ମାଟି କଣ୍ଢେଇ
ମାଟି କଣ୍ଢେଇ




ସଞ୍ଜ ନଇଁ ଆସୁଥାଏ,କଇଁ ତା ' ଟୋକେଇଟି ଧରି ଧିରେ ଧୀରେ ଘରକୁ ଫେରୁଥିଲା,ଯୋଉଥିରେ କେତେ ଯତନରେ ତା' ହାତ ତିଆରି ମାଟି କଣ୍ଢେଇ କେତୋଟି କୁ କନା ଖଣ୍ଡକରେ ଘୋଡାଇ ରଖିଥିଲା। ଦେହର ବଳ ଟିକକ ଯେମିତି ତା' ମନର ବଳ ସାଙ୍ଗରେ ତାଳ ଦେଇ ପାରୁନଥିଲା। ସହଳ ସହଳ ପାଦ ପକାଇବାକୁ ଚେଷ୍ଟା କରିବି ଯେମିତି ହାରି ଯାଉଥିଲା,ଗଉରା ପାଇଁ କିଛି କିଣି କି ନବାକୁ ଯେମିତି ତାର ଆଉ ଟିକେ ବି ବଳ ପାଉନଥିଲା ଜାଣିଥିଲା,ଘରକୁ ଗଲେ ରୋଗୀଣା ଗଉରା ଟା ନିଶ୍ଚିତ ତା ଆଣିଥିବା ଜିନିଷ କୁ ଖୋଜି ପକେଇବ ସବୁଦିନ ପରି ଆଜି ସେସବୁ କୁ ଭାବି ବାକୁ ଯେମିତି ଜମା ଚାହୁଁ ନ ଥିଲା କେବଳ ଗୋଟିଏ କଥା ତା' ମନ ଭିତରେ ଥିଲା–କେମିତି ଯାଇ ଘରେ ଭଲରେ ଭଲରେ ପହଞ୍ଚି ଯିବ। ହୁଏତ କିଛି ସମୟ ବିଶ୍ରାମ ନେଲେ ,ଗଉରା ପାଇଁ କିଛି ରାନ୍ଧି ଦେଇ ପାରିବ ହେଲେ ମନଟା ତାର ଏତେ ଛଟପଟ ହେଇଯାଉଥିଲା ଯେ–ଘରେ ତାର ରାନ୍ଧିଲା ଭଳି କିଛି ଅଛି କି ନାହି, ଠିକ କରି ମନେପକାଇ ପାରୁନଥିଲା ଆଜି ତାର ଗୋଟିଏ ହେଲେ କଣ୍ଢେଇ ବିକିରି ହେଇପାରିଲାନି,କେମିତି କଣ କରିବ ଭାବୁ ଭାବୁ ଘର ପାଖରେ ପହଞ୍ଚି ଯାଇଥିଲା। କଣ୍ଢେଇ ଟୋକେଇ ଟା ବାରଣ୍ଡାରେ ଥୋଇଦେଇ ,ଲଥ୍ କରି ବସିପଡିଥିଲା। ପାଖରେ ତାର ଗଉରା ଯେ କେତେବେଳୁ ଆସି ଠିଆ ହୋଇଯାଇଥିଲା, ଜାଣି ପାରିନଥିଲା
ଗଉରା ର ମୁହଁକୁ ଅନାଇ କ'ଣ କହିବ ଭାବି ପାରୁନଥିଲା କିଛି ନ କହିଲେ ବି ଯେମିତି କଇଁ ର ଟୋକେଇ ଟାକୁ ଦେଖି ,ଗଉରା ଜାଣି ପାରିଥିଲା ଯେ ଆଜି ପୁଣି କିଛି ବିକିରି ନ କରି କଇଁ ଫେରି ଆସିଛି ଯେତେ ମନା କରିଲେ ବି କଇଁ ଜବରଦସ୍ତ ପାଖ ବଜାର କୁ ତା ମାଟି କଣ୍ଢେଇ ତକ ଧରି ଚାଲିଯାଇଥିଲା,ରଥଯାତ୍ରା ପାଖେଇ ଆସିଲାଣି କହି,କାଳେ କେହି ତା କଣ୍ଢେଇ କିଣିନେବେ ଭାବି ହେଲେ ପୁଣି ପୂର୍ଵ ପରି ନିରାଶ ହେବାକୁ ପଡିବ ବୋଲି ଜମାରୁ ଭାବି ପାରି ନଥିଲା
ଯୁଗ ବଦଳିବା ସାଙ୍ଗରେ ଲୋକମାନଙ୍କ ର ପସନ୍ଦ ମଧ୍ୟ ବଦଳି ଯାଇଥିଲା। ପିଲାମାନଙ୍କୁ ଆଉ କେହି ମାଟି କଣ୍ଢେଇ ଖେଳିବା କୁ ଦେଉ ନ ଥିଲେ, 'ସଫ୍ଟ ଟୟଜ' ର ଦୁନିଆ ରେ କଇଁ ର ମାଟି କଣ୍ଢେଇ ର ଚାହିଦା ଯେ କେବେଠୁ ଚାଲିଗଲାଣି ,ଯିଏ ଯେତେ ବୁଝାଇଲେ ମଧ୍ୟ କଇଁ ଯେମିତି ବୁଝିବାକୁ ରାଜି ନ ଥିଲା,କି ତା' କାରିଗରୀ ଛାଡୁ ନ ଥିଲା। ସେଇ କଣ୍ଢେଇ ଗଢି ଗଢି ,ଗଉରା ଆଉ ସିଏ ଦୁହେଁ ତାଙ୍କ ଛୋଟିଆ ସଂସାର କୁ ଚଳାଇ ଆସୁଥିଲେ ଏତେବର୍ଷ। ପୁଅ କୁ ପାଠ ପଢ଼ାଇ ମଣିଷ କଲେ,ବେଶି ଭଲ ନ ପଢିଲେ ବି,କଲେଜ ରେ ପାଠ ପଢି ଦୂର ରାଇଜ କୁ ଚାକିରି କରିବାକୁ ପୁଅ କୁ ତାଙ୍କର ପଠାଇ ପାରିଥିଲେ।' ଜଗା' ତାଙ୍କର ଗାଁ ରେ ବାପା ମା ଙ୍କୁ ଛାଡି ଯେତେବେଳେ ଚାକିରି କରିବାକୁ ପ୍ରଥମେ ଯାଇଥିଲା, ସେତେବେଳେ କେତେ ସପନ ଗଉରା ଆଉ କଇଁ ର ମନରେ ବୋଳି ଦେଇଥିଲା–'ତା ଚାକିରି ଜାଗାରେ ଅଳ୍ପଦିନ ରହିଲାପରେ,ସେମାନଙ୍କୁ ନେଇଯିବ, ଆଉ ସେମାନଙ୍କୁ କଣ୍ଢେଇ ଧରି ଖରତରା ରେ ବୁଲି ବୁଲି ବିକିବାକୁ ପଡିବନି।' ପ୍ରଥମ ମାସ ର ଦରମା ପାଇ,ସବୁଯାକ ପଇସା ତା'ବାପା ପାଖକୁ ପଠେଇଦେଇଥିଲା,ଅଳ୍ପ କିଛି ଯାହା ଚଳିବା ପାଇଁ ରଖିକି ଗଉରା ର ଖୁସି କହିଲେ ନ ସରେ,ଗାଁ ସାରା ବୁଲି ବୁଲି ଲଡୁ ବାଣ୍ଟୁ ବାଣ୍ଟୁ କେତେ କ'ଣ ଯେ ତା'ଜଗା ବିଷୟରେ କହି ଚାଲିଥିଲା। କଇଁ ଦଉଡି ଯାଇ ତର ତର ରେ ଗ୍ରାମ ଦେବତୀ ଙ୍କ ପାଖରେ ନଡ଼ିଆ ଟେ ଭାଙ୍ଗି ଦେଇ ତା'ପାଖରେ ବସାଉଠା କରୁଥିବା ମାଇପି ମାନଙ୍କ ଭିତରେ ବାଣ୍ଟି ପକେଇଥିଲା।
କଇଁ ତା'ଭାବନା ଭିତରୁ ଟିକିଏ ଓହ୍ଲାଇ ଆସିଥିଲା,ଯେତେବେଳେ ଦେଖିଥିଲା,ଗଉରା ଖଟ ଉପରେ ଶୋଇ ଧଇଁ ସଇଁ ହୋଇଯାଉଥିଲା।। ଏଇ କେତେଦିନ ହେବ ଗଉରା ର ଶ୍ଵାସ ରୋଗ ଟା ବାହାରି ଅତି ବ୍ୟସ୍ତ ତାକୁ କରି ପକାଉଛି ମାଟି ଧୂଳି ଠାରୁ ଦୂରରେ ରହିବାକୁ ଡାକ୍ତର ବାବୁ ବାର ବାର ମନା କରିଛନ୍ତି, ହେଲେ ସେଇ ମାଟି ଧୂଳି କୁ ନେଇ ତ ତା'ସଂସାର ଚଳେ, ଗଉରା କିଛି ମାନିବାକୁ ପ୍ରସ୍ତୁତ ନ ଥିଲାବେଳେ,କଇଁ କିନ୍ତୁ ହାରିଯାଇ ନ ଥିଲା,ଗଉରା କୁ କିଛି ବି ନ କରେଇଦେଇ ,ନିଜେ କଷ୍ଟ କରି ଏକୁଟିଆ କଣ୍ଢେଇ ଗଢିବାକୁ ଆରମ୍ଭ କରିଥିଲା,ଯଦିଓ ସବୁବେଳେ ଗଉରା କଇଁ ର ହାତଗଢା କଣ୍ଢେଇରେ ରଙ୍ଗ ଦେଇ ଦେଉଥିଲା, କୋଉଠି ଟିଜେ ବଙ୍କା ତେଢା ହେଲେ ,ସଜାଡି ଦେଉଥିଲା। ଦୁହେଁ ଦୁହିଁଙ୍କର କାମକୁ ତନଖି ନେଇ ସୁନ୍ଦର ସୁନ୍ଦର ଠାକୁରଙ୍କ ମୂର୍ତ୍ତୀ ସାଙ୍ଗରେ ପିଲାଙ୍କ ଖେଳଣା ମଧ୍ୟ କରିପକାଉଥିଲେ।
ଗଉରା କୁ ଦେଖିପକାଇ କଇଁ ଉଠିଯାଇଥିଲା ରୋଷେଇଘରକୁ ,ସବୁ ଡବାକୁ ଖୋଲି କି ଖୋଜି ପକାଇଥିଲା,ଟିଜେ ବି ଅଟା ନ ପାଇ ବ୍ୟସ୍ତ ହୋଇପଡିଥିଲା, ଭାବିଥିଲା ଅଟା ପିଠା ଟିଏ କରିକି ଦେଇଦେବ ଗଉ ରା କୁ,ଦୁଇଦିନ ହେବ କାଞ୍ଜି ଖାଇ ଖାଇ ପାଟି ଟା ତାର ପଡିଯାଇଥିବ ନିରାଶ ହୋଇ ,ବହୁ କଷ୍ଟରେ ଉଠିକି ପଡିଶା ଘରକୁ ଚାଲିଯାଇଥିଲା ଗିନା ଟିଏ ଧରିକି,ଗିନାଏ ଅଟା ଧାର ଆଣିବାକୁ। ରଥ ଯାତ୍ରା ଟା ପାଖେଇ ଆସୁଥିଲା,ସେତିକି ବେଳେ ତା'ର ନିଶ୍ଚୟ କିଛି ବିକିରି ହୋଇଯିବ ,ଆଉ ସେ ତା'ଉଧାର ତକ ଶୁଝି ଦେବା ର ଆଶା ତାର ରହିଥିଲା। ଏବେ ତ ସେଇ ରଥଯାତ୍ରା, ବାହୁଡ଼ା ଦଶମି, ଦଶହରା ବେଳକୁ ଯାହା ଅଳ୍ପ କିଛି ବିକିରି ହଉଛି,କଇଁ ସେଇ କେତେଟା ଦିନ କୁ ଅନେଇକି ବସିଥାଏ। ଏମିତି ଭାବି ଭାବି ,ପଡିଶା ଘରୁ ଗିନାଏ ଅଟା ନେଇକି କଇଁ ଘରକୁ ପସି ଆସୁ ଆସୁ ଦେଖିଲା,ତା'ବାରଣ୍ଡା ରେ ସପ ଖଣ୍ଡକ ରେ କିଏ ଜଣେ ଅଚିହ୍ନା ବାବୁ ବସିକି କ'ଣ କହୁଛନ୍ତି, ଆଉ ଅଳ୍ପ ଦୂରରେ ଗଉ ରା କୁଙ୍କୁରି କାଙ୍କୁରି ହୋଇ କାନ୍ଥ କୁ ଆଉଜିକି ବସିରହି ସେ ବାବୁ ଙ୍କ କଥାକୁ ଏକଲୟରେ ଶୁଣୁଛି। କିଏ ସେ ବାବୁ ଜଣକ? ତା'ଗାଁ ର ତ କେହି ନୁହେଁ ଅନେକ ଜିଜ୍ଞାସା ନେଇ କଇଁ ବାରଣ୍ଡା ଉପରକୁ ଉଠିଲା, ଦେଖିଲା, ଛୋଟିଆ ଘର ଭିତରେ ତା'ଜଗା କ'ଣ କରୁଛି,ପାଖରେ ତା'ବୋହୁ ଠିଆ ହୋଇ କ'ଣ କହୁଛି। ହଠାତ୍ ଏତେ ବର୍ଷ ପରେ,ଏମିତି ଅଚାନକ ଦୁହିଁଙ୍କୁ ଦେଖି କଇଁ କିଛି ଭାବି ପାରୁନଥିଲା। କିଛି କହିବା ପୂର୍ବରୁ, ବୋହୁ ତା'ର ଚାଲିଆସି ମୁଣ୍ଡିଆ ଟିଏ ମାରିଦେଇ, ତାକୁ କୁଣ୍ଢାଇ ପକାଇଥିଲା,ଆଉ ତାକୁ ଟାଣି ନେଇ ଛୋଟିଆ ଖଟିଆ ଖଣ୍ଡକ ରେ ବସାଇ ଦେଇଥିଲା। କଇଁ କୁ ସବୁ ସପନ ପରି ଲାଗୁଥିଲା। ହାତରେ ଅଟା ରେ ଭର୍ତ୍ତି ହୋଇଥିବା ତା ଟିଆ ଟିକୁ କାନ୍ଥ ଖୁରା ରେ ରଖିଦେଇ ତା'ବୋହୁ ର ମୁହଁକୁ ବଲ ବଲ କରି ଅନାଇଲା।
ସତରେ ତା'ବୋହୁ ଜଗାକୁ ନେଇ ଏତେ ବର୍ଷ ପରେ ତାକୁ ମନେ ପକାଇ ଆସିଛି, ଯାହାକୁ ଦିନେ କେତେ ଆଦର ରେ ଦଶବର୍ଷ ତଳେ ଘରକୁ ହୁଳହୁଳି ପକାଇ ନେଇ ଆସିଥିଲା,ଆଉ ତା' ଜଗାର ହାତକୁ ସବୁଦିନ ପାଇଁ ତା'ହାତରେ ଦେଇ କହିଥିଲା–'ଏଥର ତୁ ନେ ତୋ ଲୋକର ଦାଇତ୍ୱ,ତା'ର ଦେହ ପା,ଭଲ ମନ୍ଦ,ଆଜିଠୁ ତତେ ଲାଗିଲା,ମତେ ଛୁଟି ଦେ। 'ସତରେ ,ତାକୁ ସବୁଦିନ ପାଇଁ ଏମିତି ଛୁଟି ଦେଇଦେବ ବୋଲି କଇଁ ଜମାରୁ ଚିନ୍ତା କରିନଥିଲା! ଜଗା ତାର ଧୀରେ ଧୀରେ ଗାଁ କୁ ଆସିବା କମେଇ ଦେଇଥିଲା। କୋଳରେ ପିଲା ଟିଏ କୁ ଆଣି ଅଭାବି ସଂସାର ତା'ର ଯେମିତି ଆଉ ଗଉରା ଓ କଇଁ ପାଇଁ ସମୟ କି ସାମର୍ଥ୍ୟ ପାଇ ନ ଥିଲା! ତା'ଛଡା ବୋହୁ ର ଏତେ ଛୋଟ ଘର ଖଣ୍ଡିକ ସାଙ୍ଗକୁ ହାତଗଢା କଣ୍ଢେଇସବୁ ର ଉପସ୍ଥିତି ଯେମିତି ପସନ୍ଦ ହେଉନଥିଲା। ସେମାନଙ୍କ ର ବୁଲି ବୁଲି କଣ୍ଢେଇ ବିକ୍ରି କରିବା ଟା ବି ଯେମିତି ଦୁହିଁଙ୍କୁ ଅସ୍ବସ୍ତିକର ଲାଗୁଥିଲା! ଗଉରା ଓ କଇଁ ସବୁ ଜାଣି ମଧ୍ୟ ଜଗାକୁ କିଛି କହିପାରୁନଥିଲେ। ପଡିଶା ଘର ର ଫୋନ ରେ ଦୁଇଚାରି ମାସ ରେ ଜଗା ସାଙ୍ଗରେ ପଦେ ଅଧେ କଥାରେ ସନ୍ତୁଷ୍ଟ ହୋଇ ଯାଉଥିଲେ।
ଏମିତି କେତେ କ'ଣ ଭାବୁ ଭାବୁ କଇଁ ଦେଖିଲା, ଗଉରା ନିଜର ରୋଗିଣା ଦେହ ଟାକୁ ଘୋଷାଡ଼ିକି ନେଇ ଆସିଥିଲା ତା'ପାଖକୁ, ସେ କିଛି କହିବା ପୂର୍ବରୁ କହିପକାଇଥିଲା–ଚାଲେ,ଲୁଗା ପଟା ଦିଖଣ୍ଡ ସଜାଡେ, ଜଗା ଆମର ଆସିଛି ଆମକୁ ନେଇଯିବ ବୋଲି,ସେ ବାବୁ ଜଣ କ ତା'ର ବଡ଼ ଅଫିସର, ତାଙ୍କୁ ତୋର ହାତ ତିଆରି କୃଷ୍ଣ ମୂର୍ତ୍ତି ବହୁତ ଭଲ ଲାଗିଛି। ଆମେ ଜଗା ପାଖକୁ ଗଲେ,ସେଇଠି ଆମେ ଦିହେଁ ତାଙ୍କ ପାଇଁ ଅବିକଳ ସେମିତି କୃଷ୍ଣ ମୂର୍ତ୍ତି ଗଢ଼ିଦେବା। କଇଁ ସେତକ ଶୁଣି ଯେମିତି ଦଶ ବର୍ଷ ତଳକୁ ଚାଲିଯାଇଥିଲା,ଯେତେବେଳେ ପ୍ରଥମେ ଜଗା ତା'ର ଚାକିରି କରିବା କୁ ଯାଇଥିଲା, କଇଁ ବହୁତ ଯତନ ରେ କଳା ମଚ ମଚ କାହ୍ନୁ ଗୋଟିଏ ତିଆରି କରି ତାକୁ ଦେଇକି କହିଥିଲା–ନେ,ପାଖରେ ସବୁବେଳେ ରଖିଥିବୁ। ଆମେ କେହି ତୋ ପାଖରେ ନ ଥିବୁ,ଏଇ କାହ୍ନୁ ତତେ ସାହା ହବ। କାହାକୁ ଜମାରୁ ଦବୁନି । ନାଁ ତା'ର ଜଗା ରଖିଥିଲା ବୋଲି,ଜଗାର ଭାରି ଅଭିମାନ ଥିଲା କଇଁ ଉପରେ,ଘର ସାରା ସେହି ଜଗନ୍ନାଥ ଙ୍କ ର ମୂର୍ତ୍ତି ଭର୍ତ୍ତି କରୁଥିଲା ,କେତେବେଳେ ହେଲେ ସୁନ୍ଦରିଆ କହ୍ନେଇ ମୂର୍ତ୍ତି ଟିଏ କରୁନଥିଲା କଇଁ। ସେଥିପାଇଁ, ବହୁ ଯତନରେ ,ବିଭିନ୍ନ ରଙ୍ଗ ର ଅଭାବ ରୁ କଳା ମଚ ମଚ କାହ୍ନୁ ଟିଏ କରିକି ଦେଇଥିଲା। ସେଇ ମୂର୍ତ୍ତି ଟିକୁ ତା'ଅଫିସର ଙ୍କୁ ଏତେ ପସନ୍ଦ ହେଲା ଯେ ,ଏତେ ଦୂର ଗାଁ କୁ ଦଉଡି ଆସିଥିଲେ ଜଗା ସାଙ୍ଗରେ ଜଗା କ'ଣ ସେ ମୂର୍ତ୍ତି ଟି ତା'ଅଫିସର ଙ୍କୁ ଦେଇ ଦେଇଛି? ଏମିତି କେତେ କ'ଣ ଭାବୁ ଭାବୁ,କଇଁ ଲୁଗା ଦିଖଣ୍ଡ
ତା'ର ସଜାଡି ବସିଥିଲା।
ଜଗା ତା'ର କଣ ସବୁ ଜଳଖିଆ କିଣିକି ଆଣିଥିଲା,ଯାହା ସେ ଅଫିସର ଙ୍କୁ ଦେବାକୁ ସଜାଡୁଥିଲା। କଇଁ ଦେଖିପାରିଲା ଯେ,ଗଉରା ଦେହରେ ଯେମିତି ଅଜଣା ଫୁର୍ତ୍ତି ଆସିଯାଇଥିଲା, ଜଗାର ହାତରୁ ତା'ପାଇଁ ବଢା ହୋଇଥିବା ଥାଳିଆ ଟି ଧରି ତର ତର୍ ହୋଇ ଖାଇବସିଥିଲା,କୋଉ ଯୁଗରୁ ଯେମିତି ସେ ସବୁ ତା' ପାଟିରେ ବାଜି ନ ଥିଲା ସତରେ ତ ,କୋଉ କାଳ ରୁ ସେସବୁ କଇଁ ଯେତେ ଚାହିଁଲେ ବି ଗଉରାପାଇଁ ଆଣି ପାରିନଥିଲା ନିଜ ମନକୁ ସବୁବେଳେ ବୁଝେଇଦେଉଥିଲା ଯେ ତାଙ୍କର ସେ ସମୟ ସବୁବେଳେ ରହିବନି ବୋଲି, ହେଲେ ଗଉରା ପାଇଁ ମନଟା ତାର ହାଇଁ ପାଇଁ ହେଇଯାଉଥିଲା!
ଜଗା ର ସେଇ ଅଫିସର ବାବୁ ଜଣକ ଖାଇସାରି ,ହାତ ଧୋଇକି ଉଠିଲା ମାତ୍ରେ କହିପକାଇଥିଲେ–ଜଗନ୍ନାଥ ବାବୁ,ଚାଲନ୍ତୁ ଏଥର ବାହାରିବା, ଡେରି କରନ୍ତୁନି। କଇଁ,ଗଉରା ,ଜଗା ଓ ବୋହୁ ସାଙ୍ଗରେ ଧୀରେ ଧୀରେ ଗାଁ ମୁଣ୍ଡରେ ଠିଆହୋଇଥିବା ବଡ ଗାଡ଼ି ଟା ଆଡକୁ ଚାଲି ଯାଉଥିଲେ,ଏତିକି ବେଳେ ବୋହୁ ର କଥା ଦୁଇପଦ କଇଁ କାନ ରେ ବାଜିଥିଲା, ଯେତେବେଳେ ସିଏ ଜଗା ପାଖକୁ ଟିକେ ଲାଗିଆସିକି କହିପକାଇଥିଲା–ବୋଉ ସେଠି ମୂର୍ତ୍ତି ଗଢିବେ ତ ଯଦି ନ ଗଢନ୍ତି ଆମର ଏତେ କଷ୍ଟ କରି ଆସିବା ଆଉ ବୋଉ ଙ୍କ ର ସେ କଳା, କେମିତି କ'ଣ କରିବା? ଏତେ ସୁନ୍ଦର ମୂର୍ତ୍ତି ସବୁ ବୋଉ କେତେ ସହଜ ରେ ଗଢି ପାରୁଛନ୍ତି, ଆମେ ଗାଁ ରେ ଥିଲା ବେଳେ ,ତା'ର ମୂଲ୍ୟ ବୁଝି ପାରୁନଥିଲୁ ବାପା ବୋଉ ଙ୍କ ହାତରେ ଯାଦୁ ଅଛି ତୁମର ସେ ଅଫିସର ଜଣକ ସେ ମୂର୍ତ୍ତି କୁ ଦେଖିକି ଆମକୁ ନ ବୁଝାଇ ଥିଲେ, ଆମେ କ'ଣ ଜାଣିଥାନ୍ତୁ ତା'ଛଡା ,ବାପା ବୋଉ ଙ୍କୁ ସାଙ୍ଗରେ ରଖିବାକୁ ତୁମର ଇଚ୍ଛା ଥିଲେ ବି ଅଭାବ ଟା ତୁମକୁ ଟାଣି ଧରୁଥିଲା। ଏଥର ତ ଆମ ସମସ୍ତଙ୍କ ର ସବୁ ଅସୁବିଧା ଚାଲିଯିବ। ମୁଁ ବି ସେମାନଙ୍କ ଠାରୁ ଶିଖିବି। କଇଁ ର ମୁରୁଖ ମୁଣ୍ଡଟାରେ ଯଦିଓ ସବୁକିଛି ଠିକ ଭାବରେ ପସୁ ନ ଥିଲା,କେବଳ ଜାଣିପାରୁଥିଲା ଯେ,ତା'ପୁଅ ବୋହୂ ସେମାନଙ୍କୁ ଖୁସିରେ ଖୁସିରେ ନେଇଯାଉଛନ୍ତି।
ଗାଁ ଲୋକଙ୍କ ପୂର୍ବରୁ କହୁଥିବାକଥା ସବୁ କଇଁ ର ମୁଣ୍ଡରୁ ଯେମିତି ବହୁତ ଦୂରକୁ ଚାଲିଯାଉଥିଲା, ଯେତେବେଳେ ସେମାନେ ଜଗାର ଆସିବା କମିଯିବାର ଦେଖିକି କେତେକଥା ତାକୁ ଶୁଣେଇ ଶୁଣେଇ କହୁଥିଲେ–ଜଗା ବାହା ହେଇକି ବଦଳିଗଲା,ସ୍ତ୍ରୀ କୁ ନେଇ ରହିଲା ଯେ ବାପା ମା ଦିଟା ଙ୍କୁ ଟିକେ ପଚାରିଲାନି ହେଲେ ,ଆଜି ଯେତେ ବେଳେ ବାହାରୁଥିଲା ଜଗା ସାଙ୍ଗରେ ଯିବାକୁ ,ଗାଁ ଯାକର ମଣିଷ ଯେମିତି ସେସବୁ କୁ ଭୁଲିଯାଇ,ଖୁସି ଖୁସି ରେ ତାକୁ କହିଚାଲିଥିଲେ–ତମେ ଦୁଇଜଣ ଭାଗ୍ୟବାନ । ତୁମ ପୁଅ ବୋହୂ ଆଜିକାଲି ର ପୁଅବୋହୁ ଭଳି ନୁହେଁ। ଯାଅ ,ସେଠି ଖୁସିରେ ରୁହ।
ସହଳ ସହଳ ପାଦ ପକାଇ ଗଉରା ଓ କଇଁ ଆଗେଇ ଯାଇଥିଲେ ସେ ବଡ଼ ଗାଡ଼ି ଟାରେ ଜଗା ସାଙ୍ଗରେ ବସିବାକୁ ,ନିଜର ଭିଟାମାଟି ଖଣ୍ଡକ ଛାଡି,ଆଉ ପଛ ରେ ଯେମିତି ରହିଯାଇଥିଲା,ସେମାନଙ୍କ ର ସବୁ ଆଶଙ୍କା,କଷ୍ଟ ଓ ଅଭିମାନ