Kulamani Sarangi

Classics

3  

Kulamani Sarangi

Classics

ମହାନାୟକଙ୍କ ଶରଶଯ୍ୟା

ମହାନାୟକଙ୍କ ଶରଶଯ୍ୟା

4 mins
263



ଲୋମହର୍ଷଣକାରୀ ଥିଲା ମହାଭାରତ ସଂଗ୍ରାମ। ଚତୁର୍ଥ ଦିନର ସଂଗ୍ରାମରେ ଅଭିମନ୍ୟୁର ରଣ କୌଶଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା। ସେଦିନ ମଧ୍ୟ ଭୀମସେନଙ୍କର ଭୀମରୂପ ଦେଖି କୌରବବାହିନୀ ଭୟରେ ପ୍ରକମ୍ପିତ ହୋଇଉଠିଲେ। ଦୁର୍ଯ୍ୟୋଧନଙ୍କର ଆଠ ଜଣ ଭାଇଙ୍କୁ ସେଦିନ ଭୀମସେନ ନିର୍ମମ ଭାବରେ ବଧ କଲେ।ସଞ୍ଜୟଙ୍କ ମୁଖରୁ ଏହାଶୁଣି ଧୃତରାଷ୍ଟ୍ରଙ୍କ ଚକ୍ଷୁରୁ ଝରି ଗଲା ଧାର ଧାର ହୋଇ ଯନ୍ତ୍ରଣାର ଅଶ୍ରୁଧାର।କୋହ ସମ୍ଭାଳି ଧୃତରାଷ୍ଟ୍ର ସଞ୍ଜୟଙ୍କୁ କହିଲେ ..ଭୀମ ନିଶ୍ଚିତ ଭାବରେ ମୋର ସବୁ ପୁତ୍ର ମାନଙ୍କୁ ବଧ କରିବ;ମୋ ଦୁଃଖର ଦିନ ଆରମ୍ଭ ହେଲା ସଞ୍ଜୟ !"


ଯୁଦ୍ଧର ପଞ୍ଚମ ଦିନରେ ଅର୍ଜୁନଙ୍କ ଭୟଙ୍କର ସଂଗ୍ରାମ ଦୁର୍ଯ୍ୟୋଧନଙ୍କୁ ଭୀତତ୍ରସ୍ତ ଏବଂ ମ୍ରିୟମାଣ କଲା। ସବୁଦିନ ପରି ସେଦିନ ମଧ୍ୟ ଯୁଦ୍ଧ ଶେଷରେ ତାଙ୍କର ସେହି ଗୋଟିଏ ଅଭିଯୋଗ ଥିଲା..ତାଙ୍କ ପକ୍ଷର ମହାରଥୀମାନେ ଠିକ୍ ଭାବରେ ନିଜର ଦାୟିତ୍ଵ ସମ୍ପନ୍ନ କରୁନାହାନ୍ତି। ଷଷ୍ଠ ଦିନର ଯୁଦ୍ଧରେ ଦ୍ରୋଣଙ୍କ ସହିତ ଧୃଷ୍ଟଦ୍ୟୁମ୍ନ ଏବଂ ଭୀମସେନଙ୍କର ଭୟଙ୍କର ଯୁଦ୍ଧ ହେଲା।ଅବଶ୍ୟ ସନ୍ଧ୍ୟା ସମୟରେ ଯୁଧିଷ୍ଠିର ଆଶ୍ବସ୍ତ ହେଲେ ଯେ ଏହି ଦୁଇ ବୀର ଗୁରୁଙ୍କ ସମ୍ମୁଖରୁ ଜୀବନ୍ତ ଫେରି ଆସିଛନ୍ତି।ସପ୍ତମ ଦିନର ଯୁଦ୍ଧରେ ଅଭିମନ୍ୟୁର ସଂଗ୍ରାମ ଦର୍ଶନୀୟ ଥିଲା। ସେଦିନ ସେ ଦୁର୍ଯ୍ୟୋଧନଙ୍କର ତିନି ଭ୍ରାତାଙ୍କୁ ପରାସ୍ତ କରିବା ପରେ ସହଜରେ ଯମଲୋକକୁ ପଠାଇ ପାରିଥାନ୍ତା, କିନ୍ତୁ ଭୀମସେନଙ୍କ ପଣ କଥା ମନେପଡି ସେଥିରୁ ସେ କ୍ଷାନ୍ତ ହେଲା ,କାରଣ ଦ୍ବିତୀୟ ପାଣ୍ଡବ ପଣ କରିଥିଲେ ଯେ ସେ ଧୃତରାଷ୍ଟ୍ରଙ୍କର ଶତପୁତ୍ରଙ୍କୁ ବଧ କରିବେ।ଭୀମସେନ ଅଭିମନ୍ୟୁକୁ କୋଳାଗ୍ରତ କରି କହିଲେ .. ସାବାସ୍ ମୋର ବୀର ପୁତ୍ର ! ତୁ ପାଣ୍ଡବମାନଙ୍କର ଗର୍ବ ଓ ଗୌରବ।"


ଅଷ୍ଟମ ଦିନରେ ଭୁରିଶ୍ରବା ଏବଂ ଧୃଷ୍ଟକେତୁଙ୍କ ମଧ୍ୟରେ ଭୟଙ୍କର ସଂଗ୍ରାମ ଦୃଷ୍ଟି ଆକର୍ଷଣୀୟ ଥିଲା।ଧୃଷ୍ଟକେତୁଙ୍କ ବାଣ ପ୍ରହାରରେ ରକ୍ତରଞ୍ଜିତ ହେଲା ମହାବଳୀ ଭୁରିଶ୍ରବାଙ୍କ ଶରୀର,ତଥାପି ସେ ପଛଘୁଞ୍ଚା ନଦେଇ ଭୟଙ୍କର ଯୁଦ୍ଧରେ ମଗ୍ନ ରହି ଧୃଷ୍ଟକେତୁଙ୍କୁ ପରାସ୍ତ କଲେ।

ନବମ ଦିନର ଯୁଦ୍ଧରେ ଭୀମସେନଙ୍କ ହାତରେ ଦୁର୍ଯ୍ୟୋଧନଙ୍କର ଆଉ ଆଠଜଣ ଭ୍ରାତା ଵୀରଗତି ପ୍ରାପ୍ତ ହେବାପରେ ଦୁଃଖରେ ଭାଙ୍ଗିପଡିଲେ ଦୁର୍ଯ୍ୟୋଧନ। ସେଦିନ ମଧ୍ୟ ଦୁର୍ଯ୍ୟୋଧନଙ୍କ ମିତ୍ର ଅଳମ୍ଭୁଷ ରାକ୍ଷସ ପାଣ୍ଡବ ପକ୍ଷର ଅପୂରଣୀୟ କ୍ଷତି ସାଧନ କଲା। ଅର୍ଜୁନଙ୍କ ପ୍ରିୟ ପୁତ୍ର ଇରାଭାନ(ନାଗକନ୍ୟା ଉଲୁପୀଙ୍କ ପୁତ୍ର)ସେଦିନ ଅଳମ୍ଭୁଷ ରାକ୍ଷସ ହାତରେ ବୀର ଗତି ପ୍ରାପ୍ତ ହେଲାପରେ ଦୁଃଖରେ ମ୍ରିୟମାଣ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ .. ହେ ମଧୁସୂଦନ ! ପିତା ଆଗରେ ବୀରପୁତ୍ରର ପ୍ରାଣ ଯିବା କି ଦୁଃଖ ଦାୟକ। ଆଜି ମୁଁ ହୃଦୟଙ୍ଗମ କରି ପାରୁଛି କାହିଁକି ଯୁଧିଷ୍ଠିର ସର୍ବଦା ଯୁଦ୍ଧ ବିପକ୍ଷରେ ମତ ଦେଇ କହୁଥିଲେ ଯେ ମାତ୍ର ପାଞ୍ଚଟି ଗ୍ରାମ ପାଇ ପାରିଲେ ଆମେ ଯୁଦ୍ଧକୁ ଏଡାଇଦେବା ଉଚିତ। ଜ୍ଞାତି କୁଟୁମ୍ବ ମାନଙ୍କୁ ହରାଇ ଏ ଯୁଦ୍ଧ ଜିଣିଗଲେ ମଧ୍ୟ କଣ ଲାଭ ? କିନ୍ତୁ ଏ ସମୟରେ ଯୁଦ୍ଧରୁ ପଛଘୁଞ୍ଚା ଦେଲେ ମୋତେ ସଂସାର କାପୁରୁଷ ନାମରେ ନାମିତ କରିବ।"


ଶ୍ରୀକୃଷ୍ଣ କହିଲେ ..ପାର୍ଥ ! ଏ ମହା ସଂଗ୍ରାମର ଶୀଘ୍ର ଅନ୍ତ କରିବାକୁ ହେବ। ଭୀଷ୍ମଙ୍କ ମୃତ୍ୟୁ ବିନା ତାହା ସମ୍ଭବ ନୁହେଁ। ସେଥିପାଇଁ ଭୀଷ୍ମଙ୍କୁ ଯୁଦ୍ଧ ତ୍ୟାଗ କରିବାକୁ ବିବଶ କରିବାକୁ ହେବ। କୌଣସି ଅମୋଘ ଅସ୍ତ୍ରରେ ତାହା ସମ୍ଭବ ନୁହେଁ କାରଣ ପ୍ରତି ଅମୋଘ ଅସ୍ତ୍ରକୁ ପ୍ରତିହତ କରିବା ଉପାୟ ପିତାମହଙ୍କୁ ଜଣା।ତାଙ୍କୁ ଅସ୍ତ୍ରତ୍ୟାଗ କରି ବିବଶ ଅବସ୍ଥାରେ ପରାହତ କରିବାକୁ ପଡ଼ିବ।ସେ ସମୟରେ ପିତାମହଙ୍କ ପ୍ରତି ତୁମର ଅହେତୁକ ମୋହ ଆମ୍ଭମାନଙ୍କର କାର୍ଯ୍ୟ ସାଧନର ଅନ୍ତରାୟ ହେବା ଅନୁଚିତ। 


ମୁଁ ଦେଖୁଛି ପିତାମହଙ୍କ ସହିତ ଯୁଦ୍ଧ କରିବା ସମୟରେ ତୁମେ ରଣ କରୁନାହଁ, ବରଂ ଜେଜେବାପାଙ୍କ ସହିତ ବାଲ୍ୟକ୍ରୀଡା କରିବା ଭଳି ଜଣାଯାଉଛ। ଏପରି ମୋହପରବଶ ହୋଇ ପିତାମହଙ୍କ ସହିତ ଯୁଦ୍ଧ କଲେ ଯୁଗ ଯୁଗ ଧରି ଯୁଦ୍ଧ ଚାଲିଥିବ।ଯୁଦ୍ଧ ବହୁଦିନ ଧରି ଲାଗିରହିଲେ କେଉଁ ପକ୍ଷ ବିଜୟୀ ହେବ କହିବା କଷ୍ଟସାଧ୍ୟ।ଯୁଦ୍ଧ ନୀତି ସହିତ କୁଟନୀତିର ସଫଳ ରୁପାୟନ ଯେଉଁ ପକ୍ଷ କରିପାରିବ ସେ ହେବ ବିଜୟୀ। ତେଣୁ ମୋହ ତ୍ୟାଗ କରି ପିତାମହଙ୍କ ପ୍ରାଣ ଅନ୍ତ କରିବା ସମୟ ଆସିଯାଇଛି ପାର୍ଥ !ଆଉ ବିଳମ୍ବ କାହିଁକି ?"


ଦଶମ ଦିନର ଯୁଦ୍ଧରେ ଏହି ଉପାୟକୁ ପୃଷ୍ଠଭୂମିରେ ରଖି ନନ୍ଦିଘୋଷ ନେଇ ପାର୍ଥସାରଥି ଭୀଷ୍ମଙ୍କ ଆଗରେ ଉପସ୍ଥିତ ହେଲେ।ଭୀଷଣ ସଂଗ୍ରାମରେ ମଜ୍ଜିଗଲେ ଭୀଷ୍ମ ଏବଂ ଅର୍ଜୁନ। ଯୋଜନା ଅନୁଯାୟୀ ଅକସ୍ମାତ ଶିଖଣ୍ଡି ଭୀଷ୍ମଙ୍କ ସମକ୍ଷରେ ଉପସ୍ଥିତ ହୋଇ ତାଙ୍କ ଉପରକୁ ବାଣ ପ୍ରହାର କଲେ।ଶିଖଣ୍ଡୀଙ୍କୁ ଦେଖି ଦେଦୀପ୍ୟମାନ ଅଗ୍ନି ଗୋଲକ ଭଳି ଜଳି ଉଠିଲା ଭୀଷ୍ମଙ୍କ ଦୁଇ ଚକ୍ଷୁ। ତାଙ୍କର ଇଚ୍ଛା ହେଲା ଏକ ଅମୋଘ ବାଣରେ ଶିଖଣ୍ଡୀଙ୍କୁ ଧରାଶାୟୀ କରିବାପାଇଁ। କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସମ୍ବରଣ କରିନେଲେ ସେ। ନାରୀ ସହିତ ଯୁଦ୍ଧ ନକରିବାର ପଣ ନେଇଥିଲେ ଭୀଷ୍ମ। ଶଲ୍ୟ ଚିକିତ୍ସା ବଳରେ ଅମ୍ବାରୁ ଶିଖଣ୍ଡୀରେ ପରିଣତ ହୋଇଥିବା କାଶୀ-ରାଜକନ୍ୟା ତାଙ୍କ ସମ୍ମୁଖରେ ଉପସ୍ଥିତ।ଅସ୍ତ୍ର ତ୍ୟାଗ କରି ସ୍ଥିର ହୋଇ ଦଣ୍ଡାୟମାନ ହେଲେ ଭୀଷ୍ମ।


ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ..ପିତାମହଙ୍କୁ ବୀର-ଗତି ଦେବାର ଏହା ହିଁ ଉପଯୁକ୍ତ ସମୟ ପାର୍ଥ। ଅପେକ୍ଷା କରନାହିଁ।ଏ ସୁଯୋଗ ହରାଇଲେ, ପିତାମହ ଅଜେୟ ହୋଇଯିବେ, ପାଣ୍ଡବ ମାନେ ନିଶ୍ଚିହ୍ନ ହୋଇଯିବେ।

ହସ୍ତପଦ ଶିଥିଳ ହୋଇ ଯାଉଛି ଅର୍ଜୁନଙ୍କର। କିପରି ସେ ଅତି ପ୍ରିୟ ପିତାମହଙ୍କୁ ନିରସ୍ତ୍ର ଅବସ୍ଥାରେ ବାଣ ପ୍ରହାର କରିବେ !! ବାରମ୍ବାର ଶ୍ରୀକୃଷ୍ଣଙ୍କ କହୁଛନ୍ତି..ବିଳମ୍ବ କରନାହିଁ ପାର୍ଥ ! ପ୍ରହାର କର,ଏ ସୁଯୋଗ ଛାଡ଼ିଲେ ଆଉ ମିଳିବନାହିଁ।"


ଅର୍ଜୁନ ବିବଶ ହୋଇ ଶେଷରେ ବାଣ ପ୍ରହାର କଲେ ପିତା ମହଙ୍କ ଶରୀରକୁ।ବାଣ ପରେ ବାଣ ସାଞ୍ଜୁ ଭେଦକଲା ପିତାମହଙ୍କର । ଅର୍ଜୁନଙ୍କ ଆଖିରୁ ବହି ଯାଉଛି ଲୋତକ ଧାର।ପ୍ରତି ବାଣ ପ୍ରହାର ସମୟରେ ଗଭୀର କୋହ ଉଠୁଛି ଅନ୍ତର ଭିତରୁ।ବିକଳ ହୋଇ କାନ୍ଦୁଥିଲେ ଧନଞ୍ଜୟ,ତଥାପି ବାଣ ପରେ ବାଣ ପ୍ର‌ହାର କରି ଚାଲିଥିଲେ। ପିତାମହଙ୍କର ସମଗ୍ର ଶରୀର ଅର୍ଜୁନଙ୍କ ବାଣରେ ବିଦ୍ଧ ହୋଇଗଲା।ହସହସ ମୁଖରେ ଭୀଷ୍ମ ଦୁଃଶାସନ କୁ କହିଲେ ..ଦେଖ ବତ୍ସ ! ଏ'ବାଣ ଶିଖଣ୍ଡୀର ନୁହେଁ,ଏହା ମୋ ପ୍ରିୟ ପୁତ୍ର ଅର୍ଜୁନର ଗାଣ୍ଡିବରୁ ନିର୍ଗତ ବାଣ। ଆଃ ! କି ଶାନ୍ତି ଲାଭ କଲା ମୋ ଆତ୍ମା ! ନାରାୟଣ ମୋ ସମ୍ମୁଖରେ ବିଦ୍ୟମାନ, ଏବଂ ମୋ ପ୍ରିୟ ଅର୍ଜୁନର ବାଣରେ ମୁଁ ପରା଼ହତ,ଏହାଠାରୁ ବଳି ଆଉ କ'ଣ ଶାନ୍ତି ଥାଇପାରେ ପୁତ୍ର!

କହୁକହୁ ଭୂମିରେ ଟଳି ପଡିଲେ ଭୀଷ୍ମ।ଶରୀର ଭୂମିରେ ନଲାଗି ଶରଶଯ୍ୟା ଉପରେ ରହିଲା।


ସ୍ତବ୍ଧ କୁରୁକ୍ଷେତ୍ର। ଯୁଦ୍ଧ ବିରତି କରି ସମସ୍ତ ଯୋଦ୍ଧା ପହଞ୍ଚିଲେ ପିତା ମହଙ୍କ ପାଖରେ।ସ୍ବର୍ଗରେ ଦେବଗଣ ଏକତ୍ରିତ ହୋଇ ଦେଖୁଥିଲେ ସମୟଫର୍ଦ୍ଦରେ ଲିଖିତ ଏହି ମହାନାଟକର ଚିତ୍ରପଟକୁ। ଶତାବ୍ଦୀର ଏହି ମହାନାୟକଙ୍କୁ ଶରଶଯ୍ୟାରେ ଦେଖି ନିଶବ୍ଦ ହୋଇଯାଇଥିଲା ପୃଥିବୀ,ସ୍ଥିର ହୋଇ ଯାଇଥିଲା ସମୟର ଗତି।


ଭୀଷ୍ମଙ୍କ ଶରୀର ଶରଶଯ୍ୟାରେ ରହିଥିଲା କିନ୍ତୁ ମସ୍ତକ ତଳକୁ ଝୁଲି ରହିଥିଲା। ପିତାମହ କହିଲେ..ମୋ ମସ୍ତକ ପାଇଁ ଆଶ୍ରୟ ଆବଶ୍ୟକ। ଦୁର୍ଯ୍ୟୋଧନ ସଙ୍ଗେ ପ୍ରାସାଦରୁ ଉପାଧାନ(ତକିଆ) ଆଣିବାପାଇଁ ଆଦେଶ ଦେଲେ।ହସି ଦେଇ ଭୀଷ୍ମ କହିଲେ.. ସେଭଳି ଆଶ୍ରୟର ଆବଶ୍ୟକତା ନାହିଁ। ଅର୍ଜୁନ ମୋ ଇଚ୍ଛା ପୂରଣ କରିବ। ଅର୍ଜୁନ ସଙ୍ଗେ ସଙ୍ଗେ ଶରର ଏକ ଉପାଧାନ ପ୍ରସ୍ତୁତ କରିଦେଇ ତା ଉପରେ ପିତାମହଙ୍କ ମସ୍ତକକୁ ରଖିଦେଲେ।


ତୃଷାରେ କଣ୍ଠ ଶୁଖି ଯାଉଥିଲା ଭୀଷ୍ମଙ୍କର।ଜଳ ପାଇଁ ଅର୍ଜୁନଙ୍କ ମୁଖକୁ ଚା‌ହିଲେ ପିତାମହ। ଅର୍ଜୁନ, ପିତାମହଙ୍କ ମସ୍ତକକୁ ଲାଗି ଧରିତ୍ରୀ ଦେହରେ ଏକ ତୀର ବିଦ୍ଧକଲେ। ସ୍ବଚ୍ଛ ସଲିଳର ଉତ୍ସ ଉର୍ଦ୍ଧ୍ବମୁଖୀ ହୋଇ ଭୀଷ୍ମଙ୍କ ମୁଖଗହ୍ବରରେ ନିପତିତ ହେଲେ। ଦେବୀ ଗଙ୍ଗା ସଲିଳା ହୋଇ ପୁତ୍ରର ତୃଷା ଦୂର କରିବା ପାଇଁ ଆସିଯାଇଥିଲେ ଭୀଷ୍ମଙ୍କନିକଟକୁ।ତୃପ୍ତ କଣ୍ଠରେ ଭୀଷ୍ମ କହିଲେ .. ଆଃ ଜନନୀ ! ତୁମର ସ୍ପର୍ଶ ପାଇ ଧନ୍ୟ ହେଲି।"

 

ଉପସ୍ଥିତ ବୀର ମାନଙ୍କୁ ପିତାମହ କହିଲେ.. ସୂର୍ଯ୍ୟଙ୍କର ଉତ୍ତରାୟଣ ନହେବା ପର୍ଯ୍ୟନ୍ତ ମୁଁ ପ୍ରାଣତ୍ୟାଗ କରିବି ନାହିଁ, ଏହି ଶରଶଯ୍ୟାରେ ହିଁ ରହିଥିବି। ଯେତେବେଳେ ମୁଁ ପ୍ରାଣତ୍ୟାଗ କରିବି,ତୁମ୍ଭ ମାନଙ୍କ ଭିତରୁ ଯେଉଁମାନେ ଏହି ମହା ସଂଗ୍ରାମରୁ ଜୀବିତ ରହିଥିବ, ନିଶ୍ଚିତ ଭାବରେ ମୋତେ ଶେଷ ଦର୍ଶନ କରିବାପାଇଁ ଆସିବ।



Rate this content
Log in

Similar oriya story from Classics