Sasmita Das

Children Stories Children

3  

Sasmita Das

Children Stories Children

ସ୍ୱିଟିର ଆଗମନ

ସ୍ୱିଟିର ଆଗମନ

3 mins
272


ପୁଷି ...ଗଲୁ ଦେଖିବୁ ଖଟ ତଳେ କ'ଣ ଅଛି! ହଁ ଏଠାରେ ପୁଷି‌ କେଉଁ ପୋଷା ବିଲେଇ ନୁହେଁ । ବରଂ ଗେଲରେ ମୋତେ ସମସ୍ତେ ପୁଷି ଡାକିଥାନ୍ତି । କୋଉ ଖଟ ତଳେ ବୋଉ? ଆମ ଶୋଇବା ଘର ଖଟ ତଳେ ନା ମାମୁଁଙ୍କ ଖଟ ତଳେ? ମୁଁ ସ୍କୁଲ ବ୍ୟାଗଟା ଖଟ ଉପରେ ଥୋଇଦେଇ ଏଘର ସେ ଘର ଖଟ ତଳେ ଯାଇ ଦେଖିଲି । ଆମ ବେଡ଼ରୁମ ଖଟ ତଳେ ଡରରେ ଜାକିଜୁକି ହୋଇ ଶୋଇ ରହିଥାଏ ଗାଢ଼ ମାଟିଆ ଏବଂ ସୁନେଲି ମିଶାମିଶି ରଙ୍ଗର ଗୁଲୁଗୁଲିଆ ଡଉଲଡାଉଲ କୁକୁର ଛୁଆଟିଏ । ଅଚିହ୍ନା ଲୋକ ଏବଂ ଅଚିହ୍ନା ଘରକୁ ନିଜ ମାଆ ଏବଂ ଭାଇଭଉଣ ମାନଙ୍କୁ ଛାଡି କରି ଆସିଥିବାରୁ ବୋଧହୁଏ ଦୁଃଖରେ ଥାଏ ଏବଂ ଡରିଯାଇଥାଏ । ଆମକୁ ମଧ୍ୟ ଆମ ପରିବାର ଠାରୁ କେହି ଯଦି ଦୂରେଇ ନେବ ଆମେ‌ ମଧ୍ୟ‌ ସେପରି ଅନୁଭବ କରିବା ସ୍ବାଭାବିକ । କାଚ ଗୁଲି ପରି ଚକ୍ ଚକ୍ କରୁଥିବା ଆଖି ଯୋଡ଼ିକରେ ସେ ମୋ ଆଡ଼କୁ ଚାହିଁ ଥାଏ । ଧିରେଧିରେ ସେ ନିଜର ନାକ ଉଠାଇ ମୋ ବାସ୍ନାକୁ ଆଘ୍ରାଣ କରିବାକୁ ଲାଗିଲା । ମୁଁ ତାର ପୁରୁଣା ମାଲିକ କି ନୁହେଁ ସେ ତାର ଆଘ୍ରାଣ ଶକ୍ତି ଦ୍ଵାରା ଜାଣିବାକୁ ଚେଷ୍ଟା କରୁଥିଲା ବୋଧହୁଏ । 

 

ସ୍କୁଲରୁ ଫେରିଲା ବେଳକୁ ମୋତେ ଭୀଷଣ ଭୋକ ହେଉଥାଏ । ପେଟରେ ମୂଷାମାନେ ଯେମିତି ତାଣ୍ଡବ କରୁଥାନ୍ତି । କିନ୍ତୁ ଘରକୁ ଆସି ଏହି ନୂତନ ସଦସ୍ୟ କୁ ଭେଟିବା ପରେ ମୁଁ ଭୋକ ଶୋଷ ସବୁ ଭୁଲିଗଲି । ବୋଉ ଖାଇବା ବାଢ଼ି ମୋତେ ପାଟି କରି ଡାକୁଥାଏ .. ମୁଁ ଅବା କାହିଁକି ଶୁଣିବି! ମୋତେ ମୋ ସାଙ୍ଗ ମିଳିଯାଇଥାଏ । ମୁଁ ତାକୁ ଆଉଁସି ବାରେ ଏବଂ ଗେଲ କରିବାରେ ‌ବ୍ୟସ୍ତ ଥାଏ । ସ୍କୁଲ ଡ୍ରେସ୍ ପାଲଟିବାକୁ ଭୁଲିଯାଇଥାଏ । ବୋଉ ଗାଳି ଦେବାରୁ ଶେଷରେ ତାକୁ ଛାଡି ମୁଁ ଖାଇବାକୁ ଗଲି । କିନ୍ତୁ ଖାଉ ଖାଉ ‌ବୋଉକୁ କେବଳ ତା ବିଷୟରେ ପଚାରୁଥାଏ । ବୋଉ ବାପା ତାକୁ କେମିତି ଆଣିଲେ? ସେ ଗାଡ଼ିରେ କେମିତି ଆସିଲା? କଣ ଖାଇଲା? ସେ ଖଟ ତଳୁ କାହିଁକି ବାହରୁନି ? କେତେବେଳେ ବାହାରିବ? ଇତ୍ୟାଦି ଇତ୍ୟାଦି । ବୋଉ ମୋତେ କହିଲା, ବାପା ତାକୁ ସ୍କୁଟି ଆଗରେ‌ ବସେଇ କରି ଆଣିଲେ ... ଆଉ ସେ ଗାଡିରୁ ଓହ୍ଲାଇବା ବେଳେ ଡରି କରି ପରିଶ୍ରା କରିଦେଲା । ମୁଁ ତାକୁ କ୍ଷୀର ପିଇବାକୁ ଦେଇଥିଲି । ସେ ପିଇ କରି ଶୋଇଛି । ଆଜି ନୂଆ କରି ଆସିଛି ତାକୁ ଅଲଗା ଲାଗୁଥିବ ଏବଂ ଡର ମଧ୍ୟ‌ ଲାଗୁଥିବ, ତେଣୁ ସେ ଖଟ ତଳେ ଲୁଚିକରି ବସିଛି । ମୁଁ ଖାଇ ସାରିଲେ ଆମେ ତାକୁ କ୍ଷୀର ଭାତ ଖୁଆଇବା । 

ଆମେ ଖାଇସାରିବା ‌ପରେ ବୋଉ ଗୋଟିଏ ଗିନାରେ କ୍ଷୀର ଭାତ ଆଣିଲା । ମୁଁ ତାକୁ ଖଟ ତଳୁ ବାହାର କରି ଆଣିଲି । ସେ ବହୁତ ଚାଲାକ ଥାଏ । ସବୁ କ୍ଷୀର ତକ ଚାକୁଚାକୁ‌‌ କରି ପିଇଦେଲା ଏବଂ ଭାତକୁ ଛାଡ଼ିଦେଲା । ତାପରେ ଲାଞ୍ଜ ହଲାଇ କନକନ ହୋଇ ବୋଉ ପାଖକୁ ଓ ମୋ ପାଖକୁ ଆସି ଘଷିନେସି ହେଲା । ତାପରେ ସବୁ ରୁମ୍ କୁ ଶୁଙ୍ଘି କରି ବୁଲି ଦେଖିଲା । ସେ ଚାଲିବା ବେଳେ ଅଣ୍ଟା ହଲାଇ ଏକ ଭଙ୍ଗୀରେ ଚାଲୁଥାଏ... ସତେ ଯେମିତି କ୍ୟାଟ୍ ୱକ୍ କରୁଛି । ବୋଉ ଓ ମୁଁ ତା ଚାଲି ଦେଖି ହସି ହସି ଗଡି ଗଲୁ । 

ଏବେ ତାର ନାମକରଣ ସମୟ ଆସିଲା । ତାର ପୁରୁଣା ମାଲିକ ତା ନାଆଁ ଦେଇଥାନ୍ତି ' ମଧୁ' ଯାହାକି ମୋ ବଡ଼ ଭଉଣୀର ନାଆଁ ଥାଏ । ତେଣୁ ସେ ନାଆଁରେ ତ ଆମେ ଆଉ ଡାକିପାରିବୁନି । ତେଣୁ କଣ ନାଆଁ ଦିଆଯିବ ସମସ୍ତେ ଭାବିବାକୁ ଲାଗିଲେ । ସେତେବେଳେ ଘରେ ମୁଁ,ବାପା ଓ‌ ବୋଉ କେବଳ ଥାଉ । ଦିଦି ଭାଇ +୨ ପଢୁଥାନ୍ତି ଏବଂ କୋଚିଙ୍ଗ କ୍ଲାସ ଘରଠାରୁ ବହୁ ଦୂରରେ ଥିବାରୁ ମେସରେ ରହି କୋଚିଂ କରୁଥାନ୍ତି । ରବିବାର ଦିନ ଘରକୁ ଆସନ୍ତି । ମୁଁ ଦିଦିକୁ ଫୋନ୍ କରି କହିଲି," ଦିଦି ଜଲଦି ଆସେ,ବାପା ଗୋଟିଏ ଗୁଲୁଗୁଲିଆ କୁକୁର ଛୁଆ ଆଣିଛନ୍ତି । " ଦିଦି ଖୁସି ହୋଇ ତା ପରଦିନ ଆସିବ ବୋଲି କହିଲା । ଦିଦି ଆସିବା ଦିନ ଆମ କୁନି ସଦସ୍ୟ ଖଟ ପାଖରେ ମଳତ୍ୟାଗ କରିଦେଇଛନ୍ତି । ଆଉ ଦିଦି ତାକୁ ଦେଖିବା ପାଇଁ ଏତେ ଉତ୍ସାହିତ ଯେ ତଳକୁ ନଦେଖି ତା ଆଡକୁ ମାଡି ଯାଇଛି ଆଉ ତା ମଳ ଉପରେ ପାଦ ପକାଇଦେଇଛି । କଣ କରିବ ଏବେ ଆଉ କିଛି ବୁଦ୍ଧି ଦିଶିଲାନି ଦିଦିକୁ । ପାଟି କରି ସମସ୍ତଙ୍କୁ ଡାକ ପକାଇଲା । ଏପଟେ ଆମ କୁନି ସଦସ୍ୟ ଦିଦି ଉପରେ ଲାଞ୍ଜ ହଲାଇ ଚଢିଯାଇଛି । ଆମେ ସମସ୍ତେ ଦିଦିର ଏପରି ଅବସ୍ଥା ଦେଖି ହସି ହସି ଗଡି ଗଲୁ । ମୁଁ ଆଉ ମୋ ଭାଇ ତାକୁ ଚିଡ଼େଇବାରେ ଲାଗିପଡିଲୁ । ଦିଦି ତୁ କୁକୁର ଘୁଅ ମାଡ଼ି ଦେଲୁ! ଦୁଇ ମଧୁଙ୍କ ମିଳନ ଏକଦମ୍ ଖାସ୍ ଥିଲା । 

ତାପରେ ଭାଇ ତାକୁ ଚେନରେ ବାନ୍ଧି ବାହାରକୁ ବୁଲାଇବା ପାଇଁ ନେଇଗଲା । ସମସ୍ତେ ତାର କୌତୁକିଆ ଡଉଲଡାଉଲ ରୂପକୁ ଦେଖି ଖୁସି ହୋଇଯାଉଥାନ୍ତି । ଜଣେ ପଡୋଶୀ ଭାଇ ତା ନାଆଁ ପଚାରିବାରୁ ଭାଇ କହିଲା ଏଯାଏଁ ଆମେ ତା ନାଆଁ ଦେଇନୁ । ତାପରେ ସେ ତାର ନାଆଁ ସ୍ୱିଟି ରଖିବାକୁ ତାଙ୍କ ମତାମତ ଦେଲେ । ଆମ ଘରେ ମଧ୍ୟ ସମସ୍ତଙ୍କୁ ନାଆଁଟି ପସନ୍ଦ ଆସିଲା । ସେଦିନ ଠାରୁ ସେ 'ସ୍ୱିଟି' ନାମରେ ପରିଚିତ ହେଲା । କିନ୍ତୁ ଛୋଟ ଛୁଆକୁ ଗେଲରେ ଘରେ ସମସ୍ତେ ଅନେକ ନାମରେ ଡାକିବା ଭଳି ଆମ ଘରେ ମଧ୍ୟ ସ୍ୱିଟି କୁ ସମସ୍ତେ ବହୁ ନାଆଁରେ ଡାକୁଥିଲେ । ବାପା ତାକୁ 'ପଲ୍ଲୀ' କହୁଥିଲେ, ବୋଉ 'ଧନ' ଡାକୁଥିଲା । ପୁଣି ଭାଇ 'ତୁତୁଲି',ଦିଦି ଆଉ ମୁଁ 'ଗୁନୁ' ଡାକୁଥିଲୁ । ଜେଜେମା ଖୁସିରେ ତାକୁ 'ଶିକାରୀ' କହୁଥିଲେ ଆଉ ରାଗିଗଲେ 'ହେଡାଖିଆ' । 



Rate this content
Log in