STORYMIRROR

T.Durga Prasad Rao

Comedy

4  

T.Durga Prasad Rao

Comedy

ମିଛୁରା

ମିଛୁରା

1 min
637


ଜେଜେମାଙ୍କ ଠାରୁ ଭୁତ ଗପ ଶୁଣି ଶୁଣି ଦିନେ ରାତିରେ ସାତ ବର୍ଷର ଅଜୁ ଜିଦ୍ ଧରିଲା, ସେ ମଶାଣିକୁ ଯିବ ଆଉ ଭୁତ ଦେଖିବ। ତାର ଜିଦ୍ ଦେଖି ଅତନୁବାବୁ ତଟସ୍ଥ। ଅଜୁକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ ଯେ ଭୁତ ଫୁତ କିଛି ନାହିଁ, ସବୁ ମନର ଭ୍ରମ। ବୟସ ହେଇଗଲେ, ଏଇମିତି ସବୁ ଭୟ ପଶେ। ତାପରେ, ବହେ ଗାଳି କଲେ ଜେଜେମାଙ୍କୁ। ଜେଜେମାଙ୍କ ଶୁଖିଲା ମୁହଁକୁ ଦେଖି ଅଜୁ ଚୁପ୍ ହୋଇଗଲା। ଭୁତ ଦେଖିବାର ଜିଦ୍.ରୁ ଓହରିଗଲା।

କିଛି ଦିନ ପରେ ରାତିରେ ଅଜୁ ଏକ ପାଇଁ ଉଠି ବାରିରୁ ଧଇଁ ସଇଁ ହୋଇ ଥରି ଥରି ଆସି ପହଞ୍ଚିଲା। ତାର ଅବତାର ଦେଖି ଅତନୁବାବୁ ଡରିଗଲେ।


- ଭୁ... ଭୁ... ଭୁତ।

ଅତନୁବାବୁ ଅଜୁକୁ ଜୋର୍.ରେ ଜାବୁଡ଼ି ଧରି ପିଠି ଆଉଁସି ଦେଇ ପଚାରିଲେ, ଡରିଗଲୁ କି, କଣ ଦେଖିଲୁ କହ?

ଅଜୁ ଥରିଲା ଗଳାରେ କହିଲା, ଧୋବ ଫର ଫର ଚୁଟି... ହାତରେ ବଙ୍କୁଲି ବାଡ଼ି... ଦାନ୍ତ ଗୋଟିଏ ସୁନା ପରି ଚକ୍ ଚକ୍ କରୁଛି... ହାତଟିଏ ଲମ୍ବି ଆସୁଥିଲା ମୋ ଆଡ଼କୁ... ବାପରେ ବାପ୍... କେଡ଼େ ଲମ୍ବା ସେ ହାତ...

- ବାପା ହେଇଥିବେ, ଆଗକୁ ତାଙ୍କର ଶ୍ରାଦ୍ଧବାର୍ଷିକୀ ଅଛି ତ। ଅତନୁବାବୁ ସମସ୍ତଙ୍କ ଆଡ଼କୁ ଚାହିଁ ଆଶ୍ୱାସନା ଦେଲା ପରି କହିଲେ। ଅଜୁକୁ ଦେଖିବାକୁ ଆସିଥିବେ।

ଶୋଇଲା ବେଳେ ବଜୁ ଅଜୁକୁ ହଲେଇ ଦେଇ ପଚାରିଲା, ତୁ ସତରେ ଜେଜେଙ୍କ ଭୁତ ଦେଖିଲୁ?

- ହଁ।

- ବେକାର କଥା। ଜେଜେ ଥିଲା ବେଳକୁ ତ ତୁ ଜନ୍ମ ହେଇନଥିଲୁ। ଆଉ ଭୁତ ଦେଖିଥିଲେ, ଏତେ କମ୍ ସମୟ ଭିତରେ ତୁ ଏମିତି ବେପରୁଆ ନିଶ୍ଚିନ୍ତରେ ଶୋଇ ପାରିନଥାନ୍ତୁ। ଅଜୁ ଆଖି ମିଟିକା ମାରି କହିଲା, ସେଦିନ ମୋ ପାଇଁ ଜେଜେମା ମିଛୁରି ହେଇ ପରିବାରର ସମସ୍ତଙ୍କ ପାଖରେ ଅପଦସ୍ଥ ହେଲେ। ଆଜି ମୁଁ ଛୋଟ ମିଛଟିଏ କହି ତାଙ୍କର ଗପସବୁକୁ ସତ କରିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy