ଫୁଷୁରୀ ପାଗିଳୀ
ଫୁଷୁରୀ ପାଗିଳୀ
ବେହେରା ଝୁଅ !!!! ଶୁଭୁଚି?? ବିମଳା!!! ମୋ ତଣ୍ଟି ଶୁଖିଯାଉଛି,ପାଣି ମୁନ୍ଦେ ଦେ ପିଇବି। ବହୁ ଯନ୍ତ୍ରଣା ରେ କୁନ୍ଥେଇ କୁନ୍ଥେଇ ଫୁଷୁରୀ ଡାକ ପକାଉଥିଲା।ବିମଳା ପାଣି ଗିଲାସେ ଧରି ଦୌଡିଗଲା ସେ ବନ୍ଦ କୋଠରୀ ପାଖକୁ।ଚାବି ଖୋଲି ପାଣି ଗିଲାସେ ଏବଂ ଖାଇବା ପାଇଁ ପଖାଳ କଂସାଏ,ଦି ଖଣ୍ଡ ଭାକୁର ମାଛ ଭଜା ଓ ଆମ୍ବ ଚଟଣୀ ନେଇ ଫୁଷୁରୀ ପାଖରେ ଥୋଇଦେଲା।ଫୁଷୁରୀର ମୁହଁ ଟି କଳାକାଠ ପଡ଼ିଯାଇଛି। ଗୋଡହାତ ରେ ଶିକୁଳି ବନ୍ଧା ହୋଇଥିବା ଜାଗାରେ କ୍ଷତ ହୋଇ ରକ୍ତ ବାହାରୁଛି।ଫୁଷୁରୀ କହିଲା, "ବହୁତ କଷ୍ଟ ହେଉଛି ମୋତେ।ଟିକେ ଖୋଲି ଦେ ଶିକୁଳି।" ବିମଳା କହିଲା ,"ଦେଇ! ଚାବି ତ ନନା ଙ୍କ ପାଖରେ, ମୁଁ କେମିତି ଅବା ଖୋଲିବି କୁହ!"ବିମଳାକୁ ବହୁ ଖରାପ ଲାଗିବାରୁ ସେ ହଳଦୀ ଲେପ ଆଣି ଫୁଷୁରୀ ର କ୍ଷତ ସ୍ଥାନରେ ଲଗାଇଦେଲା।ବିମଳା ହୃଦୟରେ କେବଳ ଫୁଷୁରୀ ପାଇଁ ଦୟା ଥିଲା।ସେ ଫୁଷୁରୀର ଦୁଃଖ, ଯନ୍ତ୍ରଣା ସହି ପାରୁନଥିଲା। ତେଣୁ ଦେଢଶୁର(ମଥୁରା) ନଥିଲା ବେଳେ ଆସି ଭଲମନ୍ଦ ବୁଝିଥାଏ।ତେଣୁ ଫୁଷୁରୀ ବିମଳାକୁ ଭାରି ଭଲ ପାଉଥିଲା।ପାଗିଳୀ ହୋଇ ମଧ୍ୟ ଫୁଷୁରୀ ପାଖରେ ମନୁଷ୍ୟତା,ସ୍ନେହ,ପ୍ରେମ ଓ ମମତା ବଞ୍ଚି ରହିଥିଲା।
କାହାଣୀଟି ଏହିପରି...........
ଫୁଷୁରୀ ଯେତେବେଳେ ନୂଆ କରି ବିବାହ କରି ଆସିଲା, ବାଲିପଡାରେ ସମସ୍ତେ କୁହାକୁହି ହେଉଥିଲେ ଦାସଘର ମଝିଆଁ ବୋହୂ ଗୋଟିଏ ଚାଉଳରେ ଗଢା।କି ସୁନ୍ଦର !ଆହା! ପଦ୍ମଫୁଲିଆ ମୁଖମୁଣ୍ଡଳ ତାର।ହରିଣୀ ପରି ଆଖି ଯୋଡ଼ିକ।କଳା ମୁଚୁମୁଚୁ ଚୂର୍ଣ୍ଣ କୁନ୍ତଳ ,ସତେ ଯେମିତି ତରଙ୍ଗାୟିତ ଢେଉ।ଚାଲିଚଳନ ଶାନ୍ତ ସରଳ ସ୍ବଭାବର।ମାଛିକୁ ମ' ବୋଲି କହେନି ସେ।ରୋଷେଇବାସ ଘରକାମକୁ ଭାରି ପାରଙ୍ଗମ।ମଥୁରା ହାତ ଧରି ସିନା ସେ ଚାଲିଆସିଲା,ହେଲେ ଜାଣିନଥିଲା ତା ଭାଗ୍ୟରେ ଏତେ ଦୁଃଖ କଷ୍ଟ ଲେଖା ଅଛି ବୋଲି।ଭଲ ଘର ,ଭଲ ପରିବାର ଦେଖି ତା'ର ବାପା ମାଆ ହାତକୁ ଦିି'ହାତ କରିଦେଲେ। ସେମାନେ କ'ଣ ଜାଣିଥିଲେ ତାଙ୍କ ଝିଅ ଏମିତି ଅତ୍ୟାଚାର ର ଶିକାର ହେବ!!!
ବାହାଘରର ତିନି ଚାରି ବର୍ଷ ଫୁଷୁରୀ ର ବଡ ସୁରୁଖୁରୁରେ କଟିଗଲା।ଇତିମଧ୍ୟରେ ସେ ମହାଦେବଙ୍କ କୃପାରୁ ସୁନାମୁଣ୍ଡା ପୁତ୍ର ସନ୍ତାନ ଯୋଡିଏ ଙ୍କୁ ଜନ୍ମ ଦେଇଛି।ତା ବର କଲିକତାରେ ରହି କାମ କରୁଥିଲେ ଏବଂ ଛୁଟି ହେଲେ ଘରକୁ ଆସୁଥିଲେ। ଘରେ କେବଳ ତାର ବଡ଼ ଯାଆ,ସାନ ଯାଆ ତାଙ୍କ ପିଲାଛୁଆ ଏବଂ ସେ ଓ ତାର ଦୁଇପୁଅ।ତାର ଦେଢଶୁର ଏବଂ ଦିଅର ମଧ୍ୟ କଲିକତାରେ ରହି କାମ କରୁଥିଲେ।ତିନି ଯାଆଙ୍କ ମଧ୍ୟରେ ବହୁତ ଭଲପାଇବା ଥିଲା। ସୁଖଦୁଃଖ ରେ ମିଳିମିଶି ସେମାନେ ଘର ଚଳାଇ ନେଉଥିଲେ। ହଠାତ୍ ଦିନେ ମଥୁରା କାମ କରୁଥିବା କମ୍ପାନୀ ବନ୍ଦ ହୋଇଗଲା। ତେଣୁ ସେ ଘରକୁ ଚାଲିଆସିଲା। କିଛିଦିନ ତ ତାର ଭାଇମାନେ ଘର ଚଳାଇ ନେଲେ।ହେଲେ ଏପରି ବେରୋଜଗାର ହୋଇ ବସି ରହିଲେ କିଏ ଅବା କାହାକୁ ସବୁବେଳେ ପୋଷୁଥିବ? ଖାଇବାକୁ ଦେବ? ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଗଲା। ଯାଆ ମାନେ ଫୁଷୁରୀକୁ ଆଡ ଆଖିରେ ସୁଦ୍ଧା ଚାହିଁଲେନି। ଖାଇବା ପିଇବା ରେ ଅବହେଳା କଲେ।ଘରେ କଳି ଝଗଡ଼ା ଆରମ୍ଭ ହୋଇଗଲା।ଶେଷରେ ତିନି ଭାଇ ଭିନ୍ନଭିନ୍ନ ହୋଇଗଲେ।
ମଥୁରା କିନ୍ତୁ ଅଳସୁଆ ଥାଏ।ଫୁଷୁରୀ ଯେତେ କହିଲେ ସୁଦ୍ଧା ନା ସେ ନୂଆ ଚାକିରି କଲା ନା ଗାଁ ରେ ଚାଷବାସ କଲା।ଦିନସାରା ଯାଇ କ୍ଲବ୍ ଘରେ ତାସ ଖେଳରେ ନିମଗ୍ନ ରହେ।ଆଉ ରାତିରେ ମଦ ପିଇ ସ୍ତ୍ରୀକୁ ମାଡ଼ ମାରେ।ଆଉ ସବୁବେଳେ ବଡ଼ ଭାଉଜ କଥାରେ ଚାଲେ।ବଡ଼ ଭାଉଜ ତାକୁ ବସ୍ କହିଲେ ବସେ ଏବଂ ଉଠ୍ କହିଲେ ଉଠେ। ବଡ଼ ଭାଉଜର ସବୁ କାମ କରିଦିଏ।ଏସବୁ ଦେଖି ଫୁଷୁରୀ ଜମା ସହି ପାରୁନଥିଲା। ଏପଟେ ତା ସଂସାର ଭାସି ଯାଉଛି।ତା ପିଲାଛୁଆ ମୁର୍ଖ ହୋଇ ବୁଲୁଛନ୍ତି,ଭଲ ଖାଇବାକୁ ଗଣ୍ଡେ ପାଉନାହାନ୍ତି।ଏସବୁ ଦେଖି ଫୁଷୁରୀ ତାର ମାନସିକ ଭାରସାମ୍ୟ ହରାଇ ବସିଲା।ସେ ସନ୍ଦେହ କରିବାକୁ ଲାଗିଲା ଯେ ମଥୁରା ତାର ବଡ଼ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରଖିଛି।ତେଣୁ ଦିନକୁ ଦିନ ତାର ମାନସିକ ସ୍ଥିତି ଆହୁରି ଖରାପ ହେବାକୁ ଲାଗିଥିଲା।ସେ ହିଂସ୍ର ହୋଇଉଠିଲା। ମଥୁରା କୁ ଦେଖିବା ମାତ୍ରେ ସେ ଆଘାତ ଦେବା ପାଇଁ ଉତ୍ତେଜିତ ହୋଇଉଠୁଥିଲା। କିନ୍ତୁ ସେ ବାକି କାହାର କୌଣସି କ୍ଷତି କରୁନଥିଲା। ପ୍ରତିଦିନ ଘରକାମ ଆଗଭଳି କରୁଥିଲା ।ତା' ଛୁଆଙ୍କର ଯତ୍ନ ମଧ୍ୟ ନେଉଥିଲା।
ଦିନକର କଥା ,ତାର ବଡ଼ ଯାଆ ମଥୁରାକୁ ଭୁଆଁ ବୁଲାଇ ସମସ୍ତ ଧନସମ୍ପତ୍ତି ନିଜ ନାଁ ରେ କରିନେଇଗଲା। ଏପରିକି ଫୁଷୁରୀର ଗହଣାଗାଣ୍ଠିକୁ ନେଇ ମଥୁରା ବଡ଼ ଭାଉଜ କୁ ଦେଇ ତାର ପିଇବା ପାଇଁ ଏବଂ ଘର ଚଳାଇବାପାଇଁ କିଛି ପଇସା ଆଣିଥିଲା ଏବଂ ଫୁଷୁରୀକୁ ଗାଁ ଜମିଦାର ଙ୍କ ପାଖରେ ବନ୍ଧା ପକାଇଛି ବୋଲି ମିଛ କହିଥିଲା। ବଡ଼ ଭାଉଜ କୌଶଳ କରି ତାକୁ ମଧ୍ୟ ହାତେଇ ନେଲା।ଏସବୁ ଫୁଷୁରୀ ଜାଣିପାରିବାରୁ ଦୁହେଁ ହାତାହାତି ହୋଇଗଲେ।ମଥୁରା ତାର ଭାଉଜ କଥାରେ ଫୁଷୁରୀକୁ ଲୁହା ଶିକୁଳି ରେ ବାନ୍ଧି ଏକ ଅନ୍ଧାର କୋଠରୀରେ ବନ୍ଦ କରିଦେଲା। ସମାଜ ଆଗରେ ତାକୁ ପାଗିଳୀ ସାବ୍ୟସ୍ତ କରିଦେଲା।ସେ ଗୋଟିଏ ହିଂସ୍ରଜନ୍ତୁ ପାଲଟି ଯାଇଛି ବୋଲି ଚାରିଆଡ଼େ କହିବୁଲିଲା।କେବଳ କିଛିଦିନ କି କିଛି ମାସ ପାଇଁ ନୁହେଁ ସବୁୁୁୁଦିନ ପାଇଁ ତାକୁ ସେ କୋଠରୀରେ ବନ୍ଦ କରିଦିଆଗଲା। ଫୁଷୁରୀ କୌଣସି ଅପରାଧ କରିନଥିଲା। କିନ୍ତୁ ତାକୁ ହେଲେ ବି ଶାସ୍ତି ମିଳିଲା।
କ'ଣ ଥିଲା ତାର ଦୋଷ?ସ୍ବାମୀଙ୍କୁ ଭଲ ରାସ୍ତା ଦେଖାଇବା?ତା ପିଲାଛୁଆଙ୍କ ଭବିଷ୍ୟତ ପାାଇଁ ଚିନ୍ତା କରିବା?କେଡେ ଆଶ୍ଚର୍ଯ୍ୟ ର କଥା ଗୋଟିଏ ନାରୀ ଆଉ ଗୋଟିଏ ନାରୀର ସୁୁୁୁନାର ସଂସାର ଉଜାଡି ଦେଲା ସବୁଦିନ ପାଇଁ । ଗୋଟିଏ ଭଲ ମଣିଷ କୁ ପାଗିଳୀ କରିଦେଲା।। ଗୋଡହାତରେ ଶିିିିକୁଳି ବାନ୍ଧି ବନ୍ଦିନୀ କରିିିଦେଲା ଅନ୍ଧକାରମୟ କୋଠରୀରେ।
