କାହାକୁ କେତେବେଳେ କ'ଣ କୁହାଯିବ କାହାକୁ କ'ଣ କୁହା ଯିବନି । କାହାକୁ କେତେ ସତ କେତେ ମିଛ କୁହାଯିବ ସେଇଟା ମୁଁ ଜାଣିଛି । ତେଣୁ ତମେ କଲ୍ ରିସିଭ୍ କରିବନି ।"
କିନ୍ତୁ ସେଦିନ ବାରମ୍ବାର ଗୋଟେ ଅସଂରକ୍ଷିତ ନମ୍ବର ରୁ କଲ୍ ଆସିବାରୁ । ସେ ଭାବିଲା କୋଉ ଗ୍ରାହକଙ୍କ କଲ୍ ହୋଇଥିବ ତେଣୁ ସେ ରିସିଭ୍ କଲେ ବାରମ୍ବାର କଲ୍ ରେ ଯଥେଷ୍ଟ ବିରକ୍ତି ହେଲା ପରେ ।
ସେପଟରୁ ଯାହା ସେ ଶୁଣିଲେ ତାଙ୍କ ଛାତିରେ ଯେମିତି ନିଆଁ ଲାଗିଗଲା ।
ଜଣେ ଝିଅ ଅତି ସୁମିଷ୍ଟ ସ୍ବରରେ କହୁଥିଲା - " କ'ଣ ମ ଦୁଇଦିନ ହେବ ଦେଖା ନାଇଁ ? ଭାରି ବୋରିଂ ଲାଗୁଛି ଆସନା । କ'ଣ ତମ ସାମ୍ନା ପାଖରେ ମନ ଲାଖି ଯାଇଛି କି ? "
ସମ୍ପାଦନାକୁ କେବଳ ସମ୍ବାଦ ହିଁ ସାମ୍ନା ଡାକନ୍ତି ସ୍ନେହରେ । ହେଲେ ଏ କେମିତି ଜାଣିଲା ? ନିଶ୍ଚୟ କିଛି ଗୋଟେ ଲୁଚା ଛପାରେ ପ୍ରେମ ଚାଲିଛି ତା ଅଗୋଚରରେ । ନିଶ୍ଚୟ କିଛି ଘନିଷ୍ଠ ଭିତିରିଆ ସଂପର୍କ ଅଛି ବୋଧେ ୟା ସହ ତାଙ୍କର ।
ଏମିତି ଭାବନା ସମ୍ପାଦନା ମନ ହୃଦୟକୁ ବିଦାରି ପକାଇଲା । ସମ୍ପାଦନା ନିଜ କ୍ରୋଧକୁ ଯଥା ସମ୍ଭବ ନିୟନ୍ତ୍ରଣ କରି କହିଲା
- " ସେ ଶୋଇଛନ୍ତି ଆପଣ କିଏ କହୁଛନ୍ତି କୁହନ୍ତୁ ସେ ଉଠିଲେ ମୁଁ ଜଣେଇ ଦେବି ।
ସେପଟରୁ କିଛି ବି ଉତ୍ତର ଆସିନଥିଲା ହଠାତ୍ ଫୋନ୍ କଟି ଯାଇଥିଲା । ସମ୍ପାଦନା ନିଶ୍ଚିତ ହୋଇଗଲେ ସମ୍ବାଦ ନିଶ୍ଚୟ ତାଙ୍କ ସହ ଛଳନା କରୁଛନ୍ତି ।
ସମ୍ପାଦନା କିଛି ବି କହିନଥିଲେ ସେଦିନ , ତାପର ଦିନ ପଚାରିଲେ - " ଆଛା ସେ ଝିଅ କିଏ ? "
- " କୋଉ ଝିଅ ?"
- " ଯୋଉ ଝିଅ ର କାଲି ଫୋନ୍ ଆସିଥିଲା ଆଉ ସେ ତମକୁ ବହୁତ ମନେ ପକାଉଥିଲା । ତମ ବିନା ତାକୁ ବହୁତ ବୋରିଂ ଲାଗୁଛି ବି କହୁଥିଲା ସେଇ ଝିଅ । "
ତାପରେ ସମ୍ବାଦ ଚିଡି ଯାଇ କହିଲେ-
- " କ'ଣ ଗପୁଛ ଏମିତି ପାଗେଳିଙ୍କ ଭଳି , କ'ଣ ନାଁ ସେଭ୍ ଥିଲା ? କିଏ କଣ ଗପୁଛି ୟାଡୁ ସ୍ୟାଡୁ ଅଯଥା କଥାରେ ମୁଣ୍ଡ ପୁରେଇ ମୋତେ ଦୋଷାରୋପ କରୁଛ । ଭୁଲି ଯାଉଛ ମୁଁ ତୁମ ସ୍ବାମୀ " ।
ଆଖି ବଡ ବଡ କରି ଏଥର ଜବାବ୍ ଦେଲେ ସମ୍ପାଦନା
- " ହଁ ଆଉ ତୁମେ ବି ଭୁଲି ଯାଉଛ ମୁଁ ତୁମ ସ୍ତ୍ରୀ । କୋଉ ସାହସରେ ମୋତେ ଲୁଚେଇ ଅନ୍ୟ ଝିଅ ସହ ସଂପର୍କ ରଖିଛ ? କୋଉ ସାହସ ରେ ?
- ' ଦେଖ ଆଜ୍ଜେ ବାଜ୍ଜେ ରଙ୍ଗ୍ ନମ୍ବର କଥା ଶୁଣି । ମୋ ସାଙ୍ଗରେ ଏମିତି ଅଯଥା ଯୁକ୍ତି କରନି ନହେଲେ ଭଲ ହେବନି କହୁଛି ।
- " ଆଜ୍ଜେ ବାଜ୍ଜେ ରଙ୍ଗ୍ ନମ୍ବର ନାଇଁ ଆଜ୍ଜେ ବାଜ୍ଜେ ରଙ୍ଗ୍ ନମ୍ବର ? ହେଲେ ସେ ଆଜ୍ଜେ ବାଜ୍ଜେ ନମ୍ବର ବାଲୀଟା ପାଖରେ ତ ସବୁ ଖବର ତ ଅଛି । ଏମିତି କି ତମେ ମୋତେ ସାମ୍ନା ଡାକ ମୋ ପାଖରେ ମନ ଲାଖି ଯିବାରୁ କାଳେ ତା ପାଖକୁ ଯାଇନ କିଛି ଦିନ ହେବ । ତମ ବିନା ତାକୁ କାଳେ ବୋରିଂ ଲାଗୁଛି ବହୁତ । ଦେଖ ସଂପର୍କ ଭିତରେ ଫାଟ ସୃଷ୍ଟି କରି କିଛି ଅଘଟଣ ଘଟାଅନି କି ବିରକ୍ତିକର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନି । ନହେଲେ ମୋଠୁ ଖରାପ କେହି ହେବେନି କହି ଦେଉଛି । ସତ ସତ କୁହ କିଏ ସେ ଝିଅ କ'ଣ ସଂପର୍କ ତା ସହ ତୁମର ? "
ମୁହଁ ଲୁଚେଇ ବିରକ୍ତି ହୋଇ କହିଲେ ସମ୍ବାଦ - " କହିଲି ନା ମୁଁ ଜାଣିନି ବୋଲି ? ଅଯଥା ଟେନସନ କାଇଁ ଦଉଛ ? କିଏ ଗୋଟେ କଣ ଫୋନ୍ କରି ଗପିଛି ପାଗେଳୀଙ୍କ ଭଳି ତମେ ବି ତାକୁ ଶୁଣି ତା ସହ ବାୟାଣୀ ହେଉଛ ? ଯାଅ ଜଳଦି ରୋଷେଇ କର ମୋତେ ଖାଇ ପୁଣି ଅଫିସ୍ ଯିବାର ଅଛି ।"
ସମ୍ପାଦନା ଧରିଥିବା କାଚ ଗ୍ଲାସ୍ କୁ ତଳେ ଫୋପାଡି ଦେଲା ଚୁନା ହୋଇଗଲା ଗ୍ଲାସ୍ , ତାପରେ କହିଲା - " ନାଇଁ ମୁଁ କରି ପାରିବିନି ରୋଷେଇ ଯଦି ଖାଇବାର ଇଛା ତମ ସେ ପ୍ରେମିକାକୁ ଡ଼ାକି ଦିଅ ଯାଆ ସହ ଲୁଚିକି ପ୍ରେମ ଚାଲିଛି । "
ସତରେ ସମ୍ପାଦନା ବହୁତ ରାଗି ଯାଇଥିଲା ।
ଆଉ ସମ୍ବାଦ ବି କିଛି କମ୍ ନୁହେଁ ସେ ସହଜେ କ୍ଷଣକୋପି ଆଉ ସମ୍ଭାଳି ପାରିଲେନି ଠୋ କିନା ଗୋଟେ ଚାପୁଡ଼ା ବସେଇ ଦେଲେ ସମ୍ପାଦନା ଗାଲରେ ।
- " ଅଧିକ ଓଭର୍ ହୁଅନି କହି ଦେଉଛି । କହିବାର ବି ଗୋଟେ ସିମା ଥାଏ ସିମା ଭିତରେ ରୁହ ସାମ୍ନା । "
ସାମ୍ନା କାନ୍ଦୁଛୁ ମାନ୍ଦୁଣୁ ହୋଇ ଗୋଡ଼ କଚାଡି କଚାଡି ଶୋଇବା ଘର ଭିତରକୁ ଯାଇ ନିଜ ଶରୀରକୁ ଫୋପାଡି ଦେଲା ବିଛଣା ଉପରେ ।
ସମ୍ବାଦ କିଛି ନଖାଇ ସେମିତି ଅଫିସ୍ ଚାଲିଗଲେ ।
ଅଫିସ୍ ଯିବା ବାଟରେ ସୋନାଲି କୁ ଫୋନ୍ ଲଗେଇ କହିଲେ ସମ୍ବାଦ -" ତମକୁ କିଏ କହିଥିଲା ଏମିତି ଅବେଳଟାରେ ଫୋନ୍ କରିବାକୁ ? ମୋତେ ମାରିବ ନା କ'ଣ ? ସାମ୍ନା ସହ ତମକୁ ନେଇ ଆଜି ଖୁବ୍ ଝଗଡ଼ା ହୋଇଗଲା । ମୁଁ ତା ଉପରେ ହାତ ଉଠେଇ ଦେଲି କିଏ ଜାଣେ ଆଗକୁ କ'ଣ ହେବ ?"
ସୋନାଲି କିଛି ଅସ୍ତବ୍ୟସ୍ତ କି ଚିନ୍ତିତ ଥିବା ଭଳି ମୋଟେ ଲାଗୁନଥିଲେ ଏ କଥାକୁ ନେଇ ବରଂ ତାଙ୍କ ର ସେଇ ପୁରୁଣା ଅନ୍ଦାଜରେ କହିଲା - " ଛାଡନା ସେ ସବୁ । ସରି ବାବା , ତମେ ବି ତ ବହୁତ ଦିନ ହେବ ଆସି ନଥିଲ ସେଥିପାଇଁ ମୁଁ କଲ୍ କରିଦେଲି କିଏ ଜାଣିଥିଲା ତମେ ଘରେ ଥିବ ଆଉ ତମ ସାମ୍ନା କଲ୍ ରିସିଭ କରିବ ବୋଲି ? ଆଜି ଅଫିସ ପରେ ଘରକୁ ଆସିବ ନା ନାହିଁ ? ପୁରା ହାଲକା ହୋଇ ଯିବ ମ , ଆସିବ ନା ନାହିଁ କହିଲ ଆଗ ? "
- " ନାଇଁ ଆଜି ନୁହେଁ ପରେ କେବେ । "
ଏତକ କହି ଫୋନ୍ କାଟି ଥିଲା ସମ୍ବାଦ ।
ସୋନାଲି ଭଟ୍ଟାଚାର୍ଯ୍ୟ , ସମ୍ବାଦ ଙ୍କ ଅଫିସ ରେ ତାଙ୍କ ସହକର୍ମୀ । ବିବାହିତା ସ୍ବାମୀ ଆର୍ମିରେ ଅଛନ୍ତି , ସୋନାଲିଙ୍କ ବୟସ ୩୮ ବର୍ଷ ହେଲେ ବି ସେ ବହୁତ ସୁନ୍ଦରୀ।
ଆଉ ସମ୍ବାଦ ବି ଅଫିସ କର୍ମଚାରୀଙ୍କ ଭିତରେ ସବୁଠୁ ଅଧିକ ବିଚକ୍ଷଣ ଆଉ ବଳିଷ୍ଠ ଗୋରା ତକତକ ଚେହେରା ତେଣୁ ଅଫିସ କାମ କରିବାର ଖୁବ୍ କମ୍ ଦିନ ଭିତରେ ହିଁ ସମ୍ବାଦ ଆଉ ସୋନାଲି ଉଭୟେ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ଧିରେ ଧିରେ ବନ୍ଧୁତା ରୁ ଢେର୍ ଆଗକୁ ବଢି ପ୍ରେମ ସଂପର୍କ ହୋଇ ଯାଇଥିଲା ଉଭୟଙ୍କ ଭିତରେ ।
କେତେ ଅଳସ ସଂଧ୍ୟା କେତେ ରାତି ସୋନାଲି ଙ୍କ ଘରେ ତାଙ୍କ ବିଛଣା ରେ କଟେଇ ଛନ୍ତି ତାର ହିସାବ ସେ ରଖି ନାହାନ୍ତି । ସୋନାଲି ବି ସମ୍ବାଦଙ୍କୁ ପାଖରେ ପାଇ ବହୁତ ତୃପ୍ତ ହୁଏ । ନିଜକୁ ସମ୍ବାଦକୁ ସମର୍ପି ଦେଲାବେଳେ ବହୁତ ଶାନ୍ତି ଅନୁଭବ କରନ୍ତି ସେ । ନିଜ ଉଛୁଳା ଯୌବନ କୁ ସମ୍ବାଦଙ୍କ ପାଖେ ପାଣି ଭଳି ବୁହାଇ ଦେଲାବେଳେ ବ ନିଜେ ବି ଖୁବ୍ ଭିଜି ଯାଉଥିଲା ସେ ଭିତରେ ଭିତରେ । ୫୫ ବର୍ଷିଅ ସ୍ବାମୀଙ୍କ ଠୁ ଯାହା ଆଶା କରି କେବେ ପାଇନି ତାଠୁ ଢେର୍ ଅଧିକ ଗୁଣରେ ସମ୍ବାଦଙ୍କ ଠୁ ପାଇଛି । ସମ୍ବାଦକୁ ଶାନ୍ତି କରି ସେ ବି ଲୁଟି ନେଇଛି ମନଭରି ତୃପ୍ତି ।
ସବୁକିଛି ଠିକ୍ ଠାକ୍ ଚାଲିଥିଲା ଆଜି ପର୍ଯ୍ୟନ୍ତ । ସେଇ ଅଫିସ ସେଇ ଘର , ଅଫିସର ମୁଣ୍ଡ ବିନ୍ଧା କାମ ଆରାମ ଦାୟକ ଲାଗେ ସୋନାଲିର ଚାହାଣୀରେ ଆଖିରେ ଆଖି ରେ କଥାରେ କଥାରେ । ପ୍ରାୟ ପ୍ରତ୍ୟେକ ସଂଧ୍ୟା ସୋନାଲିଙ୍କ ବେଡ଼ରୁମରେ ତାଙ୍କ ସହ ଅଧ ଘଣ୍ଟା ।
ବାସ୍ ତାପରେ ନିଜ ଘରେ ସ୍ତ୍ରୀ ସାମ୍ନାରେ ସତ୍ୟବାନ୍ ର ନିଚ୍ଛକ ଅଭିନୟ । ସାମ୍ନାର ପ୍ରେମ ସେମିତି ଅକ୍ଷୁର୍ଣ୍ଣ ଥିଲା ତାଙ୍କ ପ୍ରତି ହେଲେ ଏଇ ଗୋଟିଏ ଫୋନ୍ କଲ୍ ସବୁ ବିଗାଡି ଦେଲା । ସହଜ ସରଳ ଜୀବନ ରାସ୍ତାରେ ମଝିରେ ଯେମିତି ଗୋଟେ ବୁଢ଼ା ବରଗଛଟେ ଭାଙ୍ଗି ପଡ଼ି ସେ ରାସ୍ତାକୁ ଅବରୋଧ କରିଦେଇଛି ।
*****
ସଂଧ୍ୟା ସାତ ରେ ଘରକୁ ଫେରିଲେ ସମ୍ବାଦ । ମନରେ ମନେ ଭାର ଆଉ ଆଶଙ୍କା ନେଇ ।
ମନେ ମନେ ଭାବୁଥାନ୍ତି ସାମ୍ନାଙ୍କ ରାଗ ଶାନ୍ତ ହୋଇଥାଉ । ପ୍ରତ୍ୟେକ ଝଗଡ଼ା ପରେ ଯେମିତି ତାଙ୍କ ର ଭୁଲ୍ ଥାଉ କି ନ ଥାଉ ପ୍ରଥମେ ସାମ୍ନା ହିଁ , ସରି କହି କ୍ଷମା ମାଗନ୍ତି । ଈଶ୍ୱର କରନ୍ତୁ ସେମିତି ହେଉ ।
ମନେ ପଡି ଯାଉଥିଲା ସେଦିନ ରାତିର ଘଟଣା ।
ଟାଙ୍କେ ମଦ ପିଇ ସାଙ୍ଗ ମାନଙ୍କ ସହ ବାର୍ ରୁ ଫେରିଥିଲେ , କବାଟ ଖୋଲୁ ଖୋଲୁ ସାମ୍ନା ଉପରେ ବର୍ଷି ଗଲେ ।
ଭାଷା ଅଭାଷା କିଛି ର ସିମା ରହିଲାନି , ସାମ୍ନା ପ୍ରତିବାଦ କଲେ - " ଏମିତି ଅଭାଷା କାଇଁ କହୁଛ , ତମେ ମଣିଷ ଟି ? ଏମିତି ଅଭଦ୍ରଙ୍କ ଭଳି କ'ଣ ହେଉଛ ? "
ବାସ୍ ଏତିକିରେ ସମ୍ବାଦଙ୍କ ମୁଣ୍ଡ ଉପରକୁ ରାଗ ଚଢି ଯାଇଥିଲା । -" ତୁ ଯେତିକିରେ ରହିବା କଥା ସେତିକି ରେ ରହ ତୋ ବାପା ଘର ପଇସାରେ ମୁଁ ମଦ ପିଉଛି ନା ତୋ ଦରମା ରେ ? "
ତାପରେ ଅଣ୍ଟାରୁ ବେଲ୍ଠ ଖୋଲି ଅମଣିଷ ପରି ପିଟି ଚାଲିଲେ ପାହାର ପରେ ପାହାର ସାମ୍ନାକୁ । ସାମ୍ନାର ବାପାଲୋ ବୋଉଲୋ ହେବା ଛଡ଼ା ଆଉ କିଛି ଉପାୟ ନଥିଲା ।
ତା ପରଦିନ ସମ୍ବାଦର ଦିନ ବାରଟାରେ ବିଛଣା ଛାଡ଼ି ଯେତେବେଳେ ବ୍ରସ୍ ସାରି ଆସିଲେ ସାମ୍ନା ତାଙ୍କ ହାତକୁ ଚାହା କପ୍ ଟେ ବଢେଇ ଦେଇ କହିଲେ - " ସରି , ତମେ କାଲି ନିଶାରେ ଥିଲ ତମ ସହ ମୋର ଯୁକ୍ତି କରିବାର ନଥିଲା , ଆଉ ଏମିତି ଭୁଲ୍ କେବେ ହେବନି ।
ପିଠିରେ , ଅଣ୍ଟାରେ ଓ ହାତରେ ଏ ପର୍ଯ୍ୟନ୍ତ ବେଲ୍ଟର ଚିହ୍ନ ଲାଲ୍ ଦିଶୁଥିଲା ବି ସାମ୍ନା ସେ ବିଷୟରେ କିଛି ବି କହିନଥିଲା ।
ସମ୍ବାଦ ସେଦିନ ଖୁବ୍ ଅନୁତପ୍ତ ହୋଇଥିଲେ । ଆଉ ନିଜକୁ ବି ବହୁତ ଭାଗ୍ୟବାନ ମନେ କରିଥିଲେ ସମ୍ପାଦନା ପରି ସ୍ତ୍ରୀ ତାକୁ ମିଳିଛନ୍ତି ବୋଲି ।
ସମ୍ବାଦ ଭାବିଥିଲେ ଘରେ ପହଞ୍ଚୁ ପହଞ୍ଚୁ ପାଣି ଗ୍ଲାସ୍ ଟେ ହାତକୁ ବଢେଇ ଦେଇ ସାମ୍ନା କହିବେ କି , ' ନିଅ ପାଣି ପିଇ ଦିଅ । ସରି , ସକାଳେ ତମ ସହ ଏମିତି ରାଗିକି କଥା ହେବାର ନଥିଲା ।'
ତାପରେ ସମ୍ବାଦ ବି ନିଜ ଭୁଲ୍ ସ୍ବୀକାର କରି କ୍ଷମା ମାଗିଥାନ୍ତେ ଆଉ ଏଭଳି ଭୁଲ୍ ରାସ୍ତା ରେ ନଯିବା ପାଇଁ ଈଶ୍ୱରଙ୍କ ରାଣ ନିୟମ ଖାଇ ଥାଆନ୍ତେ ।
କିନ୍ତୁ ସେମିତି କିଛି ବି ହେଲାନି ।
ଘରେ ପହଞ୍ଚିଲା ବେଳକୁ ସମ୍ବାଦ ସାମ୍ନାରେ ନିଜ ସୁଟକେସ ଧରି ପ୍ରସ୍ତୁତ ହୋଇଥିବା ସମ୍ପାଦନା କହିଲେ
- " ମୁଁ ଯାଉଛି ଆଉ ନୁହେଁ ବହୁତ ହୋଇଗଲା , ଯଦି ସୋନାଲି ସହ ସଂପର୍କ ରଖିବାର ଇଛା ତେବେ ଲୁଚିଛପି କାହିଁକି , ଏବେ ଘରକୁ ଡ଼ାକି ଆଣ ତାକୁ । ତମ ଦୁହିଁଙ୍କୁ ଡିଷ୍ଟର୍ବ କରିବାକୁ କେହି ରହିବେନି ଆଉ ଏଠି । ଅଫିସ୍ କ୍ବାଟର୍ ରେ ମୁଁ ଆଜିଠାରୁ ରହୁଛି । ବହୁତ ହୋଇଗଲା ତମ ସହ ଏକାଠି ରହିବା , ଯଦି ଏତେ ସବୁ କରି ଏତେ ସବୁ ସହି ଫଳ ଏୟା ତେବେ ରୁହ ତମ ଇଛାରେ ତମ ଖୁସିରେ ଯାଉଛି । ଫେରେଇ ଆଣିବାକୁ ଚେଷ୍ଟା କରିବନି କି ଫୋନ୍ ମେସେଜ କିଛି ବି କରିବନି । ଭୁଲି ଯାଅ ଆଜିଠାରୁ ତମର କେହି ସ୍ତ୍ରୀ ଟିଏ ଥିଲା ବୋଲି ।"
ଚାଲି ଯାଇଥିଲା ସମ୍ପାଦନା ସାମ୍ନା ରାସ୍ତା ରେ ଗୋଟେ ଅଟୋରେ ବସି । ସମ୍ବାଦ ହାଁ ଟା କରି ଚାହିଁ ରହିଥିଲା ।
ସକାଳେ ସମ୍ବାଦ ଅଫିସ୍ ଯିବା ପରେ ସମ୍ପାଦନା ସମ୍ବାଦ ର ଅଫିସ ବନ୍ଧୁ ବିଶାଲ୍ ପାଖରୁ ଅତି ଚାଲାଖି ରେ ସବୁ ତଥ୍ୟ ସଂଗ୍ରହ କରି ନେଇଥିଲା । ସମ୍ବାଦ କେତେବେଳେ କୁଆଡେ ଯାଆନ୍ତି କୋଉଠି ଅଧିକ ସମୟ ବିତାନ୍ତି , କୋଉ ଝିଅ ସହ ତାଙ୍କର ଭଲ ସଂପର୍କ ଇତ୍ୟାଦି ଇତ୍ୟାଦି... ।
କିନ୍ତୁ ସମ୍ବାଦ ୟାର କିଛି ବି ଟେର୍ ପାଇ ନଥିଲା ।
ସମ୍ପାଦନା ଯିବା ପରଠାରୁ ଚାରିମାସ ବିତିଗଲାଣି ହେଲେ ଗୋଟେ ଦିନ ବି ସମ୍ବାଦ ଙ୍କ ଫୋନ୍ କଲ୍ ରିସିଭ କରିନଥିଲେ କି କୌଣସି ମେସେଜ ର ରିପ୍ଳାଏ ଦେଇ ନଥିଲେ । ସମ୍ବାଦ ବି କେତେଥର ସାମ୍ନାକୁ ଫେରେଇ ଆଣିବାକୁ ତାଙ୍କ ଅଫିସ କ୍ବାଟରକୁ ଯାଇଛନ୍ତି ହେଲେ ନିରାଶ ହୋଇ ଫେରିବାକୁ ପଡିଛି ତାଙ୍କୁ୍ ।
କିନ୍ତୁ ସଡ଼କ ଦୁର୍ଘଟଣାରେ ପଡି ଗୁରୁତର ଆହତ ହେବା ପରେ । କେମିତି ଖବର ପାଇ ଛୁଟି ଆସିଥିଲେ ସ୍ବାମୀ ଙ୍କ ପାଖକୁ । ଆଉ ରାତି ରାତି ଅନିଦ୍ରା ରହି ଟିକି ନିଖି କଥାର ଯତ୍ନ ନେଉଛନ୍ତି ।
ସତରେ ଯେତେ ଘୃଣା କରି ଦୂରେଇ ରହିଲେ ବି ଆପଣାର ମଣିଷକୁ ଦେଖିବାକୁ ସେଇ ଆତ୍ମୀୟତାର ମୋହ ଟିକକ ଟାଣିଆଣେ ପାଖକୁ ।
ଏଥର ପୁଣି ସମ୍ବାଦ ଛୋଟ ପିଲା ପରି ଅଳି କଲାଭଳି କହିଲେ
- ମୋତେ କ୍ଷମା କରିଦିଅ ସାମ୍ନା , ପ୍ଲିଜ୍ ମୋତେ ଛାଡି ଯାଅନି । ପୁରୁଣା କଥା ଭୁଲି ଫେରି ଆସନା ତମ ଘରକୁ ମାନେ ଆମ ଘରକୁ । ପ୍ଲିଜ୍ ସାମ୍ନା ମୋତେ କ୍ଷମା କରିଦିଅ । ପ୍ଲିଜ୍ ଫେରି ଆସନା , ଆସିବ ନା କୁହ ଆସିବ ନା ?
ସମ୍ପାଦନା ସମ୍ବାଦଙ୍କୁ ଚାହିଁଥିଲେ ଆଉ ତାଙ୍କ ଆଖିରେ ଆଖିଏ ଲୁହ ଲହଡି ଭାଙ୍ଗୁଥିଲା ।