The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Aminilu Ray

Drama

3  

Aminilu Ray

Drama

ମାତୃତ୍ୱ

ମାତୃତ୍ୱ

5 mins
585



“ହେଇ ଦେଖ ଦେଖ, ରାସ୍ତା କଡରେ କିଏ ସଦ୍ୟଜାତ ଶିଶୁଟାକୁ ଫିଙ୍ଗି ଚାଲିଯାଇଛି । ସେ କେମିତି ରାହାଧରି କାନ୍ଦୁଛି । ଆହା, କେଡେ ସୁନ୍ଦର, ଗୁଲୁଗୁଲିଆ ହେଇଛି ସତେ! ନିହାତି ନୃଶଂସ ସ୍ତ୍ରୀଲୋକଟା, ନୋହିଲେ ଛୁଆଟାକୁ ଜନ୍ମ କରି କ’ଣ ରାସ୍ତାକଡକୁ ଗଡେଇଦେଇ ଚାଲିଯାଇଥାଆନ୍ତା ? ଲାଗୁଛି, ତା ମନରେ ଦୟା ମାୟା ବୋଲି କିଛି ନାହିଁ ? ପିଲାଟା ସେତେବେଳୁ କାନ୍ଦୁଛି, କିନ୍ତୁ ନ ଦେଖିଲା, ନ ଜାଣିଲା ପରି, ମୁହଁ ମୋଡି, ହସି ହସି ଚାଲି ଯାଉଛନ୍ତି, ଅଥଚ ଟିକେ ଡାକିଲେ ବି ମୋ କଥା ଶୁଣୁନାହାନ୍ତି । ନିହାତି ନିର୍ଦ୍ଦୟ ଲୋକଗୁଡାକ ।” ଆରତୀ ଆଉ କାଳ ବିଳମ୍ବ ନକରି ସ୍ନେହରେ କୋଳକୁ ଆଣିଲା ଛୁଆଟାକୁ । ତା ଦେହରେ ଲାଗିଥିବା ଲାଳ ରକ୍ତକୁ, କାନୀରେ ପୋଛିଦେଲା । ସଂଗେ ସଂଗେ ଘରକୁ ଆଣି ନଖ ଉଷୁମ କ୍ଷୀର ଟିକେ ପିଆଇଦେଲା ।  

ଆରତୀ କୁଲାରେ ଚାଉଳ ପାଛୁଡୁଥିବା ସମୟରେ ମନେ ମନେ ଭାବୁଥିଲା - ଯାହାହେଉ ଏତେ ଦିନେ ଠାକୁର ମୋ ଡାକ ଶୁଣିଛନ୍ତି । ମୋ କୋଳ ପୂର୍ଣ୍ଣ ହେଇଛି । ଯେଉଁ ଛୁଆଟା ପାଇଁ ଆଜିକୁ ଏତେ ବର୍ଷ ହେଲା ଅପେକ୍ଷା କରିଥିଲି, ପ୍ରତିଦିନ ଶିବଲିଙ୍ଗରେ କ୍ଷୀର ଢାଳୁଥିଲି, ପ୍ରତି ବର୍ଷ ଜାଗର ଜାଳୁଥିଲି, ଉପବାସ କରୁଥିଲି, ଶେଷରେ ଠାକୁର ଡାକ ଶୁଣି ମୋ କୋଳକୁ ଚନ୍ଦ୍ରମା ପରି ପିଲାଟିଏ ଦେଲେ । ଆଉ ଦୁଃଖ କ’ଣ ? ଏହାକୁ ମଣିଷ କରି ବାକି ସମୟତକ କାଟିଦେବି । ସେ ଯଲଦି ଯଲଦି ଗାଧୋଇ ପଡି ଚୁଲିରେ ଭାତ ଦିଟା ବସେଇ ଗଲା ମନ୍ଦିରକୁ । ପୂଜାର୍ଚ୍ଚନା ସାରି ସଅଳ ସଅଳ ଫେରିଆସି ଦେଖେ ତ ଛୁଆଟା ଆରାମରେ ଶୋଇଛି । ସେ ତା ପାଖରେ ଯାଇ ବସିଲା, ତାକୁ ସ୍ନେହରେ ଆଉଁସି ଦେହରୁ ଝାଳ ପୋଛିଦେଲା । ଧିରେ ଧିରେ ପଣତକାନୀରେ ବିଂଚିବାକୁ ଲାଗିଲା । 

ସୂର୍ଯ୍ୟ ମୁଣ୍ଡ ଉପରେ ହୁଅନ୍ତେ, ଅମର କ୍ଷେତରୁ ଫେରିଲା । କ୍ଳାନ୍ତ ହୋଇ ପିଣ୍ଢାରେ ବସିଥିବା ସମୟରେ ହଠାତ୍ ସେତିକିବେଳେ ଛୋଟ ଛୁଆର କାନ୍ଦ ଶୁଣି ସେ ଚମ୍‌କି ପଡିଲା । ସଙ୍ଗେ ସଙ୍ଗେ ଭିତରକୁ ଦୈାଡିଆସି ଦେଖେ ତ – ପିଲାଟା ରାହାଧରି କାନ୍ଦୁଛି । ଆରତୀ କାଖରୁ ଗରାଏ ପାଣି ରୋଷେଇ ଘରେ ରଖି, ପିଲାଟାକୁ ପୁଣି କ୍ଷୀର ଦୁଇ/ତିନି ଚାମଚ୍ ପିଆଇ ଶୁଆଇଦେଲା । ଆରତୀଠାରୁ ସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲା ଅମର । ମନେ ମନେ ଭଗବାନ୍‌ଙ୍କୁ ଧନ୍ୟବାଦ ଦେଲା । 

 ବିନୋଦର ଏବେ ଅଷ୍ଟମ ଶ୍ରେଣୀ । ସବୁ ବିଷୟରେ ସେ ଫାଷ୍ଟ ହେଉଥିଲା । କେତେ ଜଣ ଦୁଷ୍ଟ ପିଲା ତା ପାଠପଢା ଦେଖି ସହିପାରୁନଥିଲେ । ସମାଲୋଚନା କରୁଥିଲେ । ମଝିରେ ମଝିରେ ଅଭଦ୍ର ଶବ୍ଦ ପ୍ରୟୋଗ କରି ଚିଡାଉଥିଲେ । 

ଦିନେ ସେ ସେମାନଙ୍କ କଥାକୁ ସହି ନପାରି କାନ୍ଦ କାନ୍ଦ ହୋଇ ତା ମାକୁ ଆସି କହିଲା – ମା, ମୋ ସାଙ୍ଗମାନେ ମୋତେ ଖରାପ କଥା କହି ଚିଡାଉଛନ୍ତି । ଆରତୀ ତା ହାତରୁ ସ୍କୁଲ ବ୍ୟାଗ୍ ଓ ପାଣି ବଟଲ୍ ନେଇ ଲୁଗା କାନୀରେ ତା ଶୁଖିଲା ମୁହଁ ପୋଛୁ ପୋଛୁ କହିଲା – ତୁ ସେମାନଙ୍କ କଥାକୁ କାନ ଦେ’ନା । ସେମାନେ ଭଲ ପିଲା ନୁହଁ । ପାଠ ପଢାରେ ମନ ଦେ’ । ବିନୋଦ କ’ଣ ଦିଟା ଖାଇ ଖେଳିବାକୁ ଚାଲିଗଲା ପରେ ଆରତୀ ବିରକ୍ତ ହୋଇ ମନକୁ ମନ କହୁଥିଲା – ଏ ନିଆଁଲଗା ଗାତପସା ଛୁଆଗୁଡା ମୋ ପୁଅକୁ ଆଉ ମୋତେ ଟିକେ ଶାନ୍ତିରେ ବଂଚିବାକୁ ଦେବେନି । 

ବିନୋଦ ଦଶମ ଶ୍ରେଣୀରେ ପଢୁଥିଲାବେଳେ ରିକ୍ରେସନ୍ ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ସହପାଠୀ ଶୁଶାନ୍ତ ସହ ତା’ର ଝଗଡା ହେଲା । ସେ ରାଗ ତମତମ ହୋଇ ଘରେ ପହଂଚି ବ୍ୟାଗ୍ ଟିକିଏ ଦୂରକୁ ଫିଙ୍ଗି ତା’ ମାଆକୁ କହିଲା – 

-ମା’, ଶୁଶାନ୍ତ ଓ ଅନ୍ୟ ସାଙ୍ଗମାନେ କହୁଛନ୍ତି, ତୁ କାଳେ ମୋତେ ରାସ୍ତା କଡରୁ ଗୋଟେଇ ଆଣିଥିଲୁ ? 

ଆରତୀ ରାଗରେ କହିଲା – 

-ହଁ, କ’ଣ ହେଲା ସେଇଠୁ ? 

-ସେଥିଇପାଇଁ ସେମାନେ ମୋତେ ଏହି କଥା କହି ସଦାବେଳେ ଚିଡାଉଛନ୍ତି । 

ଏସବୁ ଶୁଣି ଆରତୀ ମୁଣ୍ଡକୁ ପିତ ଚଢିଯାଇଥିଲା । ସେ ରାଗରେ କହିଲା – ସେଥିରେ ତୋ’ର ଦୋଷ କ’ଣ ? ଏ ସମାଜରେ ଯେଉଁ ନାରୀମାନେ ଦିନରେ ସତୀ ସାବିତ୍ରୀ ସାଜନ୍ତି ଏବଂ ରାତି ହେଲେ ନିଜର ଯୈାନକ୍ଷୁଧା ମେଂଟାଇବାକୁ ଯାଇ ପରପୁରୁଷ ସାଥୀରେ ରାତି ପରେ ରାତି କଟାଇ ଶେଷରେ ଛୁଆଟିଏ ଜନ୍ମ କରି ତାକୁ ନିର୍ମମ ଭାବେ ହତ୍ୟା କରନ୍ତି, ଶିଆଳ କୁକୁର ମୁହଁକୁ ଫିଙ୍ଗି ଦିଅନ୍ତି, ରାସ୍ତା କଡରେ ଗଡେଇ ଦିଅନ୍ତି, ପ୍ରକୃତରେ ସେମାନେ ଗୋଟେ ଗୋଟେ ଏ ଦୁନିଆ ଆଖିରେ କଣ ? କାରଣ ସେମାନେ ସବୁ ଲଜ୍ଜା ସରମକୁ ପାର କରିଛନ୍ତି । ହୁଏତ ଜାଣିଥିଲେ ସେମାନେ ଏଭଳି ଅପକର୍ମ କରିବାକୁ ସାହସ କରିନଥାନ୍ତେ । ତାଙ୍କ ବିବେକ ତାଙ୍କୁ ବାଧା ଦେଇଥାଆନ୍ତା । ସେ ବିନୋଦ ମୁଣ୍ଡରେ ସ୍ନେହରେ ହାତ ବୁଲାଇଆଣି କହିଲା – ତୁ ମୋ’ର ଅମୃତ ସନ୍ତାନ । ତୁ ଏକୋଇରବାଳା ବିଶିକେଶନ । ତୁ ଭଗବାନ୍‌ଙ୍କ ଦାନ । ମୁଁ ତୋତେ ବଂଚିବା ପାଇଁ, ସମାଜରେ ପ୍ରତିଷ୍ଠିତ କରାଇବାକୁ ଗୋଟେ ନୂଆ ପରିଚୟ ଦେଇଛି । ସବୁ ଶୁଣି ଟିକେ ମୁହଁକୁ ଶୁଖେଇ ବିନୋଦ କହିଲା – 

-ହେଲେ ମାଆ, ମୋତେ ବହୁତ ଖରାପ ଲାଗୁଛି । ମୁଁ ଆଉ ସ୍କୁଲ୍ ଯିବିନି । 

-ନାଇଁରେ ଧନ, ସେମାନଙ୍କ କଥାକୁ କାନ ଦେଏନା । ସେମାନେ ଦେବେ ନା ନେବେ । କେତେ କହୁଛନ୍ତି କହନ୍ତୁ । ତୁ ପାଠ ପଢି ଚାକିରି ଖଣ୍ଡେ ପାଇଗଲେ ଆମେ ଏ ଗାଁ ଛାଡି ବହୁଦୂର ଚାଲିଯିବା । ସେଠାରେ ଗୋଟେ ନୂଆ ପରିଚୟ ନେଇ ବଂଚିବା । 

-ଠିକ୍ ଅଛି । ତୁ ଆଉ ମନ ଦୁଃଖ କର୍‌ନା । ଆଜିଠାରୁ ତୋ ଖୁସି ପାଇଁ ମୁଁ ସବୁ କିଛି କରିବି ।   

ସେ ଯଲ୍‌ଦି ଯଲ୍‌ଦି ଖାଇ ଟ୍ୟୁସନ୍ ଚାଲିଗଲା । ଆରତୀ ତୁଳସୀ ଚଉରା ମୂଳେ ସଞ୍ଜବତୀଟିଏ ଦେଇ ଲୁହ ଛଳଛଳ ଆଖିରେ କହିଲା – ହେ ମାଆ, ତାକୁ ସାହା ହୁଅ, ଆଗକୁ ବଢିବାକୁ ସାହସ ଦିଅ, ମୁଁ ଆଉ ପାରୁନି, ଭାଙ୍ଗିପଡିଲିଣି ।  

ବିନୋଦ ବି.ଏ ପଢୁଥିଲାବେଳେ, ଛାତ୍ରାବାସରେ ତାକୁ ଅନେକ କଟୁକଥା ମଧ୍ୟ ଶୁଣିବାକୁ ପଡୁଥିଲା । ସେ ଭଗବାନ୍‌ଙ୍କୁ ଡାକି ସବୁ ସହିଯାଉଥିଲା । କେବଳ ସମୟକୁ ଅପେକ୍ଷା କରୁଥିଲା । ଏ ବିଷୟରେ ତା ମାଆକୁ କିଛି କହୁନଥିଲା । ଯଦିଓ ସେ ଜାଣିଥିଲା – “ଏ ଦୁନିଆଟା ବଡ ବିଚିତ୍ର । ଜନ୍ମ ଦେଉଛି ଜଣେ, ଲାଳନ ପାଳନ କରୁଛି ଆଉ ଜଣେ । ଯିଏ ପେଟରେ ଓଦା କନା ଦେଇ, ଦୁଃଖ କଷ୍ଟ ସହି ମୋତେ ଏଡେଟିରୁ ଏଡେଟିଏ କରିଛି, ମୋତେ ନୂଆ ପରିଚୟ ଦେଇ ବଂଚିବା ଶିଖେଇଛି, ସେ କ’ଣ ଜନ୍ମଦାତ୍ରୀଠାରୁ ବଡ ନୁହେଁ ? ଏଇଥିପାଇଁ ବୋଧେ ଗଢା ହୋଇଛି ଅନାଥାଶ୍ରମ । ଡଷ୍ଟ୍‌ବିନ୍‌ରୁ, ନଦୀକୂଳରୁ, ଝାଉଁବଣରୁ, ରାସ୍ତାକଡରୁ, ଅଳିଆଗଦାରୁ ସଦ୍ୟଜାତ ଶିଶୁଙ୍କୁ ଗୋଟେଇ ଆଣି, ଲାଳନପାଳନ କରି, ଶିକ୍ଷାଦୀକ୍ଷା ଦେଇ ନୂଆ ପ୍ରେରଣା ନୂଆ ଦିଗ୍‌ଦର୍ଶନ ସହ ସମାଜରେ ପ୍ରତିଷ୍ଠିତ କରାଇବାକୁ ଗଢିଉଠିଛି ସୁନ୍ଦର ଅନୁଷ୍ଠାନମାନ । ଏହାଦ୍ୱାରା ନିଷ୍ପାପ ଶିଶୁଗୁଡାକ ତ ଭଲରେ ବଂଚିଯିବେ ?” 

ଶିକ୍ଷା ସମାପ୍ତର ଚାରି ବର୍ଷ ପରେ ବିନୋଦ ସହରରେ ସରକାରୀ ଚାକିରୀଟିଏ ପାଇଛି । ପାଳିତ ମାଆ ବାପାଙ୍କୁ ସହରକୁ ନେଇଆସିଛି । ସେମାନଙ୍କ ପାଇଁ ଚାକର ଚାକରାଣୀ ଖଂଜିଦେଇଛି । କେଉଁଥିରେ ଅଭାବ ଅସୁବିଧା କରିନି । ତା ପାଇଁ ବିବାହ ପ୍ରସ୍ତାବ ଚାରିଆଡୁ ଆସୁଛି । ହେଲେ କାହିଁକି କେଜାଣି ପରେ ମନକୁ ମନ ଭାଙ୍ଗିଯାଉଛି । ଏସବୁ ଦେଖି ଆରତୀ ଦୁଃଖରେ ଭାଙ୍ଗି ପଡୁଛି । ଚିନ୍ତାରେ ରହି ଦିନକୁ ଦିନ ତା ସ୍ୱାସ୍ଥ୍ୟାବସ୍ଥା ଦୁର୍ବଳ ହେଉଛି । 

ତିନି ବର୍ଷ ପରେ ... । ଦିନେ ବିନୋଦ ଅଫିସ୍‌ରୁ ଫେରି ଏକା ଏକା ଛାତରେ ବୁଲୁଥିବାବେଳେ ଆରତୀ ଖୁସି ମନରେ ତା ପାଖକୁ ଆସି କହିଲା – ବାପାରେ, ଏତେ ଦିନ ପରେ ମୁଁ ତୋ ପାଇଁ ଗୋଟେ ଭଲ ଝିଅ ଠିକ୍ କରିଛି । ସେ ଆଶ୍ରମରେ ରହୁଛି । ସେଠାରେ ଚାକିରୀ ବି କରିଛି । ରୂପରେ ଗୁଣରେ କେଉଁଥିରେ ଉଣା ନାହିଁ । ସେ ମୋ ଘରର ବୋହୁ ହେଲେ ଭଲ ହେବ । ମୋ ଦେଇପିଣ୍ଡିରେ ପାଣି ଦେବ । ତୁ ଯଦି ହଁ କହିବୁ, ମୁଁ କାଲି ଯାଇ ତାକୁ ବୋହୁକରି ଘରକୁ ନେଇଆସିବି । ଆରତୀର ଲୁଗାକାନୀରେ ମୁହଁ ପୋଛୁ ପୋଛୁ ସେ ସ୍ମିତ ହସି କହିଲା – ମାଆ, ମୋତେ କ’ଣ କହୁଛୁ ? ତୁ ଯେଉଁଟା ଠିକ୍ ଭାବୁଛୁ ସେଇଟା କର । ମୁଁ ତୋ କଥାରୁ କେବେ ବାହାରି ଯାଇଛି ? ଚାଲିଲୁ କ’ଣ ଦିଟା ଦେବୁ, ମୋତେ ଭାରି ଭୋକ ହେଲାଣି ।

  


Rate this content
Log in

More oriya story from Aminilu Ray

Similar oriya story from Drama