ମହାର୍ଘ ମୁହୂର୍ତ୍ତ
ମହାର୍ଘ ମୁହୂର୍ତ୍ତ


ପ୍ରତିମା ଓ ପ୍ରଭାତ ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କର ବୁଝାମଣା ଓ ବିଚାରଧାରା ଏକା ପ୍ରକାର ହୋଇଥିବାରୁ ସେ ଦମ୍ପତ୍ତି ଖୁବ୍ ଖୁସିରେ ସମୟ କଟାଉଥାନ୍ତି।ଜୀବନରେ ନୂଆବର୍ଷ ଟିଏ ଆସିଲେ ତାକୁ କିପରି ସ୍ୱାଗତ କରିବେ?ସେହି ଆଲୋଚନାରେ ଦୁଇପ୍ରାଣୀ ବ୍ୟସ୍ତ ଥାନ୍ତି ।
ପ୍ରଭାତବାବୁ ପ୍ରତିମାଙ୍କୁ କହିଲେ ,ଆହେ ନୂଆବର୍ଷ କିଏ ସେ?ଆମେ ମଣିଷ ମାନେ ଆମ ସୁବିଧା ପାଇଁ ସମୟକୁ ମାପିଛେ ଭାଗ ଭାଗ କରି, ସାତଟି ଦିନକୁ ସପ୍ତାହଟିଏର ନାମ ଦେଇଛେ,ସେହିପରି ପକ୍ଷଟିଏ, ମାସଟିଏ ଓ ବର୍ଷଟିଏ ବାରମାସରେ ଭାଗକରି ତା ଶେଷରେ ନୂଆବର୍ଷଟିଏ ଆରମ୍ଭ କରି, ତାକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ହେଉଛେ। ନୂଆବର୍ଷର ଆଳ ଦେଖାଇ, ଅନେକ ଜୀବ ବଦ୍ଧ କରି ତାଙ୍କର ମାଂସରେ ପାଟିର ଓ ଜିହ୍ଵାର ଲାଳସାକୁ ପୂର୍ଣ୍ଣ କରୁଛେ। ଏମିତି ଦେଖିଲେ ସେ ହେଉଛି ସମୟ ,ଅସୀମ, ଅନନ୍ତ, ତାକୁ କିଏ ମାପିପାରିବ ନା ଭାଗ କରିପାରିବ ?ସେ ଅନନ୍ତ କାଳରୁ ରହିଛି, ଦୂର ଭବିଷ୍ୟତରେ ରହିଥିବ।କେତେ ନୂଆଙ୍କୁ ସେ କୋଳରେ ସ୍ଥାନ ଦେବ ଏବଂ ପୁରୁଣାକୁ ତାର ଅନନ୍ତ ସ୍ରୋତରେ ଲୀନ କରିବ, ତା ଗର୍ଭରେ ଶହେ କିମ୍ବା ତଦୁର୍ଦ୍ଧ କିଛି ବର୍ଷ ତାକୁ ସ୍ଵାଗତ କରିବ।ଏହି ହେଉଛି କ୍ଷୁଦ୍ର ଜୀବଟିଏର ସମୟ ସୀମା ।ସମୟ ଆଗରୁ ଥିଲା, ଏବେ ଅଛି, ଆଗକୁ ଅନନ୍ତ କାଳ ପର୍ଯ୍ୟନ୍ତ ଥିବ।ଯେମିତି ସମୁଦ୍ରରେ ଥିବା ଜୀବ,ସମୁଦ୍ରକୁ ମାପିପାରନ୍ତି ନାହିଁ,ସେମିତି ଆମେ ସଭିଏଁ ତା କୋଳରେ ରହି ତାର ବିସ୍ତୃତିକୁ ମାପିବା ଆମ ପକ୍ଷେ ସମ୍ଭବ ନୁହେଁ।ଗୋଟିଏ ବର୍ଷ ଆମ ପାଇଁ ବିରାଟ ପରିସୀମା ହେଲେ ମଧ୍ୟ ସମୟ ବକ୍ଷରେ ଅତି କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁ ଟିଏକୁ ଆମେ ଅତିକ୍ରମ କରୁଛେ।ଅତୀତରେ ଅନେକ ବର୍ଷ ଆସିଛି, ଏସନ ମଧ୍ୟ ଆସିଛି, ପୁଣି ପୁରୁଣା ହେବ ।ଆମେ ମାପିଥିବାରୁ ,ଚିହ୍ନିତ କରିଥିବାରୁ ତାକୁ ନେଇ ଆମର ଦିନ,ମାସ,ବର୍ଷର ଉତ୍ସାହ। ସୂର୍ଯ୍ୟ ଉଦୟ ବା ଅସ୍ତରେ କିଛି ମାପ ନ ଥାଏ ।ଏକଥା ମନେ ରଖିଥାଅ ବର୍ଷଟିଏ ଯିବା ଆସିବା ଭିତରେ ଆମର ଆୟୁଷ ସରି ସରି ଆସୁଛି ।ଏହା ଭିତରେ ଆମର ସୁନ୍ଦର ଜୀବନକୁ ନେଇ ଆମେ କଣ କରିଛେ, ତାର ସମୀକ୍ଷା କରିବା ଉଚିତ୍ ।
ନୂଆ ସକାଳକୁ ସ୍ଵାଗତ କରିବା ଛଳରେ ଜୀବନକୁ ଭଲ ଭାବରେ ପଢିନେବା ଉଚିତ୍ ।ଆୟୁଷ ସରିଗଲେ ଦେହ ନଷ୍ଟ ହୋଇଯାଏ ।ଦେହକୁ ଆଧାର ଭିତିରେ କରିଥିବା କର୍ମ ଅମର ରହିଯାଏ ।କର୍ମର ସୁଫଳକୁ ଦୁନିଆ ତାର ବକ୍ଷରେ ସୁନା ଅକ୍ଷରରେ ଲେଖିରଖେ ।ନିଜର କୀର୍ତ୍ତି ସ୍ଵର୍ଣ୍ଣାକ୍ଷରରେ କେମିତି ଲେଖିହେବ ନୂଆବର୍ଷର ସକାଳର ମହାର୍ଘ ମୁହୂର୍ତ୍ତରେ ଏହି ସଂକଳ୍ପ ନେବା ।ପ୍ରତିମା ଦେବୀ ଓ ପ୍ରଭାତ ବାବୁଙ୍କ ମନ ଖୁସିରେ କୁରୁଳି ଉଠୁଥିଲା ।