ଲଣ୍ଠନ
ଲଣ୍ଠନ


ନୂଆ ନୂଆ ବୋହୂ ସାଜିଛନ୍ତି ନିକିତା । ସ୍ୱାମୀ ଓଡିଶା ସରକାରଙ୍କ ଅଧିନସ୍ଥ ଏକ ଉଚ୍ଚପଦସ୍ଥ କର୍ମଚାରୀ । ଘରେ କୌଣସି ଜିନିଷର ଅଭାବ ନାହିଁ । ରାଜମହଲ ପରି ଘର । ଦେଖିଲେ ଆଖି ଲାଖିଯିବ ।
ଚାକର ପୂଜାରୀ ବି ଅଛନ୍ତି । ଘର ଯେମିତି ଘରର ଆସବାବପତ୍ର ମଧ୍ୟ ସେମିତି ସୂକ୍ଷ୍ମ ଆଉ ଦାମିକା । କିନ୍ତୁ ନିକିତା ଆଶ୍ଚର୍ଯ୍ୟ ହୋଇଯାଏ
ଆଧୁନିକ ଯୁଗରେ ନିଜର ସତ୍ତା ହରାଇ ସାରିଥିବା ଲଣ୍ଠନଟିକୁ ଦେଖି । ସେ ଘରେ ସେହି ଗୋଟିଏ ମାତ୍ର ଜିନିଷ ଯାହା କି ଲକ୍ଷ ଲକ୍ଷ ଟଙ୍କାର ଦାମୀ ଜିନିଷ ଭିତରେ ରୁଗ୍ଣ ହୋଇ ପଡିରହିଛି ।
ଇଚ୍ଛା ଥିଲେ ବି ଭୟରେ ଏକଥା କାହାକୁ ପଚାରି ପାରେନା ସେ । ତାହାର ସୌଭାଗ୍ୟରୁ ସେ ଏତେ ବଡ଼ ଘରେ ବୋହୂ ହେଇଚି । ନଚେତ ଏମିତି ଘରକୁ ଆଖି ଉଠେଇ ଦେଖିବା ପାଇଁ ମଧ୍ୟ ତାହାର ସାହସ ନାହିଁ । କାରଣ ସେ ଜଣେ ସାଧାରଣ ପରିବାରର ଝିଅ । ସେଦିନ ଏକ ନିଯୁକ୍ତି ପାଇଁ ଯାଇଥିବା ସମୟରେ ସେଠାରେ ସେ ଆଶୁତୋଷ ବାବୁଙ୍କୁ ଦେଖା ହୋଇଥିଲେ । ନିଜର ନିର୍ଭୀକ ପଣ ଯୋଗୁଁ ଚାକିରୀ ପାଇପାରିଲେ ନାହିଁ ସତ କିନ୍ତୁ ଏତେ ବଡ଼ ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିଲେ । ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେଦିନ । ଆଶୁତୋଷ ବାବୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଦେଖି । ବାବାଙ୍କ ଠାରୁ ଅନୁମତି ପରେ ତାଙ୍କର ଅନୁମତି ଲୋଡ଼ା ଯାଇଥିଲା ବିବାହ ପାଇଁ । ବିନା କୌଣସି ପ୍ରତିବାଦରେ ନିକିତା ରାଜି ହୋଇଗଲେ । କାରଣ ଆଶୁତୋଷ ପରି ସୌମ୍ୟ,ସୁଦକ୍ଷ,ଭଦ୍ର ସ୍ୱାମିଟିଏ ପାଇବା କେତେଜଣଙ୍କ ଭାଗ୍ୟରେ ଘଟେ । ତଥାପି ମନରେ ଟିକେ ଡର । ଏତେ ବଡ଼ ପରିବାର ରେ ସେ ନିଜକୁ ଚଳାଇବା ପାଇଁ ।
ନିକିତାଙ୍କର ମୁହଁରୁ ଆଶୁତୋଷ ପଢିପାରିଥିଲେ ମନର ଦ୍ବନ୍ଦ୍ୱ । ଦିନେ ପାଖକୁ ଡାକି ଖୁବ ପ୍ରେମରେ ମନକଥା ଜାଣିବାକୁ ଚେଷ୍ଟା କରିଥିଲେ ।
ନିକିତା ତୁମେ କଣ ଖୁସି ନୁହଁ ?
ମୁଁ ବହୁତ ଖୁସି ଆଶୁ କହିଉଠିଲେ ନିକିତା ।
ତେବେ ତୁମ ମୁହଁରେ ଏ ଦ୍ବନ୍ଦ୍ୱ ର ଝଲକ ?ତୁମେ ଯଦି ସତରେ ଖୁସି କୁହ କାହିଁକି ଏ ଉଦାସ ।
ଆଶୁଙ୍କର ଜିଦ୍ଦି ଆଗରେ ନିକିତା ସତ କହିବାକୁ ବାଧ୍ୟ ହେଲେ । ସାଧାରଣ ପରିବାରର ଝିଅଟିଏ ମୁଁ । ଏତେବଡ଼ ଘରେ ଚଳିବାକୁ ହେଲେ ....
କଥା ନ ସରୁଣୁ ଆଶୁ କହିଲେ ନିକି ତୁମେ ମୋର ପତ୍ନୀ । ତୁମେ ମୁକ୍ତ । ଏ ଘର ତୁମର । ଡର କାହିଁକି ?
ଏଥର ନିକିତା ସାହସ ପାଇଲା । ତେବେ ଗୋଟେ ପ୍ରଶ୍ନ କରିବି ଆଶୁ ?
ହଁ ପଚାର ।
ଏ ଲଣ୍ଠନ ...… ।
ଓ ତେବେ ତୁମେ ଏ ଲଣ୍ଠନ ବିଷୟରେ ଜାଣିବାକୁ ଚାହୁଁଚ ନିକି । ତେବେ ଶୁଣ । ବୋଉ ବାବା ପରେ ଏ ମୋର ପରମ ବନ୍ଧୁ ।
ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ନିକି ।
ଆଶୁ ବଖାଣି ବସିଲେ ଅତୀତର ଅପାସୋରା ସ୍ମୃତି ।
ଦିନେ ସେ ବି ଥିଲେ ଖୁବ ଗରିବ । ବାବା ବୋଉ ଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ବଖରାଏ ବ୍ୟତୀତ କିଛି ବି ନଥିଲା । ଦି ଓଳି ଦି ମୁଠା ଖାଇବା ବ୍ୟତୀତ ନୂଆ ସ୍ୱପ୍ନ ଦେଖିବାର ଅଧିକାର ନଥିଲା । ମୁଁ ଭଲ ପଢେ ବୋଲି ସ୍କୁଲ ରେ ମୋତେ ସମସ୍ତେ ଆଦର କରନ୍ତି । କିନ୍ତୁ ରାତିରେ ପାଠ ପଢିବା ପାଇଁ ଅସୁବିଧା ହେଉଥାଏ । ତେଣୁ ବାପାଙ୍କୁ ମୁହଁ ଫିଟାଇ ଲଣ୍ଠନଟିଏ ଆଣିବାକୁ କହିଲି । ଆଉ ଜାଣିଛ ନିକି ବାପା ଦିନ କାମ ସାରି ଦୁଇ ରାତି ଖଟି ଖଟି ମୋ ପାଇଁ ଏ ଲଣ୍ଠନଟି ଆଣିଥିଲେ । ସେଦିନଠାରୁ ଏ ଲଣ୍ଠନ ହିଁ ମୋର ସାଥି । ଗାଁ ରେ ସ୍କୁଲ ସାରି ମେଧା ଛାତ୍ର ରୂପେ ସୁନାମ ସହ ଆର୍ଥିକ ସାହାଯ୍ୟ ପାଇ କଲେଜ ପଢ଼ିଲି । ଆଉ ସେଦିନଠୁ ପଛକୁ ଫେରିନି । ନିଜ ଉଦ୍ୟମ ଓ ବାବା ବୋଉଙ୍କ ଆଶୀର୍ବାଦ ଭଗବାନଙ୍କ ଇଚ୍ଛା ରୁ ତୁମେ ଆଜି ଏ ଘର ଏ ସମ୍ପତ୍ତି ଏ ପ୍ରତିଷ୍ଠା ଦେଖୁଛ । କିନ୍ତୁ ତୁମେ କୁହ ନିକି ଯେଉଁ ଲଣ୍ଠନ ଟି ରେ ମୋ ବାପାଙ୍କ ସମସ୍ତ ସ୍ନେହର ରୂପ ମୁଁ ଦେଖିପାରୁଛି ,ଯେଉଁ ଲଣ୍ଠନ ରେ ମୋ ବୋଉର ଶୁଖିଲା ମୁହଁରେ ଆତ୍ମତୃପ୍ତିର ହସ ଦେଖିଛି, ଯେଉଁ ଲଣ୍ଠନ ମୋ ଭବିଷ୍ୟ ଗଢିବାରେ ପ୍ରଥମ ସହଯୋଗ କରିଛି ତାକୁ କେମିତି ମୁଁ ନଷ୍ଟ କରିପାରିବି । ସେ ମୋ ପାଇଁ ଅମୂଲ୍ୟ । ଆଜି ହୁଏ ତ ତାହାର ଆବଶ୍ୟକତା ନାହିଁ କିନ୍ତୁ ହୃଦୟରେ ଅଵଦାନର ଚିହ୍ନ ଆଙ୍କିହୋଇଯାଇଛି । ମୁଁ ଥିବାଯାଏଁ ଏ ମୋର ପ୍ରିୟସାଥୀ ମୋ ଘରର ଶୋଭା ବଢ଼ାଉଥିବ । ନିକି ଓଠରୁ ଖୁସିର ମହୁ ଝରିପଡୁଥିଲା । କେତେ ସୁନ୍ଦର ଏ ଆଶୁଙ୍କର ମନ । କେତେ ସୁନ୍ଦର ବିଚାରଧାରା ।
ଆଜିକାଲି ମଣିଷ ଅଵଦାନର ମୂଲ୍ୟ ବୁଝୁଛି କେଉଁଠି ?ଯେଉଁଠାରେ ପୁଅ ନିଜ ବାପା ମାଆଙ୍କୁ ଖାଇବାକୁ ମୁଠେ ନ ଦେଇ ହଇରାଣ କରୁଚି
ସେ ସମାଜରେ ଆଶୁ ପରି ନିର୍ମଳ ହୃଦୟ ଓ ସୂକ୍ଷ୍ମ ବିଚାରବନ୍ତ ,ସମ୍ପର୍କର ମୂଲ୍ୟ ବୁଝୁଥିବା,ଜୀବନରେ ସାହାଯ୍ୟ ପାଇଥିବା ପ୍ରତିଟି ଜିନିଷ ପ୍ରତି ଏତେ ସମ୍ମାନ ଓ ଶ୍ରଦ୍ଧା ରଖୁଥିବା ମଣିଷ ଟିଏ ବି ଅଛନ୍ତି । ନିଜକୁ ଆଶୁଙ୍କର ସ୍ତ୍ରୀ ରୂପେ ଗର୍ବ ଅନୁଭବ କରୁଥିଲା ନିକି ।