Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ABhimanyu Panda

Drama Tragedy

3  

ABhimanyu Panda

Drama Tragedy

ମଲା ମନ

ମଲା ମନ

10 mins
250



ନୂଆନୂଆ ଯାଗା ବୁଲିବା ଏବଂ ନୂଆନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କର ଜୀବନ ଶୈଳୀକୁ ଅତି ନିକଟରୁ ଦେଖିବା ମୋର ଯେମିତି ଗୋଟେ ପ୍ରକୃତି ଏହି କ୍ରମରେ ପହଞ୍ଚିଗଲି ଗୋଟେ ସହରରେ । ନାଇଁ ସହର ନୁହେଁ ମହାନଗରରେ । 

ଏ ମହାନଗରର ଜୀବନଶୈଳୀ ବି ବିଚିତ୍ର । ସମ୍ପର୍କ ପ୍ରାୟ ଔପଚାରିତା । ମୁଁ ରହୁଥିବା ଏକ ସୁଉଚ୍ଚ ଅଟ୍ଟାଳିକାରେ ଯାହା କମ୍ପାନୀ ପ୍ରଦତ୍ତ ଥିଲା , ମୋ ଘରର ସାମ୍ନାରେ ଅର୍ଥାତ ମୋ ପଡ଼ୋଶୀ ଥିଲେ ମୋର ଜଣେ ସମବୟସ୍କ ଯୁବକ । ତିନିମାସ ବିତିଗଲା ପରେ ମଧ୍ୟ ଆମ ଭିତରେ କଥାବାର୍ତ୍ତା ତ ଦୂର ହାଏ , ହେଲୋ ବି ହେଇନଥିଲା । ଅନେକ ବାର ସାମ୍ନାସାମ୍ନି ହେଇଛୁ , ପ୍ରତିଥର ଅଭିବାଦନ କରିବାକୁ ଚେଷ୍ଟା ମଧ୍ୟ କରିଛି , ହେଲେ ମୋ ପଡ଼ୋଶୀଙ୍କର ରୁକ୍ଷତା ମୋତେ ପ୍ରତିଥର ଦୁଃଖି କରେ ।

ଦିନେ ସନ୍ଧ୍ୟାରେ ଆମର ଘରକୁ ଫେରିବାର ସମୟ ପ୍ରାୟ ସମାନ ଥିଲା । ସେଦିନ ମୋ ପଡ଼ୋଶୀ ଜଣକ ସାମାନ୍ୟ ଅସୁସ୍ଥ ଲାଗୁଥାନ୍ତି । 


କଣ ଦେହ ଭଲ ନାହିଁକି !? 


ପ୍ରଥମ ଥର ସେ ମୋ ଆଡ଼କୁ ଚାହିଁଲେ ହସହସ ମୁହଁରେ ତାଙ୍କ ଦେହ ଖରାପ ଥିବା ସତ୍ତ୍ୱେ । ମୁଁ ତ ସୁଯୋଗଟିଏ ଉଣ୍ଡୁ ଥିଲି ତାଙ୍କ ସହିତ ସମ୍ପର୍କ ବଢ଼େଇବାକୁ , କଥା ହବାକୁ । ଏ ମହାନଗରର ଭିଡ଼ରେ ଏକାକୀପଣ ବୋଝିଲା ବୋଝିଲା ଲାଗେ ସତରେ । ବେଶି ନହେଲେ ଜଣେ ଦୁଇଜଣ ବନ୍ଧୁ ତ ରହିବାର ଅଛି । ଗପିବାକୁ , ପେଗରେ ଗ୍ଲାସ ବାଡେ଼ଇବାକୁ । ଦିନସାରା କାମର ବୋଝରେ ମନରେ ଥିବା ଚିଡିଚିଡ଼ା ପଣକୁ ହାଲକା କରିବାକୁ ବି ଜଣେ ବନ୍ଧୁ ଆବଶ୍ୟକ । ଧିରେ ଧିରେ ବନ୍ଧୁତା ବଢିଚାଳିଲା ଆମ ଭିତରେ । 

ସେ ମୋର କାମ , କମ୍ପାନୀ , ଘର ପରିବାର ସବୁ ପଚାରି ବୁଝିଲେ । ଆମ ସମ୍ପର୍କ ଟା ଖୁବ କମ ଦିନରେ ଆପଣରୁ ଆରମ୍ଭ ହୋଇ ତୁ ପର୍ଯ୍ୟନ୍ତ ଆସି ସାରିଥିଲା । ସବୁଦିନ ନହେଲେ ବି ସପ୍ତାହରେ ଦୁଇତିନି ଦିନ ଗ୍ଲାସ ବାଡ଼େଇ ହେଇଯାଉଥିଲା । କେବଳ ଦୁଇଜଣଙ୍କ ଭିତରୁ କେହିଜଣେ କଥାଟାକୁ ଉକାରୀ ଦେଲେ ହେଲା । ଗିଲାସ ବାଡ଼େଇବାକୁ ବାହାନା ଟିଏ ଦରକାର । 

ତାଙ୍କ କାମ ବିଷୟରେ କିନ୍ତୁ ମୋର ସନ୍ଦେହ ଥିଲା । ଥରେ ଦୁଇଥର ପଚାରିଛି ମଧ୍ୟ ତାଙ୍କୁ ନୀରବ ଓ ଅସହଜ ଦେଖି ବେଶି ଜୋରଦେଇ କେବେ ପଚାରିନି । କିନ୍ତୁ ତାଙ୍କ ଜୀବନ ଶୈଳୀ ତୁଳନାତ୍ମକ ଭାବେ ମୋ ଠାରୁ ଉନ୍ନତ ଥିଲା । ଦେଖିବାକୁ ବି ସୌମ୍ୟ ସୁନ୍ଦର ବଳିଷ୍ଠ ଓ ଆକର୍ଷକ ବ୍ୟକ୍ତିତ୍ୱର ଅଧିକାରୀ ସେ । 

ଦୁଇ ସମୟବୟସ୍କଙ୍କ ଭିତରେ ନିବିଡ଼ତା ହେଲେ ସବୁ କଥା ଭିତରେ ସେକ୍ସହିଁ ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ହୁଏ । କହିବାକୁ ଗଲେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ କଥା ଆରମ୍ଭ ହେଲେବି କଥା ଶେଷ ହୁଏ ସେକ୍ସ ବିଷୟରେ ଆଲୋଚନା କରି । ବୟସଟା ବି ଦୁହିଁଙ୍କର ଜୁଆରୀଆ । ମାନେ ମାଡ଼ିଗଲା ଭଳି । ଏଠି ବି ବ୍ୟତିକ୍ରମ ! 

ମୋ ବନ୍ଧୁ ଜଣକ ସେ ବିଷୟରେ କଥା ହବାକୁ ବେଶି ପସନ୍ଦ କରନ୍ତିନି । ତାକୁ ବହୁତ କଥା ଆକ୍ଷେପ କରି କହେ ମଧ୍ୟ । ହଁ ହଁ ତୁ ତ ଗୋରା ଚିଟା ଛଇ ଛାଡ଼ିଆ ଟୋକାଟିଏ ତୋର କେତେ ଥିବେ । ଦିନସାରା ତ ଯେତେବେଳେ ଦେଖିଲେ ଫୋନରେ ବ୍ୟସ୍ତ ତୁ ଝିଅମାନଙ୍କ ସହିତ । ନିଜେ ହାଲକା ହେଇଯାଉଛୁ ତ ମୋ କଥା କାହିଁକି ଭାବିବୁ ? ତୋ ଭଳି ହ୍ୟାଣ୍ଡସମ ପିଲା ସହିତ ସାଙ୍ଗ ହେଇକି ମୋର କଣ ଲାଭ କହିଲୁ ? 

ବନ୍ଧୁମୋର ମୋର ହସିଦିଏ । କେବେ ରାଗରୁଷା ହେଇନୁ ଆମେ । କିନ୍ତୁ ସବୁଦିନ ମୋର ଏମିତି କହିବାଟା ଧାର୍ଯ୍ୟ । କେବେକେବେ ମୋତେ ନାଲିବତୀ ଏରିଆରୁ ବୁଲେଇ ଆଣିବାକୁ କୁହେ ଜୋର ହସିହସି । 


ହଉ ଥାଉ ଥାଉ ତୋ ପାରିବା ପଣିଆ । ଏତେବି ଲୋ ଷ୍ଟାଣ୍ଡର୍ଡ ନୁହେଁ ମୋର । ଏତେ ରଙ୍ଗ ବେରଙ୍ଗିର ଫୁଲରେ ଝିଲମିଲ ଏ ସହର । ସେ ଫୁଲ ସବୁର ବାସ୍ନାରେ ମୁଁ ବିଭୋର । ହେଲେ ଅବହେଳିତ ଭଅଁର ପରି ମୋ ଅବସ୍ଥା । 


ବାପରେ ଏତେ ଦରଦ ତୋ ମନ ଭିତରେ ସାଥିଟିଏ ଲାଗି !? 


ରଖ ତୋ ସମବେଦନା ତୋ ପାଖରେ । ବନ୍ଧୁର ଦରଦ ଦେଖି ଯାହାର ହୃଦୟ ତରଲୁନି କଣ ଆଉ କହିବି ତାକୁ ? ମୋର ତ କପାଳଟା ଫଟା । କିଛି ସମୟ ନୀରବ ରହି ପୁଣି ନେହୁରା ହୁଏ , ଫୁଲଟିଏର ଯୋଗାଡ଼ କରେ ମୋ ପାଇଁ । ତୁ ଫୁଲ ଉଦ୍ୟାନରେ ରାଜା ଭଅଁର । ତୋର ସାଙ୍ଗ ହେଇକି ମୁଁ ନିରାଢାଳ ଉପାସ । ମଧୁର ବୁନ୍ଦାଟିଏ ପାଇଁ ଝୁରୁଛି ମୁଁ । ତୋତେ ଲାଜ ଲାଗିବା କଥା । ଦୁଇ/ତିନି ପେଗ କଣ୍ଠସ୍ଥ , ଗର୍ଭସ୍ଥ ହେଲେ କଥାମୋର ଅଶ୍ଳୀଳତାର ଶେଷେସୀମାର ଆରପାରିକୁ ଚାଲିଯାଏ । ଏ ସବୁ ଥରର କଥା । 

ଗୋଟିଏ କଥା ଲକ୍ଷ୍ୟ କରିଛି ସାଙ୍ଗ ମୋର ଏ କଥାବାର୍ତ୍ତାର ନଗ୍ନତାରେ ନୀରବ ହୋଇଯାଏ । କେବଳ ଶୁଣେ , କେବେ ମୁରୁକି ହସା ତ କେବେ ପୁଣି ଭାବିଶୁନ୍ୟ ଲାଗେ ତାର ସେ ଚନ୍ଦ୍ର ଉଦିଆ ମୁହଁଟା । ହେଲେ ମୁଁ ମୋ କାମରେ ଲାଗିରହେ । କହିଚାଲେ , କହିଚାଲେ ସେଇ ଗୋଟିଏ କଥାକୁ ନାନା ରଙ୍ଗରେ ନାନା ଭଙ୍ଗୀରେ ।


ଦିନକର ଘଟଣା ଦିନେ ସନ୍ଧ୍ୟାରେ ମୁଁ ଘରକୁ ଫେରିଲା ବେଳେ । ତା ଘର ଭିତରୁ ଜଣେ ନାରୀର ଉଚ୍ଚ ସ୍ୱର ଶୁଣିବାକୁ ପାଇଲି । ସେ କୋକିଳ କଣ୍ଠି ଆଶ୍ରାବ୍ୟ ଭାଷାରେ ଗାଳି କରୁଥାନ୍ତି ଯାହା ତାଙ୍କ କଣ୍ଠକୁ ଶୋଭା ପାଉନଥିଲା । ମା , ଭଉଣୀ ବି ବାଦ ପଡ଼ୁନଥିଲେ ତାଙ୍କ ଗାଳିରେ । ଜଣେ ନାରୀ ଏମିତି ବି ଗାଳି ଦେଇପାରେ !! ମୋ ସାଙ୍ଗର କୌଣସି କଥା ଶୁଭୁ ନଥିଲା ବାହାରକୁ । ସେ ନୀରବ ଥିଲା । ସେସମୟରେ ମୁଁ ଭିତରକୁ ଯିବାକୁ ଠିକ ମଣିଲିନି । ମୋ ଘରର କବାଟ ଖୋଲାରଖି ଅପେକ୍ଷା କଲି ସେ ନାରୀ ଜଣଙ୍କର ଯିବାକୁ ।


 ପ୍ରାୟ ଦଶପନ୍ଦର ମିନିଟ ପରେ ଧଡ଼ କରି କବାଟ ଖୋଲି ଚାଲିଗଲେ ଝଟପଟ ହେଇ । 


ମୁଁ ବି ପଶିଗଲି ମୋ ସାଙ୍ଗର ଘର ଭିତରକୁ । ମୁହଁ ବୁଲେଇ ମୋତେ ଚାହିଁ ମୋ ଉପରୁ ଫେରେଇନେଲା ତାର ଦୃଷ୍ଟି । ସେଇ କେଇଦଣ୍ଡ ଭିତରେ ତା ଆଖିରୁ ଜୀବନ୍ତ ବିଜୁଳିର ତରଙ୍ଗ ଆସି ମୋତେ ଶକ୍ତିହୀନ କରିଦେଲା । 


ପୁରୁଷ ପୁଅ ହେଲେବି ମୋଟା ମୋଟା ଘନ ଭୃଲତା ତଳେ ତାର ସେ କଥା କୁହା ଆଖିଟା ସତେ ରୁକ୍ଷ ହୋଇଯାଇଥିଲା । ହରେଇଥିଲା ତାର କହିବାର ସମସ୍ତ ଶକ୍ତି । ପାଖକୁ ଚାଲିଗଲି । କାନ୍ଧରେ ହାତ ପକେଇଦେଲି ତାର । ଆନମନା ଥିଲା ସେ । ମୋ ଉପସ୍ଥିତି ତାକୁ ଖୁସି ଦେଉନଥିଲା । ବସେଇଦେଲି ତା ହାତ ଧରି ସେଇ ପକ୍କା ଲଙ୍ଗଳା ଚଟ୍ଟାଣ ଉପରେ । ତାରି ସାମ୍ନାରେ ବସିଗଲି । 

ମୁହଁପୋତି ବସିଥାଏ ସେ ସେମିତି । ମାତା ଜାନକୀଙ୍କ ପରି ତା ମନ ବ୍ୟଥିତ ହେଉଥିଲା । ବସୁଧାକୁ ଅନୁରୋଧ କରୁଥିଲା ଆଉଥରେ ବକ୍ଷ ଚିରିଦେବାକୁ ଆଉ କୋଳେଇ ନେବାକୁ ତାକୁ । 


କଣ ହେଇଛି ? ଏ ମହିଳା ଜଣକ କିଏ ? ଏମିତି ମୁଣ୍ଡ ଟେକି ଚାହିଁଲା ମୋତେ । ସିଂହପରି ଲାଲ ଟହଟହ ଛୋଟଛୋଟ ଆଖି ସଜଳ । ନା ସେ କାନ୍ଦୁଥିଲା ନା କ୍ରୋଧ ଥିଲା ନା ଅଭିମାନ ଥିଲା ତା ଆଖିରେ । ହେଲେ କିଛି ହରେଇଦେବାର ବେଦନା ନିଶ୍ଚିତ ଥିଲା ।


 ଉଠିଗଲି ଘରକୁ ମୋର ରଖିଥିବା ବିଦେଶୀ ମହୁଲିର ବୋତଲ ନେଇ ଆସିଲି । ଦେଖିବା ମାତ୍ରେ ଝପଟି ନେଲା ହାତରୁ ମୋର । ଏକା ନିଶ୍ୱାସରେ ଅଧା ବୋତଲ ଶେଷ । 


ଆ ବସ୍ ଏଇଠି । ତୋର କଣ ଦରକାର ସାଥିଟିଏ ? କଣ କରିବୁ ? ତାପରେ ଗାଳି କେଜାଣି କାହାକୁ । ମୋ ଭାବନାକୁ କି ମୋ ପ୍ରକୃତିକୁ ଅବା ନିଜ କାମନାକୁ ଚରିତାର୍ଥ କରିବାକୁ ଯାହାଙ୍କୁ ସାଥି କରିବି ବୋଲି ଭାବୁଥିଲି ସେଇମାନଙ୍କୁ । 


ଜାଣିଛୁ ମୁଁ ବି ତୋରି ପରି ଗୋଟେ ପଲ୍ଲୀ ଅଞ୍ଚଳରେ ଜନ୍ମ ନେଇଥିଲି । ଯେଉଁଠି ସୂର୍ଯ୍ୟୋଦୟର ରକ୍ତାଭ ବର୍ଣ୍ଣର ଦର୍ଶନ କରି ମନରେ ସଂଚାରିତ ହେଉଥିଲା କିଛି କରିଦେଖେଇବାର ନିଶା । ରାତିରେ ଚନ୍ଦ୍ରମାର ଶୀତଳତା ରେ ଭିଜିଭିଜି ସ୍ବର୍ଣ୍ଣିମ ଭବିଷ୍ୟତ ର କଳ୍ପନା କରୁଥିଲି ନିତିନିତି । ଆଖିରେ ଠୁଳ କରିଥିବା ସ୍ୱପ୍ନରେ ଡେଣା ଲଗେଇବାକୁ ଶିକ୍ଷାର ସାଧନାରେ ଲାଗିପଡ଼ିଲି ନିରନ୍ତର ଭାବେ । ସଫଳ ହେଲି । 

ପ୍ରଶଂସା ଶୁଣିଶୁଣି ଭାବୁଥିଲି ମୋର ସ୍ୱପ୍ନ ବାସ୍ତବତାରେ ରୂପାନ୍ତରିତ ନିଶ୍ଚୟ ହେବ । ଖୁବ ପଢ଼ିଲି । ଦିନରାତି ଏକ କରିଦେଲି । ସବୁ ଆଡ଼କୁ ଆଖି ବୁଝିଦେଲି କେବଳ ମୋ ଲକ୍ଷ୍ୟରେ ସଫଳତାର ସ୍ୱପ୍ନ ଦେଖୁଥିଲି ଖୋଲା ଆଖିରେ । କେତେବେଳେ ପିଲାଦିନ ଚାଲିଗଲା , ଶୈଶବ ଶେଷ ହୋଇଯାଇ ଯୌବନରେ ପହଞ୍ଚିଗଲି ଜାଣି ବି ପାରିଲିନି । ସ୍ୱପ୍ନ ଖାଲି ମୁଁ ନୁହେଁ ମୋ ସହିତ ଦେଖୁଥିଲେ ମୋର ବାପା ମା । 

ସ୍ବପ୍ନର ଡେଣା ରୂପକ ସାର୍ଟିଫିକେଟ ଧରି ଉଡ଼ିବା ଶିଖିବା ଉଦ୍ଦେଶ୍ୟରେ ଚାଲିଆସିଲି ଏଇ ସ୍ବପ୍ନପୁରୀକୁ । ଏଇଠୁ ଆରମ୍ଭ ହେଲା । ଜୀବନର ଦ୍ଵିତୀୟ ପର୍ଯ୍ୟାୟ । 

ଚେଷ୍ଟାକରି ବି ଦେଖି ପାରିଲିନି କୋମଳ ଅବସ୍ଥାର ସୂର୍ଯ୍ୟୋଦୟକୁ । ଉଚ୍ଚଉଚ୍ଚ ଅଟ୍ଟାଳିକା ମାନ ଦର୍ଶନରେ ବାଧା ସୃଷ୍ଟି କରିବା ଆରମ୍ଭ କଲେ । ଚନ୍ଦ୍ରମାର ଶୀତଳତା ଆଉ ଖୋଜି ପାଇଲିନି । ଏ ବିଜୁଳି ଆଲୁଅର ଚକମକ ଭିତରେ ଚନ୍ଦ୍ରମା ସଂଘର୍ଷ କରୁଥିଲା ନିଜର ଅସ୍ଥିତ୍ୱ ବଜାୟ ରଖିବାକୁ । 

ସେମାନଙ୍କ ସହିତ ଆରମ୍ଭ ହୋଇଗଲା ମୋର ସଂଘର୍ଷ । ଏ ଅଫିସରୁ ସେ ଅଫିସ । ଯେତେ ସମ୍ପର୍କୀୟ ଥିଲେ ସମସ୍ତଙ୍କୁ ଅନୁରୋଧ ନେହୁରା ହେଇଛି ଚାକିରୀ ଟିଏ ପାଇଁ । କେତେ ଆଶ୍ୱାସନା ପାଇଛି । କେବଳ ଆଶ୍ୱାସନା । ବାସ୍ତବତା ସହିତ ତାର କୌଣସି ସମ୍ପର୍କ ନାହିଁ । କେତେ କର୍ପୋରେଟ ଅଫିସରେ ନିଜର ବିବରଣୀ ଦେଇଛି । ବୋଧହୁଏ ବାକି ନାହିଁ ଆଉ କୌଣସି ଅଫିସ । ସରକାରୀ ସ୍ତରରୁ ଆରମ୍ଭ କରି ବେସରକାରୀ ସ୍ତର ପର୍ଯ୍ୟନ୍ତ । 

ମୁଠେ ଦାନା ଯୋଗାଡ଼ କରିବା ମୋ ପାଇଁ କଷ୍ଟ ହୋଇ ପଡ଼ିଲା । ନିଜ ସାମର୍ଥ୍ୟ ଠାରୁ ମୋତେ ଅଧିକ ଦେଇଥିବା ମୋର ଜନ୍ମଦାତାଙ୍କ ପାଖକୁ ଫେରିଯାଇ ତାଙ୍କ ଉପରେ ଆଉ ବୋଝ ହେବାକୁ ମୋ ବିବେକ ମୋତେ ଅନୁମତି ଦେଲାନି । କେତେ ଅବା ପାଦରେ ଚାଲିଥାନ୍ତି । ମୁଁ ତ ଉଡ଼ିବାକୁ ଆସିଥିଲି । 


ରାସ୍ତା ଯେତେ ଚିକ୍କଣ ହେଲେବି ପାଦଚଲା ପଥିକ ମାନେ ଥକିଯିବାଟା ନିୟତି ଧାର୍ଯ୍ୟ । 


ମୁଁ ବି ଥକି ପଡ଼ୁଥିଲି । କ୍ଷଣେ ଅଟକି ଯାଇ ମ୍ୟୁନିସିପାଲଟିର ମାଗଣା ପାଣି ପିଇ ପୁଣି କେଇପାଦ ବଢ଼ାଉଥିଲି ଆଗକୁ । ଲକ୍ଷ୍ୟ ହୀନ ହୋଇଯାଉଥିଲି ବେଳୁବେଳ । କେତେ ରାତି ଷ୍ଟେସନରେ ବିତିଛି କେତେ ପୁଣି ପାର୍କରେ । କେତେଥର ଅସାମାଜିକ ତତ୍ତ୍ୱ ମାନଙ୍କ ସହିତ ସାମ୍ନାସାମ୍ନି କରିଛି ନିଜେ ହରେଇବା ପରିବର୍ତ୍ତେ ସେମାନଙ୍କ ଦୟାର ପାତ୍ର ହୋଇଛି । ଭୋକିଲା ପେଟରେ ରାତି ପାହିବାକୁ ଅପେକ୍ଷା କରିଛି । ନୂଆ ସୂର୍ଯ୍ୟ କିଛି ନୂଆ ଆଶା ସଞ୍ଚାର କରିବାର ଆଶା ସୃଷ୍ଟି କରିବ ବୋଲି । 

ପ୍ରତିଟି ନୂଆ ସକାଳ ବିତୁଥିଲା ପୂର୍ବ ସକାଳ ପରି । ଆଧୁନିକତା ସହିତ ତାଳ ଦେଇ ଚାଲିବାକୁ ଚେଷ୍ଟାକରି ହାରିଯାଉଥିଲି ସବୁଦିନ । ଭିଡ଼ ଭିତରେ ସମ୍ପୂର୍ଣ ଏକାକୀ ଥିଲି । ସମ୍ପୂର୍ଣ୍ଣ ଅପରିଚିତ । ସ୍ବପ୍ନର ସାହାନାଇର ଶବ୍ଦ ଏବେ କେବଳ ଦୂରରେ ହିଁ ଶୁଭୁଥିଲା । ସବୁଦିନ ସମାନ ପ୍ରକାର ଦରଜ ସହିସହି ଛାତି ମୋର ପ୍ରତିକ୍ରିୟା ଶୁନ୍ୟ ହୋଇ ଯାଇଥିଲା । 


ଦିନେ ଏକ ହତାଶ ସନ୍ଧ୍ୟାରେ ଥକି ପଡ଼ି ବସିଥାଏ ଫୁଟପାଥର ଗୋଟେ ସାମାନ୍ୟ ଅନ୍ଧାରିଆ କୋଣରେ । ମୁଁ ଅନ୍ଧାର ଭିତରେ ଥିଲି । ଚତୁର୍ପାଶ୍ୱର ଆଲୋକରେ ମୁଁ ଦିଶାହୀନ ଥିଲି । ପାଉନଥିଲି ରାହା । ଆଲୋକର ଜମାବଡ଼ା ଭିତରେ ମୋ ଆଖି ଆଗରେ ଘୋଟି ଯାଉଥିଲା ବହଳ ବହଳ ଅନ୍ଧାର । ଗୋଟେ ଗାଡ଼ି ଆସି ଅଟକିଗଲା ମୋ ଆଗରେ । ଆଙ୍ଗୁଠିରେ ଇଙ୍ଗିତ କରି ଡାକିଲେ ମୋତେ ସେ ଗାଡ଼ିର ମାଲିକାଣୀ ନିଜ ପାଖକୁ । ଚାଲିଗଲି । 


ଆଜି ଫ୍ରି ଅଛ ? ଆସ ବସ । 


ବିନା ପ୍ରଶ୍ନୋତ୍ତରରେ ବସିଗଲି । ଯାହା କହିବେ କରିବି । ପେଟର ଭୋକରୁ ଆଖି ଆଗରେ ମାଡିଯାଉଥିବା ଅନ୍ଧକାରରୁ ମୁକ୍ତି ଚାହୁଁଥିଲି ମୁଁ । ସେତିକି ତ ମିଳିବ । ନଚେତ ମୃତ୍ୟୁ ।ଏମିତି ବି ।  ଘର ଭିତରକୁ ପଶିଗଲି । ଡାଇନିଂ ଉପରେ ରଖା ଯାଇଥିବା ଫଳ ଉପରେ ଆକ୍ରମଣ କଲି ମୁଁ । ତାଙ୍କୁ ପଚାରି ଅନୁମତି ନେବାର ଧୈର୍ଯ୍ୟ ନଥିଲା ମୋର । ଜୀବନ ସ୍ଥିର ହେଲା । ଝାପ୍ସା ଆଲୋକିତ କୋଠରୀ । ଉତ୍ତେଜିତ ପୋଷାକରେ ମୋ ଠାରୁ ବୟସରେ ଯଥେଷ୍ଟ ଅଧିକ ମହିଳା ଜଣେ ମୋତେ ତାଙ୍କ ଭୋକ ଦୁରେଇବାକୁ ପାଖକୁ ଡାକୁଥାନ୍ତି । 


ତୁ କଣ କହୁଥିଲୁ ସେଦିନ ? ଆମ ପଢ଼ିଲା ବେଳେ ମଧ୍ୟ ସାଙ୍ଗମାନେ ସେଇଆ ସବୁ କୁହନ୍ତୁ । 


Look back , look forward and target your aim


 ଏଇଆକୁ କଣ କହୁତୁ ? 


Look back point on bu** , look forward and target to fu** 


ଏଇଆ ନା ? ମୁଁ ବି ସେଦିନ ସେଇଆ ଭାବି ମନରେ ଥିବା ସମସ୍ତ କ୍ଷୋଭ ଆଉ ସମସ୍ତ ଅସଫଳତାର କଷ୍ଟକୁ ପାଥେୟ କରି ମେଣ୍ଟେଇ ବାକୁ ଚେଷ୍ଟାକଲି ତାଙ୍କ ଦେହର ଭୋକ ଯାହାଙ୍କ ଲାଗି ମୋ ପେଟର ଭୋକ ଅପସରି ଯାଇଥିଲା । ମୋତେ ସେ ସପ୍ତାହେ ଲାଗି ନିୟୋଜିତ କରିଥିଲେ ସେଇ ସମାନ କାମରେ । ସେଦିନ ମୁଁ ବସିଥିବା ସେ ଅନ୍ଧାରିଆ କୋଣରେ କାଳେ ମିଳନ୍ତି ଦେହର ଭୋକ ମେଣ୍ଟାଉ ଥିବା ପୁରୁଷ ମାନେ ।

ମୋ ମନର ସ୍ୱପ୍ନ ଆଉ ଉଚ୍ଚ ଆକାଂକ୍ଷା କେବଳ ଟଙ୍କାରେ ପୂରଣ ହେଇପାରିବ କହି । ବଣ୍ଡଲ ବଣ୍ଡଲ ଟଙ୍କା ଫୋପାଡ଼ି ଥିଲେ ମୋ ଉପରକୁ । ନିଜର ଧନବଳରେ ମୋପରି ଗୋଟେ ଜୀବନ୍ତ କଣ୍ଢେଇକୁ କିଣି ନେଇଥିଲେ ସେ । ଯେମିତି ଇଚ୍ଛା ସେମିତି ବ୍ୟବହାର ମୋର ତାଙ୍କ ଦ୍ବାରା । 


ମୋତେ କାମ ମିଳିଯାଇଥିଲା ହେଲେ ଲକ୍ଷ୍ୟ ଅସ୍ପଷ୍ଟ ଥିଲା । 


ତାପରେ ସେ ମୋତେ ତାଙ୍କରି ମାନସିକତା ପରି ଆହୁରି କିଛି ପରିଚିତାଙ୍କ ସହିତ ପରିଚୟ କରେଇଦେଲେ । ସେମାନେ ସେମାନଙ୍କ ପରିଚିତାଙ୍କ ସହିତ । ଏମିତି ଅସଂଖ୍ୟ ଅଗଣିତ ଭୋକିଲାଙ୍କ ଲାଗି ଖାଦ୍ୟ ହୋଇଗଲି ମୁଁ । 


ବେଳାଭୂମି ନଥିଲି ମୁଁ ଯେଉଁଠି ଅଶାନ୍ତ ସମୁଦ୍ର ମଥାପିଟି ନିଜର ଦୁଃଖ କହିବ । ମୁଁ ଥିଲି ଧସି ପଡ଼ୁଥିବା କୂଳ ଯାହା ଦିନ ପ୍ରତିଦିନ ଧସି ପଡ଼ି ମିଳେଇ ଯାଉଥିଲା ଅଥଳ ସମୁଦ୍ର ଗର୍ଭରେ । କିନ୍ତୁ ଏସବୁ ଡେରିରେ ବୁଝିଥିଲି । 

ଏ ଯେଉଁ ଘର ଦେଖୁଛୁ । ମୋ ଘରର ଆସବାଵ ଦେଖୁଛୁ ଏମିତିକି ମୋର ପୋଷାକ ମଧ୍ୟ କାହାର ଉପହାର । ଯେଉଁ ସାଥି ଖୋଜିଖୋଜି ତୁ ଅସ୍ଥିର ହେଉଛୁ । ସେଇ ସାଥୀମାନଙ୍କ ସାନିଧ୍ୟ ଏବେ ମୋତେ ବ୍ୟଥିତ କରୁଛି । 


ପ୍ରୀତି ସହିତ ପ୍ରଣୟ । ହେଲେ ବିନା ପ୍ରିତୀରେ ମୁଁ ରଚି ଚାଲିଛି ପ୍ରଣୟ । ଜାଣିଛୁ ପ୍ରୀତି ଏକ ଅନୁଭବ ଆଉ ପ୍ରଣୟ ହେଉଛି କ୍ରିୟା । ମୁଁ ଅନୁଭବ ହୀନ କ୍ରିୟାରେ ଲିପ୍ତ ସବୁଦିନ । ମୁଁ ମୋର ଅସ୍ଥିତ୍ୱ ହରେଇ ସାରିଛି । ଯେଉଁ ପ୍ରଣୟ ଶେଯର କଳ୍ପନାରେ ତୋ ଦେହରେ ଶିହରଣ ସୃଷ୍ଟି ହେଉଛି । ପ୍ରୀତି ବିହୀନ ସେଇ ପ୍ରଣୟ ଶେଯର କଣ୍ଟାରେ ମୋ ଦେହରେ ଅନେକ କ୍ଷତ । ଦେଖୁନୁ ଏଇଠି , ହେଇ ଏଠିବି ଦେଖ , ଚାରିଆଡ଼େ ଦେହଟା ମୋର ରକ୍ତ ଜର୍ଜରିତ । 

ମନ କାହାକୁ କୁହନ୍ତି ? ଏ ପ୍ରଶ୍ନଟି ମୋ ପାଇଁ ବୃଥା । ମଲା ମନର ମଣିଷଟିଏ ମୁଁ । ଏ ମୋର ରୂପ ସୌଷ୍ଠବର ଯେଉଁ ପ୍ରଶଂସା ତୁ କରୁଛୁ ଶୁଣିଶୁଣି ଥକି ଗଲିଣି ମୁଁ । ଜାଣିଛୁ ମୁଁ ଶାଳୀନତାର ଚାଦର ଘୋଡେ଼ଇ ହେଇ ଅଭିନୟ କରୁଛି ଯାହା । ହେଲେ ପ୍ରକୃତରେ  (ଭଦ୍ରମୁଖା ପିନ୍ଧି ନଗ୍ନତାକୁ ପ୍ରେମ କରୁଥିବା କୁତ୍ସିତ ମାନସିକତାର ଅଭଦ୍ର ମଣିଷଟିଏ ମୁଁ । ଏହି ସତ୍ୟକୁ ସ୍ୱୀକାର କରିବାରେ ତିଳେମାତ୍ର ଦ୍ବିଧାନାହିଁ ମୋର) । ନିଦ କାହାକୁ କୁହନ୍ତି ଅନେକ ଦିନ ହେଲାଣି ଝୁରି ହେଉଛି ମୁଁ । ସାତତାଳେ ନିଦରେ ଶୋଇଯିବାକୁ ଇଚ୍ଛା ମୋର । ହେଲେ ଭୋକିଲା ମାନଙ୍କର ଭୋକ ମେଣ୍ଟେଇଲା ପରେ ନିଜର ନିଜତ୍ବ ହରାଇବାର ଦୁଃଖ ମୋତେ ଶୋଇ ଦିଏନି । ସେମାନେ ତ ତୃପ୍ତତା ନିଦ୍ରା ଭୋଗନ୍ତି । ମୁଁ ଗଣି ଚାଲେ ପାଇଥିବା ଟଙ୍କା ବଣ୍ଡଲ ରେ ଥିବା ନୋଟ ସବୁକୁ ବାରମ୍ବାର ।  ଆଜି ଯିଏ ଆସିଥିଲେ ତାଙ୍କ ବଦାନ୍ୟତାରୁ ମୋର ଏ ଘର । ପ୍ରତିଷ୍ଠିତ ଓ ପ୍ରତିପତି ସମ୍ପନ୍ନ ପାରିବାରିକ ମହିଳା । ଯାଇ ପାରିଲିନି ତାଙ୍କ ତୃଷ୍ଣା ମେଣ୍ଟଣକୁ ଜଳଦାନ କରିବାକୁ । ଶାରୀରିକ ଅସୁସ୍ଥତା ଲାଗି । ତୁ ତ ଜାଣିଛୁ ମୋ ଦେହ ଭଲ ନାହିଁ ବୋଲି । ସେଥିପାଇଁ ତ ତତେ ଫୋନ କରି ସାଙ୍ଗରେ ବଡ଼ ବୋତଲଟେ ନେଇ ଆସିବାକୁ କହିଥିଲି । 


ତୁ ବର୍ତ୍ତମାନ ଯେମିତି ଦେଖୁଛୁ ସେଇଟା ମୋର ଅସ୍ଥିତ୍ୱ ନୁହେଁ । ଯିଏ ହେଇକି ମୁଁ ବଞ୍ଚୁଛି ସେ ମୁଁ ନୁହେଁ । ଯାହା ମୁଁ ଥିଲି ସେ ମଣିଷ କେବଳ କାଳ୍ପନିକ ଚରିତ୍ରଟିଏ ଏବେ । ଯାହା ମୁଁ ହେବାକୁ ଆସିଥିଲି ସେ କଣ୍ଟକିତ ପ୍ରଣୟ ଶେଯର କଣ୍ଟା ର ଆଘାତରେ କେବେଠାରୁ ମରି ସାରିଲାଣି ।  ରାତିର ଘନ ଅନ୍ଧାରରେ ତାରା ମାନଙ୍କ ସହିତ କଥା ହେବାକୁ ଭାରି ଇଚ୍ଛାହୁଏ । ହେଲେ ସୌଭାଗ୍ୟ ନାହିଁ ମୋର । ଦିନ , ମାସ , ବରଷ ବିତିଗଲାଣି ଏମିତି ପ୍ରଣୟ ରଚିରଚି । ପ୍ରିତୀର ଛୁଆଁକୁ ଅନୁଭବ କରିବାର ଲାଳସା ଏବେବି ଅପୁରଣ ଏ ମନରେ । କଣ ଏମିତି ହାଁ ଟା କରି ଅନେଇଛୁ ମୋ ମୁହଁକୁ ? ମାଧର** , ବେହେନ୍** । 

ସେ ମୋତେ ଗାଳି କରୁନଥିଲା । ନିଜ ମନରେ କୁହୁଳୁଥିବା ନିଆଁର ଧୂଆଁ ଗାଳିର ରୂପ ନେଇ ବାହାରି ଆସୁଥିଲା ତା ମୁହଁରୁ । ଆଖି ତାର ଛଳଛଳ ହେଉଥିଲା । ମୁଁ ଚାହୁଁଥିଲି ସେ ଜୋରରେ କାନ୍ଦୁ । ତା ବେଦନା ମୋତେ ଭିଜେଇ ସାରିଥିଲା । ହେଲେ ସେ ଚେଷ୍ଟା କରୁଥିଲେବି କାନ୍ଦି ପାରୁ ନଥିଲା । ଭାବନା ତାର ମରିସାରିଥିଲେ ସବୁ । ଭାବନା ଜୀବନ୍ତ ଥିଲେତ ଲୁହର ରୂପ ନେଇ ଅମାନିଆ ଭାବେ ବହିଯାଇ ହାଲକା କରିଦିଅନ୍ତେ ମନକୁ । ସମ୍ଭବ ହେଉ ନଥିଲା ତାହା । 

ସେ ନିସ୍ତେଜ ହୋଇ ଆସୁଥିଲା । ଶୋଉଥିଲା ସେ । ହଁ ହଁ ଶୋଇପଡ଼ୁ । କହୁଥିଲାତ ସାତତାଳେ ନିଦରେ ଶୋଇବାକୁ ଇଛା ତାର । ଘଡ଼ିକ ଭିତରେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲା । 

ତା ହାତରୁ ମଦ ବୋତଲ ଆଣି ଧରିଲି । ଦେଖିଲି ଭଲକରି । ଦୁର୍ବଳ ଭାଙ୍ଗି ପଡିଥିବା ମଣିଷ ମନରେ ସତ କହିବାର ସାହାସ ଦେଇଥିବାରୁ ଧନ୍ୟବାଦ ଦେଲି । ମୋତେ ଏମିତିରେ ନିଶା ହୋଇଯାଇଥଲା ବେଦନାର ନିଶା । ପୁଣି ଥରେ ତା ଆଡ଼କୁ ଚାହିଁଲି । ଏ କି ଅଜବ ଦୃଶ୍ୟ !! 

ଚାହିଁଥିବା ବେଳେ ଚେଷ୍ଟାକରି ବି ସେ କାନ୍ଦି ପାରୁ ନଥିଲା କିନ୍ତୁ ଅବଚେତନ ଅବସ୍ଥାରେ ଦୁଇ ଆଖିରୁ ଝରିଯାଉଛି ଦୁଇଧାର ଲୁହ । ନାଇଁ ଏ ଲୁହ ନୁହେଁ ତା ସ୍ୱପ୍ନରେ ସେ ନିଜର ଅସହାୟତା ଦେଖି ବ୍ୟଥିତ ହେଉଛି । ହଉ ଝରିଯାଉ ତା ସପନର ସେ ଭୟାବହତା । ବଡ଼ବଡ଼ ହେଇ କହୁଥିଲା କିଛି । 


ଜାଣିଛି ତୁ ବି ଘୃଣା କରିବୁ ମୋତେ । ମୁଁ ଏସବୁରୁ ବାହାରି ଆସିବାକୁ ଚାହୁଁଛି । ନୂଆ କ୍ଷତ ସହିଲା ଭଳି ଖାଲି ସ୍ଥାନ ଆଉ ନାହିଁ ମୋ ମନରେ କି ଦେହରେ । ତୋତେ ଦେଖିଲା ପରେ ତୋ ସାଙ୍ଗରେ ମିଶିଲା ପରେ ମୋ ମନର କେଉଁ କୋଣରେ ଜାଗ୍ରତ ହୋଇଛି ଜୀଇଁବାର ଇଚ୍ଛା । ସେ ଇଚ୍ଛାକୁ ମଉଳିବାକୁ ଦେବୁନି । ବିଚଳିତ କରୁଥିଲା ସେ ଶବ୍ଦସବୁ ତାର । 


ପରିବର୍ତ୍ତନଶୀଳ ସମୟ ଆଗକୁ ବଢ଼ିଯାଇଛି । ମୋ ସାଙ୍ଗ ଭିତରେ ପରିବର୍ତ୍ତନ ଆଶାନୁରୂପ । ଆଜି ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦରେ କାର୍ଯ୍ୟରତ ।



Rate this content
Log in

More oriya story from ABhimanyu Panda

Similar oriya story from Drama