STORYMIRROR

Parameswar Ojha

Tragedy Drama

3  

Parameswar Ojha

Tragedy Drama

ଲଲିପପ୍

ଲଲିପପ୍

8 mins
699



 ଲଗାତାର ଚାରିବର୍ଷ ବାହାରେ ରହିବା ପରେ ଆଜି ଗାଁ କୁ ଫେରୁଛି ।ମନରେ ଖୁସି ଯେତିକି ଉନ୍ମାଦନା ସେତିକି । ଯେମିତି ଗୋଟେ ପଞ୍ଜୁରୀରୁ ଫିଟିବା ପରି ଲାଗୁଛି ।ବ୍ୟାଗ୍‌ ରେ ବ୍ୟାଗେ ଭର୍ତ୍ତି ଜିନିଷ ସେସବୁ ମୋତେ ଜିନିଷ ପରି ଲାଗୁନି ଯେମିତି ବ୍ୟାଗ୍ ଭର୍ତ୍ତି ସ୍ନେହ ଶ୍ରଦ୍ଧା ଆଉ ଭଲପାଇବା । 


ବୋଉ ପାଇଁ ଶାଢ଼ୀ, ବାପାଙ୍କ ପାଇଁ ଧୋତି ଚାଦର ,ସାନ ଭାଇ ପାଇଁ ଡ୍ରେସ୍ ,ଆଉ ସବୁଠୁ ଆପଣାର ମୋ ପ୍ରିୟ କୁନି କଣ୍ଢେଇ ଲଲିପପ୍ ପାଇଁ କୁନି କୁନି ଚୁଡ଼ି, ପାଉଁଜି, ସ୍ନୋ ପାଉଡର ,ଟିକିଲି ଆଉ ଗୋଟେ ସୁନ୍ଦର ଡ୍ରେସ୍ ଯାହାକୁ ପିନ୍ଧିଲେ ସେ ପରୀ ପରି ଲାଗିବ । 

ଜାଣିନି ଚାରି ବର୍ଷ ପରେ ସେ କେତେ ବଡ଼ ହୋଇଯାଇଥିବ ହେଲେ ମୋର ବିଶ୍ବାସ ନିଶ୍ଚୟ ତାକୁ ଠିକ୍ ହେବ । ଆଖି ଆଗରେ ନାଚି ଯାଉଛି ତା ଖିଲି ଖିଲି ହସ ଠୁକୁ ଠୁକୁ ଚାଲି ଆଉ କୁନି ପାଟିରେ ଅସ୍ପଷ୍ଟ ଆଉ ମନମୁଗ୍ଧକର କୋମଳ କଥା । ତାର ମୋର ପ୍ରଥମ ସାକ୍ଷାତ କାଲି ପରି ମନେଅଛି ।


 ବାବୁଙ୍କ ଘରକୁ ସେଦିନ ବି ଯାଇଥିଲି କାମକୁ । କିନ୍ତୁ ଜାଣିନଥିଲି ଗୋଟେ ସୁନ୍ଦର ଉପହାର ମୋ ପାଇଁ ସେଠି ଅପେକ୍ଷା କରିଛି ବୋଲି ।ଗେଟ୍ ଖୋଲି ଭିତରକୁ ପଶିଗଲିତ ଦୌଡ଼ି ଆସିଲା କୁନି ଝିଅଟେ ମନ ଦୁଃଖରେ ବାଡ଼ ସେପଟକୁ ହାତ ବଢ଼େଇ କହିଲା -" ମୋ ବଲ୍ ..ମୋ ବଲ୍...,"

   

ମୁଁ ଦେଖିଲି ଆଛା ସେ ବଲଟି ସେପଟରେ ପଡ଼ିଯାଇଛି, ମୁଁ ବାଡ଼ ଡେଇଁ ସେପାଖରୁ ବଲ ତାକୁ ଆଣି ଦେଲି । ସେ ଖୁସିରେ ଝୁମିବା ସହିତ ଖାଲି ହସିଲାନି ତ ଯେମିତି ଲକ୍ଷେ କଇଁ ଫୁଟିଗଲେ ତା ହସରେ । ସେ ଦୌଡି ଦୌଡି ପଳେଇଲା ବଲ୍ କୁ ଧରି ।


 ବାବୁଙ୍କ ଘରେ ନୂଆ ପରିବାର ଭଡ଼ା ନେଇଛନ୍ତି । ତା ବାପା ମାମା ଦିଦିଙ୍କୁ ନେଇ ତା ପରିବାର । ସେ ପରିବାର ଯେତେବେଳେ ନଥିଲେ ମୋତେ ଯେମିତି ଗୁମ୍ ସୁମ୍ ଲାଗୁଥିଲା ଏକ ଉଦାସ ପଣରେ କାମ କରୁଥିଲି । କିନ୍ତୁ ଏବେ ପ୍ରଫୁଲ୍ଲିତ ଲାଗୁଛି କାରଣ ମୋ କାମ ମଝିରେ କୁନି ଝିଅଟି ଆସେ ଆଉ ତାର ଦୁଷ୍ଟାମୀ ଆରମ୍ଭ କରିଦିଏ । ମୁଁ ଫୁଲ ଗଛ ଚାରା ଲଗଉଥିବା ବେଳେ । ସେ ଆସି ମୋ ସହିତ ତା କୁନି ହାତରେ ଚାରା ପୋତିଦିଏ ପାଣି ବାଲ୍ଟି ରୁ ପାଣି ମଗ୍ ରେ ବୁଡ଼େଇ ଆଣି ଗଛ ମୂଳେ ଢାଳି ଦିଏ । ଓଦା ସରସର ହୋଇଯାଏ । ମୋତେ ପ୍ରତି ମୁହୂର୍ତ୍ତରେ ପଚାରି ବସେ "ଇଏ ତନ୍ ? "


 ତା ମାମା ଆସି ତାକୁ ଗାଳି କରେ ଆଉ ଓଦା ସରସର ଡ୍ରେସ୍ କୁ ବଦଳାଇ ଦିଏ । ପୁଣି କିଛି ସମୟ ପରେ ଯୋଉ କଥାକୁ ସେଇ କଥା । ତା ମାମା ତାକୁ ଯେତେ ପାଟି କଲେ ବି ସେ ମୋ ପାଖକୁ ଦୌଡି ଆସେ ମୋତେ ହଇରାଣ କରିବା ସହ ତାର କାରନାମା ଆରମ୍ଭ କରିଦିଏ । ମୋର ସେଇ କେଇଦିନ ଭିତରେ ପିଲାଟି ପ୍ରତି ବହୁତ ସ୍ନେହ ବଢ଼ି ଯାଇଥିଲା । ମୁଁ ପ୍ରତିଦିନ ତା ପାଇଁ ଗୋଟେ ଲଲିପପ୍ ଆଣିକି ଆସୁଥାଏ ଆଉ ସେ ଆସିଲେ ମୁଁ ତାକୁ ଧରେଇ ଦିଏ ।ଆଉ ଯୋଉ ଦିନ ମୋର ମନେ ନଥାଏ ସେ ମୋ ମୁହଁ ଫୁଲେଇ କହେ " ମୋ ଚୁଚୁ କାଇ ? "

 

 ମୁଁ ତା ଗାଲକୁ ଚିପି ଦେଇ କହେ ମୋ ସୁନା କଣ୍ଢେଇ ମୋ ପାଖରେ ଆଜି ନାଇଁ ମୁଁ କାଲି ଆଣିଦେବି । ତା ପରେ ସେ ଟିକେ ମୁହଁ ଶୁଖାଏ ଆଉ ତା ଖେଳରେ ମାତି ଯାଏ । ଆଉ ଦିନେ ପୂରା କାନ୍ଦି ଗଡିଲା "ମୋ ଚୁଚୁ ଦେ " । ଏମିତି ରାହା ଧରି କାନ୍ଦିଲା ଯେ ମୋର ଆଉ କିଛି ଚାରା ନଥିଲା ତାକୁ ବୋଧ କରିବାକୁ ତେଣୁ ବାଧ୍ୟ ହୋଇ ପୁଣି ଗଲି ଦୋକାନ କୁ ଲଲିପପ୍ ଦୁଇଟା ଆଣି ତାକୁ ଦେଇଦେଲି । ଗରମ ଲୁହା ରେ ପାଣି ପଡ଼ିଲା ପରି ତା କାନ୍ଦ ଥମ୍ ହୋଇଗଲା । କିନ୍ତୁ ସେଥିପାଇଁ କାମ ଅଧାରୁ ନ ଜଣେଇ କାଇଁ ଛାଡି ଯାଇଥିଲି ବୋଲି ସେଥିପାଇଁ ବାବୁଙ୍କୁ ମିଛ କୈଫିୟତ ଦେବାକୁ ପଡ଼ିଲା ଆଉ ଗାଳି ସୁଣିବାକୁ ପଡିଲା ଅବଶ୍ୟ ।


 ଏମିତି ଲଲିପପ୍ ଆଉ ମୋର ସ୍ନେହ ଭଲପାଇବା ଆଉ ତାର ମିଠା ଦୁଷ୍ଟାମୀ ସବୁଦିନ ଲାଗି ରହିଲା । କିନ୍ତୁ ମୋର ତାକୁ ସବୁଦିନେ ଲଲିପପ୍ ଦେବା ତା ମାମାକୁ ବୋଧେ ପସନ୍ଦ ହେଲାନି ତେଣୁ ସେ ଦିନେ ମୋ ସାମ୍ନାକୁ ଆସିଲେ ଆଉ ମୋ ଲଲିପପ୍ ଫେରାଇ ଦେଇ କହିଲେ -- " ତାକୁ ଆଉ ଏସବୁ ଦେବନି କହି ଦେଉଛି " ଠିକ୍ ସେତେବେଳେ ଘର ଭିତରୁ ଲଲିପପ୍ ର ଭେମାରଡି ଶୁଭୁଥିଲା ।


 ମୋତେ ଆଶ୍ଚର୍ଯ୍ୟ ଲାଗିଲା ଭାବିଲି ମୋ ଦ୍ବାରା କିଛି ଭୁଲ୍ ହୋଇ ଯାଇଛି କି ? ନାଇଁ ତ କେବେ ସେମିତି କିଛି ହୋଇନି । ମୋ ଦାଆ ,କଟୁରି, କି କୋଦାଳ ଧାର କେବେ ତ ଭୁଲ୍ ରେ ତା ଦେହରେ ବାଜିନି । କେବେ ତ ଏ ବାଲତି ପାଣି ଦ୍ବାରା ତାକୁ ଥଣ୍ଡା ହୋଇଛି ବୋଲି ମୁଁ ଜାଣିନି । କେବେ ତ କାଦୁଅ ଗୋଡ଼ ହାତ ରେ ତାକୁ ତା ଘରକୁ ବିଦା କରିନି । ତେବେ ସାମାନ୍ୟ ଲଲିପପ୍ ଟେ ଦେବାରେ କ'ଣ ଭୁଲ ହୋଇଗଲା ଯେ ...


ଟିକିଏ ତ ସ୍ନେହ ଆଉ କ'ଣ ? 


 ବାସ୍ ସେହିଦିନ ଠୁ ଗୋଟେ ଅଦୃଶ୍ୟ ଲକ୍ଷ୍ମଣରେଖା ଲଲିପପ୍ ଆଉ ମୋ ଭିତରେ ଟାଣି ହୋଇଗଲା । ସେ ତା ଗେଟ୍ ଭିତରେ ରହି ମୋତେ ଲୋଭିଲା ଆଖିରେ ଚାହିଁ ରହିଥାଏ । ଆଉ ମୁଁ ତା ଲଲିପପ୍ କୁ ସକାଳେ ନେଉଥାଏ ଆଉ ସଂନ୍ଧ୍ୟାରେ ଫେରେଇ ଆଣୁଥାଏ । ବହୁତ କଷ୍ଟ ଲାଗେ ବହୁତ ଦୁଃଖ ଲାଗେ ଲଲିପପ୍ ବିନା ସେ ଦିନ ଗୁଡାକ ଯେମିତି ଆଠ ଦଶ ଘଣ୍ଟା ବିତିବାକୁ କୋଡିଏ ଚବିଶ ଘଣ୍ଟା ନେଉଥାଏ । କାମରେ ବିଲକୁଲ ମନ ଲାଗେନି ଯେତେବେଳେ ଦେଖେ ତା'ର ସବୁବେଳେ ଶୁଖିଲା ମୁହଁ ଥରୁଟେ ହସି ଦିଅନ୍ତା ଭଲା , ହେଲେ ସେ ହସେନା ।


  ଏମିତି ଦିନେ କୁହୁଡିଆ ସକାଳେ ମୁଁ ଯାଇ ବାବୁଙ୍କ ଗେଟ୍ ପାଖରେ ପହଞ୍ଚି ହତବାକ୍ ହୋଇଗଲି , ମୋ ମୁଣ୍ଡ ଝାଇଁ ଝାଇଁ ହୋଇଗଲା କ'ଣ କରିବି କ'ଣ ନକରିବି କିଛି ଭାବି ପାରିଲିନି ।

ଗେଟ୍ ଠାରୁ କିଛି ଦୂରରେ ମୋ ଅତି ପ୍ରିୟ ଲଲିପପ୍ ପଡ଼ିଛି । ହାତ ଗୋଡ ରାମ୍ପୁଡି ହୋଇଯାଇଛି ମୁଣ୍ଡରୁ ରକ୍ତ ଝରୁଛି ।ମୋ ସାଇକେଲକୁ ଫୋପାଡି ଦେଇ ଲଲିପପ୍ କୁ କୋଳେଇ ନେଇ ଦୌଡିଲି ଅଧ କିଲୋମିଟର , ଗୋଟେ ଅଟୋଟେ ରିଜର୍ଭ କରି ନେଇଗଲି ମେଡିକାଲ , ଆଉ ତାକୁ ଚିକିତ୍ସା କରାଇଲି । ପାଖରେ ପଇସା ନଥିଲା ଜଣେ ସାଙ୍ଗକୁ ଫୋନ କଲି ସେ ପଇସା ଆଣିଦେଲା ।


 ଅଟୋ ଭଡ଼ା ତୁଟେଇ ବାବୁଙ୍କ ଘରେ ପହଞ୍ଚିଲା ବେଳକୁ ଦିନ ବାର । ତାଙ୍କ ଘରେ ସମସ୍ତେ ଚିନ୍ତିତ ବ୍ୟତିବ୍ୟସ୍ତ । ସେ ପର୍ଯ୍ୟନ୍ତ ଲଲିପପ୍ ଗାଡିରୁ ଓହ୍ଲେଇନି ମୁଁ ତାକୁ ଲଲିପପ୍ ଦେଉଥିବାର ଦେଖି କିଛି ବୁଝିବା ପୂର୍ବରୁ ତା ମାମା ମୋ ଗାଲରେ ଗୋଟେ ଶକ୍ତ ଚାପୁଡ଼ା ବସେଇ ସାରିଥିଲେ ।


ଆଉ ଲଲିପପ୍ କୁ ଏ ଅବସ୍ଥାରେ ଦେଖି କୁଣ୍ଢେଇ ପକାଇ କହିଲେ --"ମୋ ଝିଅ ...ମୋ ଧନ.. କ'ଣ ହୋଇଥିଲା ମୋ ପାଗିଳୀର ? କିଛି କହୁନ କାହିଁକି ? "


  ସବୁ କଥା ସୁଣି ସାରିଲା ପରେ ସେ ଲଜ୍ଜିତ ହେଲେ ମୋତେ ହାତ ଯୋଡ଼ି କ୍ଷମା ମାଗିଲେ । ମୁଁ ବି କହିଲି --" ମୋର ବି ଭୁଲ୍ ଅଛି ତମକୁ ପ୍ରଥମେ ଜଣେଇବାର ଥିଲା , ହେଲେ ତାକୁ ଏ ଅବସ୍ଥାରେ ଦେଖି ମୋ ମୁଣ୍ଡ କିଛି କାମ କଲାନି କ'ଣ କରିବି କ'ଣ ନକରିବି ତେଣୁ ......"


  ବାସ୍ ସେହିଦିନ ଠାରୁ ତାଙ୍କ ଘରର‌ ଗୋଟେ ସଦସ୍ୟ ଯେମିତି ମୁଁ ହୋଇଗଲି । ଅବାଧ ପ୍ରବେଶ ହୋଇଗଲା ତାଙ୍କ ଘରେ ମୋର । ଭଲରେ ମନ୍ଦରେ ମୋତେ ଖାଇବାକୁ ଡାକିଲେ କିଛି ସଉଦା ପତ୍ର ସରିଗଲେ ମୋତେ କହୁଥିଲେ । ଫେରିଲା ବେଳେ ଘଣ୍ଟା ଘଣ୍ଟା ଗପୁଥିଲେ ଭଲ ମନ୍ଦ ପରିବାର କଥା ପଚାରି ବୁଝୁଥିଲେ । ମୁଁ ଲଲିପପ୍ ସହ ଖେଳୁଥିଲି ଭଲ ଭଲ ଜିନିଷ ଆଣି ଦେଉଥିଲି । ସଂନ୍ଧ୍ୟାରେ ଅଧଘଣ୍ଟା ଲଲିପ

ପ୍ ସହ ଖେଳୁଥିଲେ ଦିନ ଯାକର କ୍ଲାନ୍ତି ମେଣ୍ଟି ଯାଉଥିଲା ମୋର ମନ ପୂରିଲା ପୂରିଲା ଫୂର୍ତ୍ତି ଲାଗୁଥିଲା । ତା ମାମା ,ବାବା ,ଦିଦି ସମସ୍ତେ ମୋତେ ବହୁତ ଭଲପାଉଥିଲେ ।


ମୁଁ ତାକୁ ଡାକୁଥିଲି "ଲଲିପପ୍ " ଆଉ ସେ ତା କୁନି ପାଟିରେ ମୋତେ ଡାକୁଥିଲା "ବାଇ "  କିଛି ଦିନ ପରେ ଦୁଃଖର ଘଟଣା ଟିଏ ଘଟିଲା ।

 ବାବୁ କୌଣସି କାମରେ ବାହାରକୁ ଚାଲିଗଲେ । କିଛି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହିତ ଝଗଡ଼ା ହୋଇଗଲା । ଆଉ ତା ପରେ ଗୋଟେ ସାଙ୍ଗ ସହିତ ମୁଁ ବମ୍ବେ ଚାଲିଆସିଲି । ଆଉ ଲମ୍ବା ସମୟ ଚାରି ବର୍ଷ ପରେ ଆଜି ମୁଁ ଫେରୁଛି ଗାଁ କୁ ।


କିନ୍ତୁ ସେଦିନ ଆସିବା ଦିନ ଲଲିପପ୍ କୁ ଗୋଟେ ପ୍ୟାକେଟ ଲଲିପପ୍ ଦେଇ ଆସିଥିଲି , କହି ଆସିଥିଲି ମୁଁ ଆସିବି । ହେଲେ କହିନଥିଲି ମୁଁ ଏତେ ବର୍ଷ ତାଠୁ ଦୂରେଇ ରହିବି ବୋଲି । ଏବେ ସେ ବହୁତ ବଡ଼ ହୋଇ ଯାଇଥିବ । ତା " ବାଇ " ଡାକ ବୋଧେ " ଭାଇ" ରେ ବଦଳି ସାରିଥିବ । ହେଲେ ମନରେ ସଂଶୟ କୁନି ପିଲାଟା ଏତେ ଦିନ ପରେ ମୋତେ ଚିହ୍ନି ପାରିବ ତ ?


 ଘରେ ଜିନିଷ ପତ୍ର ରଖି ଖାଇ ପିଇ ବିଶ୍ରାମ ନେଇ ଟିକେ ହାଲକା ହେଲା ପରେ ଲଲିପପ୍ ର କୁନି ସଂସାରକୁ ବ୍ୟାଗ୍ ରେ ଭର୍ତ୍ତି କରି ବାବୁଙ୍କ ଘର ଆଗରେ ଯାଇ ପହଞ୍ଚିଥିଲି । ମନରେ ମନେ ଉତ୍ସାହ ଲଲିପପ୍ କୁ ଦେଖିବି ତା ସହ ଟିକେ ଖେଳିବି ଲଲିପପ୍ ପ୍ୟାକେଟ ଟି ତାକୁ ଦେଇକି କୋଳେଇ ନେଇ ଗେଲ କରିବି । ହେଲେ ମୁଁ ସେଠି ପହଞ୍ଚି ଚମକି ପଡିଲି , ସେ ସେଠାରୁ ଚାଲିଗଲେଣି କେବେଠୁ ମାନେ ମୁଁ ବାହାରକୁ ଯିବା ପରେ ପରେ । ଏବେ ଅନ୍ୟ କେହି ନୂଆ ଭଡାଟିଆ ସେଠି ରହୁଛନ୍ତି । ବାବୁଙ୍କୁ ପଚାରିଲି ସେ କହିଲେ --" ଓଃ ଦିଲିପ ମାହାଳି ? ସେତ ତିନି ବର୍ଷ ହେଲା ଗଲାଣି ଏଠୁ "


- " ବାବୁ , କ'ଣ କିଛି ଖବର ନାଇଁ ସେ କୋଉଠି ଏବେ ? "


-"ହଁ ସେ ଭୁବନେଶ୍ୱରରେ କୋଉଠି ରହୁଛି ଠିକ୍ ସେ ଜାଣିନି । ହେଲେ ତଥାପି ଶହିଦନଗରରେ ଥରେ ଦେଖା ହୋଇଥିଲା ।"

 

 ବାବୁଙ୍କ ସହ ସୁଖ ଦୁଃଖ ହୋଇ ଆସିଲି ।  ମୋ ମନ ଟିକେ ବୁଝି ଯାଇଥାନ୍ତା ହେଲେ ଲଲିପପ୍ ବିଷୟରେ ବି ସେ ବିଶେଷ କିଛି କହି ପାରିଲେନି । ମନ ମଉଳି ଗଲା କେତେ ଉତ୍ସାହ ଉନ୍ମାଦନା ସବୁ ପାଣି ଫାଟିଗଲା ‌। ଭାବିଲି ଗାଁ ରେ ଏଇ ମାସ ଟା ବିତେଇ ଦେବି ସାଙ୍ଗ ସାଥି ବନ୍ଧୁ ବାନ୍ଧବ ବୁଲାବୁଲିରେ । ହେଲେ ଲଲିପପ୍ ବିନା ଯେମିତି ମୋତେ କିଛି ଭଲ ଲାଗୁନଥିଲା ମନରେ ଗୋଟେ ଅଶାନ୍ତି ଭରି ରହୁଥିଲା ଲଲିପପ୍ ମୁହଁ ନ ଦେଖିବା ବିନା ।


  ଦିନେ ସ୍ଥିର କଲି ଶ଼ହିଦନଗର ଯିବି , ଗଲି ମଧ୍ୟ । ଲଲିପପ୍ ର ଲଲିପପ୍ ସାଙ୍ଗରେ ତା କୁନି ସଂସାରକୁ ଧରି ବାହାରିଲି । ବହୁତ କଷ୍ଟରେ ବହୁତ ପଚରା ଉଚୁରା ଖୋଜାଖୋଜି ପରେ ଯାଇ ଦିଲିପ ଭାଇଙ୍କ ଘର ପାଇଲି । ହେଲେ ମୋତେ ଦେଖି ନଦେଖିବା ପରି ପଳେଇଲେ ଚିହ୍ନି ପାରିଲେନି । ହେବା ସ୍ବାଭାବିକ ସେ ଅଧିକା ବାହାରେ ରୁହନ୍ତି କିନ୍ତୁ ଲଲିପପ୍ ର ମାମା ମୋତେ ନିଶ୍ଚୟ ଚିହ୍ନି ପାରିବେ । କିନ୍ତୁ ସେ ବି ଦେଖିକି ମୁହଁ ବୁଲେଇ ଦେଲେ । ତଥାପି ପାଖକୁ ଯାଇ କହିଲି ମୁଁ ମନୁଆ ଆପଣ ଯୋଉ କେଶରପୂରରେ ଭଡ଼ା ନେଇ ରହୁଥିଲେ ମୁଁ ସେଠି କାମ କରୁଥିଲି । ଆପଣଙ୍କ କୁନି ଝିଅ ସାଙ୍ଗରେ ଖେଳୁଥିଲି .. ଆପଣ ଘରେ ମୁଁ କେତେ ଥର ଖାଇଛି ଆଉ ....ଆଉ .... କ'ଣ ସତରେ ଚିହ୍ନିପାରୁନ ଭାଉଜ ? 

  

 ମୋତେ କିଛି କହିଲେନି ଯେମିତି ସନ୍ଦେହ ସନ୍ଦେହ ଦୃଷ୍ଟିରେ ଖାଲି ଚାହିଁରହିଲେ । ଦିଲିପ ଭାଇଙ୍କୁ ଟିକେ କଡ଼କୁ ଡ଼ାକି ନେଇ ଧିରେ ଧିରେ କହିଲେ ଯାହା ମୋତେ କିଛି କିଛି ଶୁଭୁଥିଲା - " ଏ ଛୋଟ ଲୋକ ଗୁଡାକ ନା..... କୋଉଠି କ'ଣ ଟିକେ କରି ଦେଇଥିଲେ ବୋଲି..ଫାଇଦା ଉଠେଇ ବାକୁ ଚାଲିଆସନ୍ତି .... ହେ... ତାଙ୍କୁ ଜଲଦି ବିଦାକରି ଗେଟ୍ ଦେଲ " । ଆଉ ଆଗକୁ ଶୁଣି ପାରିଲିନି ସେ କିଛି କହିବା ପୂର୍ବରୁ ମୁଁ ଗେଟ୍ ବାହାରକୁ ଚାଲି ଆସିଲି । ତାଙ୍କ ଠୁ ଏମିତି କଥା ମୁଁ ସ୍ବପ୍ନରେ ସୁଦ୍ଧା ଆଶା କରିନଥିଲି । ତାଙ୍କ କଥା ମୋତେ ବହୁତ ବାଧିଲା । କ୍ଷତ ମନ ନେଇ ଚାଲି ଆସିଲି ସେଠୁ ‌। ଲଲିପପ୍ କୁ ଦେଖିବାର ମୋହ ଟା ସିନା ଟାଣି ଆଣିଥିଲା ଏଠିକି , କିନ୍ତୁ ଏଠି ଏସବୁ ଶୁଣିବା ପରେ ମୋ ମନ ପୂରା ଭାଙ୍ଗିଗଲା କାଚର ଟୁକୁଡା ପରି । 


 ମୁଁ ଖାଲି ଭାବୁଥିଲି ଏ ମଣିଷ ଗୁଡା ଏତେ ଶିଘ୍ର କେମିତି ବଦଳି ଯାଆନ୍ତି ? 


 କିନ୍ତୁ ମୋ ଲଲିପପ୍ ...? ଆଖିରୁ ଲୁହ ବହିଗଲା ଆପେ ଆପେ । ଯୋଉଠି ବାପା ମା ଏମିତି ସେଠି ସେ କୁନି ଛୁଆଟା ବା କ'ଣ ?  ଫେରି ଆସିଲି ଗେଟ୍ ବାହାରକୁ । ଆସିଲା ବେଳେ ମୋତେ ଲାଗୁଥିଲା ଯେମିତି କିଛି ଗୋଟେ ରହିଗଲା ‌। ମୋ ଜୀବନର ସବୁଠୁ ବଡ଼ ଖୁସିଟା ଆଜି ହାତଛଡା ହୋଇଗଲା ।  ହଁ ଏ ବଡ ଲୋକ ମାନେ ହିଁ ଏମିତି । କୌଣସି ସାହାଯ୍ୟ ସ୍ନେହ ଶ୍ରଦ୍ଧାକୁ ସେମାନେ କେବଳ ଟଙ୍କାରେ ହିଁ ତଉଲି ଜାଣନ୍ତି । କେବେ ଗରିବର ମନକୁ ଚିହ୍ନି ପାରନ୍ତି ନି କି ବୁଝିପାରନ୍ତିନି ଏମାନଙ୍କ ଛୋଟ ହୃଦୟରେ ।


  ଅନ୍ତରର କୋହଟା ପାଟିବାଟେ ଓଃ..ଶବ୍ଦ କରି ବାହାରି ଆସିଲା ଲଲିପପ୍ କୁ ନଦେଖିବା ଦୁଃଖରେ । ଇଛା ହେଉଥିଲା ସେ ଜିନିଷ ଗୁଡା ଫୋପାଡି ଦେବାକୁ । ନିଜ ସହିତ କିଛି ଗୋଟେ ଅଘଟଣ କରି ଦେବାକୁ । ସେ ପାଚେରୀରେ ଦୁଇ ହାତ ମୁଠା କରି ପିଟି ଦେଲି ଚାରି ଛଅ ଥର ହାତ ବାଡେଇଲି ରାଗରେ , ଏମିତି ଅପମାନ ଏ ହୃଦୟଟା ଯମା ସହି ପାରୁନଥିଲା । ଲାଗୁଥିଲା ଯେମିତି ମୋର ଗାଁ କୁ ଆସିବା ହିଁ ବେକାର ହୋଇଗଲା ।


  କିଛି ବାଟ ଆସିଛି କେହିଜଣେ ଦୌଡ଼ି ଦୌଡ଼ି ଆସି ମୋ ପଛରୁ କୁଣ୍ଢେଇ ଧରିଲା ଆଉ କହିଲା -- " ଭାଇ , କୁଆଡେ ପଳେଇ ଯାଉଛୁ ? କୁଆଡେ ପଳେଇ ଯାଇଥିଲୁ ତୁ ଏତେ ଦିନ ହେବ ? ମୁଁ ତୋତେ କେତେ ଖୋଜିଛି ଜାଣିଛୁ ? " 


 ମୁଁ ବୁଲି ପଡେ ତ ...ମୁଁ ଆତ୍ମହରା ହୋଇଯିବି କି ଆଉ । ମୋ ସାମ୍ନାରେ ସ୍କୁଲ ଡ୍ରେସ୍ ରେ ଠିଆ ହୋଇଛି ଲଲିପପ୍ ମୋ ଲଲିପପ୍ । ସବୁ ଦୁଃଖ ହତାସା ଭାବ ସେକେଣ୍ଡରେ କୁଆଡେ ଉଭେଇ ଗଲା ।କୁଣ୍ଢେଇ ପକାଇ ଗେଲ କରିପକେଇଲି ତାକୁ । ମୋ ଲଲିପପ୍ ଟିକିଏ ବଡ଼ ହୋଇଯାଇଛି ଅବଶ୍ୟ ହେଲେ ତା ଓଠରେ ସେଇ ମନକିଣା ହସ ଏବେ ଟିକେ ବି ମଉଳିନି ।


- " ଏମିତି କ'ଣ ଦେଖୁଛୁ ? ମୋ ଲଲିପପ୍ ଦେ , ଆଣିନୁ ? "

  

 ମୁଁ ବ୍ୟାଗ୍ ଖୋଲି ଲଲିପପ୍ ପ୍ୟାକେଟ ତା ହାତକୁ ବଢ଼େଇ ଦେଲି । ସେ ପ୍ୟାକେଟଟି ଖୋଲୁ ଖୋଲୁ ସ୍କୁଲ ଅଟୋ ଭିତରୁ ତା ସାଙ୍ଗ ମାନଙ୍କୁ ସବୁ ଡ଼ାକି ଗୋଟେ ଗୋଟେ ତାଙ୍କ ହାତରେ ଦେଲା ଆଉ କହିଲା -" ନିଅ , ମୋ ଭାଇ ଆଣିଛି , ଇଏ ମୋ ଭାଇ । ଯାହା କଥା ମୁଁ ସବୁବେଳେ କୁହେ ସେଇ ଭାଇ " 


 ଏତେ ଖୁସି ମୁଁ ବରଦାସ୍ତ କରି ପିରିଲିନି ମୁଁ ବୁଲି ପଡିଲି , ଲୁହ ଆଉ କୋହ ଏତେ ତିବ୍ର ଥିଲା ଯେ ସେ ଛୋଟ ପିଲାଙ୍କ ସାମ୍ନାରେ ବି ମୁଁ ଛୋଟ ହୋଇଯାଇଥାନ୍ତି ।    

  ---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧



Rate this content
Log in

Similar oriya story from Tragedy