STORYMIRROR

Sasmita Das

Others

3  

Sasmita Das

Others

ସୁକାନ୍ତି

ସୁକାନ୍ତି

5 mins
247


        ସୁକାନ୍ତି ଆଉ ବିଳମ୍ବ ନ କରି ପୂଜା ଥାଳି ସଜାଡି ବାହାରି ପଡ଼ିଲା ମନ୍ଦିରକୁ । ଆଜି ପଣା ସଂକ୍ରାନ୍ତି; ଶୀଘ୍ର ନ ଗଲେ ମନ୍ଦିର ଭିଡ଼ ହୋଇଯିବ । ଏପଟେ ରାଜୀବ ଉଠି ଡାକ ପକାଇଲା, ସୁକାନ୍ତି ଚା' କପେ ଆଣ!.. ଦୁଇ ତିନିଥର ଡାକ ପକାଇଲା ପରେ ଆସି ତା ବୋଉକୁ ପଚାରିଲା, ସୁକାନ୍ତି କୁଆଡେ ଯାଇଛି କି?..ଏହାଶୁଣି ବୋଉ(ରମାଦେବୀ) ଗହଣା ବାକ୍ସଟା ଖୋଲୁ ଖୋଲୁ କହିଲେ, କେଜାଣି ସେ ବାରବୁଲି ଯାଇଥିବା କୁଆଡେ ! ତୁ ଗଲୁ ଆଗ ଛକରୁ ସେ ରୋହି ମାଛ ନେଇ ଆସିବୁ । ଆଜି ରବିବାର ଗହଳି ହେବ, ସଜ ମାଛ ମିଳିବା କଷ୍ଟକର ହେଇଯିବ । ମୋର ମାଛ ବେସର ଖାଇବାକୁ ଭାରି ମନ ହେଉଚି । ଏହା ଶୁଣି ରାଜୀବ କହିଲା, ହଉ ମୁଁ ଯାଏ ଛକରୁ ମାଛ ନେଇ ଆସିଵି । ରମାଦେବୀ ପୂଜା ପର୍ବ, ସଂକ୍ରାନ୍ତି, ପୂର୍ଣ୍ଣିମା ଆଦି ମାନନ୍ତି ନାହିଁ । ତାଙ୍କର ଖାଇବା ଭଲ ତ ସେ ଭଲ । ସୁକାନ୍ତି ‌ତେଣେ ମନ୍ଦିରରୁ ଆସି ଜଳଖିଆ ତିଆରି କଲା ଓ ପରିବା କାଟି ଡାଲମା ବସାଇଲା । ଶାଶୂ (ରମାଦେବୀ) ଆସି କହିଲେ,ହଇଲୋ ! ମୋ ଗହଣାତକ ସଫା କରିଦେଲୁ, ମୁଁ କମଳା ବାହାଘରକୁ ପିନ୍ଧି କରି ଯିବି । ସୁକାନ୍ତି ‌ଗହଣା ସବୁ ନେଇ ‌କୂଅ ପାଖକୁ ଗଲା ସଫା କରିବାକୁ । ସଫା କରି ସାରି ଘରକୁ ଯିବା ସମୟରେ ତା ଅଜାଣତରେ ମୁଦି ଗୋଟିଏ ‌କୂଅ ପାଖରେ ପଡ଼ିଯାଇଛି । ସେ ଗହଣାଗାଣ୍ଠି ସବୁ ‌ନେଇ ଶାଶୂଙ୍କୁ ଦେଲା । ରମାଦେବୀ ବାକ୍ସରେ ଗହଣା ରଖିବା ବେଳେ ଦେଖିଲେ ମୁଦି ନାହିଁ । ବୋହୂକୁ ଯାଇ‌ କହିଲେ ମୋ ମୁଦି କୋଉଠି ଲୁଚେଇଛୁ ବାହାର କରେ ; ନହେଲେ ତୋର ସାତପୁରୁଷ ଏବେ ମନେ ପକାଇଦେବି, କହି ଗର୍ଜନ ଛାଡ଼ିଲେ । ତେଣେ ପୁଅ ରାଜୀବ ଆସି ବଜାରୁ ପହଞ୍ଚିଗଲା । କ'ଣ ହେଇଚି? ପାଟି କାଇଁ କରୁଛୁ ବୋଉକୁ ପଚାରିବାରୁ; ରମାଦେବୀ କହିଲେ, ତୋ ଚୋରଣି ସ୍ତ୍ରୀ ମୋ ମୁଦିକୁ ଲୁଚେଇ ରଖିଛି, ମାନୁନାହିଁ । ସୁକାନ୍ତି ସ୍ୱାମୀଙ୍କୁ କହିଲେ, ନାଁ ମୁଁ ରଖିନି । ମାତ୍ର ରାଜୀବ କିଛି ନ ଶୁଣି ବୋଉ କଥାକୁ ସତ ମାନି ସୁକାନ୍ତି ଗାଲରେ ଦି' ଚାପୁଡ଼ା ପକାଇଲା ଓ ବିବାହ ବାର୍ଷିକୀରେ ସୁକାନ୍ତିକୁ ଦେଇଥିବା ମୁଦିଟି ତା' ହାତରୁ ଖୋଲି ନେଇ‌ ବୋଉକୁ ଦେଇଦେଲା । ସୁକାନ୍ତି କୋହ ସମ୍ବାଳି ନପାରି ରୋଷେଇ ଘରକୁ ଦୌଡି ପଳାଇଲା । ସେଠାରେ ଭୋ ଭୋ ହୋଇ କାନ୍ଦି ପକେଇଲା । ତେଣେ ଶାଶୂମାଆ ଯାଇ କହିଲେ ସେତିକି ସକେଇ ହ, ନେ ମାଛ ବେସର କରିବୁ । ଶିଳରେ ମସଲା ବାଟି ମାଟି ଚୂଲିରେ କରିବୁ, ତିଅଣ ସୁଆଦିଆ ହେବ । ସେ ଗ୍ରାଇଣ୍ଡର କି ଗ୍ୟାସ୍ ଚୂଲି ବ୍ୟବହାର କରିବୁନି । ସୁକାନ୍ତି ଲୁହ ପୋଛି ମାଛ ଧୋଇବାକୁ ଗଲା । ଧୋଇଲା ବେଳେ ଦେଖିଲା କୂଅ ପାଖରେ ପଥର ସନ୍ଧିରେ କ'ଣ ଗୋଟେ ଚକ୍ ଚକ୍ କରୁଛି । ପଥର ଉଠାଇ ଦେଖେ ତ ଶାଶୂଙ୍କ ମୁଦି । ସଙ୍ଗେ ସଙ୍ଗେ ଯାଇ ଶାଶୂଙ୍କୁ ଦେଇ କହିଲା, ବୋଉ ‌କୂଅ ପାଖରେ ସଫା କଲା ବେଳେ ହିଁ ମୁଦିଟା ପଡ଼ିଯାଇଥିଲା । ମାତ୍ର ଆପଣ ମୋତେ ଭୁଲ ବୁଝିଲେ । ଏହା ଶୁଣି ରମାଦେବୀ ବଡ ପାଟି କରି କହିଲେ,ଥାଉ ..ତୁ‌ ଛୋଟ ଲୋକ ଘରର ଝିଅ; ମିଛ କହନା, ମାଡ଼ ଖାଇଲା ପରେ ମୁଦି ଆଣି ଦେଉଛୁ କ'ଣ ନା ପଡ଼ିଯାଇଥିଲା । ସୁକାନ୍ତି ଚୁପଚାପ୍ ଯାଇ କାନ୍ଦି କାନ୍ଦି ମସଲା ବାଟି ଚୂଲିରେ ମାଛ ଭାଜିଲା । ମାଛ ଭାଜିଲା ବେଳେ ସେ ଭାବୁଥାଏ ତା' ହୃଦୟକୁ ସତେ ଯେମିତି କେହି ଗରମ ତେଲରେ ପକାଇ ଭାଜୁଛି । ତାର ମନେ ପଡିଗଲା ବିବାହ ଦିନ ଠାରୁ ‌ଆରମ୍ଭ କରି ଆଜି ଯାଏଁ ତା 'ସହ ହୋଇଆସିଥବା ଅନ୍ୟାୟ ଅତ୍ୟାଚାର କଥା । କିପରି ବିବାହର ମାତ୍ର ଦୁଇ ସପ୍ତାହ ପରେ ରମାଦେବୀ ତାକୁ ଅନେକ କଟୁ କଥା କହି‌ ଅପମାନିତ କରିଥିଲେ । ଗରିବ ଘରର ଝିଅ ହୋଇଥିବାରୁ ଏବଂ ଭଲ ଯାନିଯୌତୁକ ଆଣି ନଥିବାରୁ ପ୍ରତିଦିନ ପ୍ରତିକାମରେ ତାକୁ ହଇରାଣ କରିବା, ଖୁଣ୍ଟା ଦେବା ସହ ପୁଅ ଆଗରେ ମିଛ ସତ କହି ମାଡ଼ ଖୁଆଉଥିଲେ । ଏହି ସମୟରେ ପରୀ (ସୁକାନ୍ତି ଓ ରାଜୀବର ଝିଅ) ଆସି ସୁକାନ୍ତିକୁ କୁଣ୍ଢେଇ ପକେଇ କହିଲା, ମା' ଖାଇବାକୁ ଦେ ଭୋକ ଲାଗୁଛି । ସୁକାନ୍ତି ତା'ର ଭାବନାରୁ ଫେରି ଆସି ତରତର ହୋଇ ସୋରିଷବଟା ଦେଇ‌ ମସଲା ଜାରି ମାଛ ବେସର କଲା । ଝିଅକୁ କହିଲା ବାପା, ଜେଜେମାଆଙ୍କୁ ଡାକି ଆଣେ, ମୁଁ ବାଢିଦେଉଛି । ଖାଇବା ‌ବାଢିବା ସମୟରେ ‌ପୁଣି ତା ଆଖି ଆଗକୁ ‌ଭାସିଆସିଲା ପୂର୍ବ କଥାସବୁ । ଏହି ରୋଷେଇ ଘର ସୁକାନ୍ତିର ସବୁ ଦୁଃଖ ଦେଖିଛି, ଯନ୍ତ୍ରଣା ଅନୁଭବ କରିଛି । କିନ୍ତୁ ତା ଆଖିର ଲୁହ ‌ପୋଛିପାରିନି । ଗର୍ଭବତୀ ଥିବା ସମୟରେ କିପରି ରମାଦେବୀ ପ୍ରତିଦିନ ତିନିଚା ରିଟି ଆଇଟମର ବରାଦ କରୁଥିଲେ ଏବଂ ତାକୁ ଦୁଧ ଗ୍ଲାସଟେ ପିଇବାକୁ, କି ଖାଇବାକୁ ଭଲରେ ଦେଉନଥିଲେ । ଏପରିକି ଝିଅ ଜନ୍ମ ହେବାପରେ ମୁହଁ ମୋଡ଼ି ଚାଲି ଯାଇଥିଲେ ; ପୁଅ ହେଲାନି ବୋଲି । ଏହି ସମୟରେ ରାଜୀବ ଡାକ ପକାଇଲା ଖାଇବା ଆଣୁଛ ନା ନାହିଁ । ସୁକାନ୍ତି ସାଙ୍ଗେ ସାଙ୍ଗେ ଲୁହ ପୋଛି ଖାଇବାକୁ ନେଇ ଦେଲା । ରମାଦେବୀ ଆନନ୍ଦରେ ଖାଇଲେ । ତାପରେ ପୁଅକୁ କହିଲେ, ବୋହୂଟା ଭୁଲ କରେ ସତ; କିନ୍ତୁ ରୋଷେଇରେ ତାକୁ କେହି ପାରିବେନି । ଯେତେ ଯାହା ହେଇଯାଉ କିନ୍ତୁ ରମା ଦେବୀ କେବେ ହେଲେ ସୁକାନ୍ତି ରୋଷେଇ ‌କରିଥିବା ଖାଦ୍ୟର ନିନ୍ଦା କରୁନଥିଲେ । ସେ ଭାରି ସୁକୁମାରୀ ଓ ପାଟିସୁଆଦିଆ ଖାଇବା ଲୋକ । ଆଉ ସୁକାନ୍ତି ହାତରେ ‌ସତେ ଯେମିତି ମାଆ ଅନ୍ନପୂର୍ଣ୍ଣା ବାସ କରନ୍ତି, ତା ହାତରନ୍ଧା ଅତ୍ୟନ୍ତ ‌ସ୍ଵାଦିଷ୍ଟ । ଏହି ସମୟରେ କେହି ଜଣେ ଆସି ଦାଣ୍ଡ କବାଟ ବାଡେଇଲା । ସୁକାନ୍ତି ଯାଇ କବାଟ ଖୋଲିଲା । ଦୁଇଜଣ ପଡୋଶୀ ସ୍ତ୍ରୀ ଲୋକ ବ୍ଲାଉଜ ସିଲେଇ କରିବାକୁ ଆସିଥାନ୍ତି । ସୁକାନ୍ତିକୁ କପଡା ଓ ମାପ ଦେଇ ଚାଲିଗଲେ । ପୁଣି ସୁକାନ୍ତି କିଛି ସମୟ ସେଠି ବସିପଡି ପଛକଥା ସବୁ ମନେପକାଇଲା । ସ୍ୱାମୀଙ୍କ ବ୍ୟବସାୟରେ ବହୁତ କ୍ଷତି ହେବାରୁ ସେ ଆସି ଘରେ ବସିଲେ । ଘର ଚଳାଇବାକୁ ପଇସାଟିଏ ନଥିଲା । ଝିଅକୁ ପଢ଼ାଇବା ପାଇଁ ଅର୍ଥ ନଥିଲା । ଶ୍ଵଶୁର ଯିବା ପରେ ଶାଶୂଙ୍କୁ ପେନସନ ପଇସା ମିଳୁଥିଲା । କିନ୍ତୁ ସେ ସବୁ ପଇସା ବ୍ୟାଙ୍କରେ ରଖୁଥିଲେ । ଅସୁବିଧା ସମୟରେ ମଧ୍ୟ କିଛି ଅର୍ଥ ସାହାଯ୍ୟ କରୁନଥିଲେ । ତେଣୁ ସୁକାନ୍ତିକୁ ଶେଷରେ ସିଲେଇ କରି ଘର ଚଳାଇବାକୁ ପଡିଥିଲା । ସିଲେଇ ଶିଖିବାରେ ଓ କରିବାରେ ମଧ୍ୟ ରମାଦେବୀ ଅନେକ ବାଧା ଦେଇଥିଲେ । ଲୋକ ଆସିଲେ ସିଲେଇ ପାଇଁ ତାଙ୍କୁ ବାହାରୁ ଫେରେଇ ଦେଉଥିଲେ । ଏପରିକି ନିଜ ଘରେ ସିଲେଇ ମେସିନ ଥାଉ ଥାଉ ସେ ଅନ୍ୟକୁ ବିକ୍ରି କରି ଦେଇଥିଲେ । ଶେଷରେ ସୁକାନ୍ତି କର୍ଜ କରି ସିଲେଇ ମେସିନ କିଣିଥିଲା । ...... ଏହି ସମୟରେ ଶାଶୂ ଡାକ ପକାଇଲେ, କିଲୋ !!ସେଇଠି ବସିଥିବୁ ନା ମୋତେ ଆଉ ଖଣ୍ଡେ ମାଛ ଦେବୁ । ସୁକାନ୍ତି ଆସି କହିଲା, 'ବୋଉ, ଆଉ ମାଛ ନାହିଁ । ' ରମାଦେବୀ କହିଲେ, 'ମୁଁ ତ ଗଣିଥିଲି ଆଠ ଖଣ୍ଡ ମାଛ ଥିଲା,ଆଉ ଖଣ୍ଡେ ବଳିବା କଥା ..ଗଲା କୁଆଡେ?' ସୁକାନ୍ତି କହିଲା,'ମୁଁ ରାନ୍ଧିଲା ବେଳେ ସାହୁ ମଉସା ଦେଖି ପଚାରୁଥିଲେ । ' ତାଙ୍କ ଗିନା ଥିଲା,ପିଠା ଦେଇଥିଲେ ; ତେଣୁ ମୁଁ ମାଛ ଖଣ୍ଡେ ନେଇ ତାଙ୍କୁ ଦେଇଦେଲି । ଏହା ଶୁଣି ଶାଶୂ ପୁଅକୁ କହିଲେ,'ଦେଖିଲୁ ତ କେତେ ସାହସ ତା'ର, ମୋତେ ନ ପଚାରି ଗାଆଁଯାକକୁ ଖାଇବାକୁ ଦେଉଛି । 'ଏହା ଶୁଣି ରାଜୀବ ମାରିବାକୁ ହାତ ଉଠାଇଲା । ମାତ୍ର ;ରମାଦେବୀ ରୋକିଦେଲେ ଓ କହିଲେ ମୁଁ ତାକୁ ବୁଦ୍ଧି ଶିଖେଇବି । ତାପରେ ସୁକାନ୍ତିର ବାପାଙ୍କୁ ଫୋନ୍ କରି ତାଙ୍କ ଝିଅର ଦୋଷ ସବୁ କହିଲେ..ମୁଦିଠୁ ଆରମ୍ଭ କରି ମାଛ କଥା .. ଆହୁରି ଅନେକ । ଏହା ସୁକାନ୍ତିକୁ ଖୁବ୍ ବାଧିଲା । ସେ କାନ୍ଦି କାନ୍ଦି ହାଣ୍ଡିଶାଳକୁ ଦୌଡି ପଳାଇଲା ଓ ଅନେକ ସମୟ ଧରି ସେଠାରେ ବସି ନିଜକୁ ଧିକ୍କାରିଲା । ଏମିତି ଖରାବେଳଟା ଗଡିଗଲା । ପରୀ ଆସି କହିଲା,'ମା,ଜେଜେମା କହିଲେ ..ପକୁଡ଼ି ଛାଣିଲେ ..ସେ ଖାଇବେ । ' ସୁକାନ୍ତି ଯାଇ ଚୂଲିରୁ ପାଉଁଶ କାଢ଼ିଲା । ( କଥାରେ ଅଛି- ଶାଶୂ ମାରୁଥାଏ ବୋହୂକୁ, ବୋହୂ ସବାଖାଇ କାହାକୁ ମାରିବ ମାରୁଥାଏ ଚୂଲି ମୁଣ୍ଡକୁ । )



Rate this content
Log in