ମାଙ୍କଡ଼ ଓ କୁକୁର
ମାଙ୍କଡ଼ ଓ କୁକୁର
ବୈଶାଖ ମାସ,ଝାଞ୍ଜି ପବନ ବହୁଥାଏ l ଗ୍ରାମ ସିମନ୍ତିନୀ ମାନେ ନିଜ ନିଜ ର ଦୈନନ୍ଦିନ କାର୍ଯ୍ୟ ସାରି ସାହି ପଛରେ ଥିବା କୂଅ ର ଚାନ୍ଦିନୀ ଉପରେ ବସି ଆଳାପ ଜମେଇ ଥାନ୍ତି l କାହା ଘରେ କିଏ କଣ କଲା l କାହା ଘର ନୂଆ ବୋହୂ କଣ ଭାର ସବୁ ଆଣିଛି l କାହା ପୁଅ ବିଦେଶ ରେ ବଡ଼ ଚାକିରୀ କରି ସେଠି ବାହା ସାହା ହୋଇ ରହିଗଲା l କାହା ବଗିଚା ରେ ଭଲ ଫୁଲ ଫୁଟିଛି, ଶାଶୁ ବୋହୂ କଳି ଏପରି ଅନେକ କିଛି...
ଏହି ସମୟ ରେ ଏପରି ଏକ ଘଟଣା ତାଙ୍କ ଆଗରେ ଘଟିଗଲା ସବୁ ଦେଖି ହତବାକ୍ ହୋଇଗଲେ। ମାଙ୍କଡ଼ ମାନେ ବାଡ଼ି ରେ ଥିବା ନଡ଼ିଆ ଗଛ ଆଉ ଜାମୁ ଗଛ ରେ ଡିଆଁ ଡେଇଁ କରୁଥାନ୍ତି l କିଛି ମାଙ୍କଡ଼ ଗଛ ମୂଳେ ବସି ଥାନ୍ତି l ଏହି ସମୟରେ କୁଆଡେ ଥିଲା କାଳିଆ କୁକୁର ଭୁକି ଭୁକି ଦୌଡ଼ି ଆସିଲା l ତଳେ ବସି ଥିବା ମାଙ୍କଡ଼ ମାନେ ଭୟରେ ଗଛ ଉପରକୁ ଚଢିଗଲେ l ତର ତର ହୋଇ ଚଢିଲା ଭିତରେ ଗୋଟିଏ ପିଲା ମାଙ୍କଡ଼ ଟିଏ ଗଳି ପଡିଲା l ତା’ ମା ଉପରକୁ ଚଢି ସାରିଥାଏ l ପିଲା ମାଙ୍କଡ଼ଟି କଣ କରିବ କାଳିଆ କୁକୁର ଧୀରେ ଧୀରେ ତା ଆଡେ ବଢୁଥାଏ l ସେ ଦୃଶ୍ୟ ଦେଖିଲେ ଆଚମ୍ବିତ ଲାଗୁଥିଲା ପୁରା ମାଙ୍କଡ଼ ଦଳ ପୁରା ନୀରବ, ଆଜି ଏ ପିଲାର ଅବସ୍ଥା କଣ ହେବ l ସବୁ ସ୍ତ୍ରୀ ଲୋକ ବି ଚାହିଁ ରହିଥାନ୍ତି l ସମସ୍ତେ ଯେପରି ନୀରବ ନିସ୍ତବ୍ଧ l କେବଳ ଶୁଭୁଥିଲା କାଳିଆ ର ଗର୍ଜନ l ମା ମାଙ୍କଡ଼ ବା କିପରି ସହି ଥାନ୍ତା l କିଛି ନ ଭାବି ଡେଇଁ ପଡିଲା କାଳିଆ ଆଗକୁ l ତାର ବଳିଷ୍ଠ ରୂପ ଦେଖି ଭୟ ପାଆନ୍ତି l କିନ୍ତୁ ମା ପାଇଁ ସବୁ ବିପଦ ପଛରେ ତା ସନ୍ତାନ ପାଇଁ ସେ ମଣିଷ ହେଉ ଅବା ପଶୁପକ୍ଷୀ l କାଳିଆ କୁକୁର ର ଦୁଇ ଗାଲକୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲା ଏବଂ ଛୁଆ କୁ ନେଇ ଚଢ଼ିଗଲା ଗଛ ଉପରକୁ l ପାଷାଣ ପରି କାଳିଆ ଛିଡା ହେଇଥାଏ ।
ଏ ସବୁ ଘଟଣା ଏପରି ନାଟକୀୟ ଢଙ୍ଗ ରେ ଆମ ଆଗରେ ଘଟିଗଲା ଆମେ ହସିବୁ ନା କାନ୍ଦିବୁ କିଛି ବୁଝି ପାରିଲୁନି l ଗୋଟିଏ କୁକୁର ମାଙ୍କଡ଼ ଠାରୁ ମାଡ଼ ଖାଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲୁ l ମା ମମତା ଆଗରେ ସବୁ ସମ୍ଭବ l
