ମାଁ ଆସିବେ
ମାଁ ଆସିବେ
ଶରତ ଋତୁରେ କାଶତଣ୍ଡି ରେ ଫୁଲରେ ପାର୍ବଣ ଋତୁରେ ମାଆ ଆସୁଛନ୍ତି । ଷଷ୍ଠିରେ ବେଲ ବରଣୀ ହେବ ମାଆ ଦୂର୍ଗା ବେଲ ଗଛ ମଧ୍ୟ ଦେଇ ଧରାବତରଣ କରିବେ । ଏଥର କେଉଁଥିରେ ଆସିବେ କେଜାଣି ଗଜ ରେ ଆସିବେ ନା ନୈକା ରେ ଆସିବେ କିଛି ଜଣା ନାହିଁ କିନ୍ତୁ ସେ ଆସିବେ । ଗଜ ରେ ଆସିଲେ ବର୍ଷା ହେବ ନୈକାରେ ଆସିଲେ ବନ୍ୟା ହେବ । ଯାହାବି ହେବ ଦେଖାଯିବ ! ସେ କ'ଣ ଆମ ମାନଙ୍କର ଅନିଷ୍ଠ କରିପାରିବେ ? ଯେତେ ହେଲେ ସେ ଆମ ମାଆ ପରା |
ସାଇକେଲ କୁ ଧରି କଲେଜ କୁ ବାହାରିଲା ବିଶ୍ଵରୁପା | ଖାଲି ମନରେ ଭାବୁଥାଏ ଜେଜେମା ଙ୍କର କଥା . . . . . ସତରେ କ'ଣ ମାଆ ଆସିବେ! ମହିଷାସୁର କୁ ମାରିବା ପାଇଁ ? ସେ ପରା ସତ୍ୟ ଯୁଗ ରୁ ମରିସାରିଲେଣି | ଜଣକୁ ସେ କେତେଥର ମାରିବେ ? ଆଜିର ସମୟରେ ତ ଦେହର ଭୂଗୋଳ ରେ ପରିବର୍ତନ ଆସିଲେ , ମନର ଉପବନରେ କାଶତଣ୍ଡି ଫୁଟିଲେ କେତେ ଯେ ଅଶୁର ମାଡ଼ି ଆସନ୍ତି ଯେ ତା'ର କିଛି ହିସାବ ନାହିଁ । ଥରେ ସେଇମାନଙ୍କୁ ମାରିବାକୁ ଯଦି ମାଆ ଧରାବତରଣ କରନ୍ତେ ନା' ସବୁ କିଛି ଠିକ୍ ହୋଇଯାଆନ୍ତା ।
କଲେଜର ଛକ ପାଖରେ କିଛି ପିଲା ବିଶ୍ଵରୂପା କୁ ଦେଖି କମେଣ୍ଟ କରିବାକୁ ଲାଗିଲେ ହେଲେ ସେ ସେ ସବୁକୁ ଅଣଦେଖା କରି ଭାବନା ରାଇଜରେ ଆଗକୁ ଚାଲିଲା | ହେଲେ କ'ଣ ହେବ ପୁନଶ୍ଚ ସିଟି ମାରି ଅଟକାଇବାକୁ ଚେଷ୍ଟା କଲେ । ଏଥିର ବିଶ୍ଵରୂପା ଅଟକିଲା , ସେମାନଙ୍କ ପାଖକୁ ଆସିଲା ଆଉ ପାଦରୁ ଚପଲ କାଢି ସେକି ଦେଇଗଲା | ଲୋକଙ୍କ ଗହଳି ବଢ଼ିଗଲା ଆଉ ବିଶ୍ଵରୁପା କାହାକୁ କିଛି ନକହି ଚୁପ୍ ଚାପ୍ ଚାଲିଗଲା |
କ୍ଲାସ୍ ରେ ଶିକ୍ଷକ ପଢ଼ାଉଥିଲେ । ଡ଼ଃ ଆବଦୁଲ କାଲାମ କୁହନ୍ତି "ତୁମେମାନେ ଭଗବାନଙ୍କ ଭରଷାରେ ବସିଛ ସେ ତୁମକୁ ଆସି ସାହାର୍ଯ୍ୟ କରିବେ ବୋଲି ,କେଜାଣି ଭଗବାନ ତୁମ ଭରଷା ରେ ବସିଥିବେ ତୁମେ କିଛି କରି ଡାକିଲେ ସେ ଆସିବେ ବୋଲି " ସାହାଯ୍ୟ ତୁମକୁ ଦରକାର ତୁମେ ଆରମ୍ଭ କର !
ବିଶ୍ୱରୂପା ଆଜି ପୁଣି କଲେଜ କୁ ଯାଉଥାଏ | ଛକରେ ପୁଣି ସେଇ ପିଲାମାନେ ସେମିତି ବସିଥାନ୍ତି | ମନରେ ଅସୁମାରୀ ଭୟ ଥାଏ କାଳେ ପୁଣି କିଛି ହୋଇଯିବ କି ? ସାହାସ ବାନ୍ଧି ସେମାନଙ୍କ ଆଗରେ ସାଇକେଲ ରଖି ପଛପାଖ ପାନ ଦୋକାନକୁ ଗଲା ଡରରେ ଦୋକାନୀ ଠାରୁ ୨ଟା ଚକୋଲେଟ୍ ନେଇ ଆସିବା ପୂର୍ବରୁ ସେମାନେ ପଳାଇ ଯାଇଥିଲେ ।
ବିଶ୍ଵରୂପା ସେମାନଙ୍କ ପଳାଇ ଯିବା ଦେଖି ସ୍ମିତ ହାସ୍ୟ ଦେଲା | ସାଇକେଲ ରେ ଯାଉ ଯାଉ ଖାଲି ଭାବୁଥିଲା ସେଦିନ ମାଆ ଆସିଥିଲେ କିଛିକ୍ଷଣ ପାଇଁ ତା' ଶରୀରରେ ଦେଇ ସେଇ ପିଲା ମାନଙ୍କ ଶରୀରରୁ ଅସୁରତ୍ଵ ମାରିବା ପାଇଁ ।
