ପତ୍ନୀ ସ୍ବାମୀର ହିଁ ସ୍ତ୍ରୀ ମୂର୍ତ
ପତ୍ନୀ ସ୍ବାମୀର ହିଁ ସ୍ତ୍ରୀ ମୂର୍ତ
ଶୁଣ କନ୍ୟା !
ଯେତେବେଳେ ତୁମେ ବିବାହିତା ହେଲ,
ସଦୃଶ କୁଳରେ ପରିଣୀତା ହୋଇ
ତୁମର ବଂଶମର୍ଯ୍ୟାଦାକୁ ଅତୁଟ ଓ ଅକ୍ଷୁଣ୍ଣ ରଖି
ସାଂସ୍କୃତିକ ଅନୁଚଳନକୁ
ଉଚ୍ଛଳ କରିତୋଳି
ପାଳନ-ପୋଷଣ ଓ ସତ୍ତା-ସଂରକ୍ଷଣାରେ
ସନ୍ଦୀପ୍ତ କରି
ଭରଣରେ ଅପୂରିତ କରି
ଉଚ୍ଛଳ ଉଦାତ୍ତ ତୃପଣାରେ
ସନ୍ତାନ-ସନ୍ତତିଙ୍କୁ ବିଭାଜିତ କରି
ଦାରାତ୍ୱର ସାର୍ଥକତାରେ
ସବୁଦିଗରୁ
ସମ୍ବୃଦ୍ଧ କରି ଚାଲି
ସମ୍ବର୍ଦ୍ଧନାର ତୃପଣ-ଛନ୍ଦରେ
ଧୃତିପୋଷଣୀ ନନ୍ଦନାର
ଭାବଦୀପନାକୁ
ଉଚ୍ଛଳତାରେ ସୌଷ୍ଠବମଣ୍ଡିତ କରିବାହିଁ
ତୁମର ବ୍ୟବସ୍ଥ ଜୀବନର
ପରମ ଧର୍ମ ଓ କର୍ମ ;
ଯେ-ପ୍ରୀତି
ଅନ୍ୟକୁ କ୍ଷୁବ୍ଧ ନକରି
ଧୀର ଲକ୍ଷରେ ଉକ୍ତ ସ୍ୱାମୀଙ୍କୁ
ଯିଏ ତୁମର ସତ୍ତାର ପରମ ବିଭୂତି
ତାଙ୍କୁ
ସ୍ବସ୍ତି ଓ ସମ୍ବୃଦ୍ଧିର
ସେବାମୁଖର କୃତି-ଆରତି ନେଇ
ତୃପ୍ତ କରିତୋଳେ,
ସେପରି ପ୍ରୀତି-ମୁଖର ଚଳନରେ ଚାଲିବାହିଁ କ'ଣ
ତୁମର ସାର୍ଥକତା ନୁହେଁ ?
ଉକ୍ତ ସ୍ୱାମୀହିଁ ଅପତ୍ୟରୂପେ
ଜନ୍ମଗ୍ରହଣ କରି ଥାଆନ୍ତି
ଉପଯୁକ୍ତ ସନ୍ତାନ-ସନ୍ତତିରେ,
ତେଣୁ, ତୁମେ ଆଖ୍ୟାୟିତ ହୁଅ 'ଜାୟା' ବୋଲି,
ତୁମେ ଆଖ୍ୟାୟିତ ହୁଅ 'ବଧୂ' ବୋଲି,
ତୁମେ ଆଖ୍ୟାୟିତ ହୁଅ 'ପତ୍ନୀ' ବୋଲି,
ତୁମେ ଆଖ୍ୟାୟିତ ହୁଅ 'ଭାର୍ଯ୍ୟା' ବୋଲି,
ଆଖ୍ୟାୟିତ ହୋଇଥାଅ 'ଦାରା' ବୋଲି,
ତୁମେ ଉକ୍ତ ସ୍ୱାମୀଙ୍କରହିଁ ସ୍ତ୍ରୀ ମୂର୍ତ୍ତି ;
ତେଣୁ, ସ୍ମରଣ ରଖ
ତୁମର ସତ୍ତାର ଦାୟିତ୍ୱ କେତେ,
ଲକ୍ଷ୍ୟ ରଖ
ସେ-ଦାୟିତ୍ୱକୁ ଆପୂରିତ କରିପାର
କେଉଁଠି, କେବେ, କିପରିଭାବେ,
ସଂସାରର ମିତି ଚଳନଶୀଳ
ବ୍ୟବସ୍ଥ ବିନାୟନରେ,
ସ୍ୱସ୍ତିରେ ସମ୍ବୃଦ୍ଧ କରି ତାଙ୍କୁ ;
ଆଉ, ଅର୍ଥାନ୍ୱିତ ହୋଇଉଠୁ
ତୁମର ଜୀବନ ସେଇଥିରେହିଁ
ସବୁଦିଗରୁ
ସବୁପ୍ରକାରରେ ;
ଜୀବନୀୟ ଧୃତି-ଅନୁଶାସନକୁ
ଅକ୍ଷୁଣ୍ଣ ରଖି
ଜୀବନ-ଯାଗ ଉଦ୍-ଯାପନ କରିବାରେ ତ୍ରୁଟି ନ ହୁଏ
ନଜର ରଖ,
ତୁମର ଏହି ସ୍ୱାମୀ-ଯାଗ
ଚିରଦିନହିଁ ଅଚ୍ଛେଦ୍ୟ,
ତେଣୁ, ତୁମର ସତ୍ତାହିଁ
ଦାନଦୀପ୍ତା, ଯାଗପ୍ଲୁତା ।