Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kulamani Sarangi

Drama Tragedy


3.4  

Kulamani Sarangi

Drama Tragedy


ମୋ ବାପା ମୋ ଘର

ମୋ ବାପା ମୋ ଘର

4 mins 323 4 mins 323


ଚେନ୍ନାଇରୁ ଆସିଥିବା ସ୍ପେସାଲ୍ ଟ୍ରେନରୁ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଲା ସୋମନାଥ।ସାଥିରେ ସ୍ତ୍ରୀ ସୁଷମା ଏବଂ ଚାରି ବର୍ଷର ଝିଅ ସୁତପା।ତିନି ଜଣଙ୍କର ମୁହଁରେ ତୁଣ୍ଡି(ମାସ୍କ)।ଝିଅ ବାରମ୍ବାର ତୁଣ୍ଡି ବାହାର କରି ଫିଙ୍ଗି ଦେଉଛି... ଖାଇବାକୁ ଦେ ବୋଲି ପାଟି କରୁଚି।ସୁଷମା ବାରମ୍ବାର ତା ମୁହଁରେ ମାସ୍କ ଆଣି ଲଗାଉଚି...ଛୋଟ ପିଲା କଣ ବୁଝୁବ ସେ କୋରୋନା ସାବଧାନତା ବିଷୟରେ?ପେଟରେ ତାର ଭୋକ...ତାକୁ ଖାଦ୍ୟ ଦରକାର। ମାସ୍କ ନଫିଙ୍ଗିବାକୁ କହି ବିରକ୍ତ ହୋଇ ସୁଷମା ଚାରୋଟି ଉତ୍ତମ ମଧ୍ୟମ ଛେଚି ଦେଇଛି ତା ପିଠିରେ।ସୁତପାର ଭେଁ ଭେଁ ରଡିରେ ପ୍ଳାଟଫର୍ମ କମ୍ପି ଉଠିଛି।


ବିରକ୍ତ ହୋଇ ସୋମନାଥ କହିଲା...କଣ ପିଲାଟାକୁ ସମ୍ଭାଳି ପାରୁନ ? କାହିଁକି ରଡୁଚି ସିଏ?

ଭୋକରେ ସୁଷମାର ପେଟ ମଧ୍ୟ ଜଳୁଛି...ଛାଡିଲାନି ସେ।କହିଲା...ହଉ ସମ୍ଭାଳ ତୁମ ପିଲାକୁ।ବାପ ଝିଅ ଦିହିଙ୍କି ଦିହେଁ...ଖାଇଯାଉନ ମତେ।ଖାଇବି ଖାଇବି କହିଲେ କୁଆଡୁ କ'ଣ ଆଣି ଖାଇବାକୁ ଦେବି ତାକୁ?


ସୋମନାଥ କିଛି କହିଲା ନାହିଁ।ଭାବିଲା....ସତକଥା,କାଲି ରାତିରେ ଟ୍ରେନରେ ଯାହା କିଛି ପ୍ୟାକେଟ ଖାଦ୍ୟ ମିଳିଥିଲା।ଆଜି ସକାଳ ଦଶଟା ହେଲାଣି।ତା'ନିଜର ତ ପେଟ ଜଳିଲାଣି,ସୁତପା ତ ଅବୋଧ ଛୁଆ।  


ଷ୍ଟେସନରେ କିଛି ମାସ୍କଧାରୀ ସ୍ବେଚ୍ଛାସେବୀ ଖାଦ୍ୟ ପ୍ୟାକେଟ ଧରି ପହଞ୍ଚିଲେ।ତିନୋଟି ପ୍ୟାକେଟ ସେମାନଙ୍କ ହାତରୁ ନେଇ ପ୍ଲାଟଫର୍ମର ସିମେଣ୍ଟ ବେଞ୍ଚ ଉପରେ, ସ୍ତ୍ରୀ ଓ ଝିଅ ସହିତ ବସିଲା ସୋମନାଥ।


ପେଟକୁ ଖାଦ୍ୟ ଯିବାପରେ ସୁତପା'ର କାନ୍ଦ ବନ୍ଦ ହେଇଯାଇଛି। 

ଭାବୁଥିଲା ସୋମନାଥ....ଏହାପରେ କଣ? କେଉଁ କ୍ବାରାଣ୍ଟାଇନ୍ ସେଣ୍ଟରକୁ ସେମାନଙ୍କୁ ପଠାଯିବ ଜଣାନାହିଁ।ପାଖରେ କାଣି କଉଡିଟିଏ ବି ନାହିଁ...କପର୍ଦ୍ଦକଶୂନ୍ୟ ସେ।ତା ପରିବାରର ଜୀବନ-ମୃତ୍ୟୂ,ସବୁ ନିର୍ଭର କରେ ଏହି ସ୍ବେଚ୍ଛାସେବୀ କରୋନା ଯୋଦ୍ଧାଙ୍କ ଉପରେ।


ପାଖରେ ଠିଆ ହୋଇଥିବା ଜଣେ କରୋନା ଯୋଦ୍ଧାଙ୍କୁ ସୋମନାଥ କାକୁତି ମିନତି ହୋଇ କହିଲା...ମୋ ପରିବାରକୁ ଗୋଟିଏ କ୍ବାରାଣ୍ଟାଇନ ସେଣ୍ଟରରେ ରଖିବ।ନହେଲେ ମତେ ନଦେଖି କାନ୍ଦି କାନ୍ଦି ଛୋଟ ଛୁଆଟା ମୋର ମରିଯିବ।

ଏସମୟରେ ଜଣେ ଖାକି ଯୋଦ୍ଧା ହାତରେ ରେଜିଷ୍ଟ୍ରେସନ କାଗଜ ସହିତ ପହଞ୍ଚି ପଚାରିଲେ.... ନାଁ କଣ ତୁମର ?ଘର କେଉଁ ଠାରେ?


 ନିଜ ନାଁ କହିବା ପରେ ସୋମନାଥ କହିଲା...ଆଜ୍ଞା, ଗାଁ ସୁଜନପୁର, ବାଘମାରି ଠାରୁ ପାଞ୍ଚ କିଲୋମିଟର ଦୂର....ମଫସଲ ଗାଁ।


ଖାକି ବାବୁ କହିଲେ... ତାହେଲେ ତମକୁ ଖୋର୍ଦ୍ଧାରେ କ୍ବାରାଣ୍ଟାଇନ୍ ସେଣ୍ଟରରେ ରହିବାପାଇଁ ପଡ଼ିବ।ଚାଲ, ବାହାରେ ଗାଡିରେ ବସ। ନିର୍ଦ୍ଦିଷ୍ଟ ବସରେ ନବସି କୁଆଡେ ଏଣେ ତେଣେ ଯିବ ତ ପିଚାରେ ପାହାର ବସିବ।


କ୍ବାରାଣ୍ଟାଇନ ସେଣ୍ଟରରେ ସୋମନାଥ ଏବଂ ତା ପରିବାରକୁ ଗୋଟିଏ ସ୍ବତନ୍ତ୍ର କୋଠରୀ ମିଳିଲା।ଦି'ପହର ଖିଆପିଆ ପରେ ସୋମନାଥ ବିଶ୍ରାମ ନେଉ ନେଉ ସୁଷମାଙ୍କୁ କହିଲା... ଭବିଷ୍ୟତ ଆମର ଅନ୍ଧକାର ମୟ ସୁଷମା,ଏବେ କ'ଣ କରିବା?


ସୁଷମା କହିଲା...ଯାହା ହେଇଯାଉ ପଛେ ମୁଁ ତୁମ ଘରକୁ ଆଉ ଯିବି ନାହିଁ।ସେ ମାଟି ମାଡିବି ନାହିଁ ବୋଲି ଶପଥକରି ମୁଁ ଗାଁ ଛାଡିଥିଲେ,ନିଜ ଛେପ ପୁଣି ଥରେ ଗିଳିବି କିପରି ?


କିଛି କହିଲାନି ସୋମନାଥ।ମନେ ପଡ଼ିଲା ତାର ତିନିବର୍ଷ ତଳର କଥା।ଶାଶୁ ବୋହୂଙ୍କ ଝଗଡ଼ା ପରଠାରୁ ସ୍ତ୍ରୀ ଓ ବର୍ଷକର ଝିଅକୁ ଧରି ଗାଁ ଛାଡିଥିଲା ସୋମନାଥ ଯେ ଏଇ ପ୍ରଥମ ଥର ପାଇଁ ଫେରୁଛି।ଝଗଡାର ଚିତ୍ର ଜଳ ହେଇ ଆଖି ଆଗରେ ଭାସିଗଲା ସୋମନାଥର।

ଘରେ ରହନ୍ତି ତାର ବୁଢ଼ା ବାପା,ବୋଉ ଏବଂ ସାନଭାଇ ଜଡା-ବେଡା(ଖନା ଓ କାଲା) ବଦ୍ରିନାଥ।ବାପା ଅବସର ପ୍ରାପ୍ତ ସରକାରୀ ସ୍କୁଲ୍ ପିଅନ।ପେନସନ ପାଆନ୍ତି ଆଠ ଦଶ ହଜାର।ଆଇଟି ଆଇ ପାଶ କଲାପରେ ସୋମନାଥ ଆଖପାଖ ଗାଁରେ ଟିଭି ମରାମତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲା।ଏହା ଭିତରେ ତା'ର ପ୍ରେମ ହୋଇଥିଲା ଗାଁ ସରପଞ୍ଚଙ୍କ ଝିଅ ସୁଷମା ସହିତ।ବାହାଘର ପରେ ସଂସାରକୁ ଆସେ କୁନି ଝିଅ ସୁତପା।ଝିଅ ଜନ୍ମ ହେବାପରେ ଖର୍ଚ୍ଚ ବଢେ... ଟିଭି ମରାମତିରୁ ମିଳୁଥିବା ରୋଜଗାର ଯଥେଷ୍ଟ ହୁଏନାହିଁ।


ଆରମ୍ଭ ହୁଏ ସୁଷମାର ଅଭିଯୋଗ...ବାପା ତାଙ୍କ ପେନସନରୁ ଅଧା କାହିଁକି ଦେବେ ନାହିଁ? ବଦ୍ରିନାଥ ତ ବେକାର,ସେ କାହିଁକି ବିନା ରୋଜଗାରରେ ଗିଳିବ ? ଇତ୍ୟାଦି..


ସୋମନାଥ କହିଥିଲା...ବାପାଙ୍କ ପେନସନରେ ଆମର କି ଅଧିକାର ଅଛି?..ତାଙ୍କ ରୋଜଗାର ତାଙ୍କର।

କିନ୍ତୁ ଯେତେ ବୁଝାଇଲେ ମଧ୍ୟ ବୁଝିଲା ନାହିଁ ସୁଷମା।ଏକଥା ବୋଉ କାନରେ ପଡ଼ିବାପରେ ଶାଶୁ ବୋହୂଙ୍କ ଭିତରେ ତୁମୁଳ କାଣ୍ଡ। ସୁଷମାର ବାପଘର ମଧ୍ୟ ନିଆଁରେ ଘିଅ ଢାଳିଲେ।ଶେଷରେ ସୁଷମାର ଏକା ଯିଦ୍ ସେ ଘରେ ରହିବ ନାହିଁ।


ବାପାଙ୍କ କାନକୁ ଏକଥା ଗଲା।ବାପା କହିଲେ...ଏଇ ସାମାନ୍ୟ କଥାକୁ ଏତେ ମୁହଁ ଫୁଲାଫୁଲି? ଆଜିଠାରୁ ମୋ ଏଟିଏମ୍ ସୋମନାଥ ହାତରେ।ମନ ଖୁସି ତ ବୋହୂ ?


କିନ୍ତୁ ଶାଶୁ-ବୋହୂ ଝଗଡ଼ା ପରେ ସୁଷମା ଏପ୍ରକାର ଯୁଦ୍ଧବିରାମ ପାଇଁ ରାଜି ନଥିଲା।ଯିଦ୍ କରି ସେ ବାପ ଘରକୁ ଚାଲିଗଲା।

ଯୋଗକୁ ସେତେବେଳେ ଚେନ୍ନାଇରେ ଗୋଟିଏ କମ୍ପାନୀରେ ସୋମନାଥକୁ ଚାକିରିଟିଏ ମିଳଗଲା।ସେ ସମୟରୁ ସୁଷମା ତା ସହିତ ଗାଁ ଛାଡିଥିଲା ଯେ ଆଜି ହିଁ ଫେରୁଛି।


ସୋମନାଥର ଭାବନାରେ ବାଧାଦେଇ ସୁଷମା କହିଲା... କ୍ବାରାଣ୍ଟାଇନ ପରେ ମୁଁ ଝିଅକୁ ନେଇ ଆମ ଘରକୁ ଯିବି, ତମେ ତମ ଘରକୁ।

ସୋମନାଥ ରାଗିବ କି ହସିବ ଜାଣି ପାରିଲାନି, କହିଲା... କରୋନା ସିନା ମୋର ଚାକିରି ଖାଇଗଲା,ତମେ ତ ମୋର ସମ୍ପର୍କ ଖାଇ ଯାଇଚ। କେଉଁ ମୁହଁରେ ମୁଁ ଘରକୁ ଯିବି ?ଚାଲ ବିଷ ଟିକିଏ ଟିକିଏ ଖାଇଦେବା, ସବୁଦିନ ପାଇଁ ଶାନ୍ତି ମିଳିଯିବ।


ଏଥର ଭୀଷଣ ରାଗିଗଲା ସୁଷମା।କହିଲା...ସବୁ ତ ମୋରି ଦୋଷ।ସେ ଯା'ହେଉ ମୁଁ ତୁମଭଳି ପଳାତକ ନୁହେଁ ଯେ ବିଷ ଖାଇବା କଥା ଚିନ୍ତା କରିବି।ମୋ ବାପା ଭାଇ ମତେ ଜୀବନ ସାରା ପୋଷି ପାରିବେ।ତମେ ତମ କଥା ଚିନ୍ତା କର।


ସୋମନାଥ କିଛି କହିଲା ନାହିଁ।ଭାବିଲା.....ଏହି ତଥାକଥିତ ଅର୍ଦ୍ଧାଙ୍ଗିନୀଟି ଯଦି ମନର ସଙ୍କୀର୍ଣ୍ଣତାକୁ ଟିକିଏ ଦୂରେଇ ଦେଇ ସହଯୋଗ କରିଥାନ୍ତା ତାହେଲେ ତାକୁ ସୁଦୂର ଚେନାଇଯାଇ ଏତେ ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା।ଶାଗପେଜ ଖାଇ, ଗାଁ ରେ ଜମି ଚାରିମାଣ ଚାଷକରି,ତାସାଙ୍ଗକୁ ବୈଷୟିକ ଜ୍ଞାନପ୍ରାପ୍ତ କାମରୁ କିଛି ରୋଜଗାର କରି ବାପା-ମାଆଙ୍କ ସେବାରେ ଆନନ୍ଦରେ ରହିପାରିଥାନ୍ତା।


ଚେନ୍ନାଇ ଯିବା ସମୟରେ ବାପା କେତେ କାନ୍ଦି ଛନ୍ତି।ବର୍ଷକର ନାତୁଣୀ ସୁତପାକୁ କୋଳରେ ଜାକିଧରି କେତେ ଲୁହ ଝରାଇ ଛନ୍ତି ସେ।କହିଛନ୍ତି....ବାବାରେ , ଚେନ୍ନାଇରେ ପଚାଶ ହଜାର ରୋଜଗାର ଗାଁ ର ପାଞ୍ଚ ହଜାର ସହିତ ସମାନ।ଶାଗ ଭାତ ଖାଇ ଖୁସିରେ ଏଠାରେ ରହ।ବୋହୂକୁ ବୁଝା।ବଡ଼ ପୁଅ ତୁ ମୋର।ଆମର ଏ ବାର୍ଦ୍ଧକ୍ୟ ବେଳେ ତୁ ଆମକୁ ଛାଡ଼ିଦେଇ ଯିବା କଣ ଠିକ୍ ହେବ?


ସୁଷମାକୁ କିନ୍ତୁ ବୁଝାଇ ପାରିନାହିଁ ସୋମନାଥ।ଏକ ଆଜ୍ଞାଧୀନ ସ୍ତ୍ର୍ରୈଣ ଭଳି ସେ ସ୍ତ୍ରୀ ସହିତ ଚାଲିଯାଇଛି।ଆଜି କରୋନା ମାଧ୍ୟମରେ ଭଗବାନ ତାକୁ ସମ୍ପର୍କର ମହତ୍ଵ ବିଷୟରେ ଚେତାଇ ଦେଇଛନ୍ତି।


ଚଉଦ ଦିନର କ୍ବାରାଣ୍ଟାଇନ୍ ଚଉଦ ବର୍ଷ ଭଳି ଲାଗିଛି ତାକୁ।ଚଉଦ ଦିନ ପରେ ସୁଷମାକୁ ତା ବାପଘରେ ଛାଡ଼ିବା ପାଇଁ ଯାଇଛି ସୋମନାଥ। ସେମାନଙ୍କୁ ଘରେ ପୁରେଇ ନାହାଁନ୍ତି ଶଶୁର ଘର ଲୋକ। ଶଶୁର ଏବଂ ଶଳା କହିଛନ୍ତି... ଚେନ୍ନାଇରୁ ଆସିଛ,ତୁମ ମାନଙ୍କ ଦେହରେ କୋରୋନା ଥିବ।ପାହାଚ ତଳେ ରହ। 

କ୍ବାରାଣ୍ଟାଇନ ହୋଇଛି ଶୁଣି ଶାଶୁ କହିଛନ୍ତି...କି ଛେନାଗୁଡ ସିଏ ମୁଁ ଜାଣିନି,ତୁ ତୋ ଶାଶୁଘରକୁ ଯାଆଲୋ ମା।ବେଳା ଖରାପ।କୁଆଡୁ କି ରୋଗ ନେଇକି ଆସିଥିବ କିଏ ଜାଣେ ଲୋ ମା।ଶାଶୁଘର ଯା। ବାହାଘର ପରେ ସେଇ ହିଁ ତୋର ଘର।

ସୁଷମାର ଆଖିରୁ ଦିଟୋପା ଲୁହ ଝରି ଯାଇଛି।


ସ୍ତ୍ରୀ ଓ ଝିଅକୁ ଧରି ସୋମନାଥ ନିଜ ଘର ମୁହାଁ ହୋଇଛି।ଦୂରରୁ ଦେଖି ବେଡା ବଦ୍ରିନାଥ ଦଉଡ଼ି ଆସି ଗୋଡ଼ ତଳେ ପଡ଼ିଯାଇଛି।ପାଖରୁ ଝିଅକୁ ଭିଡ଼ିନେଇ ଚୁମା ଉପରେ ଚୁମା ଦେଇ ଚାଲିଛି।ବାପା ସୋମନାଥକୁ କୁଣ୍ଢେଇ ପକେଇଛନ୍ତି;ବୋଉ ସୁଷମାକୁ କୋଳେଇ ନେଇ କପାଳରେ ଚୁମା ଆଙ୍କି ଦେଇ କହିଛି...ପାଗେଳୀଟା କେମିତି ଏତେ ଦିନ ଅଲଗା ହେଇ ରହିଲୁ?ଆଉ କୁଆଡେ ଛାଡିବିନି ତତେ।


ସୁଷମା ଆଖିରୁ ଧାରଧାର ଲୁହ ବୋହିଯାଉଛି....ଅନୁତାପର ଅଶ୍ରୁ.... କଇଁ କଇଁ ହୋଇ କାନ୍ଦୁଛି ସୁଷମା।କହିଛି.... ନାଁ ବୋଉ ମୁଁ ତୁମକୁ ଛାଡି ଆଉ କୁଆଡେ ଯିବି ନାହିଁ।ତୁମ ପାଖରେ ସବୁଦିନ ପାଇଁ ରହିବାକୁ ଆସିଛି।ପର କିଏ ଆପଣା କିଏ ଆଜି ମୁଁ ଠିକ୍ ଚିହ୍ନି ପାରିଛି ବୋଉ।


Rate this content
Log in

More oriya story from Kulamani Sarangi

Similar oriya story from Drama