ମୋବାଇଲ୍
ମୋବାଇଲ୍
ଘରେ, ପୁଅ ଝିଅ, ସ୍ତ୍ରୀ ଠୁ ଆରମ୍ଭ କରି ବାହାରେ ଝାଡୁବାଲା ଠାରୁ ଡାକ୍ତର, ଇଂଜିନିୟର, ଶିକ୍ଷକ, ଓକିଲ, ନେତା, ଅଭିନେତା ସମସ୍ତଙ୍କ ହାତରେ ମୋବାଇଲକୁ ଦେଖି ଭାରି ଚିଡିଯାଆନ୍ତି ମୋହନ ବାବୁ। ସବୁ ଜିନିଷର ଭଲମନ୍ଦ ଦୁଇଟି ପାର୍ଶ୍ବ ଜାଣି ମଧ୍ୟ ମୋବାଇଲର ଖରାପ ଦିଗଟି ତାଙ୍କ ଆଖି ଆଗରେ ଖାଲି ନାଚିଉଠେ।
ମୋବାଇଲ ଆସିଲା ଦିନଠୁଁ ଯେମିତି କାହା ପାଖରେ କାହା ପାଇଁ ସମୟ ନାହିଁ, ଯେଉଁଠି ଦେଖ ତିନି ମାଙ୍କଡ଼ ପରେ ଚତୁର୍ଥ ମାଙ୍କଡ଼ ମିଳିଗଲାପରି। ମୋବାଇଲକୁ ଅନେଇଥିବେ ଯେ ସାଇଡ୍ ରେ ଯଦି ସାପ ପଳେଇବ ଜାଣି ପାରିବେନି। ତାଙ୍କ ମତରେ ମୋବାଇଲ ସମାଜକୁ ଧ୍ବଂସ କରିପାରୁଥିବା ଜିନିଷଟେ ମାତ୍ର। ଆଜି ଏ ଲଘୁଚାପ ବର୍ଷାରେ ଗାଁ ରୁ ଫେରୁ ଫେରୁ ରାତି ହେଇଯିବ ବୋଲି ଭାବି ନ ଥିଲେ ମୋହନ ବାବୁ। ଖୋଦ୍ ରାଜଧାନୀର ଟିକେ ବର୍ଷାରେ ଏ ଭୟାବହ ରୂପ ହେବ ବୋଲି ତିଳେ ମାତ୍ର ଧାରଣା ନଥିଲା। ଚାଲୁ ଚାଲୁ ଅଚାନକ ଝୁଣ୍ଟି ପଡି ଦେଖନ୍ତି ଯେ ଆଗରେ ବିରାଟ ବଡ଼ ଗାତ, ଘର ପାଖର ଏହି ଚଲାବୁଲା ରାସ୍ତା ବି ଆଜି ଶୂନ୍ଯ। ସାହାଯ୍ୟ ବି ମାଗିବେ କାହାକୁ, କେମିତି? ଓ ହୋ କହୁଥିଲେ ଘରେ ମୋବାଇଲଟା ପାଖରେ ରଖିଥା, ସୁବିଧା ଅସୁବିଧା ରେ କାମରେ ଆସିବ। ସେ କୋଉ ଶୁଣିଲେ ଯେ ବରଂ ଦିପଦ କଡା କଥା ଶୁଣେଇଦେଇଥିଲେ । ମୋବାଇଲ ନଥିଲା ବେଳେ ଲୋକ କଣ ଚଳୁ ନଥିଲେ । ଏବେ କିନ୍ତୁ ସେ ଏହି ମୋବାଇଲର ଭାରି ଆବଶ୍ୟକତା ବୋଲି ମନେ କରୁଥିଲେ।
