Birakishore Nayak

Classics

3  

Birakishore Nayak

Classics

ମା ଓ ମାଟି

ମା ଓ ମାଟି

4 mins
173



    ରାତ୍ରିର ଘନ ଅନ୍ଧକାର ବିଛେଇ ହୋଇଯାଇଛି ଚାରିଆଡେ । ନିଶା ଗର୍ଜୁଛି । ଏକ ଭୟଙ୍କର ପରିବେଶ ସୃଷ୍ଟି ହୋଇଛି । ଘନ ଅରଣ୍ୟର ସୈନ୍ୟ ଶିବିର ଆଗରେ ହାତରେ ବନ୍ଧୁକ ଧରି ଛିଡା ହୋଇଛି ସବ୍ୟସାଚୀ । ଶିବିର ଭିତରେ ସାଥି ସୈନିକ ମାନେ ସେମାନଙ୍କ ମୂଖ୍ୟ କାମଣ୍ଡରଙ୍କ ସହିତ ଆଗାମୀ ଯୁଦ୍ଧର ଯୋଜନା ପ୍ରସ୍ତୁତି ରେ ବ୍ୟସ୍ତ । କାର୍ଗିଲ ଯୁଦ୍ଧ । କାର୍ଗିଲ ସେକ୍ଟରରେ ପର୍ବତର ବହୁ ଉଚ୍ଚରେ ବରଫାବୃତ ଅଞ୍ଚଳରେ ପାକିସ୍ତାନର ସୈନ୍ୟମାନେ ଲୁଚି ଭାରତ ଅଞ୍ଚଳରେ ପ୍ରବେଶ କରି ଶିବିର ପ୍ରସ୍ତୁତ କରିବା ସହିତ ବହୁ ବଙ୍କର ନିର୍ମାଣ କରି ଅସ୍ତ୍ରଶସ୍ତ୍ର ସହ ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ।

ଗୁଇନ୍ଦା ବିଭାଗ ସତର୍କ କରାଇବା ପରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇବା ଏବେ ଭାରତର କାର୍ଯ୍ୟ, ସେଥିପାଇଁ ଏକ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପଦାତିକ ବାହିନୀର ଜଣେ ସୈନିକ ସବ୍ୟସାଚୀ । ଆଜିକୁ ଦଶ ବର୍ଷ ହେବ ସୈନ୍ୟବାହିନୀରେ ଭର୍ତ୍ତି ହୋଇଛି । ସୈନିକ ଜୀବନର ପ୍ରଥମ ଯୁଦ୍ଧ ସେ ଲଢ଼ିବାକୁ ଯାଉଛି । ମନ ଭିତରେ ଵୀରତ୍ୱର ମାନସିକତା ସୀତ୍କାର କରିଉଠୁଛି, ଅଦମ୍ୟ ସାହସର ସହିତ ସତର୍କ ଦୃଷ୍ଟିରେ ଶିବିରକୁ ଜଗି ରହିଛି ସିଏ ।

      ସବ୍ୟସାଚୀ, ଓଡ଼ିଶାରେ ଘର । ତାର ବାପା ମଧ୍ୟ ଭାରତୀୟ ସୈନ୍ୟ ବାହିନୀରେ ଜଣେ କମlଣ୍ଡର ଥିଲେ, ଯିଏ କି 1971 ମସିହା ଭାରତ ପାକିସ୍ଥାନ ଯୁଦ୍ଧରେ ବିରତ୍ୱର ପରାକାଷ୍ଠା ଦେଖାଇଥିଲେ, ଏଵଂ ପରମ ବୀରଚକ୍ର ଉପାଧିରେ ଭାରତ ସରକାରଙ୍କ ଦ୍ୱାରା ଭୂଷିତ ହୋଇଥିଲେ । ସେ ସେନାବାହିନୀରୁ ଅବସର ନେବାପରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସବ୍ୟସାଚୀ ପିଲାବେଳେ ତାର ବାପାଙ୍କ ଠାରୁ ତାଙ୍କ ବିରତ୍ୱର କାହାଣୀ ଶୁଣିଥିଲା ଏବଂ ସେତେବେଳେ ସେ ଭାବୁଥିଲା, ସେ ବଡ଼ ହେଲେ ନିଶ୍ଚୟ ଜଣେ ସୈନିକ ହେବ, ଏଵଂ ନିଜ ଦେଶପାଇଁ, ନିଜ ମାଟି ମାଆପାଇଁ ଶତ୍ରୁ ସହିତ ଲଢେଇ କରିବ । ସେଇଆ ହିଁ ହେଲା ।

ସେ ସୈନ୍ୟ ବାହିନୀରେ ଜଣେ ସାଧାରଣ ସିପାହୀ ଭାବେ ନିଯୁକ୍ତି ପାଇଲା ।

     ସୈନ୍ୟ ବାହିନୀରେ ଯୋଗଦେବାପରେ ତାର ମାଆ ବେଶି ଖୁସି ହୋଇଥିଲେ । ସେ ତାଙ୍କର ଏକ ମାତ୍ର ପୁଅ ହେଲେ ବି ଏଥିପାଇଁ ମନରେ କୌଣସି ଦ୍ଵିଧା ରଖିନଥିଲେ । ସେ ଯେଉଁଦିନ ଦେଶର ପ୍ରତିରକ୍ଷା ସେବା ବିଭାଗରେ ଯୋଗ ଦେବାକୁ ବାହାରିଲା, ସେଦିନ ତାର ମାଆ ସକାଳୁ ସ୍ନାନ ସlରି ଶିବ ମନ୍ଦିରକୁ ପୂଜାର୍ଚ୍ଛନା କରିବାକୁ ଯାଇଥିଲା, ମନ୍ଦିରରୁ ଫେରିବା ପରେ ତା ମୁଣ୍ଡରେ ପୂଜା ଚନ୍ଦନ ଓ ସିନ୍ଦୂର ପିନ୍ଧାଇ ଦେଇଥିଲା । ଆଜି ବି ସେ ମୁହୁର୍ତ୍ତ ମନେ ପଡିଲେ ଦେହରେ ଶିହରଣ ଖେଳିଯାଏ ସବ୍ୟସାଚୀର ।

     ତାର ମାଆ, ଏବେ ଅତ୍ୟଧିକ ବୁଢ଼ୀ ହୋଇଗଲାଣି । ଚାଲିବାକୁ ବି ଆଉ ଶକ୍ତି ନାହିଁ । ନିଜ ଗାଆଁରେ, ଭିଟାମାଟିରେ ରହେ ସିଏ, ସାଥିରେ ବୋହୂ ଓ ଗୋଟିଏ ବୋଲି ନାତି । ସେଇ ମାନଙ୍କୁ ନେଇ ସେ ସବୁବେଳେ ଖୁସିରେ ଥାଏ । ଆଗରୁ କେବେ ସେ ସବ୍ୟସାଚୀକୁ ଖୋଜେନା, କହେ, ପ୍ରଥମେ ମାତୃଭୂମିର ସୁରକ୍ଷା କଥା, ମାଆ ମାଟି ସିନା ରହିଲେ, ଆମେ ସୁଖରେ ରହିବା । ଏବେ କିନ୍ତୁ ବେଳେ ବେଳେ କୁଆଡେ ଖୋଜୁଛି ଟିକେ ଦେଖିବାକୁ । ଏଇ କିଛିଦିନ ତଳେ ତା ସ୍ତ୍ରୀ ଚିଠିରେ ଲେଖିଥିଲା । ଏଇ ଯୁଦ୍ଧ ସରିଲେ ସେ ଛୁଟି ନେଇ ନିଶ୍ଚୟ ଗାଁକୁ ଯିବ ।

      ଯୁଦ୍ଧ ଚାଲିଛି, ଯୁଦ୍ଧର ଘନଘଟା ଭିତରେ

ଘର କଥା ମନେ ପକାଇବାକୁ ବେଳ ପାଏନା ସବ୍ୟସାଚୀ । ଦେଶ ମାତୃକାର ରକ୍ଷା ପାଇଁ ନିଜକୁ ସମର୍ପି ଦେଇଥିବା ଜୀବନରେ ପରିବାରର ଚିନ୍ତା ସ୍ପର୍ଶ କରିବ ବା କେମିତି ? ଗୁଳିଗୋଳାର କର୍କଶ ଶବ୍ଦ ଭିତରେ କେବଳ ଶତ୍ରୁ ରକ୍ତର କ୍ଷୁଧା ।

     ଯୁଦ୍ଧ ସରିଗଲା । ବିଜୟୀ ହେଲା ଭାରତ । ସମସ୍ତ ପାକିସ୍ତାନୀ ଅନୁପ୍ରବେଶକାରି ସୈନିକଙ୍କ ମଧ୍ୟରୁ ବହୁତ ମଲେ, ଅବଶିଷ୍ଟ ପଳାୟନ କଲେ ନିଜ ଦେଶକୁ ।

    ଛୁଟିରେ ଘରକୁ ଯିବ ସବ୍ୟସାଚୀ । ଏକ ମାସ ପାଇଁ ଛୁଟି ମଂଜୁର ହୋଇଯାଇଛି । ନିଜ ପତ୍ନୀର ଚିଠି ଆସିଛି ଆଜି, ପଢିବାକୁ ଖୋଲିନାହିଁ ସିଏ । ଭାବୁଥିଲା, ଯୁଦ୍ଧ ସରିଯାଇଛି ବୋଲି ଖବରକାଗଜରୁ ଜାଣିବା ପରେ ଘରକୁ ଯିବା ପାଇଁ ନିଶ୍ଚୟ ତା ସ୍ତ୍ରୀ ଚିଠିରେ ଲେଖିଥିବ । ଆଗ୍ରହରେ ଖୋଲି ପଢିଲା ଚିଠିଟିକୁ ସବ୍ୟସାଚୀ ।

ଚିଠିଟି ପଢୁ ପଢୁ ଲଥକରି ବସି ପଡିଲା ସିଏ । ତା ମାଆ ମରିଯାଇଛି, ଯୁଦ୍ଧ ଲାଗିଥିବାରୁ ମରିବା ପୂର୍ବରୁ ତାକୁ ନଜଣାଇବାକୁ ତାର ସ୍ତ୍ରୀକୁ ରାଣ ପକାଇ ମନlକରିଥିଲା କୁଆଡେ ତାର ମାଆ । କହିଥିଲା, ସବ୍ୟକୁ ଜଣାଇବୁନି କିଛି, ଯୁଦ୍ଧ କରୁଛି ସିଏ ଆମପାଇଁ, ଏ ଦେଶ ପାଇଁ,ଆଉ ଆମ ମାଟି ମା ପାଇଁ । ମୁଁ ତ ଆଉ ବଞ୍ଚିବିନି, ସେ କଣ ଆସିଲେ ମୋତେ ବଞ୍ଚାଇ ଦେବ ? ମୋ ପାଇଁ ତ ସିଏ ଲଢ଼ୁଛି । ମୁଁ ମଲାପରେ ମୋର ଦେହଟା ପରା ଏଇ ମାଟିରେ ପାଉଁଶ ହୋଇ ମିଶିଯିବ । ତାକୁ କହିବୁ ଆସିଲେ, ଏଇ ମାଟିରେ ଗଡ଼ିଗଲେ ସେ ମୋର ପରଶ ପାଇବ, ଆଉ ଯେତେବେଳେ ବନ୍ଦେ ମାତରଂ କହିବ, ଏଇ ମାଟିମାର କୋଟି କୋଟି ଜନନୀଙ୍କ ଆଶୀର୍ବାଦ ତା ମୁଣ୍ଡରେ ଢାଳି ହୋଇଯିବ ।

     ସେଇ ମାଆ ମୋର ଆଉ ନାହିଁ ଏଇ ସଂସାରରେ । ଭୋ ଭୋ ହୋଇ କାନ୍ଦି ଉଠିଲା ସବ୍ୟସାଚୀ, ବିକଳ ହୋଇ ଗଡ଼ିଗଲା ମାଟି ଉପରେ, ଆଖିର ଲୁହରେ ଭିଜି ଯାଉଥିଲା ମାଟି ମାଆର ଛାତି । ସ୍ତବ୍ଧ ହୋଇଯାଉଥିଲା ଯେମିତି ପବନ, ଆକାଶଟା ଗମ୍ଭୀର ହୋଇଯାଇଥିଲା ଯେମିତି ।

     ଛୁଟି ଆଣି ଗାଆଁରେ ପହଞ୍ଚିଲା ସବ୍ୟସାଚୀ । ପ୍ରଥମେ ଗଲା ମଶାଣି ଭୂଇଁକୁ, ଯେଉଁଠି ତାର ମାଆର ସଂସ୍କାର ହୋଇଥିଲା, ପଛରେ ତାର ଗାଆଁସାରାର ଲୋକ, ସେଇ ମଶାଣିରେ ମାଆର ଶବ ଜଳିଥିବା ପାଉଁଶକୁ ଆଣି ମୁଣ୍ଡରେ ମାରିଲା ସିଏ । ଆଖିରୁ ଝରି ଚାଲିଥିଲା ଲୁହ, ଅସରା ଯେମିତି । କୋହଭରା କଣ୍ଠରୁ ତାର ବାହାରି ଆସିଲା, "ବନ୍ଦେ ମାତରଂ, ପ୍ରତିଧ୍ୱନିତ ହେଲା ସେଇ ଶବ୍ଦ ସମ୍ଭାର, ସାମୁହିକ କଣ୍ଠରୁ ବାହାରିଲା "ବନ୍ଦେ ମାତରଂ "

    ଆକାଶରେ ଅଦିନିଆ ବର୍ଷାର ଆଗମନୀ, ଲୁହରେ ଭିଜାଇଦେବ ଯେମିତି ଏଇ ମାଟିମାକୁ ଏବେ ।


 


Rate this content
Log in

Similar oriya story from Classics