ମୋ ବାପା ମୋ ଦୁନିଆ
ମୋ ବାପା ମୋ ଦୁନିଆ
ମୋ ବାପା, ନାଁ ଟି ତାଙ୍କର ନାନକ କୁମାର ଦାସ। ନାଁ ଟି ଶୁଣିବା ମାତ୍ରେ ଏବଂ ତାଙ୍କର ସ୍ପଷ୍ଟ ହିନ୍ଦୀ କଥାବାର୍ତ୍ତା କୁ ଶୁଣି ସମସ୍ତେ ତାଙ୍କୁ ଅଣ ଓଡ଼ିଆ ଭାବିଥାନ୍ତି। କିନ୍ତୁ ମୋ ବାପା ହେଉଛନ୍ତି ଖାଣ୍ଟି ଓଡ଼ିଆ ପୁଅ। ତାଙ୍କର ଇଚ୍ଛା ଥିଲା ହିନ୍ଦୀ ଶିକ୍ଷକ ହେବାପାଇଁ। କିନ୍ତୁ ଘରର ଅଭାବ ଅନଟନ ତଥା ପରିସ୍ଥିତି ତାଙ୍କ ଇଚ୍ଛା ପୂରଣ କରିବାରେ ସହାୟକ ହୋଇନଥିଲା। ଖୁବ୍ କମ୍ ବୟସରୁ ସେ କାମ କରିବା ଆରମ୍ଭ କରିଥିଲେ।ଆଉ ଦିନରେ କାମ କରି ସେ ରାତିରେ ପଢୁଥିଲେ । ବାପାମାଆଙ୍କ ଡାକ୍ତର ଖର୍ଚ୍ଚ, ସାନଭାଇ ର ପାଠପଢ଼ା ଏବଂ ଘର ଚଳାଇବା ସବୁ ବୋଝ ଥିଲା ତାଙ୍କ ମୁଣ୍ଡ ଉପରେ। କିନ୍ତୁ ସେ କେବେ ହାର ମାନିନଥିଲେ।ସମସ୍ତ ପରିସ୍ଥିତି କୁ ବୀରତାର ସହ ସାମ୍ନା କରିଥିଲେ।ଜଣେ ଓଡ଼ିଆ ପୁଅ ଭାବରେ ଓଡ଼ିଆ ଘରର ପର୍ବପବାଣି, ଖାଦ୍ୟପେୟ,ଚାଲିଚଳନ, ରୀତିନୀତି, ସଂସ୍କୃତି ଏବଂ ପରମ୍ପରା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଏବଂ ଆଗ୍ରହ ରହିଛି।ଏପରି କୌଣସି ପର୍ବପର୍ବାଣୀ ନାହିଁ ଯାହାକୁ ମୋ ବାପା ରୀତିନୀତି ଅନୁସାରେ ପାଳନ କରିନଥିବେ।ଏପରି କୌଣସି ଓଡ଼ିଆ ଖାଦ୍ୟ ଏବଂ ମିଷ୍ଟାନ୍ନ ନାହିଁ ଯାହାକୁ ବାପା ତିଆରି କରିପାରିବେନି। ବାପାଙ୍କ ହାତର ଖିରି ଖାଇଲେ ପାଟିରୁ ଛାଡିବନି। ଜଣେ ଶାନ୍ତ,ସରଳ ଏବଂ ମିଷ୍ଟଭାଷୀ ମଣିଷ ମୋ ବାପା। କୌଣସି ପରିଚିତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ମୁଖରେ ହାଲୁକା ହସ ଫୁଟାଇ ହାତ ଯୋଡ଼ି ପ୍ରଣାମ କରିବାକୁ ସେ କେବେହେଲେ ଭୁଲନ୍ତି ନାହିଁ। ପରୋପକାର ତଥା ଅନ୍ୟର ଅସୁବିଧା ସମୟରେ ସାହାଯ୍ୟ କରିବାକୁ ସେ ସବୁବେଳେ ଆଗେଇ ଆସିଥାନ୍ତି।ସେ ଦାନଧର୍ମରେ ମଧ୍ୟ ବିଶ୍ଵାସ ରଖନ୍ତି। ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ନିଜ ନିଜର ବାପାଙ୍କ ପାଇଁ ସମ୍ମାନ ଏବଂ ପ୍ରେମ ଭାବ ରହିଥାଏ। କିନ୍ତୁ ଆମେ ତିନି ଭାଇଭାଉଣୀ ସମ୍ମାନ ଦେବା ଏବଂ ଭଲପାଇବା ସଙ୍ଗେସଙ୍ଗେ ବାପାଙ୍କୁ ନେଇ ସର୍ବଦା ଗର୍ବ କରିଥାଉ।
ମୁଁ ଯେତେବେଳେ ଛୋଟ ଥିଲି ବାପା ମୋତେ ପ୍ରତି ରବିବାର ଦିନ ସକାଳେ ବୁଲାଇବାକୁ ନେଉଥିଲେ।ଭୋର ପାଞ୍ଚଟାରେ ପ୍ରାୟ ଆମେ ବାହାରିଯାଉଥିଲୁ। ମୁଁ ବାପାଙ୍କ ସ୍କୁଟର ଆଗରେ ଛିଡା ହୋଇଯାଉଥିଲି ଏବଂ ବାପା ଗାଡ଼ି ଚଳାଉଥିଲେ।ରାସ୍ତାରେ ଯିବା ବେଳେ ବାପା ଓ ମୁଁ କେତେବେଳେ ଠାକୁରଙ୍କ ମନ୍ତ୍ର ଗାଉଥିଲୁ ତ କେତେବେଳେ ଭଜନ। କିନ୍ତୁ ବାପାଙ୍କ ଶିଖାଇଥିବା ସେହି ଗୀତଟି ମୋର ଆଜି ମଧ୍ୟ ପ୍ରିୟ ଅଟେ।ସେ ସର୍ବଦା ମୋତେ ଗାଇକରି ଶୁଣାଉଥଲେ ଏବଂ ମୁଁ ମଧ୍ୟ ତାଙ୍କ ସହ ମିଶି ଗାଉଥିଲି।ଗୀତଟି ହେଲା-
"ମୁର୍ଗା ବୋଲି କୁକଡୁ କୁଁ,
ଚିଡିଆ ବୋଲି ଚୁଁ.... ଚୁଁ ....ଚୁଁ...
ଭୋର ହୁଆ ଅବ ଜାଗୋ ତୁମ୍ ,
ଶିଖୋ ମହାପୁରୁଷ୍ କି ଚାଲ୍।"
ଗୀତଟିର ମହତ୍ତ୍ଵ ପିଲାବେଳେ ମୁଁ ବୁଝିପାରୁନଥିଲି । କିନ୍ତୁ ଗାଇବାରେ ମୋତେ ଆନନ୍ଦ ମିଳୁଥିଲା।ବଡ଼ ହେବାପରେ ସେହି ଗୀତର ମର୍ମ ବୁଝିଲି।ବାପା ସର୍ବଦା କୁହନ୍ତି ,"ରାତିରେ ଶୀଘ୍ର ଶୋଇବ ଏବଂ ସକାଳୁ ଶୀଘ୍ର ଉଠିବ। ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିଜ ନିତ୍ୟକର୍ମ ସାରିବା ଉଚିତ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ। ଏପରିକି ଭୋର୍ ସମୟରେ ଯାହା ଭି ପଢ଼ିଲେ,ତାହା ଭଲ ଭାବେ ମନେରୁହେ।" ମୁଁ ଏବଂ ମୋର ଭାଇ ଓ ଭଉଣୀ ବାପାଙ୍କ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲୁ ଏବଂ କରୁଅଛୁ ମଧ୍ୟ।ଆଜି ବି ମୋର ମନେ ଅଛି ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ,ଆମେ ଭାଇ ଭଉଣୀ ରାତି ଚାରିଟାରୁ ଉଠି ଯେତେବେଳେ ପଢିବାକୁ ବସୁ,ବାପା ମଧ୍ୟ ଉଠିଯାଆନ୍ତି ଏବଂ ସଙ୍ଗେସଙ୍ଗେ ଯାଇ କ୍ଷୀର ଗରମ କରି ଆଣି ଆମ ତିନି ଭାଇଭଉଣୀଙ୍କୁ ପିଇବାକୁ ଦେଇଥାନ୍ତି।ବାପା ଆମକୁ କେବେ ବହି ଧରି ପାଠ ପଢ଼ାଇ ନାହାନ୍ତି, କିନ୍ତୁ ଉଚିତ ସମୟରେ ଆମ ପାଖେ ପାଖେ ରହି ଆମକୁ ଆଗକୁ ବଢିବାର ରାସ୍ତା ଦେଖାଇଛନ୍ତି,ପ୍ରେରଣା ଦେଇଛନ୍ତି ଏବଂ ଠିକ୍ ଭୁଲ୍ ମଧ୍ୟରେ ପାର୍ଥକ୍ୟ ବୁଝାଇଛନ୍ତି।
ମୁଁ ଛୋଟବେଳେ ସ୍କୁଲ ଯିବା ସମୟରେ କିମ୍ବା ବାପାଙ୍କ ସହ ବୁଲିବାକୁ ଯିବା ସମୟରେ ବାପା ରାସ୍ତାରେ କଡରେ ଥିବା ହୋର୍ଡିଂ ବୋର୍ଡ ବା ଆଡଭର୍ଟାଇଜିଂ ବୋର୍ଡରେ ଯାହା ଲେଖାହୋଇଥାଏ ତାହା ପଢିବାକୁ ମୋତେ କହିଥାନ୍ତି। ମୁଁ ସେତେବେଳେ ପଢିକରି କୁହେ କିନ୍ତୁ ମନେମନେ ବିରକ୍ତ ହୁଏ।ପରେ ଜାଣିଲି ତାହା ହିଁ ମୋର ଭୋକାବୁଲାରି ପାୱାର ଅର୍ଥାତ୍ ଶବ୍ଦ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଏହାଛଡା ମୋର ସାଧାରଣ ଜ୍ଞାନ ମଧ୍ୟ ବୃଦ୍ଧି ହୋଇଥିଲା।ସତରେ ଛୋଟ ଛୋଟ ଜିନିଷ ରୁ ସେ ଅନେକ କିଛି ଶିଖାଇ ଦେଉଥିଲେ।ବାପା ଆମକୁ ସବୁବେଳେ ବୁଝାଇଥାନ୍ତି, "ପରିଶ୍ରମ କରିଚାଲ,ଫଳ ପାଇଁ କେବେ ଆଶା କରନାହିଁ।ଦେଖିବ ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିବ।" ଏପରିକି ସ୍କୁଲରେ ପଢ଼ିବା ସମୟରେ ଯେତେବେଳେ ପରୀକ୍ଷା ହୁଏ ସେହି ସମୟରେ ବାପା ଆମକୁ ସର୍ବଦା କହୁଥିଲେ "ଗୋଟିଏ ଛୋଟ କାଗଜରେ କିଏ କେତେ ପ୍ରତିଶତ ନମ୍ବର ରଖିବ ଲେଖିଦିଅ ଏବଂ ଭଗବାନ ଙ୍କୁ ସ୍ମରଣ କରି ସେହି କାଗଜ କୁ ଠାକୁରଙ୍କ ପାଖରେ ରଖିଦିଅ ,ଦେଖିବ ଠାକୁରଙ୍କ କୃପାରୁ ସେତିକି ପ୍ରତିଶତ ନମ୍ବର ତୁମର ନିଶ୍ଚୟ ଆସିବ।" ଆମେ ମଧ୍ୟ ବାପାଙ୍କ କଥା ମାନି ତାଙ୍କ କହିବା ଅନୁଯାୟୀ କରୁଥିଲୁ ଏବଂ ପରିଶ୍ରମ ମଧ୍ୟ କରୁଥିଲୁ।। ଯେଉଁଦିନ ପରୀକ୍ଷା ଫଳ ବାହାରୁଥିଲା ଆମେ ରିପୋର୍ଟ କାର୍ଡ ନେଇ ଆସିବା ପରେ ସେହି କାଗଜ କାଢି ଦେଖୁଥିଲୁ।ଆମେ ସେଥିରେ ଲେଖିଥିବା ନମ୍ବର ଠାରୁ ଅଧିକ ପ୍ରତିଶତ ନମ୍ବର ରଖୁଥିଲୁ। କହିବାକୁ ଗଲେ ଗୋଟିଏ ତୀରରେ ଅନେକ ଶିକାର କରିବା ପରି ଆମ ଅଜାଣତରେ ବାପା ଆମକୁ ଏକା ସହ ଅନେକ କଥା ଶିଖାଇ ଦେଉଥିଲେ। କଠିନ ପରିଶ୍ରମର ଫଳ କିପରି ମିଠା ହୋଇଥାଏ, ଈଶ୍ଵର ଭକ୍ତି ବା ଆଧ୍ୟାତ୍ମିକତା ଏବଂ ଲକ୍ଷ୍ୟ କିପରି ସ୍ଥିର କରାଯାଏ ଓ ହାସଲ ମଧ୍ୟ କରାଯାଏ।
ବାପା ଗୋମାତାଙ୍କ ଜଣେ ବଡ଼ ଭକ୍ତ ଅଟନ୍ତି। ସେ ସର୍ବଦା ନିଜକୁ ଗୋସେବକ କହିଥାନ୍ତି। ଅନେକ ରୋଗୀଣା ତଥା ଅବହେଳିତ ଗାଈ ଏବଂ ଷଣ୍ଢ ମାନଙ୍କୁ ସେ ବେଦବ୍ୟାସ ଗୋଶାଳାକୁ ସ୍ଥାନାନ୍ତରିତ କରିବା ସଙ୍ଗେସଙ୍ଗେ ତାଙ୍କର ରକ୍ଷଣାବେକ୍ଷଣ,ସେବଯତ୍ନ ତଥା ସେମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ଘର ଘର ବୁଲି ଅର୍ଥ ସଂଗ୍ରହ ମଧ୍ୟ କରିଛନ୍ତି।ନିଜେ ମଧ୍ୟ ଗୋମାତାଙ୍କ ସେବାପାଇଁ ସ୍ବହସ୍ତରେ ଅର୍ଥ ସାହାଯ୍ୟ କରିବାକୁ କେବେ ପଛଘୁଞ୍ଚା ଦେଇନାହାନ୍ତି। ବେଦବ୍ୟାସ ଗୋଶାଳା ତରଫରୁ ତାଙ୍କୁ 'ଗୋସେବକ ସମ୍ମାନ' ମଧ୍ୟ ଦିଆଯାଇଛି।ସେ କୁହନ୍ତି ଗୋମାତାଙ୍କ ଦେହରେ ତେତିଶ କୋଟି ଦେବାଦେବୀ ବିରାଜମାନ କରିଥାନ୍ତି। ତେଣୁ ତାଙ୍କର ସେବା ଯତ୍ନ କଲେ ଓ ତାଙ୍କୁ ପୂଜା କଲେ ସମସ୍ତ ଦେବାଦେବୀ ପୂଜା ପାଇଥାନ୍ତି। ଏପରିକି ଛୋଟ ବେଳୁ ସେ ଆମକୁ ଶିଖାଇ ଆସିଛନ୍ତି,ଘରେ ଯାହା ବି ରୋଷେଇ ହେଉ ପ୍ରଥମେ ଗୋମାତା ଖାଇବେ ତାପରେ ଯାଇ ଆମେ। ଏବେ ମଧ୍ୟ ସେହି ପରମ୍ପରା ପ୍ରଚଳିତ ଆମ ଘରେ।ସେ ଛୋଟ ବେଳେ ମୋତେ ଏକ ଗୀତ ଶିଖାଇଥିଲେ, ଯାହାକି ଆଜି ବି ମୋର ପ୍ରିୟ ହୋଇ ରହିଛି।
"ଛୋଟି ଛୋଟି ଗୟା ଛୋଟେ ଛୋଟେ ଗ୍ୱଆଲ୍,
ଛୋଟୋ ସୋ ମେରୋ ମଦନ ଗୋପାଲ୍।
ଆଗେ ଆଗେ ଗୟା ପିଛେ ପିଛେ ଗ୍ୱଆଲ୍,
ବିଚ ମେ ମେରୋ ମଦନ ଗୋପାଲ୍।"
ତାଙ୍କ ମତରେ ଗୋସେବା ଠାରୁ ମହତ ସେବା ନାହିଁ।ବାପା ଦିନରାତି ଏକ କରିଦିଅନ୍ତି ଗୋମାତାଙ୍କ ସେବା କରିବା ପାଇଁ।ରାତି ଦୁଇଟା ତିନିଟାରେ ମଧ୍ୟ ଯେତେବେଳେ ତାଙ୍କୁ ଫୋନ୍ ଆସେ ଗାଈଟିଏ ନାଳରେ ପଡ଼ିଯାଇଛି କିମ୍ବା କୌଣସି ରୋଗରେ ପୀଡିତ ଅଛି,ସେ ସଙ୍ଗେସଙ୍ଗେ ଧାଇଁ ଯାଆନ୍ତି ଗୋମାତାଙ୍କୁ ଉଦ୍ଧାର କରିବା ପାଇଁ।
ମୋ ବାପା ଜଣେ ଉତ୍ତମ ବନ୍ଧୁର ଭୂମିକା ଖୁବ୍ ସୁଚାରୁରୂପେ ନିଭାଇଥାନ୍ତି।ସୁଖରେ ହେଉ କି ଦୁଃଖରେ ସେ ସବୁବେଳେ ତାଙ୍କ ବନ୍ଧୁଙ୍କ ସହଯୋଗ କରିଥାନ୍ତି। ବାପା ଅତ୍ୟନ୍ତ ସାହସୀ ଅଟନ୍ତି।ସେ ଭୂତ ପ୍ରେତ ଆଦିଙ୍କୁ କେବେ ଭୟ କରନ୍ତିନି। ଏହାବ୍ୟତୀତ ସେ ସତ୍ୟବାଦୀ ଏବଂ ଜଣେ ସଚ୍ଚୋଟ ବ୍ୟକ୍ତି।ସେ କେବେ ମିଥ୍ୟା କୁହନ୍ତି ନାହିଁ କି ମିଥ୍ୟାର ଆଶ୍ରୟ ନିଅନ୍ତି ନାହିଁ।
ବାପା ଆମ ମନକୁ ଶାନ୍ତି ରଖିବା ନିମନ୍ତେ ଭଗବାନଙ୍କ ଆରାଧନା କରିବାକୁ କହିଥାନ୍ତି।ସେ କୁହନ୍ତି ,"ମନ ବିଚଳିତ ହେଲେ ସର୍ବଦା ଭଗବାନଙ୍କୁ ସ୍ମରଣ କର। ଗଣେଶ ମନ୍ତ୍ର, ସରସ୍ବତୀ ମନ୍ତ୍ର ଏବଂ ବଗଳାମୁଖୀ ମନ୍ତ୍ର ଜପ କର,ଦେଖିବ ସବୁ ଠିକ୍ ହୋଇଯିବ।" ଆମେ ତାଙ୍କ କଥା ମାନି ଜପ କରୁ ,ଆଉ ସତରେ ସବୁକିଛି ଠିକ ହୋଇଯାଏ।ମୋର ମନେଅଛି ମୋ ବଡଭଉଣୀ ବିଟେକ ପଢ଼ିବା ସମୟକଥା।ଯେଉଁଦିନ ସେମିଷ୍ଟର ରେଜଲ୍ଟ ବାହାରିବାର ଥାଏ,ସେ ବାପାଙ୍କୁ ଫୋନ କରି ବହୁତ କାନ୍ଦେ।ସେ କୁହେ ମୋତେ ଡର ଲାଗୁଛି ,ମୋ ରେଜଲ୍ଟ କ'ଣ ହୋଇଥିବ! ବାପା ତାକୁ କୁହନ୍ତି, "ପରୀକ୍ଷାରେ ତୁ ସବୁ ଲେଖିଛୁ ଯଦି ଡରିବାରେ କ'ଣ ଅଛି! କେବଳ ବଗଳାମୁଖୀ ମନ୍ତ୍ର ଜପ କରେ ଏବଂ ୧୦୮ ଥର 'ଓଁ ନମଃ ଶିବାୟ' ଜପ କରେ ,ଦେଖିବୁ ନିଶ୍ଚିତ ରୂପେ ତୋର ରେଜଲ୍ଟ ଭଲ ହେବ।"ଆଉ ଦିଦି ବାପାଙ୍କ କଥା ମାନି ତାହା ହିଁ କରିଥାଏ । ରେଜଲ୍ଟ ଆସିଲା ବେଳକୁ ସବୁବେଳେ ସେ ଭଲ କରିଥାଏ।
ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ରାଉରକେଲା କ୍ଲବ୍ ରେ ମୁକ୍ତ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥାଏ।ମୋ ବଡଭଉଣୀ ସେଥିରେ ଅଂଶଗ୍ରହଣ କରିଥାଏ। ବାପା ମୋତେ କହିଲେ ,"ତୁ ମଧ୍ୟ ଏଥିରେ ଭାଗ ନେ।" ମୁଁ ଆଗରୁ ବିଦ୍ୟାଳୟରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅନେକ ଥର ଭାଗ ନେଇଥିଲି। କିନ୍ତୁ ଏପରି ମୁକ୍ତ ବକ୍ତୃତା ପ୍ରତିଯୋଗିତା ରେ କେବେ ଭାଗ ନେଇନଥିଲି। ତେଣୁ ମୋତେ ବହୁତ ଡର ଲାଗୁଥାଏ। ସେଠାରେ ସବୁଠାରୁ ଛୋଟ ମୁଁ ହିଁ ଥାଏ।ଅନ୍ୟ ସମସ୍ତ ପ୍ରତିଯୋଗୀ ମୋଠାରୁ ବଡ଼ ଥାଆନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ୩୦,୪୦ ବର୍ଷ ର ବ୍ୟକ୍ତିମାନେ ମଧ୍ୟ ସେଥିରେ ଭାଗ ନେଇଥାନ୍ତି। ବାପା ମୋତେ ନିଜେ ସେହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରସ୍ତୁତ କରିଥିଲେ।ମୋର ସାହସ ଏବଂ ଉତ୍ସାହ ବଢାଇଥିଲେ। ମୁଁ ଯେତେବେଳେ ମଞ୍ଚରେ ଠିଆ ହୋଇ ବକ୍ତୃତା ଦେଇଥିଲି,ସମସ୍ତେ ଖୁସି ହୋଇଯାଇଥିଲେ ଏବଂ ମୋର ପ୍ରଶଂସା କରିଥିଲେ।ତାପର ଠାରୁ ମୁଁ କେବେ ପଛକୁ ବୁଲି ଚାହିଁ ନାହିଁ। ପ୍ରତ୍ୟେକ ବକ୍ତୃତା ପ୍ରତିଯୋଗିତାରେ ବାପା ମୋ ସହ ଥିଲେ ମୋର ସାହସ ଦ୍ଵିଗୁଣିତ ହୋଇଯାଇଥାଏ। ମୁଁ ନିର୍ଭୀକତା ର ସହ ବକ୍ତୃତା ଦେଇଥାଏ ଏବଂ ବିଜୟୀ ହୋଇ ଆସିଥାଏ।
ମୁଁ ଯେତେବେଳେ ନୂଆ କରି ସ୍କୁଟି ଚଲାଇବା ଶିଖିବାକୁ ଗଲି,ବାପା ମୋତେ କହିଥିଲେ" ମୁଁ ପଛରୁ ଗାଡ଼ି ଧରିଛି ତୁ ଭୟ ନକରି ଗାଡ଼ି ଷ୍ଟାର୍ଟ କରେ ଏବଂ ଚଲା।"ମୁଁ ଗାଡ଼ି ଷ୍ଟାର୍ଟ କରି ଚଳାଇଲି ଏବଂ ଗୋଟିଏ ରାଉଣ୍ଡ ମାରି ନିଜେ ଚାଲିଆସିଲି। ମୋତେ ଜଣାନଥିଲା ବାପା କେତେବେଳେ ଗାଡ଼ିରୁ ହାତ ଛାଡି ଦେଇଛନ୍ତି। ମୁଁ କେବଳ ବାପାଙ୍କ ଉପରେ ବିଶ୍ଵାସ କରି ଗାଡ଼ି ଚଳାଇବା ଶିଖିଯାଇଥିଲି।
ମୋ ବାପା ସର୍ବଦା କୁହନ୍ତି ,"ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ଆବଶ୍ୟକ,ଦେହ ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ଆବଶ୍ୟକ ଏବଂ ଜ୍ଞାନାର୍ଜନ ପାଇଁ ବିଦ୍ୟା ଆହରଣ କରିବା ଆବଶ୍ୟକ।" ମୋ ବାପାଙ୍କ ମତରେ ଏହି ତିନୋଟି ଜିନିଷ ପାଇଁ ଜଣେ ଅର୍ଥ ଖର୍ଚ୍ଚ କରିବା ଉଚିତ।ବାପା କୁହନ୍ତି, "ପ୍ରତିଦିନ ଘରେ ଗୁରୁଜନମାନଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଉଚିତ। ଏହାଦ୍ବାରା ଆମର ଶାରୀରିକ ଏବଂ ମାନସିକ ଅବସ୍ଥାର ଉନ୍ନତି ହୋଇଥାଏ। ଆମକୁ ଆଶୀର୍ବାଦ ମିଳିବା ସହ ଆମ ଭିତରେ ଥିବା ଖରାପ ଜିନିଷ ବାହାରିଯାଇଥାଏ। ବାହାରକୁ ଗଲେ ମଧ୍ୟ ସମସ୍ତ ଗୁରୁଜନଙ୍କୁ ପାଦ ଛୁଇଁ ଅଥବା ହାତଯୋଡି ପ୍ରଣାମ କରିବା ଉଚିତ। 'ନମସ୍କାର' ର ଅର୍ଥ 'ସମର୍ପଣ'। ତୁମେ ଯଦି ଅନ୍ୟ ପ୍ରତି ସମର୍ପଣ ଭାବ ଦେଖାଇବ ,ସେ ମଧ୍ୟ ତୁମ ପ୍ରତି ସମର୍ପଣ ଭାବ ରଖିବ।"
ବାପା ଆମକୁ କେବେ ପାଠପଢିବା ପାଇଁ ବାଧ୍ୟ କରିନାହାନ୍ତି। ଆମେ କ'ଣ ପଢୁଛୁ ଏବଂ ଆଗକୁ କ'ଣ ପଢିବାକୁ ଚାହୁଁଛୁ,ସେ କେବେ ସେଥିରେ ଦଖଲ ଦିଅନ୍ତି ନାହିଁ।ସେ କୁହନ୍ତି, "ଶ୍ରେଣୀରେ ପ୍ରଥମ ହେବା ବି ତୁମ ଉପରେ ଏବଂ ଫେଲ୍ ହେବା ବି ତୁମ ଉପରେ। ତେଣୁ ତୁମେ ସ୍ଥିର କର ଯେ ତୁମେ କ'ଣ ହେବାକୁ ଚାହୁଁଛ।ତୁମେ ଯେପରି କର୍ମ କରିବ,ସେପରି ଫଳ ପାଇବ।"ଯଦି କୌଣସି ଖରାପ ପରିସ୍ଥିତି,ବିପଦ କିମ୍ବା ଦୁଃଖ ମାଡିଆସେ ଆମ ପରିବାରକୁ।ସେ ସମସ୍ତଙ୍କୁ ସାନ୍ତ୍ଵନା ଦେଇ କହିଥାନ୍ତି, "ସମୟ ଆସିଲେ ସବୁ ଠିକ୍ ହୋଇଯିବ, ତୁମେମାନେ ବ୍ୟସ୍ତ ହୁଅ ନାହିଁ।" ଯେତେବେଳେ କାହାର ଦେହ ଖରାପ ହୁଏ ଘରେ, ସେ ହିଁ ସବୁଠାରୁ ଅଧିକ ଚିନ୍ତିତ ହୋଇପଡନ୍ତି ଏବଂ ଶୀଘ୍ର କେମିତି ସେ ସୁସ୍ଥ ହେବ ତାପାଇଁ ସମସ୍ତ ବ୍ୟବସ୍ଥା କରିଥାନ୍ତି ଆଉ ଯେତେବେଳେ ତାଙ୍କ ଦେହ ଖରାପ ହୁଏ, ପୁରା ପରିବାରର ମୁଣ୍ଡରେ ଚଡକ ପଡେ। ବାପା କେମିତି ସୁସ୍ଥ ହେବେ ସମସ୍ତେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି।
ମୋ ବାପା ଖୁବ୍ ମଜାଳିଆ ସ୍ବଭାବର ମଧ୍ୟ। ଯେତେବେଳେ ବୋଉ କୌଣସି କଥାକୁ ନେଇ ରାଗିଯାଏ, ବାପା ତାକୁ ଆହୁରି ଜାଣିଶୁଣି ମଜା କଥା କହି କହି ଚିଡାଇଦିଅନ୍ତି।ବୋଉ ଶେଷରେ ତାର ରାଗ ଛାଡି ହସିଦେଇଥାଏ।
ବାପା ଆମକୁ ଯାହା ଭି ଶିକ୍ଷା ଦେଇଛନ୍ତି, ପ୍ରତ୍ୟେକଟି ଜିନିଷ ସେ କେବଳ ଆମକୁ ଶିଖାନ୍ତି ନାହିଁ ତାହା ନିଜେ ମଧ୍ୟ ପାଳନ କରିଥାନ୍ତି ଏବଂ ଆମେ ତାଙ୍କୁ ଅନୁସରଣ କରିଥାଉ। କହିବାକୁ ଗଲେ ସମ୍ମାନ, ଧୈର୍ଯ୍ୟ, ସଂସ୍କାର, ବ୍ୟବହାର,ପରିଶ୍ରମ କରିବା,ଶାଳୀନତା,ପରୋପକାରିତା, ଆଧ୍ୟାତ୍ମିକତା ସବୁ ଆମେ ତାଙ୍କଠାରୁ ହିଁ ଶିଖିଛୁ। ତାଙ୍କ ବିଷୟରେ ଯେତେ କହିଲେ ବି କଥା ସରିବନି କିନ୍ତୁ ଶବ୍ଦ କମ୍ ପଡ଼ିଯିବ। ଜଣେ ପୁତ୍ର, ଜଣେ ସ୍ବାମୀ ଏବଂ ଜଣେ ପିତା ହେବାର ଭୂମିକା ଖୁବ ସୁନ୍ଦର ଭାବରେ ସେ ତୁଲାଇ ଆସିଛନ୍ତି। ତାଙ୍କ କର୍ତ୍ତବ୍ୟରେ ସେ କେବେ ଅବହେଳା କରିନାହାନ୍ତି। ସମଗ୍ର ଦୁନିଆ ପାଇଁ ତ ସେ ଆମର ବାପା, କିନ୍ତୁ ଆମ ଘର ପାଇଁ ସେ ହିଁ ଆମର ଦୁନିଆ।
