STORYMIRROR

Arjuni charan Behera

Classics Others

4  

Arjuni charan Behera

Classics Others

ମହାରାଜ ଦଶରଥ ଓ ଶନିଙ୍କ ଯୁଦ୍ଧ

ମହାରାଜ ଦଶରଥ ଓ ଶନିଙ୍କ ଯୁଦ୍ଧ

3 mins
16

   ମହାରାଜ ଦଶରଥ ଓ ଶନିଙ୍କ ଯୁଦ୍ଧ
      =================
ରାଜା ଦଶରଥଙ୍କ ରାଜୁତିରେ ଅଯୋଧ୍ୟାରେ ପ୍ରଜା ମାନେ ଅତି ସୁଖରେ କାଳକାଟୁଥାନ୍ତି l ଧନଧାନ୍ୟ ପରିପୂର୍ଣ୍ଣ ରାଜ୍ୟରେ ସର୍ବତ୍ର ଶାନ୍ତି ବିରାଜମାନ କରୁଥାଏ l କିନ୍ତୁ ଏହିସୁଖ ଆଉ ବେଶିଦିନ ରହିଲା ନାହିଁ l ରାଜ୍ୟରେ ଏକଦା ଘୋରଅକାଳ ପଡ଼ିଲା l ରାଜ୍ୟ ବ୍ୟାପି ନାନା ସ୍ଥାନରେ ଅଗ୍ନ୍ୟୁତ୍ପାତ ମାନ ହେବାକୁ ଲାଗିଲା Ι ପ୍ରଜା ମାନଙ୍କ ମଧ୍ୟରେ ହାହାକାର ପଡ଼ି ଗଲା, ଚାରି ଆଡ଼େ ଦୁର୍ଭିକ୍ଷର କରାଳ ଛାୟା l କିନ୍ତୁ ରାଜା ଦଶରଥଙ୍କ ଏଥି ପ୍ରତି ଧ୍ୟାନ ନ ଥାଏ l ରାଣୀମାନଙ୍କ ଗହଣରେ ଭୋଗ ବିଳାସରେ ଲିପ୍ତ ରହି ସେ ରାଜ୍ୟଶାସନ ବିଷୟ ମନ୍ତ୍ରୀ ମାନଙ୍କ ହାତରେ ଛାଡ଼ି ଦେଇଥାନ୍ତି Ι ମନ୍ତ୍ରୀ ମାନେ ତାଙ୍କୁ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ, ଚେଷ୍ଟା କରୁ ଥାନ୍ତି l ମାତ୍ର ରାଜା "ଆପଣ ମାନେ ସେ ସବୁ ଦେଖନ୍ତୁ" କହି ଏହାକୁ ଟାଳି ଦେଉଥାନ୍ତି Ι
ଅଯୋଧ୍ୟାରେ ଦେବର୍ଷି ନାରଦ ଆସି ଦିନେ ପହଞ୍ଚିଲେ l ରାଜା ଦଶରଥଙ୍କ ରାଜ ସଭାରେ ଅମାତ୍ୟ ଓ ପରାମର୍ଶଦାତା ଭାବେ ନିଯୁକ୍ତ ବଶିଷ୍ଠ, ଜାବାଳି,ବାମଦେବ ଆଦି ଋଷିଗଣ ତାଙ୍କ ସହ ରାଜ୍ୟର ଦୁର୍ଦ୍ଦଶା ଏବଂ ରାଜାଙ୍କ ଶାସନରେ ନିଷ୍କ୍ରିୟତା ବିଷୟ ଆଲୋଚନା କଲେ l ସେମାନେ ଘଟିବାକୁ ଯାଉଥିବା ଭୀଷଣ ଦୁର୍ବିପାକର ଆଶଙ୍କା ମଧ୍ୟ ବ୍ୟକ୍ତ କଲେ Ι ନବର ଦ୍ଵାରରେ " ନାରାୟଣ, ନାରାୟଣ" ଶବ୍ଦଶୁଣି, ଦଶରଥ ବାହାରକୁ ଆସି ନାରଦଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ପୂଜା କଲେ ଏବଂ ତାଙ୍କୁ ରାଜ ନଅରକୁ ଆସି ଆସନ ଗ୍ରହଣ କରିବା ପାଇଁ ଅନୁରୋଧ କଲେ Ι ଦେବର୍ଷି ବିରକ୍ତ ହୋଇ ଦଶରଥଙ୍କୁ କଟୁ ଭର୍ତ୍ସନାକରି କହିଲେ, ଆପଣଙ୍କୁ ମହାନ୍ ସୂର୍ଯ୍ୟ ବଂଶର ସୁଯୋଗ୍ୟ ଦାୟାଦ ବୋଲି ମନେକରି ମୁଁ ସଙ୍ଖୋଳି ଆସିଥିଲି,କିନ୍ତୁ ଆପଣ ଏହି ପବିତ୍ର ରଘୁ ବଂଶର ମାନ ସମ୍ମାନକୁ ରସାତଳକୁ ନିକ୍ଷେପକରିଛନ୍ତି Ι ମହିଷିମାନଙ୍କ ମେଳରେ ରହି ଆପଣ ପ୍ରଜା ମାନଙ୍କ ସୁଖ ଦୁଃଖ ଭୁଲି ଯାଇଛନ୍ତି Ι ମନ୍ତ୍ରୀ ମାନଙ୍କ ପରାମର୍ଶକୁ ମଧ୍ୟ ଆପଣ ଆଡ଼େଇ ଦେଇଛନ୍ତି Ι ତୁମ ରାଜ୍ୟରେ ହା ହାକାର ପଡ଼ିଛି l କେବଳ ମନୁଷ୍ୟ ନୁହଁ ମନୁଷ୍ୟେତର ପ୍ରାଣୀମାନେ ମଧ୍ୟ ଡହଳ ବିକଳ ହେଉଛନ୍ତି l କିନ୍ତୁ ତୁମର ନିଦ୍ରା ଭଙ୍ଗ ହେଉନାହିଁ l ଏପରି ଦାୟିତ୍ୱହୀନ ଉତ୍ସୃଙ୍ଖଳ ରାଜାଙ୍କ ଆତିଥ୍ୟ ଗ୍ରହଣ କରିବା, ମହାପାପ Ι ମୁଁ ଚାଲିଲି କହି, ନାରଦ ଯିବାକୁ ବାହାରିଲେ l କ୍ରୋଧିତ ନାରଦଙ୍କ ପାଦ ଧରି, ଦଶରଥ କହିଲେ, ହେ ମୁନି ମୋତେ ମନଇଚ୍ଛା ତିରସ୍କାର କରନ୍ତୁ Ι ମାତ୍ର, ଗୋଟିଏ କଥା କହି ଯାଆନ୍ତୁ Ι ମୋର ସ୍ୱର୍ଗ ତୂଲ୍ୟ, ଅଯୋଧ୍ୟା ପୁରୀରେ ଏ ବ୍ୟୁତ୍ପାତ ହେବାର କାରଣ କଅଣ?" ନାରଦ କହିଲେ, ଶନିଙ୍କ କୁଦୃଷ୍ଟି ତୁମ ରାଜ୍ୟ ଉପରେ ପଡ଼ିଛି l ଏସବୁ ସେହି କାରଣରୁ ହେଉଛି l ହେ ରାଜା, ପାର, ଯଦି ନିଜ ରାଜ୍ୟକୁ ରକ୍ଷା କର Ι" ଏପରି କହି ଦେବର୍ଷି ନାରଦ ଅନ୍ତର୍ଧ୍ୟାନ ହୋଇଗଲେ l
ଦଶରଥଙ୍କର ତନ୍ଦ୍ରା ଭଗ୍ନ ହେଲା Ι ସେ ସ୍ଵର୍ଗ ପୁର ଅଭିମୁଖେ ଯାତ୍ରା କଲେ Ι ଦେବରାଜ ଇନ୍ଦ୍ର ତାଙ୍କ ବନ୍ଧୁ ଥିଲେ Ι ଦେବରାଜ ତାଙ୍କୁ ଗ୍ରହରାଜ ଶନିଙ୍କୁ ଭେଟ କରି ପ୍ରତିକାର ଲୋଡ଼ନ୍ତୁ ବୋଲି ପରାମର୍ଶ ଦେଲେ Ι ମହା ପ୍ରତାପୀ ଦଶରଥ କ୍ରୋଧିତ ହୋଇ ଶନି ଦେବଙ୍କୁ ଆକ୍ରମଣ କରିବା ମନସ୍ଥ କରି ତାଙ୍କ ନିକଟକୁ ଯାତ୍ରା କଲେ l ଦଶରଥଙ୍କ ‘ଯୁଦ୍ଧମ୍ ଦେହି’ ଡାକ ଶୁଣି ଗ୍ରହରାଜ ଶନି ବାହାରକୁ ଆସିଲେ Ι ତାଙ୍କର ଦୃଷ୍ଟି ପଡ଼ିବା କ୍ଷଣି ରାଜା ଦଶରଥଙ୍କ ରଥର ସବୁ ଅଶ୍ଵ ମାନେ ଜଳି ଗଲେ Ι ରଥ ପୋଡ଼ିଗଲା Ι ସେ ଶୂନ୍ୟରୁ ଖସିବାକୁ ଲାଗିଲେ Ι ତଳେ ପତିତ ହେଲେ ମୃତ୍ୟୁ ତାଙ୍କର ସୁନିଶ୍ଚିନ୍ତ Ι ସେତିକି ବେଳେ ସେହି ମାର୍ଗରେ ଉଡ଼ି ଯାଉଥିଲେ ଗୁଧ୍ରରାଜ ଜଟାୟୁ l ସ୍ୱର୍ଗରୁ ଜ୍ୱଳମାନ ଏକ ପିଣ୍ଡ ଖସୁ ଥିବା ଦେଖି ସେ ତୁରନ୍ତ ଧାଇଁଯାଇ ତାଙ୍କ ପକ୍ଷ ମେଲାଇ, ଅଯୋଧ୍ୟା ନରପତିଙ୍କୁ ନିଜ ପୃଷ୍ଠ ଉପରେ ଧାରଣ କରି ଆଶ୍ରୟ ଦେଲେ ଏବଂ ତାଙ୍କୁ ଉଡ଼ାଇ ନେଇ ଇନ୍ଦ୍ରଙ୍କ ନିକଟରେ ଉପସ୍ଥିତ କରାଇଲେ Ι ମହାରାଜ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଜଟାୟୁଙ୍କ ସହ ମିତ୍ରତା ସ୍ଥାପନ କଲେ l ଉଭୟ ପରସ୍ପରକୁ ଆଲିଙ୍ଗନ ପୂର୍ବକ ସତ୍ୟକଲେ ଯାବଜ୍ଜ୍ଜୀବନ ଏହି ମିତ୍ରତା ବନ୍ଧନ ଅତୁଟ ରହିବ Ι ଦେବରାଜ ଦଶରଥଙ୍କୁ ଶନିଙ୍କ ସମ୍ମୁଖକୁ ନ ଯାଇ ତାଙ୍କ ପୃଷ୍ଠପଟରେ ରହି ନିଜ ସମସ୍ୟା ଜଣାଇବା ପାଇଁ ପରାମର୍ଶ ଦେଲେ Ι ସେ କିଛି ସମୟ ପାଇଁ ଚକ୍ଷୁମୁଦ୍ରିତ କରିବା ପାଇଁ ଶନି ଦେବଙ୍କୁ ଅନୁରୋଧ କଲେ Ι ଉଭୟଙ୍କ ମଧ୍ୟରେ ଅତି ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ, ଆଲୋଚନା ହେଲା l ଶନି ସୂର୍ଯ୍ୟଙ୍କ ପୁତ୍ର ଓ ସୂର୍ଯ୍ୟ ବଂଶରେ ଜନ୍ମ ଅଜଙ୍କ ପୁତ୍ର ଦଶରଥ Ι କ୍ରୋଧ ପରିହାର କରି ଦଶରଥ ଶନିଙ୍କ ସ୍ତବକରି ତାଙ୍କୁ ସନ୍ତୁଷ୍ଟ କଲେ Ι ଶନି ବର ଦେଲେ ଅଯୋଧ୍ୟା ଉପରେ ସେ କେବେ କୁଦୃଷ୍ଟି ପକାଇବେ ନାହିଁ Ι
ସଙ୍ଗେସଙ୍ଗେ ଫଳ ମିଳିଲା ଓ ଅଯୋଧ୍ୟାର ଚିତ୍ରପଟ ସମ୍ପୂର୍ଣ୍ଣ ବଦଳି ଗଲା Ι ଅଯୋଧ୍ୟା ପୂର୍ବବତ ଧନ ଧାନ୍ୟ ଗୋପ ଲକ୍ଷ୍ମୀରେ ହସି ଉଠିଲା l ରାଜା ଦଶରଥ ଶନିଦେବଙ୍କ ତୁଷ୍ଟି ନିମନ୍ତେ ଯେଉଁ ସ୍ତୋତ୍ର ଗାୟନ କରିଥିଲେ, ତାହା ଆମ ଶାସ୍ତ୍ରରେ ଦଶରଥ କୃତ ଶନି ସ୍ତୋତ୍ର ଭାବେ ଖ୍ୟାତ l ସେହି ସ୍ତୋତ୍ରର ଆରମ୍ଭରେ କାଳାଗ୍ନିସ୍ବରୂପ ଶନିଦେବଙ୍କୁ ବନ୍ଦନା କରି ଉଲ୍ଲେଖ ରହିଛି :-
ନମଃ କୃଷ୍ଣାୟ ନୀଳାୟ ଶିତିକଣ୍ଠନିଭାୟ ଚ l ନମଃ କାଳାଗ୍ନିରୂପାୟ କୃତାନ୍ତାୟ ଚ ବୈ ନମଃ ll
             🙏🙏🙏
                 ଅର୍ଜୁନୀ
                -------------
ଅର୍ଜୁନୀ ଚରଣ ବେହେରା ମୋ - 7693091971


Rate this content
Log in

Similar oriya story from Classics