ଲକ୍ଷ୍ମୀ ପୂଜା
ଲକ୍ଷ୍ମୀ ପୂଜା
ମାର୍ଗଶୀର ମାସର ଏକ ଗୁରୁବାରିଆ ଅଳସ ଅପରାହ୍ନ । ଦିପହରିଆ କାଉଁଳିଆ ଖରାରେ ଗଡ଼ପଡ଼ ହେଇ ହେଇ ଦେହଟା କସମସେଇ ଗଲାଣି। ମୋବାଇଲ କାଚରେ ଆଙ୍ଗୁଠି ଘଷି ଘଷି ମନଟା ବି ଚିଟା ଧରିଲାଣି। ଏମିତିରେ ତ ମହାଲକ୍ଷ୍ମୀଙ୍କର ଚଟୁରେ ଗରିଷ୍ଠତା ଭରି ଭରିକି ରହିଥାଏ। ଆଜି ସହଜେ ଛଣାଛଣି, ପିଠା କ୍ଷିରୀ । ଘିଅ ବି ଭେଜାଲ୍ । ଘିଅ ନହେଲେ ଗୋଖାଦ୍ୟ ତ ଭେଜାଲ୍ ନା। ଜଗନ୍ନାଥଙ୍କ ପେଟଟା ଘୁଡୁଘୁଡୁ ହେଲାଣି। କରୋନା ପାଇଁ ଦୁଇ ଅଢେ଼ଇ ବର୍ଷ ହେଲାଣି ଗୋଡ଼ହାତ ସରବର କରି ନପାରି ଗୋଡ଼ହାତ, ଆଉ ଦେହ ଭିତରର ସବୁ କଳକବ୍ଜାରେ କଳଙ୍କି ଲାଗି ଗଲାଣି।
- ହଇହେ ଭାଇ, କି ଶୋଉଚ ମ ? କୁମ୍ଭକର୍ଣ୍ଣ ମଲାବେଳେ ନିଦତକ ତମୁକୁ ଦେଇଗଲା ନା ଚଉଦବର୍ଷିଆ ନିଦତକ ପୁରା କରୁଛ ବା ? ଏ ଭାଇ, ଚାଲୁନା ଆମେ ଯିବା ଦିପହରିଆ ନଗ୍ର ବୁଲି । ଦେଖି ଆସିବା ଲକ୍ଷ୍ମୀ କାହାକୁ କାହାକୁ ସବୁ କୋଟିପତି କରି ଆଇଛି। ଆଜିକାଲି ତ ନଗ୍ର ବୁଲି ଯାଉଛି ଯେ ଟେର୍ ଦେଉନାହିଁ ଆମୁକୁ। କେତେବେଳେ ଯାଉଛି, କେତେବେଳେ ଆଉଛି ଜଣା ପଡୁ ନାହିଁ।
- ହଇରେ ଏକ ଜିଦିଆ ବାରବୁଲା, ତୋତେ ତ ସବୁର୍ ହେଉନାହିଁ ଟିକେ । ଖରାରେ ଶୋଇଥିଲି ଟିକେ । କାହାର ସୁଖ, ଶିରୀ କେବେ ଗଲାନାହିଁ ତୋ ଦିହରେ। ହିଂସିକା କୋଉଠିକାର। ଦିନ ଦିପହରେ ଯିବୁ ନଗ୍ର ବୁଲି । ହଉ ଚାଆଲେ। ତୁ କୋଉ ମାନିବା ପିଲା।
***
- ଭାଇ ହେ, ଦେଖ ହେ ଦେଖ । ବାଃ ଲକ୍ଷ୍ମୀଟା ସତରେ ଭଲ କାମ କରୁଛି ତ । ଦେଖୁନା, ଗାଁ ଠାରୁ ସହର ସବୁ ଏକାକାର। ଖାଲି କୋଠା ଆଉ କୋଠା। ଆଉ ଦରିଦ୍ର ବି କେହି ନାହାନ୍ତି।
- ହଁ ଯେ, ହେଲେ ଦେଏଖେ, ଚାଷଜମି ଆଉ ଚେନେ ନାଇଁ। ଗଛ ପତର ଗୋଟେ ନାଇଁ। ଶଳା, ଏଇ ସମୟରେ କୁଙ୍କୁରି କାଙ୍କୁରି ହବା କଥା ଶୀତରେ । ଆଉ ଶଳା ମୋ ଦିହହାତରୁ ଝାଳ ବହି ଓଦା ଜୁଡୁବୁଡୁ ହେଲାଣି। ତୁ ତ ଏମିତି ମୋବାଇଲି ମାୟାରେ ପଡ଼ିଛୁ ଯେ ନିଜ ନଖ ଦର୍ପଣଟା ଦେଖିବାକୁ ବି ବେଳ ପାଉନାହୁଁ। ବୁଝିଲୁ, ତୋ ଠାକୁରାଣୀ ଏମିତି ଏମିତି ବରଦାନ ଦେଉଛନ୍ତି ଯେ, ପୃଥିବୀ ଶେଷ ହେବାକୁ ବସିଲାଣି। ସଇଲାଣି ସବୁ ବୁଝିଲୁ ?
- ଇହି, କି ଗନ୍ଧ ପାଣି କିଏ ଭାଇ । ବର୍ଷା ହେଇଥିଲା କି ଆଉ?
ଜଗନ୍ନାଥେ ନିଜ ନୀଳମେଘୀ ପିତାମ୍ବରୀ ଆଣ୍ଠୁ ଉପରକୁ ଟେକି ନର୍ଦ୍ଦମା ପାଣିକୁ ଡେଉଁଥାନ୍ତି ଖପ୍ ଖାପ୍।
- ବର୍ଷା ? ନାଳ ନର୍ଦ୍ଦମା ପାଣି ଇଏ, ବୁଝିଲୁ । ପାଣି ଯିବାକୁ ବାଟ ନାଇଁ କି ଫାଟ ନାଇଁ। ଲୁହା ସିମେଣ୍ଟର ଫେସିଆଲରେ ଧରଣୀ ରାଣୀଙ୍କ ଲୋମକୂପ ସବୁ ବନ୍ଦ କରି ଦିଆ ଗଲାଣି।
- ଏଇଟା କଣ ଚଣ୍ଡାଳ ସାହି କିଏ ଭାଇ?
- ହଇରେ? ଆଉ ଚଣ୍ଡାଳ ଶୂଦ୍ର ଅଛନ୍ତି ନା ? ସେଇ ଆରକ୍ଷଣ ରେଜିଷ୍ଟରରେ, ଆଉ ଇଲେକ୍ସନ ପାମ୍ପଲେଟରେ ଏକା ଜାତି ଅଜାତି। ନୋହିଲେ ସବୁ ସପ୍ତ ସମୁଦ୍ର ସମ ଏକାକାର।
- ଏହେ, ଖଳାରେ କାହାର ଧାନ ସବୁ ଗଜା ଧରିଲାଣି ଯେ। ଏକୁ ସବୁ ଅମଳ ନକରି ଏମିତି ଫୋପାଡ଼ି ଦେଇଛନ୍ତି କାହିଁକି?
ରହ ରହ କହୁଁ କହୁଁ ଜଗନ୍ନାଥେ କଲିଂ ବେଲ୍ ଟିପିଦେଲେ,
ସେ ଘରର ଗୃହକର୍ତ୍ତ୍ରୀ ପାର୍ଲରିକୃତ ବ୍ଲିଚିଂ ପାଉଡରିଆ ଧୋବଲା ମୁହଁଟାକୁ କେରାକେରା କରି ଆସି କବାଟ ଫିଟାଇଲେ।
- କଣ ହେଲା ?
ଧମକରେ ଚମକି ପଡ଼ିଲେ ଦୁଇଭାଇ । ଏକ ଆରେକ ଛାତିକୁ ଥୁ ଥୁ କରି ଥମ୍ କିନା ଠିଆ ହେଲେ।
- ଶ୍ୟଃ ! ଏ ଭିକାରୀ ଦଳ ଲୋକଙ୍କୁ ଶୁଆଇ ବସେଇ ଦେବେ ନାଇଁ ଦେଖୁଛି। ବାର ଅବାର କିଛି ନାଇଁ । ଆଜି ଗୁରୁବାର, ହେଲା ? ଭିକ ଦିଆଯିବ ନାଇଁ । କାଲି ଆସ, ଆମ ଷ୍ଟୋରରେ ଛାତ ଯାକେ ଟଙ୍କିକିଆ, ଆଠିଣିଆ ଚାଉଳ ଜମା ହେଇଛି । ପୋକ ମାରିଲାଣି । କାଲି ଆସ, ବସ୍ତେ ନେଇଯିବ।
- ହେଁ ? ଆମେ କୋଉ କୋଣରୁ ଭିକାରୀ ଦିଶୁଛୁ କିଓ? ଆରେ ଆରେ, ଏ ଗହମ ଗୁଡା କାଇଁ ଢାଳୁଛ କିଓ ?
ଆଉ ଜଣେ ରକ୍ତଧାରୀ, ସୂର୍ପନଖା, ମହିଳାଙ୍କୁ ଗାଈ ବାହାଣୀରେ ଗହମ ସବୁ ଢାଳୁଥିବାର ଦେଖି ଜଗନ୍ନାଥେ ପାଟି କଲେ।
- ଆଉ ? ମାଗଣା ଚାଉଳ,ଗହମ, ଡାଲି ରଖିବାକୁ ଅମାର ଗଢି଼ଵୁ ନା କଣ ?
- ଚାଲ ଚାଲ ଭାଇ, ଆଉ ସହି ହେଉ ନାଇଁ । ବଡ଼ ଦେଉଳକୁ ଫେରିବା ଏଥର। ବାଇ ଠାକୁରାଣୀ ଏତେ ସୁଖ ଶିରୀ ଭରି ଦେଲାଣି ଯେ ସେସବୁର କଡାକର ମହତ୍ତ୍ଵ ନାଇଁ ଆଉ।
***
- କୁଆଡ଼େ ବିଜେ କରିଥିଲ କିଓ ଦୁଇ ଭାଇ ?ମୋ ବଦଳରେ ତୁମେମାନେ ଯାଇଥିଲ କି ନଗ୍ର ବୁଲି ?
- ହେ ସିନ୍ଧୁର ଦୁଲଣୀ, କ୍ଷାନ୍ତ ହୁଅ ପ୍ରିୟେ । ଆଉ ଏତେ ବରଦାନ ଦିଅ ନାଇଁ। ସିଆଡେ ଘର ବୁଡ଼ି ଆଣ୍ଠୁଏ।
- ହୁଶ୍, ମୋର ଦୁଃଖ ନାଇଁ। କାଇଁ ବେକାରଟାରେ ନାକରେ ତୁଣ୍ଡି ବାନ୍ଧି ଯାଇଥାନ୍ତି କହିଲ? ସମସ୍ତଙ୍କୁ ଏଇ ଗ୍ରୁପରେ ଥୋକରେ ଏକା ଆଶୀର୍ବାଦ ଦେଇଦେଲି । କେହି ଆଉ ଦୁଃଖି ରଙ୍କି ନାହାନ୍ତି। ସମସ୍ତଙ୍କର କୁବେର ସମାନ ଧନ ସମ୍ପତ୍ତି ଠୁଳ ହେଲାଣି। ସମସ୍ତଙ୍କ ପାଖରେ ପ୍ରଧାନମନ୍ତ୍ରୀ ଚନ୍ଦନ ଉଆସ।ମୋତେ ଆଉ କିଏ ଲୋଡୁଛି ଯେ। ଚିତା ପୂଜା ସବୁ ଏଇ ସୋସିଆଲ ମିଡିଆ ପାଇଁ ନା ।