STORYMIRROR

Dr.Priyadarshee Praharaj

Drama

4  

Dr.Priyadarshee Praharaj

Drama

ଲୁକାୟିତ ଭାବ

ଲୁକାୟିତ ଭାବ

3 mins
614

ପୁଅ,

ତତେ ସବୁବେଳେ ମୁଁ ଥଟ୍ଟାରେ କହେ ତତେ ମୁଁ ଗୋଟେଇ ଆଣିଛି, ତୁ ମୋ ପୁଅ ନୁହଁ... ତୁ ଦୁଷ୍ଟାମୀ କରିଲେ ଆକଟ ସାଙ୍ଗକୁ କେବେ କେବେ ତୁ ଅତି ଅମାନିଆ ହେଲେ ବହୁତ ଗାଳି ଆଉ ତାପରେ ହାତ ବି ତୋ ଉପରକୁ ଉଠେଇଛି.. ଜାଣିଛି ତୁ ମୋ ଥଟ୍ଟାକୁ ସେବେ ହି ସତ ମାନି ବସୁଥିଲୁ... ଅନେକ ଥର ତୋ ହାବଭାବରୁ ତାହା ମୁଁ ଅନୁମାନ ମଧ୍ୟ ଲଗେଇଛି... ଅନେକ ଥର ତୋତେ ଗାଳି, ମାଡ ଦେଲା ପରେ ନିଜ ଭିତରେ ବହୁତ କଷ୍ଟ, ଯନ୍ତ୍ରଣା ଅନୁଭବ କରେ କିନ୍ତୁ ତୋ ଆଗରେ ପ୍ରକାଶ କରେନି କି ଅତି ସ୍ନେହ ଢାଳି ପକେଇବା ପରି ତତେ କୋଳେଇ ନିଏନି କାରଣ ସେ ଆକଟ ମୋ ସ୍ନେହ, ମମତା ଆଗରେ ତୁଚ୍ଛ ହୋଇଯିବ ଆଉ ତୁ ତୋ ଭୁଲକୁ ସୁଧାରିବା ପରିବର୍ତ୍ତେ ସାମାନ୍ୟ ଚଗଲାମୀ ଭାବି ବାର ବାର ଦୋହରାଇଚାଲିବୁ.... ତତେ ବହୁତ ଥର ଲାଗିଥିବ ଅନ୍ୟମାନଙ୍କ ମାଆ, ବାପା ତ ଏତେ କଟକଣାରେ ଛୁଆଟିକୁ ରଖୁନାହାନ୍ତି, ଏତେ ଗାଳିଗୁଲଜ କରୁନାହାନ୍ତି, ତେବେ ଏ ପ୍ରକାର ଜିନିଷ ତୋ ସାଙ୍ଗରେ ହଉଛି କଣ ପାଇଁ ଓ ସେବେ ତୁ ଭାବି ନଉ କି ତୁ ପୋଷ୍ୟପୁତ୍ର ବୋଲି... ଏ କଥା ଆଜିକୁ ୩0 ବର୍ଷ ଭିତରେ ତୁ ବୋଧହୁଏ ହଜାରରୁ ଅଧିକ ଥର ମୋ ଆଗରେ କହି ଅଭିମାନ ଭରା ମନକୁ ନେଇ ଖାଲି ପେଟରେ ଶୋଇପଡ଼ିଛୁ.... ଏତେ ଥର କହିଛୁ ବୋଲି ମୁଁ ମନେ ରଖିଛି ଏଥି ପାଇଁ କି ଯେବେ ତୁ ରାଗିକି ଉପାସ ଶୋଇପଡୁ ସେବେ ସେବେ ମୁଁ ବି ଉପାସ ରୁହେ...ଛୁଆ ଉପାସ ରହିଲେ ମାଆ ତଣ୍ଟିରେ ଅନ୍ନ ଗଳିବ କିପରି.. ତୁ ଶୋଇ ସାରିଲେ ତୋ ମୁଣ୍ଡ ଉପରେ ହାତ ବୁଲେଇ ଆଣି ନିଜକୁ ଦୋଷୀ ମଣେ... ତୁ ମୋ ପୁଅ, ମୋ ଦେହର ଅଂଶ, ମୋ ରକ୍ତର ଭାଗୀଦାର ଏତିକି ଆଜି ଯାଏଁ ତୋ ଆଗରେ କହି ପାରିନାହିଁ... ସେଥିପାଇଁ ଆଜି ବି ଅନ୍ୟମାନଙ୍କ ମାଆ ଅପେକ୍ଷା ମୁଁ ତୋ ଆଖିରେ ବହୁତ ତଳେ... ହେଲେ ତୋର ଏ ମାଆ କେବେ ତୋ ଅନିଷ୍ଟ ଚାହିଁନି କି ଚାହିଁବ ବି ନାହିଁ... ନିଜେ ତୋ ଆଖିରେ ଖରାପ ହୋଇ ଯଦି ତତେ ଭଲ ମଣିଷଟେ ଗଢି ପାରିଲି ଏହା ମୋ ପାଇଁ ସବୁ ଠୁ ବଡ ଉପହାର...

ଇତି

ମାଆ

#############################


ମୋ ମାଆ,


ସମସ୍ତେ କୁହନ୍ତି ମାଆ ସବୁବେଳେ ମାଆ, ସେ ଜାଗା କେହି ନେଇ ପାରିବନି... କିନ୍ତୁ ତୋ ଦୂର ଦୃଷ୍ଟି ଏବଂ ଉପଯୁକ୍ତ ଯୋଜନାକୁ ମୋର ଜୁହାର, ଆଜି ଯାଏଁ ତୋର ଏ ହାତ ଲେଖା ଚିଠିଟି ତୁ ମୋ ପାଖରୁ ଲୁଚେଇ ରଖିଥିଲୁ, ଏମିତି ଲୁଚେଇ ଥିଲୁ ଯେମିତି କି ମୁଁ ସେ ଚିଠି ପଢେ କିନ୍ତୁ ଅନେକ ଡେରିରେ. ମୋ ସଞ୍ଚୟ କୁମ୍ପି ଭିତରେ.... ଏମିତି କାହିଁକି ମାଆ???? କଣ ଛୁଆମାନେ ବାପା, ମାଆ କରିଥିବାର ତ୍ୟାଗ, ବଳିଦାନ ବିଷୟରେ ଜାଣିବାର ଅଧିକାର ନାହିଁ..????? ତୋ ଆକଟ, ତୋ ଗାଳି, ତୋ କଡା ବ୍ୟବହାର ମତେ ଅନ୍ୟମାନଙ୍କଠୁ ଅଲଗା କରିଛି ସତ କିନ୍ତୁ ସେ ଅଲଗା ହୋଇ ମୁଁ ଗଢି ପାରିଛି ନିଜର ସ୍ୱତନ୍ତ୍ର ପରିଚୟ, ନେଇ ଆଣି ଥୋଇ ପରିବାର ଦକ୍ଷତା...

ଛୋଟ ବେଳେ ମୋ ପିଲାଳିଆମୀରେ ଅନେକ ଥର କହିଛି, ତୁ ଅନ୍ୟ ମାଆମାନଙ୍କ ଅପେକ୍ଷା ଭଲ ନୁହଁ, କିନ୍ତୁ ନିଜକୁ ଆଜି ଯେବେ ସର୍ବଗୁଣ ଆଉ ଦୁଇ ଗୋଡରେ ସ୍ୱାଧୀନ ଭାବରେ ଠିଆ ହୋଇ ଥିବାର ଦେଖୁଛି ସେବେ ସତରେ ମାଆ ତତେ ବାକ୍ୟ ବାଣରେ ଆହତ କରିଥିବା କଷ୍ଟ ମୋ ମନକୁ ଅଥୟ କରିପକାଉଛି ... ତୋ କହିଥିବା କଥା ଅକ୍ଷରେ ଅକ୍ଷରେ ସତ ମାଆ, ମୁଁ ସେଇ ଗୋଟା ହେଇଥିବା ଛୁଆ, ଯାହାକୁ ତୁ ମଣିଷ କରିବା ସତ୍ତ୍ୱେ ସେ ତତେ ଭୁଲ ବୁଝିଛି, ତତେ କଷ୍ଟ ଦେଇଛି... ଏ ଚିଠି ମୁଁ ମଧ୍ୟ ଅନେକ ଲେଖିଥିଲି, ଆଜି ବି ଲେଖୁଛି କିନ୍ତୁ କେବେ ସାହସ କରିପାରିନି ତତେ ଦେବାକୁ, ଆଜି ମଧ୍ୟ ଏ ଚିଠି ମୋ ଡାଏରୀର ଫର୍ଦ୍ଦ ଭିତରେ ସମାଧୀ ନେଇ ଯିବ... କାରଣ ମୋ କ୍ଷମା ମାଗିବା ତତେ ମୋ ଆଗରେ ବୋଧହୁଏ ଦୁର୍ବଳ କରିଦବ... ତୁ ଭାବି ନବୁ ମୁଁ ଏବେ ପୂର୍ଣ୍ଣ ବିକଶିତ ହୋଉ ଗଲିଣି, ନିଜ ଯତ୍ନ, ନିଜ ଜୀବନର ସମସ୍ୟା ନିଜେ ସମାଧାନ କରିପାରିବି... କିନ୍ତୁ ତାହା ମୁଁ ଚାହେଁନି ଆଜି ବି ସେଇ ଛୋଟ ହୋଇ ରହିବାକୁ ଚାହେଁ, ଗାଳି ଖାଇ ତୋ ଉପରେ ଅଭିମାନ କରିବାକୁ ଚାହେଁ, ଋଷି କି ତୋ ହାତରୁ ଖାଇବାକୁ ଚାହେଁ ଆଉ ସେ ପଣତରେ ମନା କରିବା ସତ୍ତ୍ୱେ ମୁହଁ ପୋଛିବାକୁ ଚାହେଁ... ନିଜ ମୁଣ୍ଡକୁ ତୋ ପଣତ ଛାଇରେ ରଖିବାକୁ ଚାହେଁ.. ସ୍ୱାର୍ଥପର ପୁଅ ସାଜି ନିଜେ ବଞ୍ଚିଥିବା ଯାଏଁ ତୋର ସେବା କରି ପରୁଥାଏ... ଇତି

ଅଭାଗା 

############################

ଅନେକ ଚିଠି ବା ଅଭିଲିଖିତ ଆଳାପ ସମସ୍ତଙ୍କ ଜୀବନରେ କେଉଁଠି ନା କେଉଁଠି ଦମନ ହୋଇ ଥିବ..... କିଛି ଶୀଘ୍ର ପାଇ ଭୁଲ ସୁଧାରି ପାରନ୍ତି, କିଛି ଆଜୀବନ ସେ ଦୁଃଖକୁ କାନ୍ଧରେ ଲଦି ବୁଲନ୍ତି... ସବୁଥିରେ କିନ୍ତୁ ଗୋଟେ ଜିନିଷ ସୁପରିଚିତ ତାହା ହେଲା #ଭାବ ଯାହା ବର୍ଣ୍ଣନା ମାତ୍ରକେ ବାସ ଛାଡି ସୁଗନ୍ଧହୀନ ଶୁଖିଲା ଫୁଲ ପାଖୁଡା ହୋଇ ଝରି ପଡେ ଆଉ ଲୁକାୟିତ ଅବସ୍ଥାରେ ସେଇ ଭାବ ଜୀବନ ମହାକାଇ ଚାଲେ.... କିଛି ଲୁକାୟିତ ଭାବ ଥିଲେ ନିହାତି ଜଣେଇବେ..



Rate this content
Log in

Similar oriya story from Drama