Sasmita Das

Others

4.4  

Sasmita Das

Others

ମୋ କାର୍ଯ୍ୟାଳୟରେ ଦିନେ

ମୋ କାର୍ଯ୍ୟାଳୟରେ ଦିନେ

2 mins
343


ପ୍ରତିଦିନ ଭଳି ମୁଁ ମୋ ଦୈନନ୍ଦିନ କାର୍ଯ୍ୟ ସଂପୂର୍ଣ୍ଣ କରି ଶୀଘ୍ର ବାହାରି ପଡ଼ିଲି ମୋ କାର୍ଯ୍ୟସ୍ଥଳୀକୁ। ମୁଁ ଜଣେ ସରକାରୀ କର୍ମଚାରୀ ଏବଂ ଡାକ ବିଭାଗରେ କାର୍ଯ୍ୟରତ।ମୋର ଅଫିସରେ ପହଂଚିବା ପରେ ପ୍ରଥମ କାମ ଥାଏ, ଡେଟ୍ ଷ୍ଟାମ୍ପ ବଦଳାଇବା। ମୁଁ ମୋ କାମ କରୁଥାଏ।ଆମ ସବ୍ ପୋଷ୍ଟ ଅଫିସରେ ଲିଙ୍କ୍ ବେଲ୍ ଥିବାରୁ ସାର୍(ସବ୍ ପୋଷ୍ଟ ମାଷ୍ଟର) ଯାଇଥାନ୍ତି ନିକଟସ୍ଥ ସବ୍ପୋ ପୋଷ୍ଟ ଅଫିସକୁ କିଛି ଆକାଉଣ୍ଟସ କାମ କରିବାକୁ।


  ଏହିିସମୟରେ ଜଣେ ବୟସ୍କା ମହିଳା ଆସିଲେ।ସେ ନିଜ ସ୍ବାମୀଙ୍କ ପେନସନ ପଇସା ନେବାକୁ ଆସିଥାନ୍ତି। ସାର୍ ନଥିବାରୁ ମୁଁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲି। ମୁଁ ପୂର୍ବ ଦିନର ରହିଯାଇଥିବା କାମଗୁଡିକ କରୁଥାଏ।ସେ ମୋ ସହ କଥା ହେଉଥାନ୍ତି ଏବଂ ମୋ ବିଷୟରେ ପଚାରୁଥାନ୍ତି ହଠାତ୍ ସେ କଇଁ କଇଁ ହୋଇ କାନ୍ଦି ପକେଇଲେ। ମୁଁ ତାଙ୍କୁ ଆଶ୍ବସ୍ତ କରାଇ ପଚାରିବାରୁ କହିଲେ,"ମୋ ପୁଅମାନେ ଥିଲେ ମଧ୍ୟ ଆଜି ତୋରି ବୟସର ହୋଇଥାନ୍ତେ, କାମ କରି ମୋତେ ଖାଇବାକୁ ଗଣ୍ଡେ ଦେଇଥାନ୍ତେ। ସେଥିରେ ମୋ ଆତ୍ମା ଶାନ୍ତି ହୋଇଯାଇଥାନ୍ତା। ବିଧାତା ମୋର ଭାଗ୍ୟରେ ସମସ୍ତ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଲେଖିଦେଇଯାଇଛି। ତାଳଗଛ ଭଳିଆ ମୋ ଯବାନ ପୁଅମାନଙ୍କୁ ମୋ ଠାରୁ ଛଡେଇନେଲା। ତାଙ୍କ ଜୀବନ ବଦଳରେ ମୋତେ ଆଜି ଟଙ୍କା ମିଳୁଛି। ଏ ଟଙ୍କା ନେଇ ମୁଁ କରିବି କ'ଣ? ମୁଁ କଣ କହିବି କିଛି ଜାଣିପାରୁନଥିଲି। ତାଙ୍କ କାନ୍ଦ ଦେଖି ମୁଁ ମଧ୍ୟ ସହିପାରୁନଥିଲି।


ମୁଁ କୌଣସିମତେ ନିଜକୁ ସମ୍ଭାଳି ତାଙ୍କୁ ଚୁପ୍ କରାଇଲି। ତା'ପରେ ସେ ନିଜ ଦୁଃଖ ରେ କାହାଣୀ ମୋତେ କହିଲେ।ତାଙ୍କ ସ୍ବାମୀ ମଧ୍ୟ ଡାକ ବିଭାଗରେ କାର୍ଯ୍ୟରତ ଥିଲେ।ଟ୍ରାନସ୍ଫର ଯୋଗୁଁ କେବେହେଲେ ତାଙ୍କ ସ୍ବାମୀ ତାଙ୍କ ପାଖରେ ରହିପାରୁନଥିଲେ। ତେଣୁ ପିଲାମାନଙ୍କୁ ଧରି ସେ ଗାଁ ରେ ଏକୁଟିଆ ରହୁଥିଲେ। ତାଙ୍କୁ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ପାଳିପୋଷି ବଡ଼ କରାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ସେ ନିଜେ ଏକୁଟିଆ ତୁଲାଇଥିଲେ। ତାଙ୍କ ସ୍ବାମୀ ତ କେବଳ ଚଳିବା ପାଇଁ ପଇସା ପଠାଇଦେଉଥିଲେ।ହେଲେ ସେ ବାପା ମାଆ ଉଭୟଙ୍କ ଭୂମିକା ନିଭାଇଥିଲେ ତାଙ୍କ ପିଲାଙ୍କୁ ମଣିଷ କରିବାରେ। ସ୍ତ୍ରୀ ସୁଖ ଟିକିଏ କେବେହେଲେ ପାଇନାହାଁନ୍ତି ସେ। ଭାବିଥିଲେ ପୁଅମାନେ ବଡ଼ ହୋଇ ଚାକିରି ବାକିରି କରିବେ।ବାହାସାହା ହେବେ ଏବଂ ଘର ଚଳାଇବେ। ସ୍ବାମୀଙ୍କ ଅବସର ପରେ ସେ ଘରର ସମସ୍ତ ଦାୟିତ୍ବ ତଥା ବନ୍ଧନ ମୁକ୍ତ ହୋଇ ମୂଲ୍ୟବାନ ସମୟ ଅତିବାହିତ କରିବେ। କିନ୍ତୁ କାହିଁକି କେଜାଣି ବିଧାତା ଙ୍କ କୋପଦୃଷ୍ଟି ଯେମିତି ତାଙ୍କ ଉପରେ ହିଁ କେବଳ ରହିଥିଲା। ଅବସର ନେବାର କିଛି ମାସ ପୂର୍ବରୁ ହିଁ ସେ କୈାଣସି ଏକ ସାଙ୍ଘାତିକ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ। ବାପାଙ୍କ ଦଶାହ ଦିନ ହିଁ ବଡ଼ପୁଅ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଲା। ସାନପୁଅ ଜଣ୍ଡିସ ରେ ପଡ଼ି ତିନିମାସ କଷ୍ଟ ଭୋଗିବା ପରେ ଆଖି ବୁଜିଦେଲା। କେମିତି ବା ସହିବ ଗୋଟିଏ ମାଆର ହୃଦୟ, ଗୋଟିଏ ସ୍ତ୍ରୀର ହୃଦୟ। ଦେଖୁଦେଖୁ ତିନିମାସ ଭିତରେ ସେ ବିଧବା ହୋଇଗଲା, ସନ୍ତାନ ଛେଉଣ୍ଡ ହୋଇଗଲା। ଏବେ କେବଳ ସେ ଏ ଦୁନିଆରେ ଏକା ରହିଗଲେ।ତାଙ୍କ ଆଖିର ସ୍ବପ୍ନ ହଜିଗଲା। ମୁହଁ ରୁ ହସ ଲିଭି ଗଲା।ତାଙ୍କ ସହ ଗାଁ ଲୋକ ମିଶିବା ଛାଡିଦେଲେ। ସ୍ବାମୀ ଖାଇ , ସନ୍ତାନ ଖାଇ ବୋଲି ନାଁ ରହିଗଲା ତାଙ୍କର।


ମୁଁ ଏସବୁ ଶୁଣି କେବଳ ଭାବୁଥିଲି, "ବିଧାତା କ'ଣ ସତରେ ଏତେ ନିଷ୍ଠୁର!'ବୋଝ ଉପରେ ନଳିତା ବିଡା ପରି ' ସେ ମାଉସୀଙ୍କୁ ଦୁଃଖ ଉପରେ ଦୁଃଖ ଦେଇଚାଲିଲଛି!


Rate this content
Log in