ନଖି
ନଖି
ନାଆଁ ତା'ର ଲକ୍ଷ୍ମୀପ୍ରିୟା । ଦୁଇ ପୁଅ, ଦୁଇ ଝିଅ ଓ ସ୍ବାମୀଙ୍କୁ ନେଇ ତା'ର ସଂସାର । ଜନକପୁର ଗାଆଁ ନିବାସୀ ସୂର୍ଯ୍ୟନାରାୟଣ ସିଂଦେଓଙ୍କ ପତ୍ନୀ ସେ । ଘରେ ଯେମିତି ସମସ୍ତଙ୍କ ଆଖିର ତାରା, ଗାଆଁରେ ସେହିପରି ସମସ୍ତଙ୍କର ପ୍ରିୟ । ସୂର୍ଯ୍ୟଅଜା ତାକୁ ଗେଲରେ 'ନଖୀ' ବୋଲି ଡାକନ୍ତି । ସେହି ନାଆଁଟି ରହିଯାଇଛି ଓ ସମସ୍ତେ ତାକୁ ସେହି ନାଆଁରେ ସମ୍ବୋଧନ କରନ୍ତି । ସୂର୍ଯ୍ୟଅଜା ତାଙ୍କ ଅମଳରେ ଜନକପୁର ଗାଆଁର ଜମିଦାର ଥିଲେ । ସେତେବେଳେ ତାଙ୍କର ଅଜସ୍ର ଧନସମ୍ପତ୍ତି । ଦଶ ଏକର ଜମି ସାଂଗକୁ ଆଠ ବଖରା କୋଠାଘର । କେବଳ ହାଣ୍ଡିଶାଳଟି ମାଟିଘର । କେଉଁଥିରେ ଅଭାବ ନାହିଁ । କିନ୍ତୁ ନଖୀଆଈର ଏସବୁକୁ ନେଇ ଟିକିଏ ହେଲେ ଗର୍ବ ନାହିଁ । ସେ ତାର ସ୍ତ୍ରୀ ଓ ମାଆର ଭୂମିକା ସୁନ୍ଦର ଭାବେ ତୁଲାଇବା ସଙ୍ଗେ ସଙ୍ଗେ ତା' କର୍ତ୍ତବ୍ୟରେ କେବେହେଲେ ଅବହେଳା କରିନାହିଁ । ତେଣୁ ଅଜା ତାକୁ ଖୁବ୍ ସରାଗରେ ରଖିଥିଲେ ।
ଦିନ ଥିଲା ଲୋକେ ଖଣ୍ଡେ ବାଟରେ ଥାଇ ଜାଣି ପାରୁଥିଲେ, ନଖୀ ଆସୁଛି ବୋଲି । ତା'ର ସେହି ଗୋରା ତକତକ ମୁହଁରେ ଚେନାଏ ହସ ଓ ମଥାରେ ବଡ଼ ସିନ୍ଦୂର ଟୋପା, ଆଖି ଝଲସାଇ ଦିଏ । ସୂତା ଲୁଗା ଖଣ୍ଡେ ପିନ୍ଧି ଓ ମୁଣ୍ଡରେ ଓଢଣା ଟାଣି, କାଖରେ କଳସୀ ଧରି ସେ ପ୍ରତିଦିନ ନଦୀକୁ ଯାଏ ପାଣି ଆଣିବାକୁ । ବାଟରେ ଗଲାବେଳେ ଯିଏ ଦେଖାହୁଏ ସମସ୍ତଙ୍କ ସହ ହସି କଥାହୁଏ, ସମସ୍ତଙ୍କ ଭଲମନ୍ଦ ପଚାରି ବୁଝେ । ଗାଆଁରେ ଯାହା ଘରେ ବିବାହ, ବ୍ରତ ଆଦି ଆଦି ଶୁଭକାର୍ଯ୍ୟ ହେଲେ, ନଖୀ ଆଈକୁ ଡକରା ହୁଏ । ପୂଜାବିଧି, ରୀତିନୀତି ଇତ୍ୟାଦିରେ ତା'ର ବହୁତ ଜ୍ଞାନ । ଗାଆଁଲୋକଙ୍କ ସୁଖଦୁଃଖରେ ସେ ସବୁବେଳେ ଛିଡ଼ା ହୋଇଥାଏ । ଅସୁବିଧା ବେଳେ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ତେଣୁ ଗାଆଁ ଲୋକେ ତାକୁ ବହୁତ ଭଲପାଆନ୍ତି । ନଖୀଆଈ ଛୁଆମାନଙ୍କୁ ମଧ୍ୟ ବହୁତ ସ୍ନେହ କରେ ।
ନଖୀର ନଖରା ବି କିଛି କମ୍ ନୁହେଁ; ଖାଇବା ପିଇବାରେ ବୋଧହୁଏ ଅଧିକ । ସେ ଭାରି ସୌଖିନ । ସକାଳ ସଞ୍ଜରେ ନଈପାଣିରେ ଅଧକଂସାଏ ନାଲି ଚା' କରି ନ ପିଇଲେ ତା ମନ ଶାନ୍ତି ହୁଏନି । ସୋମବାର ଓ ଗୁରୁବାର କୁ ଛାଡିଦେଲେ ଅନ୍ୟ ସବୁ ଦିନରେ ରାଗୁଆ ଚୁନାମାଛ ଝାଲ୍ ଟିକେ ନହେଲେ ତା'ର ଭାତ ଉଠେନି । ଆଉ ସନ୍ଧ୍ୟାରେ ଦିଟା ଗରମ ଗରମ ବରା ଓ ପିଆଜି ;ନହେଲେ ମୁଠାଏ ସେଉ କି ମୁଢୀ, ଚନାଚୁର ହେଲେ ହେଲା । ବାକି ରାତି ଓ ସକାଳେ ପିଠା କି ରୁଟି ସାଙ୍ଗରେ ଭଜା ଟିକେ ଖାଇ ସେ ଚଳେଇଦିଏ ।
କିନ୍ତୁ; ତାପରି ପରିଶ୍ରମୀ ଓ ଲକ୍ଷ୍ମୀ ପ୍ରତିମା ସଦୃଶ ସ୍ତ୍ରୀ ଲୋକ କେହି ଆଜିଯାଏଁ ଦେଖିନଥିବେ । ପ୍ରତିଦିନ ଭୋର ଚାରିଟାରେ ଉଠି ନିଜ ନିତ୍ୟକର୍ମ ସାରି କାମରେ ଲାଗିପଡେ ସେ । ଗାଈଗୁହାଳ ସଫା କରିବା, ଗାଈମାନଙ୍କୁ ଖାଇବାକୁ ଦେବା, ତାପରେ ଘର ଓଳେଇ ଲିପାପୋଛା କରିବା, ପୁଣି ଗାଧୋଇ ସାରି ବାଡ଼ିରୁ ଫୁଲ ତୋଳିବା ଓ ଘର ଠାକୁରଙ୍କ ପୂଜାସାରି, ଗାଆଁ ଶିବମନ୍ଦିର ଓ ମଙ୍ଗଳା ମା'ଙ୍କ ଦର୍ଶନ କରିବା । ତାପରେ ଘରକୁ ଫେରି ଚୂଲି ଲଗାଇ ରୋଷେଇ କରିବା । ସକାଳ ରୋଷେଇ ସାରି ସମସ୍ତଙ୍କୁ ଖାଇବାକୁ ଦେଇ ପୁଣି ଗାଧୁଆବେଳ ରୋଷେଇ ପାଇଁ ଯୋଗାଡ଼ କରିବା । ତା' ଭିତରେ ପୁଣି ଚାଷବାସ ଘର ହୋଇଥିବାରୁ ଧାନ ଉଷେଁଇବା, ଶୁଖାଇବା ଇତ୍ୟାଦି ଅନେକ କାମ ଥାଏ । ସେପଟେ ଗାଈମାନଙ୍କୁ ତୋରାଣି ଓ ଖାଇବାକୁ ଦେବା,ଘାସ ଖାଇବାକୁ ବାଡ଼ିକୁ ନେଇ ଯିବା, ସନ୍ଧ୍ୟାରେ ଆଣିବା, କ୍ଷୀର ଦୁହିଁବା ମଧ୍ୟ ସେ କରିଥାଏ । ଏପରିକି ଦୁଧରୁ ଦହି, ଛେନା,ଘିଅ ତିଆରି କରି ମଧ୍ୟ ବିକ୍ରି କରିଥାଏ । ସନ୍ଧ୍ୟାଦୀପ ଦେଇସାରି ପୁଣି ରାତି ରୋଷେଇ କରିଥାଏ । ତାପରେ ଯାଇ ସେ ବିଶ୍ରାମ ନେଇଥାଏ । ଜଣେ ଉପଯୁକ୍ତ ଗୃହିଣୀ ଭାବେ ସେ ତା'ର ଭୂମିକା ଖୁବ୍ ସୁନ୍ଦର ଭାବରେ ନିଭାଇଛି । କେବଳ ସେତିକି ନୁହେଁ, ସେ ତା'ର ପିଲାମାନଙ୍କୁ ପାଠ ପଢ଼ାଇବା ସଙ୍ଗେସଙ୍ଗେ ସଂସ୍କାର ଓ ଉତ୍ତମ ଆଚରଣବିଧିର ଶିକ୍ଷା ମଧ୍ୟ ଦେଇଛି । ସେ ତା'ର କର୍ତ୍ତବ୍ୟ ନିଃସ୍ଵାର୍ଥପର ଭାବେ କରିଛି । ତା'ର ସୁନାର ସଂସାରରେ ସମସ୍ତଙ୍କ ମୁଖରେ ହସଟିକିଏ ଦେଖିବାକୁ ସେ ଖୁବ୍ ପ୍ରୟାସ କରିଛି । କିନ୍ତୁ ଭଗବାନଙ୍କୁ ବୋଧହୁଏ ତା'ର ଖୁସି ଦେଖି ଈର୍ଷା ହୋଇଥିଲା, ତେଣୁ ସେ ତା’ ମୁହଁର ହସକୁ ଛଡ଼ାଇ ନେଇଥିଲେ ।
ସୂର୍ଯ୍ୟ ଅଜା ଓ ନଖୀ ଆଈ ତାଙ୍କ ସମସ୍ତ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିଥିଲେ । ଝିଅ ଦୁହିଁଙ୍କୁ ବିଏ ପାସ୍ କରିସାରିବା ପରେ ବିବାହ କରାଇ ଦେଇଥିଲେ । ବଡ ପୁଅ ବି.ଏସସି ପାସ୍ କଲାପରେ କଲିକତାର ଏକ କମ୍ପାନୀରେ ମ୍ୟାନେଜରଭାବେ କାର୍ଯ୍ୟ କରୁଥିଲା ଓ ମୋଟା ଅଙ୍କର ଦରମା ପାଉଥିଲା । ସାନପୁଅ ଆଇଟିଆଇ କରି ଗାଆଁରେ ଇଲେକ୍ଟ୍ରିକାଲ କାମ ତଥା ଘର ଓୟାରିଂ କାମ କରି ଭଲ ଅର୍ଥ ଉପାର୍ଜନ କରୁଥିଲା । ନଖୀ ଆଈ ଅଜାଙ୍କୁ କହି ଭଲପାତ୍ର ଦେଖି ଦୁଇ ପୁଅଙ୍କ ବିବାହ ମଧ୍ୟ କରିଦେଇଥିଲା । ଦୁଇପୁଅ ଘରକୁ ପଇସା ଦେଉଥିଲେ ଓ ଦୁଇବୋହୂ ଭଲଭାବରେ ଘର ଚଳାଇନେଉଥିଲେ । ବୋହୂ ଆସିବାପରେ ନଖୀ ଆଈକୁ ହାଣ୍ଡିଶାଳରୁ ଛୁଟି ମିଳିଯାଇଥିଲା । କିନ୍ତୁ ସେ ହାତବାନ୍ଧି ନ ବସି ବାକି ସବୁ କାମ ପୂର୍ବ ପରି ଖୁସିରେ କରୁଥିଲା । କିଛି ବର୍ଷ ଏମିତି ସୁରୁଖୁରୁରେ କଟିଗଲା । ନଖୀ ଆଈ ଜେଜେମା ହେଲା ଓ ନାତିନାତୁଣୀ ଖେଳେଇଲା ।
ଏମିତି ଏକ ସମୟ ଆସିଲା, ବଡ ପୁଅ କୁସଙ୍ଗରେ ପଡି ମଦନିଶାରେ ପଇସା ସାରିଦେଲା । ଧୀରେ ଧୀରେ ଘରକୁ ପଇସାପତ୍ର ଦେବା ବନ୍ଦ କରିଦେଲା । ସାନପୁଅ ଏସବୁ ଦେଖି ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅଲଗା ହୋଇଗଲା । ବଡ଼ପୁଅକୁ ସୂର୍ଯ୍ୟଅଜା ଯାଇ ଚାକିରୀ ଛଡ଼ାଇ ନେଇଆସିଲେ । ଘରକୁ ଆସି ବଡ଼ପୁଅ ଆହୁରି ଉତ୍ପାତ ହେଲା । ମଦ ପିଇବା ପାଇଁ ପଇସା ନ ପାଇବାରୁ ପ୍ରଥମେ ସ୍ତ୍ରୀ ଓ ପରେ ପରେ ବାପାମାଆଙ୍କୁ ହାତ ଉଠାଇ ମାରିବା ଆରମ୍ଭ କରିଦେଲା । ସାନପୁଅ ସ୍ତ୍ରୀ ବୁଦ୍ଧିରେ ପଡ଼ି ସମ୍ପତ୍ତିବାଡ଼ି ଭାଗବଣ୍ଟା କରିବାକୁ କହିଲା । ନିଜ ପରିବାର ଭାଙ୍ଗିବାର ଦେଖି ନଖୀ ଆଈ ସହିପାରିଲା ନାହିଁ । ଦିନେ ଗୁହାଳ ସଫା କରୁକରୁ ମୁଣ୍ଡ ବୁଲେଇବାରୁ ପଡ଼ିଗଲା ଓ ତା'ର ଚେତା ଫେରିଲା ନାହିଁ । ଡାକ୍ତରଖାନା ନେବାରୁ ସେମାନେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଦେଲେ । ସେଠାରେ ଜଣା ପଡ଼ିଲା ତାକୁ ବ୍ରେନ୍ ଟ୍ୟୁମର ହୋଇଛି । ଡାକ୍ତର କହିଲେ ଗୁଡ଼ାଏ ପଇସା ଲାଗିବ ଅପରେସନ ପାଇଁ । ବଡ଼ ପୁଅ ପାଖରେ ତ ପଇସା ନଥିଲା ଏବଂ ସାନ ପୁଅବୋହୂ ପଇସା ନାହିଁ ବୋଲି ମନା କରିଦେଲେ । ଶେଷରେ ସୂର୍ଯ୍ୟଅଜା କାନ୍ଦିବୋବେଇ ଦୁଇ ଝିଅଜ୍ୱାଇଁଙ୍କ ଆଗରେ ହାତ ପତାଇଥିଲେ । ଜ୍ୱାଇଁମାନେ ସାହାଯ୍ୟ କରିବାରୁ ଅପରେସନ ଭଲଭାବେ ହୋଇଗଲା । କିନ୍ତୁ ଘରକୁ ଆସିଲାପରେ ପୁଅବୋହୂ ତାଙ୍କ ସେବାଯତ୍ନ କରି ନଥିଲେ କି ଔଷଧପଥି ଟିକେ ଦେଇନଥିଲେ । ସୂର୍ଯ୍ୟଅଜା କରଜ କରି ଔଷଧପଥି ଆଣିଥିଲେ ଓ ଆଈଙ୍କ ସେବାକରି ତାଙ୍କୁ ବିଛଣାରୁ ଉଠାଇଥିଲେ । ନଖୀଆଈ ଏସବୁ ଦେଖି ନିଜ କପାଳକୁ ନିନ୍ଦିଥିଲା, "କାହିଁକି ପ୍ରଭୁ ମୋତେ ନନେଇ ଏସବୁ ଦେଖିବାକୁ ଛାଡ଼ିଦେଲେ!"....ବୋଧହୁଏ ଭଗବାନଙ୍କ ଆଉ କିଛି ଇଚ୍ଛା ରହିଥିଲା,ସେ ଆହୁରି ଦୁଃଖ ଲେଖିଥିଲେ ନଖୀଆଈର ଭାଗ୍ୟରେ ।
ଦେଖୁଦେଖୁ ତିନିମାସ ଗଡ଼ି ଯାଇଥିଲା । ଆଈ ସୁସ୍ଥ ହୋଇ ପୁଣି ଆଗଭଳି କାମ କରିବା ଆରମ୍ଭ କରିଦେଇଥିଲେ । ହଠାତ୍ ଦିନେ ଅଜାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା । ଜ୍ୱରରେ ଖାଇବା ପିଇବା ଛାଡି ଦେଲେ ସେ । ବିଛଣାରେ ପଡ଼ିଗଲେ । ବଡ଼ପୁଅ ଜ୍ୱର ଔଷଧ ଆଣି ଦେଇଦେଲା । ଆଈ କହିବା ସତ୍ତ୍ୱେ ଦୁଇପୁଅ ବାପାଙ୍କୁ ଡାକ୍ତରଖାନା ନେଲେ ନାହିଁ । ତୃତୀୟ ଦିନ ସୂର୍ଯ୍ୟଅଜା ଆଇଙ୍କୁ ଏକା କରିଦେଇ ଆରପାରିକୁ ଚାଲିଗଲେ । ତାଙ୍କ ମଥାରେ ସେ ନାଲିଟୋପା ସବୁଦିନ ପାଇଁ ଲିଭିଗଲା । ଝିଅଜ୍ୱାଇଁ ଆସି ପହଁଞ୍ଚିଲେ ;ତାପରେ ସମସ୍ତ କ୍ରିୟାକର୍ମ କରାଗଲା ।
ଅଜାଙ୍କ ଯିବାର ପନ୍ଦର ଦିନ ହୋଇଛି କି ନାହିଁ, ବଡବୋହୂର ନିର୍ଯାତନା ଆରମ୍ଭ ହୋଇଗଲା । ସେ ଶାଶୂଙ୍କୁ ଶାନ୍ତିରେ ଗଣ୍ଡେ ଖାଇବାକୁ ଦେଲାନି ଏବଂ ପୋଇଲି ପରି ଦିନରାତି ଖଟାଇଲା । ବାର୍ଦ୍ଧକ୍ୟ ଭତ୍ତା ପଇସାରେ ଆଈକୁ ଯାହା ମନ ହୁଏ,ସେ କିଣି କରି ଖାଏ । ମାତ୍ର ବଡ଼ ପୁଅ ହାବୁଡ଼ରେ ପଡ଼ିଲେ, ସେହି ଭତ୍ତା ଟଙ୍କାକୁ ସେ ମାଆ ଠାରୁ ଛଡ଼ାଇ ନେଇ ମଦ ପିଇ ଦିଏ । ସାନପୁଅ ତ ସ୍ତ୍ରୀ କଥାରେ ପଡି ମାଆକୁ କେବେ ଚାହେଁନି, ଭଲମନ୍ଦ ପଚାରିବା ତ ଦୂରର କଥା । ଝିଅମାନେ ମାଆ ପାଇଁ ଅନେକ ଖାଇବା ଜିନିଷ, ଫଳମୂଳ ଏପରିକି ହାତଖର୍ଚ୍ଚ ପାଇଁ ପଇସା ମଧ୍ୟ ପଠାଉଥିଲେ । କିନ୍ତୁ ଦୁଇବୋହୂ ସେସବୁ ନିଜ ଛୁଆପିଲାଙ୍କୁ ଖାଇବାକୁ ଦେଇଦେଉଥିଲେ, ବୃଦ୍ଧା ଶାଶୂଙ୍କୁ ଥରେ ହେଲେ ଯାଚୁନଥଲେ । ଏବଂ ପଇସାକୁ ଦୁଇଭାଇ ବାଣ୍ଟି ନେଇ ଯାଉଥିଲେ । କେବଳ ସେତିକି ନୁହେଁ ବୋହୂମାନେ ଏତେ ନିଷ୍ଠୁର ହୋଇଯାଇଥିଲେ ଯେ, ନିଜ ଛୁଆମାନଙ୍କୁ ତାଙ୍କ ଜେଜେମାଙ୍କ ସହ ମିଶିବାକୁ କି କଥାହେବାକୁ ଦେଉନଥିଲେ । ଗାଆଁ ଲୋକେ ଏବେ ନଖୀଆଈକୁ ଦେଖିଲେ କହୁଥିଲେ,"ଆହା!!, ନଖୀର ଅବସ୍ଥା କ'ଣ ହେଲା!!"
ଦିନେ ଦାଣ୍ଡପିଣ୍ଡାରେ ବସି ନଖୀ ଆଈ ଭାବୁଥାଏ, "ମୁଁ ମୋର ସାରାଜୀବନ ମୋ ପରିବାରର ଖୁସି ପାଇଁ ଉତ୍ସର୍ଗ କରିଦେଇଥିଲି, କିନ୍ତୁ ତା'ର ପ୍ରତିବଦଳରେ ବୃଦ୍ଧକାଳରେ ଆମକୁ ଏତେ ବଡ ଉପହାର ମିଳିବ ବୋଲି ଭାବିନଥିଲି । କେଉଁଥିରେ ମୁଁ ଅବହେଳା କରିଥିଲି ଯେ ଭଗବାନ ମୋତେ ଏତେ ଶାସ୍ତି ଦେଲେ? ମୁଁ ତ ମୋ ପିଲାମାନଙ୍କୁ ଭଲ ଶିକ୍ଷା ଦେଇଥିଲି, ଭଲରେ ଲାଳନପାଳନ କରିଥିଲି, ହେଲେ ମୋତେ କାହିଁକି ତା' ବଦଳରେ ମିଳିଲା କେବଳ ଦୁଃଖ, ଅପମାନ, ଯନ୍ତ୍ରଣା ଓ ପ୍ରତାରଣା!!"
ସେତିକି ବେଳେ ବଡ଼ପୁଅ ଆସି ଖାଇବାକୁ ଡାକିଲା । ଦେଖିଲା ମାଆ କାନ୍ଥକୁ ଆଉଜି ଆଖି ବନ୍ଦକରି ବସିଛି । ସେ ଯାଇ ହଲେଇ ଦେବାରୁ ନଖୀଆଈ ଟଳିପଡିଲା । ବୋଧହୁଏ ଭଗବାନ ତା'ର ପରୀକ୍ଷା ନେଇନେଇ ହାର ମାନିଯାଇଥିଲେ । ତେଣୁ ଶେଷରେ ନିଜ ସାଙ୍ଗରେ ଆଈକୁ ନେଇଯିବାକୁ ବାଧ୍ୟ ହୋଇଥିଲେ । ପରିବାର ଦୀପର ସଳିତା ହୋଇ ନିଜେ ଜଳି ସେ ସମସ୍ତଙ୍କୁ ଆଲୋକ ପ୍ରଦାନ କଲା; କିନ୍ତୁ ଜୀବନର ଶେଷ କେଇଟା ମୁହୂର୍ତ୍ତ ଯେ ତା'ର ଅନ୍ଧକାରମୟ ହୋଇଥିବ ସେ ଜାଣିନଥିଲା ।
