The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

T.Durga Prasad Rao

Comedy

5.0  

T.Durga Prasad Rao

Comedy

ଲ୍ୟାବ୍ରୋ

ଲ୍ୟାବ୍ରୋ

4 mins
639



ସକାଳେ ପାଖାପାଖି ଛଅଟା ହେବ ବାହାରେ ଠିଆ ହୋଇ ବ୍ରସ୍ କରୁଛି, କାର୍ତ୍ତିକର ନଜର ପଡ଼ିଲା ନୂଆରେ କଲୋନୀରେ ଓହ୍ଲାଇଥିବା ମିସ୍ ଶେଫାଳୀ କୁକୁରଟିଏ ଧରି ବିପରୀତ ଦିଗରୁ ଘର ଆଡ଼କୁ ଆସୁଛି। କାର୍ତ୍ତିକର ଆଦୌ ଧାରଣା ନ ଥିଲା ମିସ୍ ଶେଫାଳୀ କୁକୁର ସୌଖୀନ ବୋଲି। ଶେଫାଳୀ ସେଣ୍ଟ୍ ଜାଭିଏର୍ ସ୍କୁଲରେ ଶିକ୍ଷକତା କରେ। କାର୍ତ୍ତିକର ପହଡ଼ ଭାଙ୍ଗିବା ଯେହେତୁ ସବୁବେଳେ ଆଠଟା ପରେ ସେ କେବେ ସକାଳୁଆ ଦେଖି ପାରେନି ଶେଫାଳୀକୁ। ତାପରେ ତା ନିଜର କାର୍ଯ୍ୟସୂଚୀ ଭିତରେ ଦିନ ତମାମ କାଁ ଭାଁ ନଜରରେ ପଡ଼େ ଶେଫାଳୀ। ଆଜି ସେ ଘଡ଼ିରେ ଆଲାର୍ମ ଦେଇ ଉଠିଛି ଖାସ୍ ଶେଫାଳୀର କାର୍ଯ୍ୟସୂଚୀର କିଛିଟା ଆଭାସ ପାଇବା ପାଇଁ। ଶେଫାଳୀ ଦେଖିବାକୁ ଭାରି ସୁନ୍ଦର, ଆଧୁନିକା। ମୁହଁରେ ସବୁବେଳେ ହସଟିଏ ଲାଖିଥାଏ। କହିବାକୁ ଗଲେ ପ୍ରଥମ ଦିନରୁ ହିଁ କାର୍ତ୍ତିକ ଶେଫାଳୀର ପ୍ରେମରେ ପଡ଼ିଯାଇଛି। ଶେଫାଳୀ ସହିତ ଆନ୍ତରିକତା ବଢ଼ାଇବାର ସୁଯୋଗ ଖୋଜି ବୁଲୁଛି କାର୍ତ୍ତିକ। ତା ମନକୁ ଯୋଜନାଟିଏ ଜୁଟିଲା। କେଉଁଠୁ କୁକୁରଟିଏ ତାକୁ ଯୋଗାଡ଼ କରିବାକୁ ପଡ଼ିବ। ଆଉ ସେଇ କୁକୁର ସହିତ ପ୍ରାତଃ ଭ୍ରମଣ ଅବସରରେ ସେ ଆନ୍ତରିକତା ଜମେଇ ପାରିବ ଶେଫାଳୀ ସହିତ। କାର୍ତ୍ତିକର କୁକୁରର ଜାତି ପ୍ରଜାତି ବିଷୟରେ କିଛି ମଧ୍ୟ ଧାରଣା ନ ଥିଲା। ସେ ଶେଫାଳୀ ଧରି ବୁଲୁଥିବା କୁକୁର ପରି ଦିଶୁଥିବା ଗୋଟିଏ ବୁଲା କୁକୁରକୁ ଦୁଇ ଚାରିଦିନ ଖାଇବା ପିଇବା ଦେଇ ପୋଷା ମନେଇଲା। ତାପରେ ତାକୁ ଚେନ୍ ଦେଇ ବାନ୍ଧିଲା ନିଜ ଘରର ଖୁଣ୍ଟ ସହିତ। କାର୍ତ୍ତିକର ବାପା ମାଆ ତାର ଏଇ ବୁଲା କୁକୁର ପ୍ରୀତି ଦେଖି ଭାରି ବିରକ୍ତ ହେଉଥିଲେ। ଦିନେ ତାର ମନେ ହେଲା ତା କୁକୁର ଏବେ ଶେଫାଳୀର କୁକୁର ସହିତ ସମକକ୍ଷ ପ୍ରାତଃ ଭ୍ରମଣରେ ଭାଗ ନେବାକୁ।

ଶେଫାଳୀ ଚାଲିଛି ଆଗରେ ଆଗରେ। କାର୍ତ୍ତିକ ଅନୁଧାବନ କରୁଥିଲା ଶେଫାଳୀକୁ ନିଜ କୁକୁର ସାଙ୍ଗରେ।

- ହାଏ, ତମେ ବି କୁକୁର ପ୍ରେମୀ? କାର୍ତ୍ତିକ ଶେଫାଳୀକୁ ଚାହିଁ ପଚାରିଲା।

- ହଁ... ଶେଫାଳୀ ବୁଲି ଚାହିଁଲା କାର୍ତ୍ତିକ ଆଡ଼େ।

- ମୋ ନାଁ କାର୍ତ୍ତିକ। କୁକୁର ମାନଙ୍କ ପ୍ରତି ମୋର କିଛି ଅଲଗା ଶ୍ରଦ୍ଧା।

- ଆଛା।

- ହୁଁ ଦେଖୁନାହଁ, ସକାଳୁ ସକାଳୁ କୁକୁର ଧରି ନ ବାହାରିଲେ ଦିନଟା ମୋର ଜମା ଭଲ ଯାଏନି।

- କାହିଁ, ଆଗରୁ ତ କେବେ ଦେଖିନାହିଁ?

- ଆଗରୁ... ମାନେ... ମୁଁ ଅଲଗା ରାସ୍ତାରେ ଭ୍ରମଣରେ ଯାଉଥିଲି। ତେଣୁ କେମିତି ଦେଖା ହୁଅନ୍ତା?

- ଓ... ମୋ ନାଁ ଶେଫାଳୀ, ମୁଁ ଏଇ ଟିଚରସ୍ କଲୋନୀରେ ରୁହେ।

- ଶେ-ଫା-ଳୀ... କାର୍ତ୍ତିକ ଗୁଣୁଗୁଣେଇଲା ନାଁଟିକୁ। ସତେକି ପ୍ରଥମ କରି ଶୁଣୁଛି ନାଁଟି। ଭାରି ସୁନ୍ଦର ନାଁ।

- ତମର କେଉଁ ବ୍ରୀଡ୍।

କାର୍ତ୍ତିକ ହଡ଼ବଡ଼େଇ ଗଲା ଶେଫାଳୀର ପ୍ରଶ୍ନରେ। ତାର ତ କିଛି ବି ଧାରଣା ନାହିଁ।

- ବ୍ରୀଡ୍... ଆଛା, ତମର କେଉଁ ବ୍ରୀଡ୍?

- ଏଇଟା ଲାବ୍ରାଡର୍...

- ମୋର ମଧ୍ୟ ଲାବ୍ରାଡର, ହେଲେ ଟିକିଏ ମିକ୍ସ ଅଛି।

ଶେଫାଳୀ ମୁହଁରୁ ଲାଞ୍ଜଯାଏଁ ଦେଖୁଥିଲା କାର୍ତ୍ତିକର କୁକୁରକୁ। କହିଲା, ତମକୁ କେହି ଠକି ଦେଇଛି। କେଉଁଠୁ ଆଣିଥିଲ କୁକୁରଟିକୁ?

- କେଉଁଠୁ ମାନେ... କାର୍ତ୍ତିକ ଟିକିଏ ଭାବିଲା ପରି ହେଲା। କହିଲା, ମୋର ଜଣେ ସାଙ୍ଗ ଦେଇଛି। ସେତେବେଳେ ଛୋଟିଆଟେ ଥିଲା। ଏବେ ଦେଖୁନ କେତେ ବଡ଼ ହେଇଗଲାଣି।

- ଏଇଟା ପୁରା ଦେଶୀ କୁକୁର ପରି ଲାଗୁଛି। ଦେଖୁନ ତାର କାନ ଠିଆ ଠିଆ, ଲାଞ୍ଜ ବଙ୍କା।

କାର୍ତ୍ତିକ ତ ଶୁଣିଥିଲା କୁକୁର ଲାଞ୍ଜ ବଙ୍କା। ଚାହିଁଲା ଶେଫାଳୀର କୁକୁର ଆଡ଼େ। ଆରେ ସତେତ, ତା ଲାଞ୍ଜଟା ପୁରା ସିଧା। ଆଉ ଅପଦସ୍ଥ ନ ହେବାକୁ କାର୍ତ୍ତିକ ପ୍ରସଙ୍ଗ ବଦଳେଇଲା।

ଦ୍ୱିତୀୟ ଦିନ ପୁଣି ଦେଖାହେଲା ଦୁହିଁଙ୍କର। ଏଥର କିନ୍ତୁ କାର୍ତ୍ତିକ ସାଙ୍ଗରେ କୁକୁର ନ ଥିଲା।

- ତମ ଡଗି?

- ତମେ ଠିକ୍ କହିଛ। ଦେଶୀ ବୁଲା କୁକୁର। କେତେଦିନ ବାନ୍ଧି ହୋଇ ରହନ୍ତା। ଦଉଡ଼ି ଛିଣ୍ଡାଇ ଫେରାର୍। ପ୍ରକୃତ କଥା ହେଲା କୁକୁର କଥା ବୁଝୁ ବୁଝୁ କାର୍ତ୍ତିକ ଏଇ କିଛି ଦିନ ହେଲା ନାକେଦମ ହୋଇ ସାରିଥିଲା। ତା ସାଙ୍ଗକୁ କୁକୁରର ପ୍ରଜାତି ମଧ୍ୟ ଧରା ପଡ଼ି ଯାଇଥିଲା ଶେଫାଳୀ ଆଖିରେ। ତେଣୁ କୁକୁର ରଖି ଲାଭ କଣ ଭାବି ନିଜେ ତାକୁ ଛାଡ଼ି ଦେଇ ଆସିଲା ଦୂର ଜାଗାରେ।

- ଆହା... ତମେ କେତେ ଶ୍ରଦ୍ଧାରେ ପାଳିଥିଲ... ଆଉ ସେ ତମକୁ ଛାଡ଼ି ଚାଲିଗଲା। ଭାରି ଦୁଃଖ ହେଉଥିବ ନା?

କାର୍ତ୍ତିକ ଶେଫାଳୀ ଆଖିରେ ପଡ଼ିଲା ପରି ମୁହଁ ଟିକିଏ ଶୁଖାଇଦେଲା। ଅଥଚ ମନରେ ମନରେ ଖୁସି ହେଉଥାଏ, ଯା ଗୋଟିଏ ଗ୍ରହ ଗଲା। ଚିହ୍ନା ପରିଚୟ ତ ହେଇସାରିଛି, ଏବେ କୁକୁରର ଆଉ ଆବଶ୍ୟକତା କଣ ଯେ?

ଆଜି ଆଉ ଟିକେ ନିଜର ନିଜର ମନେ ହେଲା ଶେଫାଳୀ। ଦୁହେଁ ଅନେକ କଥା ୟାଡ଼ୁ ସ୍ୟାଡ଼ୁ ଗପିଲେ। କାର୍ତ୍ତିକ ପଚାରିଲା, ଆଉ ଛୁଟିରେ ଘର ଆଡ଼େ ଯାଉଛ?

ଶେଫାଳୀ ସଙ୍ଗେ ସଙ୍ଗେ କିଛି ମନେ ପଡ଼ିଲା ପରି କହିଲା, ଆରେ ହଁ, ଛୁଟିରେ ଘରକୁ ଯିବାର ଅଛି। ମୋର ଛୋଟ ଉପକାରଟିଏ କରିଦେବ?

- କଣ?

- ମୁଁ ପ୍ରାୟ କୋଡ଼ିଏ ଦିନ ଗାଁରେ ରହିବି। ମୁଁ ଦେଖିଛି ତମର କୁକୁର ପ୍ରତି କେତେ ଶ୍ରଦ୍ଧା। ମୋର ଅନୁମାନ, କୁକୁରର ଅଭାବବୋଧ ତମକୁ ରାତିରେ ଶୁଆଇଦେବ ନାହିଁ। ତମେ ମୋର ଲ୍ୟାବ୍ରୋକୁ କିଛି ଦିନ ନିଜର ଭାବି ଘରେ ରଖିବନି? ମୁଁ ଆସିଲା ପର୍ଯ୍ୟନ୍ତ?

କାର୍ତ୍ତିକ ଅବାକ୍। କଣ କରିବ ଏବେ? ନା ତ କହିପାରିବ ନାହିଁ। ବାଧ୍ୟ ହୋଇ କହିଲା, ନିଶ୍ଚୟ, ନିଶ୍ଚୟ।

ଲ୍ୟାବ୍ରୋ ବନ୍ଧା ହେଲା କାର୍ତ୍ତିକ ଘର ଅଗଣାରେ। କାର୍ତ୍ତିକର ବୁଲା କୁକୁର ସିନା, ଅଇଁଠା ଭାତ ଡାଲି ଖାଇ ଚଳେଇ ନେଉଥିଲା। ହେଲେ ଶେଫାଳୀର ବିଦେଶୀ ପ୍ରଜାତିର ଲ୍ୟାବ୍ରୋ ପେଡିଗ୍ରୀ, ପନୀର, ଚିକେନ୍ ଆଉ ରୟାଲ୍ କେନାଇନ୍ ଖୋଜିଲା। ଲ୍ୟାବ୍ରୋ ନ ଖାଇବା ଆଉ ଖାଦ୍ୟ ପାଇଁ ଭୁକିବା ଦେଖି କାର୍ତ୍ତିକର ମୁଣ୍ଡ କିଛି କାମ କଲା ନାହିଁ। ସେ ଇଣ୍ଟର୍.ନେଟ୍ ଘାଣ୍ଟିଲା ଲାବ୍ରାଡରର ଖାଦ୍ୟ ଓ ଅନ୍ୟାନ୍ୟ ଅଭ୍ୟାସ ବିଷୟରେ ଜାଣିବା ପାଇଁ। ସହରର ଏ ମୁଣ୍ଡରୁ ସେ ମୁଣ୍ଡ ଖୋଜି ବୁଲିଲା କୁକୁର ଖାଦ୍ୟର ସନ୍ଧାନରେ। ପଶୁଡାକ୍ତରଙ୍କ ପରାମର୍ଶ ନେଲା। ଦିନକୁ ତିନି ଥର ତିନି ଚାରି କିଲୋମିଟର ବାହାରେ ବୁଲାଇବାକୁ ନେଲା। ଲ୍ୟାବ୍ରୋର ଏନେର୍ଜି ଲେବେଲ୍ ଆଗରେ କାର୍ତ୍ତିକ ପୁରା ଫ୍ଳାଟ୍। କୋଡ଼ିଏ ଦିନର ଲ୍ୟାବ୍ରୋ ସେବା ତାକୁ କୋଡ଼ିଏ ବର୍ଷ ପରି ମନେ ହେଲା।

ଯେଉଁଦିନ ଶେଫାଳୀ ଆସି କଲୋନୀରେ ପହଞ୍ଚିଲା, କାଳବିଳମ୍ବ ନ କରି ଲ୍ୟାବ୍ରୋକୁ ନେଇ ତା ଅଗଣାରେ ବାନ୍ଧି ଦେଇ ଆସିଲା। ମନେ ମନେ ସ୍ୱଗତୋକ୍ତି କଲା, ଏ ପ୍ରେମ ମହଙ୍ଗା ପଡ଼ିଗଲାରେ ଧନ... ଝିଅ ନୁହଁ ଝିଅର କୁକୁର ପିଛା କୋଡ଼ିଏ ଦିନରେ ପକେଟରୁ ଖସିଗଲା ଛଅ ହଜାର ଟଙ୍କା। ଝିଅର ଆଉ କଣ କଣ ସୌକ ଅଛି କିଏ ଜାଣେ?



Rate this content
Log in

More oriya story from T.Durga Prasad Rao

Similar oriya story from Comedy