ମୋ ଜେଜେମା
ମୋ ଜେଜେମା
ସେ ମୋର ଜେଜେମା, କିନ୍ତୁ ଆମେ ତାଙ୍କୁ ମାଆ ବୋଲି ଡାକିଥାଉ।ନାମ:-ବିମ୍ବଲତା ଦାସ।ବୟସ ପାଖାପାଖି ଛଅସ୍ତରି ବର୍ଷ,ତାଙ୍କ ହିସାବରେ ସତୁରି ଛଅ...ଦେଢସୁର ନାଁ ପରା ପାଟିରେ ଧରିବେନି, ତେଣୁ ଛଅସ୍ତରି କହିବେନି। କିନ୍ତୁ ଡକ୍ଟର ସଜନ ଅଗ୍ରୱାଲ କୁହନ୍ତି, ମାଆର ବୟସ ସବୁଦିନେ ସତୁରି।କାରଣ ମାଆ ଯେତେବେଳେ ବି ଡାକ୍ତରଖାନା ଯାଏ , ଡକ୍ଟର ବୟସ ପଚାରିଲେ ବାପା କୁହନ୍ତି 'ସତୁରି'।
ମୋ ମାଆର ବେଶଭୂଷା ଟିକେ ସ୍ୱତନ୍ତ୍ର ଧରଣର।ଖଣ୍ଡେ ମୋଟା ପାଢୀଲଗା ସମ୍ବଲପୁରୀ ଶାଢ଼ୀ(ଯାହାର ମୂଲ୍ୟ ଦୁଇହଜାର ଟଙ୍କାରୁ କମ୍ ହୋଇନଥିବ, ପୁଣି ନିଜେ ପସନ୍ଦ କରି ଆଣିବେ ଆଉ କେହି ଆଣିଲେ ମନକୁ ଯିବନି), ସୁନାଚୁଡି ଚାରିପଟଲେଖାଁଏ ଦି'ହାତରେ, ବେକରେ ମୋଟା ସୁନାଚେନ୍ ଗୋଟେ,କାନରେ ସୁନାର ଚେକା ଚେକା ଫୁଲ ଦୁଇଟି ଓ ଗୋଡ଼କୁ ସ୍ୟାଣ୍ଡେଲ ହଳେ ଦରକାର। ଏମିତି ତ ସେ ଘରେ ସାଧାରଣ ଚପଲ ବ୍ୟବହାର କରେ, କିନ୍ତୁ ଗାଡ଼ିରେ କି ଦୂରଜାଗାକୁ ଗଲାବେଳେ ସେ ସ୍ୟାଣ୍ଡେଲ ପିନ୍ଧିକରି ଯାଏ। କାରଣ ରାସ୍ତାରେ ଧକଡଚକଡ ହେଲେ ପାଦରୁ ଚପଲ ଖସିଯିବାର ଭୟ ଥାଏ।
ଖାଇବା ପିଇବାରେ ବି ମାଆକୁ ଟିକେ ପାଟିସୁଆଦିଆ ଦରକାର। କିନ୍ତୁ କ'ଣ କରିବା ତା'ର 'ବାଇପେଟ' ପାଇଁ ସବୁ ଗଡବଡ ହୋଇଯାଏ।'ବାଇପେଟ'ର ଅର୍ଥ ସରଳ ଭାଷାରେ 'ଗ୍ୟାସ୍ ପ୍ରୋବ୍ଲେମ'।ସେ ସବୁବେଳେ କୁହେ,"ମୋ ପେଟରେ କ'ଣ ଗୋଟେ ବୁଲୁଛି, ଝାଡ଼ା ଜମା ହେଉନାହିଁ।ସେ ସଜନୀ(ଡ଼ାକ୍ତର ଅଗ୍ରୱାଲ) କହିଛି,ଅଣ୍ଡରଗ୍ରାଉଣ୍ଡ(ତା' ଭାଷାରେ)ମାନେ ଅଲଟ୍ରାସାଉଣ୍ଡ କଲେ ଜଣାପଡ଼ିବ।"ଯଦି କେହି 'ପିକୁ' ଫିଲ୍ମ ଦେଖିଥିବେ ,ତାହେଲେ ଅମିତାଭ ବଚ୍ଚନଙ୍କ ଅଭିନୀତ ଚରିତ୍ରରୁ ମୋ ମାଆଙ୍କ 'ବାଇପେଟ' ସମସ୍ୟାକୁ ନିଶ୍ଚିତ ରୂପେ ବୁଝିପାରିବେ। ଯେତେ ଔଷଧ ଖାଇଲେ ବି ତାଙ୍କ ସମସ୍ୟାର ସମାଧାନ ହୁଏନାହିଁ। ସଜନୀ ଔଷଧ ଦେଲେ , ପେଟ ସମ୍ପୂର୍ଣ୍ଣ ଠିକ ହେଉ କି ନହେଉ ତାଙ୍କ ମନକୁ ଟିକେ ଶାନ୍ତି ମିଳେ। କେତେପ୍ରକାର ଜଡ଼ିମୁଳୂକା (ଜଡ଼ିବୁଟି ଔଷଧ )ମଧ୍ୟ ସେ ଖାଆନ୍ତି ,କାଳେ ପେଟଟା ଠିକ୍ ହେଇଯିବ। ପୁଣି କୁହନ୍ତି, "ଜୀବନ ଗଲାବେଳେ ଯମ ଆସି ଛିଡାହେଲେ ମୋର ପେଟ ବାଟେ ପ୍ରାଣ ଛାଡ଼ିଯିବ।"
ସେ ପୁଣି କୁହନ୍ତି,"ପେଟ ତା'ର ନାଟ କରୁଥାଉ, ମୁଁ ମନ ଶାନ୍ତି କରି ଖାଇବି। ପେଟ ପୁରିଲେ ଗଲା।"ପ୍ରତି ୩/୪ ଘଣ୍ଟାକୁ ତାଙ୍କୁ ଭୋକ। ଖାଇବା କହିଲେ ଆମିଷରେ ମାଛ ତାଙ୍କର ଭାରି ପ୍ରିୟ। ପନିପରିବା ଭିତରେ ବାଇଗଣ ତାଙ୍କୁ ପସନ୍ଦ। ଏମିତି ତ ସେ ସବୁ ଖାଆନ୍ତି କିନ୍ତୁ ପ୍ରତିଦିନ ତାଙ୍କର କିଛି ନା କିଛି ନିଆରା ରେସିପି ରହିଥାଏ, ଯେମିତି କି କଦଳୀଚୋପା ଚଟଣୀ,ପୋଇ ଓ କଲରାପତ୍ର ବେସନ ବରା,କୋବିପତ୍ରଭଜା ଇତ୍ୟାଦି।ମିଠାରେ ସାଲେପୁର ରସଗୋଲା ନହେଲେ ପାଣିତୁଆ ଗଣ୍ଡାଏ ଖାଇଲେ ଯାଇ ତାଙ୍କ ମନ ଶାନ୍ତି ହୁଏ।ଆଉ ବାହାରକୁ ଗଲେ ଦୋସା କିମ୍ବା ଶାଲିମାରରେ ଚଟକଣି ମରା ପୁରି(ତାଙ୍କ ଭାଷାରେ)ମାନେ ଛୋଲେଭଟୁରେ ଖାଆନ୍ତି।ଆଉ ତାପରେ ଗୋଟେ ଫ୍ରୁଟି ପିଇଲେ ଯାଇ ତାଙ୍କୁ ଆନନ୍ଦ ମିଳେ। ପୁଣି ଦିନକୁ ୪/୫ଖଣ୍ଡ ପାନ ନିହାତି ଦରକାର, ନହେଲେ ଖାଦ୍ୟ ହଜମ ହୁଏନି।
ତାଙ୍କ ଜୀବନରେ ମାତ୍ର ସାତଟି ଟେନସନ୍;
✓ବାଇପେଟ
✓ସକାଳୁ ଉଠି କେମିତି ଆଗ ପରିବା କାଟିବେ।
✓ସକାଳେ, ଗାଧୁଆ ବେଳେ ଓ ରାତିରେ କ'ଣ ରୋଷେଇ ହେବ।
✓ନାନୁଆ(ତାଙ୍କ ପୁଅ ତଥା ମୋ ବାପା) ଠିକ୍ ସମୟରେ ଖାଇଲା କି ନାହିଁ... ତା'ର ପେଟ ପୁରିଲା କି ନାହିଁ।
✓ସମସ୍ତଙ୍କ ଦେହ'ପା ଭଲ ଅଛି ନା ନାହିଁ।
✓ବଡନାତୁଣୀ ଅଫିସ ପଳେଇଗଲେ ବାବୁଧନକୁ(ନାତୁଣିର ପୁଅ/ତାଙ୍କ ଅଣନାତି) କିଏ ସମ୍ଭାଳିବ।
✓ନାତି ଓ ସାନ ନାତୁଣୀ କେବେ ବଡ଼ ଚାକିରୀ କରିବେ।
ସେ ସକାଳୁ ଉଠି ମର୍ଣ୍ଣିଙ୍ଗ ୱକରେ ଯାଇ ଘେରାଇ ବୁଲି ନ ଆସିଲେ ତାଙ୍କ ଗୋଡ଼ ହାତ ଘୋଳେଇ ହୋଇପଡେ କୁହନ୍ତି।ଆଉ ଚାରିଟା ବେଳକୁ ଯାଇ ଟିକେ ସ୍ଵାଇଁ ବୁଢ଼ୀ, ମହାରଣା ବୁଢ଼ୀ,ହଗୁରି ବୁଢ଼ୀ ଓ ଗୀତା ମା' ସାଙ୍ଗରେ ଗପସପ ନକଲେ ତାଙ୍କୁ ଭଲଲାଗେନି।ଟିଭି ଦେଖିବାକୁ ସେ ଏତେଟା ଭଲ ପାଆନ୍ତିନି, କିନ୍ତୁ ନାକଡିସ୍ ରେ(ତାଙ୍କ ଭାଷାରେ) ଅର୍ଥାତ୍ ଲାପଟପରେ ନାତି ଡାଉନଲୋଡ କରି ରଖିଥିବା ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ମହାଭାରତ ଦେଖିବା ତାଙ୍କୁ ଖୁବ୍ ପସନ୍ଦ। ହାତରେ ଯଦି ପଇସା ଅଛି କେମିତି ଯାଇ ସେ ଘରକରଣା ଜିନିଷ କିଣିବେ ତାଙ୍କ ବୁଦ୍ଧିବଣା ହୋଇଯାଏ।ସେ ସ୍କୁଲ ଯାଇ ନାହାନ୍ତି କି ପାଠପଢି ନାହାଁନ୍ତି।ସେ କୁହନ୍ତି, "ଦିନେ ସ୍କୁଲ ଯାଇଥିଲି ,ଦେଖିଲି ମାଷ୍ଟର ପିଲାଙ୍କୁ ବେତରେ ବାଡ଼ଉଛି ; ସେବେଠାରୁ ମୋ ସ୍କୁଲ ଯିବା ବନ୍ଦ।"ସ୍କୁଲ ନ ଯାଇ ମଧ୍ୟ ମାଆ ଆମର ପୁରାଣ ଶାସ୍ତ୍ର, ଖବର କାଗଜ ସବୁ ସ୍ପଷ୍ଟ ପଢିପାରନ୍ତି, ତାହାବି ଏ ବୟସରେ ବିନା ଚଷମା ରେ। ଇଂରାଜୀଶିକ୍ଷା ବହିପଢି ମଧ୍ୟ କିଛିଟା ଇଂରାଜୀ ଶିଖିଛନ୍ତି।
ତାଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ନାରାୟଣ। ତେଣୁ ପରିବାର ପ୍ରତି କିଛି ବି ବିପଦ ଆସିଲେ,ସେ ସଙ୍ଗେ ସଙ୍ଗେ ବ୍ରାହ୍ମଣ ଡାକି ସତ୍ୟନାରାୟଣ ପୂଜା କରାଇଥାନ୍ତି।ବୟସ ହେଲାଣି ତେଣୁ ସେ ଅନେକ କଥା ଭୁଲିଯାଆନ୍ତି ଓ ଚିଡି ଚିଡି ହୁଅନ୍ତି। କିନ୍ତୁ ମାଆ ବିନା ଆମର ସବୁ କାମ ଅଚଳ।
