ମୋ କବୟିତ୍ରୀ ପତ୍ନୀ
ମୋ କବୟିତ୍ରୀ ପତ୍ନୀ
ମୋ କବୟିତ୍ରୀ ପତ୍ନୀ
ମୁଁ ଅଳ୍ପ ବହୁତ କବିତା ଫବିତା ଲେଖେ। ତେଣୁ କିଶୋର ବୟସରୁ ହିଁ ମୋ ମନରେ ତୀବ୍ର ଇଚ୍ଛାଟିଏ ଜାଗୁରିତ ହୋଇଥାଏ। ଇଚ୍ଛା ତ ନୁହେଁ ସ୍ୱପ୍ନ। ଯଦି ବାହା ହୁଏ, ଜଣେ କବୟିତ୍ରୀଙ୍କୁ ନଚେତ୍ ନୁହେଁ। ପତ୍ନୀ ମୋର କବୟିତ୍ରୀ ହେଲେ ମୋ ମନ, ହୃଦୟର ଭାବପ୍ରବଣତାକୁ ସମ୍ମାନ ଦେବ। ମୋ ଭାବାବେଗରେ ମୁର୍ଖଙ୍କ ପରି ନ ହସି ଅର୍ଥ ବୁଝି ହୃଦୟଙ୍ଗମ କରିବ। ମୋ କବିତାଗୁଡ଼ିକର ମୂଲ୍ୟ ବୁଝି ତାକୁ ତା ହୃଦୟରେ ସାଇତି ରଖିବ।
ହଠାତ୍ ଦିନେ କମ୍ପ୍ୟୁଟରରେ ବସି ଏଣୁ ତେଣୁ ଘାଣ୍ଟୁ ଘାଣ୍ଟୁ ଗୋଟିଏ ୱେବ୍.ସାଇଟ୍.ରେ ଅଟକିଗଲା ମୋର ଚକ୍ଷୁ। ଓଡ଼ିଆ କବିତାଟିଏ ସ୍ଥାନ ପାଇଛି ୱେବ୍.ସାଇଟ୍.ର ଶୀର୍ଷରେ। ତଳକୁ ତଳ ଅନେକ କବିତା ଓ ଗଳ୍ପ। ମୋର ଆଗ୍ରହର କେନ୍ଦ୍ରବିନ୍ଦୁ କିନ୍ତୁ କବିତା ନ ହୋଇ କବୟିତ୍ରୀଙ୍କ ଆକର୍ଷଣୀୟ ରଙ୍ଗୀନ୍ ଫଟୋ ଥିଲା। ଫଟୋରେ କବୟିତ୍ରୀ ଜଣକ ଖୁବ୍ ସୁନ୍ଦର ଦିଶୁଥିଲେ। ମନେହେଲା ମୁଁ ତାଙ୍କୁ ପୂର୍ବରୁ କେଉଁଠି ଦେଖିଛି, ଅଥଚ ମନେ ପଡୁନାହିଁ। ଅବଶ୍ୟ ଥରେ ଥରେ ସେମିତି ଲାଗେ। ଆକର୍ଷଣୀୟ ଚେହେରା ସବୁ ଅତି ନିଜର ନିଜର ମନେ ହୁଅନ୍ତି। ହେଲେ ନା! ଫଟୋଟିକୁ ଆଉ କିଛି ସମୟ ଚାହିଁଲା ପରେ ଏବଂ ତା ତଳେ ଲେଖାଥିବା ନାଁ ଟିକୁ ପଢ଼ିଲା ପରେ ମୋର ମନେ ପଡ଼ିଲା ଏ ହେଉଛି ମୋରି ଗାଁର ଝିଅ, ପ୍ରୀତିସୁଧା। ମୋ ଠାରୁ ପାଖା ପାଖି ଚାରି ପାଞ୍ଚ ବର୍ଷ ସାନ। ମୁଁ ଅନେକ ବର୍ଷ ହେଲା ଗାଁକୁ ଯାଇନି। ସେଦିନର ଗାଉଁଲି ଝିଅ ପ୍ରୀତିସୁଧା ଇତିମଧ୍ୟରେ ଯେ ଯୁବ ମନଲୋଭା ସୁନ୍ଦରୀଟିଏ ପାଲଟି ଯାଇଛି ଜାଣି ଖୁସି ମଧ୍ୟ ଲାଗିଲା। ମୋ କିଶୋର ସମୟର ସ୍ୱପ୍ନ ଏବେ ମୋ ହାତ ପାହାନ୍ତାରେ।
ମୋର ପ୍ରବଳ ଆଗ୍ରହର ପ୍ଳାବନରେ ଓ ନିଷ୍ପତ୍ତିର ଦୃଢ଼ତାରେ ଦବିଯାଇ ବାପା, ମାଆ ମୋର ବିବାହ ସେଇଠି କରିବାକୁ ରାଜି ହୋଇଗଲେ। ଔପଚାରିକ ଭାବରେ ଝିଅ ଦେଖାକୁ ଯାଇ ବାପା କହିଲେ - କିଛି ପଚାରିବାକୁ ଅଛି ଯଦି ପଚାରିପାରୁ। ମୁଁ କବି ଢ଼ଙ୍ଗରେ ଉତ୍ତର ଦେଲି – ଗୋଲାପକୁ ତାର ପରିଚୟ ପଚରା ଯାଏନା। କଳକଲ୍ଲୋଳିନୀ ନିର୍ଝରିଣୀକୁ ତାର ଠିକଣା ପଚରା ଯାଏନା। ଏଲୋରାର ଚାରୁ ସମ୍ପନ୍ନ ପ୍ରସ୍ତର ମୂର୍ତ୍ତୀକୁ ତାର ବୟସ ପଚରା ଯାଏନା।
ଖୁବ୍ ଶୀଘ୍ର ପ୍ରୀତିସୁଧା ସହ ମୋର ବିବାହ ସମ୍ପନ୍ନ ହୋଇଗଲା।
ଚତୁର୍ଥୀ ରାତିରେ ପ୍ରୀତିସୁଧା ମୁହଁ ଉପରୁ ଓଢ଼ଣାଟା ଖସାଇ ଦେଇ ମୁଁ ସଂତୃପ୍ତ ନୟନରେ ଚାହିଁ ରହିଲି କିଛି ସମୟ। ଅନାୟାସରେ କବିତ୍ୱ ମୋ କଣ୍ଠରୁ କଳକଳ ନାଦରେ ଝରି ଆସିଲା।
- ଆଃ! ମୋ ମନ ତଳର ଗହନ ବନରେ ସ୍ୱପ୍ନଟିଏ ହୋଇ ନୀଡ଼ ରଚିଲ...
ହୃଦୟର ପ୍ରତି ଶୋଣିତ କଣିକା ମୋ ପୁଲକରେ ଭରି ଦେଲ...
ଦିନେ ତୁମେ ଯାହା ମୋ ପାଇଁ ଅପହଞ୍ଚ ଥିଲ,
ଆଜି ମୋ ପ୍ରାଣସଙ୍ଗୀନୀ ସାଜିଲ!!!
ଏତକ କହିଦେଇ ମୁଁ ଅପେକ୍ଷା କଲି ପ୍ରୀତିସୁଧାର କଳକଣ୍ଠରୁ କିଛି ଶବ୍ଦର ଝରଣା ପାଇଁ। ପ୍ରୀତି ଲାଜେଇ ଯାଇ ମୋ କାନ୍ଧକୁ ତା ଡାହାଣ ହାତରେ ଠେଲି ଦେଇ କହିଲା – ଯାଅ ଗୋ, ବଣରେ ଆଉ ସପନ ଦେଖନି ବା... ଆମେ ପା ଘର ଭିତରେ ବସିଛୁ! ଆଜି ଚଉଠି ରାତି!
ପ୍ରୀତିସୁଧାର ପରିହାସରେ ମୁଁ ମୁରୁକି ହସିଲି। ତାକୁ ମୋ ଛାତି ଉପରକୁ ଆଉଜି ନେଇ ଆଲିଙ୍ଗନ ବଦ୍ଧ କଲା ପରେ ଆଉ ଏକ କବିତାର ପଂକ୍ତି ଝରିଆସିଲା ମୋ ଓଠରୁ।
- ହେ ମୋ ହୃଦୟ ଆକାଶର ଅଲିଭା ଇନ୍ଦ୍ରଧନୁ...
ତୁମ ସପ୍ତରଙ୍ଗର ଅବିସ୍ମରଣୀୟ ଝଲକରେ ମୋ ତନୁମନ ପ୍ରକ୍ଷାଳନ କରି
ମୋ ଅନନ୍ତ ଐକ୍ୟରଙ୍ଗ ନୀଳିମାକୁ ସବୁଦିନ ପାଇଁ ତୁମ ଓଠ ନିସୃତ କବିତ୍ୱର ରଙ୍ଗରେ ରଙ୍ଗେଇ ଦିଅନା...
ତୁମ ମଧୁର ଶବ୍ଦର ଝଙ୍କାରରେ ତନ୍ମୟ ହୋଇଉଠୁ ମୋର ଏ ତୃଷାର୍ତ୍ତ କବି ପ୍ରାଣ।
- ହଇ ଗୋ... ରାତିରେ କୁଆଡ଼ୁ ଇନ୍ଦ୍ରଧନୁ ଆଇଲା ବା? ବିନା ସୁରୁଜରେ କଣ ଇନ୍ଦ୍ରଧନୁ ସମ୍ଭବ କିଗୋ? ଏବେ ତ ଚାନ୍ଦିନୀ ରାତି।
ମୋର ଭ୍ରୁକୁଞ୍ଚନ ହେଲା। ପଚାରିଲି – ଆଚ୍ଛା, ଚାନ୍ଦିନୀ ରାତିକୁ ଚାହିଁ କିଛି କହିଦିଅ। ତୁମ ଓଠରୁ ଦୁଇପଦ ଶୁଣିବାକୁ ମୁଁ ଉତ୍କର୍ଣ୍ଣ।
ପ୍ରୀତିସୁଧା ଟିକିଏ ଲାଜେଇ ଯାଇ କିଛି ସମୟ ଚକ୍ଷୁଦ୍ୱୟକୁ ଇତସ୍ତତଃ କଲା। କହିଲା – କିସ କହିବି ଗୋ... ତାପରେ ମନେ ପକାଇଲା ପରି କହିଲା – କୁଆଁର ପୁନେଇ ଜହ୍ନଗୋ ଫୁଲ ବଉଳବେଣୀ, ପାକୁଆ ଅଜାକୁ ଅଲାଜୁକୀ ଆଈ ଠେଲିଦେଲେ ପରଘରଲୋ ଫୁଲ ବଉଳବେଣୀ।
ମୁଁ ଆଁ କରି ଚାହିଁଥିଲି ପ୍ରୀତିସୁଧାର କବିତ୍ୱରେ। ପ୍ରୀତି ମୋ ମେଲା ପାଟିଟାକୁ ବୁଜି ଦେଇ ଆଖିର ଈଶାରାରେ ପଚାରିଲା – କଣ ହେଲା ଗୋ? ମୁଁ ପଚାରିଲି – ତୁମେ କବିତା ଲେଖା ଲେଖି କରନା? ପ୍ରୀତିସୁଧା ହସିଲା ହୋ ହୋ ହୋଇ। ସେମିତି ହସୁ ହସୁ କହିଲା – କବିତା ଆଉ ମୁଁ? କିଏ କହିଲା ଗୋ ତୁମକୁ ମୁଁ କବିତା ଲେଖେ ବୋଲି?
- ମୁଁ ମୋ ମୋବାଇଲ୍ ବାହାର କରି ତାର ଫଟୋ ସହ ପ୍ରକାଶିତ କବିତାଟି ଦେଖାଇଲି। ସେ ହସୁ ହସୁ କହିଲା – ପଲ୍ଲବୀ?
- କେଉଁ ପଲ୍ଲବୀ?
- ପଲ୍ଲବୀ ବା... ମୋ ସାଙ୍ଗ, ସେଇ ଲେଖିଛି କବିତା। ହେଲେ ଫଟୋ ଜାଗାରେ ତା ଫଟୋ ବଦଳରେ ମୋ ଫଟୋ ଆଉ ନାଁ ଦେଇ ଦେଇଛି। କହିଲା ମୋର ସୁନ୍ଦୁରିଆ ଫଟୋ ଦେଖିଲେ କବିତାର କଣ ସେଇଟା? ହଁ, ଭିୟୁ...ଅର୍...ସ୍ ଆଉ ଲାଇକ୍ ବଢ଼ିବ।
- ତୁମକୁ ତାହେଲେ କବିତା ଲେଖି ଆସେନି?
- ନା।
- ତାହେଲେ ଆସେ କଣ?
ପ୍ରୀତିସୁଧା ଉଚ୍ଛ୍ୱସିତ ହୋଇ କହିଲା – ମୋତେ ରୋଷେଇ... ସିଲେଇ... ଏମ୍ରୟଡାଏରୀ... ସବୁ ଆସେ। ହଁ, ଖଲି ସିଲେଇବା, ଠୁଙ୍ଗା ବନେଇବା ବି ଆସେ।
ମନଟା ମୋର ନିରାଶାରେ ସଂକୁଚିତ ହୋଇ ସାରିଥିଲା। ଛାତିର ବାଁପଟରେ ହାତ ପାପୁଲିକୁ ଜୋର୍.ରେ ଚାପି ଧରି ପଚାରିଲି – ତୁମେ କେତେ ପାଠ ପଢ଼ିଛ? ପ୍ରୀତିସୁଧା ଦାନ୍ତ ଦେଖେଇ ଏକ ବିଶେଷ ମୁଦ୍ରାରେ କହିଲା - ନବମ ଫେଲ୍।
ମୁଁ ଝଟ୍.କା ଖାଇ ହଠାତ୍ ଖଟ ତଳକୁ ଗଡ଼ିଗଲି।
ବାହାରେ ମାଇକ୍ ବାଜୁଥିଲା।
ନବମ ଶ୍ରେଣୀ ଝିଅଟା... ଛାତିକୁ ମୋ ହର୍ଟ୍ କରୁଛି...।
ଟି.ଦୁର୍ଗା ପ୍ରସାଦ ରାଓ