Goutam Mohanty

Classics Inspirational

3  

Goutam Mohanty

Classics Inspirational

ମାେ ଭାଇ

ମାେ ଭାଇ

3 mins
256



ତରତର ହୋଇ ବ୍ୟାଗ୍ ସଜାଡୁଥିଲି ଘରକୁ ଆସିବା ପାଇଁ । ସେତିକିବେଳେ ମୋ ରୁମ୍ ମେଟ୍ ସୀମା କଲେଜ ରୁ ଆସି ପହଁଚିଲା। ମୋତେ ପଚାରିଲା କୁଆଡେ ଯିବୁ କି? ବ୍ୟାଗ୍ ପ୍ୟାକ୍ କରୁଛୁ । ମୁଁ କହିଲି ହଁ ଘରକୁ ଯିବି ତ କାଲି ରାକ୍ଷୀ ପୂର୍ଣ୍ଣିମା । ସୀମା ଟିକେ ହସିଦେଇ ଥଟା କଲା ପରି କହିଲା ତୋ ର ତ ଭାଇ ନାହିଁ , ତମେ ୩ ଭଉଣୀ । ତେବେ ରାକ୍ଷୀ କାହାକୁ ବାନ୍ଧିବୁ? କ'ଣ ଧରମ ଭାଇ କରିଛୁ କି କାହାକୁ । ଏମିତି କା ପ୍ରଶ୍ନ ଶୁଣି ମତେ ଖରାପ ତ ଲାଗିଲା। ଟିକେ ରାଗ ବି ଆସିଲା। ତଥାପି ତାକୁ ଉତ୍ତର ଦେଲି ଯେ ମୁଁ ଧରମ ଭାଇରେ ବିଶ୍ଵାସ କରେ ନି। ଏ ଭାଇ ଭଉଣୀର ସଂର୍ପକ ଏକ ପବିତ୍ର ହୃଦୟର ବନ୍ଧନ । ତେଣୁ ମୋ ହୃଦୟ ଯାହାକୁ ଭାଇ ବୋଲି ମାନିବ ମୁଁ ତା ହାତରେ ହିଁ ରାକ୍ଷୀ ବାନ୍ଧିବି। ବେଶୀ କିଛି ନ କହି ଏତିକି କହିଲି ଯେ ଘରେ କାଲି ଝୁଲଣ ଯାତ୍ରା ସେଥିପାଇ ମୁଁ ଘରକୁ ଯାଉଛି । ପୁଣି ପ୍ରଶ୍ନ କଲା ସୀମା ଝୁଲଣ ଯାତ୍ରା ପୁଣି କ'ଣ? ସେଇଟା ଭଗବାନ୍ କୃଷ୍ଣଙ୍କର ଏକ ପର୍ବ , ଏତିକି କହି ମୁଁ ତା ପାଖରୁ ବିଦାୟ ନେଲି । ସେ ସେମିତି ପ୍ରଶ୍ନିଳ ଦୃଷ୍ଟି ରେ ଚାହି ରହିଥିଲା ମୋ ଯିବା ବାଟକୁ । ପଛକୁ ବୁଲି ମୁଁ ଆଉ ଥରେ ହାତ ହଲେଇ ବିଦାୟ ନେଲି।


   ଗାଡ଼ିରେ ବସି ସୀମାର ପ୍ରଶ୍ନ କୁ ଭାବୁଥାଏ । ହେଲେ ତା ପ୍ରଶ୍ନର ଉତ୍ତର ତ ବହୁତ ଛୋଟ ବେଳୁ ମୋ ମା ମତେ ଦେଇସାରିଥିଲା । 

      ରାକ୍ଷୀ କାହିଁକି ବାନ୍ଧନ୍ତି? ବା ରକ୍ଷା ବନ୍ଧନ ମାନେ କ'ଣ? ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତା'ଠୁ ପ୍ରତିଶୃତି ନେଇଥାଏ ଯେ ସେ ତା ଭଉଣୀ କୁ ସବୁ ବିପଦ ଓ ଅସୁବିଧା ରୁ ରକ୍ଷା କରିବ। ଆମ ସମସ୍ତଙ୍କ ରକ୍ଷା କର୍ତ୍ତା ଯିଏ ସେ ହେଉଛି ତୋର ଭାଇ । ତା' ଠୁ ଆଉ କେହି ବଳୀୟାନ୍ ଏ ଦୁନିଆରେ ନାହିଁ । ତା ହାତରେ ରାକ୍ଷୀ ବାନ୍ଧେ ତୋ ର ମନ ହୃଦୟକୁ ସମର୍ପଣ କରି, ଦେଖିବୁ ସେହିଁ ତତେ ପ୍ରତ୍ୟକ ବିପଦ ରୁ ଉଦ୍ଧାର କରିବା । ସେତେବେଳେ ମୁଁ ଛୋଟଥିଲି ତ ପ୍ରଶ୍ନ ପଚାରିଲି ମା କୁ । ମା, ଭଗବାନ୍ ଙ୍କ ହାତରେ ତ ସମସ୍ତେ ରାକ୍ଷୀ ବାନ୍ଧନ୍ତି ହେଲେ ସେ କ'ଣ ସମସ୍ତଙ୍କ ଭାଇ? ମା ମୋତେ ବୁଝ।ଇ ଥିଲା ସେଦିନ ଯେ," ସେ ପରା ଭାବ ବିନୋଦିଆ ଠାକୁର। ତାକୁ ଯିଏ ଯେମିତି ଭାବରେ ବାନ୍ଧି ରଖିବ ସେ ସେମିତି ଭାବରେ ବାନ୍ଧି ହୋଇ ରହିବା। ତୋ ବାପା ପରା ତାକୁ ପୁଅ କରିଛନ୍ତି । ଏଇ ଗୋପୀନାଥ ତ ଆମ ପୁଅ । ଆମ ପୁଅ ଯିଏ ସେ ତ ତୋର ଭାଇ ହେଲା । ଏବେ ସବୁଥର ରାକ୍ଷୀ ଆଗ ଗୋପୀନାଥ ହାତ ରେ ଆଗ ବାନ୍ଧିବୁ" । ସେହିଦିନଠୁ ମୁଁ ପ୍ରତିବର୍ଷ ଆଗ ରାକ୍ଷୀ ଗୋପୀନାଥ ହାତ ରେ ଵାନ୍ଧେ । 

    

        ମା କହେ ଥରେ ସେ ସ୍ୱପ୍ନ ଦେଖିଥିଲା ଯେ ଗୋଟେ କଅଁଳା ପୁଅ ଟେ କଳା ମଚ୍ ମଚ୍ ରଙ୍ଗ ର ମା କୋଳରେ ଶୋଇଛି ଓ ଵାପା ଠାକୁର ପୂଜା କରୁଛନ୍ତି ।ମା ଵାପାଙ୍କୁ କହୁଛି ଦେଖ ଏ ପୁଅଟି କଳା ହେଲେ କଣ ହେବ କେଡେ ମନଲୋଭା ହୋଇଛି । ସେହିଦିନ ହିଁ ସାନଜେଜେ ଯୋଗକୁ ଖିଚିଂ ଯାଇଥିଲେ, ସେଇଠୁ ଆମ ଗୋପୀନାଥଙ୍କ ମୁଗୁନି ପଥର ମୂର୍ତ୍ତି ଆଣିଥିଲେ । ସେବେଠୁ ଗୋପୀନାଥ ଆମ ଘର ର ପୁଅ ଓ ଆମ ୩ ଭଉଣୀଙ୍କ ର ଭାଇ । ବହୁତ ବିପଦ ଆପଦ ରୁ ସେ ବାପାଙ୍କୁ ରକ୍ଷା କରିଛି । ମୁଁ ତ ନିଜେ ଅଙ୍ଗେ ଲିଭେଇଛି ସେ ମତେ କେତେ ବଡ ବଡ ଵିପଦରୁ ଉଦ୍ଧାର କରିଛି । କିଏ ମାନୁ ବା ନ ମାନୁ ଏମିତିକି ମତେ ପୂର୍ବରୁ ସୂଚେଇ ଦେଇଛି ମୋ ସହ କିଛି ଅଘଟଣ ହେବାକୁ ଥିଲେ । ଯେମିତି କି ସେ ମୋ କାନ ରେ କହିଯାଏ । ରାଗିଯାଇଥିଲେ ତାକୁ ଗାଳି କରେ ,ରୁଷି ଯାଏ ପରେ ପୁଣି ଯାଇ ତାକୁ ଭୁଲ ମାଗେ, ମନାଏ । ଆହୁରି ଅନେକ ଅଙ୍ଗେଲିଭା କଥା ଜଡ଼ିତ ମୋ ଗୋପୀନାଥ ସହ ଯାହା ବଖାଣିଲେ ରାତି ପାହିଯିଵ।

       

       କଲେଜରେ ପଢିବା ବେଳେ ଗୋଟିଏ ବର୍ଷ ରାକ୍ଷୀ ରେ ମୁଁ ଘରକୁ ଆସିପାରିନଥିଲି ଅସୁସ୍ଥତା ବଶତଃ । ସେଇ ପାଖରେ ମାଉସୀ ଘରେ ଥିଲି। ମା କହିଲା ମାଉସୀ ଘରେ ଠାକୁର ଙ୍କୁ ରାକ୍ଷୀ ବାନ୍ଧିଦବୁ । ଠାକୁର ତ ସବୁଠି ସମାନ। ସେହି ଏକା ସବୁଠି ବିଦ୍ୟମାନ । ଆଉ ଥରେ ଯେବେ ମୁଁ ଗର୍ଭବତୀ ଥିଲି,ଏତେ ଦୂର ଘରକୁ ଗାଡ଼ିରେ ଆସିଲେ କାଳେ ସୁବିଧା ଅସୁବିଧା ହେବ ସେଥିପାଇଁ ଆସିନଥିଲି ଘରକୁ ସେହି ଦୁଇ ବର୍ଷ ମୁଁ ଗୋପୀନାଥ ହାତ ରେ ରାକ୍ଷୀ ବାନ୍ଧି ପାରିନଥିଲି। ସେଠି ତ ଠାକୁରଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି, ଜାଣିଥିଲେ ବି ଭଗବାନ୍ ସବୁଠି ସମାନ, ତଥାପି କାହିଁକି କେଜାଣି ସେହି ଖୁସି ସେହି ଅନୁଭବ ମିଳି ନ ଥାଏ ଯାହା ଘରେ ଗୋପୀନାଥ ହାତ ରେ ରାକ୍ଷୀ ବାନ୍ଧିଲେ ମିଳେ ।

   

       ଆଜିକାଲି ଯେମିତି ଭଉଣୀମାନେ ରାକ୍ଷୀ ବଦଳରେ ଭାଇ ଠାରୁ ପାଉଣା ଆଶା ରଖୁଛନ୍ତି ମୋର କିନ୍ତୁ ମୋ ଭାଇ ଠାରୁ କିଛି ବି ଆଶା ନାହିଁ । କାରଣ ତାକୁ ପରା ମାଗିବା ଆଗରୁ ସେ ଆମ ମନ ଜାଣିଦିଏ । ସବୁ କିଛି ତ ତାହାରି ଦାନ ତାକୁ ଆଉ ମାଗିବି କଣ? କେବଳ ଗୋଟିଏ କଥା ତାକୁ ସବୁବେଳେ ଗୁହାରୀ କରେ ମୋ ଦୁଇ ପରିବାର କୁ ସବୁବେଳେ ଖୁସିରେ ରଖ।


                  


Rate this content
Log in

Similar oriya story from Classics