ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଶିଖା ସେତେବେଳେ ଶାଶୂଘର ର ନୂଆ ବୋହୂ। ବାହାଘର କୁ ମାସଟିଏ ମଧ୍ୟ ପୁରି ନଥିଲା। ତା'ର ସ୍ବାମୀ ସମୀର ବାଙ୍ଗାଲୋରରେ କାମ କରନ୍ତି। ତେଣୁ ବିବାହର ପରେ ପନ୍ଦର ଦିନ ରହି ପୁଣି କାର୍ଯ୍ୟସ୍ଥଳକୁ ଫେରିଯାଇଥିଲେ।ସେ ସାଙ୍ଗରେ ଶିଖାକୁ ନେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମାଆ ମନା କରି କହିଥିଲେ ,"ନୂଆ ବୋହୂ କୁ ତୋ ସାଙ୍ଗ ରେ ନେଇଗଲେ ଗାଁ ଲୋକ କ'ଣ କହିବେ?ବୋହୂ ଶାଶୂଘରେ ନ ରହି ସଙ୍ଗେସଙ୍ଗେ ସ୍ଵାମୀ ସହ ଚାଲିଗଲା!"ତେଣୁ ସମୀର ଶିଖାକୁ ମାଆଙ୍କ ପାଖରେ ଛାଡି ଦେଇଯାଇଥିଲା। କିଛିଦିନ ଭଲରେ କଟିଗଲା। ସେତେବେଳେ ସମୀର ଙ୍କର ମାଟିଘର ଥାଏ ।ଦିନେ ରାତିରେ ଶିଖା ଶୋଇଛି। ହଠାତ୍ ଘର ଚାଳ ଉପରେ କିଏ ଜୋରରେ କୁଦିବା ଆରମ୍ଭ କରିଦେଲା।ଆଉ ସେ ଶବ୍ଦରେ ଶିଖାର ନିଦ ଭାଙ୍ଗିଗଲା। ଏମିତି ହୁମଦୁମ କରି ଡେଉଁଥାଏ କିଏ,
ସତେ ଯେମିତି ଘରର ଚାଳ ଖସିପଡିବ ମନେ ହେଉଥାଏ।ସେ ଡରରେ ଥରିବା ଆରମ୍ଭ କରିଦେଲା। ତାପରେ ଶାଶୂଙ୍କୁ ଯାଇ ଡାକିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଶାଶୂଙ୍କ ଶୋଇବା କୋଠରୀରେ ଟିକେ ବି ଶବ୍ଦ ଶୁଣାଯାଉନଥାଏ।ସେ ଆରାମରେ ଶୋଇଥାନ୍ତି। ଶିଖା ଡାକରେ ସେ ଉଠି କରି ଦେଖିଲେ ସମୟ ଘଣ୍ଟା ରେ ୨ ଟା। ଶାଶୂ ପଚାରିଲେ ,"କଣ ହୋଇଛି ,ତୁ ଏମିତି ଥରୁଛୁ କ'ଣ ପାଇଁ? "ଶିଖା ଥରିଥରି କହିଲା,"ମାଆ ମୋ ଶୋଇବା କୋଠରୀକୁ ଚାଲନ୍ତୁ ପ୍ରଥମେ ତାପରେ ଜାଣିପାରିବେ।" ଶାଶୂ ବୋହୂ ଦୁହେଁ ମିଶି କରି ଯାଇ ଦେଖିଲେ, ଏବେବି ସେମିତି ଚାଳ ଉପରେ କିଏ ଡେଉଁ ଥାଏ।ପୁଣି ପଥର ଗୋଡ଼ି ସବୁ ତଳକୁ ଫୋପାଡୁଥାଏ। ଭୟରେ ଦୁହିଁଙ୍କ ଛାତି ଥରିଉଠିଲା। ସେମାନେ ଆରକୋଠରୀକୁ( ଶାଶୂଙ୍କ) ଦୌଡ଼ି ପଳାଇଥିଲେ।
ଶାଶୂଙ୍କର କୋଠରୀକୁ ଲାଗି ହାଣ୍ଡିଶାଳ ଥାଏ। ମାଟି ଚୁଲିରେ ରୋଷେଇ ହେଉଥିବା ରୁ ଶିଖାର ଶାଶୂ ବାଡିରୁ ଜାଳଗୋଟେଇ କରି ଆଣି ରଖିଥାନ୍ତି। କିଛି ସମୟପରେ କିଏ ସେ ଜାଳକୁ କଡମଡ କରି ଭାଙ୍ଗିବା ଆରମ୍ଭ କରିଦେଲା। ଶାଶୂ ବୋହୂ ଦୁହେଁ ଡରି ଛାନିଆ ହୋଇଗଲେ। ଆଉ ରାତିସାରା ଶୋଇପାରିଲେ ନାହିଁ, ସେମିତି ଦୁଇ ଜଣ ବସିଥାନ୍ତି।ରାତି ପାହିଲା ବେଳକୁ ସେ ଶବ୍ଦ ଆଉ ଶୁଭିଲା ନାହିଁ।ସକାଳ ହେବାରୁ ଶାଶୂ ବୋହୂ ବାହାରକୁ ଆସି ଦେଖିଲେ,ଜାଳ ସେମିତି ରଖାହୋଇଛି। କୋଉଠି ବି ଗୋଟେ ପଥର କି ଗୋଡ଼ି ପଡିନି। ଶିଖାର ଶାଶୂ ଘର ଆଖପାଖ ଲୋକଙ୍କୁ କହିବାରୁ, ସେମାନେ କହିଲେ ଉତ୍ପାତିଆ ବିଲେଇ କି କଟାସଗୁଡାକ ଚାଳ ଉପରେ ଚଢ଼ି ଡିଆଁ ଡେଇଁ କରୁଥିବେ।ତମେ ଦିହେଁ ଅଯଥାରେ ଡରୁଛ।
ଏମିତି ଦୁଇମାସ ବିତିଗଲା।ତା ଭିତରେ ଆଉ କେବେ ସେମିତି ହେବାର ଶିଖା କି ତା ଶାଶୂ ଦେଖିନାହାନ୍ତି। ଦୁଇ ମାସ ପରେ ସମୀର ଗାଁ କୁ ମାସେ ପାଇଁ ଛୁଟି ନେଇକରି ଆସିଥାଏ। ମାଟି ଘରକୁ ଭାଙ୍ଗି କୋଠାଘର ତିଆରି କରିବାର ଯୋଜନା ଥାଏ ତା'ର। ତେଣୁ ସମୀର ପ୍ରଥମେ ବଖରାଏ ଘର କରି ସେଥିରେ ଆଜବେଷ୍ଟସ ପକାଇ ଦେଲା। ଘରର ସବୁ ଜିନିଷ ପତ୍ର ସେଠାକୁ ନେଇଗଲା । ତାପରେ ଲୋକ ଲଗାଇ ମାଟିଘର ଭାଙ୍ଗି କୋଠାଘର ତିଆରି କାମ ଆରମ୍ଭ କରିଦେଇଥିଲା।ପୁଅ ଆସିବା ପରେ ଶିଖାର ଶାଶୂ ତାଙ୍କ ଝିଅ ( ଶିଖାର ନଣନ୍ଦ ) ଘରକୁ ବୁଲିବାକୁ ଯାଇଥିଲେ ପନ୍ଦର ଦିନ ପାଇଁ।
ଦିନେ ରାତିରେ ସମୀର ଓ ଶିଖା ଶୋଇଥାନ୍ତି। ଅର୍ଦ୍ଧ ରାତିରେ ସମୀରର ତଣ୍ଟି କୁ କିଏ ଚିପି ଧରିଲା। ସମୀର ପାଟି କରିବାକୁ ଚେଷ୍ଟା କରୁଥାଏ , କିନ୍ତୁ କରିପାରୁନଥାଏ। ହାତ ଗୋଡ ଛାଟିବାରୁ ଶିଖାର ନିଦ ଭାଙ୍ଗିଗଲା।ସେ ଉଠି ଦେଖିଲା ସମୀରର ମୁଣ୍ଡ ପାଖରେ ବସି କେହିଜଣେ ତାର ଗଳାକୁ ଚିପିଧରିଛି। ଶିଖା ସଙ୍ଗେ ସଙ୍ଗେ ବତୀ ଜଳାଇ ଦେଖିଲା ବେଳକୁ ସେ ଲୋକ କୁଆଡେ ଉଭେଇ ଯାଇଥିଲା। ସମୀର ଗୋଟାପଣେ ଝାଳରେ ବୁଡି ଯାଇଥିଲା। ଶିଖା ପଙ୍ଖା କରି ଓ ପାଣି ପିଆଇ ତାକୁ ଆଶ୍ଵସ୍ତ କଲା।ସେହି ରାତିଟା ସେମାନେ ଶୋଇପାରିଲେନି। ସେମାନଙ୍କର ବିଶ୍ବାସ ହୋଇଯାଇଥିଲା, ସେ ଘରେ କିଛି ତ ଅଛି। ତେଣୁ ସେମାନେ ସକାଳ ହେବାମାତ୍ରେ ଯାଇ ଏକ ଗୁଣିଆ ସହ ପରାମର୍ଶ କରିଥିଲେ।ଗୁଣିଆ ସେମାନଙ୍କୁ ମନ୍ତୁରା ପାଣି ଓ ତାବିଜ ପିନ୍ଧିବାକୁ ଦେଲା। କିନ୍ତୁ ଚାରି ପାଞ୍ଚ ଦିନ ଯାଇଛି କି ନାହିଁ, ପୁଣି ଆଗଭଳି ଛାତ ଉପରେ ଡିଆଁ ଡେଇଁ , ପଥର ଫିଙ୍ଗିବା ଆଦି ଆରମ୍ଭ ହୋଇଗଲା। ଏମିତି କି ଦିନେ ରାତି ବାରଟା ମାତ୍ର ହୋଇଛି,ଟିଭି ଦେଖୁଦେଖୁ ଶିଖା ଓ ସମୀର ଦୁହିଁଙ୍କ ଆଖି ଲାଗିଯାଇଛି।ଶିଖାର ନିଦ ଭାଙ୍ଗିବାରୁ ସେ ଦେଖିଲା ଟିଭି ଚାଲୁଛି। ତେଣୁ ସେ ଉଠିକରି ସ୍ବିଚ ବନ୍ଦ କରିବାକୁ ଗଲା।ଆଉ ପଛକୁ ବୁଲି ଦେଖେ ତ କବାଟ ପାଖରେ କାନ୍ଥକୁ ଆଉଜି ସମୀର ତଳେ ବସିଛି।ସେ ପଚାରିଲା ,"ସେଠି କାହିଁକି ବସିଛ?ଶୋଇବା ଆସ। "ତାପରେ ଯେତେବେଳେ ସେ ଖଟ ଉପରକୁ ଗଲା, ସମୀର ଶୋଇଥିବାର ଦେଖି ଚିତ୍କାର କଲା।ସମୀର ଉଠିଲା ବେଳକୁ ଶିଖା ଏତେ ଡରି ଯାଇଥାଏ ,ତା ପାଟିରୁ କଥା ବାହାରୁ ନଥାଏ।
ତାପରଦିନ ସେମାନେ ସେହି ଗୁଣିଆକୁ ଘରକୁ ଡାକିଥିଲେ। ଗୁଣିଆ ତା'ର ଅନୁସନ୍ଧାନରୁ ଜାଣିଲା, ସମୀରର ବଡ଼ଭାଇ ଯିଏ କି କୌଣସି ଏକ ରୋଗରେ ମାତ୍ର ଚବିଶି ବର୍ଷ ରେ ମୃତ୍ୟୁବରଣ କରିଥିଲେ ଏବଂ ଅବିବାହିତା ମଧ୍ୟ ଥିଲେ,ତାଙ୍କର କିଛି ଇଚ୍ଛା ମୃତ୍ୟୁ ପୂର୍ବରୁ ବାକି ରହିଯାଇଥିଲା। ଘରକୁ ବୋହୂ ଆସିବାପରେ, ସେ ତେଣୁ ଉତ୍ପାତ କରିବା ଆରମ୍ଭ କରିଦେଇଥିଲେ।ଗୃହଶାନ୍ତି ପାଇଁ ଗୁଣିଆ ତାଙ୍କୁ ଏକ ପୂଜା କରିବାକୁ କହିଲେ ଏବଂ କିଛି ଝୁଣା ଦେଇ କହିଥିଲେ , ସନ୍ଧ୍ୟା ସମୟରେ ଏହି ଝୁଣାଧୁଆଁ ଘର ଭିତରେ ଏବଂ ଚାରିପଟେ ବୁଲାଇ ଆଣିବ।
ସମୀର ଓ ଶିଖା ସେହି ଅନୁସାରେ ଘରେ ଗୃହଶାନ୍ତି ନିମନ୍ତେ ପୂଜାର୍ଚ୍ଚନା କରାଇଲେ। ସନ୍ଧ୍ୟାରେ ଦୀପଧୂପ ଦେଇସାରି ଶିଖା ଝୁଣାଧୁଆଁ ଘର ଭିତରେ ଏବଂ ବାହାରେ ଚାରିପାଖରେ ବୁଲାଇ ଆଣି ଠାକୁରଙ୍କୁ ମୁଣ୍ଡିଆ ମାରିଲା। ସେ ମୁଣ୍ଡିଆ ମାରି ଯେମିତି ଆଖି ଖୋଲିଛି,ତା ସାମ୍ନାରେ ମାତ୍ର ହାତେ ଦୂରରେ ସେହି ଅତୃପ୍ତ ଆତ୍ମା ବସି ତାକୁ ହିଁ ଚାହିଁ ରହିଥିଲା..... ଆଜି ବି ମନେ ପଡିଲେ ଶିଖାର ଦେହ ଶୀତେଇ ଉଠେ।

