ଲୁହ ଢାଳି ଢାଳି ଲେଖୁଛି କବିତା
ଲୁହ ଢାଳି ଢାଳି ଲେଖୁଛି କବିତା
ଲୁହ ଢାଳି ଢାଳି ଲେଖୁଛି କବିତା
ଜାଣେ ନାହିଁ ତିଳେ ଜୀବନ ବ୍ୟଥା
ଅନ୍ତର୍ଯ୍ୟାମୀ ଜାଣ ମରମ ବେଦନା
କି କହିବି କେତେ ଅକୁହା କଥା ।
ବଞ୍ଚିବାର ପଥ ନୁହଁଇ ସଳଖ
ଭରିଛି ଅନ୍ତରେ ବହୁ ଯାତନା
କିମିଆ କରିଛ ସତେ ମହାପ୍ରଭୁ
ନାହିଁ ବାରେ ଟିକେ ଅନୁଶୋଚନା ।
ପରିସ୍ଥିତି ସାଥେ ତାଳ ମେଳ ଦେଇ
ଚାଲିଛି ଏ ପଥେ ଭରି ସ୍ୱପନ
ଦେଖାଇଛ ତୁମେ ଅନ୍ଧାରରେ ପଥ
ତୁମେ ଅଛ ସାଥେ ଅମୂଲ୍ୟ ଧନ ।
ଜୀବନ ଯମୁନା ଉଛୁଳିଛି ଯେବେ
ଭଙ୍ଗା ନାବେ ଖୋଜେ ଅଦୃଶ୍ୟ କାତ
କାହୁଁ ଆସି ଯାଅ ଆହେ ଦୟାମୟ
ବାହି ନିଅ ତରୀ ଶୁଭ ସଙ୍କେତ ।
ଉତ୍ତପ୍ତ ମରୁରେ ଦିଗହରା ଯେବେ
ରାହା ଖୋଜୁଥାଇ ଜୀବନ ପୋତ
କାହୁଁ ଉଭା ହୁଅ ଜଳ ପାତ୍ର ହସ୍ତେ
ତୃଷା ଦୂର କର ଦେଇ ଅମୃତ ।
ଦେଇ ନାହିଁ କିଛି ପାଇଛି ଅମାପ
ହେ ପ୍ରେମୀ ପୁରୁଷ ଅଦୃଶ୍ୟ ମିତ
ଢ଼ାଳୁଛ ଆଶୀଷ ଅବାରିତ ଧାରେ
ବିସ୍ତାରିତ ରହୁ ଅଦୃଶ୍ୟ ହାତ ।